Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ଦ୍ୱିତୀୟ ପର୍ବ)

ଚିତ୍ତରଞ୍ଜନ ଦାସ

 

ଦ୍ୱିତୀୟ ପର୍ବଲାଗି ଏକ ଭୂମିକା

 

ପଦାର୍ଥ ଗୁଡ଼ାକର ବୈଜ୍ଞାନିକ ଅଧ୍ୟୟନକୁ ବିଜ୍ଞାନୀ ପଣ୍ଡିତମାନେ ପଦାର୍ଥ ବିଜ୍ଞାନ ବୋଲି କହିଛନ୍ତି । ଯେଉଁମାନେ ଏହି ସଂସାରକୁ କେବଳ ପଦାର୍ଥ ଅର୍ଥାତ୍ ଭୂତତନ୍ମାନ୍ତ୍ର ବୋଲି ଦେଖନ୍ତି, ସେମାନେ ମନୁଷ୍ୟର ଅନୁସୃତ ଯାବତୀୟ ବିଜ୍ଞାନକୁ ମୂଳତଃ ପଦାର୍ଥ ବିଜ୍ଞାନର ହିଁ ଗୋଟାଏ ଗୋଟାଏ ଶାଖା ଅଥବା ପ୍ରଶାଖା ପରି ବିଚାର କରିଥାନ୍ତି । ସେମାନେ ଏହି ପର୍ଯ୍ୟାୟରେ ଆଉ ଟିକିଏ ସୂକ୍ଷ୍ମ ଅର୍ଥାତ୍ ଅଧିକ ଜଟିଳ ସ୍ତରକୁ ଆସି ଜୀବବିଜ୍ଞାନର ବି ଭିଆଣ କରିଛନ୍ତି । ଜୀବବିଜ୍ଞାନ ବା Biology ଦ୍ୱାରା ହିଁ ଜୀବନ ବିଷୟରେ ସବୁକିଛି ଜାଣିବା ଅବଶ୍ୟ ସମ୍ଭବ ବୋଲି ସେମାନେ ଅନେକ ସମୟରେ ଖୁବ୍ ସାହସ କରି କହିଥାଆନ୍ତି । ମାତ୍ର, ବିଜ୍ଞାନର କ୍ଷେତ୍ରରେ ବୁଦ୍ଧିଆମାନଙ୍କର ବୁଝିବା ଲାଗି ଯାହା ହୋଇଥାଉ ପଛକେ, ମନୁଷ୍ୟର ବାସ୍ତବ ଅନୁଭବ ତଥା ବାସ୍ତବ ଅଭିକ୍ରମ ଗୁଡ଼ିକର ଜୀବନରେ ତାହା ସର୍ବଦା ଏକ ମିଥ୍ୟା ବା ପ୍ରମାଦ ବୋଲି ପ୍ରତିପାଦିତ ହୋଇଥାଏ । ବାୟୋଲଜି ଦ୍ୱାରା ଜୀବନର ସବୁ ଦୁଆରକୁ ଆଦୌ ଖୋଲି ହୁଏନାହିଁ । ଭିତରର ସକଳ ସମ୍ଭାବନାକୁ ମୋଟେ ଛୁଇଁ ହୁଏନାହିଁ, ତେଣୁ ପ୍ରକୃତରେ ଜାଣିଲା ପରି ଆଦୌ କିଛି ହେଲେ ଜାଣିହୁଏ ନାହିଁ ।

 

ଜୀବନ କହିଲେ ଜଣେ ଜଣେ ମଣିଷ ହିସାବରେ ଆମେ ଯାହାକିଛି ବୁଝୁ, ତାହା ପ୍ରକୃତରେ ବାୟୋଲଜି ନୁହେଁ, ତାହା ହେଉଛି ବାୟୋଗ୍ରାଫି । ଜୀବନକୁ ବଞ୍ଚିବାକୁ ହୁଏ, ଜୀବନକୁ ଅନୁଭବ କରିବାକୁ ହେଲେ ବାଟ ଚାଲିବାକୁ ହୁଏ । ଏହି ବାଟ ଚାଲିବାକୁ କେହି ଅନ୍ତର୍ଯାତ୍ରା ବୋଲି କହନ୍ତି, ପୁଣି କେହି କେହି ଆରୋହଣ ବୋଲି ମଧ୍ୟ କହିଥାନ୍ତି । ପ୍ରତ୍ୟେକ ମଣିଷ ଯାହାକିଛି କରେ ଓ ଯାହାକିଛି ହୁଏ, ତାହାହିଁ ତା’ର ଜୀବନ । ତାହାହିଁ ତା’ର ପରିଚୟ ଏବଂ ଆହୁରି ଆଗକୁ ବାଟ ଚାଲିବା ଲାଗି ତାହାହିଁ ତା’ର ପାଥେୟ । ଆପଣାର ବାଟଚଲାରେ ଯିଏ ଯେତିକି ସମଗ୍ର ଭାବରେ ସେହି ପରିଚୟଟିକୁ ଲାଭ କରିଥାଏ, ଆପଣାକୁ ସିଏ ସେତିକି ସମଗ୍ର ଭାବରେ ଅନୁଭବ କରିବାକୁ ସମର୍ଥ ହୁଏ । ତଥାକଥିତ ଜଗତକୁ ମଧ୍ୟ ସେ ସେତିକି ସମଗ୍ର ଭାବରେ ଦେଖେ; ଅର୍ଥାତ୍ ଜଗତକୁ ଭରଣା କରି ଆପଣାକୁ ଦେଖିପାରେ ଏବଂ ଆପଣାକୁ ଭରଣା କରି ଜଗତକୁ ବି ଦେଖିପାରେ । ସେହି ମଣିଷ ହିଁ ସୁଖ ପାଏ, ଅର୍ଥାତ୍ ଆପଣାକୁ ଆପଣାର ଘର ବୋଲି ସ୍ୱୀକାର କରି ନେଇପାରେ, ସାରା ଜଗତଟାକୁ ଓ ସମଗ୍ର ଜୀବନକୁ ମଧ୍ୟ ଆପଣାର ବୋଲି ସ୍ୱୀକାର କରି ନେବାକୁ ସମର୍ଥ ହୁଏ-। ଆପଣାର କରି ଦେବାର ସେହି ଅଭିକ୍ରମରେ ଯିଏ ଯେତିକି ଅଧିକ ଅଗ୍ରସର ହୋଇପାରେ, ଏଇଠି ଏହି ମର ଭୂମିଟାରେ ବିଚରଣ କରୁଥିବା ସମୟରେ ମଧ୍ୟ ସେ ନିଜକୁ ସେତିକି ମରଣହୀନ ବୋଲି ଅନୁଭବ କରେ । ତା’ର ସକଳ ସ୍ୱର୍ଗ ଓ ସକଳ ବ୍ୟାପ୍ତିକୁ ସିଏ ଏହିଠାରେ ହିଁ ପାଏ । ଏଠି ପାଏ, ତେଣୁ ସେଠାରେ ମଧ୍ୟ ପାଏ ।

 

ଉପନିଷଦରେ ଭୂମାର ବିଚାର କରାଯାଇଛି । ଯୋ ବୈ ଭୂମା ତତ୍‌ମୁଖଂ ନାଳ୍ପେ ମୁଖମସ୍ତି ଭୂମୈବ ସୁଖଂ.... । ଯାହା ଭୂମା, ତାହାହିଁ ସୁଖ । ଅଳପରେ ସୁଖ ନାହିଁ, ଭୂମାରେ ଅଛି; ତେଣୁ ସେହି ଭୂମାକୁ ହିଁ ଜାଣିବାକୁ ହେବ, ଅଙ୍ଗେ ନିଭାଇବାକୁ ହେବ । ଅର୍ଥାତ୍, ଆପଣାକୁ ଭୂମା ଭିତରକୁ ସଂପ୍ରସାରିତ କରିନେବାକୁ ପଡ଼ିବ । ଭୂମା, ଅର୍ଥାତ୍ ସମଗ୍ର ଅନୁଭୂତି ଏକାନୁଭୂତି । ଯେଉଁ ମଣିଷ ଆପଣା ଭିତରେ ଦୁଇଭାଗ ହୋଇ ରହିଯାଏ, ଗୋଟାଏ ଆଖିରେ ଏଇଟାକୁ ଦେଖେ ଓ ଆର ଆଖିରେ ସେଇଟାକୁ ଦେଖେ, ଅର୍ଥାତ୍, ଅନ୍ୟ ବୋଲି ଦେଖେ, ଅନ୍ୟ ବୋଲି ଶୁଣେ ଓ ଅନ୍ୟ ବୋଲି ଜାଣେ, ସିଏ ଅଳପକୁ ଦେଖେ, ଅଳପକୁ ଶୁଣେ ଓ ଅଳପକୁ ହିଁ ଜାଣେ । ଏହି ଉକ୍ତିଟିରେ ସବା ଶେଷରେ ସତେ ଅବା ମୁଣ୍ଡି ମାରିଲାପରି କୁହାଯାଇଛି ଯେ, ଭୂମା ହେଉଛି ଅମୃତ, ଭୂମା ଅବିନାଶୀ । ଯାହା ଅଳ୍ପ, ତାହାହିଁ ବିନାଶଶୀଳ, ତାହାହିଁ ମର୍ତ୍ତ୍ୟ । ଏହି ମର୍ତ୍ତ୍ୟ ଭୁବନରେ ରହିଥିଲେ ମଧ୍ୟ ଯେଉଁମାନେ ତଥାପି ଅମୃତ ଲାଗି ସାହସ କରନ୍ତି, ଯେଉଁମାନେ ଅମୃତର ଦୂରଭିଳାଷ ରଖିଥାନ୍ତି, ଯାବତୀୟ ଅଳପର ଏହି ଗହନ ଭିତରେ ସେମାନେ ତଥାପି ଅନ୍ୟ ଏକ ବାଟ ରହିଛି ବୋଲି ବିଶ୍ୱାସ କରୁଥାନ୍ତି ଓ ସେହି ବିଶ୍ୱାସକୁ ଚକ୍ଷୁ ସମକ୍ଷରେ ରଖି ଆଗଭର ହେଉଥାନ୍ତି । ବିଶ୍ୱାସରେ ବାଡ଼ି ବୁଲାଉ ଥାଆନ୍ତି ଓ ହୁଏତ ବିଶ୍ୱାସରେ ହିଁ ପାଇ ଯାଉଥାନ୍ତି ।

 

ଏହି ବିଶ୍ୱାସ ଲାଗି ଆଦୌ କୌଣସି ପ୍ରମାଣ ନାହିଁ । କାରଣ, ସେହି ପ୍ରମାଣ କେବଳ ଆପଣା ଭିତରୁ ହିଁ ମିଳେ ଏବଂ ବିଶ୍ୱାସରେ ବାଟ ଚାଲୁଥିବା ସଙ୍ଗେ ସଙ୍ଗେ ଆହୁରି ଅଧିକ ସମଗ୍ର ଭାବରେ ଧରିବା ଲାଗି, ଚାହିବା ଲାଗି ଓ ବୁଝିବା ଲାଗି ବିଶ୍ୱାସ ବଢ଼ିବାରେ ଲାଗିଥାଏ । ଏହାହିଁ ଜୀବନ, ଏହାହିଁ ମୋ’ ଜୀବନ, ତୁମ ଜୀବନ, ଆମ ସମସ୍ତଙ୍କର ଜୀବନ । ତେଣୁ ଏଇଠି ଏହି ତଥାକଥିତ ଅଳପକୁ ଅତିକ୍ରମ କରି ବହୁତ ଲାଗି ଅଭିଳାଷ ରଖିବା, ତଥାକଥିତ ଅଳପ ଭିତରେ ବି ବହୁତକୁ ଅନୁଭବ କରିବା ପାଇଁ ଇଚ୍ଛା କରିବା,—ଏହାହିଁ ହେଉଛି ଜୀବନର ସର୍ବଶ୍ରେଷ୍ଠ ବାସନା, ଜୀବନର ସର୍ବଶ୍ରେଷ୍ଠ ଏବଂ ସର୍ବକାମ୍ୟ ଗତି । ଏବଂ, ଗୋଟିଏ ଅର୍ଥରେ କହିଲେ, ଆମ ଜୀବନର ସର୍ବୋତ୍ତମ ସ୍ୱାର୍ଥ । ସଂସାର କହିଲେ ସବୁବେଳେ ମୁଁ ଏହି କଥାଟିକୁ ହିଁ ବୁଝି ଆସିଛି, ତଥାକଥିତ ପରମାର୍ଥକୁ ମଧ୍ୟ ମୁଁ ଏହି ସଂସାରର ଅନ୍ତର୍ଭୁକ୍ତ କରି ରଖିଛି । ଆପଣା ହୃଦୟର ଏହି ନ୍ୟାୟଟି ଦ୍ୱାରା ପ୍ରେରିତ ହୋଇ ମୁଁ ମୋର ଏହି ପିଣ୍ଡଟାକୁ ମଧ୍ୟ ଏକ ପାବଚ୍ଛ ରୂପେ ପ୍ରତ୍ୟକ୍ଷ କରି ଆସିଛି । ଏଠା ଓ ସେଠା ସବୁ ପାବଚ୍ଛଗୁଡ଼ିକୁ ଏକାଠି ମିଳାଇ ଆପଣାର ସମଗ୍ର ଜୀବନପିଣ୍ଡଟିକୁ ଅନୁଭବ କରି ଆସିଛି । ହୁଏତ ଏଇଥି ପାଇଁ ହିଁ ସଂସାରଟା ମୋତେ ଭଲ ଲାଗିଛି, ସଂସାରଯାକର ମଣିଷମାନେ ବି ଭଲ ଲାଗିଛନ୍ତି । କାହାରିକୁ ଈର୍ଷା କାହାରିକୁ ମୋଟେ ଇଚ୍ଛା ହୋଇନାହିଁ । ଫଳରେ ଆପଣାପ୍ରତି ମଧ୍ୟ କେବେହେଲେ କୌଣସି ବଇରିଭାବ ଆସିନାହିଁ ।

 

X X X

 

ଅନେକ ପ୍ରକାରର ପ୍ରରଣାରେ ପ୍ରେରିତ ହୋଇ ଅନେକ ମଣିଷ ଡାଏରୀ ଲେଖନ୍ତି । ଆଗେ ଲେଖୁଥିଲେ, ଏବେ ମଧ୍ୟ ଲେଖୁଛନ୍ତି । ଏବେ ଅଳ୍ପଦିନ ତଳେ ଜଣାପଡ଼ିଛି ଯେ, ହିଟଲର୍‌ଙ୍କର ଗୋଇନ୍ଦା-ବିଭାଗର ମୁଖ୍ୟ ଡକ୍ଟର ଗୁଏବେଲ୍‌ସ୍‌(Dr. Paul Juseph Goebbels) ବି କୁଆଡ଼େ ନିଜର ଡାଏରୀ ଲେଖି ରଖୁଥିଲେ । ପ୍ରଥମେ ଜର୍ମାନୀରେ ପ୍ରକାଶିତ ହେବା ପରେ ତାହା ଏବେ ଇଂରାଜୀ ଭାଷାରେ ଅନୁବାଦ କରାଯାଇ ଛପା ହୋଇଛି । ଯେଉଁ ମିଥ୍ୟାଗୁଡ଼ାକୁ ରାଷ୍ଟ୍ର ଓ ରାଜ୍ୟର ନୀତିରେ ପରିଣତ କରି ହିଟ୍‌ଲର୍ ସାରା ପୃଥିବୀ ଉପରେ ହଜାର ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିବାଭଳି ଏକ ସାମ୍ରାଜ୍ୟର ସ୍ଥାପନା କରି ରଖିବେ ବୋଲି ଚଣ୍ଡ ହୋଇ ବାହାରିଥିଲେ, ତାଙ୍କର କାର୍‌ପଟଦାରରୂପେ ଗୁଲବେଲ୍‌ସ୍‌ସେହି ମିଥ୍ୟାକୁ ବିତରଣ କରିବାର ଓ ତାହାକୁ ହିଁ ସତ୍ୟ ବୋଲି ଗ୍ରହଣ କରିବା ଲାଗି ମଣିଷମାନଙ୍କୁ ବାଧ୍ୟ କରିବାର ଜଘନ୍ୟ ଦାୟିତ୍ୱରେ ରହିଥିଲେ । ବଞ୍ଚିଥିବା ବେଳେ ସିଏ ପ୍ରକୃତରେ କେଡ଼େ ପ୍ରତାପରେ ରହି ନଥିବେ, କେତେ ପରାକ୍ରମ ଦେଖାଇ ନଥିବେ ଓ କେଡ଼େ ଦମ୍ଭରେ ଧରିତ୍ରୀ ଉପରେ ଗୋଡ଼ କଚାଡ଼ି ନଥିବେ-! ଜଣେ ସାମରିକ ଊଚ୍ଚକର୍ତ୍ତା ହିସାବରେ ତ ସିଏ ନିଶ୍ଚୟ ଆପଣାର ଅଫିସିଆଲ ଡାଏରି ଲେଖି ମାଲିକଙ୍କର ହୁକୁମ ଅନୁସାରେ ତାଙ୍କ ପାଖରେ ନେଇ ଦାଖଲ କରିଥିବେ । କିନ୍ତୁ ତାଙ୍କଭଳି ଜଣେ ବ୍ୟକ୍ତିର ଏକ ବ୍ୟକ୍ତିଗତ ଡାଏରି ଲେଖିବା ସକାଶେ ପ୍ରକୃତରେ କି ଆବଶ୍ୟକତା ରହିଥଲା ? ଏକ ବ୍ୟକ୍ତିଗତ ଜୀବନ ବୋଲି କହିବା ଲାଗି ତାଙ୍କର ସେହି ଜର୍ସିପିନ୍ଧା ଜୀବନ ଭିତରେ ପ୍ରକୃତରେ କ’ଣ ବା ରହିଥିଲା ? ଗୁଏବେଲ୍‌ସ୍ ତଥାପି ବ୍ୟକ୍ତିଗତ ଡାଏରୀ ଲେଖୁଥିଲେ । ହୁଏତ ସମସ୍ତଙ୍କ ଠାରୁ ଲୁଚାଇ ସେ ଆପଣାର ଡାଏରୀ ଲେଖୁଥିଲେ, ଆପଣା ଭିତରେ ରହିଥିବା କେଉଁ ଲାଞ୍ଛିତ ଜୀବନକଣର ଅନ୍ଧାର ଘରେ ଏକାକୀ ବସି ସିଏ ନିଶ୍ଚୟ କବାଟ କିଳି ନିଜର ଡାଏରୀ ଲେଖୁଥିଲେ-। ଦିନର ଆଲୁଅରେ ଦଶଶିର ଏବଂ ବିଂଶହସ୍ତ ହୋଇ କରୁଥିବା ଅପକୃତ୍ୟ ଗୁଡ଼ାକର କ୍ଷଳନ କରିବା ସକାଶେ ହିଁ ସିଏ ରାତ୍ରିର ଅନ୍ଧକାର ଭିତରେ ଏକୁଟିଆ ବସି ଡାଏରୀ ଲେଖୁଥିଲେ । ତାଙ୍କରି ଭାଷାରେ କହିବାକୁ ଗଲେ, ଦିନଯାକ ନାନା ମିଥ୍ୟା ଓ ଅସତ୍ୟ ଦ୍ୱାରା ସେ ଦୁନିଆକୁ ଭୁତାଇବାରେ ଲାଗିଥିଲେ ଏବଂ ରାତ୍ରିରେ ସତକଥାତକ କହିବେ ବୋଲି ଆପଣାର ଡାଏରୀ ପାଖକୁ ଯାଉଥିଲେ । ସେ ତାହାରି ପାଖରେ ଏକାବେଳେକେ ଲମ୍ବ ହୋଇ ପଡ଼ିଯାଉଥିଲେ, ନିଜ ଭିତରେ କଂକ୍ରିଟ୍ ପିଞ୍ଜରାଟି ମଧ୍ୟରେ ବନ୍ଧା ହୋଇ ରହିଥିବା ଦୁଃଖୀ ମଣିଷଟିର ଦୁଃଖ ଲାଘବ କରୁଥିଲେ । ଏଇଟା ସଫା ସତ କଥା ଯେ ଏହି ରୀତିଟା ମୋ’ର ରୀତି ନୁହେଁ । ମୋ’ର ଦିନ ଆଉ ରାତି ଭିତରେ କୌଣସି ଅଧାକାନ୍ଥି ରଖିବାକୁ ମୁଁ କେବେହେଲେ କୌଣସି ଚେଷ୍ଟା କରିନାହିଁ । ଦିନର ପ୍ରଚଣ୍ଡତା ଗୁଡ଼ାକୁ ମୁଁ କୌଣସି ରାତିର କାନିତଳେ ଘୋଡ଼ାଇ ରଖିବାକୁ ଆଗ୍ରହ ଦେଖାଇନାହିଁ । କୌଣସି ପ୍ରୟୋଜନ ବି ଅନୁଭବ କରିନାହିଁ । ଏଠି ମିଛ କହି ଓ ଆପଣାକୁ ସତ ବୋଲି ଦେଖାଇ ସେଠି ସତ କହି ଆପଣାର ମିଛଗୁଡ଼ାକୁ ଧୋଇ ନିର୍ମଳ କରି ରଖିବାର ଧୃଷ୍ଟତା ମୁଁ କେବେହେଲେ ଆପଣା ପାଖରେ ଦେଖାଇନାହିଁ । ମୁଁ ମୋ’ ସଂସାର ଭିତରେ ହିଁ ଆପଣାକୁ ଦେଖିଛି, ଆପଣା ଭିତରେ ମୋର ସଂସାରଟିକୁ ଉକୁଟାଇବା ଲାଗି ଚେଷ୍ଟା କରିଛି ଓ ଦୁଇଟିଯାକର ଦର୍ପଣ ଧରି ହିଁ ମୁଁ ଡାଏରୀ ଲେଖିବାକୁ ଯାଇଛି । କୌଣସି ବଗିଚାର ମାଳି ଆପଣା ହାତରେ ଲଗାଇଥିବା ଫୁଲଗଛଟିକୁ ଯେଉଁଭଳି ଆଖିରେ ଦେଖିଥାଏ, ନିଜର ଡାଏରୀ ଲେଖୁଥିବା ସମୟରେ ମୁଁ ଠିକ୍ ସେହି ଆଖିରେ ହିଁ ଆପଣାକୁ ଦେଖିବାର ଚେଷ୍ଟା କରି ଆସିଛି । ମୋ’ ଡାଏରୀ ମୋର ଏହି ଅନୁରାଗଟିକୁ ହିଁ ଲିପିବଦ୍ଧ କରି ରଖିଛି ।

 

ଶ୍ରୀମତୀ ଆନେ ନଁ ଏବେ ପ୍ରକାଶିତ ତାଙ୍କର ଡାଏରୀରେ (Die Tagebuecher der Anais’ Nin, 1931….1934, Christian Wagner Verlag, Hamburg 1968) ନିୟମିତ ଭାବରେ ଡାଏରୀ ଲେଖିବାର ତାଙ୍କର ନିଜ କାରଣଟି ବିଷୟରେ କେତେ ଜାଗାରେ କେତେ କଥା କହିଛନ୍ତି । ତାଙ୍କର ଜୀବନ ତାଙ୍କୁ ଦୁଃସହ ଓ ଦୁର୍ବହ ଲାଗିଛି, ଜୀବନର ଦୁଃଖ ତାଙ୍କ ସହିବାଶକ୍ତିକୁ ବଳିପଡ଼ିଛି । ସେହି ଦୁଃଖ ଭିତରୁ ତ୍ରାହି ପାଇବାଲାଗି ସିଏ କେତେଆଡ଼େ ଦଉଡ଼ିଛନ୍ତି, ମନଃଚିକିତ୍ସକ କେତେ ପଣ୍ଡିତଙ୍କର ଦ୍ୱାରସ୍ଥ ହୋଇଛନ୍ତି । ତଥାପି ହତାଶ ହୋଇଛନ୍ତି । ଆପଣାର କ୍ଷତଗୁଡ଼ାକୁ ଆପଣା ଭିତରେ ଧରି ରଖିବାକୁ ତଥାପି ବାଧ୍ୟ ହୋଇଛନ୍ତି ଏବଂ ଶେଷରେ ଆପଣାର ସବୁ ଦୁଃଖକୁ ଆପଣା ପାଖରେ କହିବାକୁ ହିଁ ବାଧ୍ୟ ହୋଇଛନ୍ତି; ଆପେ ଆପଣାର ବଇଦ ହେବାକୁ ଚେଷ୍ଟା କରିଛନ୍ତି । ଅର୍ଥାତ୍ ଆପଣାର ଏକ ନିର୍ଜନ ଅନ୍ତରଙ୍ଗତା ମଧ୍ୟରେ ଆପଣାର ଜ୍ଜ୍ୱଳାଗୁଡ଼ାକୁ ଗୋଟାସୁଦ୍ଧା ଖୋଲିଦେଇ ସିଏ ଦିନ ପରେ ଦିନ ଆପଣାର ଡାଏରୀ ଲେଖି ଯାଇଛନ୍ତି । ‘‘ମୋ’ର ଡାଏରୀ ହେଉଛି ମୋ’ର ଗଞ୍ଜେଇ, ମୋର ଚିଲମନଳୀ, ମୋର ସକଳ ଜ୍ୱାଳାକୁ ପ୍ରଶମିତ କରି ରଖିବାର ଔଷଧ । ସ୍ୱପ୍ନ ଭିତରେହିଁ ମୋତେ ଆପଣାର ଜୀବନଜ୍ୱାଳା ଗୁଡ଼ାକୁ ଆଶ୍ୱସ୍ତ କରି ନେବାକୁ ପଡ଼ିବ, ଉଶ୍ୱାସ କରିବାକୁ ପଡ଼ିବ । ଏହି ସ୍ୱପ୍ନ ହିଁ ମୋର ଜୀବନ ।’’ ଶ୍ରୀମତୀ ନଁ ଗୋଟିଏ ଦିନର ଲିପିରେ ଏହିପରି ଲେଖିଛନ୍ତି । ଅତି ଅନ୍ତରଙ୍ଗ ଭାବରେ ଅତ୍ୟନ୍ତ ବିଶ୍ୱାସର ସହିତ ଆପଣା ପାଖରେ ଆପଣାର କଥା କହୁ କହୁ ତାଙ୍କ ଭିତରୁ ଗଭୀର ଅନ୍ତଃଦୃଷ୍ଟିପୂର୍ଣ୍ଣ ଅନେକ ବଳିଷ୍ଠ କଥା ବି ବାହାରି ଆସିଛି । ଉଦାହରଣ ସ୍ୱରୂପ ସେ ଗୋଟିଏ ଜାଗାରେ ଲେଖିଛନ୍ତି-: ‘‘ମଣିଷ ଆଜି ଚନ୍ଦ୍ରଲୋକକୁ ଯିବାଲାଗି ସଜ ହେଲାଣି । ମାତ୍ର ଚନ୍ଦ୍ରକୁ ଯିବାଟାକୁ ଖୁବ ଗୁଡ଼ାଏ ଦୂରକୁ ଯିବା ବୋଲି ଆମେ କାହିଁକି କହିବା ? ମଣିଷକୁ ତା’ଠାରୁ ଆହୁରି ଅନେକ ଅଧିକ ଦୂରକୁ ମଧ୍ୟ ଯାଇ ପାରିବାର ସାମର୍ଥ୍ୟ ହାସଲ କରିବାକୁ ପଡ଼ିବ, ଆପଣାର ଅନ୍ତର ଭିତରେ ତାକୁ ବହୁ ଦୂରପଥ ଯିବାକୁ ହେବ ।’’ ତାଙ୍କର ବୃହତ୍ ଡାଏରୀ ଗ୍ରନ୍ଥଟିରେ ମଝିରେ ମଝିରେ ଏଭଳି କଥା ଏକାଧିକ ସ୍ଥାନରେ ଦେଖିବାକୁ ମିଳିବ । ମାତ୍ର ତଥାପି ଏକାଧିକ ସ୍ଥାନରେ ତାଙ୍କର ସେହି ଦୁଃଖସଚେତ ଅନ୍ତର୍ବେଦନାର କାରୁଣ୍ୟଟା ଉପରେ ହିଁ ଆମକୁ ଯାଇ ଧକ୍‌କା ଖାଉଥିଲା ପରି ମନେ ହେଉଥିବ । ଗୋଟିଏ ସ୍ଥାନରେ ତ ଭାରି ସଂକ୍ଷେପରେ ସିଏ ଆପଣାର ଡାଏରୀ ଲେଖିବା ବିଷୟରେ ଅସଲ କାରଣଟିକୁ ପ୍ରକାଶ କରି ଦେଇଛନ୍ତି । ‘‘ମୋ’ର ଦୁଃଖ ଓ ମୋର ଯନ୍ତ୍ରଣା ଗୁଡ଼ାକ ହିଁ ମୋତେ ଆପଣାଲାଗି ଏକ ରକ୍ଷାଗର୍ତ୍ତ ସୃଷ୍ଟି କରିବା ନିମନ୍ତେ ପ୍ରବୃତ୍ତ କରିଛି । ଏହି ରକ୍ଷାଗର୍ତ୍ତଟି ହେଉଛି ମୋ’ର ଡାଏରୀ ।’’

 

ମୁଁ ନିଜ ଜୀବନରେ ଦୁଃଖକୁ ଦୁଃଖ ବୋଲି ଜାଣି ରଖିଛି, ଦୁଃଖକୁ ଦୁଃଖ ବୋଲି ଅନୁଭବ କରି ଶିଖିଛି । ଦୁଃଖରେ ଅନୁଦ୍‌ବିଗ୍ନ ହୋଇ ରହିବାର ଗୀତା ବଚନଟିକୁ ମୁଁ ଏପର୍ଯ୍ୟନ୍ତ ସାଧ୍ୟ କରିନାହିଁ । ତଥାପି ଦୁଃଖର ଦଂଶନରେ ଗୋଟାସୁଦ୍ଧା ନେଳି ହୋଇ ବସିବାଲାଗି ମଧ୍ୟ ମୁଁ ଏପର୍ଯ୍ୟନ୍ତ କେବେହେଲେ ସରାଗ ଦେଖାଇ ନାହିଁ । ତେଣୁ ଦୁଃଖ ପାଖରୁ ପଳାଇ ଯାଇ କୋଉଠି ଗୋଟିଏ ରକ୍ଷାଗର୍ତ୍ତ ତିଆରି କରି ରଖିବାକୁ ମୁଁ କେବେ ମନ ବଳାଇ ନାହିଁ । ପୁଣି ନିଜର ଡାଏରୀଟାକୁ ନିଜର ରକ୍ଷାଗର୍ତ୍ତ ପରି ବ୍ୟବହାର କରୁଥିଲେ କିମ୍ବା ନିଜ ପାଇଁ ଗୋଟାଏ ରକ୍ଷାଗର୍ତ୍ତ ଖୋଜିବାକୁ ଯାଇ ଡାଏରୀ ପାଖରେ ହାବୁଡ଼ିଥିଲେ ମୁଁ ତାହାକୁ ଆପଣା ପାଖରେ ଆପଣାର ଚରମ ବିଡ଼ମ୍ବିତ ହେବା ବୋଲି ବିଚାର କରିଥାନ୍ତି । ଏ ଜୀବନରେ ମୁଁ ଏଯାଏ କୌଣସି ଗର୍ତ୍ତ ଖୋଜିବାକୁ ଯାଇନାହିଁ, କେବଳ ପଥ ଖୋଜି ବୁଲୁଛି । ମୋ’ର ଅନେକ ଶ୍ରଦ୍ଧାର ସରିସମ ହେଲାଭଳି ଅନେକ ପଥ ଖୋଜି ବୁଲୁଛି । ଏହି ପଥ ମୋତେ ସାହସ ଦେଇ କେତେ କେତେ ଘରକୁ ନେଇଯାଇଛି, କେତେ ହୃଦୟକୁ ଛୁଆଇଁ ଆଣିଛି, ମୋର ଆପଣାର ହୃଦୟଟାକୁ ଧନ୍ୟ କରିଛି, ଭିତରେ ଧମ ଧମ ହୋଇ ପଡ଼ୁଥିବା ହୃଦ୍‌ଯନ୍ତ୍ରଟା ମଧ୍ୟ ସେତେବେଳେ କେଉଁ ଆନନ୍ଦରେ କେଡେ ବଡ଼ ହୋଇ ଫୁଲି ଉଠିଛି । ତେଣୁ ସଂସାରକୁ ଏକ ଗର୍ତ୍ତ ବୋଲି ମଣି ସେଥିରୁ ରକ୍ଷା ପାଇବା ଲାଗି ଆପଣାର ଆଉ କୌଣସି ଗର୍ତ୍ତ ଖୋଜିବାକୁ ଯିବାର କୌଣସି ପ୍ରୟୋଜନ ମୁଁ ଏପର୍ଯ୍ୟନ୍ତ ଅନୁଭବ ହିଁ କରିନାହିଁ ।

 

ଆଧୁନିକ ଅନେକ କବି ଓ ଅସ୍ତିତ୍ୱବାଦୀ ଡେନମାର୍କର କିଅର୍କ ଗୋରଙ୍କୁ ଅସ୍ତିତ୍ୱବାଦର ଜଣେ ପୂର୍ବସୁରି ବୋଲି ଗଣନା କରିଥାନ୍ତି । ଶ୍ରୀଯୁକ୍ତ କିଅର୍କଗୋର୍ ପ୍ରାୟ ଦେଢ଼ଶହ ବର୍ଷ ତଳର ଲୋକ । ସିଏ ବି ଆପଣାର ଡାଏରୀ ଲେଖୁଥିଲେ । ଆପଣାର ଜୀବନକୁ ବିଶ୍ଳେଷଣ କରି ଦେଖିବା ପାଇଁ ସେ ଡାଏରୀ ଲେଖୁଥିଲେ । ବର୍ତ୍ତମାନର ବିଚିତ୍ର କ୍ଷେତ୍ରଟି ଉପରେ ନାନାବିଧ ସଂବେଗ ଓ ପ୍ରବେଗ ଦ୍ୱାରା ଧାବିତ ହୋଇ ଆପଣାର ଜୀବନଟିକୁ ବଞ୍ଚୁଥିଲା ବେଳେ ମଣିଷ ନିଜ ଆଡ଼କୁ ଅନାଇ ପାରେ ନାହିଁ, ନିଜକୁ ତଉଲି ପାରେ ନାହିଁ ଓ ନିଜର ସମ୍ୟକ ବିଚାର କରି ହିତାହିତ ନିରୂପଣ କରି ପାରେନାହିଁ । ତେଣୁ ଅନ୍ତତଃ କେତୋଟି ମୁହୂର୍ତ୍ତରେ ଏକ ଆତ୍ମବିଶ୍ଳେଷଣର ଏକାନ୍ତ ପ୍ରୟୋଜନ ରହିଛି । ଡାଏରୀ ଲେଖିବା ସମୟରେ ମଣିଷ ଆପେ ଆପେ ଆପଣା ଉପରେ ଦୃଷ୍ଟିପାତ କରିବ, ଆପେ ଏକାଧାରରେ ଭୂମି ଓ ଦ୍ରଷ୍ଟା ହୋଇ ଆପଣାକୁ ଦେଖିବ । କିଅର୍କଗୋର୍‌ଙ୍କ ଭାଷାରେ ସିଏ ଭଗବାନଙ୍କର ଗୁପ୍ତଚର ହୋଇ ଆପଣାକୁ ଦେଖି ଶିଖିବ । ଆପଣା ଉପରେ ଭଗବାନଙ୍କ ଗୁପ୍ତଚରର କାର୍ଯ୍ୟ କରିବ । ଆପଣା ଭିତରେ ଚୋର ଧରିବ, ଆପଣାକୁ ଶାସନ କରିବ, ଏହିପରି ଏକ ପ୍ରକ୍ରିୟା ଦ୍ୱାରା ସିଏ ଆପଣାକୁ ବାଗେଇନେବାକୁ ଚେଷ୍ଟା କରୁଥିବ । କିଅର୍କଗୋର୍‌ଙ୍କ ପରେ ଭିଏନାରେ ଫ୍ରଏଡ଼୍ ମଧ୍ୟ ଜୀବନର ନୀତି ଓ ନୈତିକତାକୁ ନେଇ ପ୍ରାୟ ସେହିକଥା କହିଲେ । ଫ୍ରୟେଡ଼୍ ଭଗବାନଙ୍କ ଉପରେ ବିଶ୍ୱାସ କରୁନଥିଲେ । ତେଣୁ, ପ୍ରାୟ ସେହି କଥାଟି କହିବାଲାଗି ତାଙ୍କୁ ଅନ୍ୟ ଶବ୍ଦାବଳୀର ସାହାଯ୍ୟ ନେବାକୁ ହୋଇଥିଲା । ପ୍ରତ୍ୟେକ ମଣିଷ ଭିତରେ ଅହଂକୁ ଶାସନ କରିବା ଲାଗି ସିଏ ସେହି ଅହଂ ଭିତରୁ ଆପଣାକୁ କାଢ଼ି ନେଇଥିବା ଓ ଉପରେ ରହି ଅହଂ ଉପରେ ସର୍ବଦା ଏକ ଶାସନଦୃଷ୍ଟି ରଖିଥିବା ଏକ ଉପରିସ୍ଥ ଅହଂର କଳ୍ପନା କରିଥିଲେ; Egoକୁ ଶାସନ କରିବାଲାଗି ସିଏ ସାମାଜିକ ନିୟନ୍ତ୍ରଣରାଜର ଏକ ଗୁପ୍ତଚର ରୂପେ Super egoର କଳ୍ପନା କରିଥିଲେ । କାରଣ ଫ୍ରୟେଡ଼ ସ୍ୱାଭାବିକ ମଣିଷ ଭିତରେ ନାନାପ୍ରକାର ଦୁରାତ୍ମ ବାସନା ଆତ୍ମଗୋପନ କରି ରହିଛି ବୋଲି ବିଶ୍ୱାସ କରୁଥିଲେ । ଅର୍ଥାତ୍, ସିଏ ମଣିଷକୁ ସ୍ୱଭାବତଃ ଦୁରାତ୍ମ ବୋଲି ବିଶ୍ୱାସ କରୁଥିଲେ ଓ ସେହି ବିଶ୍ୱାସ ଉପରେ ହିଁ ଆପଣା ବିଜ୍ଞାନର ତତ୍ତ୍ୱଘନ ଅଟ୍ଟାଳିକାଟିକୁ ଠିଆ କରାଇ ରଖିଥିଲେ । ମୋ’ ଭିତରେ ଅନେକ କିଛି ଆତ୍ମଗୋପନ କରି ରହିଛି ବୋଲି ମୁଁ ମଧ୍ୟ ବିଶ୍ୱାସ କରେ; ସେଠାରେ ଅନେକାନେକ ସମ୍ଭାବନା ମୋ’ ଆକାଙକ୍ଷାର ଦୁଆର ଖୋଲିବାଲାଗି ଅପେକ୍ଷା କରି ରହିଛି ବୋଲି ମୁଁ ସର୍ବଦା ଅନୁଭବ କରୁଥାଏ । ବାହାରକୁ ଯେତିକି ମାତ୍ର ଆସୁଛି ବା ଯେତିକି ପ୍ରକାଶ ଲାଭ କରୁଛି, ତାହାର ସହସ୍ରଗୁଣ ଅଧିକ ଶ୍ରଦ୍ଧା ଓ ସଂଯୁକ୍ତ ହେବାର ସହସ୍ରଗୁଣ ଅଧିକ ସାହସ ପ୍ରଚ୍ଛନ୍ନ ହୋଇ ସେଇ ଭିତରେ ହିଁ ରହିଛି । ଆପଣା ଉପରେ ଗୁପ୍ତଚର ହେବାକୁ ବସିଲେ ସେସବୁ ସତେ ଅବା ଲାଜରା ହେଲାପରି ଆହୁରି ଦୂରକୁ ଘୁଞ୍ଚି ଚାଲି ଯାଉଛି, ମାତ୍ର ସେଗୁଡ଼ିକୁ ଆପଣାର ବୋଲି ସ୍ୱୀକାର କରିନେଇ ଯଥାର୍ଥ ଦୁଆରଟିକୁ ଖୋଲିଦେଇ ପାରିଲେ ଭିତରେ ସେଇ ଜନନୀ ହୋଇ ଏହି ଜୀବନର ଯାବତୀୟ ସୃଜନାତ୍ମକତାକୁ ଜନ୍ମ ଦେଉଛି । ଧୂଳିର ଏହି ଅସ୍ତିତ୍ୱଟି ଭିତରେ କେତେ ମହକ ଆଣି ଦେଇ ଯାଉଛି-। ତେଣୁ, ସେଇଟା ମୋ’ର ଗର୍ତ୍ତ ନୁହେଁ, ମୋ’ର ଲୁଚିବା ଜାଗା ନୁହେଁ, ସେଇଟା ମୋ’ର ଭଣ୍ଡାର । ତାହା ହେଉଛି ମୋ’ରି ଭିତରେ ରହିଥିବା ଅମିତାତ୍ମାର ଭଣ୍ଡାର, ଭଗବାନଙ୍କର ଭଣ୍ଡାର । ମୁଁ ତାକୁ ଡରିବି କାହିଁକି, ସେଠାରେ ଗୁପ୍ତଚରଗିରି କରିବାକୁ ଯିବି କାହିଁକି ?

 

ଯତ୍ପରୋନାସ୍ତି ଜଣେ ଶହୀଦ ହେବାକୁ ଶ୍ରୀଯୁକ୍ତ କିଅର୍କଗୋର୍ ଆପଣା ଜୀବନର ଆଦର୍ଶ ବୋଲି ଗ୍ରହଣ କରିଥିଲେ । ମୁଁ ଶହୀଦ ହେବାକୁ ଚାହେ ନାହିଁ; ମୁଁ ବଞ୍ଚିବାକୁ ଚାହେ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁମାନେ ଆମ ସମସ୍ତଙ୍କୁ ଦେଶଲାଗି ଶହୀଦ ହେବାର ଉଦ୍‌ବୋଧନ ଦେଉଥିଲେ, ଗତ ପଚିଶି ବର୍ଷ ଭିତରେ ସେମାନେ ପ୍ରଧାନତଃ ଆପଣାର ବଡ଼େଇଗୁଡ଼ାକୁ ପ୍ରତିଷ୍ଠିତ କରି ରଖିବାଲାଗି ହିଁ ସାରା ଦେଶଟାକୁ ଶହୀଦ କରି ଦେବାରେ ଅଦ୍ଭୂତପୂର୍ବ ସାଫଲ୍ୟ ଲାଭ କଲେ-। ଏହି ଦେଶରେ ଶିକ୍ଷା, ରାଜନୀତି, ଧର୍ମ, ସାହିତ୍ୟ, ସାମାଜିକ ଭାଗ୍ୟ ଓ ମାନବିକ ମୂଲ୍ୟ ଗୁଡ଼ିକୁ ସେମାନେ ଅତି ନିଷ୍ଠାର ସହିତ ଶହୀଦ କରି ପକାଇଲେ । ଆପଣାର ଜୀବନକୁ ସଫଳ କରିବାର ପ୍ରବଳ ଧନ୍ଦାରେ ପଡ଼ି ସେମାନେ ଦେଶକୁ ବଳି ଦେଲେ । ମୋ’ର ସେସବୁରେ କୌଣସି ଲୋଡ଼ା ନାହିଁ । ମୁଁ ଅଧିକରୁ ଅଧିକ ବଞ୍ଚିବାକୁ ଚାହେ, ଅଧିକରୁ ଅଧିକ ଯୁକ୍ତ ହେବାକୁ ଚାହେ । ଏହି ସାଗର, ଏହି ଆକାଶ, ଏହି ପବନ ଓ ଏହି ଆଲୋକକୁ ଭଲ ପାଇ ମୁଁ ନିବିଡ଼ ଭାବରେ ଏଇଠି ଜଣେ ଜୀବନ୍ତ ଓ ଜାଗ୍ରତ ମଣିଷ ହୋଇ ରହିବାକୁ ଇଚ୍ଛାକରେ । ଏ ଭୂଇଁ ମୋ’ର, ଏ ସଂସାର ମୋ’ର, ଏ ମଣିଷ ମାନଙ୍କ ସହିତ ମୋ’ର କେତେ ନା କେତେ ଖିଅ ଲାଗି ରହିଛି । ଆପଣାର ଯାବତୀୟ ପାତ୍ରକୁ ଉତ୍ତୋଳିତ କରି ଧରି ମୁଁ ଏସବୁକୁ ମୋ’ର ବୋଲି ଉପଲବ୍‌ଧି କରିବାକୁ ସାହସ କରି ବାଟ ଚାଲି ଆସିଛି । ତେଣୁ କୌଣସି ଥାନରେ ବି ନିଜକୁ ବିଦେଶୀ ବୋଲି ଲାଗିନାହିଁ, ଆପଣାର ଘରଟି ଠିକ୍ ଘରଭଳି ହିଁ ଲାଗିଛି ।

 

ମୋ’ର ଡାଏରୀଗୁଡ଼ାକ କୋଉ ଗୁପ୍ତ ସିନ୍ଦୂକ ଭିତରେ ମୁଦା ହୋଇ ରହିଥିବା ମୋ’ର ଅଳଙ୍କାର ନୁହେଁ କିମ୍ବା ଗୁହ୍ୟ ସମ୍ପଦ ବି ନୁହେଁ । ତେଣୁ କୌଣସି ସିନ୍ଦୂକ ଫିଟାଇ ମୁଁ ଏଗୁଡ଼ିକୁ ଦେଖାଇବାକୁ ଚାହୁନାହିଁ, ମୁଁ କେବଳ ଘର ଭିତରକୁ ହିଁ ଡାକି ଆଣିବାକୁ ଚାହୁଁଛି ।

 

—ଚିତ୍ତରଞ୍ଜନ ଦାସ

Image

 

Unknown

୧୯୪୯

୬.୧୧.୧୯୪୯

 

ଅନେକଦିନ ପରେ ନୂଆ ଖାତା ଆରମ୍ଭ କରୁଚି । ଛୁଟି ଆଗରୁ ଯେଉଁ ଦିନ ଆଶ୍ରମ ଛାଡ଼ିଲି, ଠିକ୍ ସେଇଦିନ ପୁରୁଣା ଖାତାଟି ଶେଷ କରିଥିଲି । ଦଶହରା ଛୁଟିଭିତରେ ନୂଆ ଖାତା ଆରମ୍ଭ କରିବି ବୋଲି ଖାତାଟିଏ କିଣି ସାଙ୍ଗରେ ବି ନେଇଯାଇଥିଲି । କିନ୍ତୁ ତାହା ସମ୍ଭବ ହେଲାନାହିଁ । ବେଶ୍ ମନେ ପଡ଼ୁଛି, ଖାତା ଆରମ୍ଭ କରିବାର ଗୋଟାଏ ବିଶେଷ ଦିନ ଠିକ୍ କରିବା ବିଷୟରେ ମଧ୍ୟ ବେଳେ ବେଳେ ଭାବିବାକୁ ମୋତେ ଭାରି ଭଲ ଲାଗିଚି । ମୋର ଭାରି ଇଚ୍ଛାଥିଲା ଯେ, ଗାନ୍ଧୀଜୟନ୍ତୀ ଦିନ ନୂଆଖାତାରେ ଲେଖା ଆରମ୍ଭ ହେବ । କିନ୍ତୁ ନାନା କାର୍ଯ୍ୟ ଓ କାର୍ଯ୍ୟାଙ୍ଗରେ ମୁଁ ସେଦିନ ଏତେ ବ୍ୟସ୍ତ ରହିଲି ଯେ, ମୋର ଇଚ୍ଛା ଆଉ ସଫଳ ହୋଇପାରିଲା ନାହିଁ । ଛୁଟିର ଶେଷଆଡ଼କୁ ଆସିଲା ମେଲେରିଆ ଜର । ପ୍ରାୟ ଦଶଦିନଯାଏ ଜର ଭୋଗିବାପରେ ଆହୁରି ଅନେକଦିନ ତାର ଯନ୍ତ୍ରଣାମୟ ପରିଶେଷ ଦ୍ୱାରା ଜର୍ଜର ହୋଇ ରହିବାକୁ ପଡ଼ିଲା । ତେଣୁ ଛୁଟି ଭିତରେ ଆଉ ଏହି ଖାତାର ପୃଷ୍ଠାଫଡ଼ା ହୋଇପାରିଲା ନାହିଁ । କାଲି ଥିଲା କାର୍ତ୍ତିକ ପୂର୍ଣ୍ଣିମା ଭାବିଥିଲି ଖାତା ଖୋଲି କିଛି ଲେଖିବି । କିନ୍ତୁ ଦୁର୍ବଳ ମସ୍ତିଷ୍କର ଅବଶକାରୀ ଘୁର୍ଣ୍ଣନ ଭିତରେ କେତେବେଳେ ଯେ ସେକଥା ମୁଁ ଭୁଲିଗଲି, ଆଉ ଜାଣିପାରିଲି ନାହିଁ ।

 

ଆଜି ପ୍ରତିପଦା । ଆଜି ଦିନରେ ଅନୁକୂଳ କରିବାକୁ ବୋଉ ଅନେକଥର କେତେ ମନା କରିଚି, ମୋର ବେଶ୍ ମନେ ଅଛି । ନୂଆଖାତାରେ ମୋର ଲେଖା ଏହି ପ୍ରତିପଦା ତିଥିରୁ ହିଁ ଆରମ୍ଭ ହେଲା । ସମସ୍ତ ଅମଙ୍ଗଳକୁ ଅତିକ୍ରମ କରି ମୁଁ ମଙ୍ଗଳମୟର-ପାରୁଶ ପାଇବି, ଏହି ଦୁଃସାହସରେ ହିଁ ଜୀବନ ବଞ୍ଚୁଛି । ମୋ’ଲାଗି ଆଜିଟା ହିଁ ସବୁଠାରୁ ଭଲଦିନ । ମାର୍ଗଶୀର ମାସରୁ ଆରମ୍ଭ କରି ଆଗେ କବିମାନେ ବାରମାସୀ ଗାଉଥିଲେ । ଆଜି ସେହି ମାର୍ଗଶୀରର ପ୍ରଥମ ଦିବସ । ସିଦ୍ଧିରସ୍ତ !

 

ସକାଳେ ସୂତା କାଟିଥିଲି । ବେଗ ଆହୁରି ବଢ଼ାଇବାକୁ ହେବ । ଜର ପରେ ହାତ ସହିତ ମନଟା ମଧ୍ୟ ଦୁର୍ବଳ ହୋଇପଡ଼ିଚି । ଅରଟର ସାଧନ ଦେଇ ଦୁହିଁଙ୍କୁ ମଣାଇନେବାକୁ ହେବ-

 

୭.୧୧.୧୯୪୯

 

ଆଜି ଦିନଟି ଇତିହାସରେ ଲାଲ ନଭେମ୍ବର ବୋଲି ଲେଖାହୋଇ ରହିଛି । ଦୀର୍ଘ ବତିଶି ବର୍ଷ ତଳେ ଋଷିଆ ଦେଶର ବଞ୍ଚିତ ମଣିଷ ସୁନ୍ଦର ଜୀବନ ବଞ୍ଚିବାର ମହତ ଆଶା ନେଇ ଆଜି ଏକ ନୂତନ ସୌଧ ତିଆରି କରିଥିଲା, ସବୁ ଦେଶର ବଞ୍ଚିତ ମଣିଷଙ୍କୁ ପୁଣି ସୌଧ ଗଢ଼ିବାରେ ଚେତନା ଦେଇ । ଆଜି ବତିଶିବର୍ଷ ଅନ୍ତେ ମଣିଷର ସେହି ସ୍ୱପ୍ନ ସେମିତି ଅପୂରା ଓ ଅଗଢ଼ା ହୋଇପଡ଼ିଚି । ପେଟକୁ ଗଣ୍ଡାଏ ଖାଇବାକୁ ପାଇଲେ ମଣିଷ ସରଗକୁ ଅଭିଳାଷ ବଢ଼ାଇବାର ତାର ସ୍ୱାଭାବିକ ଉଦ୍ଦେଶ୍ୟଟିକୁ ପୂରଣ କରିବାରେ ଲାଗିଯିବ;—କିନ୍ତୁ ମହୀତଳେ ସବୁ ମଣିଷର ପେଟ ଆଜିସୁଦ୍ଧା ପୂରିଲା ନାହିଁ । ହୁଏତ ଲକ୍ଷ୍ମୀବଜାରରେ ଦୈବର କେଉଁ ଲକ୍ଷ୍ମୀମନ୍ତ ପୁଅ କେଡ଼େ ସ୍ପର୍ଦ୍ଧାରେ କେତେ କଥା ଉଦ୍‌ଗାରି ଯାଉଛି, କିନ୍ତୁ ତାରି ପଡ଼ିଶାରେ କେତେ କେତେ ଖାଲିପେଟ ଓ ହତଲକ୍ଷ୍ମୀ ପଛରୁ ଥାଇ ତାର ଗୋଡ଼କୁ ଟାଣି ଧରିଛନ୍ତି । ନଭେମ୍ବର ମାସର ସାତ ତାରିଖ, ମୋତେ ଆଜି ଏହି Paradox ଟାକୁ ହିଁ ବେଶୀ ମନେ ପକାଇଦେଇ ଯାଉଚି । ୠଷିଆର ସେହି ଗଣଶକ୍ତି ନାନା ଢିପ ଓ ପଥର ଉପରେ ପଡ଼ି ଆଜି ହୁଏତ କେତେଆଡ଼େ ବିକ୍ଷିପ୍ତ ହୋଇଗଲାଣି । କିନ୍ତୁ ଜଗତର ଜନଶକ୍ତି ଲାଗି ସେଦିନର ଆହ୍ୱାନଟି ଆଜି ମଧ୍ୟ ସେହିପରି ବଳବତ୍ତର ରହିଚି ।

 

୮.୧୧.୧୯୪୯

 

ରୋଗା ଶରୀରକୁ ମୁଁ ନୀରୋଗ ମନ ଦେଇ ନିରତ ଜୟ କରିବାର ଚେଷ୍ଟା କରୁଚି । ଏବେ ସେ ଅନେକ ବାଗକୁ ଆସିଗଲାଣି । ଯେତେବେଳେ ସ୍ୱାସ୍ଥ୍ୟର ଅଭାବରୁ ଶରୀରଟା ଭାଙ୍ଗିପଡ଼େ, ସେତେବେଳେ ତାର ଗ୍ରସ୍ତ ଅସ୍ତିତ୍ୱଟା ଯେପରି ମନକୁ ମନ ମଧ୍ୟ ଗ୍ରାସ କରିବାଲାଗି ଆଗଭର ହୋଇଆସେ । ନିଶ୍ଚଳ ଓ ନିଶ୍ଚିନ୍ତ ହୋଇ ଆପଣାର ପ୍ରାର୍ଥନା କରିବାର ଶକ୍ତିକୁ ମଧ୍ୟ ହରାଇବସେ । ଖୁବ୍ ସମ୍ଭବ ଗତ କେତେଦିନ ହେଲା ମୋର ବି ପ୍ରାୟ ସେହିପରି ଦଶା ହୋଇ ଆସୁଥିଲା । ମୋର ନଷ୍ଟଜ୍ୟୋତି ବାହ୍ୟନେତ୍ରର ସଙ୍ଗେ ସଙ୍ଗେ ମୁଁ ଯେପରି ସୃଷ୍ଟି ସମାଜର ପ୍ରାଣଲୀଳାକୁ ପ୍ରତ୍ୟେକ୍ଷ କରିବାର ଅନ୍ତର୍ନେତ୍ରକୁ ମଧ୍ୟ ହରାଇ ବସୁଥିଲି । ଯେତେ ପିପାସୁ ହୋଇ ଅନାଇ ରହିଲେ ମଧ୍ୟ ଦୃଶ୍ୟମୟ ସଂସାର ମଧ୍ୟରୁ ରସ ପାଇବା ଯେପରି ତଥାପି ଅତି ଦୁଷ୍କର ହୋଇ ଉଠୁଥିଲା । ମାତ୍ର ଏଣିକି ଆଉ ଚିନ୍ତା ନାହିଁ, ସେହି ଅବସ୍ଥା କ୍ରମେ ଅତିକ୍ରାନ୍ତ ହୋଇଯାଉଚି । ମନ ଆପଣାର ଧ୍ୟାନକୁଲାୟଟି ପାଇବା ସଙ୍ଗେ ସଙ୍ଗେ ଶରୀର ମଧ୍ୟ କ୍ରମେ ପୁଣି ଆପଣାର ସ୍ୱକୀୟ ପ୍ରଭାରେ ପୂରିଉଠୁଚି ।

 

ଆଜି ସକାଳେ ବେଳଥାଉଁ ଅନେକଦୂର ବୁଲିଆସିଲି । ଏ ବର୍ଷର ଶୀତ ତୀର୍ଥରେ ଇଏ ହେଉଚି ମୋର ପ୍ରଥମ ପରିକ୍ରମା । ଶୀତ-ସକାଳ ପ୍ରତିବରଷ ମୋତେ ଏମିତି ଟାଣିନିଏ, ମୋତେ ସତେ ଅବା କାହାର ସ୍ନେହମୟ ପରଶ ଆଣି ଦେଇ ଯାଏ । ଶୀତ-ଧରଣୀ ଓ ଶୀତ ଆକାଶର ରସ-ଆସ୍ୱାଦନରେ ମୁଁ ନିତି ନିତି ବୃଦ୍ଧି ପାଏ । ଏ ବର୍ଷ ମଧ୍ୟ ମୋର ସେହି ଅଭିଳାଷଟି ସୁପୂର୍ଣ୍ଣ ହେଉ ।

 

I am growing everyday,—ଏହି ବୃଦ୍ଧିର ବେଗକୁ ମୁଁ ଗତ କେତେଦିନ ହେଲା ଆପଣା ଅନୁଭୂତିର ମାପଦଣ୍ଡରେ ବେଶ୍ କଳିନେଇ ପାରୁଚି । ଶରୀର ଓ ମନର ଏହି ଧ୍ୟାନମାତ୍ରାକୁ ନିତି ଠଉରାଇ ରଖି ମୁଁ ପ୍ରତିଦିନ ବିସ୍ମିତ ହେଉଚି । ଜାଣେନା, କେଉଁ ସାଗରସଙ୍ଗମ ଲାଗି ଏହି ସୁସ୍ପଷ୍ଟ ଆତ୍ମବେଗର ଆବେଗ ନେଇ ମୁଁ ଚାଲିଛି !

 

୯.୧୧.୧୯୪୯

 

କେତେ ସ୍ଖଳନ ଓ କେତେ ପତନର ଅଭିଜ୍ଞତା ! ଗୋଟାଏ ଜୀବନର ଗୋଟିଏ ମାତ୍ର ପାଦର କାଳସୀମା ମଧ୍ୟରେ କେତେ ବିଫଳ ଦହନର ବ୍ୟଥାମୟ କଥା ! ତଥାପି ଜୀବନ ଭାଙ୍ଗି ପଡ଼ିନାହିଁ, ଜୀଇବାର ଆକାଙ୍‌କ୍ଷା ତଥାପି ଆପଣାର ଯଷ୍ଟି ହରାଇ ବସିନାହିଁ । ତଥାପି ମଣିଷ ବଞ୍ଚିଛି, ପୁରାତନକୁ ଭୁଲି ତଥାପି ମୁଁ ନିତି ନୂତନର ନୀଡ଼ସର୍ଜନା କରି ଚାଲିଚି । ସର୍ବମୂଳ ଓ ସର୍ବପ୍ରାଥମିକ ଏହି ମନୋବୃତ୍ତିଟି ଅପେକ୍ଷା ଅଧିକ ବଡ଼ optimism ଆଉ କଣ ହୋଇପାରେ । ମୋର ପ୍ରଥମ ଜୀବଦ୍ଦଶାର ପ୍ରାୟ ଶେଷ ଦିଗରେଖା ଉପରେ ଠିଆହୋଇ ମୁଁ ଆପଣାକୁ ଲକ୍ଷ୍ୟକରି ଦେଖିବାକୁ ଚେଷ୍ଟା କରୁଚି ! କି ବ୍ୟର୍ଥତା ଓ ବିଫଳତାର ଦଗ୍‌ଧ ପାଉଁଶ ଉପରେ ମୋର କ୍ଷୁନ୍ନ ପରିଚୟଟି ଲଜ୍ଜାବନତ ହୋଇପଡ଼ିଚି—ମୁଁ ତଥାପି ବଞ୍ଚିଚି, ତଥାପି ମୁଁ ଆଶା ବାନ୍ଧିଚି, ମନର ପାଉଁଶରେ ଅଗ୍ନିସଞ୍ଚାର କରିବାର ଦୁର୍ବାର ପ୍ରୟାସ ଏ ପର୍ଯ୍ୟନ୍ତ ତଥାପି ଚାଲିଚି । ଏହି ଉଦ୍‌ବୋଧନ ପ୍ରକୃତରେ କାହାର ? ମୋର ଜୀବନ ମଧ୍ୟ ଦେଇ ଆପଣାକୁ ପରିପୂର୍ଣ୍ଣ କରିବା ଲାଗି କେଉଁ ବାଳକର ଏହି ଚପଳ ଦମ୍ଭ । ଆଖିର ଦେଖା ଓ ହାତର ପାଇବା ସକାଶେ ନିତି ସକାଳେ ମୋ ଭିତରେ କେଉଁ ଜିଦ୍‌ଖୋର optimist ନବଜନ୍ମ ଲାଭ କରୁଚି । ସେଇ ମୋର ଲୁହ ପୋଛୁଚି । ସେଇ ମୋତେ ସବୁ ହତାଶାରୁ ଡିଆଇଁ ଦେଉଛି ।

 

୧୦.୧୧.୧୯୪୯

 

ଶୋଇବାକୁ ଯାଉଯାଉ ହଠାତ୍ ମନେ ପଡ଼ିଗଲା ଯେ ମୋର ଆଜିର ଲେଖାଟି ଲେଖା ହୋଇନାହିଁ । ଦିନଚର୍ଯ୍ୟାକୁ ଅପୂରା ରଖି ବିଶ୍ରାମ ନେବାର ଦୁଃସାହସ କରିପାରିଲି ନାହିଁ । ତେଣୁ ହଠାତ୍ ମନକୁ ଫେରାଇ ଏହି ଖାତା ପାଖରେ ଆସି ବସିଲି ।

 

ଶତ ବିଫଳତା ଓ ଶତସହସ୍ର ସ୍ଖଳନ-ବିସ୍ମରଣ ସତ୍ତ୍ୱେ ତଥାପି ମଣିଷ ଭିତରୁ ବଞ୍ଚିବାର ବିରାଟ optimism ଜାଗି ଉଠେ । ତା’ ଭିତରେ ରହିଥିବା କ୍ଷମାଙ୍କର ଆଶାଦେବ ସମସ୍ତ କଳୁଷକୁ କ୍ଷମା ଦେଇ ମଣିଷକୁ ପୁଣି ନୂତନ ପଥରେ ମୁହାଁଇ ନେଇଯାଆନ୍ତି । ଯାତ୍ରା ଶେଷ ହୁଏ ନାହିଁ, ଜୀବନର ଗତିଡ଼ୋରରେ ଗଣ୍ଠି ପଡ଼େ ନାହିଁ । ଆପଣାର ଗ୍ଳାନିରେ ଗଳଗ୍ରସ୍ତ ହୋଇ ଜୀବନ୍ତ ପଥିକ ଆଦୌ ବସି ରହେ ନାହିଁ । ଅନ୍ତର ଦେବତାର ଏହି optimismର ଆହ୍ୱାନ ଆଗରେ ବେଳେ ବେଳେ ମଥା ନଇଁଆସେ । କେତେ ପ୍ରକାରେ, କେତେ ପଥରେ ଓ କେତେ ପ୍ରେମରେ ସିଏ ଆପଣାର ଆଭାସ ଦେଇ ଦେଇ ଚାଲିଛି । କେତେ ବୈଚିତ୍ର୍ୟ ମଧ୍ୟ ଦେଇ ତାହାରି ରାସ୍ତାର ପୁନଃପୁନଃ ଉଦ୍‌ଭାସ ଜୀବନକୁ ସତେ ଅଡ଼େଇ ନେଉଚି । ସିଏ କେତେ ଅବସାଦରେ ବଳ ଦେଇଛି, କେତେ ବ୍ୟର୍ଥତାରେ ସେ ପୁଣି ସ୍ୱପ୍ନ ଦେଖାଇଚି, ନରକପତନର କେତେ ପଶ୍ଚାତାପ ସମୟରେ ସେ ଦରମରା ମନକୁ ଆପଣା ଦେବତ୍ୱର ସ୍ମରଣ କରାଇଦେଇ ସଞ୍ଜିବିତ କରାଇଚି । ମଣିଷ କଅଣ ଦେଇ ତାହାର ଋଣ ଶୁଝିପାରିବ ? କଅଣ ବାଢ଼ିଦେଇ ସେ କ୍ଷମାସାଗରର କ୍ଷମାଭାଜନ ହେବ ? ଭାବିଲେ ବିସ୍ମିତ ହେବାକୁ ହୁଏ ।

 

୧୧.୧୧. ୧୯୪୯

 

ଅନ୍ତର ଓ ଅନ୍ତସ୍କରଣକୁ ନୀରବ ନିମୀଳିତ କରିଦେଇ ମୁଁ ଯେତେବେଳେ ବିଶ୍ୱକକ୍ଷର କେନ୍ଦ୍ରକୁ ଅପସରି ଯାଏ, ଯେପରି ସେତେବେଳେ ହଠାତ୍ ସେପୁରର ଶାନ୍ତିର ଅଧିଷ୍ଠାତାଙ୍କଠାରୁ ଏପୁରକୁ ଫେରିଆସିବାର ଉଦ୍‌ବୋଧନ ପାଏ । ଧରଣୀରେ ଜୀବନର ସ୍ୱାଭାବିକ ନିୟମ ଭାଙ୍ଗି ଯାଇଚି, ସେଥିଲାଗି ଅମର୍ତ୍ତ୍ୟ ପୃଥିବୀ ଆଜି ନାନା ଦୁଃଖ ଓ ଦୈନ୍ୟର ଧୂଳି ଆବରଣରେ ଏପରି ଆଲୋଡ଼ିତ ହୋଇ ରହିଚି । ବିଧାତାର ଏହି ଧୂଳିଘରେ ଯିଏ ସ୍ୱତଃସେବକ ହୋଇପାରିବ, କେବଳ ସେଇ ଶାନ୍ତିର ଭାଜନ ହେବ । ସରଗକୁ ଅନାଇଲା ବେଳେ ନକ୍ଷତ୍ର-ସମ୍ଭାରରେ ପେଟ ପୂରିଯାଏ, ସତେ ଅବା କେଉଁ ପୁରାତନ ପରିଚୟର ପୁନସ୍ମରଣରେ ହୃଦୟ ଉଦ୍‌ବେଳିତ ହୋଇ ଉଠେ । କିନ୍ତୁ ସେହି ସମସ୍ତ ଉଦ୍‌ଭାସିତ ଆବେଗ ସଙ୍ଗେ ସଙ୍ଗେ ଏହି ବ୍ୟଥିତ ଓ ପୀଡ଼ିତ ଜଗତଆଡ଼କୁ ହିଁ ଫେରିଆସେ । ଏଇଠି ଏହି ଜଗତରେ ଅନେକ ନିଷ୍କାସନ ଓ ପ୍ରତିଷେଧର କାର୍ଯ୍ୟ କରିବାକୁ ହେବ, ନକ୍ଷତ୍ରକୁ ସାକ୍ଷୀ ରଖି ସମଗ୍ର ପ୍ରାଣ-ସଂସାରର ଉନ୍ମୟନଯାତ୍ରା (Ascent) ରେ ଯୁକ୍ତ ହେବାକୁ ପଡ଼ିବ ।

 

ଏହି ଯାତ୍ରାରେ ଯାତ୍ରୀ ହେବାଲାଗି ମୋର ଆୟୁଷ ଲୋଡ଼ା, ସହଜ ଚିତ୍ତରେ ବ୍ୟର୍ଥତାକୁ ବରିନେବାର ଧୈର୍ଯ୍ୟ ଲୋଡ଼ା, ସବୁରି ସହିତ ଯୁକ୍ତ ହୋଇ ପାରିବାର ଅନ୍ତର ଲୋଡ଼ା । ମୋର ନିତିଦିନର ପ୍ରାର୍ଥନା ମୋତେ ଏହି ସମସ୍ତ ସମ୍ପଦର ଅଧିକାରୀ କରୁ । ଅଧିକ ଶୁଭ୍ର ଓ ଶୁଦ୍ଧଭାବରେ ମୁଁ ଦିନୁଦିନ ବିଧାତାର ପରୀକ୍ଷାଗାର ଲାଗି ଆପଣାକୁ ଉନ୍ମୁକ୍ତ କରିଦିଏ, ତାହାର ସକଳ ବିଧାନ ମୋହରି ଜୀବନ ଭିତର ଦେଇ ପୂର୍ଣ୍ଣ ହେଉ । ଆପେ ଫୁଲି କେବଳ ଶବ୍ଦ କରିବାର କୌଶଳଗୁଡ଼ାକୁ ମୁଁ କ୍ରମେ ହରାଇବସୁଚି, ଉଦୟପୂର୍ବର ନୀରବ ପୂର୍ବରାଗ ସମ୍ଭବତଃ ନିକଟ ହୋଇ ଆସିଲାଣି ।

 

୧୨.୧୧.୧୯୪୯

 

ଆଜି ଲେଖିବାକୁ କିଛି ନଥିଲାପରି ମନେ ହେଉଛି । ଚୁପ୍‌ଚାପ୍ ରହିବାକୁ ଆଜି ଭାରି ଭଲଲାଗୁଚି । ସକଳ ସମସ୍ୟାର ଅଭେଦ ଶୈଳଗୁଡ଼ାକୁ ମୁଁ ଯେପରି ଆପଣା ମନର ନୀରବତା ଦେଇ ପାଣି ପରି ମିଳାଇ ଦେଇଚି । ମନେ ହେଉଚି, ପୃଥିବୀରେ ସବୁ ତାରି ଆପଣା ବାଟରେ ଚାଲିଚି, ଖାଲି ମୋର ଅପୂର୍ଣ୍ଣ ମନଟା ହିଁ ଯେପରି ନାନା ଅସନ୍ତୋଷରେ ଦଗ୍‌ଧ ହୋଇ ଆପଣାର ଅନଧିକାର ଚର୍ଚ୍ଚା ଦେଖାଇବାଲାଗି ଉଚ୍ଛନ୍ନ ହୋଇ ଯେତେ ଯନ୍ତ୍ରଣା ଭୋଗ କରୁଚି ! ପ୍ରକୃତିର ଚକ ନାନା ରହସ୍ୟମୟ ମାର୍ଗରେ ଗଡ଼ିଗଡ଼ି ଚାଲିଚି । ଆପଣା ମନର କଳନାକାଠି ଦେଇ ମୁଁ ହୁଏତ ତାକୁ ମାପି ପାରୁନାହିଁ, ମୋର କଳ୍ପିତ ବାଟରେ ହୁଏତ ସେହି ଚକର କୌଣସି ଚିହ୍ନ ପଡ଼ୁନାହିଁ, ଏବଂ ଏହି ଅକାରଣ ପରାଭବରେ ଅଭିମାନୀ ମନ ବେଳେବେଳେ ଭାରି ଚିତ୍କାର କରି ଉଠୁଚି । ଭିତରେ ଥାଇ କେଉଁ ଅଝଟ ବାଳକ ଗର୍ଜନ କରିଉଠୁଚି । ଆପଣାକୁ ମୁଁ ପ୍ରକୃତି ସହିତ ସାମିଲ କରିଦେବି, ସକାଳର ସୂର୍ଯ୍ୟପରି ଫୁଟିଉଠି ମୁଁ ସନ୍ଧ୍ୟାରେ ବିଶ୍ରାମାଗାରରେ ନିତି ଆଶ୍ରୟ ନେବି, ଆପଣାର ପାତ୍ରଟିକୁ ଆଲୋକର ଠାବଆଡ଼କୁ ସର୍ବଦା ପ୍ରସାରିତ କରି ରଖିଥିବି ମଙ୍ଗଳମୟର ସହସ୍ର ଉଦ୍ଦେଶ୍ୟ ସାଧନର ଶିବିରରେ ମୁଁ ଅଖେଦ ମନରେ ଆପଣାର ନାଆଁ ଲେଖାଇଦେବି । ବାସ୍, ମୋର ଆଉ ଭୟ କଣ ? ଅସନ୍ତୋଷର କେଉଁ ସନ୍ତସନ୍ତିଆ କଣରେ ପଚା ସମସ୍ୟାଗୁଡ଼ାକୁ ନେଇ ପଡ଼ିରହିବାକୁ ଯାହାର ପଚାମନ ଭଲପାଉଚି, ପାଉଥାଉ । ମୁଁ ତେଣିକି ଆଖି ଦେବିନାହିଁ ।

 

୧୩.୧୧.୧୯୪୯

 

ଭାବୁ ଭାବୁ ହଠାତ୍ Antoine de Saint-Exup’eryଙ୍କର ଗୋଟିଏ ଉକ୍ତିର କିଛି ଅଂଶ ମନେପଡ଼ିଗଲା ଓ ଅନେକ ସମୟ ପର୍ଯ୍ୟନ୍ତ ମୋର ମନକୁ ଅଧିକାର କରି ରଖିଥିଲା । ରାତିର-କାର୍ଯ୍ୟ ଶେଷକରିବା ପୂର୍ବରୁ ଆଜି ତାହାହିଁ ମୋର ଭାବନା ହୋଇରହୁ : “The men who can break his bread with comrades, opens his window to the same refreshing wind off the sea. He too learns a language of men. !”

 

ଏବେ ବି ଅନେକ ବାଡ଼ ଭାଙ୍ଗିବାକୁ ବାକୀ ରହିଚି । ନାନା ଲାଳସା ଲୋଲୁପତାର ବନ୍ଧନଗ୍ରନ୍ଥି ଭିତରେ ମନର ସ୍ୱଚ୍ଛ ଦର୍ପଣଟି ଏବେ ବି ଆବୃତ ହୋଇ ରହିଚି । ଜାଣେନା, କେଉଁ ସକାଳର ବାତାୟନଟି ଖୋଲିବା ସମୟରେ ମନଗୁହାର ସମସ୍ତ ବାତାୟନ ଏକାବେଳେକେ ଖୋଲିଯିବ । ହଁ, ହଠାତ୍ ବେଳେବେଳେ ଏହିପରି ଏକ ଅନୁଭୂତି ଆସେ । କେବଳ ଆବେଗ ଓ କଳ୍ପନାରେ ନୁହେଁ, ସାନବଡ଼ ନାନାବିଧ କର୍ମର ଜରିଆରେ ଆପଣାର ସମସ୍ତ ମାୟାଗଣ୍ଠିକୁ ମୁକୁଳା କରିଦେଇ ମଣିଷ ସହିତ ଏକଚିତ୍ତ ହୋଇଯିବାରେ ସେତେବେଳେ ଭାରି ଆନନ୍ଦ ମିଳେ । କିନ୍ତୁ ସେହି ସମାଧିସ୍ଥ ଅବସ୍ଥା ବେଶୀବେଳ ସ୍ଥାୟୀ ହୋଇପାରେ ନାହିଁ । ମୋର ନାମ, ମୋର ଯଶ, ମୋର ଇଚ୍ଛାପୂରଣ,—ଏହିପରି ନାନା ପ୍ରତିବନ୍ଧକ ଠିଆହୋଇ ହଠାତ୍ ଯେପରି ଏହି ଚିତ୍ତକୁ ବାହାରର ସମସ୍ତ ଜଗତଠାରୁ ଖିଅଛିଣ୍ଡା କରିରଖନ୍ତି । ଠିକ୍ ଯେଉଁ ଆଚରଣଟା ସକାଶେ ପଛରେ ନାନା ଅନୁତାପ ଓ ଅନୁଶୋଚନା କରିବାକୁ ପଡ଼େ, ସେହି ଆଚରଣଟା ହିଁ ମୋର କର୍ମଜୀବନରେ ଏଡ଼େ ବଳବନ୍ତ ହୋଇ କିପରି ଯେ ମତେ ଚଳାଇନିଏ, ଆପଣାର ଭଗବାନ ପାଖରେ ମୁଁ ତାହାର ଜବାବ ଦେଇପାରେନାହିଁ । ତାହାରି ଇଚ୍ଛା ହିଁ ପୂର୍ଣ୍ଣ ହେଉ ।

 

୧୪.୧୧.୧୯୪୯

 

ଆଜି ଦିନମାନ ଜିବନଟା ଅବାଧ ବହିଯାଇଚି । ତେଣୁ ଖୁବ୍ କିଛି ବିଶେଷ କରି ଲେଖିବାକୁ ବର୍ତ୍ତମାନ ମନେ ପଡ଼ୁନାହିଁ । ସୂର୍ଯ୍ୟର ଉଦୟ ଦେଖି ମୁଁ ଆଜି ଦିନଟି ଆରମ୍ଭ କରିଥିଲି, ରାତ୍ରି ଗଗନର ତାରାତଳୁ ବିଦାୟ ନେଇ ବର୍ତ୍ତମାନ ବିଶ୍ରାମ କରିବାକୁ ଯାଉଛି ।

 

ଅସ୍ଥିର ମନର ଭାବନାଗୁଡ଼ାକୁ ଏହି ପୃଷ୍ଠାଉପରେ ସଞ୍ଚି ନ ରଖିଲା ଯାଏ ଦିନେ ଦିନେ ମୋର ତର ସହେନାହିଁ, ଅଥଚ ଆଉ ଦିନେ ଦିନେ ଏପରି ଫାଙ୍କି ଦେବାକୁ ଇଚ୍ଛାହୁଏ କାହିଁକି ? ଯେତେପ୍ରକାର ଆଦର ଓ ଗେଲବସର କରି ମନକୁ ବାଗେଇ ବସିଲେ ମଧ୍ୟ ଭିତରର କେଉଁ ଅନ୍ୟମନସ୍କ ଶିଶୁ ବୋଲ ନ ମାନି ପଳାଇବାକୁ ଚାହେଁ । ଥିର ମନରେ ବସି କିଛି ଲେଖିବା ହିଁ ସେଦିନ ଅସମ୍ଭବ ହୋଇପଡ଼େ । ମନର ଖେଳ ଆଗରେ ସକଳ କଟାକ୍ଷ ଓ କାକୁତି ପରାସ୍ତ ହୋଇ ଗଲାପରି ଲାଗେ ।

 

ଲେଖିବାର ଅଭ୍ୟାସ ଅନେକ ଦିନରୁ ଛାଡ଼ିଗଲାଣି । ଆଜିକାଲି ମୁଁ କିଛି ଲେଖୁନାହିଁ କହିଲେ ମୋଟେ ଭୁଲ ହେବନାହିଁ । ଅବଶ୍ୟ ମୋର ମନ ଆପଣାର ବିଭିନ୍ନ ଭାବନାଗୁଡ଼ିକୁ ସିଦ୍ଧ କରିବାର ଆମୋଦରେ ନିତି ଲାଗି ରହିଥାଏ । ସମ୍ଭାବ୍ୟର ରୂପରେଖକୁ ନ ଘାଣ୍ଟି ମୁଁ ଦିନେହେଲେ ରହିପାରେନାହିଁ । ମନର କଥାକୁ ସାହିତ୍ୟର ସଜ୍ଜା ଦେବାକୁ ହେଲେ ବାହାରେ ତଥା ଭିତରେ ଯେଉଁ ସ୍ୱାଧୀନତା ଅବଶ୍ୟ ଦରକାର, ହୁଏତ ମୁଁ ସେତକ ହାସଲ କରିପାରିନାହିଁ । ବାହାରେ ଯେ ଅନେକ ବନ୍ଧନ ରହିଚି, ସେକଥା କେହି ଅସ୍ୱୀକାର କରିବନାହିଁ । ତଥାପି ଅନ୍ତରର ବନ୍ଧନ ହେଉଚି, ତାଠାରୁ ଯଥେଷ୍ଟ ଅଧିକ ଏବଂ ଭଲଟା ଆପଣାର ମନକୁ ଏ ପର୍ଯ୍ୟନ୍ତ ମୁଁ ମୁକ୍ତିକରି ଖେଳାଇ ପାରିନାହିଁ । ଆପଣାକୁ ଏକାଗ୍ର କରି ବସ୍ତ୍ରଭୂମିର ଅନ୍ତପ୍ରବେଶ କରିବା ମୋଦ୍ୱାରା ହୁଏତ ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ତେଣୁ ଗୋଟାଏ ଆବେଗ ବା ଅନୁଭୂତିକୁ ସିଦ୍ଧକରି ତାହାକୁ ପ୍ରକାଶରୂପ ଦେବାପୂର୍ବରୁ ଆହୁରି ଅନେକ ଆବେଗ ମୋତେ ଇତସ୍ତତଃ ଉଡ଼ାଇ ନେଇଯାଉଚି । ଯୁକ୍ତ ମନର ଅଭାବ ହେତୁ ଜୀବନରେ ଖାଲି ବାତାଧୀନ ଶୁଷ୍କପତର ପରି ଡେଇଁବା ହିଁ ସାର ହେଉଚି ।

 

୧୫.୧୧.୧୯୪୯

 

ନାଥୁରାମ ଗଡ଼ସେ ଓ ଆପ୍ତେ ଆଜି ଅମ୍ବାଲା ଜେଲରେ ଫାଶି ପାଇଲେ । ଗାନ୍ଧିହତ୍ୟାର ଶେଷ ସ୍ମାରକ ଆଜିଠାରୁ ଲୁପ୍ତ ହୋଇଗଲେ ।

 

ସଙ୍ଗୀତର ହାବକରସରେ ଅନ୍ତରଗୁହାର ପାଷାଣ କ୍ରମେ ତରଳୁଥିଲା ପରି ଲାଗୁଚି । ମନେହେଉଚି, ଏହି ସଙ୍ଗୀତ ସ୍ରୋତର ଆଲୋଡ଼ନରେ ହିଁ ପ୍ରାଣର ବାତାୟନଗୁଡ଼ିକ ଦିନେ ଏକାବେଳକେ ଖୋଲିଯିବ । ଆଜି ଦିନମାନ ଆପଣା ଖୁସିରେ ସଙ୍ଗୀତ ଗାଇ ମୁଁ ଯେପରି ଆପଣାକୁ ଫେରି ପାଇଚି । ପ୍ରାଣର କବାଟ ଫିଟିଆସୁଚି । ଆବଦ୍ଧ ଓ ଅନ୍ଧାର ଗୁହାଭିତରେ ଜଳରାଶିର ଶବ୍ଦ ସତେ ଅବା କାନରେ ଆଜି ବାଜିଲାଣି । ଆଉ ଡେରି ନାହିଁ ।

 

୧୬.୧୧.୧୯୪୯

 

ଆଜି ଦିନଟି ବନ୍ଧୁନାମରେ ଉତ୍‌ସୃଷ୍ଟ । ବନ୍ଧୁର ସେହି ସ୍ମୃତି ଏବେ କେବଳ ଏକ ଚମମାଂସ ଶରୀରର ଆବରଣ ଭିତରେ ସୀମାବଦ୍ଧ ହୋଇ ରହିନାହିଁ । ଜୀବନ ପ୍ରବେଶରେ ପ୍ରଥମ ଅଭିଜ୍ଞତାବେଳେ ମଣିଷ-ସାଥୀଠାରେ ମୁଁ ଯେଉଁ ମହତୀପ୍ରଭା ଦେଖିଥିଲି, ପ୍ରତ୍ୟେକ ମାସର ଷୋଳତାରିଖ ହେଉଚି ମୋ ଲାଗି ତାହାରି ପ୍ରତୀକ । ମଣିଷର ମହାନ୍ ସାନିଧ୍ୟରେ ମୁଁ ନିତି ବଢ଼ୁଚି, ନିତି ମୁଁ ନୂତନତର ଉତ୍ସାହରେ ଧରଣୀରେ ଅବତୀର୍ଣ୍ଣ ହେଉଚି । ମୋର ପ୍ରତ୍ୟେକ ଦିନର ଉତ୍ସମୂଳରେ ମଣିଷ-ବନ୍ଧୁର ଦାନ ଶଙ୍ଖ ଯେପରି ମୋର ଅଞ୍ଜଳିଆଡ଼କୁ ନତମୁଖ ହୋଇଆସିଚି । ମୁଁ ଧନ୍ୟ ହୋଇଚି ।

 

୧୭.୧୧.୧୯୪୯

 

ଅନେକ ତାଗିଦାରେ ମନକୁ ଟାଣି ଓଟାରି ଏଠାରେ ଆଣି ବସାଉଚି । ଆଜି କାହିଁକି ସବୁକଥା ବଡ଼ ଅବାଗିଆ ହୋଇଗଲା ପରି ଲାଗୁଚି । ଭିତରେ ଥିବା ଚିହ୍ନିଲା ମନର ଉପାଦାନଗୁଡ଼ିକ ବୋଧହୁଏ ଟିକିଏ ଅବାଗିଆ ହୋଇଯାଇଚି । ବାହାରକୁ ମୁଁ ବେଶ୍ ଅଛି, ଖାଇଚି, ବୁଲିଚି, ବନ୍ଧୁ ମାନଙ୍କର ହସରେ ସମ୍ଭାଷଣରେ ମୁଁ ବି ହସି ହସି ପ୍ରତିସମ୍ଭାଷଣ ଜଣାଇଚି । କିନ୍ତୁ ତଥାପି ଯେପରି ଆଜି ଦିନରେ ଦାନକୁ ମୁଁ ମନଉପରେ ଗାରପକାଇ ରଖିପାରିନାହିଁ । ଏହାର କୌଣସି କାରଣ ମୁଁ ଖୋଜି ପାଇନାହିଁ । ଖୋଜିବାର ଅଭିଳାଷ ବି ଖୁବ୍‌ବେଶୀ ରଖିନାହିଁ । ଯାହାର ଦୁଆର ସିଏ ବଳେ ଖୋଲିବାକୁ ଆସିବ, ସେଥିଲାଗି ଯୁକ୍ତିବଳ ଚିତ୍ତକୁ ନେଇ ମୁଁ କି ପ୍ରସ୍ତୁତ କରି ରଖିପାରିବି ? କୌଣସି ପ୍ରକାର ପଳାୟନବାଦୀ ମନ ନେଇ ମୁଁ ଏପରି କହୁନାହିଁ । କାରଣ ମୋର ସାଧ୍ୟ ଅନୁସାରେ ମୁଁ ନିରତ ପାଖକୁ ଯିବାକୁ ଚେଷ୍ଟା କରୁଚି, ତାହାରି ଦୁଆର ଉପରେ ବାର ବାର ହାତ ବାଡ଼େଇ ଆସୁଚି ଏବଂ ଯାବତୀୟ ଯୁକ୍ତି ଉପରେ ମୁଁ ଏହି ବିଶ୍ୱାସଟି ଦୃଢ଼କରି ରଖିଚି ଯେ ତାହାରି ଇଚ୍ଛାରେ ହିଁ ଦିନେ ଦୁଆର ଖୋଲିବ, କେବଳ ତାହାରି ଇଚ୍ଛାରେ ହିଁ ସେ ଆପେ ଆସି ସବୁଠାରୁ ଆପଣାର ଆଗନ୍ତୁକ ରୂପେ ମୋର ଜୀବନ ପ୍ରାଣକୁ ପୂର୍ଣ୍ଣ କରିଦେବ ।

 

୧୮.୧୧.୧୯୪୯

 

ଶରୀର ସହିତ ମଧ୍ୟ ମୋର ମନଟା ମଧ୍ୟ ରୋଗଫାଶରେ ବାନ୍ଧିହୋଇ ପଡ଼ିଚି । ହୁଏତ ଅତି ଅଜ୍ଞାତରେ ମୋର ସମସ୍ତ ହୃତ୍‌କନ୍ଦରକୁ ଚମକାଇ ଦେଇ ମନ ବେଳେବେଳେ ଲକ୍ଷ୍ୟଯୋଜନ ସେପାଖକୁ ଉଡ଼ି ପଳାଉଚି, କିନ୍ତୁ ହଠାତ୍ ଆପଣାର ଦଶାକୁ ମନେ ପକାଇ ଫେରି ଆସୁଚି । ଆପଣାର ସମସ୍ତ ଇଚ୍ଛା ବିରୁଦ୍ଧରେ ବି ଚତୁର୍ଦ୍ଦିଗର ବିରକ୍ତ ଭାବନା ଓ ସଂକଳ୍ପ ବିକଳ୍ପ ନେଇ ତାକୁ ଅଗତ୍ୟା ପଡ଼ିରହିବାକୁ ହେଉଚି । ତେଣୁ ଭିତରେ କିଏ ଯେପରି ଅସହ୍ୟ ବେଦନାରେ ଛଟପଟ ହୋଇ କାନ୍ଦୁଚି, ଅଥଚ ଆପଣାର କାନ୍ଦକୁ ଶରୀରର ଶାସନ ତଳେ ଚାପିରଖିଚି । ଜାଣେନା, ଏହି ଦଣ୍ଡଭୋଗ କେତେଦିନ ଲାଗି । ଜାଣେନା, କେତେଦିନ ଆପଣାର ଭୁବନଲୋଭୀ ମନକୁ ମୋତେ ଆପଣା-କେନ୍ଦ୍ରର ଚାରିପାଖରେ ଦଉଡ଼ି ଖଟାଇ ରଖିବାକୁ ପଡ଼ିବ । ଶରୀର ଓ ମନ ଉଭୟର ନିୟନ୍ତା ପାଖରେ ମୁଁ ସବୁ ସମର୍ପି ଦେଉଚି । ସେଇ ମୋର ବେଦନା ବୁଝିବ, ମୋ ପ୍ରର୍ଥନାର ଚାହିଦା ବୁଝି ମୋର ଦୋଷ ଦୁର୍ବଳତାକୁ ଘଷିମାଜି ସେଇ କଲ୍ୟାଣକର କରିଦେବ । ତାହାରି ଇଚ୍ଛାହିଁ ପୂର୍ଣ୍ଣ ହେଉ ।

 

ମୀରାବେନ୍‌ଙ୍କ ପାଖକୁ ଦେଇଥିବା ମହାତ୍ମା ଗାନ୍ଧୀଙ୍କର ପତ୍ରାବଳୀକୁ ମୁଁ ଗତ କେତେଦିନ ହେଲା ଅଳପ ଅଳପ କରି ପଢ଼ୁଚି । ଆପଣାର ଶରୀରକୁ ଭଗବାନଙ୍କର Trust ରୂପେ ସମର୍ପିଦେଇ ସିଏ ଖାଦ୍ୟ ବିଷୟରେ କେତେ ସଂଯମ ଅବଲମ୍ବନ କରୁନଥିଲେ ! ପ୍ରତ୍ୟେକ ଚିଠିରେ ଏହି ଶରୀରାର୍ଥଟା ତାଙ୍କର ମହତୀ ଦୃଷ୍ଟିଦ୍ୱାରା ରୀତିମତ ପରମାର୍ଥକୁ ରୂପାନ୍ତରିତ ହୋଇଯାଇଚି । ଏହି ଖାଇବା ବିଷୟରେ ମୋତେ ମଧ୍ୟ ଅତି ସାବଧାନତା ଅବଲମ୍ବନ କରିବାକୁ ହେବ । ଅନେକ ବାଟ ହୁଡ଼ିଗଲା ପରି ଲାଗୁଚି । ହସଖେଳରେ ଓ ବନ୍ଧୁମେଳରେ ସ୍ୱାଦର ଲାଳସାରେ ଅପରିମିତ ଖାଦ୍ୟ ଖାଇ ପରିଣାମତଃ ଶରୀର ଓ ମନ ଉଭୟଙ୍କୁ ଦୁର୍ବଳ କରି ପକାଇବାର ଦୁର୍ଦ୍ଦଶା ଭୋଗ କରିବା ହିଁ ସାର ହେଉଚି ।

 

୧୯.୧୧.୧୯୪୯

 

ଆଜିଠାରୁ ସକାଳୁ ବ୍ୟାୟାମ କରିବା ଆରମ୍ଭ କଲି । ଶରୀରଟା ରୋଗା ହୋଇ ପଡ଼ିଥିବାରୁ ଫି’ବରଷର ଶୀତକାଳୀନ ପ୍ରାତଃକୃତ୍ୟ ଏତେଦିନଯାଏ ଅବହେଳିତ ହୋଇ ରହିଥିଲା । ଅବଶ୍ୟ ନୂଆ କରି ଆରମ୍ଭ କରୁଥିବାରୁ ଭାରି ଡରି ଡରି ବ୍ୟାୟାମ କରିବାକୁ ହେଲା । ତଥାପି ସବୁତକ ଆସନ ଯଥା ନିୟମ କରିସାରିବା ପର୍ଯ୍ୟନ୍ତ ଚିତ୍ତ ବେଶ୍ ପ୍ରସନ୍ନ ରହିଥିଲା । ସ୍ଫୁଟନମୁଖ ପ୍ରସନ୍ନ ମନର ଦେବତାକୁ ଅଶେଷ ଧନ୍ୟବାଦ ଦେଇ ଆଜିର ଦିନଚର୍ଯ୍ୟା ଆରମ୍ଭ କଲି ।

 

ବେଶ୍ ତ ଅଛି; କର୍ତ୍ତବ୍ୟ ଅକର୍ତ୍ତବ୍ୟ, ଉଚିତ ଅନୁଚିତ ବିଷୟରେ ଆଜି ଖୁବ୍‌ବେଶୀ ମୁଣ୍ଡ ଘୁରାଇବାକୁ ପଡ଼ିନାହିଁ । ଯାହା ଯେତେବେଳେ କରିଚି, ମୋର ସକଳ କାର୍ଯ୍ୟ ଯେପରି ସ୍ୱତଃ ମନଃପ୍ରେରଣାର ଅନୁବୃତ୍ତ ହେଲାପରି ସମ୍ପନ୍ନ ହୋଇଯାଇଚି । ଏହିଭଳି ସ୍ୱଭାବିକ ବଞ୍ଚିବା ହିଁ ଶ୍ରେଷ୍ଠ ବଞ୍ଚିବା । Least of worries and the best of lives you can live ! ଯେଉଁଦିନ ସମସ୍ତ ଅନ୍ତସ୍କରଣ ସର୍ବବ୍ୟାପୀ ବିଶ୍ୱକର୍ମାର willing instrument ହୋଇ କାର୍ଯ୍ୟ କରିପାରିବ, ସମ୍ଭବତଃ ସେହିଦିନ ହିଁ ମନର ଯଥାର୍ଥ ମୋକ୍ଷ ସମ୍ଭବ ହେବ, ସେହିଦିନ ମାନସାୟତନର କୁଟିଳ ସମସ୍ୟା ଜାଲକୁ ଅସ୍ୱୀକାର କରି ବିଶ୍ୱାତ୍ମକ ମନ ଆପଣାର ଇଷ୍ଟତ୍ୱ (Excellence) ଘୋଷଣା କରିବ ।

 

ଦୁଃଖ ନିବେଦନର ଅନେକ ଗୀତ ଗାଇ ମୁଁ ଆଜି ଦୁଃଖକୁ ହଜମ କରି ଦେଇଚି । ଅଫିମନିଶା ଠିକ୍ ପାତ୍ରରେ ପଡ଼ି ଔଷଧର କାମ ଦେଉଚି । ଚିତ୍ତ ଭିତରେ ଭେଦି ପାସୋର ଯେଇଥିବା ସେହି ଦୁଃଖଭିତରୁ ମୁଁ ଯେପରି ଏକ ମହତ୍ତର ଜ୍ୟୋତିରାଭାସ ଅନୁଭବ କରିପାରୁଚି ।

 

୨୦.୧୧.୧୯୪୯

 

ଯଦି ପ୍ରତ୍ୟେକଦିନ ଉପନିଷଦର ଗୋଟିଏ କରି ଶ୍ଳୋକ ମୁଖସ୍ଥ କରାଯାଏ, ତେବେ ବଡ଼ ସହଜରେ ଅନେକଗୁଡ଼ିଏ ଶ୍ଳୋକ ମୁଖସ୍ଥ କରାଯାଇ ପାରିବ । ଅବଶ୍ୟ ଯେଉଁ ଶ୍ଳୋକଟି ଆପଣାମନକୁ ସବୁଠାରୁ ବେଶୀ ପାଇଥିବ, ସେଇଟିକୁ ଅଗ୍ରାଧିକାର ଦେବାକୁ ପଡ଼ିବ । କେବଳ ସେତିକି ନୁହେଁ, ଶ୍ଳୋକଟିକୁ ଦିନମାନ ବାରବାର ଆବୃତ୍ତି କରିବା ଦ୍ୱାରା ଆପଣାର ମନନଶକ୍ତି ବି ବଢ଼ିବ ଓ ତେଣୁ ମନନଜନିତ ସକଳ ପ୍ରକାର ଚିତ୍‌ସମ୍ପଦ ବି ଲାଭ କରାଯାଇ ପାରିବ । ବେଶ୍ ମନେଅଛି, ପ୍ରାୟ ଦୁଇବର୍ଷ ତଳେ ଏହିପରି ଧୀର ଅଭ୍ୟାସ ଦ୍ୱାରା ମୁଁ ଈଶୋପନିଷଦର ସବୁଗୁଡ଼ିକ ଶ୍ଳୋକ ମୁଖସ୍ଥ କରି ପାରିଥିଲି ।

 

ଧର୍ମଶାସ୍ତ୍ର ମୋତେ ବାରବାର ଅଟକାଇ ରଖୁଚି । ତା’ର ନାନା Revealationର ଗ୍ରନ୍ଥଭିତରେ ଆପଣାକୁ ଅଟକାଇ ରଖିବାକୁ ଖୁବ୍ ଭଲ ଲାଗୁଚି । ସମଗ୍ର ବିଶ୍ୱସହିତ ମନଃସାନ୍ନିଧ୍ୟ ପାଇ ଯେପରି ମୁଁ ଆପଣାର ଅନ୍ତର୍ଦୃଷ୍ଟି ଭିତରେ ଆପେ ମୁଗ୍‌ଧ ହୋଇ ବସୁଚି । ମନ ଓ ଜୀବନର ସକଳ ସମସ୍ୟା କେଉଁ ଉଦ୍‌ଭାସରୂପ ଜ୍ଞାନପ୍ରବେଶ ଦ୍ୱାରା ମୁହୂର୍ତ୍ତକେ ମିଳାଇଯାଉଚି । ଏହି ଆନନ୍ଦ ବର୍ଣ୍ଣିବାର ନୁହେଁ—ଏଥିରେ କ୍ଳାନ୍ତି ନାହିଁ, ବିରତି ନାହିଁ । ଯିଏ ଯେତେ ଭିତରକୁ ଯିବ, ସିଏ ସେତେବେଶୀ ରସର ଅଧିକାରୀ ହୋଇପାରିବ । ଗଭୀରକୁ ଯିବାର ଏହି ଉତ୍ସୁକତା ଯୋଗୁଁ ଏଠିକା ଗ୍ରନ୍ଥାଗାରର ସମସ୍ତ ଗ୍ରନ୍ଥକୁ ଯେପରି ଗିଳି ପକାଇବାକୁ ଇଚ୍ଛା ହେଉଚି । ସେତେବେଶୀ ପଢ଼ୁଚି, ଆହୁରି ସେତିକି ରହିଗଲା ପରି ଲାଗୁଚି । ଜ୍ଞାନ ଯେ ଏପରି ବାଇଆ କରି ଦଉଡ଼ାଏ, ନିଜ ଜୀବନରେ ମୁଁ ଏକଥାକୁ ଆଗରୁ କେବେ ଅନୁଭବ କରିନଥିଲି ।

 

୨୧.୧୧.୧୯୪୯

 

ଗତ କେତେଦିନ ହେଲା ମଲ୍ଲିକଜୀଙ୍କର ବକ୍ତୃତା ଶୁଣୁଚି । ଗୁରୁଦେବ ଲେଖିଥିବା ‘RELIGION OF MAN’ ଗ୍ରନ୍ଥଟି ଉପରେ ସେ କ୍ରମାନ୍ୱୟରେ ଭାଷଣ ଦେଉଛନ୍ତି । ମୂଳ ବହିଟିକୁ ପଢ଼ିବା ଲାଗି ମୋର ଏପର୍ଯ୍ୟନ୍ତ ସୁଯୋଗ ଓ ସୌଭାଗ୍ୟ ଜୁଟିନାହିଁ । ପ୍ରାୟ ତିନିବର୍ଷ ପୂର୍ବେ ମଧ୍ୟ ମୁଁ ଏହି ଗ୍ରନ୍ଥ ଉପରେ ମଲ୍ଲିକଜୀଙ୍କର କ୍ରମାନ୍ୱୟ ଭାଷଣ ଶୁଣିଚି । କିନ୍ତୁ ତଥାପି ବିଷୟଟିର ରସ ଓ ନୂତନତ୍ୱ ଆଦୌ କମି ଯାଇନାହିଁ । ପ୍ରାଣ ଯେତେଦିନଯାଏ ରସର ପିପାସୁ ହୋଇ ରହିବାର ଯୋଗ୍ୟତା ରଖିଥିବ, ସେତେଦିନଯାଏ ସେ ସେହି ଏକ ରସଭଣ୍ଡାରରୁ ରସପାନ କରିବାରେ କଦାପି କ୍ଳାନ୍ତି ଅନୁଭବ କରିବ ନାହିଁ । ମୋର ଠିକ୍ ସେଇଆ ହୋଇଚି । ଚିରଦିନ ଚିରରାତ୍ରି ନାନାପ୍ରକାର ଭ୍ରାନ୍ତି ଓ ବିସ୍ମରଣର ବିଶ୍ରାନ୍ତି ମଧ୍ୟରେ ମୁଁ ସତେଅବା ଉପରକୁ କେଉଁ ରସମୟର କରୁଣାଧର ଅଞ୍ଜଳି ଆଡ଼କୁ ଅନାଇ ରହିଚି । ଯାହା କଣାଏ ପାଉଚି, ସେଇଥିରେ ମୁହୂର୍ତ୍ତେ ଉଦ୍ଧରି ଗଲାପରି ଲାଗୁଚି; ମୁହୂର୍ତ୍ତେ ମୁଁ ସବୁ ପାଇଯାଉଚି । କିନ୍ତୁ ତା’ପରେ ହରାଇ ବସୁଚି ।

 

ଜୀବନର ଅନ୍ୟ occupationର ଆବରଣ ଭିତରେ ଅଭିବୁଦ୍ଧି ମନର ସେହି ରସଗ୍ରହଣ ମୁଁ ଯେପରି ଆଉ ଅନୁଭବ କରି ପାରୁନାହିଁ । ଭିତରୁ ବିଚ୍ଛେଦ ଓ ବ୍ୟବଧାନର ଜ୍ୱାଳା ମୋତେ ପୁଣି ଅସ୍ଥିର କରୁଚି, ବିଶ୍ୱବେଡ଼ା ଦ୍ୱାରା ଆବଦ୍ଧ ହୋଇ ରହିଥିବା ଚିତ୍ତସରୋବରରେ ପୁଣି ପାଣି ଚହଲି ଉଠୁଚି । ଏହି ସାଧନାର ଅନ୍ତ ନାହିଁ, ଏହି ବୁଝିବାର ଅନ୍ତ ନାହିଁ; ବୋଧହୁଏ ସେଇଥିଲାଗି ଏହି ହୁଡ଼ିବାର ମଧ୍ୟ ଅନ୍ତ ନାହିଁ ।

 

ମନେହେଉଚି, ଭାଷଣରେ ଯାହାସବୁ ଶୁଣିଆସିଲି, ଯେପରି ଏତେଟିକିଏ ବି ମୋର ମନେନାହିଁ । ସବୁଟିକୁ ମୁଁ ଏକାବେଳକେ ପିଇଦେଇଚି । ଜୀବନର ସେଇ କେତୋଟା ମୁହୂର୍ତ୍ତ ପରିପୂର୍ଣ୍ଣ ହୋଇଯାଇଛି ।

 

୨୨.୧୧.୧୯୪୯

 

ଦିନେ ଦିନେ ଜୀବନଟା ସତେଅବା ଏକ ଅଦ୍‌ଭୂତ ଉଦ୍‌ଭାସର ଅବତାରଣ କରି ଦେଖାଦିଏ । ସେଦିନ ଏହି ଖାତାଉପରେ ଲେଖିବାବେଳେ ଆଉ ଭାବିଚିନ୍ତି କିଛି ଠିକ୍ କରିବାକୁ ହୁଏନାହିଁ । ସବୁ ଯେପରି ଆଗରୁ ପ୍ରସ୍ତୁତ ଥାଏ, ମନ ଆପଣାର ଭାବରାଶିକୁ ଲିପିବଦ୍ଧ କରି ନ ରଖିଲା ଯାଏ ଯେପରି ଆଦୌ ହୋଇ ପାରେନାହିଁ । ହୃଦୟର ଜନନୀ ଶକ୍ତି ଆପଣାର ଅବତାର ଦେଖିବା ଲାଗି ଉତ୍ସୁକ ହୋଇଉଠେ । ମନ କଲମକୁ ସେଦିନ ନାନା ସଂଯମ ଓ ଶାସନର ବେତଦେଖାଇ ବୁଝାଇ ବସାଇବାକୁ ପଡ଼େନାହିଁ । ଗତ କେତେଦିନ ହେଲା ମୁଁ ଯେପରି ମୋର ଉଦ୍‌ଭାସିତ ଜୀବନକୁ ଆଦୌ ବଞ୍ଚି ପାରୁନାହିଁ । ସବୁ ଆସୁଚି, ଯାଉଚି; ଆଲୋକ ଅନ୍ଧାରର କ୍ରମାନୁସାରେ ଜୀବନର ପଦ୍ମଟି ଫୁଟିଉଠେ ପୁଣି ମୁଦିହୋଇ ଯାଉଚି । ତଥାପି ଶୀତଳ ଅନ୍ତରଟା ସତେ ଯେପରି ଥୋବରା ପଡ଼ିରହିଚି ସେଠୁ କାହାରି ସୋରଶବଦ ଶୁଣାଯାଉନାହିଁ । ମୁଁ କେବଳ ଏକ ନିର୍ଜୀବ ପଟ୍ଟଭୂମିକା ପରି ବଞ୍ଚିରହିଚି ଏବଂ ମୋରି ଜୀବନ ଊପରେ ଲକ୍ଷ ଜୀବନର ଶୋଭା-ଉତ୍ସବ ଅହରହ ପ୍ରତିମୂର୍ତ୍ତି ହୋଇ ଚାଲିଯାଉଛି । ମୁଁ ସବୁ PRECEIVE କରୁଚି, କିନ୍ତୁ ଗ୍ରହଣ କରି ପାରୁନାହିଁ । ବେଳ ଜାଣି ଗୁଞ୍ଜରି ଉଠିବାର ପ୍ରାଣଟି ନାନା ମମତାର ଗ୍ରନ୍ଥତଳେ ଅବଶ ହୋଇ ପଡ଼ିଚି । ମୁଁ ତାକୁ ଆଖିରେ ଠିକ୍ ଧରି ପାରୁନାହିଁ, ଗ୍ରନ୍ଥିଗୁଡ଼ିକ ମଝିରେ ରହି ବାଧା ବି ଦେଉଚନ୍ତି । କେବଳ ହରାଇବାର ବେଦନା ମଧ୍ୟଦେଇ ମୁଁ ତାହାର ପରିଚୟ ପାଉଚି ।

 

ରୋଗା ଶରୀର ଆଉ ମୋ’ ମନଟାକୁ ବି ରୋଗା କରିଦେଲା କି ? ମନର ଅମର୍ତ୍ତ୍ୟ ଆକାଙ୍‌କ୍ଷା ମୋତେ ଚିରଦିନ ପୁଲକିତ କରି ଆସିଚି, ମନର ଡେଣା ଲଗାଇ କେତେକେତେ ଉଦାସ ବେଳରେ ମୁଁ କେତେଥର ଦେବତ୍ୱର ସାନ୍ନିଧ୍ୟ ପରଶ ପାଇଚି, ସେହି ମନର ନିତ୍ୟାଭିଳାଷୀ ଧର୍ମଟି ଆଜି ଜୀବନରୁ ଅନ୍ତ ହୋଇଗଲା କି ?

 

୨୩.୧୧.୧୯୪୯

 

ସମସ୍ତ ମନକୁ ମୁକ୍ତ କରିଦେଇ ଆଜି ମଣିଷର ସାନ୍ନିଧ୍ୟ ଉପଭୋଗ କରିଚି । ଆପଣାକୁ ଭୁଲି ଆଜି ସମସ୍ତଦିନଟି ମଣିଷମେଳରେ କଟିଯାଇଚି, ତଥାପି କୌଣସି କ୍ଳାନ୍ତି ଆସିନାହିଁ । ନିଜ ଭିତରର ଖ୍ୟାତିଲୋଭୀ ମନଟାକୁ ଗଣ୍ଠିକରି ରଖିଥିଲେ ହୁଏତ ମୁଁ ସଂସାରପାତ୍ରରୁ ଏହି ମଧୁର ସନ୍ନିଧିରସ ପାନ କରିବାର ସୁଯୋଗ ହିଁ ପାଇ ପାରିଥାନ୍ତି, ଆପଣାର ଯଶ ଓ କ୍ଷତିର ଭୟରେ ହୁଏତ ଆପଣାକୁ ବଡ଼ ବିବଶ କରି ମୁଁ ମଣିଷ ମେଳରୁ ବିରକ୍ତ ଓ ଆହତ ଚିତ୍ତ ହୋଇ ପଳାଇ ଆସିଥାନ୍ତି, ଦିନଟାଏ ବୃଥା କରିଦେଲି ବୋଲି ହୁଏତ ମୁଁ ଆପଣା ବିବେକକୁ ଧିକ୍‌କାର ମଧ୍ୟ ଦେଇଥାନ୍ତି । କିନ୍ତୁ ଆଜି ମୋର ସେପରି କୌଣସି ଚିତ୍ତବିକାର ହୋଇନାହିଁ । ମୁଁ ଯେମିତି ପୂର୍ଣ୍ଣ ହୋଇ ଯାଇଥିଲି, ଠିକ୍ ସେମିତି ପୂର୍ଣ୍ଣ ହୋଇ ଆପଣାର ନୀରବ କୁଲାୟଟିକୁ ବାହୁଡ଼ି ଆସିଚି । ବେଶୀ ଦେଇଚି କି ବେଶୀ ନେଇଚି, ସେ କଥା ତୁଳି ବସିବାର ମନକୁ ମୁଁ ଏକାବେଳେକେ ହରାଇଦେଇଚି । ଚିତ୍ତର ନାନା ଦୁର୍ବଳ ଅବସରରେ ଆପଣାର କୃଷ୍ଣ କୂପରେ ନିମଗ୍ନ ରହି ମୁଁ ବିଶ୍ୱଠାରୁ ବିଚ୍ଛିନ୍ନ ହୋଇ ରହିବାର ଯେତେବେଳେ ତର୍କତନ୍ତୁକୁ ଗଅଁଠାଇ ରଖିଥିଲି, ଆଜି ସେଗୁଡ଼ିକ ଯେପରି ସମ୍ପୂର୍ଣ୍ଣଭାବେ ଉନ୍ମୋଚିତ ହୋଇଯାଇଚି । ଆପଣାର ଦୁଆରଟିକୁ ଖୋଲି ଦେଇ ମୁଁ ମୋ’ଲାଗି ଅପେକ୍ଷା କରି ରହିଥିବା ବିଶ୍ୱସଂସାରକୁ ଶୁଦ୍ଧରୂପରେ ଆପଣା ଭିତରକୁ ଡାକି ନେଇ ଆସିଚି ।

 

ଏତେ ଟିକିଏ ଟିକିଏ ଆଶଙ୍କା ଭିତରେ ଆପଣାକୁ ମଜ୍ଜାଇ ଦେଇ ମୁଁ ଏହି କେତେଦିନ ଭାରି ବିଚଳିତ ହୋଇ ପଡ଼ିଥିଲି । ଆଜି ବୁଝିଲି ସଂସାର ଆପଣାର କଲ୍ୟାଣପଥରେ ଠିକ୍ ଚାଲିଚି, କେବଳ ମୁଇଁ ମଝିରେ ମୋର ମନଃପ୍ରସୂତ ଆଶଙ୍କାକୁ ନେଇ ମରିବାରେ ଲାଗିଚି ।

 

୨୪.୧୧.୧୯୪୯

 

ଶ୍ରୀ ଅରବିନ୍ଦଙ୍କର ସିଦ୍ଧଦିବସରେ ଆଜି ମୁଁ ତାଙ୍କ କଥା ଏକାବେଳେକେ ଭୁଲିଯାଇଥିଲି । ଯେତେ ଲୁଚାଇ ବୁଲିଲେ ମଧ୍ୟ ବିକ୍ଷିପ୍ତ ମନର ସ୍ୱରୂପଟା ଏହିପରି ଆପେଆପେ ଧରା ପଡ଼ିଯାଏ । ଆପଣାର ଦୂରନ୍ତ ପିପାସାଟି ସମ୍ବନ୍ଧରେ ଯଦି ଅନ୍ତର ସର୍ବଦା ସଚେତ ରହି ପାରୁଥାନ୍ତ, ତେବେ ସେମାନଙ୍କର ବିଶିଷ୍ଟ ତିଥିମାନଙ୍କରେ ମହାତ୍ମା ଓ ମନୀଷୀମାନଙ୍କର ସାନ୍ନିଧ୍ୟ ପାଇବାରୁ ମୁଁ କେବହେଲେ ବଞ୍ଚିତ ହେଉ ନ ଥାନ୍ତି । ନା,—ମୋତେ ଆହୁରି ଅନେକ ବାଟ ଯିବାକୁ ହେବ, ବାଟର ସମସ୍ତ ପ୍ରଲୋଭନ ଡିଆଁଇ ବାଟଶେଷର ଚିତ୍ତବିହାରରେ ମୋର ସକଳ ନେତ୍ରକୁ ନିବଦ୍ଧ ରଖିବାକୁ ହେବ, ଆପଣା ଜୀବନରେ ସକଳ ଧ୍ୟାନ ଓ ଅନୁଧ୍ୟାନର ପରିସର ବଢ଼ାଇ ସେଗୁଡ଼ିକୁ ବିଶ୍ୱତୋମୁଖ କରିବାକୁ ହେବ ।

 

ମୁଁ ଶ୍ରୀ ଅରବିନ୍ଦଙ୍କର ଖୁବ୍ କମ୍ ଲେଖା ପଢ଼ିଚି । ମୋଟେ ପଢିନାହିଁ କହିଲେ ମଧ୍ୟ ମଦୌ ଭୁଲ ହେବନାହିଁ । ଯେକୌଣସି କାରଣରୁ ହେଉ, ଏତେ ଉପରେ ଉଡ଼ି ଅନୁତ୍ତର ଚେତନାମୃତକୁ ପାନ କରିବାଲାଗି ମୋର ମାଟିଲଗା ମନ ପକ୍ଷୀଟା ଏ ପର୍ଯ୍ୟନ୍ତ ସାହସ କରିନାହିଁ, ଧରଣୀର କୁସୁମସ୍ତବକଟି ପରି ଏହି ଧୂଳିଧୂସର ଜୀବନପ୍ରଚ୍ଛଦ ଉପରେ ହିଁ ଆପଣାର ପ୍ରଶତ ଚିତ୍ତକୁ ସମର୍ପିତ କରି ରଖିବାକୁ ମୁଁ ପରମ ସୌଭାଗ୍ୟ ମନେକରୁଚି । ଜୀବନରେ ଏତେ ଉପରକୁ ଯାଇ ହୁଏ କି ନା, ଆପଣା ହୃଦୟର ପ୍ରବୁଦ୍ଧ ବୃତ୍ତିଗୁଡ଼ିକ ଦ୍ୱାରା ସେସବୁର ବିଚାର କରିବାର ଯୋଗ୍ୟତା ମଧ୍ୟ ମୁଁ ଏପର୍ଯ୍ୟନ୍ତ ହାସଲ କରି ପାରିନାହିଁ । ତେଣୁ ସେହି ପୁଣ୍ୟମୟ ଦ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ଏଇଠୁ କେବଳ ମୋର ସର୍ବାନ୍ତର ପ୍ରଣାମଟିକୁ ହିଁ ପଠାଇବା ବ୍ୟତୀତ ଆଉ ମୁଁ କିଛି କରିପାରୁ ନାହିଁ । ତାଙ୍କୁ ନେଇ ଗର୍ବ କରିବାର ଦମ୍ଭ ମୋର ନାହିଁ, କାରଣ ତାଙ୍କର ଜାତି-ଦେଶ-କାଳାତୀତ ଚିନ୍ତାଦୃଷ୍ଟିକୁ ମୁଁ ଆପଣାର କରି ହଜମ କରି ପାରିନାହିଁ । ତଥାପି ମୋର ସୀମିତ ଦୃଷ୍ଟିମାର୍ଗର ଅନ୍ତରାଳରେ ରହିଚି ବୋଲି ସେହି ବ୍ୟକ୍ତିତ୍ୱର ବିରାଟ ଜ୍ୟୋତିର୍ମୟ ପଥକୁ ଅସ୍ୱୀକାର କରିବାର ବଡ଼ାଇ ମଧ୍ୟ ମୁଁ କଦାପି କରିବି ନାହିଁ ।

 

୨୫.୧୧.୧୯୪୯

 

ଭିତରେ ଯୁବକସୁଲଭ ଉତ୍ତେଜନା ପୂରାମାତ୍ରାରେ ରହିଚି । ସେଇଥିଲାଗି କୋଉଥିରେ ଏତେ ଟିକିଏ ବ୍ୟତିକ୍ରମ ଦେଖିଲେ ମୋର ମନ ଭାରି ବିଚଳିତ ହୋଇ ପଡ଼ୁଚି । ବ୍ୟତିକ୍ରମର ସମାଧାନ କରିନପାରି ମୋତେ ଆପଣା ମନରେ ଅନେକ ଦହନ ସହିବାକୁ ପଡ଼ୁଚି । ଜଗତରେ ହୁଏତ ଅନେକ ଖରାପ ଉପାଦାନ ରହିଚି, ଠିକ୍ ଯେମିତି ମୋ ଭିତରେ ମଧ୍ୟ ରହିଚି । ଯାହା ନ ହେବା ଉଚିତ ଥିଲା, ହୁଏତ ଆଖି ଆଗରେ ସେପରି ଅନେକ କଥା ହୋଇଯାଉଚି, ଅନେକ ଅଯୋଗ୍ୟ ପାତ୍ରରେ ହୁଏତ ଯୋଗ୍ୟତାର ଗୌରବକୁ ଅଜାଡ଼ି ଦେଇ ନଷ୍ଟ କରାଯାଉଚି, ମାତ୍ର ସେଥିପାଇଁ ଆପଣା ମନୋଜାତ ବିଦ୍ୱେଷରେ ଜଳିମରିଲେ ମୋର କି ଲାଭ ହେବ ? ଯିଏ ଯାହା ପାଉ ବା ଯିଏ ଯାହା ହେଉ ପଛକେ, ସମସ୍ତଙ୍କୁ ଟପି ଶେଷରେ ସତ୍ୟ ହିଁ ଜିତିବ, କଲ୍ୟାଣକରର କଲ୍ୟାଣ କଳ୍ପନା ହିଁ ଶେଷରେ ପରିପୂର୍ଣ୍ଣ ହେବ । ଏହି କଳ୍ପନାରୁ ପ୍ରସୂତ ହେଉଥିବା experimentର ପ୍ରତିମୂର୍ତ୍ତି ହୋଇ ଆମେ ସମସ୍ତେ ପୃଥିବୀକୁ ଆସିଚୁ । ଆପଣାର ଏହି ଉତ୍ତରାଧିକାରକୁ ମନ ପଥରୁ ଉଢ଼ୁଆଳ କରି ରଖି ନିକୃଷ୍ଟ ଅନୁରକ୍ତିମାନ ହୁଏତ ବେଳେବେଳେ ଆମ ଜୀବନକୁ ବଶ କରି ରଖୁଚି, ମଣିଷ ଅମଣିଷତାର false light ପଛରେ ଚାଲିଯାଉଚି । ତଥାପି ଏହିସବୁ ଭ୍ରାନ୍ତ ଆକର୍ଷଣ ସତ୍ତ୍ୱେ ଜଗତର ଶ୍ରେଷ୍ଠ ଓ କଲ୍ୟାଣନିଷ୍ଠ ମନ ଚିରଦିନ ଆପଣାର କଥା କହିଆସିଚି, ଆପଣାର କାମ କରିଯାଇଚି । ଶକ୍ତିର ଏକ C-operative Store houseରେ ମଣିଷ ଭିତରର ଭଲକୁ ଏକତ୍ରିତ କରି ସେ ଆଜି ମହାପୃଥିବୀର ଜନ୍ମଚକ୍ରକୁ ଧନ୍ୟ କରିବାକୁ ଯାଉଚି । ମଣିଷର ଏହି ଭଲକୁ ହିଁ ମୁଁ ସବୁଦିନ ଚିହ୍ନିରଖିବି । ସଭିଙ୍କୁ ମୁଁ ମୋ ଅନ୍ତରର ଭଲଟି ସହିତ ସହଯୋଗ କରୁଥିବା ସାଥୀ ବୋଲି ଜାଣିବି ।

 

୨୬.୧୧.୧୯୪୯

 

ଓଡ଼ିଶାର ବିଭିନ୍ନ ସହରରେ ଯିଏ ଯେତେ ଉଦ୍ଦେଶ୍ୟରେ ଯେତେ ରକମ ଶ୍ରୀଯୁକ୍ତ ହରେକୃଷ୍ଣ ମହତାବଙ୍କର ସୁବଣ୍ଣ-ଜୟନ୍ତୀ ପାଳନ କରୁ ଥାଆନ୍ତୁ ପଛକେ ସେସବୁ ମତଲବର ସଦର-ମଫସଲ ଭେଦି ମୁଁ କେବେହେଲେ ଆତ୍ମସନ୍ତୋଷ ଲାଭ କରିବି ନାହିଁ । ତାଙ୍କର ଏହି ସ୍ମାରକ ଦିବସରେ ଭଗବାନ ତାଙ୍କୁ ଆହୁରି ବଳ ଦିଅନ୍ତୁ, ଆପଣାର ଶ୍ରେଷ୍ଠ ବୃତ୍ତିଗୁଡ଼ିକୁ ଭଗବାନଙ୍କ କାର୍ଯ୍ୟଲାଗି ସମର୍ପଣ କରିଦେବାକୁ ଭଗବାନ ତାଙ୍କର ସକଳ ଅପୂର୍ଣ୍ଣତାକୁ ପରିପୂର୍ଣ୍ଣ କରିଦିଅନ୍ତୁ । ତାଙ୍କର ସେବାମୟ ଜୀବନ ଯଥାର୍ଥରେ ସାର୍ଥକ ହେଉ । ପରମେଶ୍ୱରଙ୍କ ନିକଟରେ ମୁଁ ଆଜି ତାଙ୍କରି ଲାଗି ପ୍ରାର୍ଥନା କରୁଚି । ସହରମାନଙ୍କରେ ଅନୁଷ୍ଠିତ ହେଉଥିବା ଉତ୍ସବ ସହିତ ମୋର କୌଣସି ସମ୍ପର୍କ ନାହିଁ, ପ୍ରାର୍ଥନାଲାଗି ଏତେସବୁ ଖୁଣି ଖୁଣ୍ଟି ଜାଣିବାର ବି ଦରକାର ନାହିଁ । ଶ୍ରୀ ମହତାବଙ୍କର ସେବାମୟ ଜୀବନପ୍ରତି ମୋର ଯେଉଁ ଶ୍ରଦ୍ଧା ଓ ଭକ୍ତି ରହିଚି, ଆଜି ତାହାହିଁ ମୋତେ ଏହି ପ୍ରାର୍ଥନା ଲାଗି ପ୍ରେରଣା ଯୋଗାଉଚି ।

 

ଧୈର୍ଯ୍ୟ ରଖି ଶତ୍ରୁକୁ ମଧ୍ୟ ଭଲପାଇବାର କଳା ମୋତେ ଅଭ୍ୟାସଦ୍ୱାରା ଶିଖିବାକୁ ହେବ-। ନାନା କାରଣରୁ ମୁଁ ଯେଉଁମାନଙ୍କୁ ପ୍ରିୟ ବୋଲି ଜାଣେ, ସେମାନଙ୍କୁ ଭଲପାଇବା ଲାଗି ମନକୁ କୌଣସି ଶିକ୍ଷାଦେବାକୁ ପଡ଼େନାହିଁ ବା କୌଣସି ସଂଯମ ଅବଲମ୍ବନ କରିବାକୁ ପଡ଼େନାହିଁ । କିନ୍ତୁ ମିତ୍ର ଓ ଶତ୍ରୁ ଉଭୟଙ୍କ ଲାଗି ଅବାରିତ ସ୍ନେହ ଓ ମୈତ୍ରୀର ମନୋବୃତ୍ତି ରଖିବାର ଅର୍ଥ ହେଉଚି ମଣିଷ ଜୀବନରେ ନିହିତ ରହିଥିବା ଶ୍ରେୟକୁ ହିଁ ଭଲପାଇ ଶିଖିବା । ମୋର ସକଳ ପ୍ରୀତି ଓ ଅଭିରତି ଶ୍ରେୟକେନ୍ଦ୍ରୀ ହେଉ । ସକଳ ପ୍ରକାର ସମ୍ବନ୍ଧରେ ମୁଁ କେବଳ ଆପଣା ଅନ୍ତରର ଶ୍ରେୟଟିକୁ ହିଁ ପ୍ରତିଫଳିତ କରିବାର ଶକ୍ତି ଅର୍ଜନ କରେ !

 

୨୭.୧୧.୧୯୪୯

 

ଦେଢ଼ବରଷ ପରେ ଆନନ୍ଦଜୀଙ୍କ ସହିତ ଦେଖାହେଲା । ବିଶ୍ୱଶାନ୍ତି ସମ୍ମିଳନୀର ଜଣେ ପ୍ରତିନିଧି ହିସାବରେ ସେ ଆଜି ଏଠାରେ ଆସି ପହଞ୍ଚିଲେ । କୋଡ଼ାଇ କେନାଲରୁ ଆସିବା ପରଠାରୁ ତାଙ୍କପ୍ରତି ମୋର ଯେପରି କେମିତି ଗୋଟାଏ ମନୋଭାବ ଆସିଯାଇଥିଲା । ତାଙ୍କସହିତ ମୋର ସମ୍ବନ୍ଧ ବିଷୟରେ ଭାବିବା ମାତ୍ରକେ ମନଭିତରେ ଯେପରି ଗୋଟାଏ ଦୁଃଖ ଓ ଶ୍ଲେଷମିଶା ଭାବ ସୂଚିତ ହୋଇ ଉଠୁଥିଲା । ଆଜି ଷ୍ଟେସନରେ ତାଙ୍କୁ ଦେଖିବା ମାତ୍ରକେ ସେହିସବୁ ଭାବ ତତ୍‌କ୍ଷଣାତ୍ କୁଆଡ଼େ ମିଳାଇ ଗଲାପରି ଲାଗିଲା । ଶାନ୍ତିନିକେତନରେ ରହିବାଦ୍ୱାରା ମୁଁ ଆଗ ତୁଳନାରେ ଟିକିଏ soft ହୋଇପଡ଼ିଚି ବୋଲି ସେ ଥରେ ଲେଖିଥିଲେ । ସେହିଦିନଠାରୁ ସେଥିଲାଗି ମୋ ମନରେ ଭାରି ଦୁଃଖ ହୋଇଥିଲା । ପୃଥିବୀରେ ମୁଁ ଯେଉଁମାନଙ୍କୁ ଆପଣାଇ ଅତି ନିକଟରେ ପାଇପାରିଚି, ସେମାନଙ୍କ ଭିତରେ ଆନନ୍ଦଜୀ ହେଉଚନ୍ତି ଜଣେ । କେତେ ଦୁର୍ବଳ ମୁହୂର୍ତ୍ତରେ ତାଙ୍କର ବ୍ୟକ୍ତିତ୍ୱ ଓ ପ୍ରେରଣା ମୋତେ ଅନେକ ବଳ ଦେଇଚି । କେବଳ ଗୋଟାଏ ମତବ୍ୟକ୍ତ କରିଦେଇ ସେ ଚୁପ୍ ରହିଯିବା ଦ୍ୱାରା ମୋତେ ସେଥରେ ଭାରି ବାଧିଥିଲା । ଇତର ସଦୃଶ ଜଣେ onlooker ପରି ତାଙ୍କର ଏହି ମତ ଶୁଣି ମୁଁ ବଡ଼ ଆଘାତ ପାଇଥିଲି । ଏହି ଆଘାତ ମୋତେ କ୍ଷତିଗ୍ରସ୍ତ କରିବା ପରିବର୍ତ୍ତେ ଅଧିକ ବିଭବମୟ କରିଚି । ପିତାମାତାଙ୍କର ଆଘାତ ପରି ମୋ ଭିତରେ ଆଶୀର୍ବାଦ ରୂପେ ପ୍ରବେଶ କରିଚି ଓ ମୋତେ ମୋର ଅନ୍ତର ବ୍ୟକ୍ତିତ୍ୱଟିକୁ ଅଧିକ ସ୍ପଷ୍ଟଭାବରେ ଚିହ୍ନାଇ ଦେଇଚି । ସେହି ଆଘାତର ଜୟ ହେଉ ।

 

୨୮.୧୧.୧୯୪୯

 

‘What is it that prevents the heart from following or co-operating with reason ?’—ବିବେକ ଗୋଟାଏ ଆଡ଼େ ବାଟ ଦେଖାଏ, ଅଥଚ ହୃଦୟ ଆପଣାକୁ ଅନ୍ୟବାଟରେ ଚାଳିତ କରିନିଏ । ପ୍ରତ୍ୟେକ ମଣିଷର ନିଶ୍ଚୟ ଏହି ଅଭିଜ୍ଞତା ରହିଥିବ । ଏପରି କାହିଁକି ହୁଏ ? ଶ୍ରୀମତୀ ମୀରାବେନ୍‌ଙ୍କ ପାଖକୁ ଲେଖିଥିବା ଖଣ୍ଡିଏ ଚିଠିରେ ଗାନ୍ଧିଜୀ ମଧ୍ୟ ଏହି ପ୍ରଶ୍ନଟି ପଚାରିଚନ୍ତି । ବିଶ୍ୱାସର ଅଭାବ ଯେ ଏହି ଅପାରଗତାର ସବୁଠାରୁ ବଡ଼, କାରଣ ଗାନ୍ଧିଜୀଙ୍କର ଦ୍ୱିତୀୟ ପ୍ରଶ୍ନଟି ଯେପରି ଦୁଇଗୁଣ affirmation ସହିତ ସେତିକଥାଟି ସୂଚିତ କରି ଦେଇଯାଏ ! ମଣିଷ ପ୍ରଧାନତଃ ତିନୋଟି ପ୍ରଧାନ ପ୍ରବୃତ୍ତି ଦେଇ ନିଜକୁ ପ୍ରକାଶିତ କରେ । emotions ଦେଇ ସେ ଅନୁଭବ କରେ, cognition ଦେଇ ଜାଣେ, ଏବଂ conation ଦେଇ ସିଏ ଆପଣାର କର୍ମପଥରେ ବା ପ୍ରକାଶ ପଥରେ ଅବତୀର୍ଣ୍ଣ ହୁଏ । ମଣିଷମନର ଏହି ତିନୋଟି ମୌଳିକ ପ୍ରବୃତ୍ତିକୁ କେବଳ ଶୁଖିଲା empiricist ଦୃଷ୍ଟିରୁ ନ ଦେଖି ସମୂହ ଦୃଷ୍ଟିରୁ ଦେଖିବାକୁ ହେବ । ତାହାହେଲେ ବାହାରର ମନ ସହିତ ଭିତରର intuitionକୁ ମଧ୍ୟ ଗୋଟିଏ instrument of knowledge ବୋଲି ଧରିବାକୁ ପଡ଼ିବ । ସେ ଯାହାହେଉ, ସାଧାରଣତଃ ଅଧିକାଂଶ କ୍ଷେତ୍ରରେ ମଣିଷ ଏହି ତିନୋଟିଯାକ ପ୍ରବୃତ୍ତିକୁ ପରସ୍ପରର ସହଯୋଗୀ ଓ ସମାନ୍ତର ଭାବରେ ଚାଳିତ କରି ପାରେନାହିଁ । ନାନା ବିକ୍ଷେପ ଏବଂ ଅନୁରକ୍ତିର ବଶବର୍ତ୍ତୀ ହୋଇ ସେ ଆପଣାକୁ ତିନିଧାରରେ ବିଭକ୍ତ କରି ପକାଏ, ଅନେକ ସମୟରେ ତା’ ବ୍ୟକ୍ତିତ୍ୱର ଏହି ତିନୋଟି ଧାରା ପରସ୍ପରକୁ intersect କରି ଆପଣା ଆପଣାର ସ୍ୱାଭାବିକ ମାଧୁରୀକୁ ନଷ୍ଟ ଓ ବିକଳ କରିପକାନ୍ତି । faith ବା ବିଶ୍ୱାସ ହିଁ ମଣିଷର ଏହି ତ୍ରିଧାରର ରଜ୍ଜୁକୁ ପରସ୍ପରର ସହଯୋଗୀରୂପେ ନିୟନ୍ତ୍ରିତ କରିଥାଏ, ମଣିଷଜୀବନର integrityକୁ ଧରିରଖେ ଏହି ଅବିକଳ ବିଶ୍ୱାସ ଶକ୍ତି । ଏହି ବିଶ୍ୱାସ ମଣିଷର ସକଳ ପ୍ରକାଶବୃତ୍ତିକୁ ଗୋଟିଏ ନିର୍ଦ୍ଦିଷ୍ଟ ଆଡ଼କୁ ଧାଡ଼ିତ କରାଏ । ସେଥିପାଇଁ ଯୋଗଦର୍ଶନରେ faith ଉପରେ ଏତେବେଶୀ ଜୋର ଦିଆଯାଇଚି । ଯେ କୌଣସି ସାଧନା ଆରମ୍ଭ କରିବା ପୂର୍ବରୁ ସାଧକଠାରୁ ସଫଳତାର ଯେଉଁ ତିନୋଟି ସର୍ତ୍ତ ଦାବୀ କରାଯାଇଚି, ଆପଣାର ସିଦ୍ଧି ଉପରେ ପରିପୂର୍ଣ୍ଣ ବିଶ୍ୱାସ ହେଉଚି ସେଥିଭିତରୁ ପ୍ରଧାନତମ । ବିଶ୍ୱାସ ହିଁ ମଣିଷକୁ ଆପଣାର ସକଳ ଦେୟକୁ ଗୋଟାଏ ଉଦ୍ଦେଶ୍ୟରେ ଏକଧାର କରି ଉତ୍ସର୍ଗ କରିଦେବାର ବଳ ଦିଏ-। ମଣିଷର ଯାବତୀୟ ଧ୍ୟାନ, ମନ ଓ କର୍ମଚରଣକୁ ତାହା ଗୋଟିଏ ଲକ୍ଷ୍ୟର ପୂର୍ତ୍ତିଲାଗି ପ୍ରେରିତ କରାଏ । ଆମେ ଆଜି ହୁଏତ ସେହି ବିଶ୍ୱାସକୁ ହିଁ ହରାଇ ବସିଚୁ, ସେଥିଲାଗି ଜୀବନର କେନ୍ଦ୍ରକିକତା ରଖିପାରିବାର ଶକ୍ତି ମଧ୍ୟ ଆଉ ଆମଠାରେ ରହି ପାରୁନାହିଁ । ଗୋଟିଏ ତୀର୍ଥର ଯାତ୍ରୀପରି ଆପଣାର ସକଳ ତନ ଓ ସକଳ ଧନକୁ ଉତ୍ସର୍ଗର କରିବାଲାଗି ଆମର ଶକ୍ତି ମଧ୍ୟ ବିଭକ୍ତ ଓ ବିକଳହୋଇ ପଡ଼ିଚି । ନାନାଆସକ୍ତି ଭିତରେ ଧନ୍ଦିହୋଇ ଆମର ମନ ଆପଣା ମମତାଗୁଡ଼ାକର ଆବର୍ତ୍ତ ମଧ୍ୟରେ ହିଁ ଘୁରିମରୁଚି । ତଥାପି କୌଣସିଠାରେ ହିଁ ଶୁଦ୍ଧପୂତ ଭାବରେ ଆପଣାକୁ ସମର୍ପିତ କରିଦେଇ ପାରୁନାହିଁ । ଆମ ହୃଦୟଭିତରୁ ବିଶ୍ୱାସର ଆସନଟିହୁଏତ କୋଉଦିନୁ ଟଳି ପଡ଼ିଲାଣି । ତେଣୁ କୌଣସି ପ୍ରକାର consecrationର ସ୍ୱାଭାବିକ ଭାର ବହନ ନ କରି ଆମେ ପୃଥିବୀର ଯାବତୀୟ ବିଷୟରେ ଗୁଡ଼ାଏ ବକିବାକୁ ହିଁ ଆଜି ଭାରି ଉତ୍ସାହ ପାଉଚୁ । ଆଜି ପୃଥିବୀ ଏହି କଥାରେ ଫାଟି ପଡ଼ୁଚି; ଗ୍ରନ୍ଥପରେ ଗ୍ରନ୍ଥ ଜମା ହେବାରେ ଲାଗିଚି, ମାତ୍ର ଆମର ଅନ୍ତର୍ମନ ଭିତରେ ମୁଦା ପଡ଼ିଯାଇଥିବା ସେହି ବିଶ୍ୱାସଧନଟି ଆଉ ମୁକୁଳି ପାରୁନାହିଁ-। ତେଣୁ ମଣିଷର ସକଳ ଚିନ୍ତା ଭାବନା ତାହାକୁ ଅଧିକରୁ ଅଧିକ ଦୁର୍ବଳ କରିବାରେ ଲାଗିଚି-

 

୨୯.୧୧.୧୯୪୯

 

ବିଶ୍ୱଶାନ୍ତି ସମ୍ମିଳନୀର ପ୍ରତିନିଧିମାନଙ୍କ ଦ୍ୱାରା ଶାନ୍ତିନିକେତନ ଭରି ଉଠିଲାପରି ଲାଗୁଚି-। କାଲି ଆହୁରି ଅନେକେ ଆସିବେ । କେବଳ ଶାନ୍ତିକାମୀ ନୁହେଁ, ଶାନ୍ତି-କର୍ମମାନଙ୍କର ଏହି ବିଶ୍ୱସମ୍ମିଳନୀ ଆଗରୁ କେବେ ହୋଇନଥିଲା । ପ୍ରତ୍ୟେକ ଆନ୍ତର୍ଜାତିକ ସମ୍ମିଳନୀରେ କୌଣସି ସରକାରୀ ହସ୍ତକ୍ଷେପର ଛାୟା ବରାବର ରହିଥିଲା । କିନ୍ତୁ ସକଳ ସରକାରୀ ସୀମାକୁ ଅତିକ୍ରମ କରି ସାରା ଜଗତର ସ୍ୱାଧୀନ ସେବକମାନେ ଏଇଥର ସର୍ବପ୍ରଥମେ ଏକ୍‌ଜୁଟ ହେବାର ସୁଯୋଗ ପାଇଲେ । ମହାତ୍ମାଗାନ୍ଧିଙ୍କର ସ୍ୱପ୍ନ ସଫଳ ହେଲା ।

 

ପ୍ରତି ଅନ୍ତରର ନିର୍ଯାତିତ ମଣିଷ ଆଜି ଶାନ୍ତିଲାଗି ଅଧୀର ହୋଇ ଉଠିଲାଣି । ଦୁଇଦୁଇଟା ମହାଯୁଦ୍ଧ ପରେ ଜଗତରୁ ଜୀବନର ଶିରୀ ତୁଟି ଗଲାଣି । ତଥାପି ରାଜନୀତି ଓ ଅନ୍ୟାନ୍ୟ ନାନା ‘ଜଡ଼ି ବୁଟୀ’ର ଝୁଲାମୁଣି ଧରିଥିବା ମଣିଷ ଚରାଳିମାନେ ଆଉ ଗୋଟାଏ ମହାଯୁଦ୍ଧ ଲାଗି ପ୍ରାଥମିକ ଆୟୋଜନ ମାନ ଆରମ୍ଭ କରିଦେଲେଣି । କିନ୍ତୁ ଜଗତର ମଣିଷ ଶାନ୍ତିହିଁ ଚାହେଁ । କେବଳ ଅସ୍ତ୍ରଶସ୍ତ୍ରର ସାଜସଜ୍ଜାରେ ନୁହେଁ ସମାନ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଯୁଦ୍ଧର ବୀଜ ନାନା ପ୍ରକାର ପୃଥିବୀ ସାରା ବିକ୍ଷିପ୍ତ ହୋଇ ରହିଚି । ଏଯୁଗର ଶାନ୍ତିକାମୀକୁ ଏହିସବୁ ବିଷ ହଜମ କରିବାକୁ ପଡ଼ିବ । ସମସ୍ତ ପ୍ରଲୋଭନ ଓ ଧୋବଧାଉଳା ସମସ୍ତ ଅଫିମଖୋରୀ ମାନଙ୍କ ଉପରେ ମନକୁ ସାହସୀ ହୋଇ ଠିଆହେବାକୁ ପଡ଼ିବ । it is so dangerous to be good ! ଆଗାମୀ ସପ୍ତାହର ଏହି ସମ୍ମିଳନଟିର ଉଚ୍ଚ ଆଶା ପୂର୍ଣ୍ଣ ହେଉ । ସକଳ ସମସ୍ୟାରୁ ନିଷ୍ଠା ଓ ନିର୍ଭୟତା ସହିତ ବିଚାର କରି ସଠିଖ ଓ ପୂର୍ଣ୍ଣ ମାର୍ଗ ନିରୂପଣ କରିବାର ବଳ ଭଗବାନ ସବୁରି ମନରେ ଭରି ଦିଅନ୍ତୁ ।

 

୩୦.୧୧.୧୯୪୯

 

ପ୍ରଳାପୀ ପୃଥିବୀଠାରୁ ପ୍ରେରଣା ଓ ପ୍ରଲୋଭନ ପାଇ ହଠାତ୍ ଇଚ୍ଛା ହୁଏ ମୁଁ ନିଜେ ବି ପ୍ରଳାପ କରି ଆପଣାକୁ ଫଟାଇଦେବି । ଆପଣାର ଗର୍ଭରେ ଯଦି କିଛିହେଲେ ସାଇତା ଓ ସଜଡ଼ା ରତ୍ନ ରହିଥିବ, ତେବେ ଜଗତ ତାହାକୁ ଅବଶ୍ୟ ସ୍ୱୀକାର କରିନେବ । କିଛି ନ କରି ପାରିଲେ ତାହା ଅବହେଳିତ ଭାବରେ ଅନ୍ତତଃ ଯେଉଁଠାରେ ପଡ଼ିବ ସେଇତକ ଧୂଳିକୁ ହୁଏତ ଆଲୋକିତ କରିଦେବ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସଙ୍ଗେ ସଙ୍ଗେ ଅନ୍ତରର ଆପଣା ମଣିଷଟି ଏହିସବୁ ଆକାଂକ୍ଷାକୁ ଭିତରକୁ ଟାଣିନିଏ । ମୁଁ ଯାହା ସାଇତି ରଖିଚି, ସେତିକିରେ ମୁଁ ଆପେ ସନ୍ତୁଷ୍ଟ ହୋଇନାହିଁ, ଅନିମେଷ ଦୃଷ୍ଟିରେ ସେହି ଆଲୋକର ଗଭୀରକୁ ଅନାଇ ପାରିବାର ଯୋଗ୍ୟତା ମୁଁ ଆପେ ଅର୍ଜ୍ଜନ କରି ପାରିନାହିଁ, କେବଳ ଝଡ଼ଭିତରର ଗଛଡ଼ାଳ ପରି ସମୟ ସମୟରେ କମ୍ପି ଉଠି ବାୟୁର ଅସ୍ତିତ୍ୱ ହିଁ ଅନୁଭବ ମାତ୍ର କରୁଚି । କାହାକୁ ମୁଁ ଦେବି, ମୋର କଣ ବା ଦେବାର ଅଛି ? ଆପଣାର ଜୀବନ ଭିତରେ ମୁଁ ଯାହାକୁ ପରମପ୍ରିୟ ଓ ଶ୍ରେୟ ରୂପେ ହଜମ କରିପାରିନାହିଁ, ତାହାକୁ ଅନ୍ୟ ଦୁଆରେ ରଙ୍ଗକାଚର ପାତ୍ରରେ ଅଜାଡ଼ି ଦେଇ ମୁଁ କ୍ଷଣକ ଲାଗି ତା ଜୀବନର ପ୍ରତିବେଶୀ ହେବାର ଅଭିଳାଷ ବା କାହଁକି ରଖିବି ? ଜୀବନ ଅନନ୍ତ, କାଳ ଅଶେଷ ଜନ୍ମଜନ୍ମାନ୍ତରର ବ୍ୟବଚ୍ଛେଦକୁ ଭେଦକରି ଅନ୍ତରର ଅଭିଳାଷ ଆପଣା ପଥରେ ଆପଣାକୁ ପରିପୂର୍ଣ୍ଣ କରିବ ହିଁ କରିବ । କେବଳ ନାନା ଚିନ୍ତା ଓ ଭାବନାର ଯନ୍ତାଳଘରେ ପଶି ଏହି ଜଗତର ମତିଭ୍ରମ ହୋଇଗଲାଣି, ଶତ ପଥକୁ ଏକପଥ କରି ପାରିବାର ଚିରଶିଷ୍ଟାତା ତାରା ହଜିଯିବାକୁ ବସିଲାଣି । ମାନସିକ ପଣ୍ୟର ଏହି dump ଉପରେ ମୁଁ ପୁଣି କାହିଁକି ଆପଣାର ଦରଚିହ୍ନା image ଗୁଡ଼ାକ ଅଜାଡ଼ିବାକୁ ଯିବି ?

 

୧-୧୨-୧୯୪୯

 

ଶେଷ ମାସର ପ୍ରଥମ ଦିବସରେ ହଠାତ୍ ବର୍ଷଶେଷରେ ବିଦ୍‌ଘାତ ଜାଗିଉଠିଚି । ଅନନ୍ତ କାଳର ନିରଶୀ ଭିତରେ ମୁଁ ମୋ ଜୀବନରେ ଗୋଟିଏ ପାହାଚ ଅତିକ୍ରମ କରିବାକୁ ଯାଉଚି । ପାହାଚଟିକୁ ନ ଡ଼େଉଁଣୁ ନୂଆ ପାହାଚଟିର ଭାବନାରେ ମୋର ସମସ୍ତ ପ୍ରାଣ ଭରି ଉଠୁଚି । ଅନାଗତର ଏହି ସ୍ପର୍ଶପ୍ରେରଣାରେ ଆଗତ ଓ ଅତୀତର ସମସ୍ତ ଖାଲ ଖମା ଏବଂ ପତନ ଏବଂ ଅପଚୟର ସ୍ମୃତିମାନ ପବିତ୍ର ଓ ଆଲୋକିତ ହୋଇ ଉଠୁଚି ।

 

ଆଜି ପଶ୍ଚିମବଙ୍ଗର ସରକାରୀ ଲାଟ (govern/er) ବୋଲପୁର ଷ୍ଟେସନରେ ଓହ୍ଲାଇଲେ । ତାଙ୍କୁ ଅଭ୍ୟର୍ଥନା କରି ଆଣିବାଲାଗି ଶାନ୍ତିନିକେତନରୁ ଆମେ କେତେଜଣ ସ୍ୱେଚ୍ଛାସେବକ ଷ୍ଟେସନରୁ ଯାଇଥିଲୁ । ବୀରଭୂମି ଜିଲ୍ଲାର ବଡ଼ବଡ଼ ଅଫିସରମାନେ ଷ୍ଟେସନରେ ଜମା ହୋଇଥିଲେ । ଏଠିକି ଲାଟସ ହେବ ଓଳିକ ସକାଶେ ଆସିଚନ୍ତି । ସେଥିରେ ପୁଣି ପୂରା ଛଅଟା ସ୍ୱତନ୍ତ୍ର ରଙ୍ଗର ଡବା ତାଙ୍କ ଲାଗି ଗାଡ଼ି ସହିତ ଯୋଖାହୋଇ ଆସିଚି । ବଡ଼ ବଡ଼ ଗହଣିଆଙ୍କ ଛଡ଼ା ପଗଡ଼ି ଓ ଚପକନପିନ୍ଧା ଚପରାସୀ ପର୍ଯ୍ୟନ୍ତ ପ୍ରାୟ ତିରିଶିଜଣ ମଣିଷ ତାଙ୍କ ସହିତ ଆସିଚନ୍ତି । ଓଳିକଲାଗି ସେ ପ୍ରାୟ ଦଶ ବାରଟା ମାଲନେଇ ଆସିଚନ୍ତି । ସେ ଲାଟସାହେବ ହିସାବରେ ଏହି ରାସ୍ତାରେ ଆସିଥିଲେ ହୁଏତ ଅଲଗା କଥା ହୋଇଥାନ୍ତା । ଶାନ୍ତି ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ପ୍ରତିନିଧିମାନଙ୍କୁ ଅଭିନନ୍ଦନ ରୂପେ ପଦେ କହିବାକୁ ତାଙ୍କୁ ଏଠାକୁ ଅଣାଯାଇଥିଲା । ସେଥିଲାଗି ଏତେଗୁଡ଼ାଏ parphernaliaର ଦରକାର କଣ ? ମାନ୍ୟବରଙ୍କ ଲାଗି ଗୋଟାଏ ମାତ୍ର ପ୍ରଥମ ଶ୍ରେଣୀ ଡବାର ବରାଦ କରାଯାଇଥିଲେ ହୁଏତ ସିଏ ଖୁବ ଆରାମରେ ବସି ଏଠାକୁ ଆସିଥାନ୍ତେ ଓ ଆପଣାର କାମ ଶେଷକରି ପୁଣି ଚାଲିଯାଇଥାନ୍ତେ । ଏସବୁ ଅତିରିକ୍ତ ଅକାରବାର ଦେଖିଲେ ଭିତରୁ ମୁକ୍ତ ମନଟା ସ୍ୱତଃ ପ୍ରତିବାଦ କରିଉଠେ । ଦୋଷଟା ଠିକ୍ କେଉଁଠି ବୁଝିହୁଏ ନାହିଁ । ହୁଏତ ସେମାନେ,—ଅର୍ଥାତ୍ ଯେଉଁମାନେ ସରକାରର ଛତ୍ରଛାୟା ବହନ କରି retired ଜୀବନ ଯାପନ କରୁଚନ୍ତି—ସର୍ବଦା state ବା ରାଷ୍ଟ୍ରର ଭୀତିପ୍ରତୀକ ଗୁଡ଼ାକୁ ସାଙ୍ଗରେ ନ ଘୋଷାରି ଆଉ ମୋଟେ ବାଟ ଚାଲିପାରୁନାହାନ୍ତି । ଆପଣାକୁ ଏକ colossal abstraction ର emblem ବ୍ୟତୀତ ଅନ୍ୟ କୌଣସି human ପରିଚୟ ଦେବାର ସୌଜନ୍ୟ ସେମାନଙ୍କର କ୍ରମେ ପାଶୋର ଯାଉଚି, ହୁଏତ ଭଗ୍ନ ଭାରତର ନାମ ଓ ଅତୀତକୁ ଅକିଞ୍ଚନର ସମ୍ବଳ କରି ଧରି ସେମାନେ ଆପଣା ଜୀବନର ଅବଶିଷ୍ଟ କେଇଟା ଦିନ କଟାଇ ନେଉଚନ୍ତି । ସେମାନେ ଭାବୁଚନ୍ତି ସତେ ଅବା ସେମାନଙ୍କ ଅନ୍ତେ ସୃଷ୍ଟି ପ୍ରଳୟ ହିଁ ହୋଇଯିବ । ଆଉ ଗୋଟାଏ ତରଫରୁ ଦେଖିଲେ ଆମ କେକଙ୍କର hero-worship ପାଇଁ ରହିଥିବା neurotic ନିଶାରେ ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଯୁଗ ଯୁଗ ଧରି ସକ୍ରିୟ ସଚଳ ଧର୍ମାଚାର ଓ ଧର୍ମାଭ୍ୟାସରୁ ଆପଣାର ସକଳ ସଂଯୋଗ ଛଡ଼ାଇ ଦେଇଥିବା କାଠମାଦଳ ପରି କେବଳ ଧର୍ମତତ୍ତ୍ୱ ଶୁଣି ଶୁଣି, ପାର୍ଥିବ ଧର୍ମାନୁଶାସକ ମାନଙ୍କର ଶାସନକୁ ସହି ସହି ଏ ଦେଶରେ ମଣିଷର ଅନ୍ତରଟା ଏକାବେଳେକେ ନିଃସ୍ୱ ହୋଇଯାଇଚି କି କଣ, ଇତର ମଣିଷକୁ ମୂଳତଃ ମଣିଷପଣିଆର ମୂଲ୍ୟ ଦେଇ ଭାବିବାର ବିବେକକୁ ସିଏ କ୍ରମେ ହରାଇ ବସିଚି । ଆପଣାକୁ ସମ୍ମାନ ଦେଇ ଜାଣିନାହିଁ ବୋଲି ସେ ଅନ୍ୟର ସମ୍ମାନନୀୟ ମୂଲ୍ୟତକ ମଧ୍ୟ ଚିହ୍ନିପାରୁନାହିଁ । ତେଣୁ ନାମ, ଖ୍ୟାତି, ଧନ ଓ ସମ୍ପଦରୁ ହିଁ ମଣିଷକୁ କଳିବାର ଦୁଷ୍କୃତ୍ତିଟି ସେ ବେଶ ଶିଖିଗଲାଣି । ଜଣେ ମଣିଷ ହିସାବରେ ଲାଟସାହେବଙ୍କୁ ଉଚିତ ସମ୍ମାନ ଦେବା ଆଗରୁ ସିଏ ତାଙ୍କୁ ଆଗ ଗୋଟାଏ ପ୍ରଦେଶରେ ଲାଟହିସାବରେ ଚିହ୍ନୁଚି । ଅଧୋଗତିର ଆବର୍ତ୍ତରେ ପଡ଼ି ତାହାର ପତନ ଦୁଇ ତରଫରେ ବିଷ ଚହଟାଇ ଚାଲିଛି । ହାକିମ ମଧ୍ୟ କେବଳ ଆପଣା ସରକାରୀ ପାହିଆ ଓ ପଦର ପ୍ରଦର୍ଶନ କରି ଲୋକମାନଙ୍କ ପାଖରେ ଆସି ପହଞ୍ଚିବାକୁ ଲଜ୍ଜାବୋଧ କରୁନାହାନ୍ତି, ଦେଶର ଜନଗଣ ମଧ୍ୟ ମଣିଷର ଅସଲ ପରିଚୟକୁ ଭୁଲି ନାମ ଧାମ ଏବଂ ପଦବୀର ଅନ୍ଧ ଭକ୍ତି ଭିତରେ ପ୍ରତିଭାର ସକଳ ମହତ୍ତ୍ୱକୁ ସାରିଦେବାକୁ ଆଦୌ ପଛାଉ ନାହାନ୍ତି ।

 

୨.୧୨.୧୯୪୯

 

anything becomes practical when you believes in it ! ଶ୍ରୀଯୁକ୍ତ ରିଚାର୍ଡ଼ ଗ୍ରେଗ୍‌ଙ୍କର ଭାଷଣରେ ମୁଁ ଆଜି ଇଂଲଣ୍ଡର ଜଣେ ଭୁତପୂର୍ବ ପ୍ରଧାନମନ୍ତ୍ରୀ d’israeliଙ୍କର ଏହି ଉକ୍ତିଟି ଶୁଣିବାକୁ ପାଇଲି । ମନେ ମନେ ମୁଁ ଉକ୍ତିଟିକୁ ଯେତେଥର ଦୋହରାଇ ଯାଉଚି, ମୋଲାଗି ତାହାର ଗଭୀରତା ଯେପରି ସେତିକି ସେତିକି ବଢ଼ି ବଢ଼ି ଯାଉଚି । ସେଦିନ- ଗାନ୍ଧିଜୀଙ୍କ ଚିଠିରେ ମୁଁ ବିଶ୍ୱାସ ବା faith ସମ୍ବନ୍ଧରେ ସେହି ଉକ୍ତିଟି ପଢ଼ିଥିଲି । ମୋର ଶିକ୍ଷାର୍ଥୀ ମନ ଲାଗି ଆଜି ଏଇଟି ଯେପରି ଏକ natural sequence ହିସାବରେ ଆସି ପହଞ୍ଚିଲା ! ଓଡ଼ିଆାରେ ରହିଥିବା ପ୍ରବଚନଟି ଆଜି ମୋର ଆଖିଆଗରେ ଭାରି ଉଦ୍‌ଭାସିତ ହୋଇ ଉଠୁଚି ! ‘ମନ ଥିଲେ ଉପାୟ ବଳେ ଆସିବ !’ ଯାହାକୁ ମୁଁ ସତ୍ୟ ବୋଲି ଗ୍ରହଣ କରି ମୋର ସମସ୍ତ ହୃଦୟ ଦେଇ ବିଶ୍ୱାସ କରିବି, ତା’ଲାଗି ଆପେ ଆପେ ଉପାୟ ଆସି ପହଞ୍ଚିବ । ସାଧାରଣତଃ ବିଚାର କଲେ ମୁଁ ଏପର୍ଯ୍ୟନ୍ତ କୌଣସିଥିରେ ପୂର୍ଣ୍ଣବିଶ୍ୱାସ ରଖି ପାରିନାହିଁ ଆପଣାକୁ ସମର୍ପି ଦେବାଭଳି ଜୀବନର ultimate values ଭିତରୁ ହୁଏତ କୌଣସି ଗୋଟିଏକୁ ମୁଁ ବାଛି ନେଇ ପାରିନାହିଁ । ହୁଏତ ସେଥିଲାଗି ଯେ କୌଣସି issue ର ସଦର ମଫସଲକୁ ନାରଖାର କରି ଦେଖିବାରେ ହିଁ ମୋର ସବୁଠାରୁ ଅଧିକ କସରତ ହେଉଚି, ଆପଣାର ଅଜ୍ଞାତରେ ମୋର ମନଟା ଯେପରି କ୍ରମେ sceptic ହୋଇଯାଉଚି । ମୋର ମନ କୌଣସିଟିରେ ହିଁ ବିଶ୍ୱାସ କରିବନାହିଁ କୌଣସି ଗୋଟିଏ ଆଧାରରେ ଆପଣାକୁ ନିର୍ଭରପୂର୍ଣ୍ଣ ଭାବରେ ଦାନ କରି ପାରିବନାହିଁ-। ହୁଏତ ଏହିପରି ଏକ କାରଣରୁ ମୋର ମନଭିତରେ ଗୋଟାଏ sentimental expediencyର ଭାବ କ୍ରମେ ନିଜର ଛାୟା ବିସ୍ତାର କରି ଚାଲିଚି । ଯେପର୍ଯ୍ୟନ୍ତ ଆପଣାକୁ କିଛି ତ୍ୟାଗ ସ୍ୱୀକାର କରିବାକୁ ନ ପଡ଼ୁଚି ସେପର୍ଯ୍ୟନ୍ତ ମୁଁ ସବୁକଥା ବେଶ୍ ଆଲୋଚନା କରୁଚି, ବନ୍ଧୁମେଳର ନାନା ଚର୍ଚ୍ଚାରେ ବେଶ୍ ଆପଣାର ଦକ୍ଷତା ଓ ଅଭିଜ୍ଞତାକୁ ଦେଖାଇ ପାରୁଚି । କିନ୍ତୁ ଆପଣାକୁ ହିଁ ପୃଷ୍ଠଭୂମିରେ ରଖି କୌଣସି ବିଷୟର ମନନ କଲାବେଳେ ମୁଁ ଭାରି ପଛେଇ ଯାଉଚି-। ମୋର ଭୀରୁ ମନ କୌଣସି ପ୍ରକାରର ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେଉନାହିଁ । ବିଶ୍ୱାସର ପାତ୍ରଟି ହୁଏତ ଶୁଖି ଶୁଖି ଯାଉଚି, ଜୀବନର ନିର୍ଭର ଗୁଡ଼ାକ ହୁଏତ କ୍ରମେ ଦୁର୍ବଳ ହୋଇ ଯାଉଚି-

 

୩.୧୨.୧୯୪୯

 

ମନଭିତରେ ନାନା କଥା ଶାନ୍ତ ସମୁଦ୍ରପରି ପୂର୍ଣ୍ଣ ହୋଇ ରହିଚି । ଲେଖିବାକୁ ଅନେକ ଅଛି । କିନ୍ତୁ ମନୋମତ ଭାଷା ମୁଁ ପାଉନାହିଁ । ତେଣୁ ପ୍ରକାଶ କରିବାର ଉତ୍ସାହ ଆପେ ଆପେ ମରିଯାଉଚି ।

 

ଭଲ ଓ ମନ୍ଦ ଦେଇ ଗଢ଼ା ଦୁର୍ବଳତା ଓ ସକଳ ଶପଥର ରଜ୍ଜୁରେ ବଳା ହୋଇଥିବା ମୋର ଏହି ପରୀକ୍ଷାରତ ପଥିକ ଜୀବନ;—ମାତ୍ର ମୋର ଜୀବନଧାତା ୟାଭିତରୁ କେଉଁଗୁଡ଼ିକୁ ବାଛିନେବ, ସେ କେଉଁଟିକୁ ମୋର ଅସଲ ‘ମୁଁ’ ର ନିବେଦନ ବୋଲି ଗ୍ରହଣ କରିବ ? ମୁଁ ଅନେକ ସମୟରେ ବଣାହୋଇ ଯାଉଚି, ସତବାଟକୁ ବୁଝିକରି ମଧ୍ୟ ମୁଁ ଅନେକ ସମୟରେ ତାହାକୁ ଗ୍ରହଣ କରିପାରୁନାହିଁ, ଏବଂ ମୋହରି ଅଳସ ଜୀବନର ଦୃଷ୍ଟିପଥ ଦେଇ କେତେ ଶ୍ରେୟର ମୁହୂର୍ତ୍ତମାନ ଗଡ଼ିଯାଉଚି । କିନ୍ତୁ ଏହାହିଁ କଣ ମୋର ପରିଚୟ ? ପରମେଶ୍ୱରଙ୍କ ପାଖରେ ଆଜି ମୁଁ ଏହି ପ୍ରାର୍ଥନା କରୁଚି, ମୋର ଏହିସବୁ ପରିଚୟ ଦ୍ୱାରା ଯେପରି ସେ ମୋତେ ଗ୍ରହଣ ନ କରନ୍ତୁ । ମୋର ସମସ୍ତ ଦୁର୍ବଳତା ଓ ସମସ୍ତ କଳୁଷକାଳିମା ତଳେ ଅନ୍ତରର ଶ୍ରେଷ୍ଠ ଶୁଦ୍ଧ ପୂଜାଫୁଲଟି ମଉନ ହୋଇ ରହିଚି, ସବୁ ଆବରଣର ସବୁ ଦୁଆର ଖୋଲିଯିବ ବୋଲି ତାହାର ପ୍ରଣତି କେତେ ଯୁଗରୁ ଅପେକ୍ଷା କରି ରହିଚି ! ସେଠାରେ ନାମ, ଖ୍ୟାତି, ମୋହ ଏବଂ ବିକ୍ଷେପର କୌଣସି ପ୍ରତିବନ୍ଧକ ନାହିଁ । ସେ ପୁରାପୁରି ସେହି ପରମେଶ୍ୱରଙ୍କର । ସେହି ଫୁଲଟିକୁ ଚିହ୍ନି ପରମେଶ୍ୱର ମୋ ଜୀବନରେ ଅବତରଣ କରନ୍ତୁ,—ଜୀବନର ସବୁ ଆକୁଳ ଅଶ୍ୱସ୍ତି ସତ୍ତ୍ୱେ ମୁଁ କେବଳ ସେତିକି ବିଶ୍ୱାସରେ ବଞ୍ଚିରହିଚି ।

 

୪.୧୨.୧୯୪୯

 

This terrible midway passage ! ଏପାରିରୁ ସେପାରି ପାରିହେବା କେତେ କଷ୍ଟସାଧ୍ୟ ଅଥଚ କେତେ ମୁହୂର୍ତ୍ତସାଧ୍ୟ ! ସେପାରି ମୋତେ ଉଚ୍ଛନ୍ନ କରିପକାଏ; ପାରିର ପବନ, ଏପାରିର ଆଲୋକ, ଏପାରି ମଣିଷର ହସ, କାନ୍ଦ, ଉଲ୍ଲାସ ଆର୍ତ୍ତନାଦ ଭିତରେ ମୁଁ ଘଡ଼ିଘଡ଼ି ସେପାରିର ଆଭାସ ପାଏ । ଏକ ଅରୋଧିତ ଆହ୍ୱାନ ରୂପେ ସେହି ଆଭାସ ମୋର ଅନ୍ତରକୁ ଉଦ୍‌ବେଳିତ କରିପକାଏ । ଅଥଚ ପରମୁହୂର୍ତ୍ତରେ ଏପାରିର ନାନା ବନ୍ଧନ ନାନା ସୀମା ଓ ସଜ୍ଜା ମୋତେ ବାନ୍ଧିରଖେ, ମୋର ଶାଶ୍ୱତ ଘରଠାରୁ ମୋତେ ବିଚ୍ଛିନ୍ନ କରିପକାଏ । ଜାଣେନା, ଏହି ଜୀବନର ବାଲିବନ୍ଧଗୁଡ଼ାକୁ ଭାଙ୍ଗି କେବେ ସେହି ସିନ୍ଧୁତରଣର ବେଳ ଆସି ପହଞ୍ଚିବ ଯେତେବେଳେ କି ଏପାରିର ଧୂଳିମାଟି ମୋତେ ଆଉ ସଂକୀର୍ଣ୍ଣ ଓ ମୁଗ୍‌ଧ ହସ୍ତକୁଣ୍ଡଳୀ ଭିତରେ ଆବରି ରଖି ପାରିବ ନାହିଁ । ମନର ଉଦ୍‌ଗାମୀ ନୌକାରେ ସକଳ ବାରଣକୁ ସନ୍ତରଣ କରି ମୁଁ ଏପାରି ସେପାରିର ବ୍ୟବଧାନକୁ ମିଳାଇ ଦେଇପାରିବି, ସେପାରିର ଆଲୋକରେ ଉଦ୍‌ଭାସିତ ମୋର ଚିତ୍ତଦୃଷ୍ଟି ଏପାରିର ସକଳ ସ୍ପନ୍ଦନକୁ ନୂତନତ୍ୱର ବ୍ୟଞ୍ଜନାରେ ଗ୍ରହଣ କରିପାରିବ । ସେପାରି ମୋର ଅତି ପାଖରେ ରହିଚି । ମୋ ଦେହର ପ୍ରତ୍ୟେକ ଲୋମକୂପ ପରି ମୋ’ମନର ଅଜସ୍ର ଗ୍ରହଣକୂପରେ ମଧ୍ୟ ତାହାର ଚିର ଅସ୍ତିତ୍ୱ ମୁଁ ଠିକ୍ ଅନୁଭବ କରିପାରୁଚି । ଅଥଚ ମଝିରେ ରହିଥିବା ଏହି ସମୁଦ୍ରର ବ୍ୟବଧାନ ଟିକକ ମୁଁ ଅତିକ୍ରମି ପାରିନାହିଁ ବୋଲି ପାଖର ପରମାର୍ଥ ମୋର ଦୃଷ୍ଟି ଓ ବୋଧର ଅଗମ୍ୟ ହୋଇ ରହିଚି । ମୋତେ ସେହି ନୌକା ଗଢ଼ିବାର ବଳିଷ୍ଠ କଳା ଶିଖାଇବ କିଏ-? ସମସ୍ତ ହୃଦୟାବେଗକୁ ଏକମୁହାଁ କରି ମୁଁ କେଉଁଦିନ ସେହି ଗୋଟିଏ ମନ୍ଦିର ଉଦ୍ଦେଶ୍ୟରେ ମୋର ମଙ୍ଗକୁ ମୋଡ଼ିନେଇ ପାରିବି ? ସେହି ପୁଣ୍ୟମୟ ପରିଚ୍ଛଦ ବଦଳର ବୀର ବେଳ କେବେ ଆସିବ ?

 

୫.୧୨.୧୯୪୯

 

Be true to your name :—ଯୁକ୍ତପ୍ରଦେଶର ଜଣେ କବି ମୋର ନାମ ଶୁଣି ହଠାତ୍ ଏହିପରି ଏକ ମତ ଦେବାରେ ପ୍ରଥମେ ମୁଁ ଚମକି ପଡ଼ିଲି । ମୋର ଏହି ନାମ ମୁଁ ନିଜେ ଦେଇନାହିଁ । କେଉଁ ଆକସ୍ମିକ କାରଣରୁ ସ୍ୱରାଜଯୁଗର ଜଣେ ନେତାଙ୍କର ଅନୁସରଣରେ ମୋର ନାମକରଣ କରିଥିଲେ, ମୁଁ ତାହା ଠିକ୍ କରି ପାରୁନାହିଁ । ତେଣୁ ସେ ଦିଗରେ ମୁଁ ଖୁବ୍ ବେଶୀ ଚିନ୍ତା ବି କରିନାହିଁ । କିନ୍ତୁ I must true to be my name ! ମୋ’ ଜୀବନର ସୀମାଭରଣ ଭିତରେ ଯେଉଁ ମାହେନ୍ଦ୍ର ମୁହୂର୍ତ୍ତରୁ ବିଶ୍ୱସ୍ରଷ୍ଟାର ଆଲୋକ ଆପଣାଲାଗି ବାସ ବାଛିନେଇଛି, ସେହି ଦିନଠାରୁ ହିଁ ଏକ ସୁକୁମାର ପ୍ରୟାସୀ କୁସୁମକଳି ପୂର୍ଣରୂପେ ଫୁଟିଉଠିବାର ତପସ୍ୟା ଆରମ୍ଭ କରିଦେଇଚି । ବଡ଼ ବିଚିତ୍ର ତା’ର ତପସ୍ୟା, ବଡ଼ ବିଭିନ୍ନ ତା’ର ଆଲୋକ-ବିହରଣ, ପୃଥିବୀର କୌଣସିଟି ସହିତ ତାକୁ କଦାପି ମିଳାଇଦେଇ ହେବନାହିଁ । କେଉଁ କାରିଗର ଆଖିର ବିଶେଷ ବିଶେଷ ସୃଜନପିପାସା ମେଣ୍ଟାଉଥିବା ପୃଥିବୀର ପ୍ରତ୍ୟେକଟି ଫୁଲ ପରି ମୋର ନାମ ଓ ରୂପର ଚାରିପାଖରେ ଏହି ପିପାସାର ପ୍ରତିକ୍ଷାପ୍ରସନ୍ନ ଶ୍ୱାସ ଅହରହ ଆସି ବାଜୁଛି । ସେହି ପିପାସା, ସେହି ମର୍ମଭରା ନାମ ଓ ରୂପକୁ ମୋତେ ସତ୍ୟ ଦେଇ ପରିପୂର୍ଣ୍ଣ କରିଦେବାକୁ ହେବ ।

 

MINE is not so much Knowing HIM, but following HIM and becoming Him । ତାହାରି ବୁକୁର ଅଭିଳାଷକୁ ମୋର ବୁକୁତଳେ ଭରିସାରିଲା ପରେ ଜାଣିବାର ଆଉ କଣ ରହିଚି ? ତାହାରି ଅନ୍ତରରେ ଆପଣା ଅନ୍ତରକୁ ଭରିଦେଇ ସେହି ବିଶ୍ୱକର୍ମାର ହାତକୁ ହିଁ ମୁଁ ଆପଣା ହାତର ସକଳ ଓ ଅନାବିଳ କର୍ମସଞ୍ଚାଳନ ଦ୍ୱାରା ପ୍ରକଟିତ କରିଦେବି, ସେହି ମହାତ୍ମାର ମହିମାରେ ମୁଁ ଆପଣାକୁ ଭରି ନେଇ ଧନ୍ୟ ହେବି । ଖାଲି ଜାଣିବାର ପଥ ହେଉଚି ଛନ୍ଦି ହୋଇଯିବାର ପଥ ମାତ୍ର ଭରିନେବାର ପଥ ବା ବିକଶି ଉଠିବାର ପଥ ହେଉଚି ରାସ୍ତା ପାଇବାର ପଥ । ଅନାଗତ ଆଦର୍ଶ ସେହି ଅମିତାୟୁଷକୁ ଆପଣା ହୃଦୟରେ ସନ୍ନବିଷ୍ଟ କରି ମୁଁ ପ୍ରଚେତ ହୋଇ ଉଠିବି ।

 

୬.୧୨.୧୯୪୯

 

କାଲି ରାତିଠାରୁ ଭାରି ଶୀତ ପଡ଼ିଚି । ଏତେବେଶୀ ଥଣ୍ଡା ହଠାତ୍ ସହିନହେଲା ପରି ଲାଗୁଚି । ଗୋଟାଏ ଚିଠିରେ ଗାନ୍ଧିଜୀ ଶୀତ, ଖରା ଓ ବରଷା ପ୍ରଭୃତି ବାହ୍ୟ ପ୍ରକୃତି (externals)କୁ ଜୟ କରିବା ବିଷୟରେ ଲେଖିଚନ୍ତି । ଶୀତ ପ୍ରଭୃତିର ଡର ବିଶେଷତଃ ମାନସିକ ବୋଲି ତାଙ୍କର ମତ । ହୁଏତ ଅନେକେ କହିବେ ଯେ physiologyର ନିୟମ ଅନୁସାରେ ଜୀବଶରୀର ସହନଶକ୍ତିର ଏକ ସୀମା ଅବଶ୍ୟ ରହିଚି । ସେହି ସୀମାରୁ ବଳିଗଲେ ଜୀବକୁ କୃତ୍ରିମ ଉପାୟରେ ସେହିସବୁ ପ୍ରାଦୁର୍ଭାବରୁ ଆପଣାକୁ ବଞ୍ଚାଇବାକୁ ହୁଏ । ନହେଲେ ଶରୀର ନାନାବିଧ ରୋଗର ଶିକାର ହୋଇପଡ଼ିବ । ଗାନ୍ଧିଜୀଙ୍କର ଦୃଷ୍ଟି ଏହାଠୁଁ ନିଶ୍ଚୟ ଭିନ୍ନ ଧରଣର । ପ୍ରତ୍ୟେକ କ୍ଷେତ୍ରରେ ସେ ଭଗବତ୍‌ପ୍ରେରଣାକୁ ସର୍ବପ୍ରଥମେ ସ୍ଥାନ ଦେଉଥିଲେ । ଏପରିକି ମାଟିର ଏହି ଶରୀରକୁ ମଧ୍ୟ ସେ ଭଗବାନଙ୍କର trust ବୋଲି ମାନି ନେଇଥିଲେ । ଭଗବାନଙ୍କ ଉଦ୍ଦେଶ୍ୟ ପୂରଣ ଲାଗି ଯିଏ ନିଜକୁ ସ୍ୱାର୍ଥହୀନ ଭାବରେ ବିତରଣ କରିପାରିବ, ନିର୍ମଳ ଧର୍ମଭାବ ନେଇ ଯିଏ କଲ୍ୟାଣର ନିତ୍ୟପୂରଣ-କ୍ଷେତ୍ରରେ ଅବତରି ପାରିବ ସିଏ ଶରୀର ବିଷୟରେ ଭାବିବ ବା କାହିଁକି ? ସିଏ ପୂର୍ଣ୍ଣକାମ ହେବା ପର୍ଯ୍ୟନ୍ତ ତା’ର ଭଗବାନ ତାକୁ ସବଳ ଓ ସୁଯୋଗ୍ୟ କରି ରଖିବେ । ଆପଣାର ମାନସିକ ଓ ଆଧ୍ୟାତ୍ମିକ ଉତ୍ସର୍ଗରୁ ମଣିଷ ଯେଉଁ ଅମିତ ପ୍ରେରଣା ପାଇବ ତାହାହିଁ ତାକୁ ଶେଷପର୍ଯ୍ୟନ୍ତ ବଞ୍ଚାଇ ରଖିବ । ଶରୀର ତାହାଲାଗି ଆଉ ବୋଝ ବା ଚିନ୍ତାର ବିଷୟ ହୋଇ ରହିବନାହିଁ । ମହାତ୍ମା ଗାନ୍ଧୀ ନିଜ ଜୀବନରେ ମଧ୍ୟ ଏକଥା ପ୍ରମାଣ କରି ଦେଇଚନ୍ତି ।

 

୭.୧୨.୧୯୪୯

 

ଖୁବ୍ ବେଶୀ ଲେଖିବାକୁ ଇଚ୍ଛା ହେଉନାହିଁ । ଭିତରଟା ଏକାବେଳେକେ ପରିପୂର୍ଣ୍ଣ ହୋଇ ରହିଚି । ସିଏ ଆଜି କୌଣସି ଶବ୍ଦ କରିବାକୁ ରାଜି ନୁହେଁ । ମୋ’ ଅନ୍ତରର ଚାରିସୀମା ଭିତରେ ହଠାତ୍ ତୁମୁଳ ଆନ୍ଦୋଳନ ଆରମ୍ଭ ହୋଇଚି ଏବଂ ସେହି ଆନ୍ଦୋଳନର ବେଗକୁ ବାହାରେ ପ୍ରକାଶ କରିବାଲାଗି ଅନ୍ତର ମଣିଷ କୌଣସି ପ୍ରକାରେ ରାଜୀ ହେଉନାହିଁ । ମାତ୍ର ଆଜି ମୋର ମନଟା ଏକ ଅପୂର୍ବ ପ୍ରକାରେ ପ୍ରସନ୍ନ ହୋଇ ରହିଚି । ଜଗତର ସକଳ ଭଙ୍ଗାତୁଟା ଓ ନିରାଶାମୟ ଗଠନଗୁଡ଼ାକ ଆଜି ଏକ ଅଦ୍‌ଭୁତ ଆଲୋକରେ ଭରି ଉଠିଲାପରି ଲାଗୁଚି । ପୁରୁଣା ବୋତଲରେ ନୂଆ ପ୍ରେରଣାର ଜୀବନରସ ଭରି ଯେପରି କିଏ ସମସ୍ତ ଆଧାରଟିକୁ ମଧ୍ୟ ନୂତନ କରିଦେଇଚି । ଯିଏ ମୋତେ ଚଳାଇ ନେଉଚି କେବଳ ତାହାରି ଇଚ୍ଛା ପୂର୍ଣ୍ଣ ହେଉ ।

 

ବିଶ୍ୱଶାନ୍ତି-ସମ୍ମିଳନୀର ରାତି-ଅଧିବେଶନରେ ଉପସ୍ଥିତ ହେବାର ସୁଯୋଗ ଆଜି ପାଇଲି । ବିଶ୍ୱଶାନ୍ତିର ପ୍ରତିଷ୍ଠା ଦିଗରେ ଆଧୁନିକ ବିଜ୍ଞାନ କେତେଦୂର ସାହାଯ୍ୟ କରିପାରିବ ଆଜି ଏହାହିଁ ଆଲୋଚ୍ୟ ବିଷୟ ଥିଲା । କିନ୍ତୁ ବିଜ୍ଞାନର ସଂଜ୍ଞାକୁ ବଡ଼ ସୀମିତ କରି କେବଳ ତାହାର ଧ୍ୱଂସମୂଳକ ଦିଗରୁ ଆଲୋଚନା କରାଯାଉ ଥିବାର ଦେଖି ମୁଁ କାହିଁକି ସୁଖୀ ହୋଇ ପାରିଲିନାହିଁ । ବିଜ୍ଞାନ ଏକ ବ୍ୟାପକ ଶବ୍ଦ ଏହାର ପ୍ରସାର ସମଗ୍ର ଜୀବନକୁ ବ୍ୟାପିରହିଚି । ଖାଇବା, ପିଇବା, ଚାଲିବା, କଥା କହିବା ଓ ସମାଜରେ ବାସ କରିବା ମଧ୍ୟ ସେହି ସମଗ୍ର ଜୀବନବିଜ୍ଞାନର ଅନ୍ତର୍ଗତ । ମଣିଷର ଜୀବନଧାରଣ କ୍ଷେତ୍ରରେ ଶୃଙ୍ଖଳା ଯୋଜନା ଓ ସୁମାର୍ଜିତତା ଆଣିଦେବା ହେଉଚି ବିଜ୍ଞାନର ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ଏହି Positive ଦୃଷ୍ଟିକୁ ନିଜ ସମ୍ମୁଖରେ ରଖି କେହି ଜଣେହେଲେ ଆଜି ବିଜ୍ଞାନର ଆଲୋଚନା କଲେନାହିଁ । ହୁଏତ ଏପରି ହୋଇପାରେ ଯେ ନାନା ଧ୍ୱଂସ ଓ ବିନାଶର ସମ୍ମୁଖୀନ ଓ ଦ୍ୱାରା ଜର୍ଜରିତ ହୋଇ ମଣିଷ ବିଜ୍ଞାନର କେବଳ ଧ୍ୱଂସମୂଳକ ଦିଗଟାକୁ ହିଁ ଭାବିବାରେ ଅଭ୍ୟସ୍ତ ହୋଇଯାଇଚି । ଏଡ଼େ ବଡ଼ ଏକ ସଂହାରଶକ୍ତିକୁ ମଣିଷର ଗଠନମୂଳକ ଅଭିଯାନରେ ମଧ୍ୟ ଯେ ଲଗାଯାଇ ପାରେ, ଭୀତ ମଣିଷ ବୋଧହୁଏ କ୍ରମେ ଏହି ବିଶ୍ୱାସଟିକୁ ହିଁ ହରାଇ ବସିଲାଣି ।

 

୮.୧୨.୪୯

 

ସମ୍ମୁଖ କର୍ମକ୍ଷେତ୍ରର ସଳଖରାସ୍ତା ଧରି ଏହି ମୁହୂର୍ତ୍ତରେହିଁ ଆଗକୁ ମାଡ଼ି ଚାଲିଯିବାକୁ ମନ ହେଉଚି । କିନ୍ତୁ ପର ମୁହୂର୍ତ୍ତରେ ଭିତରର କିଏ ମୋତେ ଯେପରି ଅଟକାଇ ରଖୁଚି । ମୋତେ ଆହୁରି ଜାଣିବାକୁ ହେବ, ଆହୁରି ବିକଶିତ ହେବାକୁ ହେବ ଓ ଆହୁରି ସମ୍ପୂର୍ଣ୍ଣତର ଭାବରେ ବଞ୍ଚି ଶିଖିବାକୁ ହେବ । ଆପଣାର ପାତ୍ରଟିକୁ ଜୀବନରସରେ ପୂର୍ଣ୍ଣ କରି ସ୍ୱଭାବୋଦ୍‌ବୃତ୍ତ ରସକୁ ମୋତେ ପୃଥିବୀର ଦୁଆରେ ବିତରଣ କରି ଦେବାକୁ ହେବ । ଜାଣେନା, ମୁଁ ପ୍ରକୃତରେ କୋଉଥିପାଇଁ ତିଆରି ହୋଇଚି । ସକଳ ପଥ ମୋତେ ସମାନ ଭାବରେ ସମୀଚୀନ ମନେ ହେଉଚି, ଅନ୍ତରର ନିଷ୍ଠା ଓ ପରିପୂର୍ଣ୍ଣ ବିଶ୍ୱାସ ନେଇ ଚାଲିପାରିଲେ ପ୍ରତ୍ୟେକଟି ପଥ ମୋତେ ଲକ୍ଷ୍ୟଚୂଳରେ ନେଇ ପହଞ୍ଚାଇ ଦେବ ବୋଲି ମୋର ପୂର୍ଣ୍ଣ ଆସ୍ଥା ରହିଚି । କିନ୍ତୁ କୌଣସି ଗୋଟିଏ ପଥର ସୀମା ମଧ୍ୟରେ ଅଟକି ରହିବାକୁ ମୋର ଅନ୍ତର ମଣିଷ ଯେପରି ଅତ୍ୟନ୍ତ ସଙ୍କୁଚିତ ହୋଇ ପଡ଼ୁଚି । ପର୍ବତ ଉପରକୁ ଉଠି ସେ ଯେପରି ସକଳ ପଥକୁ ଚିହ୍ନିବାର ଅଭିଳାଷ ନେଇ ବଞ୍ଚିବାକୁ ଭାରି ଭଲ ପାଉଚି-। ଜାଣେନା, ସେହି ସମ୍ପୂର୍ଣ୍ଣ ଚିହ୍ନା ସମ୍ଭବ ହେବାଲାଗି ମୋତେ କେତୋଟି ଜନ୍ମ ଅତିକ୍ରମ କରିବାକୁ ହେବ । ତଥାପି ଆପଣା ପ୍ରାଣର ଏହି ଅପୂର୍ବ ପିପାସାକୁ ଅତୃପ୍ତ ରଖି ମୁଁ ଆଗରୁ ତିଆରି ହୋଇ ରହିଥିବା କୌଣସି ଖୋଳଭିତରେ ପଶିଯିବାକୁ ଆଦୌ ଚାହୁଁନାହିଁ । ଜୀବନ ଚାଳନାର ସମସ୍ତ ଭାରକୁ ତାଙ୍କରି ଉପରେ ଛାଡ଼ି ଦେଇଥିଲେ ଯେତେବେଳେ ଯାହା ଆସିବା କଥା ସେତେବେଳେ ତାହା ବଳେ ଆସିବ । ଆପଣାର କାମନାଟିକୁ ଧାତା ମୋହରି ଭିତରଦେଇ ଅବଶ୍ୟ ପୂର୍ଣ୍ଣ କରିବେ-। କେବଳ ନିର୍ମଳ ଓ ପରିଶୁଦ୍ଧ ଚିତ୍ତରେ ମୁଁ ତାହାର ପ୍ରତ୍ୟେକ ଆଦେଶ ଲାଗି ତିଆରି ହୋଇ ରହିପାରିଲେ ହେଲା !

 

୯.୧୨.୧୯୪୯

 

ଶାନ୍ତି-ସମ୍ମିଳନୀ ସରିଲା । ଆମେ ଆଜି ପ୍ରତିନିଧିମାନଙ୍କୁ ଷ୍ଟେସନରେ ବିଦାୟ ଦେଇ ଆସିଲୁ । କିନ୍ତୁ ସକାଳଠାରୁ ମନଟା କାହିଁକି ଅଶାନ୍ତିରେ ଉଚ୍ଛନ୍ନ ହୋଇ ପଡ଼ିଲାପରି ଲାଗୁଚି । ଏପାଖ ସେପାଖ ହୋଇ ଅକାରଣ ଗଳ୍ପର ପ୍ରଗଳ୍‌ଭତାରେ ଆଜି ମୋର ସମସ୍ତ ସକାଳଟା ଚାଲିଗଲା । ମନରେ ହୁଏତ ଶାନ୍ତି ଓ ଶମ ଆସିବ ବୋଲି ଦି’ପହରେ ସୂତା କାଟି ବସିଲି । ଅବଶ୍ୟ ସେହି ସମୟତକ ବେଶ୍ ସମାହିତ ଭାବରେ କଟିଗଲା । କିନ୍ତୁ ମଞ୍ଚ ଅନ୍ଧାରର ଆଗମନ ସଙ୍ଗେ ସଙ୍ଗେ ମନ ଭିତରଟାଯାକ ଯେପରି ଅସୀମ କେଉଁ ଶୂନ୍ୟତା ଖାଲି ଖାଁ ଖାଁ କରିବାକୁ ଲାଗିଲା । ମୁଁ ଏପର୍ଯ୍ୟନ୍ତ ବି ମନକୁ ତାର ଆପଣା ଆସନରେ ବସାଇ ପାରିନାହିଁ । ନାନା ଅକାରଣ ବିରକ୍ତି ଓ ବୈରାଗ୍ୟର ଆନ୍ଦୋଳନରେ ପଡ଼ି ମନଟା ଭାରି ଇତସ୍ତତଃ ହୋଇ ପଡ଼ିଚି । ଅନ୍ତରର ସମସ୍ତ ପ୍ରୀତିର ସରାଗ ସତେ ଅବା ଏକ ଉପେକ୍ଷିତା ବଧୂ ପରି କେଉଁ କଣରେ ଯାଇ ପଡ଼ି ରହିଚି ।

 

ପୁଣି ଅନେକ ଆଶାରେ ପ୍ରାଣମନ ପୂରି ଉଠିଚି । ସେହି ଆଶାଗୁଡ଼ାକ ପଛରେ ଗୋଡ଼ାଇବାରେ ମଧ୍ୟ ମୁଁ ଭାରି ଆନନ୍ଦ ପାଉଚି । ଏହି ମନଟା ଯେ ଏତେ ଉପରକୁ ଉଡ଼ି ଚାଲିଯାଇ ପାରେ, ବାସ୍ତବ ଓ ବର୍ତ୍ତମାନ ଜୀବନର ଦୈନନ୍ଦିନ ଧୂଳିଉପରେ ପଡ଼ି ରହିଥିବା ମୋର ଅସ୍ତିତ୍ୱଟା ସେଥିରେ ବେଳେ ବେଳେ ଆବାକ୍ ହୋଇଯାଉଚି । ସତେଅବା ଅମିତ ବଳ ଓ ନିର୍ଭରରେ ବେଳେବେଳେ ଏମିତି ମୋର ସମସ୍ତ ମନ ପୂର୍ଣ୍ଣ ହୋଇଉଠେ । ଆପେ ଆପଣାକୁ ବିଶ୍ୱାସ କରି ହୁଏନାହିଁ । ଆଜି ମୁଁ ଭିତରର ଏହି ଉଡ଼ିବା ଶକ୍ତିର ପରିଚୟ ପାଇଚି । ଜାଣେନା, ସ୍ୱପ୍ନ ଦେଖିବାର ଏହି ସୂଦୂର ପିପାସାରେ ମୁଁ କେତେଦିନ ଆନନ୍ଦ ପାଇପାରିବି । ଜାଣେନା, ଦୂରର କେଉଁ ବଂଶୀ ସ୍ୱରରୁ ଅନନ୍ତ ଆଶ୍ରୟର ଆହ୍ୱାନ ଘୋଷିତ କରି ହୁଏତ ମୋ ପାଖକୁ ଡାକରା ଆସିଲାଣି ଏବଂ ସେଥିଲାଗି ବର୍ତ୍ତମାନର ସକଳ ଅବଲମ୍ବନକୁ ଅତିକ୍ରମି ମୋର ମନ କ୍ରମେ ଉପର ଆଡ଼କୁ ଉଡ଼ିବାକୁ ବି ଆରମ୍ଭ କଲାଣି । ତାହାର ତପସ୍ୟା ପରିଶୁଦ୍ଧ ହେଉ !

 

୧୧.୧୨.୧୯୪୯

 

କାଲି କେଜାଣି କାହିଁକି କେଉଁଥିରେ ବି ମନ ଲାଗିଲାନାହିଁ । କୌଣସିମତେ ମୁଁ ମନଟାକୁ ବହି ଭିତରେ ଅଭିନିବିଷ୍ଟ କରି ରଖି ପାରିଲାନାହିଁ । ତେଣୁ ଟିକିଏ Relaxation ପାଇଁ ବନ୍ଧୁଙ୍କ ଘରକୁ ଗଲି । ନାନା ଗଳ୍ପ, ଆଲୋଚନା ଓ ଖିଆପିଆରେ ଦି’ପହରୁ ସଞ୍ଜ ପୁଣି ସଞ୍ଜରୁ ରାତି ହେଲା ଏବଂ ସେଇଠି ଶୋଇ ମୁଁ ରାତିଟା କଟାଇଦେଲି ।

 

ଆପଣା ଧ୍ୟାନର ବିକଶିତ ଦେବତା ମୋର ସକଳ ଇପ୍‌ସା ଓ ଆଦର୍ଶକୁ ସମୂହ କରି ଯଦି ଏହି ଅନ୍ତରମଧ୍ୟରୁ ହିଁ ଦେଖାଦେବାର କଥା, ତେବେ ମୁଁ ଅନେକ ସମୟରେ ବାହାରେ ମନେ ମନେ ଧାଇଁ ମରୁଚି କାହିଁକି ? ସୁଦୂର ଦେଶବିଦେଶ, ଦୂରଦୂରାନ୍ତର ମଣିଷ ଓ ତାହାର ସାର ସଭ୍ୟତା ସମ୍ପଦ ଏବଂ ବିଭିନ୍ନ ବିଚିତ୍ର ରକମର ଜ୍ଞାନବିଜ୍ଞାନର ସାନ୍ନିଧ୍ୟ ଲାଭ କରିବାକୁ ମୁଁ ଏପରି ବିକଳ ହୋଇ ପଡ଼ୁଚି, କାହିଁକି ? ଏସବୁ କଣ କେବଳ ମାୟା, କେବଳ ଦରବୁଝା ମନର ଦରଚିହ୍ନା ଆଭାସ ପଛରେ ଅନ୍ଧ ହୋଇ ଦଉଡ଼ିବା ? ମୋର ଆଦୌ ବିଶ୍ୱାସ ହେଉନାହିଁ । ଯେତିକି ଯେତିକି ମୁଁ ବେଶୀ ବେଶୀ ସଂଖ୍ୟାରେ ମଣିଷକୁ ଜାଣୁଚି, ନୂଆଭୂଇଁର ଚକ୍ଷୁସ୍ପର୍ଶରେ ପ୍ରାଣର ପରିଚୟକୁ ମୁଁ ଯେତେ ଯେତେ ପ୍ରସାରିତ କରୁଚି, ନିଜକୁ ମଧ୍ୟ ମୁଁ ସେତିକି ବେଶୀ ଚିହ୍ନୁଚି । ଅନ୍ୟର ସାନ୍ନିଧ୍ୟ ମୋତେ ଆପଣା ସାରାର୍ଥର ବି ସାନିଧ୍ୟକୁ ଆଣିଦେଉଚି । ଆପଣା ଶ୍ରଦ୍ଧାନୁଧାବନର ବାହୁକୁଣ୍ଡଳୀ ମଧ୍ୟରେ ଜଗତକୁ ପାଇ ମୁଁ ସାରତଃ ଆପଣାକୁ ହିଁ ପାଉଚି । ତା’ହେଲେ ତାକୁ ମୁଁ କେବଳ ମାୟା ବା ଚିତ୍ତଭ୍ରାନ୍ତି ବୋଲି ଉଡ଼ାଇଦେବି କିପରି ? ଯାହାରି ମାଧ୍ୟମରେ ମୁଁ ପ୍ରଥମେ ଆପଣାର ଅଜସ୍ର ସୂଚନାର ଅସ୍ତିତ୍ୱକୁ ଅନୁଭବ କରିଚି, ତାହାକୁ ଶୂନ୍ୟମଣି କ୍ଷେପିଯାଇ ମୁଁ ଆଗକୁ ଡେଇଁ ପଡ଼ିବି କିପରି ? ଅନ୍ତରର ପରିଚୟ ସଙ୍ଗେ ସଙ୍ଗେ ବାହାର ମଧ୍ୟ ମୋ’ର ପରିଚୟ ଅଧିକ ନିକଟକୁ ଆସିବ, ଅନ୍ତରର ସମାହିତ ସଙ୍ଗେସଙ୍ଗେ ମଧ୍ୟ ମୋରି ପ୍ରାଣରସରେ ଅଧିକ ପୂର୍ଣ୍ଣ ହୋଇ ଉଠିବ । ବାହାରର ପ୍ରତୀତ ମାୟାରୁ ପଳାଇଆସି ଆପଣାର କଣକୋରଡ଼ ଭିତରେ ଅସ୍ପୃଶ୍ୟ ଓ ଅବିତରିତ ଶାନ୍ତି ଲାଭକରିବା କୌଣସି ପ୍ରକାରେ ସମ୍ଭବ ହୋଇ ପାରିବନାହିଁ । ବାହାର ତଥା ଭିତରର ରଗାସକ୍ତତା ଦୂର କରିପାରିଲେ ହିଁ ମଣିଷ ଆପଣାର ସର୍ବଶ୍ରେଷ୍ଠ ଉପଲବଧି କରିପାରିବ ।

 

କାଲି ଆକସ୍ମିକ କରଣରୁ ମୁଁ ଏହି ଖାତାରେ ମୋର ଦୈନନ୍ଦିନ କର୍ତ୍ତବ୍ୟ କରିନାହିଁ ବୋଲି ଆଜି ଦୁଇଦିନର ଉଦ୍ଦିଷ୍ଟ ସ୍ଥାନକୁ ପୂରଣ କରିବାର ସଂକଳ୍ପ ନେଇ ଏଠାରେ ବସିଚି । ମୁଣ୍ଡଭିତରେ କୌଣସି କଥା ଜୁଟୁନଥିଲେ ମଧ୍ୟ ଭିତରର Taskmaster ନଛୋଡ଼ ବନ୍ଦାହୋଇ ବସିଚି, ଯେପରି ହେଲେ ପରିମାଣ ମୁତାବକ ଆପଣାର ଭାରତକ ତୁଲାଇବାକୁ ପଡ଼ିବ । ଏପରି ଗୋଟାଏ ଅଛିନ୍ନ ଅଭ୍ୟାସ ରଖିବାକୁ ଠିକ Mechanical ବୋଲି କହିଲେ ନିଶ୍ଚୟ ଭୁଲ ହେବ । ସ୍ୱନିର୍ବାଚିତ କୌଣସି ଉଚ୍ଚତର ଉଦ୍ଦେଶ୍ୟକୁ ଜୀବନର କାମ୍ୟରୂପେ ଗ୍ରହଣ କରିନେଇ ସ୍ୱତଃପ୍ରବୃତ୍ତ ପ୍ରେରଣା ସହିତ ଆପଣାକୁ ତାହାର ପରିପୂର୍ତ୍ତି ଲାଗି ନିମିତ୍ତ କରିପାରିଲେ ଯାଇ ମଣିଷ ଅନ୍ୟ ସକଳ Machine କୁ ଜୟ କରିପାରିବ । ବିଧାତାର ବନ୍ଧନଗୁଡ଼ିକୁ ଆଦରି ନେଇ ପାରିଲେ ଜଗତ ଓ ଜୀବନର ଅନ୍ୟସବୁ ବନ୍ଧନ ଆପେଆପେ ଫିଟିଯିବ । ଏହାହିଁ ପ୍ରକୃତିର ନିୟମ, ଏହାହିଁ ଦିବ୍ୟ ଜୀବନର ସର୍ବପ୍ରଧାନ ଅନୁଶାସନ । ତେଣୁ ନିତ୍ୟାଚରିତ ଓ ସ୍ୱେଚ୍ଛାପ୍ରଣୋଦିତ ମୋର ଏହି କାମକୁହିଁ ଯନ୍ତ୍ରପରି Respond କରୁଚି ବୋଲି କୌଣସି ଖେଦ ନାହିଁ ବରଂ ମୁଁ ଏଥିରୁ ଅନେକ Release ଓ ଆନନ୍ଦ ପାଇପାରୁଚି ।

 

୧୨.୧୨.୪୯

 

ମୁହୂର୍ତ୍ତପରେ ମୁହୂର୍ତ୍ତ କଟି ଦିନମାନ ଚାଲିଯାଉଚି, ଅଥଚ ମୁଁ ଯେପରି କିଛି ପ୍ରକାଶ କରି ପାରୁନାହିଁ । ଏଣେ ବେଶ୍ ଅନୁଭବ କରିପାରୁଚି, ଯେ ହୃଦୟ ପାତ୍ରର ସଂଗ୍ରାହକ ଆପଣାର ଭଣ୍ଡାରଟିକୁ ଉନ୍ମୁକ୍ତ କରିଦେବା ଲାଗି କ୍ରମେ ବଡ଼ ଉଚ୍ଛନ୍ନ ହୋଇ ପଡ଼ିଲାଣି, ଅଥଚ ପାଷାଣ କକ୍ଷରେ ଏପର୍ଯ୍ୟନ୍ତ ସର୍ବଛଡ଼ା କରିପାରି ନାହିଁ । ଆପଣାକୁ ପ୍ରକାଶ ନ କରି ବଞ୍ଚିରହିବାକୁ ମୁଁ ଯେତେବେଳେ ଅସମ୍ଭବ ବୋଲି ମୋର ପ୍ରାଣେପ୍ରାଣେ ଅନୁଭବ କରିପାରିବି, ହୁଏତ ସେତିକିବେଳେ ହିଁ ମୋର ଦୁଆର ଖୋଲିଯିବ ।

 

ନାନା ବାଧା ଓ ନାନା ଲୋଭାବରଣ ଆଜି ପୃଥିବୀରେ ଶ୍ରେୟ—ଦେବତାର ମୁଖା ପିନ୍ଧି ଠିଆହୋଇ ରହିଚି । ସରିତ ଓ ସମୁଦ୍ର ମଧ୍ୟରେ ରହିଥିବା ବ୍ୟବଧାନକୁ ସେ ନାନାବିଧ ବିକ୍ଷୋଭ ମଧ୍ୟଦେଇ ସମ୍ଭାଇ ରଖିବାକୁ ଚାହୁଁଚି ଏବଂ ଏହିବ୍ୟବଧାନକୁ ହିଁ ମୋତେ ବିକଳ କରି ପକାଉଚି । ଆପଣାକୁ ନିମ୍ନମୁଖ କରିଦେବାକୁ ବସିବା ମାତ୍ରକେ ସଂସାର—ବଜାରର ଏହି କାରଣଗୁଡ଼ାକ ଆଗ ମୋର ଆଖିରେ ଆସି ପଡ଼ୁଚି । ଅଭିସାର- ଆତୁରା ଶଙ୍କିତା ପ୍ରାଣବଧୂ ଅପାତ୍ରର ସ୍ୱୟମ୍ବର—ସଭାରେ ସତେ ଯେପରି ଭାରି ବିଚଳିତ ହୋଇପଡ଼ୁଚି । ନାମ, ଯଶ ଓ ପ୍ରଶସ୍ତିର ନାନାରଙ୍ଗୀ ଆକର୍ଷଣମାନ ମୋର ଅନ୍ତର ସହିତ ଅନ୍ତରତମର ମିଳନକୁ ପ୍ରଚ୍ଛନ୍ନ କରି ରଖୁଚି, ଭୀରୁ ମନଟା ଭୟରେ ନିର୍ବାକ ହୋଇ କେବଳ ଅପେକ୍ଷାକରି ପଡ଼ିରହିଚି । ନା, ମୋ’ ମନର କାମନାକୋଟୀ ଏପର୍ଯ୍ୟନ୍ତ ସ୍ଥିରହୋଇ ପାରିନାହିଁ । ସେଥିଲାଗି ସମୁଦ୍ରକୁ ଦେଖିବା ଆଗରୁ ପହିଲେ ମାଟି ଓ ପଥରର ଆବଦ୍ଧ ଆୟତନମାନ ମୋତେ ବଡ଼ Occupied କରି ରଖୁଚି । ନା, କେବଳ ସେହି ସମୁଦ୍ରର ଟାଣ ଯେଉଁଦିନ ପଥଘାଟର ଅନ୍ୟ ସକଳ ଟାଣକୁ ଆପଣା ଭିତରେ ଆବୋରି ନେଇପାରିବ ସେହି ଦିନହିଁ ପ୍ରାଣ ଝରଣାଟି ଆପେ ଉଚ୍ଛୁଳି ଆପେ ଛୁଟିଆସିବ ତାରି ପ୍ରକୃତତମ ପ୍ରକାଶକୁ ସେଦିନ ଆଉ କେହି ରୋଧି ରଖିପାରିବ ନାହିଁ ।

 

୧୩.୧୨.୧୯୪୯

 

Again a listless suspense within ! ମୋର ସମସ୍ତ ଅନ୍ତସ୍କରଣ ଆଜି ଯେପରି ହଠାତ୍ ଶାନ୍ତ ହୋଇଯାଇଚି । ଜାଣେନା, ଭାଙ୍ଗିଦେବାର କି ବଳ ନେଇ ଆଗାମୀ ଝଡ଼ ଆସୁଚି ଏହି ଜୀବନର ଦୁର୍ବଳ ମୁହୂର୍ତ୍ତଗୁଡ଼ାକୁ ସ୍ୱଚ୍ଛ ଓ ସହଜ କରିଦେବ ବୋଲି । ମୁଁ ଭଲକରି ଜାଣେ ଯେ ମୋର ଏହି ଝଡ଼ସ୍ଥିରତା ଉପଲବ୍‌ଧି ଶେଷର ପ୍ରସନ୍ନ ଶାନ୍ତି କଦାପି ନୁହେଁ । ସେ କଥା ହୋଇଥିଲେ ଅରଣ୍ୟରେ ଏକାକିନୀ ହରିଣୀ ପରି ମୋର ମନନୟନ ଏଭଳି ନିୟତ ଆକୁଳ ଓ ଛନଛନ ହୋଇ ଉଠୁ ନ ଥାନ୍ତା । ଅନାଗତର ପ୍ରତ୍ୟାଶାରେ ନାନା ଚିନ୍ତାର ଅସଂଖ୍ୟ ଝଡ଼ ଆଜି ମନସ୍ତରଙ୍ଗର ସମସ୍ତ ବାଚାଳତାକୁ ଘେର ବାନ୍ଧି ରଖିଦେଇଚି । ଯିଏ ଆସୁଚି ସେ କେତେ ବଡ଼ ବା କେତେ ଦାରୁଖ, ସେକଥା ମୁଁ ଆଦୌ ଜାଣେନା । ତଥାପି ମୋର ରାଜ୍ୟରେ ତାହାର ଆଗମନ ଓ ଆଘାତସୂଚନା ପାଇଁ ମୋର ପ୍ରାଣ ଯେପରି ଆପେ ଆପେ ପ୍ରସ୍ତୁତ ହୋଇ ରହିଚି ! ନାନା ନିମିତ୍ତ ଓ ଦୁର୍ନିମିତ୍ତର ନାନା ଆବାର୍ଜ୍ଜନା ମନକୁ ଚିରବିକଳ୍ପିତ କରି ତୁଲାଇ ରଖିଚି, ଆଗାମୀ ଝଡ଼ର ଆସିବାରେ ବୋଧହୁଏ ଆଉ ବେଶୀ ବିଳମ୍ବ ହେବନାହିଁ । ଭିତରେ ତାହାରି ଦୂତ ଅନ୍ତରର ଅମଳ ସ୍ଥାନଟି ଅଧିକାର କରି ଅନ୍ଧାର ଭଙ୍ଗିବାର ଷଡ଼ଯନ୍ତ୍ର କରିବାରେ ବି ଲାଗିପଡ଼ିଲାଣି । ମଣିଷ ଯେମିତି ବାର ବାର ଭୁଲେ ମଣିଷର ପ୍ରଭୁ ମଧ୍ୟ ଜ୍ୟୋତିରୂପରେ ହୃଦୟରେ ସନ୍ନବିଷ୍ଟ ରହି ସେମିତି ବାରବାର ଆଭାସ ଦେଇ ଯାଉଥାଏ । ଭୀରୁ ମନଟା ହିଁ ଅକାରଣ ଭୟରେ ସେହି ଆଭାସକୁ ଆଚ୍ଛନ୍ନ କରିରଖେ । ସେ ବିପଦକୁ ଭୟକରେ । ପୁରୁଣାକୁ ଭାଙ୍ଗି ରୁଜି ଦେବାରେ ତାର ମୋହଗୁଡ଼ାକ ବାଧାଦେଇ ଠିଆ ହୁଅନ୍ତି । ଆପଣା ଜୀବନରୁ ଏସବୁ ମୁଁ ବେଶ୍ ଶିଖିଲିଣି ।

 

୧୪.୧୨.୧୯୪୯

 

ତୋଫାନ ପୂର୍ବ ଶାନ୍ତ ସ୍ତବ୍‌ଧତା ମଧ୍ୟରେ ତରଙ୍ଗ ଚାଳନାର ସ୍ପନ୍ଦନଟିକୁ ମୁଁ ବେଶ୍ ଅନୁଭବ କରିପାରୁଚି । ଅନେକ ଦୂରରୁ ଝଡ଼ ମାଡ଼ି ଆସୁଚି । ମୋରି ଉଦ୍ଦେଶ୍ୟରେ ଆସୁଚି ବୋଲି ଏତେ ଦୂରରେ ଥାଇ ମଧ୍ୟ ତାହା ମୋର ହୃଦୟକୁ ଚହଲାଇ ଦେଇପାରୁଚି । କି ଆନନ୍ଦ ଏହି ଝଡ଼ର ପ୍ରତ୍ୟାଶାରେ ! ଭଗବାନଙ୍କ ହାତରେ ସ୍ନେହମୟ ମହତ୍ତ୍ୱଟିକୁ ଜାଣି ମୁଁ ଯେପରି ସେହି ହାତର ଆଘାତ ସହିବାକୁ ମୁଁ ନିୟତ ପ୍ରତୀକ୍ଷାରେ ବସିରହିଚି । ଅନ୍ତରପାତ୍ରକୁ ନିରାବାରଣ ରଖି ମୁଁ ସେହି ବୃଷ୍ଟିପାତର ଜଳରସ ଲାଗି ଅପେକ୍ଷା କରିଚି । ବର୍ଷଶେଷ ସଙ୍ଗେସଙ୍ଗେ ଏହି ଚାହିଁ ବସିବାର ବି ଶେଷ ହେବ । ପୁରୁଣା ମାସର ସ୍ମୃତିଗୁଡ଼ାକ ପରି ମୋ ନୂଆ ପ୍ରାଣର ବ୍ରତତୀ ସମସ୍ତ ପୁରାତନ କ୍ଳେଶ ଓ କଳୁଷକୁ ପଛରେ ପକାଇ ଦେଇଯିବ । ଜର୍ଜର ମନ ପୁଣି ତତ୍ପର ହୋଇ ଉଠିବ, ମୁଁ ପୁଣି ନବଜନ୍ମ ଲାଭ କରିବି । ଆଘାତ ପାଇ ପୁଣି ଆପଣାକୁ ଚିହ୍ନିବି ।

 

ଆଜି ମୁଁ ସଂଗୀତଲାଗି ଅନ୍ତର ଦୁଆରେ କେତେ କାନପାତି ରହିଚି, ସଂଗୀତର ରସବଜ୍ରରେ ସମସ୍ତ ମୁଖରୋଧକୁ ଭାଙ୍ଗିଦେବି ବୋଲି ମୁଁ କେତେ ପ୍ରାର୍ଥନା ପୂର୍ଣ୍ଣ କରିଚି, ମାତ୍ର ପରିପୂର୍ଣ୍ଣ ପ୍ରାପ୍ତିର ବିଶ୍ୱାସ ସହିତ ତାକୁ ଆପଣା ମଧ୍ୟରେ ଧରି ପାରିବାର ସୌଭାଗ୍ୟ ହିଁ ଜୁଟିନାହିଁ । ଅନେକ ଦୂରର କ୍ଷୀଣ ପ୍ରତିଧ୍ୱନି ପରି ସେ କେବଳ ଆପଣାର ସୂଚନା ଟିକକ ଦେଇ ମୋତେ ଅଧିକ ଆତୁର ଓ ଅଧିକ ଉଚ୍ଛନ୍ନ କରି ପକାଇଚି ସିନା କିନ୍ତୁ ଅନ୍ତର ପାତ୍ରକୁ ପୂର୍ଣ୍ଣକରି ମୋତେ ପ୍ରସନ୍ନ ଓ ସମାହିତ କରି ଦେଇନାହିଁ । ସଂଗୀତର ସମଗ୍ର ସାମ୍ରାଜ୍ୟକୁ ଆପଣାର ଅନ୍ତର ମଧ୍ୟକୁ ଡାକି ଆଣିବାକୁ ହେଲେ ମୋତେ ପ୍ରଥମେ ତାହାର ଯୋଗ୍ୟ ହେବାକୁ ପଡ଼ିବ, ତାହାର ଅବାରିତ ତରଙ୍ଗ- ଦୋଳାୟନ ଲାଗି ପ୍ରଥମେ ଆପଣାକୁ ଶୁଦ୍ଧ ଆକାଶପଥ ପରି ନିର୍ମଳ କରିବାକୁ ପଡ଼ିବ । ତେବେ ଯାଇ ଆପଣା ସଂଗୀତର ଧାରାଟି ଉପୁଜାଇ ବିଶ୍ୱସଂଗୀତର ଅନ୍ତର୍ମୁଖୀ ଗତିକୁ ନିଜସ୍ୱ କରିବା ସମ୍ଭବ ହୋଇପାରିବ ।

 

୧୬.୧୨.୧୯୪୯

 

ଆଜି ଦିନଟି ମଣିଷ—ସାନ୍ନିଧ୍ୟର ପୁଣ୍ୟସ୍ମୃତି ଲାଗି ଉଦ୍ଦିଷ୍ଟ । ଗୋଟିଏ ବନ୍ଧୁକୁ ପ୍ରତୀକ କରି ମୁଁ ସମସ୍ତ ବିଶ୍ୱସଂସାରକୁ ଆପଣାର ବନ୍ଧୁ ରୂପେ ପାଇବାର ସାଧନା ଆରମ୍ଭ କରିଚି । ଏହି ସାଧନାର ଅନ୍ତନାହିଁ, ଏ ଜାଣିବାର ସୀମା ନାହିଁ । ମୁଁ ଯେତିକି ଯେତିକି ଗଭୀରକୁ ଯାଉଚି, ଦୃଷ୍ଟି ଓ ପରିଚୟର ପ୍ରାପ୍ତି କ୍ଷେତ୍ର ଯେପରି ସେତିକି ବଢ଼ି ବଢ଼ି ଚାଲିଚି । ଜାଣେନା ସଭିଙ୍କୁ ସକଳ ରୂପରେ ଧରିରଖି ପାରିବାର ବିଶାଳ ଅନ୍ତର ମୁଁ କେବେ ଲାଭ କରିବି । ତଥାପି ବାରବାର ଅନୁଭବ କରୁଚି ଯେ ମୁଁ ସେଇ ବିଶାଳ ଲାଗି ତିଆରି ହୋଇଚି ! ଶୀତରାତ୍ରିର ହିମ ଅଶ୍ରୁ ପରି ସକଳ ବ୍ୟର୍ଥତାର ସମସ୍ତ ସଞ୍ଚୟ ସତେ ଅବା ଏକ ପ୍ରଶସ୍ତ ସକାଳ ଲାଗି ଉତ୍ତିଷ୍ଠ ହୋଇ ରହିଚି,—ଶୂନ୍ୟଭିତରେ ଆପଣା ଦୃଷ୍ଟିକୁ ଭେଦାଇ ମୋର ମନ ସତେ ଅବା କେଉଁ ବିଶାଳ ସୃଷ୍ଟିର ଉଦ୍‌ଘାଟନ ପାଇଁ ବ୍ରତତୀ ହୋଇ ଧାଇଁଚି । ସେଇ ମେ ମାସର ଷୋଳ ତାରିଖ ଆଜିକୁ ସାଢ଼େ ସାତବରଷ ହୋଇଗଲା, ତଥାପି କି ଅଭିନବ ତାହାର ଆକର୍ଷଣ, କି ବିଚିତ୍ର ତାହାର ପ୍ରକାଶ, କି ଶ୍ୱସ୍ତିକର ତାହାର ଅନୁଧାବନ । ମୁଁ କଳ୍ପନା ବି କରି ପାରେନାହିଁ ଯେ ସମସ୍ତ କାଳକୁ ଏକତ୍ର ସୂତ୍ରରେ ବାନ୍ଧି ଏକ କାଳାତୀତ ମାର୍ଗରେ ସବିଶ୍ୱାସ ଯାତ୍ରା ଆରମ୍ଭ କରିଦେବାର ତପସ୍ୟାଭିଳାଷ ମୋର ଏହି ଚିତ୍ତଭିତରେ ବରାବର ରହି ଆସିଚି । ନାନା ପ୍ରାସଙ୍ଗିକ ବ୍ୟସ୍ତତା ମଧ୍ୟରେ ସେହି ବିଶାଳ ଗୁହାର ମୁଖ ବନ୍ଦ ହୋଇଗଲେ ଏହି ଷୋଳ ତାରିଖର ମହାନ ସନ୍ଦେଶ ସତେ ଯେପରି ତାକୁ ପୁନର୍ବାର ଖୋଲି ଦେଇଯାଏ, ପୁଣି ମୁଁ ନବପ୍ରୟାସୀ ଓ ନବତପସ୍ୱୀ ରୂପରେ ଜନ୍ମଲାଭ କରେ ।

 

ଦିନେ ଦିନେ ଏଇ ଖାତାରେ ଲେଖି ବସିଲାବେଳକୁ ଭାବନା ସତେ ଅବା ବାଚାଳ ହୋଇ ଉଠେ, ଅଥଚ ଆଉ ଦିନେ ଦିନେ ଲେଖିବାଲାଗି ମୁଁ ଭିତରୁ ଲେଶମାତ୍ର ଉତ୍ସାହ ବି ପାଏନାହିଁ । ତଥାପି ଏକ ସ୍ୱତଃପ୍ରବୃତ୍ତ କାର୍ଯ୍ୟ ହିସାବରେ ମୋତେ ଆପଣାର କର୍ତ୍ତବ୍ୟଟିକୁ ସମ୍ପନ୍ନ କରିବାକୁ ପଡ଼େ । କାଲି କୌଣସି କାରଣରୁ ଲେଖିପାରିଲି ନାହିଁ ବୋଲି ଆଜି ଦୁଇଗୁଣ ପରିମାଣ କାଗଜ ପୂର୍ଣ୍ଣ କରିବାକୁ ମୁଁ ଶପଥ ଘେନି ବସିଚି । ଜାଣେନା ମନଟାକୁ ଏପରି ଜବରଦସ୍ତି ଯୋଚି ମୁଁ ଠିକ ବାଟରେ ଯାଇଚି କି ନାହିଁ । ଅନିଚ୍ଛୁକ ଅନ୍ତର ହୁଏତ ବାଧ୍ୟହୋଇ କେବଳ କର୍ମରକ୍ଷା ଲାଗି ହିଁ କିଛି ଲେଖି ଦେଇଚି । ଏହା ନିଶ୍ଚୟ କଥା ଯେ ଏହି ଖାତାରେ ଅନେକ ଗୁଡ଼ାଏ ଆବୁରା ଯାବୁରା କଥା ଆସି ଜମା ହୋଇଯାଇଚି । ଜୀବନର ଅତିଥି ଦେବତା ପାଖରେ ମୁଁ ସେଥିଲାଗି କ୍ଷମା ମାଗିନେଉଚି । ଅନ୍ତରର ସର୍ବଶ୍ରେଷ୍ଠ କୁସୁମଟିକୁ ଫୁଟାଇ ପାରିବି ବୋଲି କେତେ ଯତ୍ନ ଓ ମେହେନତର ଆପଣା ମାଟିକୁ ଚଷିବାକୁ ପଡ଼ୁଚି । ସେହି ଇସ୍ପିତ କୁସୁମଟିକୁ ଫୁଟାଇବାଲାଗି ମୋର ସ୍ୱପ୍ନ ହୁଏତ କେବଳ ମରଣରେହିଁ ସଫଳ ହେବ, ମୋର ପରିପୂର୍ଣ୍ଣ ହେବାର ଆକାଂକ୍ଷା ହୁଏତ ଆହୁରି ଅନେକଥର ଲାଗି ମୋତେ ଏହି ମର୍ତ୍ତ୍ୟର ଶରୀର ମଧ୍ୟକୁ ଟାଣି ଆଣିବ । କିନ୍ତୁ ମୋର ଚିର-ତପସ୍ୱିନୀ ମନଟିକୁ ବି କଣ ସେ ସତରେ ବୁଝିବ ନାହିଁ ? ମୁଁ ଯାହା ଦେଇଚି, ଭଲମନ୍ଦ ଓ ମାଟି ମୋତି କିଛି ନ ବିଚାରି କେବଳ ତାହାରି ଉଦ୍ଦେଶ୍ୟରେ ହିଁ ଦେଇଚି, ତାହାରି ପାଇଁ ଯୋଗ୍ୟ ହେବି ବୋଲି ମୁଁ ଏହିସବୁ ମଧ୍ୟବର୍ତ୍ତି EXPERIMENT ଭିତରଦେଇ ଯାଉଚି । ସକଳ ଆବର୍ଜ୍ଜନା ଓ ଅନାବଶ୍ୟକତା ମଧ୍ୟରୁ ମୋର ସମର୍ପଣବ୍ରତୀ ମନଟି ତାହାରି ସ୍ୱୀକୃତି ପାଇ ପାରିଲେ ହିଁ ମୋର ସକଳ ସାଧନା ସଫଳହେବ, ନୂତନତର ସାଧନାରେ ମୋର ସୌଭାଗ୍ୟ ପୁଣି କର୍ମଠ ହୋଇଉଠିବ-

 

୧୭.୧୨.୧୯୪୯

 

ଆପଣାକୁ କେବଳ ଏକ medium କରି ବିଶ୍ୱବୀଣାର ସମସ୍ତ ସ୍ପନ୍ଦନ ଝଙ୍କାରକୁ ଜଗତର ଦୁଆରେ ପ୍ରକାଶ କରିବା ହେଉଚି ଗୋଟିଏ ଦିଗ ଆଉ ଗୋଟିଏ ଦିଗ ହେଉଚି ଆପଣାର ବକ୍ଷତଳେ ସେହି ବୀଣାଟିର ଅଧିସ୍ଥାପନା କରି ଆପେ ତାହାରିପରି ବାଜିଉଠିବା । ଗୋଟିଏ ହେଉଚି ସ୍ରଷ୍ଟାର ଧର୍ମ, ଆରଟି ଦ୍ରଷ୍ଟାର ଧର୍ମ । ମୁଁ ଜାଣେନା, ଏହି ଦୁଇଟା ମଧ୍ୟରୁ ପ୍ରଥମେ କେଉଁଟା ଓ ପରେ କେଉଁଟା । ମୁଗ୍‌ଧ ମନର ବିବେଚନାରେ ମୁଁ ଏହାର Sequence କୁ ଆଦୌ ଠିକ୍ କରି ପାରେନାହିଁ । ଅବଶ୍ୟ ଅନ୍ତର୍ମନ ଭିତରେ ଗୋଟାଏ ଉପମା ହଠାତ୍ ମନେପଡ଼ିଯାଏ । ଆପଣାର ପାତ୍ରଟି ପରିପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅଜସ୍ର ପାଇବାର ବିରହ ଆାକାଙ୍‌କ୍ଷା ଅହରହ ବାଜୁଥାଏ, ସେଥିଲାଗି ସୁଧାନିଃସରଣର ଶବ୍ଦ ପାତ୍ରଟିର ପ୍ରାର୍ଥନା ମଧ୍ୟଦେଇ ଧ୍ୱନିତ ହୋଇଉଠେ । ଋଷିର ସମସ୍ତ ଅନ୍ତର ପାତ୍ର ଆପଣାର ଜର୍ଜର କଣ୍ଠରେ ତ୍ରିକାଳ ଓ ତ୍ରିଭୁବନକୁ ସ୍ପନ୍ଦିତ କରିଦିଏ । କିନ୍ତୁ ଆଉ ଗୋଟାଏ ବ୍ୟଗ୍ରତା ହେଉଚି ସାଗର ମଧ୍ୟରେ ନିମଜ୍ଜିତ ଓ ପରିପୂର୍ଣ୍ଣ ହେବାର ବ୍ୟଗ୍ରତା । ଏଠି କୌଣସି ଶବ୍ଦ ନାହିଁ, ଆପଣାର ପ୍ରତୀକ୍ଷାଟିକୁ ଭାଷାଦ୍ୱାରା ପ୍ରକାଶିତ କରିବାଲାଗି ଏଠି କୌଣସି ଚାଞ୍ଚଲ୍ୟ ନାହିଁ କେବଳ ମିଳନ ଏବଂ ଏକଲୀନତାର ନୀରବ ପରିଣତଟିକୁ ବୁଝି ସେଥିଲାଗି ଆପଣାର ମୁନିମନକୁ ପ୍ରସ୍ତୁତ କରି ରଖିବା ହେଉଚି ମୋର ମାର୍ଗ । ସଂସାର ବିଷୟରେ କିଛି କହିବାପୂର୍ବରୁ ହଠାତ୍ ସମସ୍ତ ସଂସାରର ଐକ୍ୟତାନ ଯେପରି ମୋର ଅନ୍ତର ଭରି ଧ୍ୱନିତ ହୋଇ ଉଠୁଚି whitmanଙ୍କ ପରି : i do not ask the sick man if i can help him, i myself become the sick man ! ସ୍ୱଚ୍ଛ ହୃଦୟଟା ପ୍ରସନ୍ନ ହୋଇ କହିଉଠୁଚି-! ଏଇଟି ହେଉଚି ମୋର ପଥ, ଏଇଟି ମୋର ସାଧନା !

 

୧୮.୧୨.୧୯୪୯

 

ଶିକ୍ଷାଭବନର ପିଅନ୍ ସାତକଡ଼ି ଆଜି ମୋତେ ତା’ ଗାଆଁକୁ ଡାକି ନେଇଥିଲା । ଶାନ୍ତିନିକେତନର regimented ଶାନ୍ତିର କବଳରୁ କେତେ ଘଣ୍ଟା ଅବ୍ୟାହିତ ପାଇ ମୁଁ ବେଶ୍ ଶାନ୍ତି ପାଇଲି । ମଣିଷର ସ୍ୱଭାବ ହେଉଚି ଯେ ସେ ବୈଚିତ୍ର୍ୟ ମଧ୍ୟରେ ହିଁ ଆପଣାକୁ ପାଏ, ଆପଣାକୁ ପାଇ ହିଁ ସେ ଯଥାର୍ଥ ଶାନ୍ତି ଅନୁଭବ କରେ । ମାତ୍ର ଯେଉଁଠି ମଣିଷକୁ ଗୋଟାଏ ବିଶେଷ model ଭିତରେ ରଖି ଦିଆଯାଇଥାଏ, ସେଠି ସେ ବାହାରୁ ହୁଏତ କୌଣସି ପ୍ରକାରେ disturbed ହୁଏନାହିଁ, ମାତ୍ର ଏହିପରି ଏକ ବନ୍ଧା ଶାନ୍ତିରେ ସେ କୌଣସି ସ୍ଥାୟୀ ଶାନ୍ତି ପାଇ ପାରେନାହିଁ । ଉଡ଼ିଯିବାକୁ ଓ ମୁକୁଳିବାକୁ ଇଚ୍ଛା କରୁଥିବା ତା’ର ଆହୁରି ଅନେକ faculties ଏହି ଶାନ୍ତିର ବନ୍ଧନରୁ ଛୁଟି ପଳାଇବାକୁ ଚାହେ, ପ୍ରସ୍ତୁତ ଅଚଳାୟତନରୁ ନିଷ୍କୃତ ଲାଭ କରି ସମଗ୍ର ବିଶ୍ୱକୁ ହିଁ ସେ ଆପଣା ମାନସୋପକରଣର ପରଖଘର କରିବାକୁ ଚାହେ । ସେଇଠାରେ ହିଁ ଶାନ୍ତିରେ ଅଶାନ୍ତି ଉପୁଜେ, ଶାନ୍ତ ମଣିଷ ରୁଦ୍ର ରୂପରେ ଦେଖାଦିଏ । ମଣିଷର ଅନ୍ୟାନ୍ୟ ଅନେକ facultiesକୁ ଦାବି ଦିଆଯାଇ ଯେଉଁଠି କେବଳ ଗୋଟାଏ faculteyର ଗେଲବସର ପରିଚର୍ଯ୍ୟାରେ ସମସ୍ତ ଆୟୋଜନ ଉଦ୍ଦିଷ୍ଟ ହୋଇ ରହିଥାଏ, ସେଠି ମଣିଷର ଚପାମନ ରୁଦ୍ରରୂପରେ ଆତ୍ମପ୍ରକାଶ କରେ, ବାଡ଼ ଭାଙ୍ଗିଦେଇ ସେ ଏହି ବାଧ୍ୟ ବିଚିକିତ୍ସାର ପ୍ରତିଶୋଧ ନେବାକୁ ବାହାରେ, କିଏ, କହିପାରିବ ହୁଏତ ଶାନ୍ତିନିକେତନ ମଧ୍ୟ ମଣିଷର ଅନେକ ମନୋଦ୍‌ଗମ (faculty)କୁ ଦବାଇରଖି ପରିଣାମରେ ପ୍ରାଣର ଅତୁଳ ଶକ୍ତିରୁ କେବଳ suppressed ମନର ନୃସିଂହଲୀଳା ହିଁ ଭିଆଇବାକୁ ଯାଉଚି ! ଆଜି ମୁଁ ଆପଣାଲାଗି ଅନେକ release ପାଇଲି, ଏକଚିତ୍ରତାର ସମସ୍ତ ଯାତନା ଓ ଅତୃପ୍ତିର ଉପଶମ ହେଲା ବିଚିତ୍ର ମଧ୍ୟ ଆପଣାକୁ ଦେଖିବାର ସ୍ୱାଧୀନତା ପାଇ । ଅନ୍ତତଃ ଏତିକି ମୁଁ ଭଲକରି ଜାଣିଲି ଯେ ମୋ’ ମନର କ୍ରୀଡ଼ାଭୂମିଠାରୁ ପୃଥିବୀ ଅନେକ ବଡ଼, କେବଳ ମୋର ସାଧନା ବା ଇପସିତ-ଲାଭ ସକାଶେ ଏହା କଦାପି ନିର୍ଦ୍ଦିଷ୍ଟ ନୁହେଁ ।

 

୧୯.୧୨.୧୯୪୯

 

ଆପଣାର ମନ୍ଦ, ଦୋଷ ଓ ଦୁର୍ବଳତା ଦ୍ୱାରା ସଙ୍କୁଚିତ ହୋଇପାରିବାର ସାମର୍ଥ୍ୟ ମଣିଷର ଯେମିତି ରହିଚି ଆପଣାର ଭଲ ଓ ସୁଶୀଳତା ବା ସଚେଷ୍ଟତା ଦ୍ୱାରା ଆପଣାକୁ ପ୍ରସାରିତ କରିଦେବାର ଶକ୍ତି ମଧ୍ୟ ତା’ର ଠିକ୍ ସେମିତି ରହିଚି । ଭଲ ଓ ମନ୍ଦ ମୂଳତଃ ଦୁଇଟା ଅଲଗା ଜିନିଷ ନୁହେଁ । କେବଳ ମନୋବୃତ୍ତିର channelization ଦ୍ୱାରା ଭଲ ବା ମନ୍ଦର ପ୍ରାଧାନ୍ୟ ଅନୁଭୂତ ହୋଇଥାଏ । ଜୀବନକୁ ଏକ ମହତ୍ତର ଲକ୍ଷ୍ୟ ସାଧନର ପ୍ରେରଣାରେ ପ୍ରଭାବିତ କରିପାରିଲେ ମଣିଷ ହୃଦୟର lower channels ଆପେ ଆପେ ଶୁଷ୍କ ଓ ସଙ୍କୁଚିତ ହୋଇଯାଏ । ତେଣୁ ମଣିଷ ଶତଦୋଷ ଓ ଦୁର୍ବଳତା ସତ୍ତ୍ୱେ ପ୍ରତ୍ୟେକ ଯୁଗର ମନୀଷୀ ଓ ମହାତ୍ମାମାନେ ତା’ଭିତରେ ରହିଥିବା ଭଲର ସମ୍ଭାବନା ଉପରେ ହିଁ ସବୁଠାରୁ ଅଧିକ ଜୋର ଦେଇ ଯାଇଚନ୍ତି । ଏହି ଉନ୍ନତ ମନର ସାଧନା ହେଉଚି ଶ୍ରେଷ୍ଠ ଧର୍ମର ସାଧନା । ପରସ୍ପର ମଧ୍ୟରେ ରହିଥିବା ଏହି ଭଲ ଦିଗଟାକୁ ସ୍ମରଣ କରାଇ ଦେବାକୁ community ଜୀବନର ସୃଷ୍ଟି । ଏହି ଦୃଷ୍ଟିରୁ ‘Man is a God to man’ ! ପରସ୍ପରର ନିକଟକୁ ଆସି ମଣିଷ ଆପଣା ଭିତରର ଆଲୋକ କଣାଟିକୁ ବିକଶିତ କରିପାରିବ ବୋଲି ଶାନ୍ତିନିକେତନ ପରି ଏକ ଆଶ୍ରମର ସୃଷ୍ଟି । ହୁଏତ ଏହାହିଁ ବିଶ୍ୱକବିଙ୍କର ସ୍ୱପ୍ନ ଥିଲା । କେବଳ ନିଷ୍ପାପ angel ମାନଙ୍କର ଲୀଳାବିଳାସ ଲାଗି ଏହା ଏକ ରଙ୍ଗଭୂମି ନୁହେଁ, ସମ୍ଭାବ୍ୟ ଜୀବନର ନିତ୍ୟ experimentରେ ତତ୍ପର ରହିବାକୁ ହିଁ ଆପଣାର ଧର୍ମରୂପେ ଗ୍ରହଣ କରିଥିବା ଯୁବକମନ ସାଧକର ସାଧନାକ୍ଷେତ୍ର ହେଉଚି ଏହି ଶାନ୍ତିନିକେତନ । ଆଜି ଏହି ପୁଣ୍ୟକ୍ଷେତ୍ରରେ ହଠାତ୍ ପୋଲିସ୍‌ର policing ଆରମ୍ଭ ହୋଇଚି । ଅନ୍ୟର ଦୋଷ ଓ ଦୁର୍ବଳତାଗୁଡ଼ାକୁ ଟାକିରହି ଅତ୍ୟଳ୍ପ ସୁରାଖ ପାଇବାମାତ୍ରେ ବାଘପରି ମାଡ଼ିବସି ପାପଲାଗି ଶାସ୍ତିବିଧାନ କରିବାର ନିକୃଷ୍ଟ ଆନନ୍ଦ ଯେପରି ଏଠି କେତେକଙ୍କ ମଧ୍ୟରେ ଖୁବ୍ ବଢ଼ିଚାଲିଚି । ଜାଣେନା ଶାସ୍ତି ଦେଇ ପାପକୁ କାଟିବାର ପାପ ଶାନ୍ତିନିକେତନକୁ କେତେଦିନ ଜୀବନ୍ତ ଓ ବର୍ଦ୍ଧନ୍ତ ରଖିପାରିବ !

 

୨୦.୧୨.୧୯୪୯

 

ଭିତରେ ମୁଁ ତୁମୁଳ ଦହନର ଜ୍ୱାଳା ଅନୁଭବ କରୁଚି । ନାନା ଅସ୍ଥିରତା ମଧ୍ୟରେ ମନଟା ଆପଣା ଦୁର୍ବଳତାରେ ଆପେ ତୁନିହୋଇ ରହୁଚି । ଆପଣାର ବ୍ୟକ୍ତିଗତ ସାମାଜିକ ଜୀବନରେ ପ୍ରତ୍ୟେକ ମଣିଷର ଏହିପରି ଗୋଟାଏ ଗୋଟାଏ ବେଳ ଆସେ ଯେତେବେଳେ କି ବାହାରର କୌଣସି ଏକ ଘଟଣା ତାକୁ ଏକ ଆହ୍ୱାନ ବା challenge ପରି ମନେହୁଏ । ସେ ବୀରୋଚିତ ଭାବରେ ସେହି ଆହ୍ୱାନର ଜବାବ ଦେଇ ନପାରିଲେ ତା’ର ମନଟା ଯେପରି ଆପଣା ବଳହୀନତାକୁ ଠଉରାଇ ନେଇ ଆପେ ଲଜ୍ଜିତ ହୋଇ ପଡ଼ିରହେ । ମାତ୍ର ଉଚିତ ଜବାବ ଦେବାର ସାହସ ଓ ଦକ୍ଷତା ରହିଥିଲେ ମନ ବିଜୟୀ ହୋଇ ସେହି ଘଟଣାଟିକୁ ଅତିକ୍ରମ କରି ଚାଲିଯାଏ । ମୋ’ଭିତରୁ ସ୍ୱତଃ ସେହି ଶକ୍ତିମୟ ଜବାବକୁ ଶୁଣିନପାରି ଆଜି ମୁଁ ଅବଶ ହୋଇପଡ଼ିଚି, ହୁଏତ ନାନା expedient ଯୁକ୍ତିର କୁହେଳି ଭିତରେ ମୁଁ ସିଧାସଳଖ ଜବାବ ଦେବାର ବାଟଟିକୁ ଅନ୍ତରାଳ କରି ରଖିବାକୁ ଇଚ୍ଛା କରୁଚି; ମାତ୍ର ତେଣେ ଅସଲ ମନଟା ବଡ଼ ଅସମ୍ମାନିତ ଅନୁଭବ କରି ଆର୍ତ୍ତନାଦ କରିଉଠୁଚି ।

 

ଲୋକେ ଯେଉଁଦିନ dewittଙ୍କୁ ଉତ୍ତେଜିତ ହୋଇ ମାରି ପକାଇଲେ ସେଦିନ ଏକା spinoza ସେହି ଜଘନ୍ୟ ଅପକୀର୍ତ୍ତିର ପ୍ରତିବାଦ କରିବାକୁ ବାହାରିଥିଲେ । ମୁଁ ଆଜି ଠିକ୍ ସେହିପରି ଅନୁଭବ କରୁଚି, ଆଜି ଶାନ୍ତି ନିକେତନରେ ସବୁରି ମୁଖରୁ ଏହି ନିରାଶାବାଣୀ ଶୁଣିବାକୁ ମିଳୁଚି ଯେ ଏହି ଆଶ୍ରମ ଆଉ ବେଶୀଦିନ ବଞ୍ଚି ପାରିବନାହିଁ । ବେଳେବେଳେ ଘଟି ଯାଉଥିବା ବିଶେଷ କୌଣସି ଘଟଣାକୁ ନେଇ ଏହି ବଦ୍ଧମୂଳ ନିରାଶାର କଳ୍ପନାଟା ଯେପରି ସମସ୍ତଙ୍କୁ ବଡ଼ ବିକଳ ଭାବେ ଦୋହଲାଇ ଦେଉଚି । କିନ୍ତୁ ଆଖି ଆଗରେ ଗୋଟାଏ ପବିତ୍ର ଅନୁଷ୍ଠାନର ଅଧୋଗମନ ଦେଖି କେହି ତାହାର ଜବାବ ଦେବାଲାଗି ବାହାରୁନାହିଁ କାହିଁକି ? ଏମାନେ କଣ କେହି ସତକୁ ଭଲ ପାଆନ୍ତି ନାହିଁ ? ନକଲି ‘ସୁନ୍ଦର’ର ଅଭିସାର-ଅର୍ଚ୍ଚନାରେ କଣ ଏଠିକା ପ୍ରାଣରୁ ସତ୍ୟର ପରିଚୟଟି ଏକାବେଳେକେ କଳା ପଡ଼ିଗଲାଣି ? ଏହିପରି ନାନା ପ୍ରଶ୍ନରେ ଅନ୍ତରମନ କେବଳ ଦଗ୍‌ଧ ହେଉଚି ସିନା, କିନ୍ତୁ ଭିତରୁ ମୁଁ ସିଧାସଳଖ କୌଣସି ଜବାବ ହିଁ ପାଉନାହିଁ । ଏଠି ମୁଁ କ୍ରମେ ମରି ଯାଉନାହିଁ ତ ?

 

୨୧.୧୨.୧୯୪୯

 

ମେଳାର ଭିଡ଼ ଆଜିଠୁଁ ଜମିଲେଣି । ମେଳାର ନାନା କାମରେ ବ୍ୟସ୍ତ ରହି ଏହି ଚାରିପାଞ୍ଚଟି ଦିନ କଟିଯିବ । ପଚିଶି ବର୍ଷରୁ ଅଧିକ ଆଗରୁ ଏଠି ବିଶ୍ୱଭାରତୀର ପ୍ରଥମ ସ୍ଥାପନା ହୋଇଥିଲା । ଭାରତବର୍ଷର କବି ସେଦିନ ସକଳ ବିଶ୍ୱକୁ ଆପଣାର ଦ୍ୱାରକୁ ଆମନ୍ତ୍ରିତ କରି ଆଣିଥିଲେ । ଯଥାର୍ଥରେ ସେ ବିଶ୍ୱକବି । ଯେତେ ଅଳ୍ପ ପୁଞ୍ଜୀ ନେଇ ଆରମ୍ଭ ହୋଇଥାଉ ନା କାହିଁକି, ଆପଣାର ବିଶ୍ୱତୋମୁଖୀ ଦୃଷ୍ଟିବଳରେ ଆଜି ଏହି ଅନୁଷ୍ଠାନ ସମସ୍ତ ବିଶ୍ୱର ଅନୁଷ୍ଠାନ ହୋଇପାରିଚି । ମାତ୍ର ସାରା ବିଶ୍ୱକୁ ଆଦର ଓ ଆଲିଙ୍ଗନ ଦ୍ୱାରା ଆପଣା ବୁକୁରେ ଜଡ଼ାଇ ଧରିପାରିବାର ସକଳ ଶାଳୀନତା ଆଜି ଶାନ୍ତି ନିକେତନର ଅଛି କି ନାହିଁ, ସେକଥା କିଏ କହିପାରିବ ? ଆପଣାର ଆତ୍ମାଟିକୁ ହରାଇ ବସିଲେ ସିଏ ବିଶ୍ୱକୁ ଡାକି ପାରିବାର ଅଧିକାରକୁ ମଧ୍ୟ ହରାଇ ବସିବ । ଭଗବାନ କରନ୍ତୁ, ଏପରି କଦାପି ନହେଉ ! ବିଶ୍ୱଭାରତୀର ପ୍ରାଣମନ୍ତ୍ରକୁ ବୁଝି ବଞ୍ଚିଲା ଭଳି ଯଥେଷ୍ଟ ବଳବାନ୍ ବ୍ୟକ୍ତି ଏହାକୁ ବଞ୍ଚାଇ ରଖନ୍ତୁ !

 

ସଂଯମ ବିଷୟରେ କୋଉ ମନୀଷୀ କଣସବୁ କହିଚନ୍ତି, ମୁଁ ସେକଥା ଠିକ୍ ଠିକ୍ କହି ପାରିବିନାହିଁ; କିନ୍ତୁ ମୋର ପୂର୍ଣ୍ଣ ବିଶ୍ୱାସ ରହିଚି ଯେ ଆପଣାର ମନକୁ ଆଲୋକମୁହାଁ କରି ରଖିଥିଲେ ଦିନେ ନା ଦିନେ ପୂର୍ଣ୍ଣ ସଂଯମ ହାସଲ କରାଯାଇ ପାରିବ । ଏତେ ଟିକିଏ କ୍ଷତି ବା ବିଚ୍ୟୁତି ଲାଗି କାତର ହୋଇ ଆପଣାକୁ ଧିକ୍‌କାର ଦେବାର ବିଦ୍ୟା ମୁଁ ଶିଖିନାହିଁ । ମୋର ପ୍ରସ୍ତୁତି କ୍ରମରେ sick soulର ସ୍ଥାନ ନାହିଁ । ମୋତେ ଆଗକୁ ଯିବାକୁ ହିଁ ହେବ । ଘଡ଼ିକର ମିଛ ‘ମୁଁ’ ର ପ୍ରବଞ୍ଚନା ଲାଗି ସାରାଦିନର ସତ ‘ମୁଁ’ ର ପ୍ରସନ୍ନ ଆରାଧନା ଓ ତପସ୍ୟାକୁ ଯଥୋଚିତ ଗୌରବ ନଦେବାର ଭୁଲ ମୁଁ କଦାପି କରିବିନାହିଁ । ଶେଷରେ ସେହି ସତ ‘ମୁଁ’ ହିଁ ଜିତିବି । ସତ ଭଗବାନ ସକଳ ଶଇତାନୀର ଜାଲ କାଟି ଶେଷରେ ମୋହରି ଜୀବନ ମଧ୍ୟରେ ତାଙ୍କରି ଉଦ୍ଦେଶ୍ୟଟିକୁ ପୂରଣ କରିବେ । ଚିରନ୍ତନ ଆଶାର ଏହି ବିଶ୍ୱାସଭରା ବଞ୍ଚିବା ହେଉଚି ଏ ଜୀବନର ସବୁଠାରୁ ବଡ଼ ସତ୍ୟ-

 

୨୨.୧୨.୧୯୪୯

 

ତେଇଶି ତାରିଖର ସକାଳେ ମୁଁ ବର୍ତ୍ତମାନ ବାଇଶି ତାରିଖର ଲିପି ଲେଖି ବସିଚି । ମଝିରେ ଗୋଟାଏ ଦିନ ହୋଇଯାଇଚି । କାଲି ରାତିରେ ମେଳାସଂକ୍ରାନ୍ତୀୟ ନାନା କାର୍ଯ୍ୟରେ ବ୍ୟସ୍ତ ଥାଇ କ୍ଳାନ୍ତ ଶରୀରକୁ ଧରି ଯେତେବେଳେ ଘରକୁ ଫେରିଲି, ସେତେବେଳେ ନାନା ଚିନ୍ତାର କୋଳାହଳରେ ମଥାଭିତରଟା ବିଲକୁଲ ଫାଙ୍କାଫାଙ୍କା ଲାଗୁଥିଲା । ତେଣୁ କର୍ତ୍ତବ୍ୟ କରିବା ସମ୍ବନ୍ଧରେ ଯଥେଷ୍ଟ ସଚେତନ ରହିଥିଲେ ହେଁ ତଥାପି ଆପଣାକୁ ବାଧ୍ୟକରି ବସାଇବାକୁ ମୋଟେ ଇଚ୍ଛା ହେଲାନାହିଁ, ଶୋଇପଡ଼ିଲି ।

 

କାଲି ଗୋଟାଏ ଚିନ୍ତା ମୋତେ ଭାରି ଘାରିକରି ରଖିଥିଲା । ତେଣୁ କାଲିର ତାରିଖ ବସାଇ ମୁଁ ଆଜି ସେଇଟାହିଁ ଲେଖିବାକୁ ଯାଉଚି । ମେଳାରେ ଇତସ୍ତତଃ ହୋଇ ବୁଲିବା ସମୟରେ ଜ୍ଞାନ ଓ କର୍ମସମ୍ବନ୍ଧୀୟ ନାନା ଭାବନାରେ ମୁଁ ଖୁବ୍ ନିମଗ୍ନ ହୋଇ ରହିଥିଲି । ଏଯୁଗରେ ଏତେ ପଢ଼ାଶୁଣା, ପାଣ୍ଡିତ୍ୟ, ଜ୍ଞାନ; ଅଥଚ ସଂସାରଯାକ ଏପରି ଦୁର୍ଦ୍ଦିନ ଘୋଟି ରହିଚି କାହିଁକି ? (ଯଦି ଆଲୋକ ଦାନ କରିବା ହିଁ ଆଲୋକର ସ୍ୱାଭାବିକ ଧର୍ମ ହୁଏ, ତେବେ ଜ୍ଞାନମୟ ଏହି ଦେଶରେ ଏତେ ଲୋକ ଅଜ୍ଞାନ ରହିଚନ୍ତି କାହିଁକି ?) ନାନା ବିଶ୍ୱବିଦ୍ୟାଳୟରେ ହୁଏତ ଏଠିକାପରି କେତେ human energy ଖରଚ କରି ପଣ୍ଡିତ ପ୍ରବରମାନ ଜ୍ଞାନର ଗବେଷଣା କରିଚନ୍ତି ଓ ଆଜି ମଧ୍ୟ କରୁଚନ୍ତି, କିନ୍ତୁ ଏ ଦେଶରେ ଜ୍ଞାନୀ କାହାନ୍ତି ? ଧର୍ମର ସୂକ୍ଷ୍ମ ତତ୍ତ୍ୱ ଓ ଆଚାରକୁ ନେଇ ଗବେଷଣାଘର ଭିତରେ ଯେଉଁ ପଣ୍ଡିତ ମୁଗ୍‌ଧ ଓ ନିର୍ମୋହ ହୋଇ ରହିପାରୁଚି, ଘରର ବାହାରେ ସଂସାରକୁ ଆସି ସେ ମଣିଷପ୍ରତି ଏପରି ଅଜ୍ଞନ ଜନିତ ଅବଜ୍ଞା ଦେଖାଉଚି କିପରି ? ଗୀତାରେ ଜ୍ଞାନଯୋଗର କେତେ ପ୍ରଶଂସା କରାଯାଇଚି, କିନ୍ତୁ ସେହି ଜ୍ଞାନ ତ ମଣିଷକୁ ଏପରି ଆବଦ୍ଧ ଓ ସୀମାସଂକୀର୍ଣ୍ଣ କରି ରଖିବାର ଜ୍ଞାନ ନୁହେଁ ! ଜ୍ଞାନର ସମ୍ୟକ ଉପଲବ୍‌ଧି ପରେ ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦେଖିପାରିଚନ୍ତି, ପୁଣି ଆପଣା ମଧ୍ୟରେ ସମସ୍ତ ବିଶ୍ୱକୁ ପ୍ରତିଭାତ ବି କରି ପାରିଚନ୍ତି । ତାଙ୍କର ଜ୍ଞାନଲାଭ ତାଙ୍କୁ କର୍ମର ପ୍ରେରଣା ଦେଇ ସୃଷ୍ଟିସଂଗ୍ରହ ସକାଶେ ଆକୃଷ୍ଟ ଓ ବେଗବାନ୍ କରିପାରିଚି । ଅଥଚ ଏଯୁଗରେ ଜ୍ଞାନଯୋଗର ସେହି ନମୁନା ଏପରି ହଜିହଜି ଯାଉଚି କାହିଁକି ? ଜ୍ଞାନଲାଗି ଏ ଦେଶରେ କେତେ ପଇସା ଖରଚ ହେଉଚି, ଦେଶର ଭାତ ପଡ଼ି କଟାହୋଇ କେତେ ପଠନ ଓ ପାଠନର ବୈଠକରେ ଆସବାବ ଖଞ୍ଜାଯାଉଚି, ଅଥଚ ସେହିସବୁ ବୈଠକ ଆଜି ପ୍ରଧାନତଃ ଆପଣାର କରାମତିରେ ଆପେ ହିଁ ଅତିଭୁକ୍ତ ହୋଇ ରହିଚି କାହିଁକି ? ସେଗୁଡ଼ିକର ସାଧନା ଜନିତ ସିଦ୍ଧିରେ କଣ ବୃହତ୍ତର ଜଗତର କୌଣସି ଭାଗ ନାହିଁ ? ସ୍ୱଧର୍ମରେ ମୋକ୍ଷଲାଭ କରିବା ହୁଏତ ସମର୍ଥନୀୟ ହୋଇପାରେ, ମାତ୍ର ମୋକ୍ଷଟାକୁହିଁ ସ୍ୱଧର୍ମ କରିନେବାର ପ୍ରମତ୍ତ ପ୍ରରୋଚନା କରି ଏଯୁଗର ପଣ୍ଡିତ ସମାଜ ପ୍ରକୃତରେ କେଡ଼େ ଅପରାଧ ନକରୁଚି ? ଏହି ଏକାତି ସଂକୀର୍ଣ୍ଣ ପଣ୍ଡିତ ମଣ୍ଡଳ ମଧ୍ୟରେ ହିଁ ବୋଧହୁଏ ସବୁଠାରୁ ଅଧିକ ଘୃଣା ଓ ସବୁଠାରୁ ଅଧିକ ବିଦ୍ୱେଷ ଚେର ମାଡ଼ି ରହିଚି । ଯେକୌଣସି କାରଣରୁ ହେଉ ପଛକେ, ନିରାଟ ଅକ୍ଷରର ଦୋହରା-ଧଉଳା କରି ଏବର ତଥାକଥିତ ସୁଧୀସମାଜ ଯେପରି ଗୋଟାଏ ପ୍ରକାରର ଆତ୍ମଗୁରୁଭାବ ଅନୁଭବ କରୁଚି ଓ ଅନ୍ୟ ମଣିଷଙ୍କୁ ଛୋଟ ନଜରରେ ଦେଖୁଚି ।

 

ଜ୍ଞାନମୋହର ଅଚଳାୟତନ ମଧ୍ୟରେ ଜ୍ଞାନକୁ କେବଳ ଏକ ପରିଚ୍ଛଦ କରି ରଖି ତାହାର ସାଜରେ କେବଳ ଆପେ ଆନନ୍ଦ ପାଇବାର ପର୍ଯ୍ୟାୟ ସମ୍ଭବତଃ ସବୁ ଧର୍ମରେ ଦେଖିବାକୁ ମିଳିଥାଏ । ପାଇବା ପୂର୍ବରୁ ମଣିଷ ଯାହାଲାଗି ସର୍ବସ୍ୱ ତ୍ୟାଗ କରିବାଲାଗି ପ୍ରସ୍ତୁତ ହୋଇଥାଏ, ତାକୁ ପାଇବାପାରେ ସେ ତାହାରି ମଧ୍ୟରେ ପଡ଼ିରହିବାକୁ ହିଁ ବୋଧହୁଏ ଭାରି ଭଲପାଏ । ବୌଦ୍ଧଧର୍ମରେ ଶୂନ୍ୟତା’ର ସିଦ୍ଧାନ୍ତକୁ କେନ୍ଦ୍ରକରି ପଡ଼ିଥିବା ଏହିପରି ଏକ ଶୀତଳ ପର୍ଯ୍ୟାୟର ଆହ୍ୱାନକୁ ଜବାବ ଦେଇ ଖୁବ୍‌ସମ୍ଭବ ‘କରୁଣା’ ର ଉଦ୍‌ଭବ ହୋଇଥିଲା । ଆଜି ସେହି ‘କରୁଣା’ ବା ‘କର୍ମସଂଯୋଗ’ ର ସର୍ବାଦୌ ଆବଶ୍ୟକତା ରହିଚି । pseudo- ଜ୍ଞାନର ପରିଚ୍ଛନ୍ନତା ଦ୍ୱାରା ବର୍ତ୍ତମାନ ଜଗତରେ ଯେଉଁ stalemate ଆସି ପହଞ୍ଚିଚି, ଅଧିକ ପ୍ରୀତି ଓ ଅଧିକ ସଦିଚ୍ଛାଦ୍ୱାରା ସଂସାରର ଜୀବନ ସାଧନା ସହିତ (ସଂଯୁକ୍ତ ହୋଇ ପାରିଲେ ହିଁ ଏଯୁଗର ନିସ୍ତାର ହେବ । ଜ୍ଞାନ ଓ କର୍ମକୁ ପରସ୍ପର ସହିତ) ସଂଶ୍ଳିଷ୍ଟ କରିବାକୁ ପଡ଼ିବ । ଏହି ଦ୍ୱିବିଧ ପଥମଧ୍ୟରେ ଗୀତା ବି କୌଣସି ପାର୍ଥକ୍ୟ ଦେଖିନାହିଁ । ‘କରୁଣା’ର ବାଣୀ ହେଉଚି ଆଗାମୀ ସଂସ୍ଥାପକର ବାଣୀ ।

 

୨୩.୧୨.୧୯୪୯

 

ମେଳା ଭିତରୁ ଦଣ୍ଡେ ସମୟ ଚୋରିକରି କାମଟା ସାରିଦେବାକୁ ବସିଚି । ମୁହଁ ସଞ୍ଜରେ ବାହାରକୁ ଯିବାଲାଗି ଭାରି ମନ ହେଉଥିଲେ ମଧ୍ୟ କର୍ତ୍ତବ୍ୟର ଶାସନରେ ମୋତେ ମନକୁ ମଣାଇବାକୁ ପଡ଼ିଚି । କଣ ଲେଖିବି ତାହା ମଧ୍ୟ ଜାଣେନା । ମେଳାଭିତରେ ମୁଁ ଖୁବ୍ ବୁଲୁଚି, ଆନନ୍ଦ ଆମୋଦ ଓ ଖିଆପିଆ ଖୁବ୍ ଚାଲିଚି । ତଥାପି ସତ କହିବାକୁ ଗଲେ ମେଳାରେ ମୋର ମନ ନାହିଁ । ମୋର ସକଳ ଇନ୍ଦ୍ରିୟ ଦେଇ ମୁଁ ଯେପରି ମୋ’ ଅନ୍ତର ଭିତରେ ଚାଲିଥିବା ପ୍ରବଳ ଦ୍ୱନ୍ଦଗୁଡ଼ାକର ଦହନକୁ ହିଁ ଅନୁଭବ କରୁଚି । ସେଇ ଦହନର କୌଣସି ଭାଷାନାହିଁ formative ଜୀବନର ନାନା କାଦୁଅ ଉପରେ କେତେ ରକମର କେତେ ଯେ ପଦଚିହ୍ନ ପଡ଼ୁଚି, ତାହାକୁ କଳି ରଖିବାର ଶକ୍ତି ବା ମନ ମୋର ନାହିଁ । ଉପରେ ଶାନ୍ତ ଓ ସ୍ଥିର ଥାଇ ମୁଁ ଭିତରେ ଏପରି ଆନ୍ଦୋଳନ କେବେ ଅନୁଭବ କରିନଥିଲି । ଆଗରୁ ଆନନ୍ଦରେ ହସି ଆସୁଥିଲି, ଦୁଃଖରେ ସକଳ ଦୂଆର ଖୋଲିଦେଇ କାନ୍ଦି ମଧ୍ୟ ପାରୁଥିଲି । କିନ୍ତୁ ଏଥର ମନର ବିଧାତା ଯେ କୌଶଳରେ ମୁଁ ହର ହସ ଓ ଆଖିର ଲୁହକୁ ରୋଧି ଭିତରେ ଭିତରେ ଏପରି ଶୋଚନା ସମର ଲଗାଇ ଦେଇଚନ୍ତି, ମୁଁ ଠିକ୍ ଅନୁମାନ କରିପାରୁନାହିଁ । ଯେଉଁ ଦୁଇଟି ପକ୍ଷଭିତରେ ଲଢ଼ାଇ ଚାଲିଚି, ତାହାକୁ ଠିକ ଦୁଇଟି ପକ୍ଷ ବୋଲି କହିହେବ ନାହିଁ । ସେମାନେ ପରସ୍ପରର ବହିର୍ଗତ ନୁହନ୍ତି, ଅସଲ କଥା ହେଉଚି ଜୀବନର କୌଣସି ନିଷ୍ପତ୍ତି ଅପରଟିଠାରୁ ଏକାବେଳେକେ ବହିର୍ଭୂତ ନୁହେଁ । ଏଠି ଇତର ଓ ମନ୍ଦଗୁଡ଼ିକୁ ବାଦ୍‌ ଦେଇ କେବଳ ଭଲଟିକୁ ବାଛିନେବାର ପ୍ରଶ୍ନ ହିଁ ଉଠୁନାହିଁ । ସବୁ ରାସ୍ତା ସେଇ ଏକ ମନ୍ଦିରକୁ ପଡ଼ିଚି । ଆପଣାର ବିଶେଷ ରାସ୍ତାଟି ବୁଝିନେଇ ସେଇ ରାସ୍ତାରେ ଚାଲିବାର ନିଷ୍ପତ୍ତି ହିଁ କରିବାକୁ ପଡ଼ିବ । ଆଜିଯାଏ ମୁଁ ନାନା ରାସ୍ତାକୁ ଭଲ ପାଇଥିଲି, ନାନା ମମତାର ବନ୍ଧନରେ କେଉଁଠି କେତେପ୍ରକାରେ ବାନ୍ଧିହୋଇ ଯାଇଥିଲି । ଆଜି ନିଜର ଭଳି ଗୋଟିଏ ରାସ୍ତା ବାଛିନେବାକୁ ଗଲାବେଳେ ମୋତେ ହୁଏତ ଆପାତତଃ ଅନେକ ବନ୍ଧନ ଛିଣ୍ଡାଇବାକୁ ପଡ଼ିବ । ତେଣୁ ବର୍ତ୍ତମାନ ପଳାୟନତାର ଏକ ଭୀତ ଜୀବପରି ମ୍ରିୟମାଣ ହୋଇ ପଡ଼ିବାରେ କୌଣସି କାରଣ ନାହିଁ । ମୋର ଅନ୍ତରଦହନ ମୋତେ ଆପଣାର ବିଶିଷ୍ଟ ପଥଟିକୁ ବାଛିନେଇ ଅନ୍ୟାନ୍ୟ ସହସ୍ର ପଥକୁ ଆହୁରି ଭଲକରି ବୁଝିବାର ଆଲୋକଶକ୍ତି ଦେଇଯାଏ ।

 

୨୪.୧୨.୧୯୪୯

 

ଶରୀର ଯେ ସେହି ଅଶରୀରୀର ବିଭୁତି ନେଇଚି, ସଂଗୀତ, କଳା ଓ ଦର୍ଶନ ହେଉଚନ୍ତି ତାର ପ୍ରମାଣ । ନାନା ସୀମାର ଅନ୍ନମୟ କୋଷମଧ୍ୟରେ ଆବଦ୍ଧ ରହି ଏହି ଶରୀର ସଂଗୀତ, କଳା ଓ ଦର୍ଶନ ଦ୍ୱାରା ହିଁ ପରମାତ୍ମା ଭୁବନ ସହିତ ସେତୁ ବାନ୍ଧିପାରୁଚି । କେବଳ ଆମ ଦୈନନ୍ଦିନ ଆବଶ୍ୟକତା ଗୁଡ଼ାକୁ ମେଣ୍ଟାଇବା ସକାଶେ ଯେ ଇନ୍ଦ୍ରିୟ ସକଳର ସୃଷ୍ଟି ହୋଇଚି, ତାହା ନୁହେଁ । ସଂଗୀତ ଶୁଣି ଏହି କାନ ସମସ୍ତ ଜୀବନକୁ ଉତ୍ତୋଳିତ କରିନେଇ ପାରୁଚି, ନାନା ରୂପର ଅମୃତ୍ୱତକୁ ଆହରଣ କରିଆଣି ଏହି ଆଖିର ଦୁଆରଟା ଏକ ସ୍ୱର୍ଗୀୟ ବୋଧଦ୍ୱାରା ଅନ୍ତସ୍କରଣକୁ ପବିତ୍ର କରିପାରୁଚି । ସମ୍ଭବତଃ ଏହିପରି ସେତୁରୂପେ କାର୍ଯ୍ୟ କରିବା ହେଉଚି ଆମ ଇନ୍ଦ୍ରିୟଗୁଡ଼ିକର ଅସଲ ଧର୍ମ । ଆଜି ଗୀତ ଶୁଣୁଶୁଣୁ ମୁଁ ମନଭିତରେ ଏହିକଥା ଭାବୁଥିଲି ।

 

ତିନିଦିନର ମେଳା ଆଜି ସରୁଚି । ଏହାଭିତରେ ମୁଁ ନାନା ଭାବେ ବଡ଼ ଅନିୟମିତ ହୋଇପଡ଼ିଚି । ସକାଳେ ଉଠିବାକୁ ନିତି ଡେରି ହେଉଚି, ଗତ କେତେଦିନ ହେଲା ବ୍ୟାୟାମ କରିବା ବନ୍ଦ ହୋଇଗଲାଣି, ରାତିରେ ଶୋଇବାର ସମୟ ବି ଆଦୌ ଠିକ ରହୁନାହିଁ । ଆପଣାର ଡୋରଗୁଡ଼ିକୁ ହରାଇ ପକାଇଥିବା ହେତୁ ବେଳେ ବେଳେ ଭାରି ଅବସନ୍ନ ଲାଗୁଚି । ଗତ କେଇଟା ଦିନ ଯେପରି ଠିକ୍ ଗୋଟାଏ ସୁଅ ପରି ବୋହି ଯାଉଚି । ତଥାପି ମୁଁ ସେଥିଲାଗି ଗ୍ଳାନିକରି ବସିବି ନାହିଁ । ମୋର ସବୁ ଠିକ ଅଛି । ସତର୍କ ମନ ପୁଣି ଆପଣାର ସମୟ ଅନୁସାରେ ଆପଣାକୁ ସଜାଡ଼ିବେ । ଆପଣା ମନୋଗତି ଗୁଡ଼ିକୁ ନିର୍ଣ୍ଣୟ କରିବା ସକାଶେ ଆପଣାର ସଂପୂର୍ଣ୍ଣ ଅକ୍ତିଆର ନଥିବା ସ୍ଥଳେ ଜୀବନକୁ ନେଇ ଫତୁଆ ହେଇ ବସିଲେ କେବଳ ଦଗ୍‌ଧହେବା ହିଁ ସାର ହେବ ।

 

୨୮.୧୨.୧୯୪୯

 

ଗତ ଚାରିଦିନର gapଟାକୁ ଡେଇଁବା ଲାଗି ମୁଁ ଅନେକ ଘଟଣାର ମଧ୍ୟଦେଇ ଆସିଚି-। ମେଳାର ଭିଡ଼ପରେ ବାର୍ଷିକ ଭ୍ରମଣରେ ବାହାରି କାଲି ରାତିରେ ଏଠାରେ ଆସି ପହଞ୍ଚିଚି-। ପାଲାମୌ ଜିଲ୍ଲାର ଡାଲଟନଗଞ୍ଜ ଆମ ରହଣିର ସ୍ଥାନ ହୋଇଚି । ବର୍ତ୍ତମାନ ଏଠି ସାତଦିନ କଟିବ-। ପାଲାମୌର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ଆଗରୁ ମୁଁ ଅନେକ ଶୁଣିଚି, କିଞ୍ଚିତ୍ ବି ପଢ଼ିଚି । କାଲି ରାତିରେ ବାଟରେ ଆସିଲାବେଳେ ରାତିର ଅନ୍ଧାର ଭିତରୁ ଏହି ସୌନ୍ଦର୍ଯ୍ୟର କିଛି ପରିଚୟ ମଧ୍ୟ ପାଇଚି । ଆହୁରି ଅନେକ ଦେଖିବି ।

 

ପୁରୁଣା ବର୍ଷକୁ ବିଦାୟ ଦେଇ ଏହି campରେ ନୂଆବର୍ଷର ଅନ୍ତର ଅଭ୍ୟର୍ଥନା କରିବାକୁ ହେବ । ଶାନ୍ତିନିକେତନରେ ରହିବା ଦିନଠାରୁ ପ୍ରାୟ ଚାରିବର୍ଷ ହେଲା ମୁଁ ବର୍ଷଶେଷରେ ମହୋତ୍ସବଟିକୁ ଏହିପରି campରେ ଉଦ୍‌ଯାପନ କରିବାର ସୌଭାଗ୍ୟ ଲାଭକରି ଆସିଚି । ତଦ୍ଦ୍ୱାରା ଯଥେଷ୍ଟ ଲାଭ ହୋଇଚି । କୌଣସିଟି ପାଖରୁ ବିଦାୟ ନେଲାବେଳେ ସଂସାର ସହିତ ଯେତେ କମ attachment ରହେ ସେତେ ଭଲ । ତେନତ୍ୟକ୍ତେନ ଭୁଞ୍ଜୀଥାଃ । ଏହି ଯୋଗ୍ୟତାଟିକୁ ଅର୍ଜ୍ଜନ କରିଥିଲେ ଦେବା ସମୟରେ ଓ ନେବା ସମୟରେ କୌଣସି ପ୍ରକାରର ମୋହ ହୃଦୟକୁ ଆଚ୍ଛନ୍ନ କରି ପକାଇବାଲାଗି ଆଉ କୌଣସି ଭୟ ନ ଥାଏ । ତନ୍ତ୍ରଶାସ୍ତ୍ର ଅନୁସାରେ ଶିଷ୍ୟକୁ ଉଲଗ୍ନ ହୋଇ ଗୁରୁଦ୍ୱାର ଅଭିଷିକ୍ତ ହେବାକୁ ପଡ଼େ । ଏହାପଛରେ ହୁଏତ ଏକ ଚମତ୍କାର ବ୍ୟଞ୍ଜନାର୍ଥ ରହିଚି । ସଂସାରର ସମସ୍ତ ସଂଲଗ୍ନତାକୁ ପରିତ୍ୟାଗ କରି ଆସି ଏକ ଉଲଗ୍ନ ଶିଶୁ ପରି ଦିବ୍ୟଜୀବନର ସାମ୍ରାଜ୍ୟ ଭିତରକୁ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ହୁଏତ ଏହିପରି ଏକ ସଂକ୍ରାନ୍ତରେ ଦ୍ୱିଜ ଶବ୍ଦଟିର ଉତ୍ପତ୍ତି ହୋଇଚି । ସାତଦିନର ଏହି ଶିବିରରେ ଆପଣାକୁ ଉଲଗ୍ନକରି ମୋତେ ଦ୍ୱିଜହେବାର ଯୋଗ୍ୟତା ଅର୍ଜ୍ଜନ କରିବାକୁ ହେବ । ତେବେଯାଇ ପୁରୁଣା ବର୍ଷଟିକୁ ଛାଡ଼ି ନୂତନ ବର୍ଷଟିକୁ ଅଭିନନ୍ଦନ କରିନେବାର ଉତ୍କୃଷ୍ଟ ଅନୁଷ୍ଠାନଟିରେ ମୁଁ ଯଥାଯୋଗ୍ୟ ଭାଗୀହୋଇ ପାରିବି ।

 

୨୯.୧୨.୧୯୪୯

 

ଭ୍ରମଣର ଦ୍ୱିତୀୟ ଦିନରେ ମନଟା ଏକାବେଳେକେ ଭ୍ରମଣ ଧର୍ମୀ ହୋଇଯାଇଚି । ଚିର–ପଥିକର ସକଳ କୁଶଳତାକୁ ମୁଁ ଗୋଟାଏ ଦିନରେ ହାସଲ କରିପାରିଚି ବୋଲି ଆପଣା ଭିତରେ ଭାରି ଗୌରବ ଅନୁଭବ କରୁଚି । ଭ୍ରମଣର ଏହି ମନୋରମ ଅବସରଟି ଗୋଟାଏ ଦୁନିଆକୁ ଭୁଲିବା ଲାଗି ଆଦୌ ନୁହେଁ, ମାତ୍ର ସେହି ଦୁନିଆକୁ ଦ୍ୱିଗୁଣିତ ଭାବେ ବିଚିତ୍ର ଓ କାର୍ଯ୍ୟମାନ କରିବାଲାଗି ଏହି ସାମୟିକ withdrawal ଆପଣା ମଧ୍ୟରେ ଏକ ସ୍ୱତନ୍ତ୍ର ଗୋଲକ ରଚନା କରିନେଇଚି । ଏହାକୁ ପଳାଇଯିବା ବୋଲି କହିହେବ ନାହିଁ, ସମଗ୍ର ପାତ୍ରଟିକୁ ନୂତନଭାବେ ପୂର୍ଣ୍ଣ କରିଦେବା ଲାଗି ପାତ୍ରତଳର ଆବଦ୍ଧ ଜଳସ୍ତରକୁ ନିକ୍ଷିପ୍ତ କରିଦେବାର process ଏ ।

 

ଡାଲଟନଗଞ୍ଜର ପ୍ରକୃତି ଅପୂର୍ବ । ସେଥିଲାଗି ସାହିତ୍ୟର ସେହି ଭାବ ପ୍ରଧାନ ଯୁଗରେ ଲେଖକ ସଞ୍ଜୀବ ଚଟ୍ଟୋପାଧ୍ୟାୟ ପାଲାମୌର ଏତେ ପ୍ରଶଂସା ଗାଇ ଯାଇଚନ୍ତି । ନଈ ସେପାଖରେ ଥିବା ନୀଳ ବନାନିର ଭ୍ରମର—ବକ୍ଷ ଆଖିକୁ ନିର୍ନିମେଷ କରିଦେଉଚି । ସହର ଓ ମଫସଲର ଚମତ୍କାର ମିଳନସ୍ଥଳ ଏହି ସ୍ଥାନଟି । ଗାଆଁର ସ୍ୱାତନ୍ତ୍ର୍ୟଟି ଏପର୍ଯ୍ୟନ୍ତ ନଷ୍ଟ ହୋଇନାହିଁ, ଅଥଚ ସହର ଜୀବନର ସୁବିଧାଗୁଡ଼ିକ ମଧ୍ୟ ସୁବିଧାରେ ମିଳୁଚି । ଭୌତିକ ତଥା ଆଧ୍ୟାତ୍ମିକ ଉଭୟ ଦୃଷ୍ଟିରୁ ଜୀବନକୁ ଭରପୁର କରି ରଖିବାକୁ ଏହି ସ୍ଥାନଟି ଅତି ଉପାଦେୟ । ଜାଣେନା, ହୁଏତ ଆଉ ଅଳପ ଦିନରେ ଏଠାରେ ସହର ଗଢ଼ିବାର ପ୍ରଳାପୀ ଭୂତ ଜନ୍ମଲାଭ କରିବ । ଏପାରିର ସୋରିଷ କିଆରୀ ଓ ସେପାରିରେ ଥିବା ନୀଳ ଅରଣ୍ୟର ଅନ୍ତର ଭେଦି ଇସ୍ପାତୀ ଦୈତ୍ୟର ଗ୍ରାସ ଏଠିକାର ଜୀବନକୁ ହୁଏତ ଦିନେ ବଡ଼ ଆବିଳ କରି ପକାଇବ । ସାରା ଭାରତରେ ଓ ସାରାପୃଥିବୀରେ ପ୍ରଧାନତଃ ତାହାହିଁ ହୋଇଚି । ଜୀବନର ସ୍ୱାଭାବିକ ପ୍ରଭାଟିକୁ ନଷ୍ଟକରି ଏବଂ ଜୀବନର ବପୁଟାକୁ ହିଁ ଅଧିକରୁ ଅଧିକ ମାଂସାଳ କରି ଏହି ସଭ୍ୟତାର ବିଷ—ରସାୟନ ଯେ ଆମର କେତେ କ୍ଷତି କରିଚି, ବର୍ତ୍ତମାନ କ୍ରମେ ସମସ୍ତେ ସେ କଥା ବୁଝିବାକୁ ଆରମ୍ଭ କଲେଣି । ବର୍ତ୍ତମାନ ବି ଠିକ୍ ବାଟ ଧରିବାର ବେଳ ରହିଚି । To go back and starta new from where we were misled : ଇଉରୋପୀୟ ସନ୍ଥଦୃଷ୍ଟିର ଏହି ପଥଟି ଆମ ଜୀବନଲାଗି ମଧ୍ୟ ଅନୁକୂଳ ପଥ ।

 

୩୦.୧୨.୧୯୪୯

 

ଘନ ଅରଣ୍ୟର ସଳଖ ଓ ବକ୍ର କେତେ ପଥ ଅତିକ୍ରମ କରି ମୁଁ ଆଜି ପୁଣି ଡ଼ାଲଟନଗଞ୍ଜର CAMP କୁ ଫେରିଆସିଚି । ପାଦର ସଞ୍ଚରଣ ସଙ୍ଗେ ସଙ୍ଗେ ମନ ବି ନାନା ବିଚିତ୍ର ଓ ବିଭଙ୍ଗ ପଥ ଦେଇ ଗତି କରିଛି, କେତେ ଲକ୍ଷ୍ୟ ଓ ଉପଲକ୍ଷରେ ଉତ୍‌ଫୁଲ୍ଲ ଓ ଉଦ୍‌ଗ୍ରୀବ ହୋଇ ଆପଣାକୁ ସଚଳ କରିରଖିଚି । ଶେଷକୁ ସିଏ ମଧ୍ୟ ଆପଣା ନୀଡ଼ରେ ଆପଣାକୁ ପାଇ ନିସ୍ତବ୍‌ଧ ହୋଇ ରହିଚି।

 

ପାଲାମୌ କ୍ଲବ ତରଫରୁ କାଲି ଆମକୁ ନିମନ୍ତ୍ରଣ କରାଯାଇଥିଲା । ପ୍ରତ୍ୟେକ ପ୍ରଦେଶରୁ ଜଣେ ଜଣେ ଉଠି ଆମ ନିମିତ୍ତଗ୍ରାହୀମାନଙ୍କୁ ଧନ୍ୟବାଦ ଦେବାକୁ ହେଲା । ବିହାର ତରଫରୁ ଯେଉଁ ଛାତ୍ରବନ୍ଧୁ ଜଣକ ଧନ୍ୟବାଦ ଦେଲେ, ତାଙ୍କର ପାଳି ସବାଶେଷରେ ପଡ଼ିଲା । ପ୍ରସଙ୍ଗକ୍ରମେ ଜଣେ ସ୍ଥାନୀୟ ଭଦ୍ରଲୋକ ପରେ କହିଲେ ଯେ ବିହାର ତରଫରୁ କେହି ଉଠିବାର ଦେଖି ସିଏ ବଡ଼ ଉଦ୍‌ବିଗ୍ନ ହୋଇ ପଡ଼ୁଥିଲେ, ତେଣୁ ବିହାରର ପାଳିପଡ଼ିବା ସମୟରେ ସେ ବଡ଼ ଉତ୍‌ଫୁଲ୍ଲ ଭାବରେ ପ୍ରାୟ ଚିତ୍କାର କରିଉଠିଥିଲେ । ଆପଣାର ମନୋଭାବଟି ସିଧା ପ୍ରକାଶ କରିପାରିଥିବାରୁ ମୁଁ ଭଦ୍ରଲୋକଙ୍କୁ ଅବଶ୍ୟ ଧନ୍ୟବାଦ ଦେଉଛି । କିନ୍ତୁ ଏଦେଶର ଶିକ୍ଷିତ ଶ୍ରେଣୀଭିତରେ ଏହି ମନୋଭାବଟି ଯେ କ୍ରମେ ଅଧିକରୁ ଅଧିକ ହେବାରେ ଲାଗିଚି, ଏହି ଆଶଙ୍କାଟି ମଧ୍ୟ ମୋ ଭିତରେ ଦିନକୁଦିନ ଭାରି ବଢ଼ିବାରେ ଲାଗିଚି । ଅତିଥିମାନେ ଶାନ୍ତିନିକେତନରୁ ଆସିଚନ୍ତି, ଯେଉଁଠି ଜଣେ ପାଗଳ ମାନବପୁତ୍ର ଆପଣା କବିକଳ୍ପନାର ମୋହ ବନ୍ଧ ଦେଇ ପ୍ରେମ ଓ ଭ୍ରାତୃତ୍ୱର ଏକ ଶିକ୍ଷାମଣ୍ଡଳ ତିଆରି କରିଥିଲା ଓ ନାନା ବିଚ୍ଛିନ୍ନତା ମଧ୍ୟରେ ଏକକ ମଣିଷବିକାଶ—ଧର୍ମର ମୂଳଦୁଆ ପକାଇଥିଲା । ସେହିସବୁର ସ୍ମରଣ କରି ଆପଣାକୁ ଅନୁପ୍ରେରିତ କରିବା ଦୂରେଥାଉ, ବରଂ ସେଠି ଆପଣାର ଗୋଳିଆ ମନର ପରିଚୟ ଦେବାକୁ ଏବର ଶିକ୍ଷିତ ଆଉ ଦ୍ୱିଧାବୋଧ କରୁନାହିଁ । ମଣିଷ କେଉଁଦିନଠୁଁ ଅଫିମ ଖାଇ ଏପରି ମଜି ରହିବାକୁ ଭଲପାଇଲା କେଜାଣି ? ଉଦାର ଓ ଉଚ୍ଚହୋଇ ଆପଣାର ଦିବ୍ୟ ପରିଚୟକୁ ପ୍ରତିଷ୍ଠିତ କରିବାର ଦିବ୍ୟ ଦିନ କେବେ ଆସିବ ? ମଣିଷ ଆପଣା ଭିତରର ‘ମଣିଷକୁ’ କେବେ ଚିହ୍ନିବ ?

 

୩୧.୧୨.୧୯୪୯

 

ଡାଲଟନଗଞ୍ଜଠାରୁ ଷାଠିଏ ମାଇଲ ଟ୍ରକରେ ବସି ଆସିବାପରେ ଜଙ୍ଗଲମଝିରେ ଏହି ଛୋଟ ଜାଗାଟିରେ ଆମର ଛାଉଣୀ ପଡ଼ିଚି । ମୁଁ ବାଟରେ କେତେକେତେ ଅରଣ୍ୟସୀମା ଯେ ପାରହୋଇ ଆସିଚି, ଏହି ମନର ନୀଳଦିଗନ୍ତରେଖା ଉପରେ ସେ ସବୁ ସିନ୍ଦୂବେର୍ଣ୍ଣର ଆଭା ବିସ୍ତାରକରି ରହିଚି ।କେତେ ଶାଳଗଛର ଧାଡ଼ୀ ଧାଡ଼ୀ ଭିଡ଼ମଧ୍ୟରେ ଅତିକ୍ରମ କରୁକରୁ ଯେ ମନ ଆପଣା ସୀମାଗୁଡ଼ାକୁ ଉତ୍ତୀର୍ଣ୍ଣହୋଇ ଚାଲିଯାଇଚି, ସେ କଥା ମୋର ଆଦୌ ମନେନାହିଁ । ଏହି ସମସ୍ତ ଅପୂର୍ବ ସାନ୍ନିଧ୍ୟ ଏକତ୍ରିତ ହୋଇ ଯେପରି ମୋର ଜୀବନକୁ ଆପଣାର ଛାପାକାଗଜରେ ଛପାଇ ଚାଲିଚି । ବାହାର ମୋହର ସମସ୍ତ କୃଷ୍ଣରସକୁ ଛପାଇନେଇ ଶେଷରେ ତାହା ମୋତେ ସୁପ୍ରସ୍ତୁତ ଓ ସୁଯୁକ୍ତ ମନର ଅବଦାନ ଦେଇଯିବ । ଏହି ବିଶ୍ୱାସରେ ହିଁ ମୁଁ ବଞ୍ଚିଚି, ଏହି ବିଶ୍ୱାସରେ ହିଁ ନୀଳ ଗଗନ, ଶ୍ୟାମଳ ବନାନି ଓ ସିନ୍ଦୂର—ସୂର୍ଯ୍ୟର ସାନ୍ନିଧ୍ୟରେ ମୁଁ ଏପରି ପରିପୂର୍ଣ୍ଣ ଓ ଉଲ୍ଲସିତ ହୋଇଉଠୁଚି । ଏହି ବିଶ୍ୱାସ ହିଁ ମୋତେ ଘାଟରୁ ଘାଟ ପାରିକରାଇ ନେବ । ବରଷର ଶେଷ ଦିନ । ଆଜି ରାତିଟାଯାକ ଗୀତ ଗାଇ କଟାଇ ଦିଆଯିବ ବୋଲି ସମସ୍ତେ ଠକ କରିଚନ୍ତି । ବାହାରେ ତ ବେଶ ଆନନ୍ଦ ଚାଲିଚି, ଅଥଚ ତେଣେ ଭିତରେ ଯଥେଷ୍ଟ ବେଶ ବଦଳା ହୋଇପାରିଚି ତ ? ଆଜି ନଗ୍ନ ଭାବରେ ଦୁଇ ସାଗରର ମଧ୍ୟଭାଗରେ ଠିଆହୋଇ ମୋତେ ନଗ୍ନ ଭାବରେ ପୁରୁଣା ଓ ନୂଆ ଭିତରେ ସେତୁ ବାନ୍ଧିବାକୁ ହେବ । ମୋର ସୁନ୍ଦର ବିଧାତା ମୋତେ ସୋପାନରୁ ସୋପାନ ଦେଇ ନାନା model ଭିତରଦେଇ ନେଇଯିବ । କେବଳ ନିର୍ମଳ ଓ ସୁନ୍ଦର ଏକ ଗ୍ରହଣପାତ୍ର ଭାବରେ ଆପଣାକୁ ତିଆରିକରି ରଖିବା ହେଉଚି ମୋର ଜୀବନଗତ ସାଧନା । ଗତବର୍ଷର ସାଧନା ଆଗାମୀ ବର୍ଷର ଅଙ୍କ ଉପରେ ପୁନର୍ଜନ୍ମ ଲାଭ କରୁ ।

 

 

Unknown

୧୯୫୦

୧.୧.୧୯୫୦

 

ନୂଆ ବରଷରେ ଆଜି ନୂଆ ପ୍ରାଣ ପାଇଥିଲା ପରି ଲାଗୁଚି । ପ୍ରାୟ ତିନିଘଣ୍ଟା ଧରି ପୂର୍ଣ୍ଣସ୍ନାନ କରି ଆଜି ଭାରି ଚମତ୍କାର ଲାଗୁଚି । ଶରୀରର ସମସ୍ତ ଭାର ହଠାତ୍ ଯେପରି ଭାରି ହାଲୁକା ହୋଇଯାଇଚି । ରବିନ୍ଦ୍ରନାଥଙ୍କ ଭାଷାରେ କହିବାକୁ ଗଲେ ମୋର ଆଖି ଆଜି ସବୁଠାରେ ଆଲୋକ ପ୍ରତ୍ୟକ୍ଷ କରୁଚି । ତା’ର ସମସ୍ତ କାଳିମା ନୂତନର ନିର୍ମଳ ସ୍ପର୍ଶରେ ଧୌତ ହୋଇଯାଇଚି-। ତାହାହିଁ ଦରକାର ଥିଲା, ଚାରି ପାଞ୍ଚ ଦିନର ଅଳପ ଓ ଅକର୍ମ ଜୀବନ ନେଇ ମୁଁ ଅନୁଶୋଚନା କରିବି ନାହିଁ । ମୁହୂର୍ତ୍ତକର ଏହି ନିର୍ମଳ ସ୍ୱର୍ଗସାନ୍ନିଧ୍ୟ ହେଉଚି ମୋର ପରମ ଧନ । ଏହି ଜୀବନର କର୍ମ ଅପକର୍ମ ନେଇ କେଉଁ ଯମଦଣ୍ଡ ମୋର ବିଚାର କରିବି କି ନାହିଁ, ସେକଥା ମୁଁ ଜାଣେନା, କିନ୍ତୁ ଏହିପରି କେତୋଟି ମହାନ୍ ମୁହୂର୍ତ୍ତ ମୋତେ ଆପଣାର ପଥଚର୍ଯ୍ୟାରେ ଚିର-ଅଗ୍ରସର କରି ରଖିଥିବ । ମୁହୂର୍ତ୍ତକର ଏହି ହଠାତ୍ ପରିଚୟକୁ ସମସ୍ତ ଜୀବନର ସାନ୍ନିଧ୍ୟ ସମ୍ପଦ କରି ରଖିବାର ସାଧନା ହେଉଚି ମଣିଷର ଶ୍ରେଷ୍ଠ ସାଧନା । ବିଶ୍ୱ ସୃଷ୍ଟିର ମହାନ୍ ପ୍ରାଣ ମଣିଷକୁ ବାରବାର ତାର ଅମୃତ ଆଭାସ ଦେଇଯାଏ, ବାରବାର ଆଲୋକ-ଆଘାତ କରି ସେହି ସ୍ୱର୍ଗ ସମ୍ଭାବନାର ପ୍ରବନ୍ଧ ରଚନା କରିଯାଏ । ଆପଣାର ଧ୍ୟାନ, ମନ ଓ ପ୍ରାଣକୁ ଉତ୍‌କ୍ରାନ୍ତ ଓ ଉନ୍ମୁଖ କରି ହିଁ ମଣିଷ ସେହି ସହଚର୍ଯ୍ୟର ଅଧିକାରୀ ହୋଇପାରେ । ସମୟ ଓ ପ୍ରାଣର ଆଦିକାଳରୁ Descent ଓ Ascent ର ଏହି ଚିରନ୍ତନ ଲୀଳା ଲାଗିରହିଚି । ବିଶେଷ ବିଶେଷ ତତ୍ୱଦ୍ରଷ୍ଟା ଓ ଋଷିମାନଙ୍କ ଆଖିରେ ପ୍ରକାଶ ଓ ପୂର୍ଣ୍ଣ ହେବାର ଏହି ଲୀଳାର କେବଳ ଗୋଟିଏ ଗୋଟିଏ ଦିଗ ହିଁ ପ୍ରଧାନ ବୋଲି ମନେହୋଇଚି-। ଆପଣାର ମଧୁର କଳ୍ପନା ଦେଇ କେଉଁ ଭକ୍ତ ତାର ଭଗବାନଙ୍କୁ ଅବତାର କରି ଏହି ସଂସାରକୁ ନୁଆଁଇ ଆଣିଚି, କେଉଁ କଠୋର ଦୀକ୍ଷିତ ଯୋଗସାଧକ ଆପଣାର ସକଳ ଚିତ୍ତପ୍ରବୃତ୍ତିକୁ ସଂଗୃହିତ ଓ ଏକୋଦ୍ଦିଷ୍ଟ କରି ଈଶ୍ୱରଙ୍କର ସମକକ୍ଷ ହେବାଲାଗି ଉନ୍‌ମନ—ସାଧନାରେ ଉଜ୍ଜ୍ୱଳ ହୋଇ ଉଠୁଚି । କିନ୍ତୁ ମୂଳତଃ ଏହି ଦୁଇ ମାର୍ଗ ଅତ୍ୟନ୍ତ ସାପେକ୍ଷିକ । କେବଳ ସାଧକ ମନର ବିଶେଷ attitude ଅନୁସାରେ ହିଁ ଏହାର କୌଣସି ଗୋଟିଏ ରୂପ ହିଁ ଅଧିକ ପ୍ରାଞ୍ଜଳ ହୋଇ ଉଠିଥାଏ ।

 

[୧୯୪୯—ସମସ୍ତ ବରଷଟା କେବଳ ଅନ୍ତର ଦହନରେ ହିଁ କଟିଯାଇଚି, କିନ୍ତୁ ପୋଡ଼ାପାଉଁଶର ବୋଝ ଅପେକ୍ଷା ମୁଁ ଅଗ୍ନି ହିଁ ବେଶୀ ପାଇଚି । ଭଲକରି ଜାଣେ, ସେହି ଅଗ୍ନିକୁ ହଜମ କରି ମୁଁ ଏପର୍ଯ୍ୟନ୍ତ ତାକୁ ଆପଣା ଅନ୍ତରର ଜ୍ୟୋତିରେ ପରିଣତ କରି ପାରି ନାହିଁ । ଏହି ବରଷଟା ବି ହୁଏତ ଆହୁରି ଅଧିକ ଦାରୁଣ ଭାବରେ ନିଜ ଭିତରେ ନିଜେ ଦହିହେବାକୁ ପଡ଼ିବ । ତଥାପି ମନରେ ଶୋଚନା ନାହିଁ । ଏହି ଜୀବନରେ ମୁଁ ଦଗ୍‌ଧ ହେବାର ଯେତିକି ଗୌରବର ଅଧିକାରୀ ହୋଇଚି, ଜାଣେନା, ତାହା କେତେ ଜନମର ସୁକୃତଜନିତ ଫଳ ! ମୋର ବାଳକ ପ୍ରାଣ ଯେ କେଉଁ କାଳରୁ ଆପଣାର ଏହି Experiment with god ର ସାଧନା କରି ଆସିଚି, ସେ କଥା ମୁଁ ନିଜେ ଜାଣେନାହିଁ । କେବଳ ଏତିକି ଗୌରବର କଥା ଯେ ସମୟ ଓ ଦୂରତାର କୌଣସି ହିସାବ ବିଚାରରେ ନ ଭୁଲି ସେ କେବଳ ଆପଣା ପଥର ବିଶେଷ ନିର୍ଦ୍ଦେଶଟି ବହନ କରି ଚାଲିଚି । ପୁରାତନ ଓ ବୃହତ୍ତର ନଦୀର ପଥଟିକୁ ନୂତନ ନଦୀ କେବଳ ନକଲ ହିଁ କରେ ନାହିଁ । ତାହାର ଆପଣା ପଥଟି ହେଉଚି ତାର ଏକମାତ୍ର ପ୍ରେରଣା । ନାନା ବରଷର ଘାଟ ଦେଇ ଏହି ଜୀବନର ନଦୀ ବହି ଚାଲିଯିବ, ନାନା ଜନମର ବାରମ୍ବାର ଅଭିନବତାରେ ତାର ଗତିସ୍ରୋତ ଶେଷରେ ଯାଇ ପୂର୍ଣ୍ଣସଙ୍ଗମରେ ପହଞ୍ଚିବ । ଆହୁରି ଅନେକବାର ଜନ୍ମଗ୍ରହଣ କରିବାକୁ ହିଁ ହେବ, - ସେଥିଲାଗି ପୂର୍ତ୍ତିର ଏହି ତରୁଣ ସ୍ତରରୁ ମୁଁ ଦ୍ୱିଜ ହେବାର ଦିକ୍ଷାଟି ହିଁ ଗ୍ରହଣ କରିଚି । ବାରବାର ମରି ବାରବାର ଜନ୍ମନେବାକୁ ହେଲେ ମଧ୍ୟ ମୋର ଭୟ ନାହିଁ । ଏହି experimentର ପୂର୍ତ୍ତି ଦିନେ ହେବ ହିଁ ହେବ,—ତେଣୁ ମଧ୍ୟବର୍ତ୍ତୀ ସକଳ ସ୍ତରଗୁଡ଼ିକୁ ମଧ୍ୟ ମୁଁ ଧନ୍ୟ ବୋଲି କହିବି । ମୋର ଏହି ନୂତନ ଦିନର ନୂତନ aspiration ପରିପୂର୍ଣ୍ଣ ହେଉ ।]

 

୨.୧.୧୯୫୦

 

ବରଷର ଦ୍ୱିତୀୟ ଦିନ । ନୂତନ ବର୍ଷର ଆହ୍ୱାନଟି ବର୍ତ୍ତମାନ ସୁଦ୍ଧା ବାସି ହୋଇନାହିଁ । ଦ୍ୱିଜ ହେବାର ବାସନାଟି ଏବେ ମଧ୍ୟ ମୋର ସକଳ ଭାବନାକୁ ଭେଦି ରହିଚି ।

 

ଗୋଟିଏ ପାର୍ବତୀ ନଦୀର ପଥୁରୀ କୋଳରେ ହସି ଖେଳି ଆଜି ସମସ୍ତଦିନ କଟିଯାଇଚି-। ମତୁଆଲା ଝରଣାଟାକୁ ଆହୁରି ଶଦ୍ଦାୟିତ କରି ଆଜି ଆମେ ସମସ୍ତେ ଅନେକ ସମୟ ଧରି ସେଠି ସ୍ନାନ କରି ଆସିଲୁ । ବର୍ତ୍ତମାନ ବରଗଡ଼ର ପରିଚିତ ଡେରାଟିକୁ ଫେରି ଆସିବା ପରେ ମଧ୍ୟ ଦିନମାନର ସବୁ ଛବି ମନଭିତରେ ଜୀଇକରି ରହିଚି ।

 

ଏହି ଭ୍ରମଣ ସପ୍ତାହଟି କ୍ରମେ ସରି ଆସୁଚି । ସାତଦିନ କାଳ ନିଜର ଲଗାମ ଛିଣ୍ଡାଇ ଦେଇ ବେଶ ହସିଲି, ଖେଳିଲି, ସଭିଙ୍କ ସହିତ ମିଶିଲି । କଅଣ ପାଇଲି ବା କଅଣ ହରାଇଲି, ସେ କଥା ବିଚାର କରିବାର ବେଳ ହିଁ ନାହିଁ । ମୁଁ କେବଳ ଏତିକି କହିପାରିବି ଯେ, ଏହି ବିସ୍ମରଣ ଯାତ୍ରାଟି ପରେ ମୋର ମନ ଅଧିକ ପ୍ରସନ୍ନ ଓ ପ୍ରଫୁଲ୍ଲ ଲାଗୁଚି । ସାତଗୁଣ ଉତ୍ସାହରେ ପୁଣି ମୁଁ ଆଶ୍ରମର କର୍ମକ୍ଷେତ୍ରକୁ ଫେରିଯିବି ।

 

୮.୧.୧୯୫୦

 

ଠିକ ସାତଦିନ ପରେ ଶାନ୍ତିନିକେତନରେ । ପାଲାମୌର ବଣ ପର୍ବତ ମଧ୍ୟରୁ ପ୍ରାଣଭରି ସୁଧାପାନ କରିଚି । ପ୍ରକୃତିର ସୌନ୍ଦର୍ଯ୍ୟ ସୁଧା ପାନ କରିବାକୁ ମୁଁ ଆଗରୁ ପ୍ରଧାନତଃ ଏକ ସାହିତ୍ୟିକ ଅତ୍ୟୁକ୍ତି ବୋଲି ଭାବିଥିଲି । ଏଇଥର ପ୍ରାଣେ ପ୍ରାଣେ ଅନୁଭବ କଲି କିପରି ଯଥୋଚିତ ପାତ୍ର ପାଖରେ ଆପଣାର ପିପାସିତ ଅଧରଟିକୁ ପହୁଞ୍ଚାଇ ଦେଇ ପାରିଲେ ପ୍ରକୃତରେ ସୁଧାପାନ ସମ୍ଭବ ହୋଇପାରେ । ମାଇଲ ମାଇଲ ଜଙ୍ଗଲର ଉଚ୍ଚନୀଚ୍ଚ ରାସ୍ତା ପାରିହୋଇ ଆମର ଟ୍ରକ୍ ଆମକୁ ବହନ କରି ଆଣିଚି । କେଉଁ ସୁନ୍ଦର ବିରାଟ ମଧ୍ୟରେ ଅବସ୍ଥାନ କରୁଥିଲା ପରି ମୋର ସର୍ବାନ୍ତ ସ୍ମରଣ ସତେ ଯେପରି ଆପେ ଆପେ ନୀରବ ଓ ପରିପୂର୍ଣ୍ଣ ହୋଇ ଉଠିଚି, ମୋର ନୟନ କେବଳ ନିମଗ୍ନ ହୋଇ ରହିଚି । ଶାଳବନର ଫାଙ୍କ ଭିତରକୁ ଦୃଷ୍ଟି ଭେଦାଇ ମୁଁ ଯାହା ଦେଖିଚି, ତାହା କେବଳ ଆଖିର ଦେଖା ନୁହେଁ । ନୟନର ଦ୍ୱାର ଦେଇ ସେସବୁ ଯେପରି ମୋର ଏକେନ୍ଦ୍ରିୟ ଅନ୍ତରେନ୍ଦ୍ରିୟକୁ ମଧ୍ୟ ସ୍ପର୍ଶ କରିପାରିଚି, ମୋର ସକଳ ଅନୁଭୂତିକୁ ଉଲ୍ଲସିତ କରି ଜୀବନ ଭରି ଉଠିଚି ।

 

ମୁଁ ସେତେବେଳେ କିଛି ଜାଣି ପାରିନାହିଁ । ମନେପଡ଼ୁଚି ବାରୱାଡ଼ୀଠାରୁ ଡାଲଟନଗଞ୍ଜ ପର୍ଯ୍ୟନ୍ତ ମୁଁ କିପରି ନୟନ ମୁଦି କେବଳ ଏକ ବିରାଟ ସାନ୍ନିଧ୍ୟର ଅନୁଭୂତି ମଧ୍ୟରେ ନିମଜ୍ଜିତ ହୋଇ ରହିଥିଲି । ଯୋଗଶାସ୍ତ୍ରରେ ମୁଁ ଜାଗ୍ରତ—ନିଦ୍ରା ବିଷୟରେ ଆଗରୁ ପଢ଼ିଥିଲି, କିନ୍ତୁ ସେହି ମାଧୁରୀର ସୂଚନା ସେଦିନ ଆପଣା ଅନୁଭୂତିରେ ହିଁ ପାଇଲି । ଆଖି ବୁଜିରଖି ମଧ୍ୟ ମୁଁ ଯେପରି ପ୍ରତ୍ୟେକଟି ଶାଳଗଛ ଓ ପ୍ରତ୍ୟେକଟି ମହୁଲ ଓ ପଲାଶ ସହିତ ପରମ ମୁଖ୍ୟ ସ୍ଥାପନ କରି ପାରୁଥିଲି । ମନର ବୋଲ ମାନି ଠିକ୍ ସମୟରେ ଆଖି ବୁଜିଦେଇ ପାରିଲେ ପ୍ରାଣର ବିପୁଳ ରାଜଧାନୀରେ ଯେ ପୃଥିବୀଭରା ଶୋଭାସମ୍ପଦର ଆସ୍ୱାଦନ ସମ୍ଭବ ହୋଇପାରେ ସେ କଥା ଆଜି ବେଶ ବୁଝିପାରିଲି । ଏହିପରି ସକଳ ମୁହୂର୍ତ୍ତମାନ ସ୍ୱାଭାବିକ ଭାବରେ ମୋ’ ଜୀବନରେ ଅଧିକରୁ ଅଧିକ ଆସୁ । ମୋର ଜୀବନ ଧନ୍ୟ ହେଉ ।

 

୯.୧.୧୯୫୦

 

ନୂଆ ବରଷରେ ମୋର ଆବାସ ବଦଳା,—ଭାବିବାକୁ ବେଶ୍ ମନୋରମ ଲାଗୁଚି । ପ୍ରାକ୍‌କୁଟୀରରେ ବରଷେ କଟାଇବା ପରେ ଆଶ୍ରମର ଆଉ ଗୋଟାଏ ପାଖରେ ଥିବା ଗୋଟାଏ ନୂଆ କୋଠରୀରେ ପୁଣି ମୋର ସଂସାର ବସିଚି କାଲିଠାରୁ । ପୁରୁଣା ଘରଟାରେ ଏତେଦିନ ରହିବାଟା କ୍ରମେ ଚିକିଟା ଲାଗି ଆସୁଥିଲା । ନୂଆ ଘରକୁ ନ ଆସିଥିଲେ ହୁଏତ ମନଟାକୁ ଶାନ୍ତ କରି ରଖି ପାରିନଥାନ୍ତି । ଆପଣା ଦେହର ନୂଆ ରଙ୍ଗ ବିଷୟରେ କେତେ କଅଣ ଭାବି ହୁଏତ ସାପ ବରଷକୁ ବରଷ ଏମିତି କାତି ଛାଡ଼େ । ପରୀକ୍ଷା ପ୍ରବଣ ମନର ଏହି ବାସବଦଳା ହୁଏତ ତାହାର ଦୃଷ୍ଟିବଦଳା ଲାଗି ବି ଅନେକ ଉତ୍ସାହ ଓ ପ୍ରେରଣା ଦେବ । ଦେଖାଯାଉ, ନୂଆ ବରଷ ଓ ନୂଆ ଘରର ମୁଁ କିପରି ସଦୁପଯୋଗ କରୁଚି ।

 

ସାତ ଦିନର ଭ୍ରମଣ ଭିତରେ ମନ ବି କେବେହେଲେ ଭ୍ରମିବା ବନ୍ଦ କରିନାହିଁ । କେତେଥର ଅଭିଳଷିତର ଦୁଆର ପାଖରେ ପହଞ୍ଚି ସେ ମୁଣ୍ଡ ବାଡ଼େଇ ଆସିଚି । ଆପଣା ବିଫଳତାରେ ଧିକୃତ ହୋଇ ମୁଁ ସେଦିନ କିପରି ପ୍ରାଣର ଭଗବାନକୁ ବାରବାର କନ୍ଦାଇଥିଲି, ସେ କଥା ମୋର ସ୍ପଷ୍ଟ ମନେଅଛି । ଯଦି ମୋ’ ଦ୍ୱାରା ଜୀବନ କବିର କୌଣସି ସ୍ୱପ୍ନ ସାର୍ଥକ ଓ ଚରିତାର୍ଥ ହୋଇ ନପାରିଲା ତେବେ ସେ ମୋତେ ତାହାରି ଆଲୋକ-ସୂର୍ଯ୍ୟର ଜୀବନାଶ୍ରୟକୁ ଫେରାଇନେଉ-। କି ଲାଭ ଏହିପରି ବାରବାର ଝୁଣ୍ଟି ମରିବାରେ । ଏପରି ଉଦ୍ଦେଶ୍ୟହୀନ ପରୀକ୍ଷା ଆଉ କେତେଦିନ ଚାଲିଥିବ ?

 

୧୦.୧.୧୯୫୦

 

To make man is the purpose of all philosophy, ସାହିତ୍ୟ ଦର୍ଶନଠାରୁ ଭିନ୍ନ ନୁହେଁ । ଜୀବନ ଦର୍ଶନର ଚିତ୍ରଣ କରିବାକୁ ଯାଇ ମଣିଷ ଯୁଗେ ଯୁଗେ ତା’ର ସାହିତ୍ୟ ରଚନା କରିଯାଇଚି । ତେଣୁ To make man is the purpose of all literature,—ଏହି କଥାଟା ଅଧିକତର ଭାବରେ ସତ୍ୟ ବସ୍ତୁତଃ ଜଗତର ଯାବତୀୟ କର୍ମକଳାପ ଓ ଜିଜ୍ଞାସା-ବିଜୀଗିଷାର ଉଦ୍ଦେଶ୍ୟ ହେଉଚି ଏଇ ମଣିଷ ତିଆରି କରିବା । ଅସଲ ସନ୍ଧାନମୂଳଟିକୁ ପାସୋରିଦେଲେ ମଣିଷର ସମସ୍ତ ଜ୍ଞାନ, ସମସ୍ତ ନିର୍ମାଣ ଓ ସମସ୍ତ ଅନୁଧାବନ ଖାଲି ନିଷ୍ଫଳ ହିଁ ହୋଇଯିବ । ମୋର ମନ ଯେପରି ସେ ବିଷୟରେ ସାବଧାନ ରହିଥାଏ !

 

ଚଞ୍ଚଳ ଚିତ୍ତର ମୁଗ୍‌ଧ ଗଠନ ଅନେକ ନୃପତିଙ୍କର ଶାସନରେ ଅହରହ ଶଙ୍କିତ ହୋଇ ରହିବାଟା ଆଉ ସହି ହେଉନାହିଁ । ନାନା ମୁନିବର ନାନା ତାଗିଦା ମାନି ଆପଣା ଦକ୍ଷତାର ଔଦାର୍ଯ୍ୟ ଦେଖାଇବାକୁ ଯାଇ ଯେପରି ମୁଁ କ୍ରମେ ବଡ଼ କ୍ଳାନ୍ତ ହୋଇ ପଡ଼ୁଚି । ତଥାପି ଏହି ଲମ୍ବା ରାସ୍ତାର ପାସୋରା ପଥଚାରଣାର ଏତେଟିକିଏ ଗ୍ଳାନି ରହିବନାହିଁ ଯଦି ପରିଶେଷରେ ମୁଁ ସମୟମତେ ସେହି ଏକ ନୃପତିର ଭୂତୃ ହୋଇ ପାରିବାର ନିର୍ଭୟ ଗୌରବର ଯୋଗ୍ୟ ହୋଇପାରେ । ନାନା ସାଜରେ ପୋଷାକୀ ଗଠନଟାକୁ ମୋଟା କରି ଯେପରି ତେଣେ ଅନ୍ତରର ଫୁଟିଲା ଫୁଲଟି କ୍ରମେ ମୁଦି ହୋଇ ଯାଉଚି । ନା,—ମୁଁ ଏଥର ନାନାନୁରକ୍ତିର ଆବର୍ତ୍ତରେ ଆପଣାକୁ ଆଉ ଅବଶ କରି ଦେବିନାହିଁ । ସମସ୍ତ ନିର୍ମୋକ ଛାଡ଼ି କେବଳ ନଗ୍ନ ଓ ନିରିମାଖି ଭାବରେ ସେହି ଅସଲ ‘ମୁଁ’ କୁ ହିଁ ମୁଁ ଆପଣା ଜୀବନରେ ପ୍ରତିଭାତ କରିବି । ତତ୍ ତ୍ୱଂ ପୂଷନ୍ ଅପାକୃତୁ ।

 

ଜ୍ଞାନ ଓ କର୍ମର ସଂଘର୍ଷ । ତାକୁ ଜାଣି ତାହାରି ତା’ର ହୋଇ ଛୁଟିଯିବାକୁ ଚାହିଦା ହେଉଚି ପ୍ରାଣର ଗୋଟିଏ ଦିଗ । ଅନନ୍ତ ଆଶ୍ରୟକୁ ଜାଣି ତାହାରି ଭିତରେ ହିଁ ନିମଜ୍ଜିତ ହୋଇ ରହିବା ହେଉଚି ଆଉ ଗୋଟିଏ ଦିଗ । ଏହି ଦୁଇଟି ମନୋଦ୍‌ବେଗ ମଧ୍ୟରେ ସମ୍ଭବତଃ ଅନେକ କାଳରୁ ସଂଘର୍ଷ ଲାଗିଚି । କନ୍‌ଫୁସିଅସ୍ ଓ ଲାଓ ତ୍‌ସୁଙ୍କର କଥୋପକଥନରେ ଏହି ପ୍ରମାଣ ହିଁ ମିଳୁଚି । କନ୍‌ଫୁସିଅସ୍ କର୍ମତତ୍ପର ଜୀବନ ଚାହିଚନ୍ତି, ଲାଓ ତ୍‌ସୁ ଚାହିଚନ୍ତି ବିରାଟ ଆତ୍ମାକୁ ଉପଲବ୍‌ଧି କରି ତାହାରି କ୍ରୋଡ଼ରେ ହିଁ ଆଶ୍ରୟ ନେବା । ଦୁହେଁ ଦୁହିଁଙ୍କୁ ଆପଣାର ବାଟକୁ ଆଣିବାକୁ ଚାହିଚନ୍ତି, ଅଥଚ ପରସ୍ପରର ମହତ୍ତ୍ୱ ଓ ଅଗୌଣତ୍ୱ ସ୍ୱୀକାର କରିଚନ୍ତି । କନ୍‌ଫୁସିଅସ୍ ଓ ଲାଓ ତ୍‌ସୁ—ସତେ ଯେପରି ଗୋଟିଏ ମନର ଦୁଇଟି ଦୃଷ୍ଟି ।

 

୧୧.୧.୧୯୫୦

 

ଭ୍ରମଣରୁ ଫେରି ସୁତାକାଟିବା ଦିନଠାରୁ ମୋ’ ଅରଟରେ ଏକ ପ୍ରକାର ଅସ୍ୱାଭାବିକ କେଁ କେଁ ଶବ୍ଦ ଆରମ୍ଭ ହୋଇଚି । ଣୁଣିବାକୁ ବଡ଼ ବିରକ୍ତ ଲାଗୁଚି । ଏହାକୁ ଅରଟର ସଙ୍ଗୀତ ବୋଲି କଦାପି କହି ହେବନାହିଁ । କାରଣ ଏହି ଶବ୍ଦ ମୋର ମନରେ ବିଭୁନାମର Suggetion ଆଣି ଦେଇପାରୁ ନାହିଁ । ତେଣୁ ସୂତାକଟା ହୁଏତ ନିୟମିତ ଚାଲିଚି, କିନ୍ତୁ ଜଣେ କଟାଳି ପାଖରୁ ଆଶା କରାଯାଉଥିବା ମନର ଯୋଗ୍ୟତା ମୋର ରହି ପାରୁନାହିଁ । ଗୋଟିଏ ଚିଠିରେ ଗାନ୍ଧିଜୀ ଏହି ସୂତା କାଟିବା ଓ କଟାଳି ହେବାର ପ୍ରଭେଦ ଦେଖାଇ ଦେଇଚନ୍ତି । କୌଣସି ମନ୍ତ୍ରକୁ ଯେପରି ବାଚ୍ୟ ଓ ବାଚକ ଦୁଇଅର୍ଥରେ ଗ୍ରହଣ କରାଯାଇପାରେ ସୂତାକଟାରେ ମଧ୍ୟ ସେହିପରି ଅଭିଧା ଓ ବ୍ୟଞ୍ଜନା ଦୁଇଟିଯାକ ରହିଚି । ପୃଥିବୀର ଯାବତୀୟ କଥାରେ ବୋଧହୁଏ ଏହାହିଁ ରହିଚି । ଯେତେବେଳେ ଉପଲକ୍ଷ୍ୟ ଲକ୍ଷ୍ୟକୁ ଗିଳି ପକାଉଚି, ସେତିକିବେଳେ ହିଁ ସମସ୍ତ ପ୍ରକାର ବିଘ୍ନ ଆସି ପହଞ୍ଚୁଚି ମଣିଷ ସୃଷ୍ଟି କରିଥିବା ଅତି ଅପୂର୍ବ ସାମଗ୍ରୀମାନ ମଧ୍ୟ ବିଷ ଓ ବନ୍ଧନପରି କ୍ଷତି କରୁଚି । ମୋର ଅରଟ ହେଉଚି ମୋର ଦୃଷ୍ଟିର ଦୁଆରପରି । ସୂତାକଟାର ଆନନ୍ଦ ଲାଗି ସୂତା କାଟିବା—ତାହା ମୋର ambition ନୁହେଁ । ଅରଟ ମୋର ସୁଦର୍ଶନ ଚକ୍ର ଯଥାର୍ଥରେ ସୁଦର୍ଶନର ଅନୁଫଳକ ସେ ।

 

ମୁଣ୍ଡଉପରେ ନାନା କାମର ବୋଝ, ତଥାପି ଅଜ୍ଞାତରେ ଅନେକ ସମୟ ହାତରୁ ଖସିଯାଉଚି । ଜୀବନରେ ପ୍ରତ୍ୟେକଟି ମୁହୂର୍ତ୍ତକୁ ମୁଁ ପରିପୂର୍ଣ୍ଣ କରି ବଞ୍ଚି ପାରୁନାହିଁ । କର୍ମଠ ଜୀବନର କେତେ ଶପଥ ପ୍ରାଣପାଷାଣର ମର୍ମତଳେ ସୁପ୍ତ ହୋଇ ରହିଚି । ମୁଁ ସେ କଥା ଭଲକରି ଜାଣୁଚି, ତଥାପି ସେଥିରେ ଉନ୍ମେଷ ଆଣିଦେବାର ବିଦ୍ୟାକୁ ମୁଁ ଭୁଲି ଗଲାପରି ଲାଗୁଚି । ବସନ୍ତର ଆମନ୍ତ୍ରଣରେ ସମସ୍ତ ପଲାଶବନ ରକ୍ତିମ ହୋଇ ଉଠିଲାପରି ମୋ’ ଅନ୍ତରର ଅସୀମ ଅଭିଳାଷଗୁଡ଼ିକ ଅନୁସାରେ ମନର ରଙ୍ଗ ଉକୁଟି ପାରୁନାହିଁ । କୋଉଠି ଯେପରି କୋଉ କାରିଗରର କାମ ଏବେ ବି ବାକୀ ରହିଯାଇଚି । ଅପରୂପର ଆହ୍ୱାନ ମାନି ସମସ୍ତ ଜୀବନକୁ ଉତ୍ତୋଳି ଧରିବାର ଯେଉଁ ବିଦ୍ୟା, ସେ ବିଦ୍ୟା ମୁଁ କେବେ ଶିଖିବି ? କେବେ ମୁଁ ଡାକ ଶୁଣି ପୂର୍ଣ୍ଣପ୍ରକୃତ୍ତ ହୋଇ ଜାଗି ଉଠି ପାରିବି ?

 

୧୨.୧.୧୯୫୦

 

ଶାନ୍ତିନିକେତନର ସଉକୀ ଜୀବନରେ ବିରକ୍ତ ହୋଇ ବେଳେବେଳେ ମନ କହୁଚି ଏହି ଜ୍ଞାନମାର୍ଗ ମୋର ନୁହେଁ । ଅନେକଦିନରୁ ଅପମାନିତ ହୋଇ ରହିଥିବା ଏକ ବିରାଟ ପରିବାର ମୋତେ ଶକୁନିପରି ବଞ୍ଚାଇ ରଖିଚି, ଶକୁନିର ସକଳ ବିଦ୍ୟା ହାସଲ କରି ମୋତେ ପୁଣି ସେହି କର୍ମକ୍ଷେତ୍ରକୁ ଫେରିଯିବାକୁ ହେବ । ପୃଥିବୀ ସମାନ ହେବ, ଅଭାବ ଓ ଆଳସ୍ୟର ଅବସାନ ହେବ ସବୁ ମଣିଷ ସଳଖ ହୋଇ ଜୀବନ ଗଢ଼ିବାର ସ୍ୱାଧୀନ ଅବସର ପାଇବେ,—ହୁଏତ ସେତେବେଳେ ଯାଇ ଜ୍ଞାନପଥର ବିଶୁଦ୍ଧ ଆନନ୍ଦଟିକୁ ପାଇବାଲାଗି ମୁଁ ଏହି ପୃଥିବୀରେ ଆଉଥରେ ଜନ୍ମଗ୍ରହଣ କରିବି । ମୋର ଜିଜ୍ଞାସୁ ମନର ସବୁ ଅବଶୋଷ ମେଣ୍ଟାଇନେବି ।

 

କିନ୍ତୁ ମନ ପ୍ରକୃତିସ୍ଥ ହେବା ସଙ୍ଗେ ସଙ୍ଗେ ଜ୍ଞାନକୁ ଛାଡ଼ି କର୍ମକୁ ଧରିବାର ଏହି ବିରକ୍ତିଜନିତ ମୋହ ତୁଟିଯାଉଚି । ଜ୍ଞାନ କର୍ମଠାରୁ ଅଲଗା ନୁହେଁ । ଏ ଯୁଗର ତଥାକଥିତ ଜ୍ଞାନୀ କର୍ମମୟଜୀବନ ନଗରରୁ ଦୂରଛଡ଼ା ହୋଇ ବଢ଼ିବାକୁ ଯେଉଁଦିନଠାରୁ ଭଲପାଇ ଶିଖିଚି, ମନୁଷ୍ୟର ଜୀବନ ସେଇଦିନଠାରୁ ଆପନ୍ନ ହୋଇ ପଡ଼ିଚି । ଜ୍ଞାନର ଆଲୋକ ଓ କର୍ମର ପ୍ରେରଣା ଶକ୍ତି ବିଲୟ ଲଭିଚି । ମୁଁ ସେ ବିଷୟରେ ମୂଳରୁ ପରିଷ୍କାର ହୋଇଯିବି । କର୍ମ ଓ ଜ୍ଞାନର ଦୁଇ ଡେଣାରେ ଜୀବନବିଶ୍ୱର ଉପଲବ୍‌ଧି ଏହାହିଁ ମୋର ଧର୍ମ । ମୁଁ ସମଗ୍ର ଜୀବନର ଛାତ୍ର, ଚିରଦିନ ଏହି ଛାତ୍ର, ଚିରଦିନ ଏହି ଛାତ୍ର ହିଁ ରହିବି । ମୋର କର୍ମମୁଖର ଜୀବନ ଯାତ୍ରାରେ ମୁଁ ମଣିଷଠାରୁ ଓ ସମାଜଠାରୁ ପଢ଼ିବି ଓ ଶିଖିବି ଏହିପରି ଭାବରେ ହିଁ ବଢ଼ିବି । ମଣିଷର ସମ୍ପର୍କ ମୋତେ ନିତିନିତି ଅଭିନବ ପରିଚୟରେ ମୋତେ ସମୃଦ୍ଧ କରିବ । ମଣିଷପ୍ରତି ମାୟା ମୋର ଜ୍ଞାନକୁ ସତେ ପ୍ରାଣଧର୍ମୀ କରି ରଖିବ । ତେଣୁ ଜୀବନର କୌଣସି ନିଷ୍ପତ୍ତିରେ ଜ୍ଞାନକୁ ବାଦ୍ ଦେଇ ହେବନାହିଁ । ସୃଷ୍ଟି ଗୁରୁର ପରୀକ୍ଷାଗାରରେ ମୁଁ କର୍ମାଚରଣ ଦ୍ୱାରା ହିଁ ଜାଣିବି, ଏହାହିଁ ମୋର ନିଷ୍ପତ୍ତି ।

 

୧୩.୧.୧୯୫୦

 

କଣ କରିବି, କଣ କରିବି ବୋଲି ଭାବି ଭାବି ପ୍ରାଣ ଯନ୍ତ୍ରକୁ ଅବସନ୍ନ କରି ପକାଇବାର ଅଲୀକତା ମୁଁ ବେଶ୍ ବୁଝିପାରୁଚି । ନାନା ଦ୍ୱିଧା ଭିତରେ ଏପାଖ ସେପାଖ ହୋଇ ବେଳେବେଳେ ମୋର ଅନେକ ସମୟ ଚାଲିଯାଉଚି । ଭୟ ହେଉଚି, ଅସଲ ବେଳରେ ଜୀବନ ଶିଳ୍ପୀର ଅଙ୍ଗୁଳି ସ୍ପର୍ଶରେ ମୁଁ ହୁଏତ ବାଜି ଉଠି ପାରିବିନାହିଁ । ବର୍ତ୍ତମାନ ଅବସର ରହିଚି, ଆପଣାର ପ୍ରାଣଭିତରେ ଆପଣାକୁ ସଂବନ୍ଧ ଓ ପ୍ରସ୍ତୁତ କରିବାର ଏତେ ଅବସର ହୁଏତ ଆଉ ମିଳିବନାହିଁ । ତେଣୁ ଅପରିପୂର୍ଣ୍ଣ ଜଗତକୁ ଅଭିଶାପ ଦେଇଦେଇ ମୁଁ ଆଉ ନିଜକୁ ସାରି ଦେବିନାହିଁ । ଆହୁରି ନୀରବ ହୋଇ ମୋତେ ପ୍ରାଣପାତ୍ରଟିକୁ ତାହାରି ପ୍ରେରଣାଦ୍ୱାରା ଭରିନେବାକୁ ପଡ଼ିବ । ତାହାର ବେଳ ବଳେ ଆସିବ । ସମୟ ଜାଣି ସେ ଆପେ ଆସି ମୋ’ ଦୁଆରେ ପହଞ୍ଚିଯିବ । ତାହାରି ଆହ୍ୱାନ ମାନି ସେଦିନ ନିଜର ସର୍ବସ୍ୱ ଅର୍ପଣ କରିଦେବାର ଶକ୍ତି ମୋତେ ଏହି ଅବସରରେ ଅର୍ଜ୍ଜନ କରିବାକୁ ହେବ । ଶାନ୍ତିନିକେତନର ପ୍ରାଣତଳେ ଆପଣାକୁ ଭରାଇନେଇ ପାରିବାର ଏକ undercurrent ନିତ୍ୟ ପ୍ରବାହିତ ହେଉଚି । ଏଠି ବାହାରେ ଭଙ୍ଗୁର ମଣିଷ ହୁଏତ ଭାଙ୍ଗିବାର ନାନା ଶଇତାନି ଆରମ୍ଭ କଲାଣି । କିନ୍ତୁ ତଥାପି ପ୍ରାଣକୁ ସୁରଭିତ କରି ରଖିପାରିବାର ଫୁଲ ଏଠାରେ ନିତି ଫୁଟୁଚି । ମୁଁ ଶାନ୍ତିନିକେତନର ସେହି ଗଭୀର ପ୍ରାଣତଳର ଜିଜ୍ଞାସୁ ଭକ୍ତ ସାଜିବି । ଆପଣାର ଦୈନନ୍ଦିନ ମହାନ୍ ସଞ୍ଚୟଗୁଡ଼ିକୁ ଏକତ୍ର କରି ମୁଁ ଅନାଗତ କର୍ମନିବେଦନ ଲାଗି ସୁଯୋଗ୍ୟ ହୋଇ ରହିବି । ତାହାର ବେଳ ବଳେ ଆସିବ । ମୋରି ମଧ୍ୟଦେଇ ତାର ପରୀକ୍ଷା ନିଶ୍ଚୟ ଆରମ୍ଭ ହେବ ।

 

୧୪.୧.୧୯୫୦

 

ବାର୍ଦ୍ଧକ୍ୟର କିପରି କେଉଁ ଛାପ ମୋ ଉପରେ ଆସି ପଡ଼ିଲାଣି କି କଅଣ, କୌଣସି କଥାକୁ ଅନ୍ତରଭରି ଗ୍ରହଣ କରିବା ଦିନୁଁ ଦିନ କଷ୍ଟକର ହୋଇଉଠୁଚି । ଜୀବନର ଏହି କେତେଟା ବରଷ ମଧ୍ୟରେ ମୁଁ ଏତେ ଯୁକ୍ତି ଓ ବୁଦ୍ଧି ଘଣ୍ଟା କରିବାର କାଇଦା ଶିଖିଚି ଯେ, ବେଳେ ବେଳେ ମୋର ପ୍ରୀତି ଓ ଅନୁରକ୍ତି-ପଥରେ ତାହା ଅନ୍ତରାୟ ଭଳି ଠିଆହୋଇ ରହୁଚି । କିଶୋର କାଳର ସେହି ଆନନ୍ଦବିହ୍ୱଳ ଦିନଗୁଡ଼ିକ ଉପରେ ଇର୍ଷା ହେଉଚି । କେତେ ସହଜରେ ସେତେବେଳେ ସଂସାରର ସବୁରି ସାଥିରେ ଅନ୍ତରର ମିଳନ ସମ୍ଭବ ହୋଇ ପାରୁଥିଲା, କୌଣସି ଅଭିନବ ବିଚାରକୁ ଗ୍ରହଣ କରିବାଲାଗି ମନ କେଡ଼େ ଶୀଘ୍ର ଚଞ୍ଚଳ ହୋଇ ଉଠୁଥିଲା ! ବର୍ତ୍ତମାନ ଗୋଟାଏ କଥାକୁ ଭଲ ବା ଠିକ ବୋଲି ଜାଣିଲେ ମଧ୍ୟ ତାହାକୁ ସମ୍ପୂର୍ଣ୍ଣରୂପେ ଗ୍ରହଣ କରିବାର ପଥରେ ଯେପରି ମୋର ତଥାପି ନାନା ସଂଶୟ ରହିଯାଉଚି । ଯେତେବେଳେ ଅନୁକୂଳ ଯୁକ୍ତିର ସମର୍ଥନ ପାଇଲେ ମଧ୍ୟ ଗଣ୍ଠିଧରା ମନଟା ଯେପରି ତଥାପି ବିଶ୍ୱାସର ମଣ ହୋଇ ପାରୁନାହିଁ । ଜ୍ଞାନମାର୍ଗ ଦେଇ ଉଚିତକୁ ବିଶ୍ୱାସର ସମର୍ଥନ ଦେବାକୁ ମହାତ୍ମା ଗାନ୍ଧୀ laboured faith ବୋଲି କହିଚନ୍ତି । ବୟସ ଯେତିକି ବଢ଼େ, ହୁଏତ ଏହି laboured faith ର ଜଟିଳ ପଥ ମଣିଷକୁ ସେତିକି ଆକୃଷ୍ଟ କରେ । ଯିଏ କିଛି ଜାଣିନାହିଁ, ଅଥଚ ନିଷ୍ଠାର ସହିତ ଜୀବନ ବଞ୍ଚିବାର ଶକ୍ତି ହାସଲ କରିଚି, ସିଏ କେତେ ସହଜରେ ବଞ୍ଚିପାରୁଚି, ବିଶ୍ୱାସ କରି ପାରୁଚି, ଆପଣାକୁ ନିଃଶେଷିତ ଭାବରେ ଦେଇପାରୁଚି । ଆଜି ଗାଆଁ ଗହଳର ସେହିପରି ଜଣେ ଭାଇର ଚିଠି ପାଇଲି । ତା’ର ଉଚ୍ଛ୍ୱସିତ ଅଥଚ ସ୍ୱାଭାବିକ ସରଳତା ମୋତେ ପ୍ରକୃତରେ ଲଜ୍ଜିତ କଲା । ଏତେ ଜ୍ଞାନ ଯଦି ଅନ୍ତରର ପଥକୁ କେବଳ ଜଟିଳ ଓ ଦୀର୍ଘ କରିବାର ଚକ୍ରାନ୍ତ କରି ବସିଲା, ତେବେ ସେହି ଜ୍ଞାନର ଆଉ ସାର୍ଥକତା କେଉଁଠି ?

 

୧୫.୧.୧୯୫୦

 

ରାତି ଅନେକ ହେଲାଣି । ସବୁଦିନେ ଏତେବେଳକୁ ମୁଁ ସାଧାରଣତଃ ଶୋଇ ପଡ଼ିଥାଏ-। ଖରାବେଳଠାରୁ ଏପର୍ଯ୍ୟନ୍ତ ବାହାରେ ବାହାରେ କଟାଇ ମୁଁ ଏବେଯାଇ ଘରକୁ ଫେରୁଚି-। କିନ୍ତୁ ଶୋଇବାକୁ ଯିବା ପୂର୍ବରୁ ଯେ କୌଣସି ପ୍ରକାରେ ଏଠି ଅଧଫାଳେ ଲେଖିଦେବାକୁ ବସିଚି-। କଣ ଲେଖିବି, ହୁଏତ ଆଗରୁ ଭାବି ଠିକ କରିନାହିଁ । ମନର ନକଲ କରି ରଖିବାପାଇଁ ସେପରି କୌଣସି ପରିଚୟ ଆଜି ମୁଁ ହୁଏତ ଅନୁଭବ ହିଁ କରିନାହିଁ । ଏହିପରି ଅନେକଦିନ ହୁଏ । କେବଳ ଦିନମାନର କର୍ମଚର୍ଯ୍ୟା ଶେଷ କରି ବିଶ୍ରାମ ନେଲାବେଳେକୁ ଲାଭ କ୍ଷତିର ଫର୍ଦ୍ଦଟା ଆସି ହଠାତ୍ ମନ ଆଗରେ ମେଲିଯାଏ । ଆପଣାର ଅବହେଳା ସକାଶେ ହୁଏତ ଅନେକ ସମୟରେ ଦୁଃଖ ହୁଏ-। ଆଜି କିନ୍ତୁ କୌଣସି ଅନୁଶୋଚନା ନେଇ ମୁଁ ରାତିର ଆଶ୍ରୟ ନେବାକୁ ଯାଉନାହିଁ । ହୃଦୟ ବର୍ତ୍ତମାନ ପୂର୍ଣ୍ଣହୋଇ ରହିଚି, ଆଜିକାର ପୁଞ୍ଜିକୁ ନେଇ ତାହାର କାରଖାନାରେ କାଲି ଲାଗି ଫୁଲଫୁଟା ଆରମ୍ଭ ହୋଇଗଲାଣି । କାଲିର ଆଲୋକ ଓ କାଲିର ପବନର ମନଲାଖି ହୋଇ ମୋତେ ଜୀଇ ଉଠିବାକୁ ହେବ । ଏହା ହିଁ ହେଉଚି ମୋର ସବୁଠାରୁ ବଡ଼ Concern-!

 

when the disciple is readdy, the guru comes of himself-! ମୁଁ ନିଜକୁ ସେହି ଗୁରୁର ଗୁରୁଲାଗି ପ୍ରସ୍ତୁତ କରି ରଖିଚି । ଜାଣେନା, ମୋର ଏହି ପ୍ରସ୍ତୁତି—ପର୍ଯ୍ୟାୟରେ ଏତ ଅନେକ ଅପବ୍ୟୟ ହୋଇଯାଇଚି । କିନ୍ତୁ ଗୁରୁ କଦାପି ଏଥିଲାଗି ଖେଦ କରି ବସିବନାହିଁ । ମୋର ଆପଣା ମାର୍ଗରେ ପ୍ରସନ୍ନବୋଧର ଚିତ୍ତସମୃଦ୍ଧିରେ କ୍ରମେ ପ୍ରସ୍ତୁତ ହେବାକୁ ସେ ମୋତେ ଆଶୀଷ ଓ ପରାମର୍ଶ ଦେଇଯାଇଚି । ମୁଁ ସେହି ବାଟରେ ଯିବି, ତା’ର ସମୟ ଜାଣି ସିଏ ମୋର ନିବେଦନ—କ୍ଷେତ୍ରଟିକୁ ନିଶ୍ଚୟ ତିଆରି କରିଦେବ !

 

୧୬.୧.୧୯୫୦

 

ଷୋଳ ତାରିଖର ଆହ୍ୱାନବାଣୀ ପୁଣି ମୋ’ କାନରେ ଆସି ବାଜିଚି । ମୁଁ କୂଳକୁ ଫେରିଆସୁଚି । ଏହିପରି ଫେରିଆସିବା ଦ୍ୱାରା ପୁରୁଣା କାରବାର ନୂଆ ହେଉଥାଏ ।

 

ଆଜି ସକାଳେ କେଇଘଣ୍ଟା ଲାଗି ନୟନମନ ଖୋଲି ଯାଇଥିଲା । ଗତ ଅନେକଦିନ ହେଲା ମୁଁ ଆପଣାମଧ୍ୟରେ ଏତେ release କେବେ ଅନୁଭବ କରିନଥଲି । ଆଖି ଯେଉଁଠି ପଡ଼ୁଥିଲା, ସେଠି ଆଲୋକର ପ୍ରତ୍ୟକ୍ଷ କରୁଥିଲା । ଅନ୍ତର ଯାହାକଥା ଭାବୁଥିଲା, ଯେପରି ଗୋଟାସୁଦ୍ଧା ତାକୁ ଆପଣାମଧ୍ୟକୁ ଟାଣିଆଣି ପାରୁଥିଲା । ଜାଣେନା, ଉଦାର ଅନୁଭୂତିର ଏହି ମୁହୂର୍ତ୍ତଗୁଡ଼ିକ କେତେସମୟ ଯାଏ ରହିପାରିବ । ପୁଣି ନାନାପ୍ରକାର ଚିନ୍ତସଂଘାତ ଦ୍ୱାରା ଶଙ୍କିତ ଓ ସଂଶୟଦଗ୍‌ଧ ମନଟା ହୁଏତ ବଡ଼ କ୍ଳିଷ୍ଟ ହୋଇପଡ଼ିବ । ଜାଣେନା, ପୁଣି କେବେ ଏପରି ଏକ ଉନ୍ମୋଚନର ଶୁଭବେଳା ଆସି ପହଞ୍ଚିବ । ଏହି ଚିତ୍ତ ବାର ବାର ଖସି ଯାଉଥିଲେ ମଧ୍ୟ ମୁଁ ସେହିପରି ଏକ ମଗ୍ନ ଜୀବନର ଆଶୀର୍ବାଦ ପାଇବାଲାଗି ନିଶି ଦିନ ପ୍ରାର୍ଥନା କରି ଆସୁଚି । ତଥାପି ‘ତତ୍ସ୍ୟାହଂ’ କହିବାର ଆତ୍ମବିଶ୍ୱାସ ଏବେ ମଧ୍ୟ ହୋଇ ପାରିଲାନାହିଁ । ସୋ ଽ ହଂ ତ ଆହୁରି ଅନେକ ଦୂରର କଥା । ଅଥଚ ମନର ଏହିପରି ମଗ୍ନ ଅବସ୍ଥାମାନ ବାରବାର ଆସି ମୋତେ ଯେପରି ଅଧିକ ନିର୍ଭର ଦେଇଯାଉଚି ଯେ ନିରନ୍ତର ବ୍ୟାପ୍ତି ମଧ୍ୟରେ ପ୍ରସନ୍ନ ଜୀବନ ବଞ୍ଚିପାରିବାର ଉପାୟ ନିଶ୍ଚୟ ରହିଚି । ହେ ମୋର ଅନ୍ତର—ଜଗତର ଅବଧାରକ, ତୁମ ଦାନର ଯୋଗ୍ୟ ହେବାଲାଗି ତୁମକୁ ମୁଁ ସମସ୍ତ ଚିତ୍ତର ପ୍ରଣତି ଜଣାଉଚି ।

 

୧୭.୧.୧୯୫୦

 

କାରଣ କଣ ଜାଣେନା, ଅଥଚ ଅତି ଅଳପ ସମୟ ସଂସ୍ପର୍ଶରେ ଆସି ଅନେକ ମୋତେ ସାଧୁ ବୋଲି କହନ୍ତି । ମୋର ମୁହଁରେ ସାଧୁର ପରିଚୟ ଦେବାଲାଗି କଅଣ ଅଛି କେଜାଣି, ଭିତରର ସମସ୍ତ ଅଧୈର୍ଯ୍ୟ ଓ ଆକୁଳତାକୁ ଘୋଡ଼ାଇ ରଖି ମୁଁ ଯାହା ନୁହେଁ, ହୁଏତ ସେହିପରି ଗୋଟାଏ ଧାରଣ ମୁଁ ଅନ୍ୟମାନଙ୍କୁ ଦେଇଥାଏ । କେବଳ ସାଧୁହୋଇ ଯଦି ପେଟ ପୂରୁଥାନ୍ତା ! କଅଣ ହେଲେ ଯେ ପେଟ ପୂରିବ, ଏପର୍ଯ୍ୟନ୍ତ ତାହା ଜାଣି ପାରିଲାନାହିଁ । ଜଗତ ବିରାଟ ଅଥଚ, ଜୀବନର ଗ୍ରହଣଯାତ୍ରା ଅତ୍ୟନ୍ତ ଛୋଟ,—କେବଳ କ୍ଷୁଧାର ହିଁ ଅନନ୍ତ ଆବେଶ ଧାରଣ କରି ଜୀବନଟା ସାରା ମୋତେ ପାଗଳ କରି ରଖିଚି । ପ୍ରକୃତ ସାଧୁ ହେବାଲାଗି ବାର ବାର ସହସ୍ର ଶପଥ ନେଇ ମୁଁ ଆପଣାର କ୍ଷୁଦ୍ର ନୀଡ଼ଟିକୁ ଫେରିଆସିଚି, ନବଦ୍ୱାରର ଖେଳ ବନ୍ଦକରି ପଚିଶି ପ୍ରକୃତିକୁ ଜୟ କରିବାକୁ ବସିଚି । କିନ୍ତୁ ପେଟ ପୂରିନାହିଁ । ତାପରେ ପୁଣି ଭିତରେ କିଏ ଗର୍ଜ୍ଜନ କରିଉଠିଚି ସନ୍ନ୍ୟାସୀର ସମସ୍ତ ଆଭରଣକୁ ଫୋପାଡ଼ି ଉଚ୍ଛନ୍ନ ହୋଇ ପୁଣି ବିରାଟ ଭିତରକୁ ଧାଇଁଯାଇଚି । ଠିକ ଏହି ସୂର୍ଯ୍ୟପରି ମନଟା ଯେପରି ସମସ୍ତ ଜୀବନ ସମୁଦ୍ରର ଚକ୍ର ଉପରୁ ଉଠିବାକୁ ଚାହେଁ । ଜାଣେନା, କେଉଁ ବିରାଟପରି ହେବାଲାଗି ଏହି ଅନ୍ତର ଭିତରେ ଏତେ ଆଶା ଆଉ ଆକାଂକ୍ଷା ଭରି ରହିଚି, କେଉଁ ସମ୍ଭାବନା ମୋତେ କ୍ଷଣ କ୍ଷଣ ଏତେ ଶକ୍ତି ଦେଇ ଯାଉଚି । ମୁଁ ବାର ବାର ପଥ ବଦଳାଇଚି, ପଥଶ୍ରମକୁ ଦୁଇଗୁଣ କରି ଅତିକ୍ରାନ୍ତ ପଥତକ ବାର ବାର ଅତି ମଉଜରେ ଫେରି ଆସିଚି, ତଥାପି ତାହାକୁ ହିଁ ଜୀବନର ସବୁଠାରୁ ବଡ଼ ଲାଭ ବୋଲି ଭାବି ଭାବି ମନେ ମନେ ଖୁବ ପ୍ରଶଂସା ନେଇଚି । ଜାଣେନା, କାହାଭଳି ପରିପୂର୍ଣ୍ଣ ହେବାକୁ ଦୈନନ୍ଦିନ ଏହି ବିଚିତ୍ର ବେଶ ସଜଡ଼ା ଓ ପଥ ସଜଡ଼ା ଚାଲିଚି । ଏସବୁ କାହା ଆଗରେ କହିବି ? କିଏ ଧୈର୍ଯ୍ୟ ଧରି ଶୁଣିବ, ମୋ କଥାରେ କିଏ ବିଶ୍ୱାସ କରିବ ? ହୁଏତ ସମସ୍ତେ ସ୍ୱପ୍ନ ଦେଖନ୍ତି, ଆପଣାକୁ ପ୍ରକାଶିତ କରି ନପାରିବାର ନିତ୍ୟ ଅସନ୍ତୋଷରେ ହୁଏତ ସମସ୍ତେ ଦହି ହେଉଥାନ୍ତି, ଅଥଚ ଇତର ମୁଖରୁ ସେହି ଆକୁଳତାର ପିପାସା କାହାଣୀ ଶୁଣି ସେମାନେ ତାହାକୁ ଅଲୌକିକ ବୋଲି ଭାବନ୍ତି ।

 

ମୁଁ କିଛି ହେବାକୁ ଚାହେନାହିଁ । ଅପରିପୂର୍ଣ୍ଣ ଜୀବନକୁ ନେଇ ଜୀଇଥିବାତକ ନାନା Experiment କରୁଥିବା ବୋଧହୁଏ ମଣିଷର ଏକମାତ୍ର ପରିପୂର୍ଣ୍ଣତା । ତେଣୁ ବାହାରର ଗୋଟାଏ ଦୁଇଟା ଆଚରଣ ଦେଖି କେହି ଯେତେବେଳେ ହଠାତ୍ କୌଣସି ବିଶେଷଣର ପ୍ରୟୋଗ କରିପକାଏ, ପରୀକ୍ଷାଗତ ଅସଲ ପ୍ରାଣଟା ସତେଅବା ସେଥିରେ ଅପମାନିତ ବୋଧ କରେ । ତା’ଲାଗି ସହାନୁଭୂତି ଦେଖାଇବାକୁ କଣ ଏହି ସଂସାରରେ କେହି ନାହାନ୍ତି ? ତାହାରିପରି ଅଭିଳାଷର ଡେଣା ନେଇ ଉଡ଼ିବାକୁ ଆସିଥିବା ଚଢ଼େଇ କଣ କେହି ନାହାନ୍ତି ? ଚଢ଼େଇ ଚଢ଼େଇ ବସି ଉଡ଼ିବାକଥା କଥାବାର୍ତ୍ତା ହେଉଥିବା ବେଳେ ନିଶ୍ଚୟ କୌଣସି ଲଜ୍ଜା ଅନୁଭବ କରୁନଥିବେ । କିନ୍ତୁ ଜଣେ ମଣିଷ ଆଉଜଣେ ମଣିଷଠାରୁ ତାର ପ୍ରାଣର କଥା ଶୁଣିବାକୁ ବା ଆପଣା ପ୍ରାଣର କଥାକୁ କାହାଆଗରେ କହିବାକୁ ଏପରି ଶଙ୍କିଯାଏ କାହିଁକି ? ମୁଁ ବୁଝିପାରେ ନାହିଁ ।

 

ମାତ୍ର ମୋର ମନ ତଥାପି ଶଙ୍କିଯାଏ ନାହିଁ । ପବନଠାରୁ, ଫୁଲଠାରୁ ପ୍ରତିଭାରୁ ଓ ଇତିହାସରୁ ବିଶ୍ୱାସ ସଂଗ୍ରହ କରି ସେ କେବଳ ଉଡ଼ିବାକୁ ଚାହେ । ମନ ହୁଏ, ସଂସାରରେ ଯାହାକିଛି ଜାଣିବାର, ହେବାର ଓ କରିବାର ସେ ସମସ୍ତେ ଜାଣି, ହୋଇ ଓ କରି ସମସ୍ତ ପୃଥିବୀଟାକୁ ବକ୍ଷଭିତରେ ଧରି ମୁଁ ତଥାପି ଉଡ଼ିଚାଲନ୍ତି !

 

୧୮.୧.୧୯୫୦

 

ପୁଣି ମନ ଚଢ଼େଇର ଡେଣାଲାଗିଚି, ଭାବନାଗୁଡ଼ାକ ପୁଣି ଚଞ୍ଚଳ ହୋଇ ଉଠିଚି । ହୁଏତ କାଲି ମୁଁ ଏଠି ଲେଖିବାର ସମୟ ପାଇବିନାହିଁ, ଆଗାମୀ ଅନେକଦିନ ପର୍ଯ୍ୟନ୍ତ ମୁଁ ହୁଏତ ଏହି ଖାତାପ୍ରତି ଆପଣାର କର୍ତ୍ତବ୍ୟ କରି ପାରିବିନାହିଁ । ମୁଁ ସେଥିଲାଗି ଶୋଚନା କରୁନାହିଁ । ଏହି ପ୍ରାଣଝରଣା କେତେବେଳେ ଡେଇଁବ, ପୁଣି କେତେବେଳେ କ୍ଷଣକ ଲାଗି ଅଟକି ରହି କେତେ ପଥରର ନୀଡ଼କୁ ଭରି ଦେଇଯିବ, ତାକୁ ମୁଁ ଧରାବନ୍ଧା ରୁଟିନ୍‌ଦେଇ ବାନ୍ଧିରଖିବ କାହିଁକି ? ବହି ଚାଲିବାବେଳେ କେବଳ ତାର କଳ କଳ ଶବ୍ଦ ଶୁଣି ବିସ୍ମିତ ହେବା ହିଁ ମୋର ନିତ୍ୟପ୍ରାପ୍ୟ ସମ୍ପଦ । ତା’ ଛଡ଼ା ଅନ୍ୟ ସକଳ ବୈଚିତ୍ର୍ୟ ହେଉଚି ଜୀବନବିଧାତାର, ଅଜ୍ଞାତ ଏକ ସିନ୍ଦୂର ଆହ୍ୱାନ ଶୁଣାଇ ଯିଏ ସେହି ଝରଣାଟିକୁ ବାଟ କଟାଇ ଆଗକୁ ନେଇ ଯାଉଚି ।

 

ପ୍ରାୟ କୋଡ଼ିଏଦିନ ପର୍ଯ୍ୟନ୍ତ ମୁଁ ଓଡ଼ିଶାର କେତେଟା ସ୍ଥାନକୁ ଯାଉଚି । ଅବଶ୍ୟ ସବୁଗୁଡ଼ିକ ଆଗରୁ ଦେଖିଥିବା ଜାଗା । ତଥାପି ମଣିଷର ସଂସ୍ପର୍ଶ କେବେହେଲେ ପୁରୁଣା ହୁଏ ନାହିଁ । ପୁଣି ମୁଁ ପୁରୁଣା ଓ ନୂଆ ଅନେକ ମଣିଷଙ୍କ ସହିତ ମିଶିବି, ଭାବ ବନିମୟ କରିବି, ନାନା ନୂତନ ଅଭିଜ୍ଞତା ମଧ୍ୟରେ ମୁଁ ହୁଏତ କେତେ ସଂଶୟ ଓ କେତେ ପ୍ରହେଳିକାର ସହଜ ଉତ୍ତର ଆବିଷ୍କାର କରିପାରିବି । ଆଗରୁ ଏସବୁ ପ୍ରୟୋଜନାର୍ଥୀ ଭାବନାଦ୍ୱାରା ମୁଁ ଅନାଗତ ଆନନ୍ଦଟିକୁ ପଙ୍କିଳ କରିଦେବାକୁ ଚାହେନାହିଁ । ତେଣୁ କୌଣସି calculation ନ କରି କେବଳ ଗୋଟିଏ ନିର୍ମଳ ଗ୍ରହଣପାତ୍ର ନେଇ କାଲି ମୁଁ ଭ୍ରମଣରେ ବାହାରିଯିବି ।

 

କୋଡ଼ିଏଦିନ ଏହି ଆଶ୍ରମରୁ ଅନୁପସ୍ଥିତ ରହିବି । ଆଶ୍ରମର ସକଳ ଉତ୍ସବ ଓ ଅନୁଷ୍ଠାନରୁ ବାହାରେ ରହିବି । ଏଠି ଥିଲାବେଳେ ନାନା ଘଟଣାରେ ଆଶ୍ରମଉପରେ ମନ ଯେତେ ବିରକ୍ତ ହୋଇ ପଡ଼ୁଥିଲେ ମଧ୍ୟ ଦୂରରୁ ସେହି ଆଶ୍ରମର ଆକର୍ଷଣ ଯେପରି ଅତି ମଧୁମୟ ହୋଇଉଠେ ! ଆମର ଅଜାଣତରେ ଏହି ଆଶ୍ରମ ଯେ ଆମକୁ କେଡ଼େବଡ଼ ପ୍ରେରଣା ଦିଏ, କେବଳ ବାହାରକୁ ଯାଇଥିବାବେଳେ ସେ କଥା ଭଲକରି ଅନୁଭବ କରିବାର ସୁଯୋଗ ମିଳେ ।

 

୨୮.୧.୧୯୫୦

 

ଶାନ୍ତିନିକେତନରୁ ବାହାରିବା ପ୍ରାୟ ଦଶଦିନ ହୋଇଗଲା । ଏ କେତେଦିନ ହେଲା ବାଙ୍କୀକୁ କେନ୍ଦ୍ର କରି ମୁଁ ରଗଡ଼ି ଓ ମାଣିଆବନ୍ଧ ବୁଲିଆସିଚି । ଓଡ଼ିଶା ବସ୍ତ୍ରଶିଳ୍ପର ପ୍ରଧାନ କେନ୍ଦ୍ର ମାଣିଆବନ୍ଧରେ ମୁଁ ଦୁଇଦିନ କଟାଇଚି । ଆପଣାର ଗ୍ରହଣପଥରେ କୌଣସି ପ୍ରକାରର reservation ନ ରଖି କେବଳ ମଣିଷ-ସାନ୍ନିଧ୍ୟକୁ ହିଁ ଅନ୍ତରରେ ଭରିଭରି ଚାଲିଚି । ଏବେ ସୁଦ୍ଧା କି ଅପୂର୍ବ ଓ ସରଳ ଆତିଥ୍ୟର ଆଲିଙ୍ଗନ ଦେଇ ଦେଶର ଗାଆଁ ଆମକୁ ଡାକିନେବାର ଶ୍ରଦ୍ଧା ରଖିପାରିଚି ! ଏହି ଆତିଥ୍ୟ ଅନେକ ସମୟରେ ଗୋଟାଏ ପରୋକ୍ଷ challenge ପରି ମୋର ମନଭିତରେ ଛୁଞ୍ଚି ଫୋଡ଼ିଦେଇ ଯାଇଚି । ଗ୍ରାମର ଆବଶ୍ୟକତା କେବଳ ଅର୍ଥନୀତିକ ବା କେବଳ ରାଜନୀତିକ ନୁହେଁ । ଏକ ବିରାଟ ଓ ବିଶିଷ୍ଟ ସଭ୍ୟତାର ପ୍ରତୀକରୂପେ ଆପଣାର ସକଳ ସରଳତାର ଆୟୋଜନ ବାଢ଼ି ଗାଆଁ ଯେପରି ଆମଲାଗି ନିତ୍ୟକାଳ ଦୁଆର ଖୋଲି ବସିଚି । ସେହି ଅନୁସାରେ ନିଜର ସକଳ ଦୃଷ୍ଟି ଓ ଆକାଂକ୍ଷାକୁ ମାର୍ଜ୍ଜିତ କରି ପାରିଲେ ଆମେ ସେହି challenge ର ଯଥାର୍ଥ response ଦେଇପାରିବା । ଦାରିଦ୍ର୍ୟ ମଧ୍ୟରେ ଗ୍ରାମ୍ୟର ବଦାନ୍ୟ ହୃଦୟ, ମାନସିକ ତଥା ସାମାଜିକ ନାନା ଦୈନ୍ୟ ମଧ୍ୟରେ ଗ୍ରାମର ସହଜ ଦାକ୍ଷିଣ୍ୟକୁ ମୁଁ ଏଇ କେତେଦିନର ପରମ ସମ୍ପଦ ପରି ଧରିରଖିବି ।

 

ଗ୍ରାମର ଏହି challenge ମୋତେ ଜୀବନର ନିଷ୍ପତ୍ତି ସମ୍ବନ୍ଧରେ ସତର୍କ କରିଦେଇଚି-। ତାହାର ବିରାଟ ଆହ୍ୱାନକୁ ସାମନା କରିବାଲାଗି ମୋର ଜବାବ ମଧ୍ୟ ସେହିପରି ବିରାଟ ହେବା ଉଚିତ । ମୋତେ ଆହୁରି ବୁଝିବାକୁ ହେବ, ଆହୁରି ତିଆରି ହେବାକୁ ହେବ ।

 

୨୯.୧.୧୯୫୦

 

ଗାନ୍ଧୀଙ୍କର ମରଣ ଦିନଟା ଯେତିକି ପାଖେଇ ଆସୁଚି, ମୋର ମନଭିତରେ ସେହି ବିରାଟ ଜ୍ୟୋତି ଯେପରି ସେତିକି ଜୀଇଉଠୁଚି । ସାରା ବରଷର ନାନା ଛଳନାନ୍ତରାଳରେ ଯାହାଲାଗି ଏତେଟିକିଏ ଆସନ ସଜାଇ ରଖିବାକୁ ମୋର ମନେ ପଡ଼ୁନଥିଲା, ହଠାତ୍ ଅନ୍ତର-ଉଦ୍ୟାନର ସମସ୍ତ ଫୁଲ ଯେପରି ତାହାରିଲାଗି ପ୍ରସନ୍ନ ହୋଇ ଫୁଟି ଉଠିଲେଣି । ଏଇ କେତେଟାଦିନ ଅନ୍ତତଃ ତାହାରିଲାଗି ପ୍ରାଣମନ ଉଦ୍ଦିଷ୍ଟ ହୋଇ ରହିବ । ମୁଁ ଭଲକରି ଜାଣେ, କେତେଦିନ ପରେ ମୁଁ ହୁଏତ ତାକୁ ପୁଣି ପାସୋରି ପକାଇବି, ଆପଣା ପଛରେ କେତେବେଳେ କାମନା ଓ ଆକାଙ୍‌କ୍ଷାର ମୟୂରପୁଚ୍ଛ ଖଞ୍ଜୁ ଖଞ୍ଜୁ ହୁଏତ ତାକୁ ପାଣି ହରାଇ ବସିବି । ତଥାପି ସେହି ଅପୂର୍ଣ୍ଣତାର ବିସ୍ମରଣ—ବିଷରେ ଏଇ କେତେଦିନର ସ୍ୱଚ୍ଛ ସଲିଳ-ଦୃଷ୍ଟିକୁ ମୁଁ କଦାପି କଳୁଷିତ କରିଦେବିନାହିଁ । ସକାଳ ଓ ସନ୍ଧ୍ୟାର ଆଲୋକଚିତ୍ରଣ ପରି ମୁଁ ଆପଣାକୁ ପ୍ରଶସ୍ତ କରିବି, ସେହି ବିଶାଳ ଜୀବନର ଜ୍ୟୋତିଟିକୁ ବହନ କରି ଆପଣା ଜୀବନରେ ବିଚରଣ କରି ପାରିଲାଭଳି ମୁଁ ଆପଣାକୁ ବଡ଼ କରିବି, ତା’ଲାଗି ମୋର କୌଣସିଟି ଦୁଆରକୁ ବନ୍ଦ ରଖିବିନାହିଁ ।

 

ଘର ପଛରେ ମହାନଦୀର ନୀଳ ଜଳଧି, ବାଲି ସେପାଖରେ ପତ୍ରଳ ସମ୍ଭାରର ନୀଳାଞ୍ଜନରେଖା, ତା’ ସେପାଖ ପର୍ବତ, ଏବଂ ଶେଷକୁ ସବୁ ଧୂଆଁ ହୋଇ ଧୂମ୍ରବର୍ଣ୍ଣ ଶୂନ୍ୟରେ ମିଳାଇ ଯାଇଚି । ରେଖା ଯାଇ ଅରେଖରେ ମିଶିଯାଇଚି । ବାରବାର ନିରିଖି ନିରୀଖି ମଧ୍ୟ ମନ ବୋଧ ହେଉ ନାହିଁ, କେଉଁ ସେବକର ସ୍ୱର୍ଣ୍ଣଘଟ ପରି ମୋର ଅନ୍ତର ମୁର୍ହୂମୁହୂ ଏହି ଜଳାଶୟରେ ବାର ବାର ବୁଡ଼ି ରହିବାକୁ ଇଚ୍ଛା କରୁଚି । ଜାଣେନା, ସେଠାରୁ ଅହରହ କି ଆହ୍ୱାନ ଆସି ମୋତେ ଏପରିଭାବରେ ଟାଣି ରଖିଚି । ନିରୁଦ୍ଦେଶ୍ୟ ରାତିର ରେଳଗାଡ଼ୀ ପରି ଜୀବନ ଅନ୍ୟମନା ହୋଇ ବିତିଯାଉଚି; ଜାଣେନା, ଏହି ଶୋଭାସୁଷମାର ଉତ୍ସବ-ଆଖିରେ ମୋତେ କେଉଁ ଆପଣାର ପ୍ରଭୁ ଗାଡ଼ିଭିତରୁ ସେହି ଅତଳର ଗର୍ଭକୁ ଡେଇଁପଡ଼ିବାର ଆହ୍ୱାନ ଦେଇ ଯାଉଚି । ପ୍ରକୃତିର ଶୋଭା ଦେଖି ମୁଁ ସଂସାରର ଜଞ୍ଜାଳକୁ ଭୁଲି ରହିବାର ଲାଳସୀ ନୁହେଁ, ଭଗବାନଙ୍କୁ ସ୍ମରଣ କରିବାକୁ ପ୍ରକୃତିକୁ ଏକ ମାଧ୍ୟମରୂପେ ଲୋଡ଼ି ବସିବିନାହିଁ:—ଏହି ପ୍ରକୃତି ପରି ହେବାକୁ ଚାହେ । ଏହିପରି ନିରାଲମ୍ବ, ନିରଞ୍ଜନ ଓ ନିରବୟବ ହୋଇ ମୁଁ ଧରାର ତପସ୍ୟାରେ ଦେଦୀପ୍ୟମାନ ହେବାକୁ ଚାହେଁ ଚିର ତପସ୍ୱିନୀ ଧରାର ଶ୍ୟାମଶିଖା ହୋମାନଳ ପରି ମୁଁ ମଧ୍ୟ ଆପଣା ଅନ୍ତରର ଶିଖାଟିକୁ ଜଳାଇ ଧରିବାକୁ ଚାହେ । ହେ ଚିରତପସ୍ୟାର ଦ୍ୟୋତକ, ଚିର-କର୍ମଯଜ୍ଞର ହେ ପୁରୋହିତ, ଆପଣାକୁ ତୁମରିପରି ଦିବ୍ୟମୁଖ କରି ଜଳାଇଦେଇ ମୋର ସକଳ କାମନାର ଲୋତକ ଧନ୍ୟ ହେଉ । ମହାନଦୀର ତପସ୍ୱିନୀଶାୟିନୀ ମୋତେ ଏହି ଭବିତ୍ୟବ୍ୟତାର ଦୀକ୍ଷା ଦେଇଯାଇଚି ।

 

ମୁଁ ମହାନଦୀକୁ ଆଜି ଯାଏ ଭଲକରି ଦେଖିନାହିଁ ? ସମୁଦ୍ର ସଙ୍ଗମଠୁ ଆରମ୍ଭ କରି ତଟେ ତଟେ ନାନା ଅରଣ୍ୟ ଅଟବୀ ଓ ପ୍ରାନ୍ତର ପର୍ବତ ଭେଦି ତା’ର ଉତ୍ସସନ୍ଧାନ କରିଯିବାର ତୀର୍ଥଯାତ୍ରା ହିଁ ଗୋଟାଏ ଜୀବନର ସାଧନାଲାଗି ଯଥେଷ୍ଟ ହୋଇଯିବ । ବର୍ତ୍ତମାନ ତା’ର ବହୁକ୍ରୋଶବ୍ୟାପି ବିସ୍ତୀର୍ଣ୍ଣ ରହିଥିବା ତଟରେଖା ନାନା ଅନୁମାନର ଶୋଭନ ବେଶରେ ମନଆାଗରେ ନାଚୁଥିଲା ପରି ଲାଗୁଚି । ସେହି ଅନୁମାନ କେବେଯାଇ ଆଖିଦେଖାର ଆସ୍ୱାଦନରେ ପ୍ରତ୍ୟକ୍ଷ୍ୟ ହେବ କେଜାଣି ?

 

୩୦.୧.୧୯୫୦

 

ମହାତ୍ମା ଗାନ୍ଧୀଙ୍କର ଶ୍ରାଦ୍ଧଦିବସକୁ ଆଜି ମୁଁ ତାଙ୍କର ଜନ୍ମଦିବସ ରୂପେ ପାଳନ କରୁଚି । ଆଜି ହୃଦୟ ଭିତରେ ରୋମେରୋମେ କେଉଁ ନୂତନ ଜନ୍ମର ପ୍ରସନ୍ନତା ଅନୁଭବ କରୁଥିବାପରି ଲାଗୁଚି । ଏଯୁଗର ସବୁ କ୍ଷେତ୍ରର ଆହ୍ୱାନକୁ ଜବାବ ଦେବାଭଳି ଏକ ସମାଧାନର ମୁର୍ତ୍ତି ଧରି ଗାନ୍ଧିଜୀ ଏହି ପୃଥିବୀର ଯୁଗନ୍ଧର ହୋଇ ଅବତୀର୍ଣ୍ଣ ହୋଇଥିଲେ । ଏ ଯୁଗର ସକଳ ଆବର୍ତ୍ତ ଏବଂ ଆବିଳତାକୁ ଜବାବ ଦେଇ ପାରିବାଭଳି ଏକ ସାହସୀ ବ୍ୟକ୍ତିତ୍ୱର ଅବତାରକୁ ମୁଁ ମୋ’ ଅନ୍ତରର କୋଣେକୋଣେ ଅନୁଭବ କରୁଚି । ମୋର ସମସ୍ତ କାମନା, ବାସନା ଓ ଆକାଙ୍‌କ୍ଷା ଭରି ଆଜି ଗାନ୍ଧୀ ହିଁ ପରିପୂର୍ଣ୍ଣ ହୋଇ ରହିଚି । ବିଧାତୃ-ତୁଣୀରର ପ୍ରିୟତମ ଅସ୍ତ୍ର ସେ, ମୋର ତୁଣୀରକୁ ଆସି ମୋତେ ବି ପବିତ୍ର ଓ ପରିଶୁଦ୍ଧ କରିଦେଇଚି । ମୁଁ ସେହି ଜନ୍ମପ୍ରତ୍ୟକ୍ଷର ସୌଭାଗ୍ୟଶାଳୀ ଅଧିକାରୀ ହୋଇ ଧନ୍ୟ ହୋଇଚି ।

 

ଆଜି ଦେଶରେ ଅନେକ ଦଳ, ପୃଥିବୀରେ ଅନେକ ମତବାଦ । ଆଜି ସମସ୍ତେ ନାନାବିଧ ସମସ୍ୟାକୁ ନେଇ ବ୍ୟସ୍ତ । କିନ୍ତୁ ସକଳ ତନ୍ତୁକୁ ଏକାଠି ସଜାଡ଼ି ସୃଷ୍ଟିଗଠନର ଐକ୍ୟବୀଣା ବଜାଇ ପାରିଥିବା ସେହି ଗାନ୍ଧୀର ଆବିର୍ଭାବ ସକାଶେ ଆଜି ଭୁବନମୟ ସମସ୍ତେ ଅପେକ୍ଷା କରି ବସିଚନ୍ତି । ଏଯୁଗର କର୍ତ୍ତା ଓ ନେତାମାନେ ହାତୀର କେବଳ ଗୋଟାଏ ପାଖଟାକୁ ହିଁ ଦେଖୁଚନ୍ତି, କିନ୍ତୁ ପ୍ରତ୍ୟେକ ସମସ୍ୟାରେ ସେମାନେ କେବଳ ଗୋଟାଏ ଦିଗର ସମାଧାନ ବତାଇ ପାରୁଚନ୍ତି । ଅଥଚ ନିଜର ଅଜ୍ଞତାରେ ଅନ୍ଧ ହୋଇ ଆପଣାର ପୁତ୍ରକୁ ଏକମାତ୍ର ପୁତ୍ର ବୋଲି କହିବାର ଦମ୍ଭ ସେମାନଙ୍କର ପୂର୍ଣ୍ଣମାତ୍ରାରେ ରହିଚି । କିଏ କେବଳ ଅର୍ଥନୀତିଟାକୁ ଦେଖୁଚି ତ କିଏ କେବଳ ଅପାର୍ଥିବ ଧର୍ମ ଉପରେ ହାତ ପକାଉଚି । କିଏ ଆପଣାର ଦେଶକୁ ଏକ ବଡ଼ ରାଷ୍ଟ୍ର କରି ଗଢ଼ିବାକୁ ଚାହୁଚି ତ କିଏ ପୃଥିବୀର ରାଜନୀତିରେ ନେତା ବୋଲାଇବାକୁ ଯାଉଚି । କିନ୍ତୁ ଏସବୁ କେବଳ ଗୋଟିଏ ଗୋଟିଏ ପତରକୁ ଆଶ୍ରୟ କରି ଖଦ୍ୟୋତ ପରି ଜୁକୁଜୁକୁ ହେବାର ପ୍ରୟାସ । ସମଗ୍ର ମାନବପ୍ରବୃତ୍ତି ଓ ମାନବବିକାଶର ଆକାଙ୍‌କ୍ଷାକୁ ଆପଣାର ଦୃଷ୍ଟି ସମ୍ମୁଖରେ ରଖି ଆପଣା ଆଲୋକର foucs ଦ୍ୱାରା ସମଗ୍ରଟିକୁ ପ୍ରତିଭାତ କରିବାର ଶାଳୀନତା ଆଜି କାହାରିଠାରେ ହିଁ ନାହିଁ । ତେଣୁ ଆପଣା ଆପଣାର ବାଟରେ ପ୍ରତ୍ୟେକ ଅନେକ ବାଟ ଦଉଡ଼ି ଯାଉଥିଲେ ହେଁ ଅନ୍ୟ ଦିଗରେ ରହିଥିବା ସୂତ୍ରଗୁଡ଼ିକୁ ହୁଡ଼ି ବସୁଚନ୍ତି । ଭାରତବର୍ଷର ସାଧାରଣ କ୍ଷେତ୍ରରେ ବର୍ତ୍ତମାନ ଯେତୋଟି ରାଜନୀତିକ ଦଳ ଆତଯାତ ହେଉଚନ୍ତି ସେମାନେ କେବଳ କୌଣସି ଗୋଟିଏ ସୂତ୍ର ହିଁ ଖୋଜି ପାଇଚନ୍ତି, ଏବଂ ସେହି ଗୋଟିଏ approach କୁ ସମଗ୍ର approach ରୂପେ ଗ୍ରହଣ କରିବାର ଭୁଲ କରୁଚନ୍ତି । ସେଥିଲାଗି ବାହାରକୁ ସେମାନଙ୍କର ଯେତେ ତେଜ ଓ ଯେତେ ଖବରକାଗଜ ଛଟକୁଥିଲେ ମଧ୍ୟ ସେମାନେ ଏ ଯୁଗ ଲାଗି ପ୍ରକୃତରେ କୌଣସି ଫଳଦାୟୀ ଜବାବ ଦେଇ ପାରୁନାହାନ୍ତି । ଅଥଚ ସେହି total response ବା ସମଗ୍ର ଜବାବ ହିଁ ବର୍ତ୍ତମାନ ସବୁଠାରୁ ବେଶୀ ଲୋଡ଼ା । ମଣିଷର ନାନା କ୍ଷେତ୍ରର ଚିନ୍ତା ଆଜି ଏକୈକ ଧାରାରେ ବିଚ୍ୟୁତ ଓ ବିକ୍ଷିପ୍ତ ହୋଇ ବିନିଷ୍ଟ ଦିଗରେ ବହିଚାଲିଚି, ସେହି ଗତିଗୁଡ଼ିକୁ ସମ୍ମିଳିତ କରି ଏକ ସମଗ୍ର ଜବାବ ଦେଇପାରିବା ଭଳି ବିଶ୍ୱକର୍ମାର ଆବିର୍ଭାବ ସକାଶେ ଆଜି ବିଶ୍ୱ ଅପେକ୍ଷା କରି ରହିଚି । ତାହାହିଁ ହେଉଚି ଗାନ୍ଧୀର ପୁନର୍ଜନ୍ମ । ଆପଣା ଜୀବନ ଭିତର ଦେଇ ଗାନ୍ଧୀ ଏହି ସମଗ୍ର ଜବାବ ଦେଇ ପାରିଥିଲେ । ପୁନରେହି ତଥାଗତ, ପୁଣି ତୁମର ଆବିର୍ଭାବ ହେଉ । ହେ ସମଗ୍ର ଜୀବନର ଶିଳ୍ପି ! ମାତୃ କ୍ରୋଡ଼ର ଏକମାତ୍ର, ଆଶ୍ରୟ ଦେଇ ତୁମେ ଏହି ବିକାଶଧର୍ମୀ ଶିଶୁଟିକୁ ପୁଣି ଗ୍ରହଣ କର, ତୁମରି ଯୁଗ ପୁଣି ଅବତୀର୍ଣ୍ଣ ହୋଇଆସୁ ।

 

ସାତଦିନର ରହଣିପରେ ଆଜି ବାଙ୍କୀ ଛାଡ଼ିଯିବାକୁ ପଡ଼ୁଚି । ଏହି ପବିତ୍ର ଦିନରେ ସ୍ଥାନଟି ମୋତେ ଏକ ଅପୂର୍ବ ସୌନ୍ଦର୍ଯ୍ୟରେ ଦେଖାଦେଇଚି, ଏ ନଈ, ଏ ପର୍ବତ ଓ ଅରଣ୍ୟର ଦୂରସୀମା-ସମସ୍ତେ ଯେପରି ମୋତେ ନବତର ସିଦ୍ଧିର ଆକାଙ୍‌କ୍ଷାରେ ଅନୁପ୍ରାଣିତ କରି ଦେଉଚନ୍ତି-!

 

୧.୨.୧୯୫୦

 

ବାଙ୍କୀ ପରେ ଢେଙ୍କାନାଳ, ଢେଙ୍କାନାଳରୁ ଯୋରନ୍ଦା । ମାଘପୂର୍ଣ୍ଣିମା ମେଳାର ଘୁ’ ଘୁ’ ଏପର୍ଯ୍ୟନ୍ତ ଶୁଭୁଚି । ମହିମାଧର୍ମର ଶୂନ୍ୟମନ୍ଦିରରେ ବଡ଼ ଘଣ୍ଟାଟା ଅହରହ ବାଜିଉଠେ ଭିତରର ଉତ୍ସବରତ ମନକୁ ଜଗାଇଦେଇ ଯାଉଚି । ଅନେକ ଯାତ୍ରୀଙ୍କର ସମାଗମ ଭିତରେ ନାନା ଭାବନା ଓ ନାନା କର୍ମପ୍ରବଣ ଯୋଜନା ମନକୁ ଛୁଇଁଦେଇ ଯାଉଚି । ଏହିସବୁ ଧର୍ମସମ୍ପ୍ରଦାୟ ବହୁଦିନର ପୁରୁଣା, ପ୍ରଥମ prophetଙ୍କର ଯେଉଁ ଆଦର୍ଶ ଓ ଦୃଷ୍ଟି ରଖି ଏହି ଧର୍ମ ସଂସ୍ଥାପିତ ହୋଇଥିଲା, ହୁଏତ ନାନା ସମାନ୍ତର ଚିନ୍ତାଧାରାର ମିଶ୍ରଣ ଫଳରେ ସେହି ଆଦର୍ଶ ଓ ଦୃଷ୍ଟି ବଦଳି ଗଲାଣି । ସମାଜଶାସ୍ତ୍ରୀମାନେ ହୁଏତ ସେହିସବୁର ଅନୁଶୀଳନ କରିବେ । କିନ୍ତୁ ଅସଲ କଥା ହେଉଚି, ଏଯୁଗର ଏତେ ନୂଆନୂଆ ପରିବର୍ତ୍ତନ ସତ୍ତ୍ୱେ ସମାଜଲାଗି ଧର୍ମର appealଟି ଏପର୍ଯ୍ୟନ୍ତ ବଳବତ୍ତର ରହିଚି । ଧର୍ମଭିତରେ ଆଜି ମଧ୍ୟ ଏପରି ଏକ ଆକର୍ଷଣଧର୍ମୀ ପ୍ରାଣ ରହିଚି, ଯାହାକି ସହସ୍ର ମନର ସକଳ ବିରୂପତା ଓ ବିଭିନ୍ନତାକୁ ପଛକୁ ପକାଇଦେଇ ମଣିଷକୁ ଦୁଇଦିନ ଉତ୍ସବ ଓ ଆନନ୍ଦଲାଗି ଏକତ୍ର ସମବେତ କରିପାରୁଚି । ଜାତି ଓ ଦେଶକୁ ଚଢ଼ିବାଲାଗି ଆମ ଏ ଯୁଗରେ ଅନେକ କଳ୍ପନା ଜଳ୍ପନା ହେଉଚି । କିଏ କେତେ ପ୍ରକାରର ସ୍ୱପ୍ନ ଦେଖୁଚି ଏହି ସଂସାରର ମଣିଷକୁ ଆହୁରି ସୁନ୍ଦର କରି ଗଢ଼ିବାଲାଗି । ମଣିଷର ମନକୁ ଆଦିକାଳରୁ ନାନା ଆକାର ଓ ଆଚରଣ ଦେଇ ଆସିଥିବା ଧର୍ମର ଅନୁଷ୍ଠାନକୁ ସେହି ଜାତିନିର୍ମାଣର ଦୃଷ୍ଟିରୁ ହୁଏତ ଟିକିଏ ଭଲଭାବରେ ଅଧ୍ୟୟନ କରିବାକୁ ହେବ । ଧର୍ମସହିତ ମନୋବିଜ୍ଞାନର ଯେଉଁ ସମ୍ପର୍କ ରହିଚି, ତାହାରି ଗଭୀର ଅଧ୍ୟୟନ କରିପାରିଲେ ଯାଇ ଆମ ଜାତି ବା ସମାଜର ସକଳ ସାମୂହିକ କାର୍ଯ୍ୟର ମୂଳଦୁଆ ମଧ୍ୟ ଗଭୀର ହୋଇପାରିବ ।

 

୪.୨.୧୯୫୦

 

ଯୋରନ୍ଦା ଛାଡ଼ି ନୀଳକଣ୍ଠପୁର ଓ ଭୁବନ ଗାଆଁ ଦେଖି ଆଜି ବରପଦା ବୋଲି ଗୋଟିଏ ଛୋଟିଆ ଗାଆଁରେ ମୁଁ ଅତିଥି ହୋଇଚି । ପ୍ରାୟ ଦଶବରଷ ବିତି ଯାଇଥିଲେ ମଧ୍ୟ ବାଜି ରାଉତର ବୋଉ ଆଖିରୁ ଆଜିଯାଏ ଲୁହ ନିଭିନାହିଁ । କାଲି ସେଇକଥା ଦେଖିଆସିଲି । ଦରିଦ୍ରା ମାଆ ଆପଣାର ସବୁ ଧର୍ଯ୍ୟ ଓ ବଳକୁ ଏକତ୍ର କରି ସେଦିନ ଯେଉଁ ଜୀବନ୍ତ ଫୁଲର ନୈବେଦ୍ୟ ଦେଇଥିଲା, ସେହି ଫୁଲଟିର ସ୍ୱପ୍ନ ଆଜି ମଧ୍ୟ ସଫଳ ହୋଇନାହିଁ, ଦରିଦ୍ରର ଘର ଏବେ ବି ଅନ୍ଧାର ହୋଇ ରହିଚି । ମଲା ଦେଶ ତା’ର ମୁର୍ଦ୍ଦାରଟାକୁ ଏବେ ବି କବର ଦେଇ ପାରିନାହିଁ ।

 

ବାଜି ରାଉତକୁ କେନ୍ଦ୍ର କରି ଆମ ଭାଷାରେ ଅନେକ ସାହିତ୍ୟ ରଚନା ହୋଇଚି । ଏ ଯୁଗର ଧରମା ପରି ସେ ଆମ ସଭିଙ୍କ ଲାଗି ଅମର ହୋଇ ରହିଚି । କିନ୍ତୁ ତାହାରି ନିଜ ଗାଆଁରେ ମୁଁ ସେପରି କୌଣସି ଚେତନା ବା ଆଗ୍ରହ ଦେଖି ପାରିଲିନାହିଁ । ଅନେକେ କହନ୍ତି, ବାଜି ରାଉତ ବିଷୟରେ ଶୁଣାଯାଉଥିବା ବୀର-କାହାଣୀଟି କେବଳ ଗଢ଼ାହୋଇଥିବା ଗୋଟିଏ, ଗପ ମାତ୍ର । ସେ ଆକସ୍ମିତ ଭାବରେ ହିଁ ପୋଲିସ୍‌ର ଗୁଳି ଆଗରେ ପଡ଼ି ଯାଇଥିଲା । ସେହି ଘଟଣାଟିକୁ ନାନାଭାବରେ ଲତାଇଦେଇ ବାଜି ରାଉତକୁ ଏବେ ଶହୀଦ କରାଯାଇଛି ଶୁଣି ସେଗାଆଁର ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

 

ମୋର ମନରେ ତଥାପି କୌଣସି ଅବଶୋଷ ନାହିଁ । ଯାହାର ଭିତରେ ଯୋଗ୍ୟତା ଯେତିକି, ସେତିକି ମହତ୍ତ୍ୱ ଦେଇ ସିଏ ମଣିଷକୁ କଳିବାକୁ ଯାଏ । ଏଯୁଗର ବିଦ୍ରୋହ ଲାଗି ରାଉତ କେବଳ ଏକ ଅବଲମ୍ବନ ମାତ୍ର । ଆମ ଆଖି ଯେତିକି ଉପରକୁ ହେବ, ବାଜି ରାଉତ ଆମ ଆଖିରେ ସେତିକି ବଡ଼ ହୋଇ ଦୃଶ୍ୟମାନ ହେବ । ଆମକୁ ସେତିକି ବେଶୀ ପ୍ରେରଣା ଦେବ । ତତ୍ତ୍ୱର ସାଧନାପରି ସବୁଦିନର ଜୀବନରେ ମଧ୍ୟ ଆମେ symbol ବା ପ୍ରତୀକର ଆଶ୍ରୟ ନେଇ ବଢ଼ୁଚୁ । କାଳୀଙ୍କର ପୂର୍ଣ୍ଣ ପରିଚୟ ପାଇବାଲାଗି ଆମଠାରେ ରାମକୃଷ୍ଣ ପରମହଂସଙ୍କର ମନ ରହିଥିବା ଉଚିତ ।

 

୯.୨.୧୯୫୦

 

ଅନେକ ଆଡ଼େ ବୁଲିବୁଲି ଶେଷରେ ଦୁଇଦିନ ଲାଗି ମୁଁ ଗାଆଁକୁ ଆସିଚି । ଆପଣା ଗାଆଁରେ ସଭିଙ୍କ ସହିତ ମିଳିମିଶି ଓ ହସିଖେଳି କ୍ଳାନ୍ତ ଶରୀରର ଅବସାଦ ମେଣ୍ଟାଇ ଦେଉଚି । ଗତ କୋଡ଼ିଏଦିନ ଧରି ମୋର ଏହି ଶରୀର ନାନାପ୍ରକାରର ନାନା ଅନିୟମିତତା ସହି ଆସିଚି, କୋଉ ଦିନରୁ ସଞ୍ଚୟ କରି ରଖିଥିବା ପେଶୀର ବଳକୁ ମୁଁ କେତେ କ୍ଷେତ୍ରରେ ଖାଲି ନିଃସାରିତ କରି-ଦେଇଚି । ଆପଣା ମନଟାକୁ ନିରନ୍ତର ଆନନ୍ଦରେ ଭରାଇ ରଖିବି ବୋଲି । ଶରୀର ଓ ମନଭିତରେ ଏହି ଉଦାର ସହଯୋଗ ସକାଶେ ମୁଁ ବଞ୍ଚି ରହିଚି, ଏହି ଧରଣୀକୁ ମୁଁ ନିତି ନୂତନଭାବେ ପ୍ରତ୍ୟକ୍ଷ କରୁଚି ।

 

ଯୋରନ୍ଦାରେ ଥିବାବେଳେ ଓଡ଼ିଶା କଂଗ୍ରେସରେ ଜଣେ ବଡ଼ ନେତା ଶ୍ରୀ—ଙ୍କର ଗୋଟିଏ ବକ୍ତୃତା ଶୁଣିବାକୁ ମିଳିଥିଲା । ପ୍ରାୟ ଚାରିବର୍ଷ ହେଲା ମୁଁ କୌଣସି ରାଜନୀତିକ ଭାଷଣ ଶୁଣିବାର ସୁଯୋଗ ପାଇନଥିଲି, ତେଣୁ—ବାବୁଙ୍କର ଦୁଇଘଣ୍ଟିଆ ବକ୍ତୃତାଟିକୁ ମୁଁ ଅତ୍ୟନ୍ତ ଆଗ୍ରହସହିତ ଶୁଣିଥିଲି । ତାଙ୍କର ଅନେକ କଥାମଧ୍ୟରୁ ଗୋଟିଏ ପଦ ସେହି ଦିନଠାରୁ ଆଜିଯାଏ ମୋ’ର ମନ ଭିତରଟାକୁ ହାଣିହାଣି ଦେଲାପରି ଲାଗୁଚି । ସେହି ପଦକ କଥାରୁ ମଧ୍ୟ ଶ୍ରୀ—ବାବୁଙ୍କର ସମଗ୍ର ଦୃଷ୍ଟିଭଙ୍ଗୀଟିର ବେଶ୍ ପରିଚୟ ମିଳିଯାଉଚି । ସେଦିନ ସେ କହିଥିଲେ : ‘‘ଜନତା କିଛି କରେନାହିଁ, ବ୍ୟକ୍ତି ହିଁ ସବୁ କରେ । ଜନତା ବ୍ୟକ୍ତିଙ୍କୁ କେବଳ ଆପଣାର ସମର୍ଥନ ଦେଉ. ବ୍ୟକ୍ତି ଜନତାଲାଗି ସବୁକଥା କରିଦେବ ।’’

 

ଜନତାର ଶକ୍ତି ଯେ ଏଦେଶର ସ୍ୱାଧୀନତା ଆଣିବ ସ୍ୱାଧୀନତା ପୂର୍ବରୁ ସ୍ୱୟଂ—ବାବୁ କେତେଥର କହିଥିବେ । ଜନଶକ୍ତିର ପ୍ରତୀକ ହୋଇ ବଢ଼ି ସିଏ ଜାତିର ସଂଗ୍ରାମରେ ନିଜଲାଗି ମଧ୍ୟ ସ୍ଥାନ ଟିକିଏ ତିଆରି କରି ପାରିଚନ୍ତି । ସ୍ୱାଧୀନତା ପାଇବାର ମାତ୍ର ତିନିଟା ବରଷ ପରେ—ବାବୁଙ୍କଠାରୁ ହଠାତ୍ ଏହି ଓଲଟା କଥା ଶୁଣି ତାଙ୍କୁ ଜାଣିଥିବା ଲୋକଙ୍କୁ ନିଶ୍ଚୟ ତଟକା ଲାଗିବ । ଯେତେବେଳେ ଆପଣାର ଦୃଷ୍ଟି ଅତି ସଂକୀର୍ଣ୍ଣ ହୋଇଯାଏ, କେବଳ ସେତିକିବେଳେ ହିଁ ଜଗତ ଉପରୁ ମଣିଷର ବିଶ୍ୱାସ ଚାଲିଯାଏ । ନାନା ମୋହ ଓ ସ୍ୱାର୍ଥର ବଶବର୍ତ୍ତୀ ହୋଇ ମଣିଷ ଜଗତକୁ ସମ୍ମାନ ଦେଖାଇ ପାରେନାହିଁ । ନାନା ପ୍ରକାର ଭୟରେ ତ୍ରସ୍ତପ୍ରାୟ ହୋଇ ସେ କେବଳ ଆପଣା ଇଚ୍ଛାର ସ୍ୱେଚ୍ଛାଚାର ଉପରେ ତିଷ୍ଠି ରହିବାକୁ ଚାହେ । ସେତେବେଳେ ଶାସକ ଶାସନର ଧର୍ମ ଭୁଲି କେବଳ ଶାସନ ହିଁ କରିବାକୁ ଚାହେ । ନିରପେକ୍ଷ ସତ୍ୟ ଓ ନ୍ୟାୟର ସିଦ୍ଧାନ୍ତକୁ ପାଶୋରିଦେଇ ଲୋକପାଳ କେବଳ ଆପଣାର ମତବାଦ ଓ ଖିଆଲଗୁଡ଼ାକୁ ସଭିଙ୍କ ଉପରେ ଲଦିଦେବାକୁ ଚାହେ-। ଆଜିର ରାଜନୀତି ମୁଖ୍ୟତଃ ଏହି ଭୟଉପରେ ବଞ୍ଚିରହିଚି । ଆଜି ଧର୍ମ ଓ ନ୍ୟାୟକୁ ଏମାନେ ସମସ୍ତେ ଭୟକରୁଚନ୍ତି । ତେଣୁ ସେମାନେ ଲୋକଶକ୍ତି ଦ୍ୱାରା ନିର୍ଦ୍ଧାରିତ ହେଉଥିବା ବିପ୍ଳବକୁ କ୍ରମେ ଅସ୍ୱୀକାର କରିବାକୁ ବସିଲେଣି । ଭୀରୁ ମଣିଷ ନାନାବିଧ ଅସ୍ତ୍ରସାଜରେ ସଂରକ୍ଷିତ ହୋଇ ରହିଥିଲା ପରି ବର୍ତ୍ତମାନର ରାଜନୀତିକ ନେତା ଆପଣା ଦଳ ବା ଗୋଷ୍ଠୀର ମୋହାବରଣ ଭିତରେ ଆବଦ୍ଧ ହୋଇ ରହିବାକୁହିଁ ଭାରି ନିରାପଦ ମଣୁଚି । ଯେ କୌଣସି ପ୍ରକାର ଉପୁରି ଶାସନ ଅପେକ୍ଷା ଲୋକମାନଙ୍କର ଆପଣା ଶାସନଜନିତ ଅରାଜକତା ମଧ୍ୟ ଗ୍ରହଣୀୟ,—ଶ୍ରୀଯୁକ୍ତ ଜନ୍‌ଷ୍ଟୁଆର୍ଟ ମିକ୍ ଏହିକଥା କହିଥିଲେ । ଦେଶ ଓ ଜାତିର ସେବକ ବୋଲାଇବା ହୁଏତ ଗର୍ବ ବା ଅହଙ୍କାରର ଜ୍ୟୋତକ ହୋଇପାରେ, ତେଣୁ କଂଗ୍ରେସ ଆପଣାକୁ କେବଳ ଭଗବାନଙ୍କର ହିଁ ସେବକ ବୋଲାଉ,—ମହାତ୍ମା ଗାନ୍ଧୀ ତାଙ୍କର ଶେଷ ଜୀବନରେ ଏହି ପରାମର୍ଶ ଦେଇ ଆସିଥିଲେ-। ଆପଣା ଦଳର ଚାରିବେଢ଼ା ଭିତରେ ସକଳ ପ୍ରକାର ଠିକ ବେଠିକ ଓ ଉଚିତ ଅନୁଚିତର ମାନଦଣ୍ଡକୁ ଛନ୍ଦାଇ ରଖି କଂଗ୍ରେସ କେବଳ ଆପଣାର ହିଁ କ୍ଷତି କରୁଚି, ଆପଣାର ମେରୁଦଣ୍ଡକୁ ଭାଙ୍ଗିପକାଉଚି ।

 

୧୪.୨.୧୯୫୦

 

ପୁଣି ମୁଁ ଆଶ୍ରମର ନିତ୍ୟନୀଡ଼କୁ ବାହୁଡ଼ି ଆସିଚି । ଗଛଡ଼ାଳରେ ଶୀତଶେଷରେ ପତରଝଡ଼ା ଆରମ୍ଭ ହେଲାଣି । ଶୀତସକାଳର ଧୂସର ଦିଗ୍‌ବଳୟ କ୍ରମେ ତାମ୍ରବର୍ଣ୍ଣ ହେବାକୁ ବସିଲାଣି । ମୋ ମନଭିତରେ ବି ଖାଲି ଛାଡ଼ିଆସିବା, ଖସେଇଦେବା ଓ ଖୋଳ ଛାଡ଼ିବାର ମହୋତ୍ସବ ଚାଲିଥିଲା ପରି ଳାଗୁଚି । ମୋର ଯାବତୀୟ ଉଦ୍ୟମ ଓ ଉଦ୍ୟମତାକୁ ଗୋଡ଼ି ପଥର କରି ବିଧାତା ଯେପରି କାହାର ପ୍ରତୀଷ୍ଠା ଦେବୀ ନିର୍ମାଣ କରିବା ଆରମ୍ଭ କରିଦେଲାଣି । ଏଥରର ବସନ୍ତ ମୋତେ ନୂତନ କରି ପାରିବ କି ନାହିଁ, ସେ କଥା ମୁଁ ଜାଣେନାହିଁ । ତାହାର ସୌନ୍ଦର୍ଯ୍ୟକୁ ପୂର୍ଣ୍ଣକରି ଅନ୍ତରରେ ଭରିନେଇ ପାରିବାର ଯୋଗ୍ୟତା ମୋ’ ଭିତରେ କେତେଦୂର ରହିଚି, ତାହା ମଧ୍ୟ ମୁଁ ଜାଣେନା । ତଥାପି ମୋର ପିପାସା ହିଁ ମୋର କାନେକାନେ ପରମ ନିର୍ଭରର ବାଣୀ ଶୁଣାଇ ଦେଇ ଯାଉଚି । ମୋର ହେବାର ଆକାଙ୍‌କ୍ଷା ହିଁ ମନର ପକ୍ଷୀଚଟାକୁ ଅକୂଳ ଆକାଶ ପହଁରେଇ ନେଉଚି । ମୁଁ ନିତି ଏହିପରି ହେବି ଓ ବଢ଼ିବି; ପ୍ରତ୍ୟେକ ବସନ୍ତର କିଂଶୁକଶାଖା ପରି ମୁଁ ବାରବାର ଫୁଟି ଉଠିବାର ନୂଆ ନୂଆ ପରୀକ୍ଷା କରୁଥିବି । ତାହାରି ହାତ ତିଆରି ଗୋଟାଏ ଡାଳ ମୁଁ; ମୋ ମଞ୍ଜର ନିଦାକାଠ ଦେଇ ସମସ୍ତ ରସକୁ ଟାଣିଆଣି ସଂଗ୍ରହ କରି ପାରିଲେ ସେହି ଡାଳରେ ମନୋମତ ଫୁଲ ନିଶ୍ଚୟ ଫୁଟିବ, ଯଥା ସମୟରେ ସମସ୍ତ ସ୍ତବକ ନିଶ୍ଚୟ ବିକଶିତ ହୋଇ ଉଠିବ । ଏହି ବିକାଶ ଉପରେ ବିଶ୍ୱାସ ରଖିଥିବା ହେଉଚି ମୋର ଧର୍ମ, ଏହାହିଁ ବସନ୍ତର ଧର୍ମ ।

 

ଏତେଦିନ ପରେ ଆଶ୍ରମକୁ ଆସି ହଠାତ୍ ନୂଆନୂଆ ଲାଗୁଚି । ଏହାର ବିରାଟ ଜୀବନଟିର ପଛରେ କେଉଁ ଜନନୀର ଦୁଇଆଖି ହୁଏତ ଏପର୍ଯ୍ୟନ୍ତ ମୁଦିହୋଇ ରହିଚି ମୁଁ ଯାହାକୁ କି ଆପଣା ପ୍ରାଣର ଆବେଗ ଦେଇ ଉନ୍ମୀଳିତ କରି ପାରିନାହିଁ । ମୋର ମନୋଦୃଷ୍ଟି Gynicର ମନୋଦୃଷ୍ଟି ନୁହେଁ,—ମୋତେ ଆହୁରି ଭିତରକୁ ଯିବାକୁ ହେବ, ବାସ୍ତବତାର ବାଲିଗୁଡ଼ାକୁ ଆହୁରି ଭେଦି ମଣିଷ ଅନ୍ତରର ଫଲ୍‌ଗୁଧାରାଟିକୁ ଚିହ୍ନି ରଖିବାକୁ ହେବ । ଏହାହିଁ ମୋର ପ୍ରାର୍ଥନା ଆଜି ରାତିର ଦେବତା ପାଖରେ !

 

୧୫.୨.୧୯୫୦

 

ବ୍ୟଭିଚାରୀ ମନ ନୀରବ ଅବକାଶ ପାଇ କେତେବେଳେ କଳ୍ପନା କରିଯାଉଚି । ନାନା ଅତୃପ୍ତ ଉପଭୋଗାକାଙ୍‌କ୍ଷାରେ ବାତୁଳ ପ୍ରାୟ ହୋଇ ସେ ମୋତେ ଇତସ୍ତତଃ କରିଦେଉଚି । ସେହି ଆକାଙ୍‌କ୍ଷାର ସ୍ରୋତ ଆଗରେ ବୁଦ୍ଧିର କୌଣସି ପରାମର୍ଶ ତିଷ୍ଠି ପାରୁନାହିଁ । ଜାଣେନା, କି substitute ଦେଇ ମୁଁ ମନର ଏହି ଆରଣ୍ୟକୀ ପ୍ରବୃତ୍ତିକୁ ଶାନ୍ତ କରିପାରିବି । ଯେତିକି ଆବେଗ ସହକାରେ କାମୁକ ଆପଣାର କାମଲାଳସାକୁ ଚରିତାର୍ଥ କରିବାର ଉପାୟ ଖୋଜିବୁଲୁଥାଏ, ଠିକ୍ ସେତିକି ଆବେଗ ଓ ଅତୁରତା ଧରି ନ ଖୋଜିଲେ ଯେ ଭଗବାନଙ୍କୁ ଲାଭ କରାଯାଇ ପାରିବନାହିଁ, ରାମକୃଷ୍ଣ ପରମହଂସଙ୍କର ଏହି ବାଣୀ ଆଜି ମୋତେ ଏକ ସହଜତମ ସମାଧାନ ପରି ଲାଗୁଚି । ମୋର ଆବେଗ, ମୋର ଆକୁଳତା, ମୋର ଅମାନିଆ ଉଡ଼ାମନ,—ସବୁ ସେଇପରି ରହିଥାଉ । କେବଳ ସେହି ମନର ଦୃଷ୍ଟିଟାହିଁ ବଦଳିଯାଉ । ତା’ର ବିଚରଣଭୂମି ପରିବର୍ତ୍ତିତ ହୋଇଯାଉ । ମନର attachment ଗୁଡ଼ାକୁ ଦବାଇ ନଷ୍ଟ କରିଦେବାର କୌଣସି ମହୌଷଧି କେହି ବାହାର କରି ପାରିନାହାନ୍ତି । ତେଣୁ ସେହି ଅସାର୍ଥକ ପଥରେ ମନ ବଳାଇ ମୁଁ ମୋର ଜୀବନ୍ତ ମଣିଷଟାକୁ ମାରି ଦେବିନାହିଁ । ମୋର ନେତ୍ର କେବଳ ବିଶ୍ୱତୋମୁଖ ହେଉ, ମୋ ମନର ଧୂଳି ଦାଣ୍ଡଧୂଳିରେ ପରିଣତ ହେଉ ।

 

ଏହି ଦୁଇଟା ମାସ ନିବିଷ୍ଟ ଚିତ୍ତରେ ବସି ମୋତେ ଲେଖିବାକୁ ହେବ, ମାତ୍ର ମନଟା ଯେପରି ତଥାପି ସେଥିଲାଗି ପ୍ରସ୍ତୁତ ହୋଇ ପାରୁନାହିଁ । ନାନା କାରଣରୁ କେତେ ପ୍ରକାରର ସନ୍ଦିଗ୍‌ଧତା ମୋ’ ମନର ସ୍ୱାଭାବିକ ଗ୍ରହଣ-ପ୍ରକୃତ୍ତିକୁ ନଷ୍ଟ କରିଦେଇଚି । ଏଥର ଯେକୌଣସି ପ୍ରକାରେ ଆପଣା ପାତ୍ରର ସାନ୍ନିଧ୍ୟକୁ ବାହୁଡ଼ି ଆସିବାକୁ ପଡ଼ିବ । ଅନ୍ତତଃ କେତେଦିନ ସକାଶେ ଅନ୍ୟମନସ୍କତାର ସବୁ ଛିଦ୍ର ବନ୍ଦକରି ସକଳ ସାରକୁ ଧରି ରଖିବାକୁ ହେବ ।

 

୧୬.୨.୧୯୫୦

 

ଆଶ୍ରମର ଧୂଳି ମାଡ଼ିବା ପ୍ରାୟ ଚାରିଦିନ ହୋଇଗଲା, ତଥାପି ମୁଁ ଏପର୍ଯ୍ୟନ୍ତ ଆଶ୍ରମକୁ ନିଜସ୍ୱ କରି ପାରିଲି ନାହିଁ । ହୁଡ଼ା ମନଟା ଦୁର୍ଦ୍ଧର୍ଷ ଶତ୍ରୁପରି କେତେ ଯେ କୁଆଡ଼େ ଲୁଚି ବୁଲୁଚି, ଆପଣାର ବିବେକକୁ ତାହାରି ପଛରେ ଦଉଡ଼ାଇ ଆଜି ବଡ଼ କ୍ଳାନ୍ତ ଲାଗୁଚି । sick soulର ସାଧନା ମୋର ସାଧନା ନୁହେଁ, ତେଣୁ ଆପଣା ମନର ଏହି ରୁଗ୍‌ଣ ଓ ଗ୍ରସ୍ତ ଅବସ୍ଥା ଦେଖି ନିଜ ପ୍ରତି କୃପାଜାତ ହେଉଚି । ବୁଢ଼ା ମନଟାକୁ କେବଳ ଏହିପରି ମଣ କରିବାର ଯଦି ସାରାଜୀବନଟା କଟିଯିବ, ତେବେ ଆପଣାକୁ ଅମୃତର ସନ୍ତାନ ବୋଲାଇ ପାରିବାର ଅଧିକାର ମୁଁ ଆଉ କୋଉଦିନ ପାଇବି ? ସେହି ଶୋଚନା ଆଜି ମୋତେ ମର୍ମନ୍ତୁଦ ଯନ୍ତ୍ରଣା ଦେଉଚି । ଅନେକ ଜାଣି, ଅନେକ ଦେଖି ଓ ଅନେକ ଅନୁଭବ କରି ଯଦି ମୁଁ ତଥାପି ଆପଣା ନୀଡ଼ର ପୂର୍ଣ୍ଣ ପରିସୀମାକୁ କଳି ନ ପାରିଲି, ତେବେ ଆଉ କେତେଦିନ ଯାଏ ଏହି monotony ଭିତରୁ ରସଶୋଷଣ କରିବାର କସରତ କରୁଥିବି ? ଭିତରର ଆତ୍ମାଟି ସତେ ଅବା ଗୋଟିଏ ଅଧଫୁଟା ପଦ୍ମ ପରି ଯାହା ସକାଶେ ସଚକିତ ଓ ସତୃଷ୍ଣ ଭାବରେ ଅନାଇ ରହିଚି, ସେଇ କଣ ନିଜେ ହାତ ଧରି ମୋତେ ତାର ପୁଣ୍ୟାଙ୍ଗକୁ ନେଇଯାଇ ପାରିବନାହିଁ, ମୋର ଆକ୍ରାନ୍ତ ମନରେ ସେ କଣ ଉକ୍ରାନ୍ତି ଆଣିଦେଇ ପାରିବନାହିଁ ? ଏ ମନର ଦୁଃଖ ମୁଁ ଆଉ କାହାକୁ କହିବାକୁ ଯିବି ? ଆଉ କିଏ ସମବ୍ୟଥା ଓ ସମାଜ ବେଦନାରେ ମୋର ଅଭିଳାଷକୁ ବୁଝିପାରିବ ? ସକଳ ପ୍ରାର୍ଥନାର ହେ ଏକମାତ୍ର ପ୍ରଭୁ, ଏଥର ମୋତେ ତୁମେ ଗ୍ରହଣ କର, ତୁମେ ହିଁ ଚଳାଅ, ତୁମେହିଁ ଆପଣା ରଜ୍ଜୁଚାଳନାରେ ମୋତେ ପ୍ରେରିତ କର ।

 

ଆଜିର ଷୋଳ ତାରିଖରୁ ମୁଁ ନାନା ଅସ୍ୱାଭାବିକ ଭାବନାଦ୍ୱାରା ଖାଲି ଅପମାନିତ ହିଁ କରିଚି । ମନର ଏହି ଦୁଃସାହସିକ adultery ଦ୍ୱାରା ମୁଁ ଆଜିର ବ୍ୟଞ୍ଜନାଟିକକୁ ଶ୍ରଦ୍ଧାଞ୍ଜଳି ଦ୍ୱାରା ଗ୍ରହଣ କରି ପାରିନାହିଁ । ସେଥିପାଇଁ ବର୍ତ୍ତମାନ ଦିନଶେଷରେ ମୋର କ୍ଷୁଧାର୍ତ୍ତ ଅନ୍ତରଟା ସତେ ଅବା ଆର୍ତ୍ତନାଦ କରିଉଠୁଚି !

 

୧୭.୨.୧୯୫୦

 

ଦମ୍ପତି ହେବାକୁ ଯାଉଥିବା ବରକନ୍ୟାଙ୍କୁ ମୁଁ କେବେହେଲେ ଦେଖିନାହିଁ । ଅଥଚ ଶିରଭାଇଙ୍କର ବରାଦରେ ଆଜି ଦୁଇଟା ବାହାଘର-ଗୀତ ଲେଖି ପଠାଇବାକୁ ହେଲା । ଏହି କାମଟା ଗତ କେତେଦିନ ହେଲା ମୋ’ଉପରେ ଯେପରି ଗୋଟାଏ ବୋଝ ହୋଇ ଝୁଲୁଥିଲା । ବରାଦ ଦେଲେ ହୁଏତ ଭାଲୁ ନାଚିପାରେ, କିନ୍ତୁ କବିତା ଲେଖିବା ହୁଏନାହିଁ । Bergsonଙ୍କର Supraintellectual Inspiration ବା obligation ହେଉଚି ସବୁ ଯଥାର୍ଥ ସୃଷ୍ଟିର ମୂଳ । ଆପଣାର ସକଳ ଚିତ୍ତ ବୃତ୍ତିକୁ ବଳେ ବଳେ ଏକ ବିରାଟ ସତ୍ତା ମଧ୍ୟରେ ସମର୍ପି ନଦେଲେ ଜାଗ୍ରତ ନିଦ୍ରାର ଏହି ମାନସାବସ୍ଥା ଆଦୌ ସମ୍ଭବ ହୁଏନାହିଁ ।

 

କ୍ଷୁନ୍ନ ହୋଇ ନାନାପ୍ରକାର ଶୋଚନା କରିବାରେ ଆଜି ଅନେକ ସମୟ କଟିଗଲାଣି । ସେତିକି ସମୟ ହୁଏତ ମୁଁ morbid ହୋଇ ଯାଇଥିଲି । ମନଟା ହୁଏତ Paranoia ର ଶିକାର ହୋଇ ପଡ଼ିଥିଲା । ଜାଣୁଚି ଯାହାନେଇ ନାନା କଳ୍ପନା କରି ମୁଁ ମନକୁ ଦୁର୍ବଳ ଓ କ୍ଳାନ୍ତ କରି ପକାଉଚି ତାହା ହେଉଚି କେବଳ ମୋହ, କେବଳ ଗୋଟାଏ ପ୍ରକାରର Physical adoration ତଥାପି ଏଇ ମନଟା ସେଇଆଡ଼େ ହିଁ ଧାଇଁଚି, ଆନନ୍ଦ ନିରର୍ଥକ ଦଉଡ଼ି ସତତ କଷ୍ଟ ପାଇବାରେ ଯେପରି ସେ ଏକ ହିଂସ୍ର ବି ପାଉଚି, ଜୀବନବୃକ୍ଷର ସମସ୍ତ ଚେର ହଠାତ୍ ଛିଡ଼ିଗଲା ପରି ଲାଗୁଚି, ଜୀବନରେ କୌଣସି ଉଚ୍ଚତର ଅଭିଳାଷକୁ ନେଇ ସ୍ୱପ୍ନ ଦେଖିବାକୁ ହଠାତ୍ ଭିତରୁ ଯେପରି ଗୋଟାଏ ଘୃଣା ଜାତ ହେଉଚି । କେଉଁ ଦେବତାର ଖେଳ ଏ, କିଏ ମୋତେ ତଳ ଆଡ଼ୁ ଏପରି ପରୀକ୍ଷା କରି କରି ଆସୁଚି ? ମୋର ଆପଣା ଧ୍ୟାନର ଉଚ୍ଚାକାଙକ୍ଷୀ ଦେବତା ମୋତେ ନିରନ୍ତର ବଳବାନ କରି ରଖୁ ଯେ କୌଣସି ତୋଫାନରେ ମଧ୍ୟ ମୁଁ ଯେପରି କଦାପି ଭାଙ୍ଗି ନପଡ଼େ-!

 

୧୮.୨.୧୯୫୦

 

ସେଇ ପୃଥିବୀ ପୁଣି ତ ଭଲ ଲାଗିଲା, ସେଇ ମଣିଷ ଭଲ ଲାଗିଲେ, ସେଇ ଆପଣାର ଜୀବନକୁ କେନ୍ଦ୍ର କରି ପୁଣି ତ ନାନା ଚିତ୍ରବିଳାସ କରିବାର ପ୍ରେରଣା ବଳେବଳେ ଆସିଲା, ତେବେ ଦୀର୍ଘ ଦୁଇଦିନ କାଳ ମୋରି ଭିତରେ ପରାକ୍ରମୀ ପରି ରହି ମୋତେ ଏପରି କଷ୍ଟ ଦେଉଥିଲା କିଏ ? ସ୍ୱର୍ଗ ଓ ନରକର ବ୍ୟବଧାନ ଠିକ୍ ଖଣ୍ଡାଧାର ପରି ସରୁ । ମୁହୂର୍ତ୍ତେ ବାଉଳା ହୋଇ ପଡ଼ିଲେ ଅନ୍ତରଭରା ସ୍ନେହ ଓ ପ୍ରେମ, ମୋହ ଓ ପ୍ରଲୋଭନର ଦୈତ୍ୟରୂପ ଧରି ମଣିଷକୁ ମ୍ରିୟମାଣ କରିଦିଅନ୍ତି । ମୁଁ କାହାକୁ ଦୋଷ ଦେବି, କାହାକୁ ସଂଯମ ଶିଖାଇବି, କାହାକୁ ମୁଁ ସ୍ଖଳନ ଓ କଳନ ମୁହଁରୁ ବଞ୍ଚାଇ ପାରିବି ? ମୋର ସବୁକୁ ମୁଁ ଭଗବାନଙ୍କ ହାତରେ ସମର୍ପିଦେଉଚି । ଶିଖିବାଲାଗି ଓ ଯୋଗ୍ୟ ହେବାଲାଗି ସେଇ ନିଜେ ମୋତେ ବାଟ ଦେଖାନ୍ତୁ । ଭଲ ମନ୍ଦ ଓ ଲାଭ କ୍ଷତିରେ ମଡ଼ାଇନେଇ ସେଇ ମୋତେ ଦୃଢ଼ତ୍ତର କରନ୍ତୁ । ତାଙ୍କରି ଶ୍ରଦ୍ଧା ରହିଥିଲେ ସିଏ ନିଶ୍ଚୟ ମୋହରି ଜୀବନ ମଧ୍ୟଦେଇ ତାଙ୍କ ଉଦ୍ଦେଶ୍ୟ ପୂର୍ଣ୍ଣ କରିବେ । ତେଣୁ ଆପଣାର ପତନ ଓ ବିସ୍ମରଣଗୁଡ଼ାକ ବିଷୟରେ ଭାବିଭାବି ମୁଁ ଆଉ ଆପଣାକୁ ଏତେବେଶୀ strained କରି ରଖିବିନାହିଁ । ଚିତ୍ତକମଳଟିର ସ୍ୱାଭାବିକ ବିକାଶଲାଗି ମୁଁ ଚିରଦିନ ଅଭିଳାଷ ରଖିଆସିଚି, ସେହି ଅଭିଳାଷ ହିଁ ମୋର ଦୃଷ୍ଟିକୁ ଉନ୍ନତ କରି ରଖୁ । ମୋର Intention ମୋତେ ପଥ ଦେଖାଇନେଉ ।

 

ଗତିଶୀଳ ଜୀବନକୁ ସ୍ଥିତିଦୁଷ୍ଟ କରିଦେବା ହେଉଚି ସାଧାରଣତଃ ବୁଦ୍ଧିର ସ୍ୱଭାବ—ଏହି Bergsonଙ୍କର ମତ । କେବଳ ବୁଦ୍ଧି ଜୀବନକୁ ପ୍ରାଣହୀନ କରିଦିଏ ଜୀବନର ସ୍ୱାଭାବିକ ଗତିଶୀଳତାକୁ ନଷ୍ଟ କରିଦିଏ । ଏଯୁଗ ହେଉଚି ବଡ଼ ଅତିରିକ୍ତ ଭାବରେ କେବଳ ବୁଦ୍ଧିର ଯୁଗ, ସେଥିଲାଗି Hamlet ର ମନ ହିଁ ଆଜି ପ୍ରାୟ ଅଧିକାଂଶ ମଣିଷଙ୍କର ପରିଚୟ !

 

୧୯.୨.୧୯୫୦

 

Amiel ଙ୍କ ‘Journals’ ସମ୍ବନ୍ଧରେ କେତେଦିନ ତଳେ ଗୋଟାଏ ସମାଲୋଚନା ପଢ଼ିଥିଲି । ଆପଣାର ଜୀବନକୁ ଶିରାଶିରା କରି ଦେଖି, ଆପଣାର ଭାବନା ଓ ଶୋଚନାକୁ ନାନା ଭାବନା ଓ ଶୋଚନାଦ୍ୱାରା ଅତି ଭାରାକ୍ରାନ୍ତ କରି Amiel ଆପଣାର ଗ୍ରନ୍ଥଟିକୁ ବଡ଼ ଭୟଙ୍କର ଓ ଅପ୍ରୀତିକର କରି ପକାଇଚନ୍ତି ବୋଲି ସମାଲୋଚନାରେ କୁହାଯାଇଚି । ସେହି ଦୃଷ୍ଟିରୁ ଆଗକୁ ବିଚାର କଲେ ହୁଏତ କହିବାକୁ ପଡ଼ିବ ଯେ ଶ୍ରୀଯୁକ୍ତ ଆମିଏଲ ଆପଣା ସମ୍ବନ୍ଧରେ ଭାବିଭାବି ପ୍ରାୟ morbid ହୋଇ ଯାଇଥିଲେ ଏବଂ ସେହି କାରଣରୁ ତାଙ୍କଲାଗି ଜୀବନର ରସ ସୁଦୂର ପରାହତ ହୋଇ ରହିଥିଲା । ମୁଁ ବି ପ୍ରତ୍ୟେକ କଥାରେ ଓ ପଦେପଦେ ଆପଣା ବିଷୟରେ ଭାବୁଚି ଆପଣାକୁ ବିଶ୍ୱ-ଆଲୋକର ସମ୍ମୁଖରେ ଧରି ରଖି ମୁଁ ପଳେପଳେ ଆପଣାକୁ ପରୀକ୍ଷା କରି ଦେଖୁଚି । ଏହି ପ୍ରବୃତ୍ତିଟା ମୋତେ ବି morbid କରି ଦେଉନାହିଁ ତ ? ଆପଣା ଜୀବନକୁ କେନ୍ଦ୍ର କରି ସଚେତ ହୋଇ ଭାବିବା ସ୍ୱତଃ ଭଲ ନୁହେଁ କି ମନ୍ଦ ନୁହେଁ । ସବୁକଥାରେ ମଧ୍ୟ ନିଜର Intention ଟା ହେଉଚି ବଡ଼ ଜିନିଷ । ତେଣୁ ମୋର Intention ଦ୍ୱାରା ହିଁ ମୋ’ ଚିନ୍ତାବୃତ୍ତିର ଗୁଣନିର୍ଦ୍ଧାରଣ କରିବାକୁ ହେବ ।

 

ମୁଁ ଅନେକ ଦିନରୁ ଭାବି ଆସିଚି । ଅନେକ ସମୟରେ ପଛକୁ ଅନାଇ ଅତିକ୍ରାନ୍ତ ପଥର ସ୍ଥିର ସମୀକ୍ଷା କରିବାରେ ମୁଁ ବେଶ୍‌ଆନନ୍ଦ ଓ ଉତ୍ସାହ ମଧ୍ୟ ପାଇଚି । ବଞ୍ଚିବା ବିଷୟରେ ଭାବିବା ସଙ୍ଗେସଙ୍ଗେ ମୁଁ ବଞ୍ଚିଚି । ବଞ୍ଚିବା ବନ୍ଦ କରି ମଣିଷ କଦାପି ବଞ୍ଚିବା ବିଷୟରେ ଭାବିବାଲାଗି ଅଟକି ରହି ପାରିବନାହିଁ । ତେଣୁ ମୋର ସକଳ ଭାବିବାର ସମୃଦ୍ଧ ଅଭିଜ୍ଞତାକୁ ପଣ୍ୟ କରି ମୁଁ ବଞ୍ଚିବାର ବଣିଜ କରି ଚାଲିଚି, ମୋର ଜୀବନ ନିତ୍ୟନିତ୍ୟ ନୂତନରୁ ନୂତନତର ନେତ୍ରପାତ୍ରରେ ବିକଶି ଚାଲିଚି-। ଜୀବନରେ କେନ୍ଦ୍ରାନୁସାରିଣୀ ଶକ୍ତିକୁ ଅଧିକରୁ ଅଧିକ ସଂଗ୍ରହ କରି ମୁଁ ସକଳ Mobidity କୁ ଜୟ କରିବି ।

 

୨୦.୨.୧୯୫୦

 

ଠିକ୍ ମାସକ ପୂର୍ବରୁ ଓଡ଼ିଶା ବୁଲିବାର ନାନା କଳ୍ପନାରେ ମନ ଉତ୍‌ଫୁଲ୍ଲ ହୋଇ ଉଠୁଥିଲା । ଆଉ ଆଜି କ୍ଳାନ୍ତ ମନଟାର ସକଳ ମୁହୂର୍ତ୍ତ ଯେପରି କେବଳ ଦୁର୍ବଳ ଓ ବିରକ୍ତିକର ହୋଇ ପଡ଼ିରହିଚି । ମୋର ଅତି ପ୍ରିୟଜନ କିଏ ଯେପରି ହୃଦୟର ଅତି ସନ୍ନିଧାନରେ ପଡ଼ିଥିବା ବାଟ ଦେଇ ଚାଲିଯାଉଚି, କେବଳ ଏକ ନିଷ୍ପ୍ରଭ ମନରେ ମୁଁ ତାହାକୁ ଅନାଇ ରହିଚି । ମୋହରି ଅଧର ପାରୁଶରେ ସେପରି କେଉଁ ରସପାତ୍ର ପ୍ରସ୍ତୁତ ହୋଇ ରହିଚି, ଅଥଚ ମୁଁ ସେହି ରସସ୍ପର୍ଶରୁ ବଞ୍ଚିତ ହୋଇ ରହିଚି । ମନର ଏହି ପ୍ରକୃତିଟା ଯେ ମୋତେ କେବେ ଛାଡ଼ିକରି ଯିବ ମୁଁ ମୋଟେ ଜାଣି ପାରୁନାହିଁ । ଆଜି ସଂସାରରେ ନାନା ରଙ୍ଗର ମହୋତ୍ସବ ଚାଲିଚି, ମୋ’ ଦୁଆରେ ସେହି ଉତ୍ସବର କେତେ ଆହ୍ୱାନ ବାଜିବାଜି ଚାଲିଯାଉଚି, ଅଥଚ ମୁଁ ଶୀତଳ ହୋଇ ପଡ଼ିରହିଚି । ଆନନ୍ଦର ସ୍ପର୍ଶାବେଗରେ ଫାଟି ପଡ଼ିବାର ଅନ୍ତରକୁ ମୁଁ କେଉଁଠି ଛାଡ଼ିଆସିଚି କେଜାଣି, ଆନନ୍ଦମୟୀ ମାନସଶିଶୁଟିକୁ ଜୀଆଇ ରଖିବାର କୌଣସି ମନ୍ତ୍ର ମୋତେ ଜୁଟୁନାହିଁ । ଜାଣେନା, ମୋର ଏହିପରି କେତେ ସକାଳ ଓ କେତେ ସନ୍ଧ୍ୟା ବିଫଳ ଯିବ ! ଜାଣେନା, ପ୍ରାୟଶ୍ଚିତ୍ତର ବେଳ କେବେ ଆସିବ ।

 

ବିଶ୍ୱସାଧନାର ଯୋଜନସୂତ୍ରରେ ମୁଁ ହୁଏତ ଆପଣାର ସୂତ୍ରଟିକୁ ଗଅଁଠାଇ ପାରୁନାହିଁ, କିନ୍ତୁ ହୃଦୟ ଭିତରେ ତଥାପି କେଉଁ ତାପସକନ୍ୟା ସକଳ ପୂଜାର କାରୁଣ୍ୟ—ନୈବେଦ୍ୟ ଧରି ସତତ ଅପେକ୍ଷା କରି ରହିଚି । ମୁଁ ସବୁକଥା ଠିକ୍ ଅନୁଭବ କରିପାରୁଚି । ହେ ମୋର ସର୍ବସ୍ୱ,—ଗ୍ରହଣର ରାଜା ଯେ କୌଣସି ତ୍ରୁଟି ଦେଖାଇ ତୁମେ ମୋର ଯାହାକିଛି ଉପେକ୍ଷିତ ରଖି ଚାଲିଯାଅ ପଛକେ ସେହି ବ୍ରତରତା ସ୍ମାତିକାପ୍ରତି ଆପଣା ସ୍ନେହଦୃଷ୍ଟିକୁ ତୁମେ କଦାପି ବାରଣ କରି ରଖନାହିଁ । କାରଣ ସେଇ ହେଉଚି ମୋର ଶ୍ରେଷ୍ଠ ରୂପ, ମୋର ମନଲାଖି ରୂପ । ଲକ୍ଷ କୃତ୍ରିମତାର ବିସ୍ମରଣ ଭିତରେ ତାହାହିଁ ମୋର ଶ୍ରେଷ୍ଠ କାହାଣୀ । ତାହାରିଲାଗି ତୁମେ ଆପଣାର ଉଦାର ହସ୍ତକୁ ପ୍ରସାରିତ କରିଦିଅ ।

 

୨୧.୨.୧୯୫୦

 

ପାଞ୍ଚଜଣଙ୍କର ଖ୍ୟାତି ଶୁଣି, କାଗଜ ଉପରେ ଛପା ହୋଇଥିବା ପାଞ୍ଚ ଜଣଙ୍କର ନାମ ଦେଖି ବେଳେବେଳେ ମୁଁ ଭାରି ବ୍ୟଗ୍ର ହୋଇପଡ଼ି ଭାବୁଚି, ମୁଁ ବି ଏମାନଙ୍କ ପରି ଲେଖିବି କିନ୍ତୁ ଏହି ବ୍ୟଗ୍ରତା ଯେତିକି ଚଞ୍ଚଳ ମନର ବାସନାକୁ ଆସି ଦଗ୍‌ଧ କରୁଚି, ପର ମୁହୂର୍ତ୍ତରେ ଠିକ୍ ସେତିକି ଚଞ୍ଚଳ ଅନ୍ତରର ଦାନପାତ୍ରରେ ଘୋଡ଼ଣି ବି ପଡ଼ିଯାଉଚି । ଭିତରୁ କୌଣସି ପ୍ରକାର ଦାକ୍ଷିଣ୍ୟର ସୂଚନା ନପାଇ ମୁଁ ବଳେ ବଳେ ଦବିଯାଉଚି । କେବଳ ବ୍ୟଗ୍ରତାଟା ହିଁ ସାର ହେଉଚି ।

 

ମୁଁ ବର୍ତ୍ତମାନ ଭାବୁଚି, ଭଗବାନଙ୍କ ତଲାସରେ ଯେପରି ଭକ୍ତର ତନୁମନ ସକଳ ପ୍ରକାରେ ଉଚ୍ଛନ୍ନ ହୋଇ ଉଠୁଥିବ, ପ୍ରକାଶ କରିବାର ପ୍ରକୃତ ବେଳ ଆସିଲେ ଲେଖକ ମଧ୍ୟ ସେହିପରି ଉଚ୍ଛନ୍ନ ହୋଇ ଉଠୁଥିବ । ମୋତେ ଏଥର ଆପଣାର କଥା କହିବାକୁ ହେବ, ଏପର୍ଯ୍ୟନ୍ତ ତ ମନଭିତରୁ ଏହି ପ୍ରେରଣା ଥରେହେଲେ ପାଇନାହିଁ ! ବାରଜଣଙ୍କର ଲେଖା ପଢ଼ି ବେଳେବେଳେ ମୁଁ ମନକୁମନ ହସେ, ଭାବେ ସେମାନେ ହୁଏତ ଏହା ନଲେଖିଲେ ମଧ୍ୟ ଚଳିଥାନ୍ତା । ମୁଁ ଯାହା ଲେଖିବାକୁ ଯିବି, ଯଦି ତାହାକୁ ନଲେଖିଲେ ମଧ୍ୟ ଚଳିବ, ତେବେ ଖାଲି ଛାପା ଅକ୍ଷରଗୁଡ଼ାକ ଦେଖି ମୁଁ ଚିତ୍ତବିଳାସ କରିବାରେ ବାଇ ହେବି କାହିଁକି ? ମୁଁ ବୁଝିପାରେ ନାହିଁ ମୋ’ ଚିତ୍ତର ଅସଲ ଧର୍ମ କଣ । ଦଶଜଣଙ୍କ ଲାଗି ଯୋଗ୍ୟ କରି କିଛି ବିତରଣ କଲାବେଳେ ମୁଁ ସତେଅବା ଭକ୍ତିରେ ଜଡ଼ସଡ଼ ହୋଇଯାଏ ଓ ସେହି ଭକ୍ତି ଅନେକ ସମୟରେ ମନର ଦୁର୍ବଳତା ପରି ଲାଗେ । ହୁଏତ ମୋର ଅବଶ୍ୟ କହିବାର ସମୟ ଅଛିରେ ଆସିବ, ହୁଏତ ବେଳ ଜାଣି ସେହି ଡାକ ଆସିବ, ମୋହରି ମନଭିତରେ ଅଜ୍ଞାତରେ ସଜଡ଼ା ହେଉଥିବା ଟେକ୍‌ନିକ୍‌ ଓ ମନ ଭଙ୍ଗୀ ଦିନେ ନିଜସ୍ୱ ରୂପରେ ନିଶ୍ଚୟ ପ୍ରକାଶିତ ହୋଇ ଉଠିବ ।

 

୨୨.୨.୧୯୫୦

 

ଚଳନ୍ତି ଜୀବନର ହେ କରୁଣାମୟ ବିଧାତା, ଆପଣା ହୃଦୟର ଦାହକୁ ଚେଷ୍ଟା କରି ଭାଷା ଦେବା ପୂର୍ବରୁ ମୁଁ କେବଳ ତୁମକୁ ହିଁ ପ୍ରଣାମ କରୁଚି । ତୁମେ ହିଁ ସେହି ପ୍ରଣାମର ନିଷ୍ଠାକୁ ଯଥାର୍ଥରେ ଗ୍ରହଣ କରିପାରିବ । ଆଜି ସକାଳୁ ସାରାଦିନ ମେଘ ଘୋଡ଼ାଇ ରହିଥିଲା । ବର୍ତ୍ତମାନ ମନ ଭିତରେ ସେହି ମେଘର ଛାଇଗୁଡ଼ାକ ମତେ ଆଚ୍ଛାଦିତ କରି ରହିଚି । ମାତ୍ର ମେଘର ଓ ଗୋଟିଏ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ରହିଚି, ତା’ର ଏକ ସ୍ୱକୀୟ ପ୍ରଭା ଓ ପ୍ରସନ୍ନତା ମଧ୍ୟ ରହିଚି । କିନ୍ତୁ ଅନ୍ତର-ମେଘରେ ସେହି ସୌନ୍ଦର୍ଯ୍ୟ କାହିଁ ? କେବଳ ବୋଝ, କେବଳ ରୋଦନ ଓ ରୁଗ୍‌ଣ ମନରେ ଭର୍ତ୍ତି ହୋଇଥିବା ଗୋଟାଏ ବିରାଟ ଶୋଚନାର ପର୍ବତ ! ମୋତେ ଭିତରେ ଭିତରେ ଦଗ୍‌ଧ କରି ସେହି ପାଷଣତଳର ନିଆଁ ଜୀବନରେ ଯେପରି ଏକ ଭୟାବହ ଅଗ୍ନ୍ୟୁତ୍ପାତ କରିବାଲାଗି ତିଆରି ହେଉଚି । ବିବେକର ଦଉଡ଼ି ଆଉ ପାଉନାହିଁ, ସକଳ ଶିକ୍ଷାର ଶାସନରଜ୍ଜୁ ହରାଇ ବସିଥିଲା ପରି ଲାଗୁଚି । କେବଳ ତୁମରି ଶରଣ ବ୍ୟତୀତ ମୋର ଆଉ ଅନ୍ୟ ଗତି ନାହିଁ । ନାନା Gloss ଭିତରେ ପଡ଼ି ମୁଁ ତୁମ ବାଟରୁ କେତେ ଦୂରକୁ ହୁଡ଼ିଆସିଚି । ତୁମେ ଆପେ କରୁଣା କରି ମୋତେ ସେହି ବାଟକୁ ଫେରାଇ ନେଇଯାଅ । ତୁମେ ପୁଣି ଚେତାଇ ରଖ ଏହି ଜୀବନର ସକଳ ଆବେଗକୁ-। ସକଳ ଜାଣିବାର ମରୁଭୂମି ପାରିହୋଇ ଆପଣାର ଶୂନ୍ୟତାହିଁ ଆଜି ମୋତେ ଦଗ୍‌ଧ କରି ପକାଉଚି । ଜାଣିବାକୁ ଆଉ ଧୈର୍ଯ୍ୟ ନାହିଁ, ଜାଣିବା ଜାଲର ଖିଅ ସଜାଡ଼ି ପୁଣି ଧୀବରବୃତ୍ତି କରିବାର ଦୁରାଶା କରିବାକୁ ମଧ୍ୟ ଆଉ ମୋର ବଳ ନାହିଁ । ତାରା ଭରା ଏହି ଆକାଶ କହୁଚି, ତୁମରିଠାରେ ଶରଣ ଗଲେ ହିଁ ମୁଁ ମୋର ଜାତି ଜନ୍ମ ଫେରି ପାଇବି ।

 

ସଂସାରରେ ମୁଁ ନାନା ପାଶରେ ନାନାଭାବେ ଜଡ଼ିତ ହୋଇ ରହିଚି । ଦିନେ ଅତି ଆନନ୍ଦରେ ଯାଇଥିଲି ନିଃସଙ୍କୋଚ ହୋଇ ସବୁ ସ୍ତରରେ ପ୍ରବେଶ କରିବାକୁ । ତୁମ ଆଲୋକରୁ ଅନ୍ତତଃ କଣାଏ ସଞ୍ଚୟ କରି ଧରିରଖି ପାରିଚି ବୋଲି ସେଦିନ ଭାରି ସାହସ ଥିଲା । କିନ୍ତୁ ଆଜି ଦେଖୁଚି ଏଇ କେବଳ ମୋହ ଛଡ଼ା ଆଉ କିଛି ନୁହେଁ । ଅନ୍ତସ୍କରଣର ନାନା ପ୍ରଲୋଭନ ବୃତ୍ତିକୁ ଡେଣା ମେଲିବା ଲାଗି ମୁଁ ତୁମରି ଆଦେଶ ପାଇଥିବାର ଛଳନା କରିଚି, ଆପଣା ସ୍ୱର୍ଥଲାଳସାରେ ବିଶ୍ୱଜୀବନକୁ ଛାରଖାର କରିବାଲାଗି ମୁଁ ଅନେକ ସମୟରେ ତୁମରି ବାର୍ତ୍ତା ବହନ କରୁଥିବାର ଅଭିନୟ କରିଚି । କିନ୍ତୁ ଏଣେ ଆପଣା ଭିତରେ ବସିଥିବା ଦେବତା ମୋତେ ଇଏ କି ଛଳନା କରି ନ ଯାଉଚି । ଜଗତରେ ସାଧୁ, ଶିକ୍ଷିତ ଓ ସ୍ନେହଯୋଗ୍ୟ ବନି ପାରୁଚି ବୋଲି ବାହାର ମନରେ ମୁଁ ଯେତିକି ଫୁଲିଚି, ଭିତରର ଦେବତା ତଳେତଳେ ରହି ମୋର ସମସ୍ତ ଜୀବନଟାକୁ କେବଳ ଶୂନ୍ୟରେ ହିଁ ପରିଣତ କରିବାର ପ୍ରତିଶୋଧ ସାଧି ଚାଲିଚି । ମୁଁ ଆପଣାକୁ ଠକିଚି । ତୁମକୁ ଠକି ମୁଁ ସକଳ ସୁଖରୁ ବଞ୍ଚିତ ହୋଇଚି ।

 

ଜଗତରେ ଯିଏ ଯାହା କରୁଥାଉ ପଛକେ ମୋର ସେସବୁ କଥାର ହିସାବ କରିବସିବା ଆଦୌ ଦରକାର ନାହିଁ । ଅନ୍ତରର ଗଭୀର ତଳୁ ମୁଁ ତୁମକୁ ଆଜି ଜଣାଇ ରଖୁଚି; କିଛି ହେବାରେ ମୋର ଅଭିଳାଷ କଦାପି ପୂର୍ଣ୍ଣ ହେବନାହିଁ;—ମୁଁ କେବଳ ତୁମରି ଉନ୍ନତ ଆସନ ଉଦ୍ଦେଶ୍ୟରେ ମୋର ନୟନ ମଧ୍ୟ ସତତ ଉନ୍ନତ ହୋଇ ରହିବ । ତୁମେ ମୋତେ ସକଳପ୍ରକାର ଆଘାତ ଦେଇ କେବଳ ତୁମରି କରିନିଅ । ମୁଁ ଯଦି କେବେ ଫାଙ୍କି ଦେଇ ନାନା ମୋହାଡ଼ମ୍ବର ମଧ୍ୟରେ ଅଟକି ରହିବାକୁ ଭଲ ପାଉଚି ତେବେ ତୁମେ ତାକୁ କେବେହେଲେ ଗ୍ରହଣ କରନାହିଁ । କାରଣ ସେ ମୁଁ ନୁହେଁ, ମୋତେ ମାରିବା ଉଦ୍ଦେଶ୍ୟରେ ଏକ ଭଣ୍ଡ ଅଭିନେତା ଖାଲି ଖାଲି ସମୟ ଗଡ଼ାଇ ଦେବାକୁ ବସିଚି । ତାହାରି କବଳରୁ ବର୍ତ୍ତିପାରିବାକୁ ତୁମେ ମୋତେ ଶକ୍ତି ଦିଅ, ତୁମରି ଦୃଷ୍ଟିରେ ମୋର ସକଳ ଦୃଷ୍ଟିକୁ ବିଧୌତ ଓ ବିଶୁଦ୍ଧ କର । ମୋର ସମସ୍ତ ଧ୍ୟାନ ଓ ସମସ୍ତ ତପସ୍ୟାର ବିନିମୟରେ ମୁଁ ଖାଲି ତୁମରି ଶରଣ ଚାହେଁ । ସେହି ଅମୂଲ୍ୟ ଆଶ୍ରୟରୁ ବଞ୍ଚିତ କରି ତୁମେ ଆଉ ମୋତେ ବିରାଟ ବିଶ୍ୱସମ୍ପଦରୁ ବାରିତ କରି ରଖନାହିଁ ।

 

୨୩.୨.୧୯୫୦

 

କି ଭୟଙ୍କର ମନ ନେଇ ଯେ କାଲି ମୁଁ ଦୈନିକ ଲିପି ଲେଖିଥିଲି, ତାହା ଭାବିଲାବେଳକୁ ମଧ୍ୟ ଆଜି ଭୟ ଲାଗୁଚି । କାଲିରାତିର ନିଘୋଡ଼ ନିଦପରେ ସକାଳକୁ ମନ ଭାରି ପ୍ରସନ୍ନ ହୋଇ ଯାଇଥିଲା । ଗତ ରାତିର କୌଣସି ଆଘାତର ବି ଚିହ୍ନ ନଥିଲା । କାଲି ଯେଉଁଟା ଜୀବନର ଅତି ବଡ଼ ବାଧାପରି ମନେହୋଇ ମୋତେ ତ୍ରସ୍ତ ଓ ସନ୍ତାପିତ କରି ରଖିଥିଲା ଆଜି ସତେଅବା କେଉଁ ଦେବତାର ସୁପ୍ରସନ୍ନ ଆଶୀର୍ବାଦ ଫଳରେ ସେହି ବାଧା ଏକାବେଳେ କୁଆଡ଼େ ମିଳାଇ ଗଲାପରି ଲାଗୁଚି । ଭିତରେ ଅନେକ ଶକ୍ତି ରହିଚି, ନାନା ଅନାଗତ ଆଶଙ୍କାରେ ଶଙ୍କିତ ହୋଇ ରହିବାର ରୋଗଟା ମୋର ସମ୍ପୂର୍ଣ୍ଣ ଅପରିଚିତ ବୋଲି ମନେହେଉଚି । ଦୁଃଖ ସନ୍ତାପ ଆଉ ଦହନ ବୋଧହୁଏ ଚିରଦିନ ଠିକ୍ ଏହିପରି ଆସେ । Our sorrows wed ourselves to God !—Goetheଙ୍କର ଏହି ଉକ୍ତିଟି ଯଥାର୍ଥରେ ସତ । କେବଳ ଅନୁଭୂତି ଦ୍ୱାରାହିଁ ତାହାର ମୂଲ୍ୟ ଓ ମର୍ମକୁ ବୁଝିବା ସମ୍ଭବ ହୁଏ । ଆଜିର ପ୍ରଶାନ୍ତ ଓ ପ୍ରସନ୍ନ ମନର ତରାଜୁରେ ପଡ଼ି କାଲିର ସକଳ ଦୁଃଖ ଯେପରି ମୋ’ଲାଗି ବହୁ ମୂଲ୍ୟବାନ୍ ହୋଇପଡ଼ିଚି ।

 

ଦିନସାରା ଶୀତଳ ପବନ ବହିଚାଲିଚି । ତାହାରି ମଧ୍ୟରେ ପ୍ରକୃତିର ଶିବରୂପକୁ ମୁଁ ସତେଅବା ସ୍ପର୍ଶେ ସ୍ପର୍ଶେ ଅନୁଭବ କରିପାରୁଚି । ଆପଣା ମନର ଖେଦଦ୍ୱାରା କାଲି ମୁଁ ଏହି ପ୍ରକୃତିକୁ ଆପଣାର କରି ଧରି ରଖି ପାରିଲି ନାହିଁ । ସେଥିଲାଗି ଆଜି ଏହି ପବନର ଆକର୍ଷଣ ମୋ’ଲାଗି ଦୁଇଗୁଣ ବଢ଼ିଯାଇଚି ।

 

୨୪.୨.୧୯୫୦

 

ଏଇ ମନଟା ଭିତରେ ରାକ୍ଷସ ଲୁଚିରହିଚି । ଆପଣା ଦୈନ୍ୟର ଦାରୁଣ ଯାତନାରେ ସନ୍ତପ୍ତ ହୋଇ ମୁଁ ଯେତେବେଳେ ଦେବତାର ଆଶୀଷପଥରେ କୁହେଳି ସୃଷ୍ଟି କରି ପକାଉଚି, ସେତେବେଳେ ମୁଁ ସ୍ୱତଃ ରାକ୍ଷସର ଶିକାର ବନିଯାଉଚି । କୌଣସି ପ୍ରକାରର ସତର୍କବାଣୀ କୌଣସି କାମ ଦେଇ ପାରୁନାହିଁ । କେବଳ ଆପଣାର ଲଞ୍ଛିତ ଓ ପୀଡ଼ିତ ବ୍ୟକ୍ତିତ୍ୱ ଉପରେ ହିଁ ଦୟା ଆସୁଚି । ଆପଣା ପାଖରେ ଆପଣାର ସମ୍ମାନ ନଷ୍ଟ କରି ତଥାପି ମୁଁ ଯେ କିପରି ସମାହିତ ମନରେ ରହିପାରିବି, ମୁଁ ତାହା ଆଦୌ ବୁଝି ପାରୁନାହିଁ । ଅତି ଅନିଚ୍ଛା ସହକାରେ ଏହି ଖାତାରେ ଆପଣାର କର୍ତ୍ତବ୍ୟ କରିବାକୁ ହେଉଚି । ହଜାର ପ୍ରକାରେ ପ୍ରବୋଧ ଦେଇ ମଧ୍ୟ ମୁଁ ଆଜି ମୋର ମୁଖ ଉପରେ ସ୍ୱାଭାବିକ କର୍ମତତ୍ପରତାର ହସକୁ ଫୁଟାଇ ପାରିନାହିଁ । ସବୁ ଥାନ ଓ ସବୁ ଭାବନା କେବଳ ବିରକ୍ତିକର ଲାଗୁଚି । ପୁଣି ଏଣେ ନିର୍ଦ୍ଦିଷ୍ଟ ସମୟ ଭିତରେ ଗୋଟାଏ ପ୍ରବନ୍ଧ ଲେଖିକରି ଦେବାର ବରାଦ ବି ମୁଣ୍ଡଉପରେ ରହିଚି । ସେଥିପାଇଁ ମନ ଓ ଇନ୍ଦ୍ରିୟକୁ ଜୋର କରି ବାନ୍ଧି ବସିବାଲାଗି ପ୍ରାୟ ତିନିଦିନ ହେବ ଚେଷ୍ଟା କରୁଚି, କିନ୍ତୁ ତଥାପି ପାରୁନାହିଁ ।

 

ହୁଏତ କାଲିକୁ ମୁଁ ସବୁ ଭୁଲିଯିବି । କାଲିର ସୂର୍ଯ୍ୟୋଦୟ ହୁଏତ ମୋ’ଭିତରେ ନୂତନ କରି ବଞ୍ଚିବାର ବାସନା ଭରି ଦେଇଯିବ । ତଥାପି ଏହି ଅସ୍ଥାୟୀ ଶୋକ ଓ ଉଦାସଭାବ ମନର ଗଣ୍ଠିଗୁଡ଼ାକୁ ଆଜି ଏପରି ଟାଣିକରି ଧରିଚି ଯେ ସତେ ଯେପରି ପବନ ଯିବାକୁ ମଧ୍ୟ ବାଟ ନାହିଁ । ଆଗରୁ ମୁଁ କେବେହେଲେ ଏତେ strain ଅନୁଭବ କରିନଥିଲି । ମାନସ -ଅଧିଷ୍ଠାତାର ସିଂହାସନ ପାଖରୁ କିଏ ଯେପରି ମୋର ମନକୁ ଜବରଦସ୍ତି ହୁଡ଼ାଇ ନେଉଚି । ଜାଣେନା କାହାକୁ ଅପ୍ରସନ୍ନ କରି ମୁଁ ତାହାର ଅଭିଶାପ ପାଇଚି । ଗତ କେତେଟା ଦିନ ମୋର ଯେ କି ହୀନ ଓ ଶୋଚନୀୟ ଭାବରେ କଟିଲା ମୋର ଦେବତା କଣ ସେକଥା ବୁଝିବନାହିଁ ?

 

୨୫.୨.୧୯୫୦

 

ପ୍ରଭୁଙ୍କ ପାଖରେ ହୁଏତ ମୋର ଜବାବଦେହୀ ଚାଲିଚି, ସେଥିଲାଗି ପାପୀ ମନଟା ଆପଣାର କଳୁଷଗୁଡ଼ାକୁ ଲୁଚାଇ ରଖିବାପାଇଁ ଆପଣା ହିଂସ୍ରତାରେ ସମସ୍ତ ମନଟାକୁ ଏପରି ଚଞ୍ଚଳ କରି ରଖିଚି । ନାନା ପରିଚ୍ଛଦର ଅନ୍ତରାଳରେ ଏତେଦିନ ହୁଏତ ମୁଁ ଯାହା କରି ଆସୁଥିଲି ଆଜି ସେସବୁ ରାଜରାଜେଶ୍ୱରର ଦରବାରରେ ଧରା ପଡ଼ିଯାଇଚି । ସେଥିପାଇଁ ମନର ରାକ୍ଷସ ଏପରି ବ୍ୟତିବ୍ୟସ୍ତ ହୋଇ ପଡ଼ିଲାଣି । ତେଣୁ ଆପଣାର ଆଘାତରେ ମୁଁ ଏତେଦୂର ଆହତ ହୋଇ ପଡ଼ିଚି-। ନାନା ବିଚିତ୍ର ଇଙ୍ଗିତାଭାସରେ ଭାଗ୍ୟବିଧାତା ଆପଣାକୁ ଅନୁଭୂତ କରାଇ ଦେଇଯାଏ । ମୁଁ ଯଦି ପ୍ରକୃତରେ ସେହି ଅନୁଭୂତି—ସମ୍ପଦକୁ ଲାଭ କରିପାରିଚି ତେବେ ସେଥିପାଇଁ ଦେହ ଓ ମନରେ ମୁଁ ଯେତେ କ୍ଷତି ସହିଥିଲେ ମଧ୍ୟ ମୋର କୌଣସି ଦୁଃଖ ନାହିଁ । ତାହାରି ଆଘାତରେ କ୍ଷତକୁ ପୁଣି ସେ ଆପଣାର ଦକ୍ଷିଣ ହାତରେ ପରିପୂର୍ଣ୍ଣ କରିଦେବ । ଅବାଟକୁ ଉଛୁଳି ପଡ଼ିଥିବା ଝରଣାର ଧାରାଟି ଆପେ ଆପେ ପୁଣି ତାହାରି ପାଦତଳକୁ ଫେରିଆସିବ । ହେ ଦେବତା ! ଆହୁରି ଆଘାତ ଦେଇ ତୁମେ ନିଜକୁ ଆହୁରି ସ୍ପଷ୍ଟଭାବରେ ପ୍ରତିଭାତ କର । ଜୀବନ କେବଳ ତୁମକୁ ଚାହେ । ତୁମେ ନିଜେ ଆସି ତା’ର ସକଳ ଆବରଣ ଭାଙ୍ଗି ଦେଇଯାଅ । ଜନସମାଜରେ ଆପଣାର ଗୌରବ ବଢ଼ାଇବାର ମତଲବରେ ଯେତିକି ମୁଁ ପୁଞ୍ଜୀ କରି ସାଇତି ରଖିଚି, ତୁମେ ସେସବୁ ଦଖଲ କରି ନେଇଯାଅ-। ଶଙ୍କିତ ନୟନର କମ୍ପିତ ଅଶ୍ରୂଜଳ ତଳେ ମୁଁ ହସି ହସି ସ୍ୱାଗତ ଜଣାଉଚି ।

 

୨୬.୨.୧୯୫୦

 

ଠିକ୍ ମନେଅଛି, ମୁଁ ମାସକ ତଳେ ମାଣିଆବନ୍ଧ ଗାଆଁରେ ଗଣତନ୍ତ୍ର ଦିବସ ଯାପନ କରିଥିଲି । କେଉଁ ସହରବଜାରରେ ଅବା ସେଦିନ କଳସ ବସିଥିବ କି ଦୀପ ଜଳିଥିବ, ଓଡ଼ିଶାର ଏଡ଼େବଡ଼ ଗୋଟାଏ ଗାଆଁରେ ସେଦିନ ମୁଁ ସ୍ୱାଧୀନତା-ଲାଭର କୌଣସି ନିଦର୍ଶନ ଦେଖିନଥିଲେ । ସମାଜର ଆମୋଦ ସକାଶେ ଯିଏ ଚିରଦିନ ପଣ୍ୟ ଯୋଗାଇ ଦେଉଥିଲା ତାହାର ନିଦ ଆଜିବି ଭାଙ୍ଗିନାହିଁ । ନୂଆ ଯନ୍ତ୍ର ନୂଆ ରକମର ଗାଡ଼ୀ ଓ ନୂଆ ରକମର କାରଖାନା ବସାଇବାରେ ଆଜି ସରକାରଘରେ ସମସ୍ତେ ଦଉଡ଼ଧାପଡ଼ କରୁଚନ୍ତି । କିନ୍ତୁ ଦେଶର ଇତିହାସରେ ଏଡ଼େବଡ଼ ଘଟଣାଟିଏ ଘଟିଯିବା ପରେ ସମଗ୍ର ଜନଗଣର ମାଦଳ ମନକୁ ଗଢ଼ିବ କିଏ ? ଆଜି ଏ ବିବେକାନନ୍ଦଙ୍କର ଦଳ କେଉଁଠୁ ଆସିବେ ? ସନ୍ନ୍ୟାସୀର ଓଁ କାର-ସଙ୍ଗୀତ ଉଚ୍ଚାରଣ କରି କିଏ ଏହି ମଣିଷକୁଢ଼ ମଧ୍ୟକୁ ବ୍ରହ୍ମନିରୂପଣ କରିବାକୁ ଯାଇପାରିବ ?

 

ମୁଁ ଅନେକ ଭାବେ, କିନ୍ତୁ ସତେଅବା ଥଳକୂଳ ନପାଇଲା ପରି ମନେହୁଏ । ସମସ୍ତ ଦେଶଟା ଯେପରି ଗୋଟାଏ ବିଷଚକ୍ର ମଧ୍ୟରେ ଘୂରୁଚି, ଏହି ଚକ୍ରର ଗତି ଅଟକାଇବ କିଏ ? ଜନତା, ପ୍ରତିଭା ନା ସରକାର ? ଯିଏ ରାଜନୀତିକୁ ଧର୍ମ ବୋଲି ଗ୍ରହଣ କରିପାରିବ, ସବୁପ୍ରକାର ପରିସ୍ଥିତିକୁ ସ୍ୱୀକାର କରିନେଇ ଯିଏ ଜନତାର ବିସ୍ତୃତ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରିବ, କେବଳ ସେହି ପ୍ରତିଭା ଆଜିର ଏହି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇପାରିବ । ଏକଥାଟି କହିଲା ବେଳେ ଆଗ ଗାନ୍ଧୀକଥା ମନେ ପଡ଼ିଯାଉଚି । ସିଏ ନୋଆଖାଲିକୁ ଏକା ଏକା ସମ୍ଭାଳିଥିଲା, ସମଗ୍ର ଦେଶର ଅନ୍ନ ଓ ଶିକ୍ଷା ସମସ୍ୟାକୁ ସମ୍ଭାଳିଲା ଭଳି ବାଟ ବତାଇ ପାରିଲା ଅଥଚ ଏହି ଦେଶର ଯୌଥ ଯୁବକମନ କଣ ବିପନ୍ନ ଦେଶର ଅଧୋଗମନକୁ ସମ୍ଭାଳି ରଖି ପାରିବନାହିଁ ?

 

୨୭.୨.୧୯୫୦

 

ହଠାତ୍ କଣ ଲେଖିବି ମନକୁ ଆସୁନାହିଁ । ଆଜି ସମସ୍ତ ଦିନଟି ବିପୁଳ କାର୍ଯବ୍ୟସ୍ତତା ଭିତରେ କଟିଚି । ନାନା ଅବସରରେ ଫାଙ୍କରେ ଆଜି ମୁଁ ଅନେକ ଗୀତ ଗାଇଚି ଓ କାମଗୁଡ଼ିକୁ ସୂଚାରୁରୂପେ ସାରି ପାରିବାକୁ ସତତ ପ୍ରେରଣା ପାଇଚି । ସନ୍ଧ୍ୟାବେଳେ ବୁଲିବାକୁ ଯାଇ ମନଟା ବି ଯଥେଷ୍ଟ ହାଲୁକା ହୋଇଗଲା । ଘରକୁ ଫେରିଆସି ତାକୁ ମୁଁ ସମାନ ଜୋରରେ ପୁଣି କାମରେ ଳଗାଇଦେଲି । ଜାଣତରେ ହେଉ ବା ଅଜାଣତରେ ହେଉ, ମୋର ଅସଲ ମନ ଯେପରି ସବୁବେଳେ ଓ ସକଳ ଉପଲକ୍ଷରେ ମହିମାମୟ ଜୀବନ-ବିଧାୟକର ସ୍ପର୍ଶଙ୍କୁ ହିଁ ଅନୁଭବ କରୁଥାଉ-। ସକଳପ୍ରକାର ବ୍ୟସ୍ତତା ଓ ବିଚଳିତତା ମଧ୍ୟରେ ତଥାପି ତାହାରି ପ୍ରେରଣା ଓ ପ୍ରକାଶକୁ ସେ ଆପଣାର ସବୁଠାରୁ ବଡ଼ ଶ୍ରେୟ କରି ସାଇତି ରଖିବାର ଶକ୍ତି ଅର୍ଜନ କରୁ । ମୁଁ ଅନେକ ସମୟରେ ବାଟ ଭୁଲୁଚି, ମୋର ପ୍ରିୟ ବସ୍ତୁଗୁଡ଼ିକ ମଧ୍ୟରେ ପରମ ଦେବତାର ପ୍ରତିଫଳନ ନଦେଖି ମୁଁ ଜାଲରେ ପଡ଼ିଯାଉଚି, କିନ୍ତୁ ମୋ’ ପ୍ରାର୍ଥନାବେଳର ସମସ୍ତ ନିଷ୍ଠା ଓ ସମର୍ପଣ-ତତ୍ପରତା ମୋର ସାରାକ୍ଷଣର ସକଳ କଳୁଷ ଓ ଗ୍ଳାନିକୁ ଦୂର କରିଦେଉ । ଆପଣା ଉତ୍ତେଜିତ ଚିତ୍ତବୃତ୍ତିର କୃତ୍ରିମ ପ୍ରାଚିରମାନ ସୃଷ୍ଟି କରି ହୁଏତ ମୁଁ ତାର ସ୍ପର୍ଶକୁ ବାରିତ କରି ରଖିଚି, ଏପରି ଦୁର୍ଭାଗ୍ୟ ଆଉ ଏ ଜୀବନରେ ନ ଘଟୁ । ପାପର କଟୁତା, ସ୍ଖଳନର ପଶ୍ଚାତାପ ଓ ପତନର ମର୍ମାଘାତ, ମୁଁ ସବୁ ସହିବାକୁ ପ୍ରସ୍ତୁତ ଅଛି । ମାତ୍ର ପରମେଶ୍ୱରଙ୍କର କୃପାଦୃଷ୍ଟି- ପଥରେ ପାଚେରୀ ଠିଆକଲେ ଏହି ଜୀବନ ବଞ୍ଚିବା ଯେ ଅସମ୍ଭବ ହୋଇପଡ଼ିବ । ପ୍ରଥମ ଦୁର୍ଦ୍ଦଶାରୁ ନିସ୍ତାର ଅବଶ୍ୟ ଅଛି, କିନ୍ତୁ ଦ୍ୱିତୀୟଟିକୁ ହରାଇ ବସିଲେ ମୋତେ ତାହାକୁ ପୁଣି କିଏ ଫେରାଇ ଆଣି ଦେଇପାରିବ-?

 

୨୮.୨.୧୯୫୦

 

ଫେବୃଆରୀ ମାସର ଶେଷ ଦିନ । ହୁଏତ ଏହାକୁ ଭାବପ୍ରବଣତା ବୋଲି କୁହାଯାଇପାରେ, କିନ୍ତୁ ଏଇ ଦିନଟା ପ୍ରତି ମୋର ମାୟାଟା କାହିଁକି ଟିକିଏ ବେଶୀ । ବିଶେଷ କରି ଏହି ମାସଟି ଯେଉଁଥର ଅଣତିରିଶା ପଡ଼େ, ସେଥର ଶେଷ ଦିନଟା ମନକୁ ଭାରି କଉତୁକିଆ ଲାଗେ । ଏଡ଼େ ଛୋଟିଆ ମାସଟାଏ, ତା’ର ବି ବରଷକର ବାରମାସ ଭିତରେ ସମାନ ସ୍ଥାନ ରହିଚି-। ରସିକ ମଣିଷ ହୁଏତ ଯେତେବେଳେ ପ୍ରତ୍ୟେକ ମାସଲାଗି ଦିନ-ବଣ୍ଟୁଆରା କଲା, ସେତେବେଳେ କଅଣ ଭାବି ସେ ଗୋଟାଏ ମାସକୁ ଯେ ଅଠେଇଶା କରି ରଖିଲା, ସେକଥା ଭାବି ଖୋଜି ଜାଣିବା ଅତି କଷ୍ଟକର । ଇତିହାସର ଧାରାରେ ଏପରି ଅନେକ ଅନୁଷ୍ଠାନ ରହି ଆସିଚି, ଯାହାପଛରେ ହୁଏତ ରସଜ୍ଞ ମଣିଷର ଖିଆଲଟା ହିଁ ସବୁଠାରୁ ଅଧିକ ପ୍ରଭାବ ପକାଇଚି । ଏହି ସମଗ୍ର ସୃଷ୍ଟିରେ ବି ଯେପରି କେଉଁ ସ୍ୱପ୍ନ ଚାରୀ ଆପଣାର ମଧୁର ଖିଆଲଗୁଡ଼ିକୁ କର୍ଯ୍ୟକାରୀ କରି ଚାଲିଚି-। ଏଗୁଡ଼ାକ ଖିଆଲ ହେଲେ ମଧ୍ୟ ନିପଟ ପାଗଳାମି କଦାପି ନୁହେଁ, ଏହି ପାଗଳାମିର ମଧ୍ୟ ଯେପରି ଗୋଟାଏ ବିଶେଷ ନିର୍ଦ୍ଦେଶ ଓ ଅର୍ଥ ରହିଚି । There is a method in this madness ! ପ୍ରକୃତି ବା ଭଗବାନ ଯାହାକହ ପଛକେ, ତାହାକୁ ହିଁ: ପ୍ରକାଶ କରିବାକୁ ଯାଇ ଦେଶର କବି ଓ ଦାର୍ଶନିକ ସେହି ଏକ ଶବ୍ଦ—ଯୋଜନାକରି ତାହାର ବର୍ଣ୍ଣନା କରିଚି, ସେହି ଏକ ଅଳଙ୍କାର ଦେଇ ତାହାର ପ୍ରଶସ୍ତି ଗାଇଚି । ହୁଏତ ସେଇଥିଲାଗି ପାଗଳ କବି, ପାଗଳ ଦାର୍ଶନିକ ଓ ପାଗଳ ଜିଜ୍ଞାସୁ ସମସ୍ତେ ଅତି ଆକସ୍ମିକ ଭାବରେ ଏକ ସନାତନ ବିଶ୍ୱସତ୍ୟର ପ୍ରଚାର କରିଚନ୍ତି । ଏହି ସାଧାରଣ ଭୂମିଉପରେ ବିଶ୍ୱଦର୍ଶନ ଓ ବିଶ୍ୱସାହିତ୍ୟର ପ୍ରେରଣା ମଣିଷକୁ ମିଳିଚି ।

 

୧.୩.୧୯୫୦

 

ସକାଳୁ ମନ୍ଦିରପରେ ଆମେ ଗାଆଁ ବୁଲି ବାହାରିଥିଲୁ । ଦିନଯାକ ବାହାରେ କଟାଇ ସଞ୍ଜବେଳେ ଫେରି ଆସିଲି । ନଅଜଣ-ସମନ୍ୱିତ ଆମର ଦଳଟି କେତେ ଅବାଟକୁ ବାଟ କରି କେତେ ଗଛ ଓ କେତେ ଆକାଶ ସହିତ ଆଜି ପରିଚୟ ହୋଇ ଚାଲିଆସିଲା । ଦୂରରେ ପଳାସ ଓ ଶିମିଳୀ ଫୁଲର ରକ୍ତଥୋପା-ମଣ୍ଡିତ ଦିଗ୍‌ବଳୟ ନୟନମନରେ ବାରବାର ନିଆଁ ଜଳାଇ ଦେଉଥିଲା-। ଅନେକଦିନ ପରେ ନିର୍ଭବନା ହୋଇ କେବଳ ପ୍ରାଣଭରି ବଞ୍ଚିଯିବାକୁ ମୁଁ ଦିନଟିଏ ପାଇଲି ।

 

ସମସ୍ତ ଦିନର ଅକାରଣ ଛୁଟୀପରେ ମୁଁ ଘରକୁ ଫେରିଆସିଚି । ମନ ଭାରି ସତେଜ ଲାଗୁଚି, କେଉଁ ଶୋଭବିଳାସୀର ଚରଣଯୁଗଳ ଲାଗି ସିଂହାସନରୂପେ ସାଜି ଆଜି ଅନ୍ତର ଭିତରେ ଭାରି ହାଲୁକା ଲାଗୁଚି, ତେଣୁ ସାରା ପୃଥିବୀର ଭାର ମଧ୍ୟ ଆଜି ବଡ଼ ସହଜ ବୋଧ ହେଉଚି । ପୃଥିବୀରେ କେତେ ଲୋକଙ୍କ ସହିତ ମୋର କେତେପ୍ରକାର ତିକ୍ତମଧୁର ସମ୍ପର୍କ ରହିଚି, ଆପଣାର ମୋହମଳିନତା ଦେଇ ମୁଁ ହୁଏତ କେତେ ପ୍ରେମକୁ ଆପେ ଦୂଷିତ କରି ପକାଇଚି, ସ୍ନେହ ଓ ମମତା ବିଷୟରେ କେତେ ଅଛିଣ୍ଡା କଥା ଭାବି ମୁଁ ପ୍ରହର ପ୍ରହର ଧରି ଦଗ୍‌ଧ ହୋଇଚି । ଆଜି ଯେପରି ସେସବୁର ବୋଝ ଏକାବେଳେକେ ମିଳାଇ ଯାଇଚି, ସାରାଜଗତର ସମସ୍ତ ସମ୍ବନ୍ଧ ଓ ସମ୍ପର୍କକୁ ସ୍ଥାନ ଦେଇପାରିବା ଭଳି ହୃଦୟ ଯଥେଷ୍ଟ ବଡ଼ ହୋଇଯାଇଚି । ଏପରି ମୁହୂର୍ତ୍ତ ଜୀବନରେ ଖୁବ୍‌ କମ୍ ଆସେ ।

 

ଆଜିକାର ପ୍ରକୃତି, ଆଜିକା ମଣିଷ ସାହଚର୍ଯ୍ୟ ଓ ଆଜିକାର ମୋର ମନଟି, ସଫଳ ଦିନଟିର ଶେଷରେ ଆଜି ସଭିଏଁ ମୋର ପ୍ରଣାମ ଗ୍ରହଣ କରନ୍ତୁ ।

 

୨.୩.୧୯୫୦

 

ବେଳେବେଳେ ମନେହେଉଚି, କେବଳ ଆପଣାକୁ ଖୋଜିଖୋଜି ହୁଏତ ଏ ଜୀବନଟାଯାକ ଚାଲିଯିବ । ଏହି ଜନ୍ମର କର୍ମ ବୋଧହୁଏ କେବଳ ଏତିକି । ଏମିତି ଝୁଣ୍ଟିବି, କାନ୍ଦିବି, ଭୁଲକରିବି, ଦଗ୍‌ଧହେବି, ଅଥଚ ସେଗୁଡ଼ାକୁ ସବୁବେଳେ ସ୍ମରଣରେ ରଖିଥିବି, ଏ ଜୀବନ ଲାଗି ବୋଧହୁଏ ଏତିକି ଲେଖାହୋଇ ରହିଚି । ଜୀବନରେ କେତେ ସ୍ୱପ୍ନ, ବିଶ୍ୱଚେତନାର ଉତ୍ତୁଙ୍ଗ ଶିଖରରୁ ବିଶ୍ୱତୋଭିମୁଖ ହୋଇ ଲମ୍ଫ ଦେବାର କେତେ ତପସ୍ୟା, ସବୁ ହୁଏତ ଆରଜନ୍ମର ସୁନାଫଳ ହୋଇ ରହିବ । ତନ୍ତ୍ରରେ ପଢ଼ିଚି, ସହସ୍ର ସହସ୍ର ଜନ୍ମ ଅତିକ୍ରମ କରି ଜୀବ ମଣିଷ ଜନ୍ମ ପାଏ, ପୁଣି ସହସ୍ର ସହସ୍ର ଜନ୍ମ ପରେ ପରମାତ୍ମାକୁ ଅର୍ଥାତ୍ ଆପଣାକୁ ଚିହ୍ନେ । ତେବେ ଗୋଟାଏ ଜୀବନରେ ଏହି ବୁକୁଫଟା ଆକାଙ୍‌କ୍ଷା ଓ ଏହି ମର୍ମ ଦହି ପକାଉଥିବା ଅଭିଳାଷ କାହିଁକି ? ମୋର ସକଳ କାମନା କେବଳ ବୋଝ ପରି ମନକୁ ଆବୋରି ରହିଚି, ସେହି ବୋଝର ନାନା ଚିନ୍ତାରେ ସନ୍ତପ୍ତ ହୋଇ ହୁଏତ ମୁଁ ଏହି ଜୀବନଟିର କିଞ୍ଚିତ ସୁଖକୁ ମଧ୍ୟ ହରାଇ ଦେଉଚି । ମୁଖ ବାରିତ ହୋଇ ରହିଚି, କାନ୍ଦିକରି ଦୁଃଖକୁ ବୁହାଇ ଦେବାକୁ ମଧ୍ୟ ଆଖିରେ ଲୁହ ନାହିଁ କି କଣ୍ଠରେ ଭାଷା ନାହିଁ । କାନ୍ଦିବା ଅପେକ୍ଷା କ୍ରନ୍ଦନର ଭାରଟାକୁ ନେଇ ବସିରହିବା ଏପରି ଭୟାବହ ବୋଲି ଜାଣିନଥିଲେ । ଭିତରୁ ମୁଁ କୌଣସି ପ୍ରେରଣା ପାଉନାହିଁ, ଅଥଚ ଭିତରର ମନସ୍ତାପରେ ହିଁ ମରୁଚି । ଏହି ଅଳସ ଉଦାସର ଗୁରୁଭାରକୁ ମନଗର୍ଭରେ ଧରି ଦୁର୍ବଳ ମନ ବେଳେବେଳେ କହୁଚି, ଏହି ଜନ୍ମ ଲାଗି ଯେପରି ମୋର ସକଳ ସ୍ୱପ୍ନ କେବଳ ସୁଦୂର ପ୍ରତିହତ ହୋଇ ରହିବ ।

 

ତଥାପି ସାନ୍ତ୍ୱନା ମିଳୁନାହିଁ । ବ୍ରତତୀ ମନ ସହଜେ ଥମିବାକୁ ରାଜୀ ହେଉନାହିଁ । ଭିତରେ ଥାଇ କିଏ ଯେପରି କହୁଚି, ଆପଣାର ତପଶ୍ଚର୍ଯ୍ୟା ବଳରେ ଜୀବ ସହସ୍ର ଜନ୍ମର କର୍ମକୁ ଗୋଟାଏ ଜନ୍ମରେ ଅତିକ୍ରମ କରି ସିଦ୍ଧିଲାଭ ବି କରିପାରେ, ଆପଣାର ପରିପୂର୍ଣ୍ଣ ଦାନଟି ସଜାଡ଼ି ଦେଇପାରେ । ସେହି ଶକ୍ତି ଜୀବ ଭିତରେ ହିଁ ରହିଚି । ସେହି ଶକ୍ତି ମୋ’ରି ଭିତରେ ରହିଚି । ମନ ପୁଣି କ୍ରୋଶ କ୍ରୋଶ ଦୂର ଉଡ଼ି ଚାଲିଯାଏ ।

 

ମୋର ଦୁଆର କଣ ଫିଟିବ ନାହିଁ ? ଦରବିକଶିତ ବାସନାବ୍ୟଥିତ ଏହି କୁସୁମକଳିଟିର ସକାଳ କଣ ସମ୍ଭବ ହେବନାହିଁ ? ଆଜି କ୍ଷୁନ୍ନ ମନରେ ଖାଲି ଆପଣାକୁ ଧିକ୍‌କାର ଦେବାରେ ହିଁ ଲାଗିଚି । ଅନେକ ଦେଖିଲି, ଅନେକ ଜାଣିଲି, ଅନେକ ପଢ଼ିଲି, ଜ୍ୟୋତି ବୋଲି ଚିହ୍ନିବାର ଅନେକ ପ୍ରମାଣ ମୁଁ ପଲଟେଇଲି କିନ୍ତୁ ହଠାତ୍ ମୋ’ ଲାଗି ସକଳ ପଥ ଏପରି ବନ୍ଦ ହୋଇଗଲା କାହିଁକି ? ୧୯୪୩ ମସିହା ମାର୍ଚ୍ଚ ମାସରେ କଟକ ଜେଲ ଭିତରେ ଥିବାବେଳେ ସେଇ କାନ୍ଦି କାନ୍ଦି ଖୋଜିବା କଶ ମନେପଡ଼ୁଚି । ସେତେବେଳେ ମୁଁ ଖୁବ୍ କମ୍ ଜାଣିଥିଲି, ଖୁବ୍ କମ୍ ବୁଝିଥିଲି, ହୁଏତ ସେଇଥିଲାଗି ଠିକ୍ କରି କାନ୍ଦି ପାରିଥିଲି, ଆପଣାର ସମସ୍ତ ମଳିକୁ ଝାଡ଼ିଦେଇ ପରମପ୍ରିୟ ସକାଶେ ଠିକ ଭାବରେ ପ୍ରବେଶ-ସେତୁଟିଏ ପକାଇ ପାରିଥିଲି । ତାପରେ ସାତବର୍ଷ ଅତିକ୍ରାନ୍ତ ହୋଇଗଲାଣି । ୟାଭିତରେ କେତେ ଅପୂର୍ବ ସାନ୍ନିଧ୍ୟରେ କେତେଥର ଅନ୍ତର ଖୋଲିଯାଇଚି, କେତେଥର ମୁଁ ପୁରାତନକୁ ନୂତନ କରି ଚିହ୍ନିଚି, ପୁଣି ଆରାଧନାର ନୂଆ ମନ୍ତ୍ର ପାଇଚି । ନୟନର ଜଳରେ ପରିଚୟର ସ୍ମିତହାସ୍ୟ କୃତାର୍ଥ ହୋଇଚି । କିନ୍ତୁ ଏହି ଦୀର୍ଘପଥ ଚାଲି ଆସିଲାପରେ ମୁଁ ଇଏ କଣ ଦେଖୁଚି ? ଆଜି ପୁରୁଣା ପ୍ରତି ଭାରି ଈର୍ଷା ହେଉଚି । ମୋର ଯେତିକି ଦୁଆର ଖୋଲିଥିଲା ବୋଲି ମୁଁ ଆପଣାର ଅନୁଭବ ଦ୍ୱାରା ଜାଣିଥିଲି, ଆଜି ଯେପରି ସେତିକି ମଧ୍ୟ ମୁଦି ହୋଇଯାଉଚି । କେତେ ମର୍ମନ୍ତୁଦ ଆବେଦନ ସହିତ ଛାତିରେ ମୁଁ କେତେ ହାତ ବାଡ଼ଉଚି, ତଥାପି ଖାଲି ଫମ୍ପା ଦେଉଳର ଆବାଜଟା ହିଁ ଯେପରି ଦୁଇଗୁଣ ଜୋରରେ ଲେଉଟି ଆସୁଚି ! ଦେଉଳ ଖାଲି ପଡ଼ିଚି, ମୁଁ ଆପଣା ପାପଦ୍ୱାରା ତାହାକୁ ହରାଇ ବସିଚି । ଆଜିଯାଏ ଭାରି ଦମ୍ଭ ବାନ୍ଧିଥିଲି, ବିଲକୁଲ ଶେଷ ପାହାଚ ଉପରେ ଆସି ପହଞ୍ଚିଗଲି ବୋଲି ଅନୁମାନ କରି ମୁଁ ତାକୁ ସଖାବୋଲି ଡାକି କାନ୍ଦି ପକାଇଥିଲି । କିନ୍ତୁ କାହାର false light ମୋତେ ଏପର୍ଯ୍ୟନ୍ତ ଯେ ବାଉଳା କରି ରଖିଥିଲା ମୁଁ ଜାଣିନାହିଁ । ଆଜି କପଟ ପ୍ରସ୍ତୁତିର ସକଳ କୁହୁକ ଧରା ପଡ଼ିଯାଇଚି । ଏତେଦିନ ଖାଲି ମିଛ ଆନନ୍ଦ ଦେଇ ଯିଏ ମୋତେ ରାମଲୀଳାର କଣ୍ଢେଇ ପରି ହାତଗୋଡ଼ ଟାଣି ନଚାଇ ଆଣୁଥିଲା, ସେହି ଫିସାଦିଆ ଅପଦେବତାର ସମସ୍ତ ସୂତ୍ର ଆଜି ଜଣାପଡ଼ି ଯାଇଚି । ଦେବତା ଅନେକ ଦିନରୁ ଅପସରି ଯାଇଚି, ଦୁଆର ବନ୍ଦ ହୋଇ ଅନେକ ଦିନର କିଟିମିଟି ଅନ୍ଧକାର ମୋର ପ୍ରାଣଟାକୁ କାମୁଡ଼ି ଧରିଚି । ଅଥଚ ଏହି ଅନ୍ଧାର ଭିତରେ ଆପଣାର ଭଗ୍ନ ତରୀଟିକୁ ମୁଁ ବେଶ୍ ସ୍ପଷ୍ଟଭାବରେ ଦେଖିପାରୁଚି, ଏଡ଼େ ବଡ଼ ସାଧନାର ହାଟରେ ମୁଁ bankrupt ହୋଇ ବସିରହିଚି, ସଂସାରର ଏକଥାରେ ସେ କଥାରେ କେବଳ ଟିକିଏ ହସି ଟିକିଏ ମତ ପ୍ରକାଶ କରି !

 

ଜୀବନର ଖଣ୍ଡାଦାଢ଼ ଉପରୁ ଅନ୍ଧାର ପାଖକୁ ଖସିପଡ଼ି ଆଜି ମୁଁ ଆପଣାକୁ ବୁଝିପାରୁଚି-। ଏତେଦିନ କେବଳ ଭିତରେ ଭିତରେ ମୁଁ ଗୋଟାଏ ବେଗ ଅନୁଭବ କରୁଥିଲି, ଭାବୁଥିଲି ମୁଁ ନିଶ୍ଚୟ ଠିକ ଦିଗରେ ଯାଉଚି । ଅନେକ ତଳକୁ ଖସିଆସି ହଠାତ୍ ଜାଣୁଚି, ମୁଁ ଆଜିଯାଏ କେବଳ ତଳକୁ ହିଁ ଖସୁଥିଲି ।

 

ପରମାତ୍ମାଙ୍କ ପାଖରେ ଯିଏ ଆପଣାର ସମସ୍ତ ଇଚ୍ଛା, ଅଭିଳାଷ ଓ ପ୍ରୀତିକାମନାକୁ ସମର୍ପଣ କରିଦେଇଚି, ସିଏ ସଂସାରକୁ କେବଳ ସେହି ପରମାତ୍ମାର ଚକ୍ଷୁଦେଇ ହିଁ ଦେଖନ୍ତା । ମୋର ମୋହ ଆଜିଯାଏ ଭାଙ୍ଗି ନାହିଁ । ବେଳେବେଳେ ମ୍ରିୟମାଣ ହୋଇପଡ଼ିବା ଯାଏ ମୁଁ ହାତମୁଠାରେ ଧରିରଖିବାର ପ୍ରୟାସ କରିବାରେ ଲାଗିଚି । ଅର୍ଥାତ୍ ମୁଁ ପରମାତ୍ମାଙ୍କ ପାଖରେ ଏପର୍ଯ୍ୟନ୍ତ ନିର୍ମଳ ହୋଇ ପାରିନାହିଁ । ଆଜି ବିଫଳ ଦିନର ଅନ୍ତିମ ଡାକରେ ମୁଁ ସେହି ପରମାତ୍ମାର ଶରଣ ନେଉଚି । ସେଇ ମୋତେ ଦେଖିବାର ପ୍ରଥମ ଆଖି ଦେଇଚନ୍ତି, ଉପରର ଆକର୍ଷଣରେ ଚିତ୍ତ ଚହଲାଇଚନ୍ତି ସେଇ, ମୋର ସକଳ ବାସନାକୁ ସେଇ ଗୋଟିଏ ମୃଣାଳରେ ଠୁଳ କରି ଦେଇଚନ୍ତି ଫୁଲ ପରି ଫୁଟି ଉଠିବାର ସାଧନା କରିବା ଲାଗି । ଫୁଲ ଫୁଟାଇବାର ଏହି ସକଳ ଆୟୋଜନକୁ ମୁଁ ତାଙ୍କରି କରୁଣା ଉପରେ ଅର୍ପଣ କରିଦେଉଚି ।

 

୩.୩.୧୯୫୦

 

କାଲିର ଲେଖା ଆଜି ଲେଖୁଚି । ଅର୍ଥାତ୍ ଚାରିତାରିଖ ଖରାବେଳେ ବସି ମୁଁ ତିନିତାରିଖର କାର୍ଯ୍ୟ ସମ୍ପାଦନ କରୁଚି । ଗତ ପ୍ରାୟ ଚାରିଦିନ ହେଲା ମନଗଗନରେ ଯେଉଁ ପ୍ରବଳ ମେଘର ଭାର ମୋର ସମସ୍ତ ଭାବନାକୁ ତ୍ରସ୍ତ ଓ କବଳିତ କରି ରଖିଥିଲା, କାଲି ବର୍ଷାରୂପରେ ତାହା ଆପଣାକୁ ବିଚଳିତ କରିଦେଇଚି ।

 

ଅନେକ ଲାଭ ହେଲା । ଯାହାକୁ କେନ୍ଦ୍ର କରି ନାନା ମୋହ ଓ ବିଷମତାରେ ମୁଁ ମନଟାକୁ ଜଡ଼ପ୍ରାୟ କରି ପକାଇଥିଲି, କାଲି ତାହାକୁ ହିଁ ପରମବନ୍ଧୁ ରୂପେ ପାଇଲି । ଏହାଭିତରେ ମୁଁ ବୟସରେ ଅନେକ ବଢ଼ିଚି, ଜ୍ଞାନରେ ମଧ୍ୟ କିଛି କମ୍ ରୋଜଗାର କରିନାହିଁ, କିନ୍ତୁ ଯେପରି ମଝିରେ ମଝିରେ ମନେହେଉଥିଲା ମୋର ସମସ୍ତ ବୁଝିବା ଓ ସମସ୍ତ ଜାଣିବା ସତ୍ତ୍ୱେ ଅସଲ ପଥଟିକୁ ମୁଁ ତଥାପି ଅନ୍ଧକାର କରି ରଖୁଚି । ଏଥିପାଇଁ ଆପଣା ଉପରେ ବାରବାର ଅବିଶ୍ୱାସ ହୋଇଚି, ଜ୍ଞାନରେ ସମୃଦ୍ଧତର ହୋଇ ମୁଁ ଯୋଗ୍ୟତାର ମନୁଷ୍ୟ ହୋଇପାରିଚି କି ନାହିଁ ବେଳେବେଳେ ସେ ବିଷୟରେ ବଡ଼ ସନ୍ଦିହାନ ହୋଇପଡ଼ିଚି । ଆଜି ହଠାତ୍ ସକଳ ପଥ ବିଭାସିତ ହୋଇଯାଇଚି, ବିଚଳିତ ହୃଦୟର ନୟନରେ ନିଜ ଜୀବନର ଏକକ ଓ ସଂଗତ ପଥଟିକୁ ମୁଁ ଠିକ ଠଉରାଇ ନେଇପାରୁଚି । ୧୯୪୩ ମସିହାରେ ମୁଁ କଟକ ଜେଲରେ ପନ୍ଦରଦିନ କାଳ କାନ୍ଦି କାନ୍ଦି କଟାଇଥିଲି, ଏବେ ମଧ୍ୟ ମୋର ଜଳଜଳ ମନେଅଛି, କିଶୋର-ତପସ୍ୱୀର ସେହି ପ୍ରଥମ ଜନ୍ମଯନ୍ତ୍ରଣାକୁ ମୁଁ କଦାପି ଭୁଲି ପାରିବିନାହିଁ । ଜୀବନର ଉତ୍ତୋରତ୍ତର ଗତିରେ ସେହି ପର୍ଯ୍ୟାୟଟି ସବୁଦିନେ ମୋତେ ଅନେକ ପ୍ରେରଣା ଦେଉଥିବ ।

 

ଉଶ୍ୱାସ ମନର ଆନନ୍ଦକୁ ଆହୁରି ନିବିଡ଼ ଭାବରେ ଅନୁଭବ କରିବାଲାଗି ରାତିଗାଡ଼ି ବେଳକୁ ମୁଁ ବୋଲପୁର ଯାଇଥିଲି । ସହସ୍ରେ ଇଚ୍ଛା କରି ମଧ୍ୟ ଏହି କେତେଟା ଦିନ ଯେଉଁ କଣ୍ଠରେ ମୁଁ ପଦେ ହେଲେ ସୁର ବା ସଂଗୀତ ଫୁଟାଇ ପାରିନଥିଲି, ଚନ୍ଦ୍ରକିରଣର ପ୍ରଶାନ୍ତ ସମୁଦ୍ର ସାନ୍ନିଧ୍ୟରେ ସେହି କଣ୍ଠକୁ ଫଟାଇ ସ୍ୱାଭାବିକ ସଂଗୀତର ଧାରା ଆପେ ଛୁଟି ବାହାରି ଆସିଲା । ମନ ହଠାତ୍ କହିଉଠିଲା, ଏତେ ବକ୍ରପଥର କ୍ରନ୍ଦନ କୁତୁହଳ, ମୋହଗ୍ରସ୍ତ ହୋଇ ଆପଣାର ନିର୍ବୋଧତାରେ ଆପେ ଆଚ୍ଛନ୍ନ ହୋଇ ରହିବ,—ଏସବୁ ମୋର କଦାପି ବିଫଳ ଯାଇନାହିଁ ।

 

୪.୩.୧୯୫୦

 

ବସନ୍ତର ଉତ୍ସବର ସମସ୍ତ ସଂଗୀତ ଓ ନୃତ୍ୟର ଅନୁଷ୍ଠାନ ଗୁଡ଼ିକରେ ଯୋଗଦେଇ ବର୍ତ୍ତମାନ କ୍ଳାନ୍ତ ହୋଇ ଘରକୁ ଫେରୁଚି । ଜୀବନରେ ହୁଏତ ମୁହୂର୍ତ୍ତକ ପାଇଁ ଚିତ୍ତର ପରମ ସୁଖ ଆସ୍ୱାଦନ କରି ଦିନେ ଭାରି ଭଲ ଲାଗୁଥିଲା, ମୁହୂର୍ତ୍ତେଲାଗି ଆପଣାକୁ ମଜାଇ ଦେଇ ଅନ୍ୟାନ୍ୟ ସକଳ ସମୟକୁ ଏକପ୍ରକାର ଅସଂଯୁକ୍ତ କାଳକ୍ଷେପଣରେ କଟାଇ ନେବାକୁ ଆଗେ ମୋଟେ ଖରାପ ଲାଗୁନଥିଲା । କଳା କେବଳ ମୁହୂର୍ତ୍ତକର ବିଳାସ ନୁହେଁ, ମୁହୂର୍ତ୍ତେଲାଗି ସ୍ୱର୍ଗକୁ ହାତ ବଢ଼ାଇ ଅବଶିଷ୍ଟ ଜୀବନଟା ଅଧୋମୁଖ ହୋଇ ରହିବା ମଣିଷ-ଜୀବନର ଧେୟ କଦାପି ନୁହେଁ । ଆଜି ଏହି ବସନ୍ତଦିନରେ କିଂଶୁକଯଜ୍ଞର ମନ୍ତ୍ରଗାନ ମୋର ଅନ୍ତରେ ଅନ୍ତରେ ନିନାଦିତ ହୋଇଉଠୁ, ମୁଁ ଆପଣାର ସ୍ୱପ୍ନକୁ ମଧ୍ୟ ପଲାଶ ଫୁଲର ଶିଖାପରି ସତତ ଜଳାଇ ରଖିବାକୁ ସମର୍ଥ ହୁଏ ! ବାହାରେ ବାହାରେ ଆଜି ଯାହାର ଆବାହନ ଓ ଅର୍ଚ୍ଚନାର ଶୋଭନ ଆୟୋଜନ ଦେଖିଆସିଲି, ମୋର ହୃଦୟ ଭିତରେ ସେଇ ଆଜି ଚିରପରିଚୟ ଓ ଚିରସଞ୍ଚୟର ସ୍ପନ୍ଦନକୁ ଜାଗରିତ କରି ରଖୁ । ମୋରି କର୍ମକ୍ଷେତ୍ରରେ, ମୋର ନାନା କ୍ଷେତ୍ରର ପୁଲକ ଓ ପ୍ରେମରେ ମୋର ସମସ୍ତ ସ୍ୱପ୍ନ ଓ ଚିତ୍ତପିପାସାରେ ଆଜି ବସନ୍ତଋତୁ ଯୌବନରେ ଅଗ୍ନିଟା ସଜାଇ ଦେଇଯାଉ । ମୁଁ ଠିକ ତାହାରିପରି ଜଣେ ଗଛ, ପତର, ଫୁଲ ଓ ପଲ୍ଲବରେ ତା’ର ଡେଣା, ମୋର ଡେଣା ମୋର ଅନନ୍ତ ପିପାସାରେ ପଥଚର୍ଯ୍ୟାର ଅଦମ୍ୟ ଆୟୋଜନରେ ଆଜି ବସନ୍ତଭିତରେ ମୁଁ ମୋ’ରି ଆତ୍ମାକୁ ଚିହ୍ନିରଖିବି ।

 

୫.୩.୧୯୫୦

 

ବସନ୍ତ ଉତ୍ସବର ମଉଜମେଳା ସରିଲା । ଆଜି ଆଶ୍ରମ ବେଶ୍ ଶାନ୍ତ ବୋଧ ହେଉଚି । ମୋର ଛୋଟ ଘରଟିରେ ଦୁଇଦିନ ହେଲା ଅତିଥି ଭିଡ଼ କରି ରହିଥିଲେ । ଆଜି ନୀରବ ଓ ନିର୍ଜନ ଆପଣା ଘରଟିପ୍ରତି ମୋର ଅନୁରାଗ ପୁଣି ଜାଗଉଠିଚି । କାଲିଠାରୁ ମୁଁ ନିୟମିତ ଭାବରେ ମୋର ଦିନଚର୍ଯ୍ୟା ଆରମ୍ଭ କରିଦେବି ।

 

ଚିତ୍ତବୋଧର ଜଳବର୍ଷଣରେ ମଇଳା ମନର ସମସ୍ତ ସାନୁ ବିଧୌତ ହୋଇଯାଇଚି, ତଥାପି ମେଘର ସ୍ମୃତି ସମ୍ପୂର୍ଣ୍ଣରୂପେ ନିଭିଯାଇନାହିଁ । ଦୁଇଦିନ ପୂର୍ବରୁ ସେହି ଭୟାବହ ସ୍ମୃତି ମନେପଡ଼ି ହୃଦୟ ବେଳେବେଳେ କମ୍ପି ଉଠୁଚି । ଅନ୍ତରକୁ ଭରିରଖିବା ଲାଗି ଆହୁରି ବିଶ୍ୱାସ ଦରକାର, ଛାତିକୁ ପଥର କରି ଦେବାପାଇଁ ଆହୁରି ମନଃସମର୍ପଣ ଦରକାର । ଏଯୁଗର ସକଳ ଗ୍ଳାନି ଓ ଅପୂର୍ଣ୍ଣତା ଯେପରି ଅତି ପରାକ୍ରମଶାଳୀ ହୋଇ ମଣିଷର ସମସ୍ତ ବିଶ୍ୱାସ ଓ ସ୍ୱପ୍ନକୁ ଚୂରମାର କରିଦେବାକୁ ବସିଚି । ହୁଏତ ସେଇଥିଲାଗି ସେହିସବୁ ଅପୂର୍ଣ୍ଣତା ବିଷୟରେ ଅଧିକରୁ ଅଧିକ ସଙ୍ଗେ ସଙ୍ଗେ ମଣିଷର ବିଶ୍ୱାସ ଯେପରି କମି ଯାଉଚି । ତେଣୁ ମୋର ଜ୍ଞାନକୁ ମୁଁ ଭକ୍ତିରସରେ ରସାୟିତ କରି ରଖିବି । ନାନା ନିରାଶାର ଅନ୍ଧକାର ମଧ୍ୟରେ ମୋ କଳ୍ପନାକୁ ମୁଁ ଭଗବଦାଶ୍ରୟର କୌମୁଦୀ ବୋଲାଇ ରଖିବି । ଜୀବନର ଚରମ ଦୁର୍ଦ୍ଦିନରେ ମଧ୍ୟ ଯେପରି ଏତିକି କହିପାରିବାର ବଳିଷ୍ଠତା ରଖିଥିବି ଯେ ବିଭେଦ ଓ ଅନେକର ଏହି ଅଡ଼ୁଆ ହୋଇଯାଇଥିବା ପୃଥିବୀ ମଧ୍ୟରେ ସେହି ମହତୀ ଇଚ୍ଛାର ପ୍ରକାଣ୍ଡ ବୃକ୍ଷ ଦଣ୍ଡାୟମାନ ହୋଇ ନାନାବିଧ ଉପାୟରେ ନିତି ଫୁଲ ଫୁଟାଇବାରେ ଲାଗିଚି, ଫଳ ଫଳାଇବାରେ ଲାଗିଚି ।

 

ଆଜି ଖରାବେଳେ ଗୋଟାଏ ଘୂର୍ଣ୍ଣି ହଠାତ୍ ଆସି ମୋର ସମସ୍ତ ଭାବନାକୁ ଆଲୋଡ଼ିତ କରି ପକାଇଲା । ଗ୍ରୀଷ୍ମର ପ୍ରଥମ ସ୍ପର୍ଶରେ ମୋର ସମସ୍ତ ଚିତ୍ତ ହଠାତ୍ ଜାଗରିତ ହୋଇ ଉଠିଲା ।

 

୬.୩.୧୯୫୦

 

ଅନ୍ତରର ଉଦୟପୂର୍ବ ପୁଣି ପାଖେଇ ଆସୁଚି । ଚାରିଦିନ ତଳେ ଯେଉଁ ମନ ଆପଣାପ୍ରସୂତ ନାନା ବାଷ୍ପମେଘରେ ସନ୍ଦିଗ୍‌ଧ ଓ ସମାଚ୍ଛନ୍ନ ହୋଇ ରହିଥିଲା, ସେଇ ମନ ପୁଣି ଆଜି ଉଦୟର ସୂଚନା ଦେଲାଣି । ତିନିଦିନ ଜଳର ସେହି ବ୍ୟାକୁଳ ଦଣ୍ଡଗୁଡ଼ାକୁ ମୁଁ କେତେ ପଛରେ ଛାଡ଼ି ଚାଲି ଆସିଲିଣି । ହୁଏତ କୋଉଠି ଘୂର୍ଣ୍ଣିଭିତରେ ପଡ଼ି ନଦୀର ସୁଅ କେବଳ ବୁଲିବୁଲି ଆପଣାକୁ କ୍ଳାନ୍ତ କରି ପକାଉଥିଲା । ଆଜି ଆପଣାର ସଙ୍ଗମ ସ୍ୱପ୍ନରେ ସଚେତ ହୋଇ ସିଏ ନିଜର ସ୍ୱାଭାବିକ ଧାରାକୁ ପୁଣି ଫେରିଆସିଚି । ମୋ’ଭିତରେ ରହିଥିବା ସେହି ଭଗବାନଙ୍କର ହିଁ ଜୟ ହୋଇଚି । ସେଇ ମୋର ଆଖିର ଅଞ୍ଜନକୁ ପୋଛି ଦେଇଚନ୍ତି ।

 

ଆଜି ଖରାବେଳଯାକ ଲାଗି ଘର ସଜାଇଲି, ବୁଲିବୁଲି ବହି ଯୋଗାଡ଼ କଲି; ଏଥର କେବଳ ମନଟାକୁ ପଟେଇ ପାଟେଇ କାମରେ ବସାଇବାଟା ହିଁ ବାକୀ ରହିଲା । କୌଣସି Museum interest ନେଇ ମୁଁ ଧର୍ମସମୀକ୍ଷାର ଏହି କର୍ଯ୍ୟ ଆରମ୍ଭ କରିନାହିଁ । ଧର୍ମ ମୋତେ ସ୍ୱଭାବତଃ ଆକୃଷ୍ଟ କରି ନେଇଚି । ବର୍ତ୍ତମାନ ସ୍ଥିତି ଯାହା ହୋଇଥାଉ ପଛକେ, ଯେଉଁ ଧର୍ମର ପଛରେ କୌଣସି ଜଣେ ବା ଦଳେ ମହାତ୍ମାଙ୍କର ତ୍ୟାଗ ନିଷ୍ଠା ନିହିତ ରହିଚି, ତାହା ଅବଶ୍ୟ ମୋର ସମ୍ମାନ ଓ ଭକ୍ତିର ଯୋଗ୍ୟ । ମନେମନେ ଭୀମଭୋଇଙ୍କ ଭଳି ମହାତ୍ମାଙ୍କର ସ୍ମୃତିପଦ୍ମ ଉପରେ ଆପଣାର ଦୃଷ୍ଟିକୁ ଆଣି ନିବଦ୍ଧ କରି ପାରିଲେ ତାଙ୍କର ଧର୍ମ ତାଙ୍କର ସାହିତ୍ୟକୁ ବୁଝିବାଲାଗି ବଳେବଳେ ମୋର ଆଖି ଖୋଲିଯିବ । ମହିମାଧର୍ମ ଓଡ଼ିଶାରେ ଜନ୍ମ ଲାଭ କରିଥିଲା ବୋଲି ବା ସେହି ଧର୍ମର ସନ୍ନ୍ୟାସୀମାନେ ପ୍ରଧାନତଃ ଓଡ଼ିଆ ବୋଲି ଯେ ଓଡ଼ିଆ ସାହିତ୍ୟର ଅଭିମାନୀ ଅଭିଭାବକ ରୂପେ ମୁଁ ସେହି ଧର୍ମର ଚର୍ଚ୍ଚାରେ ମନ ବଳାଇଚି ସେକଥା ନୁହେଁ । ସେହି ଧର୍ମ ପଛରେ ଭୀମଭୋଇଙ୍କ ଭଳି ଜଣେ ଦ୍ରଷ୍ଟାଙ୍କର କୃତି ରହିଚି, ସେହି ଧର୍ମ ସହସ୍ର ସହସ୍ର ମଣିଷଙ୍କୁ ଆକୃଷ୍ଟ କରିଚି, ମୋ’ଲାଗି ଏହାହିଁ ଯଥେଷ୍ଟ ।

 

୭.୩.୧୯୫୦

 

ହେ ଜୀବନର ଆରାଧ୍ୟ ଦେବତା, ହେ ମୋର ସକଳ ଶକ୍ତିର ଅବଧାରକ, କର୍ମାରମ୍ଭ ବେଳେ ମୁଁ ତୁମକୁ ହିଁ ବାରବାର ଡାକୁଚି । ମୋର ଯେତେ ଯାହା କରିବା କଥା ମୁଁ କଲିଣି ଏଥର ଖାଲି ତୁମରି ପ୍ରସନ୍ନ ପ୍ରସାଦଲାଗି ହୃଦୟର ବିନାଶ ଅପେକ୍ଷା କରି ରହିଚି । ଆପଣାର ସ୍ପର୍ଶ ଦେଇ ତୁମେ ମୋତେ ଜାଗ୍ରତ କରିଦିଅ । ଦିନଶେଷରେ ଆଜି ମୋର ଏତିକି ପ୍ରାର୍ଥନା ।

 

୮.୩.୧୯୫୦

 

ପଢ଼ୁପଢ଼ୁ କେତେବେଳେ ଯେ କମ୍ବଳ ଘୋଡ଼ିହୋଇ ଶୋଇ ପଡ଼ିଥିଲି, ସେକଥା ମୋର ମନେ ପଡ଼ିନାହିଁ । ମଝିରେ ହୁଏତ ଅନେକଥର ନିଦ ଭାଙ୍ଗିଚି, ମଝିରେ ମଝିରେ ଅନେକଥର ଉଠି ମୁଁ ପୁଣି ଶୋଇପଡ଼ିଚି । ବର୍ତ୍ତମାନ ଉଠି ଭାବୁଥିଲି ଖାଇବାଘଣ୍ଟା ବାଜିଲାଣି କି ନାହିଁ, ହଠାତ୍ ଶୁଣିଲି ପ୍ରାୟ ବାରଟା ବାଜିବା ଉପରେ । ବେଶ୍ କଉତୁକ ଲାଗୁଚି, ନିଦ ଢଳଢଳ ଆଖିରେ ଏହି ଖାତାର କାମଟି ଶେଷ କରିବାକୁ ମୋର ନିଦ ଓ ମୋର ଆରାମଠାରୁ ଏହି ଖାତାର ଖାତିରି ଯେପରି ଅଧିକ ହୋଇ ପଡ଼ିଚି । ଜାଣେନା, ଅଜ୍ଞାତରେ ଏହି ଖାତା ମୋତେ ପ୍ରକୃତରେ କି ଉତ୍ସାହରେ ଭରିରଖିଚି ! ଜୀବନର ଅନେକ ଅଭିଜ୍ଞତା ଓ ଅନେକ ଅଶ୍ରୁଜଳ ହୁଏତ ପଦାରେ ପଦାରେ ପଛକୁ ପଡ଼ି ଯାଉଥାନ୍ତା, ହୁଏତ ସମୟମତେ ସେସବୁର ସ୍ମୃତିକୁ ଫେରାଇଆଣି ମୁଁ ନିଜକୁ ଧାରାବାହିକ ଭାବରେ ଆଦୌ ଚିହ୍ନି ପାରୁନଥାନ୍ତି । ଏହି ଖାତାହିଁ ମୋ’ଲାଗି ତାହା ସମ୍ଭବ କରାଏ । ଦାରୁଣ ଦୁଃଖଭାରରେ ହୃଦୟ ଭାଙ୍ଗି ପଡ଼ିବାଭଳି ଲାଗିଲେ ଏହି ଖାତାରେ ଲିପିବଦ୍ଧ ହୋଇଥିବା ଅନେକ ଅଶ୍ରୁର ସଫଳ କାହାଣୀ ମୋତେ ପୁଣି ଜାଗ୍ରତ ଓ ଶକ୍ତିମାନ କରିଦିଏ । ଏହି ମନ ଉପରେ ମୁଁ କେତେ କଣ ନିଭାଇଲି, ହଜମ କଲି, କେତେ ଦୁଃଖର ଲୁହ ଶୁଖାଇ ଆପଣାକୁ ଟାଣ କରି ପାରିଲି, ସବୁ ଏହି ଜୀବନରେ ହିଁ ସମ୍ଭବ କରି ପାରିଲି । ମୋର ନିର୍ଦ୍ଦେଶପଥ ଅନ୍ୟଆଡ଼କୁ ସେହି ପଥରେ ଏକାକୀ ହୋଇ ମୋର ଜାଗ୍ରତ ଉତ୍ସାହର ଅଭିସାର ଚାଲିଚି । ସେହି ଏକାକୀ ପଥରେ କେବଳ ଦୁଇଟି ସହାସ୍ୟ ଆଖି ମୋତେ ନତ ହୋଇ ଡାକୁଚି ଏବଂ ମୁଁ ଅନବରତ ଚାଲିବାରେ ଲାଗିଚି । ସହସ୍ରବାର ଝୁଣ୍ଟି ମୁଁ ତଥାପି ଚାଲିଚି । ବାହାରର ଜଗତ ସେକଥା କଣ ଜାଣେ ? ଏହି ଖାତାଟି ତାହାର ପ୍ରତୀକ—ବାହନ ହୋଇ ରହିଚି । ମୋ’ପ୍ରଭୁର ରାସ୍ତାକୁ ସବୁବେଳେ ମୋ ଆଖିଆଗରେ ଉନ୍ମୁକ୍ତ ରଖିଚି ଏଇ ଖାତାଟି ।

 

୯.୩.୧୯୫୦

 

କାଲି ରାତିରେ ମୁଁ ଯାହାକିଛି ଲେଖିଚି ତା’ପ୍ରତି ମୋର ଶ୍ରଦ୍ଧାଟା କ୍ରମେ ବଢ଼ି ବଢ଼ି ଚାଲିଚି-। ପଢ଼ିଲା ବେଳକୁ ଠିକ୍ Automatic writing ପରି ଲାଗୁଚି । ପ୍ରାୟ ବାରଟା ରାତିରେ ନିଦରୁ ଉଠି ମୁଁ ଯେ ଆପଣାର ଦିନଶେଷ କର୍ତ୍ତବ୍ୟଟା ସମ୍ପନ୍ନ କରିପାରିଲି, ତାହାହିଁ ବଡ଼ ଗୌରବର କଥା । ଖାଲି ନିଦବେଳେ କାହିଁକି, ଜୀବନ ସକଳ ମୁହୂର୍ତ୍ତରେ ମୋର ସମସ୍ତ କାର୍ଯ୍ୟ, କଥା ଓ ଭାଷା ଏହିପରି ଏକ Automatic ସ୍ୱଭାବ ଅର୍ଜନ କରୁ, ଏହା ହେଉଛି ମୋର ଏକ ପ୍ରଧାନ ଆକାଙ୍‌କ୍ଷା-। ସତ୍ୟର ସ୍ୱରୂପ ବାହାର ଆଖିକୁ ଯେଡ଼େ କୁତ୍ସିତ ଓ ଅସଙ୍ଗତ ହେଉ ପଛକେ, ମୁଁ ସେହି ସତ୍ୟକୁ ହିଁ ପ୍ରକାଶ କରିବାକୁ ଚାହେ । ଯେଉଁମାନେ କାଳୀସାଧନା କରନ୍ତି, କାଳିଙ୍କୁ ପ୍ରସନ୍ନ କରିବା ଲାଗି କୁଆଡ଼େ ସେମାନେ ଆପଣାର ଦେହରୁ ମାଂସ କାଟି ତାଙ୍କୁ ଅର୍ପଣ କରନ୍ତି । ମୋର ସକଳ ମୋହାୟୋଜନ ଓ ସମସ୍ତ ସଜ୍ଜାକୁ ମୁଁ ସେହି ରଙ୍ଗବିହୀନ ସତ୍ୟଲାଗି ନୈବେଦ୍ୟ ବାଢ଼ିଦେବାକୁ ରାଜୀ ଅଛି ।

 

ମନ ଯେ ପର୍ଯ୍ୟନ୍ତ କୌଣସି ନା କୌଣସି ସୃଜନଧର୍ମୀ କାର୍ଯ୍ୟରେ ବ୍ୟାପୃତ ଅଛି, ସେତେବେଳ ପର୍ଯ୍ୟନ୍ତ ତା’ର ସୁଖ, ସମସ୍ତ ବିଶ୍ୱର ପରିପୂର୍ଣ୍ଣତାକୁ ଯେପରି ସେ ଆପଣାଭିତରେ ଭରାଇ ରଖିଚି । ସମ୍ମୁଖରେ ପ୍ରତିମା ଗଢ଼ିବାର ଉପକରଣ ନଥିଲେ ଶିଳ୍ପିଲାଗି ପ୍ରତିମା ଗଢ଼ିବାର ଏହି ଉପକରଣଟିକୁ ସବୁବେଳେ ସଜାଡ଼ି ଦେଇ ପାରୁନାହିଁ । ସେଥିଲାଗି ଉପଯୁକ୍ତ Release ନପାଇ ମନ କେବଳ ଆପଣାର ଜ୍ଞାନ ଭାରରେ ଦଗ୍‌ଧ ହୋଇ ମରୁଚି ।

 

୧୦.୩.୧୯୫୦

 

‘ସୂର ଥେମେଯାୟ ପାଛେ, ତାଇ ନାହି ଆସ କାନ୍ଥେ’,—ଗୁରୁଦେବଙ୍କ ଏଇ ଧାଡ଼ିଟି ହଠାତ୍ ମୋ’ ହୃଦୟର ଆସି ବସା ବାନ୍ଧିଚି । ମୁଁ ସବୁଦିନେ ଖୋଜୁଚି, ସମସ୍ତ ଅନ୍ତରର ଗ୍ଳାନି ଓ ଗୌରବର ନିବେଦନ ଦେଇ ତାହାରି ଦୁଆରେ ହାତ ବଢ଼ାଉଚି । ତଥାପି ତା’ର ଦେଖାନାହିଁ । କେବଳ ସ୍ୱପ୍ନର ଆଭାସରେ ତା’ର ରୂପମୟ ରାଗିଣୀ ମୋତେ ସତତ ସଚଳ ଓ ସସମ୍ଭାର କରି ରଖିଚି । ହୁଏତ ଯେଉଁଦିନ ତାକୁ ପାଇବି, ସେଦିନ ଏ ଖୋଜି ବୁଲିବାର ଅନ୍ତ ହୋଇଯିବ, ସେଦିନ ମୁଁ କାନ୍ଦିବାଲାଗି ଓ ଡାକିବାଲାଗି ଆଉ କୌଣସି ଉପଲକ୍ଷ୍ୟ ପାଇବିନାହିଁ । ବୋଧହୁଏ ସେଇଥିଲାଗି ସେ ପାଖରେ ଧରା ଦେବାକୁ ନାରାଜ । ଆପଣା ଅସଫଳ ବାସନାର ନିବେଦନକୁ ଏପରି ଏକ ସ୍ୱର୍ଗୀୟ ମାଧୁରୀରେ ପୃଥିବୀର ଅନ୍ୟ କେଉଁ କବି ସଜାଇ ପାରିଚି, ମୁଁ ସେକଥା ଜାଣେନାହିଁ । ତଥାପି ହଠାତ୍ ମନେ ହେଉଚି ଯେ, ବ୍ୟର୍ଥ ଜୀବନର ମୁହୂର୍ତ୍ତ ଗୁଡ଼ିକରେ ମଧ୍ୟ ଯେପରି ତାହାରି ସ୍ନେହପୂର୍ଣ୍ଣ ଦୃଷ୍ଟି ଅବଶ୍ୟ ପଡ଼ିଚି । କେବଳ ଅଭିସାର ରଚନା କରି, ବାର ବାର ହୁଡ଼ି, ବାର ବାର ଫେରିବାରେ ହିଁ ଏ ଜୀବନ ପୂର୍ଣ୍ଣ ହୋଇ ଉଠୁ । Lessing ଙ୍କ ସେହି ଦାର୍ଶନିକ ଉକ୍ତିଟା ଆଜି ଆପେ ଆପେ ମନେ ପଡ଼ିଗଲା : The pursuit of truth is more precious than truth tself—ସତ୍ୟଠାରୁ ସତ୍ୟର ଅନୁସନ୍ଧାନ ହେଉଚି ଅଧିକ ମଧୁମୟ-। ହେ ପଥିକ-ଦେବତା, ପଥ-ତଳର ସବୁ ଝୁଣ୍ଟାଝୁଣ୍ଟି ସହିବାର ବଳ ତୁମେ ଏହି ପଥିକ ପ୍ରାଣରେ ଭରାଇଦିଅ । ତୁମରି ଛତ୍ରକୁ ମୋ’ ଆଖିଆଗର ନୀଳନେତ କରି ମୁଁ କେବଳ ବାଟ ଚାଲିବି । ମୋତେ ତୁମେ ସେହି ଦୃଷ୍ଟି ହିଁ ଦିଅ !

 

୧୧.୩.୧୯୫୦

 

ଅତି ଧୀରେ, ଅତ୍ୟନ୍ତ ଧୈର୍ଯ୍ୟ ଓ ବିଶ୍ୱାସର ସହିତ ମୋତେ ଏହି ପଥରେ ଯାତ୍ରା କରିବାକୁ ହେବ । ହାତରେ ନପାଇ ଭାବୁଚି, ତାକୁ ପଛରେ ପକାଇ ଦେଇ ଆସିଲି; ଆପଣାର କସ୍ତୁରୀକୁ ଚିହ୍ନି ପାରୁନଥିବା ସେହି ହରିଣୀଟି ପରି ମୁଁ ବାର ବାର ପଛକୁ ଅନାଉଚି । ପୁଣି ଯେତେବେଳେ ଦୃଷ୍ଟି ଖୋଲିଯାଉଚି, ଯେତେବେଳେ ଚିହ୍ନିବାର ଶୁଭ ମୁହୂର୍ତ୍ତ ଆସି ପହଞ୍ଚୁଚି, ସେତେବେଳେ ଆପଣାକୁ କେଡ଼େ ନିର୍ବୋଧ ବୋଲି ମନେହେଉଚି । ସିଏ ଅତି ପାଖରେ, ଆପଣାର ମନଭିତରେ ରହିଚି, ଅଥଚ ମୁଁ ତାକୁ ପଥଧୂଳିର ଆବରଣ ଭିତରେ ଖୋଜିବୁଲୁଚି । ମନଶ୍ଚାରୀ ସେହି ବିରାଟକୁ ମୁଁ ଆଜି ଆପଣାର ପ୍ରଣତି ଜଣାଉଚି । ସେଇ ମୋତେ ଧୈର୍ଯ୍ୟ ଓ ବିଶ୍ୱାସରେ ଭରିଦେଉ ।

 

ଶାନ୍ତିନିକେତନ ଆଉ ଭଲ ଲାଗୁନାହିଁ, ଆଶ୍ରମ ଆତ୍ମାର ଚିରନ୍ତନ ଉଦ୍‌ବୋଧନଟି ପ୍ରତି ସମସ୍ତ ସମ୍ମାନ ରଖି ତଥାପି ମୁଁ ଏହି ସିଧା କଥାଟା କହିବାକୁ ବାଧ୍ୟ ହେଉଚି । ଏହି ସ୍ଥାନଟିକୁ ବର୍ତ୍ତମାନ ଆଶ୍ରମ ବୋଲି କହିଲେ ବଡ଼ ଭଲ ହେବ । ଭିତରର ତପଶ୍ଚର୍ଯ୍ୟା ଅପେକ୍ଷା ବାହାରର ଆକୃତି ଓ ଆୟୋଜନ ବଢ଼ାଇବାକୁ ଏଠାରେ ଆଜି ବଡ଼ ସଚେତ ଭାବରେ ଅଧିକ ଚେଷ୍ଟା ହେଉଚି-। ସମସ୍ତ ଦୁନିଆ ଏକ Sensate culture ପଛରେ ସମସ୍ତ ଦୈନ୍ୟର ଅଭିବ୍ୟକ୍ତି ନେଇ ଧାଇଁଚି । ଶାନ୍ତି ନିକେତନ ମଧ୍ୟ କଣ ସେହି ସ୍ରୋତରେ ଭାସିଯିବ ନା ଆପଣାର ମୂଳ ପ୍ରେରଣାଟିକୁ ସ୍ୱକୀୟ ପ୍ରତିଭା ଓ ପ୍ରଚେଷ୍ଟାଦ୍ୱାରା ଜଗତ ସମକ୍ଷରେ ଉତ୍ତୋଳିତ କରି ରଖିବ ? ସଂଶୟୀ ମନଟାକୁ ଏହି କଥା ହିଁ ବଡ଼ ଆନ୍ଦୋଳିତ କରିପକାଏ ।

 

୧୨.୩.୧୯୫୦

 

କେବଳ ବୀର ଯେ, ସେଇ ନୀରବତାରୁ ଲାଭବାନ୍ ହୋଇପାରେ । ଯାହାର ମନ ଦୁର୍ବଳ, ନୀରବତା ତାକୁ ଆହୁରି ଦୁର୍ବଳ କରିପକାଏ । ସବୁ ନିର୍ଭର କରେ ମନର ଶକ୍ତି ଉପରେ ।

 

କେତେପ୍ରକାର ଭ୍ରମୋଦ୍‌ଘାଟନ ଭିତରଦେଇ ମୋର ଆତ୍ମା ଆପଣାକୁ ପରିପୂର୍ଣ୍ଣ କରିଚାଲିଚି, କେତେ ଅପରିତୃପ୍ତ ଓ ହା’ହୁତାଶର ଅଭିନୟ ମଧ୍ୟଦେଇ ଏହି ବିକାଶର ଅଭିସାର ଚାଲିଚି । ସବୁ ଆସୁ ବା ସବୁ ଯାଉ ପଛକେ କିନ୍ତୁ ମନର ପ୍ରସନ୍ନତାଟିକକ ଅତୁଟ ରହିଥାଉ । ଜୀବନର ସିଂହାସନ ଉପରେ ଯେତେଦିନଯାଏ ମୁଁ ସବୁଠାରୁ ବଡ଼ ରାଜାକୁ ଅଧୀଶ୍ୱର କରି ବସାଇଚି, ଯେପର୍ଯ୍ୟନ୍ତ ତାହାରି ଇଚ୍ଛା ଉପରେ ଅଟଳ ନିର୍ଭର ରଖିପାରିଚି, ସେପର୍ଯ୍ୟନ୍ତ ମୋର ସକଳ ଦୁଃଖ, ଦହନ, ବିରହ ଓ ବିଚ୍ଛେଦ କେବଳ ମୋତେ ଆଗକୁ ହିଁ ନେଇ ଯାଉଥିବ । ଭଗବାନଙ୍କଠାରୁ ବିଚ୍ଛିନ୍ନ ହୋଇଗଲେ ମଣିଷର ଆଉ ରକ୍ଷା ନାହିଁ ।

 

ଆଜି ରାତି ନିଶ୍ଚୟ ସୁଖରେ କଟିବ । ଭାବନାର ଭାରକୁ ମୁଁ ଆହୁରି ହାଲୁକା କରିଦେବି-। ସ୍ୱତଃପ୍ରବୃତ୍ତ ହୋଇ ସହସ୍ର କର୍ମଭାରକୁ ଗ୍ରହଣ କରିଦେବି । ଜଗତକୁ ସଂଶୟ କରି ଆପଣା ପ୍ରତି ଆଉ ଅନ୍ୟାୟ କରିବି ନାହିଁ । ତେବେ ଯାଇ ମୋ’ରି ଜୀବନ ଭିତରଦେଇ ଜଗତ୍‌କର୍ତ୍ତାଙ୍କର ଇଚ୍ଛା ପୂରଣ ହୋଇପାରିବ ।

 

୧୩.୩.୧୯୫୦

 

କେବଳ ସାଗର ସହିତ ମିଳିତ ହୋଇଯିବା ନଦୀର ଧର୍ମ ନୁହେଁ, ସମୁଦ୍ରର ବିସ୍ତାର ଭିତରେ କେବଳ ଲୀନ ହୋଇଯିବା ସକାଶେ ନଦୀ ସାନୁରୁ ଆରମ୍ଭ କରି ସମତଳଯାଏ ଏପରି ବିଚିତ୍ର ପଥ ରଚନା କରି ଯାଏନାହିଁ । ଗତିପଥର ସମସ୍ତ ଖାଲ, ଗାତ ଓ ଆଶ୍ରୟକୁ ପୂର୍ଣ୍ଣ କରି ସେ ସାଗରକୁ ଧାଏଁ । ଆପେ ପୂର୍ଣ୍ଣ ହେବାର ପ୍ରକ୍ରିୟାରେ ସେ ସମସ୍ତଙ୍କୁ ପୁର୍ଣ୍ଣ କରିଦିଏ । ଖାଲି ସାଗରକୁ ହିଁ ଆପଣାର ଏକମାତ୍ର Occupation କରି ରଖୁଥିବା ନଦୀର ଜୀବନ ମୋର ନୁହେଁ । ଯେଉଁ ଅଦୃଶ୍ୟ ମହାଜୀବନର ଇଙ୍ଗିତ ମୋତେ ମୁହୂର୍ମୁହୂ ଉତ୍ସାହ ଦେଇ ଆଗକୁ ଟାଣିନେଉଚି ତାହାରି ସମୀପରେ ଯାଇ ପହଞ୍ଚି ପାରିବାର ସାଧନାପଥରେ ମୁଁ ଅନ୍ୟସମସସ୍ତଙ୍କୁ ବି ପୂର୍ଣ୍ଣ କରିଚି, ଆନନ୍ଦ ଦେବି । ମୋ’ ଧ୍ୟାନର ସେହି ଏକାନ୍ତମୂର୍ତ୍ତିମନ୍ତ ଆଦର୍ଶ ମୋ’ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଓ ସର୍ବଜନର ସମବେତ ସୋତପଥରେ ପ୍ରତିଫଳିତ ହେବ । ଜୀବନର ଶ୍ରେୟ ପଦାର୍ଥଟା ଠିକ୍ କେଉଁଭଳି, ମୁଁ ସେକଥା ଜାଣେନାହିଁ; କେବଳ ଏତିକି ଜାଣେ ଯେ ମଣିଷର ସକଳ ଆଶା ଓ ଆକାଙ୍‌କ୍ଷା ଏକ ଅନାଗତ ଶ୍ରେୟର ସ୍ୱପ୍ନମୂର୍ତ୍ତି ଗ୍ରହଣ କରି ମଣିଷକୁ ନିୟତ ତତ୍ପର କରି ରଖିଥାଏ । ସେଇ ହେଉଚି ମୋର ଶ୍ରେୟ, ସିଏ ମୋତେ ଶତ ଦୈନ୍ୟରେ ମଧ୍ୟ ପୁନଶ୍ଚରଣର କାନ୍ତି ଦେଇଯାଉଚି; ଶତ ବ୍ୟର୍ଥତାକୁ ଭୁଲାଇଦେଇ ଯିଏ ମୋତେ ନିତି ନବଜନ୍ମ ଦେଇଯାଉଚି । ସେହି ଶ୍ରେୟକୁ ଜୀବନରେ ମୋର ପ୍ରତ୍ୟେକ କ୍ଷେତ୍ରର ସ୍ୱପ୍ନରେ Realize କରିବି, ମୁଁ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ମଣିଷ ସହିତ ମୋର ବ୍ୟବହାରରେ ମୋର ସେହି ଶ୍ରେୟଟି ମଧ୍ୟ ବିକଶିତ ହୋଇଉଠିବ ।

 

୧୪.୩.୧୯୫୦

 

ଜୀବନଟାକୁ ଚାଖିଚାଖି ମଝିରେ ମଝିରେ ବଡ଼ କ୍ଳାନ୍ତ ଓ ବିରକ୍ତ ଲାଗୁଚି । ନାନା ଅଭିଜ୍ଞତା ମଧ୍ୟରେ ଆପଣାର ପାତ୍ରଟିକୁ ମୁହାଁଇଦେଇ ଜୀବନକୁ ସମୃଦ୍ଧ କରିବାର ଲାଳସା ଦିନେ ମୋତେ ଖୁବ୍ ଉତ୍ସାହ ଦେଉଥିଲା । କିନ୍ତୁ ସିଆଡ଼ୁ ଯେପରି କ୍ରମେ ମନ ଛାଡ଼ି ଆସିଲାଣି । କାରଣ ଓ ଅକାରଣରେ ସବୁକ୍ଷେତ୍ରର ସବୁ ଜାଣିବାରେ ତତ୍ପର ରହି ମସ୍ତିଷ୍କର ତନ୍ତୁଗୁଡ଼ାକ କ୍ରମେ ପୋକ ଖାଇଗଲା ପରି ଲାଗିଲାଣି । ଏଥର ଆପଣାକୁ ଅଜାଡ଼ି ଦେବାକୁ ହେବ, ଆଖିବୁଜି ଏଥର ଆପଣାର ନିର୍ବାଚିତ ପଥରେ ଉତ୍ସୃଷ୍ଟ ହୋଇ ପଡ଼ିବାକୁ ହେବ । ଆପଣା ମୋହ ଓ ଲାଳସାର ଘୁର୍ଣ୍ଣରେ ଘୁରିଘୁରି ବାହାରେ ଚଳମାନତାର ଭାଣ ଦେଖାଇବାକୁ କ୍ରମେ ଭାରି ବିରକ୍ତ ଲାଗିଲାଣି । ବିଧାତା ହୁଏତ ମୋତେ ଆଉ କେଉଁ ତୀର୍ଥଲାଗି ପ୍ରସ୍ତୁତ କରୁଚି । ହୁଏତ ଆଉ କେଉଁ ସମର୍ପଣର ବେଳ ଲାଗି ମୋ’ମନରୁ ସକଳ ପ୍ରକାର ଆଭରଣକୁ ଖସାଇଦେଇ କିଏ ଯେପରି ସୌମ୍ୟ କରିବାରେ ଲାଗିଚି। ଆପଣା ତନ୍ତୁର ଜାଲ ବୁଣି ଜୀବନପଥରେ ଯାଉଯାଉ ହୁଏତ ଅଜ୍ଞାତରେ ମୁଁ ଆପଣାକୁ ଆବଦ୍ଧ କରି ରଖିବାର ଚମତ୍କାର ଖୋସାଟିଏ ତିଆରି କରି ପକାଇଚି । ଯଦି ବିଧାତା ତା’ ଆପଣା କାର୍ଯ୍ୟଲାଗି ମୋତେ ପ୍ରକୃତରେ ନିର୍ବାଚିତ କରେ, ତେବେ ସେ ମୋତେ ତା’ର ଆପଣା ଉପାୟରେ ତାହାରି ଆହ୍ୱାନ ଲାଗି ଉନ୍ମୁକ୍ତ କରିଦେବ । ସେଦିନ ହୁଏତ ପ୍ରସନ୍ନ ଚିତ୍ତରେ ଦୁଆର ଖୋଲି ମୁଁ ତାହାର ବୋଲ ମାନି ଏଘରୁ ବାହାରି ଯାଇପାରିବି ।

 

୧୫.୩.୧୯୫୦

 

ଅନ୍ତରଗୁହାର କୃଷ୍ଣଗର୍ଭ ସେପାଖରୁ କାହାର ଉଦୟଜ୍ୟୋତି ପୁଣି ଆସି ଆଖିରେ ପଡ଼ିଲାଣି । ଜୀବନର ଭଙ୍ଗାଗଢ଼ା ଖେଳ ଖେଳୁଥିବା ହେ ମୋର ପରମପ୍ରିୟ ଦେବତା ଏହି ଜ୍ୟୋତିଲାଗି ତୁମେ ମୋ’ ନୟନକୁ ଅବାରିତ କରିରଖ । ମୋର ବିଭ୍ରଷ୍ଟ ସକଳ ପଥତକ ମୁଁ କ୍ରମେ ଫେରି ଆସୁଚି, ମୋର ଆଦର୍ଶ ଓ ବାସ୍ତବକୁ ତୁମେ ମୋର ତୃତୀୟ ନୟନର ସ୍ୱପ୍ନ ଦେ୍ଖିବାର ମିଳିତ କରିଦିଅ । ମୋତେ ପୁଣି ଯେପରି ବିଗତ ଦିନର ସେହି ଆତୁର ସନ୍ନ୍ୟାସରେ ଦହିହେବାକୁ ନପଡ଼େ ! ମୋର ଆଖିକୁ ତୁମେ ଠିକ୍ ଏହିପରି ଉନ୍ମୀଳିତ କରି ରଖିଥାଅ, ଏହିପରି ସର୍ବପ୍ରବିଷ୍ଟ କରି ରଖିଥାଅ । ଜୀବନଲୋଭୀର ବହୁଳ-ଅଭିଜ୍ଞତା-ବିକ୍ଷତ ମନଟିକୁ ଉତ୍ତୋଳିତ କରି ରଖି ମୁଁ ଆଜି ତୁମରି ଆସନତଳେ ପାର୍ଥନା କରୁଚି, ମୋର ସକଳ ଅନ୍ଧକାର ମଧ୍ୟରେ ତୁମେ ଏହି ଜ୍ୟୋତି ରେଖାଟିକୁ ଚିରନ୍ତନ କରି ରଖ । ସେହି ଜ୍ୟୋତିର ପ୍ରସାଦିତ ଫଳନରେ ମୋର ମୁହୂର୍ତ୍ତ ଓ ମୋର ଚିରକ୍ଷଣ ମଧୁମୟ ଓ ଉଦ୍‌ଭାସିତ ହୋଇଉଠୁ । ମୁଁ ହେଉଚି ତୁମରି ସାମ୍ରାଜ୍ୟର ଜଣେ, ମୋ ଆଖିରେ ତୁମରି ଆକାଙ୍‌କ୍ଷା, ଏ ରକ୍ତଧାରାରେ ତୁମରି ସ୍ରୋତ ଅନ୍ତରକୁ ପୂର୍ଣ୍ଣ କରି କେବଳ ତୁମରି ସ୍ୱପ୍ନ, ଆଜିର ଏହି ସମର୍ପଣକୁ ତୁମେ ସ୍ୱୀକାର କର ।

 

୧୬.୩.୧୯୫୦

 

ଆଜି ଷୋଳତାରିଖରେ କିଏ ଆସି କାନପାଖରେ ବାରବାର କହିଯାଉଚି, ତୋର ସମସ୍ତ ଆଶା ଓ ଅଭିଳାଷ, ତୋର ସମସ୍ତ ବ୍ୟଥା ଓ ବେଦନାକୁ ତୁ ଆପଣାର ଆରାଧ୍ୟ ଦେବତା ପାଖରେ ସମର୍ପଣ କରିଦେ । ତାକୁହିଁ ଦେଇ ନିଶ୍ଚିନ୍ତ ହୋଇ ପାରିଲେ ଯାଇ ତୋର ମନରେ ଜମା ହୋଇ ରହିଥିବା କୃଷ୍ଣ ମେଘପୁଞ୍ଜରୁ ବିଜୁଳିର ସୁବର୍ଣ୍ଣରାଗ ପ୍ରକାଶିତ ହୋଇପାରିବ । ଆଠବରଷ ତଳର ବନ୍ଧୁ ଆଜି ଆଖିଆଗରେ ସେହି ବିଜୁଳିର ପ୍ରତୀକ ହୋଇ ଝଲକିଯାଉଚି । ନୟନର ଦୃଷ୍ଟି ସୀମା ସେପାଖରୁ କେଉଁ ଶିଶୁ ମୋତେ ଇଙ୍ଗିତ କରି ଡାକୁଚି । ସେହି ଇଙ୍ଗିତକୁ ଅନୁଭବ କରିବା ମାତ୍ରକେ ମୋର ସମସ୍ତ ରୋଦନ ଓ ସମସ୍ତ ଶୋଚନା ବିପୁଳ ହର୍ଷରେ ଉଦ୍‌ଭାସିତ ହୋଇଉଠୁଚି । ମୋତେ ଏହି ଦୃଷ୍ଟିଟିକୁ ଧାରଣ କରି ରଖିବାକୁ ହେବ । ଅନେକ କାଳରୁ ହରାଇ ଖୋଜୁଥିବା ସମ୍ପତ୍ତି ଇଏ, ଏହାକୁ ପୁଣି ମୁରୁଛି ବସିବାର ମୁଗ୍‌ଧ ଆୟୋଜନ ମୁଁ ଆଉ କରିବିନାହିଁ । ଅନ୍ୟସକଳ ଦୁଆର ବନ୍ଦ କରି ମୁଁ କେବଳ ତାହାରି ମାଧୁରୀରେ ମଧୁବ୍ୟଞ୍ଜିତ ହେବି । ସକଳ କ୍ଷେତ୍ରର ହେ ମୋର ଶୁଭଙ୍କର ଦେବତା, ଆଜି ତୁମେ ହିଁ ମୋତେ ଶକ୍ତି ଦିଅ । ତୁମରି ଆଖିର ଦୃଷ୍ଟି ଦେଇ ମୋତେ ଉତ୍ତୋଳିତ କରିନିଅ ।

 

ବୋଧହୁଏ ସକାଳୁ ମୁଁ ଆହୁରି କିଛି ଗୋଟାଏ ଲେଖିବାକୁ ମନସ୍ଥ କରିଥିଲି, ତା’ର କ୍ଷୀଣ ସୂଚନାଟି ବର୍ତ୍ତମାନ ମନକୁ ଛୁଇଁପାରିବ । କିନ୍ତୁ ଅନ୍ଧାର ରାତିର ମେଘବିଜୁଳି ତଳେ ବର୍ତ୍ତମାନ ଘରକୁ ଫେରୁ ମୁଁ ଯାହା ପାଇଲି, ଏଠାରେ ତାହାହିଁ ନିବେଦନ କରିଦେଲି ।

 

୧୭.୩.୧୯୫୦

 

ନାନା କ୍ଷେତ୍ରର ନାନା ପରିଚୟ ଦେଇ ବିଧାତା ମୋତେ ତିଆରି କରି ଚାଲିଚି । ମୋର ହୀନତା, ମୋର ମଳିନତା, ମୋର ଦାରିଦ୍ର୍ୟ ଓ ମୋର ଦହନ ସବୁ ମୋତେ ନୂଆ ନୂଆ ପାତ୍ରରେ ଭରି ଭରି ଯାଉଚି । ଜାଣେନା, କେଉଁ ଆଶାୟୀ ଦେବତାକୁ ମୁଁ ହତାଶ ଓ ଅସଫଳ କରି ଦୁଆରମୁହଁରୁ ଲେଉଟାଇ ଦେଉଚି, ତା’ର ମୋ’ ଉପରେ ଏତେ ଲୋଭ ବା କାହିଁକି ରହିଚି ? ମୋ’ଜୀବନର ବାଷ୍ପକୁ ନେଇ ସିଏ କି ସ୍ୱପ୍ନର ମେଘ ରଚନା କରିଚି କେଜାଣି ? ଏହି ନୀରସ ମାଟିର ଗୋଡ଼ିବଛା ଆଉ କେବେ ସରିବ, ମୁଁ ଆଉ କେବେଯାଇ ତାହାର ଚକର ଯୋଗ୍ୟ ହୋଇପାରିବ ? ମୁଁ ଜାଣେ, ଘଡ଼ି ଘଡ଼ି କରି ନିରାଶା ଓ ବିପନ୍ନତା ପରେ ପୁଣି ଘଡ଼ିକଲାଗି କେଉଁ ଭବିତବ୍ୟର କେତେ ସାହସ ଓ ପ୍ରେରଣା ମୋର ଅନ୍ତରକୁ ଭରି ଦେଇଯାଏ, ପ୍ରାଣର ଫଟାଗୁଡ଼ାକରେ ପୁଣି ଯୋଡ଼ା ଲାଗିଯାଏ, କେଉଁ ବରଷାର ଜଳବିନ୍ଦୁ ପଡ଼ି ମୋର ସମସ୍ତ ପାତ୍ର ମଧୁ ସଞ୍ଚୟରେ ପୁଲକିତ ହୋଇଉଠେ, ମନର ଆକାଶେ କେତେ ଡାଳରେ କେତେ ଫୁଲ ଫୁଟିଯାଏ । ମନେହୁଏ, ସ୍ୱୟଂ ଭଗବାନ ଏଥର ଏହି କଂସପୁରରେ ଆସି ପ୍ରବେଶ କଲେ କି ? ଦିନର ସକଳ ନିବେଦନ ଦେଇ ମୁଁ ଯେଉଁ ରସଟିକକ ସଂଗ୍ରହ କରୁଚି, ମୋର ପ୍ରତ୍ୟେକ ରାତ୍ରି କଣ ତାକୁ ଫୁଲ କରି ଫୁଟାଇ ଦେବନାହିଁ ?

 

୧୮.୩.୧୯୫୦

 

ପଲାଶଡ଼ାଳରେ ଫୁଲ ଫୁଟିବାର ଉପକ୍ରମ ହେଉଚି, ତେଣୁ ଆଜି ତାହାର କୃଷ୍ଣବର୍ଣ୍ଣ ଥୁଣ୍ଟା ଡାଳଗୁଡ଼ାକ ଆଉ ମୋତେ ଭୟ ଦେଖାଇ ପାରିବନାହିଁ, ବେଳେବେଳେ ହଠାତ୍ ମନେହେଉଚି, କେତେ ରତ୍ନ ଆଶାକରି ଆସି ଗୋଟାଏ ଅନ୍ଧାର ଓ ବାଷ୍ପମୟ ଗୁମ୍ଫାଭିତରେ ମୁଁ ଯେପରି ପଡ଼ିଯାଇଚି । ଭଲକରି ଜାଣେ, ବାହାରେ କେତେ ଆଲୁଅ ଓ କେତେ ଫଲର ପ୍ରଦୀପ ଜଳୁଚି, ଅଥଚ ମୁଁ ଗୁମ୍ଫାର ବହାରକୁ ଯାଇପାରୁନାହିଁ । ଏପରି କାହିଁକି ହେଉଚି ? ଏହାଦ୍ୱାରା କେଉଁ ବିଧାତାର କେଉଁ ଉଦ୍ଦେଶ୍ୟ ପୂର୍ଣ୍ଣହେବ ? ଚିତ୍ତ ତୁ ତୋର Emotion ଓ intelligenceର ସମସ୍ତ ଦୋଷକୁ ମୁକ୍ତ କରିଦେ । ଜଣା ଅଜଣାରେ ତୁ ଯେତେ ସମ୍ପଦ ସଂଗ୍ରହ କରି ରଖିଚୁ, ସବୁଗୁଡ଼ାକୁ ସେହି ଉତ୍ତପ୍ତ କଡ଼ାଇରେ ପକାଇଦେ । ଶକ୍ତ ହୋଇ ଥରେ ପରୀକ୍ଷା କରି ଦେଖ, ସେ ସବୁକୁ ତରଳାଇ ତୁ ମନୋମତ କିଛି ତିଆରି କରିପାରୁଚୁ କି ନାହିଁ । ଲଢ଼ିଲାବେଳେ ଏହି ପୃଥିବୀରେ ତୁ ଅତ୍ୟନ୍ତ ଏକା, ତେଣୁ ଅପର ନାନା ଅପଚୟରେ ଆପଣାର ସମୟକୁ ଆଉ ନଷ୍ଟ କରି ଦେ’ନା । ଲଢ଼ିକରି ତୁ ଯାହା ପାଇବୁ, ହୁଏତ ତାହାହିଁ ସମସ୍ତଙ୍କର ହୋଇ ରହିବ । ସାଧନା ପୂରାପୂରି ତୋର ଏବଂ ତୋର ସିଦ୍ଧି ତୋତେ ବିଶ୍ୱଜନ ସହିତ ଏକତ୍ରିତ କରାଇଦେବ ।

 

ସମସ୍ତଙ୍କ ଲାଗି ରାତିଦିନ କରୁଥିବା ହେ କରୁଣାମୟ ବିଧାତା, ମୋର ରାତି କଣ ପାହିବନାହିଁ ? ତୁମରି ନୟନର କଣାଏ ମୋର ଏହି ନୟନଭିତରେ ରହି ମୋତେ ଛଟପଟ କରି ମାରିପକାଉଚି । ମୁଁ, ତୁମରି, ତଳକୁ ଦୃଷ୍ଟି କରି ମୋତେ ଚିରକାଳ ବଞ୍ଚି ଆସିବନାହିଁ । ତୁମେ ଯଦି ମୋତେ ଉପରକୁ ଅନାଇବାର ବେଦନା ସୁହାଇଚ, ତେବେ ସେହି ଉପରର କବାଟକୁ ଖୋଲି ପାରିବାଭଳି ଆହୁରି ବେଦନା ଓ ଆହୁରି ଆଶୀର୍ବାଦ ତୁମେ ମୋତେ ଦେଇଯାଅ ।

 

୧୯.୩.୧୯୫୦

 

ଦିନଯାକ ଆପଣାକୁ ବାନ୍ଧିବୁନ୍ଧି ମୁଁ କାମରେ ଲଗାଇ ଦେଉଚି । ମନର ଗହୀରରେ ଜ୍ଞାନର ଶସ୍ୟଦାନା ଖୋଜୁଖୋଜୁ ଦି’ପହରର ଏ ଖରାତାପ ମଧ୍ୟ ଖିଆଲରେ ପଶୁନାହିଁ । କିନ୍ତୁ ସେଇ ରତିଟା ହେଉଚି ଯେତେ ଅନର୍ଥର ମୂଳ । ରାତିର ଅନ୍ଧାର ଭିତରେ ଆପଣା ଅନ୍ଧାରର ଭୂତଟା ଯେପରି ମୋର ମନକୁ ଖାଇ ଗୋଡ଼ାଉଚି । ନିଜର ଅନ୍ତର ଦେବତାକୁ ମୁଁ କେତେ ଡାକୁଚି, ତଥାପି ପଥରର ପ୍ରତିମାରେ ଜୀବନ୍ୟାସ ଦେବାର ମନ୍ତ୍ରକୁ ମୁଁ ଏପର୍ଯ୍ୟନ୍ତ ଉଚ୍ଚାରଣ କରି ଶିଖିଲିନାହିଁ-। ତନ୍ତ୍ର ମୁଁ ଅନେକ ଜାଣିଚି; ୟାଭିତରେ ମୁଁ ଅନେକ ପଥ ଓ ଅନେକ ମତ ବିଷୟରେ କେତେକେତେ ଜ୍ଞାନ ଅର୍ଜନ ବି କଲିଣି । କିନ୍ତୁ, କେବଳ ମନ୍ତକୁ ଜାଣିଲେ କଣ ଉଚ୍ଚାରଣ କରିବାର କଳା ଅର୍ଜନ କରିବା ସମ୍ଭବ ହୁଏ ? ସେହି ବାସନାଟି ମୋତେ କିଏ ଦେବ ? କେଉଁ ସକାଳ, କେଉଁ ପକ୍ଷୀଡ଼ାକ ଓ କେଉଁ ଗଛର ଫୁଲଫୁଟା ମୋ’ ଲାଗି ଯେ ସେହି ଆଶୀର୍ବାଦକୁ ବହନ କରି ଆସୁଚି, ମୁଁ ସେ କଥା କିପରି କହିବି ?..... ଏହି ଖାତାରେ ପଦେ ପଦେ ଆଶାର ବାଣୀ ଲେଖି ମୁଁ ଆଉ ନିଜ ପ୍ରତି ଅନ୍ୟାୟ କରୁନାହିଁ ତ, ନିଜ ଜୀବନର କଣ୍ଟକପଥକୁ ମୁଁ କଳ୍ପନାର ଅଳସ ସ୍ୱାଦରେ ଶସ୍ତା କରି ପକାଉ ନାହିଁତ ? ମୋର ପ୍ରତ୍ୟେକଟି ପଦ କଥା ମୋର ବିନ୍ଦୁ ବିନ୍ଦୁ ଆଖି ଜଳକୁ ଆହୁରି ପୂର୍ଣ୍ଣ କରୁ, ଆହୁରି ସାର୍ଥକ କରୁ, ମୋର ପ୍ରତ୍ୟେକଟି କୋହ ଆହୁରି ଦହନଦ୍ୱାରା ମୋ ଅନ୍ତରର ଦୀପ୍ତିକୁ ପ୍ରକାଶିତ କରିପାରୁ । ମୋର ଶୁଭଙ୍କର ଦେବତା ପାଖରେ ମୁଁ ଏତିକି ପ୍ରାର୍ଥନା କରି ରଖୁଚି । ସମସ୍ତ କଷ୍ଟ ଓ ସମସ୍ତ ଜ୍ୱାଳାକୁ ହଜମ କରି ମୁଁ ତାହାରି ଜ୍ୱାଳାର ଯୋଗ୍ୟ ହେବି, ସମସ୍ତ ବାସନାର କଣ୍ଟାରେ ବିଦ୍ଧ ହୋଇ ମୁଁ ତାହାରି ବାସନାର ରଙ୍ଗରେ ଆପଣାର ଫୁଲ ଫୁଟାଇବି ।

 

Unknown

ମୁଁ କଣ କେବଳ ସମୟ ନଷ୍ଟ କରି ଚାଲିଚି ? ଜାଣେନା, ସମୟର ସଦ୍‌ବ୍ୟବହାର କରିଥିଲେ ମୁଁ ଆଉ କେଉଁସବୁ କାମ ହାସଲ କରି ପାରିଥାନ୍ତି ? କଣ୍ଠତଳେ ଯାହା କେବଳ ଏକ ଦୁରନ୍ତ ଆଶା ହୋଇ ରହିଗଲା, ପ୍ରସନ୍ନ ଜୀବନର ଆନନ୍ଦମୟ ସୃଷ୍ଟି ମଧ୍ୟଦେଇ ଯାହା ପ୍ରକାଶିତ ହୋଇ ପାରିଲାନାହିଁ, ସେଥିଲାଗି ଶୋଚନା କରି ମୁଁ ଆଉ ମୋ’ ଦୁଃଖର ଅପମାନ କରିବିନାହିଁ । ମୋର ଉଚିତ ଓ ଅନୁଚିତକୁ ବୁଝୁଥିବା ଦେବତା ପାଖରେ ମୁଁ ଏତିକି ମିନତି କରି ରଖୁଚି, ମୋର ସକଳ କ୍ରନ୍ଦନକୁ ମୁଁ ଯେପରି ତାହାର ଆସନ ପର୍ଯ୍ୟନ୍ତ ଉତ୍ତୋଳିତ କରିରଖେ, ମୋର ସକଳ ହରାଇବା ଭିତରେ ଯେପରି ତାହାକୁହିଁ ହରାଇବାଟାକୁ ମୁଁ ପଳେ ପଳେ ଅନୁଭବ କରିପାରେ ମୋତେ ସେ ସେହି ଶକ୍ତି ଦେଇଯାଉ । ମୋ’ ଆଖିରେ ଆନନ୍ଦ ଭରାଇ ଦିନେ ସେ ମୋର ସକଳ ଆନନ୍ଦ ଭିତରେ ତାହାରି ଆନନ୍ଦମୟ ରୂପର ସୂଚନା ଦେଇଚି । ମୋର ଆଖିରେ ଆଲୋକ ଭରିଦେଇ ଦିନେ ସେ ସକଳ ଆଲୋକ ଭିତରେ ତାହାରି ଆଲୋକର ଉଦ୍ଦୀପନା ସୃଷ୍ଟି କରିଚି । ଆଜି ମୋର ପ୍ରାଣ ଯେତେବେଳେ ନାନା ବାସନାରେ କ୍ଷିପ୍ତ ହୋଇପଡ଼ିଚି, ସିଏ ମୋତେ କେବଳ ତାହାରି ବାସନାରେ ବ୍ୟାକୁଳ କରିରଖୁ ।

 

୨୦.୩.୧୯୫୦

 

ମୋର ସକଳ ପ୍ରାଣ ଓ ମନକୁ ଭରାଇ ଆଜି ପୀଡ଼ନେ ପଶମ ପ୍ରଶାନ୍ତି ବିରାଜମାନ କରୁଚି । କାଲି ରାତିର ଧୂମାଳ ସହିତ ମୋର ସମସ୍ତ ବାଷ୍ପ ମଧ୍ୟ ଶୀତଳ ହାଉଆ ହୋଇ ମିଳାଇ ଯାଇଚି । ଅନୁଶୋଚନାର ଉତ୍ତପ୍ତ ଆକୁଳତା, ଅଶ୍ରୁଜଳର ବର୍ଷଣଧାରା ରୂପେ ତଳକୁ ନଇଁଆସିଚି । ଆଜି ସବୁ ସୁନ୍ଦର, ସବୁ ମଧୁମୟ । ଏହି ମଧୁମୟ ରୂପଟିର ଦର୍ଶନ କରାଇଦେବା ଲାଗି ମୋତେ ଯେପରି କିଏ ଆଜିଯାଏ ପ୍ରସ୍ତୁତ କରି ରଖୁଥିଲା !

 

ହଠାତ୍ ଭାବିବସିଚି ଭିତରେ ତ କେଉଁଠି କିଛି ଖାଲି ନଥିଲା, ତେବେ ମୁଁ ନିଜର ପିପାସିତ ଓ କ୍ଷୁବଧ ପ୍ରାଣଟାକୁ ନେଇ ଶୂନ୍ୟତାର myth ଗଢ଼ିବାରେ ଲାଗିଥିଲି କାହିଁକି ? ଆପଣାର ଦୃଷ୍ଟିକୁ ଠିକ୍ ରଖିପାରିଲେ ଜଗତର ସକଳ ଆଧାରକୁ ପୂର୍ଣ୍ଣ କରି କେବଳ ସୁନ୍ଦର ହିଁ ପ୍ରକାଶିତ ହୋଇ ଉଠିବ । ମୋର ଦୃଷ୍ଟି ମଧ୍ୟ ସେହିପରି ସୁନ୍ଦର ହେଉ ! ମଣିଷର ସ୍ନେହ, ପ୍ରେମ ଓ ସୋହାଗ ପାଇବାଲାଗି ମୁଁ ଆପଣାକୁ ସମର୍ପି ଦେବାର ବଣିଜ ଆରମ୍ଭ କରିଦିଏ !

 

କାଲି ରାତିଯାକ ନିଜକୁ କି ଭାରି ନ ଲାଗିଚି ! ହୃଦୟ ଉପରେ ରହିଥିବା ଏହି ଅକାରଣ ପାଷାଣଭରାକୁ ଦେଖି ରାତିର ଦେବତା ମଧ୍ୟ ଯେପରି ମୋ’ ଦୁଆରୁ ଲେଉଟି ଯାଇଚନ୍ତି ।

 

୨୧.୩.୧୯୫୦

 

ଆଜି ଦିନଟା ଭିତରେ ଧାଡ଼ିଏ ସୁଦ୍ଧା ଲେଖି ପାରିଲି ନାହିଁ । ଗତ କେତେଦିନ ହେଲା ନିୟମିତ ବେଗରେ ଲେଖିବାର ଯେଉଁ କାମଟି ଚାଲି ଆସୁଥିଲା, ହଠାତ୍ ଆଜି ସେଥିରେ ବ୍ୟାଘାତ ଘଟିଲା । ପୁଣି କାଲିଠାରୁ ପୂର୍ଣ୍ଣ ଶକ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ହେବ । ଲେଖାଟି ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ମୋତେ ଆପଣାର ଅନେକ ଆମୋଦ ଓ ଇଚ୍ଛା ଲାଳସାକୁ ବାନ୍ଧି ରଖିବାକୁ ହେବ ।

 

ଦିନଟି ବେଶ୍ ଚାଲିଯାଇଚି । ମୁଣ୍ଡ ଭାରି ହାଲୁକା ଲାଗୁଚି । ରୁଗ୍‌ଣ କଳ୍ପନାଗୁଡ଼ାକର ବୋଝରେ ଦୁଇଦିନ ତଳେ ମୁଁ ମୋର ସମସ୍ତ ମସ୍ତିଷ୍କକୁ ନିର୍ଯାତିତ କରି ରଖିଥିଲି । ଜାଣେନା, ଆଜି କାହାକୁ ପାଇ ସେହିସବୁ ଯାତନା ଦୂରୀଭୂତ ହୋଇଯାଇଚି । ଆଜି ହୃଦୟର ଦୁଆର ସ୍ୱାଭାବିକ ଭାବେ ଉନ୍ମୁକ୍ତ ରହିଚି, ତେଣୁ ଆଜିର ଦେବତାକୁ ଆଉ ନିରାଶ ହୋଇ ଫେରିଯିବାକୁ ପଡ଼ିବନାହିଁ ।

 

ଧୈର୍ଯ୍ୟଚ୍ୟୁତି ସକାଶେ ନାନା ପ୍ରସଙ୍ଗର ଅବତାରଣା କରି ଭଗବାନ୍ ମୋର ଧୈର୍ଯ୍ୟର କରୀକ୍ଷା କରୁଚନ୍ତି । ତେଣୁ ଏସବୁକୁ ମୁଁ ତାଙ୍କରି କରୁଣା ବୋଲି ମାନିନେଉଚି । ନିଜର ଜ୍ଞାନ ଓ ବିବେକର ପରାକ୍ରମ ଦେଖାଇବାର ବାନରୀ ବୃତ୍ତି ମୁଁ ଆଉ କରିବିନାହିଁ । ଯିଏ ଆପଣାର ସବୁ ସମର୍ପଣ କରିଦେଇ ଆପେ ସରୁଆ ହୋଇପାରିବ, ତାହାରି ଧାରାକୁ ପ୍ଳାବିତ କରି ପରମ କଲ୍ୟାଣ ଓ ଆନନ୍ଦର ପ୍ଳାବନ ନିଶ୍ଚୟ ସମ୍ଭବ ହୋଇପାରିବ । ମୁଁ ଆପେ ସରୁଆ ହୋଇପାରିଲେ ଯାଇ ସଭିଙ୍କର ମନଭିତରେ ପ୍ରବେଶ କରିପାରିବି । ମୋ’ରି ମଧ୍ୟଦେଇ ପରିପୂର୍ଣ୍ଣତାର ଏହି ପ୍ରୟୋଗ ଚଳାଇଥିବା ଦେବତା ମୋତେ ସରୁଆ କରିଦେଉ ।

 

୨୨.୩.୧୯୫୦

 

ଦିନପରେ ଦିନ ଚାଲିଯାଉଚି, ତଥାପି ଚିତ୍ତର ସେହି ସମାନ ପ୍ରବୃତ୍ତିଗୁଡ଼ାକୁ ନାନାଭାବେ ବାରବାର ଦୋହରାଇବା ଛଡ଼ା ତ ମୋ’ ଜୀବନରେ ଆଉ କିଛି ହୋଇ ପାରୁନାହିଁ ! ସେଇ ଭ୍ରମ ଓ ସେଇ ଭୁଲ ସେଗୁଡ଼ାକୁ ବୁଝି ପୁଣି ଦୁଇ ମୁହୂର୍ତ୍ତ ସତର୍କ ହେବା, ପୁଣି ଭୁଲି ପୁଣି ଭୁଲ କରି ବସିବା, ଏମିତି ଗୋଟାଏ ଦୋହରା ଚକରେ ଘୁରୁଘୁରୁ କ୍ଳାନ୍ତି ଅନୁଭବ କରିବାଲାଗି ନିଶ୍ଚୟ ଅନେକ ଅବକାଶ ରହିଚି । ତେବେ ମୁଁ ବଢ଼ୁଚି କିପରି, ମୁଁ ଆଗକୁ ଚାଲିଚି ବା କିପରି ? ହୁଏତ ନାନା ପ୍ରସଙ୍ଗରେ ସେଇ ଗୋଟାଏ ଜାଲକୁ ବିଛାଇ ଦେଇ ମୁଁ ସେଥିରେ ଆପଣାକୁ ଛନ୍ଦି ପକାଉଚି, ନାନା ଦହନ ଓ ଦୈନ୍ୟ ପରେ ଯେତେବେଳେ ଶୁଭ ବେଳାରେ ତାହାର ଆଭାସ ଆସି ଚିତ୍ତବେଳାକୁ ସ୍ପର୍ଶ କରୁଚି, ତଦ୍ଦ୍ୱାରା ଯେପରି ଜୀବନର ଆଉଗୋଟାଏ ପରସ୍ତ ଖୋଲିଯାଉଚି । ହୁଏତ ବାରବାର ଫେରି ଆସିଲେ ତେଣେ ହୃଦୟର ଗୋଟିଏ ଲେଖାଏଁ ପାଖୁଡ଼ା ଖୋଲିଯାଉଚି, କିନ୍ତୁ ପ୍ରସ୍ଫୁଟନର ଦୀର୍ଘସାଧନା-ପଥରେ ଯେ କେଉଁ ସହସ୍ରଦଳ ପଦ୍ମ ଆପଣାକୁ ଏହିପରି ପାଖୁଡ଼ା ପାଖୁଡ଼ା କରି ଫୁଟାଇ ଫୁଟାଇ ଚାଲିଚି, କେବଳ ଦୁଇଟା ଆଖିରେ ସେହି ଲୀଳାକୁ ମୁଁ କିପରି ପ୍ରତ୍ୟକ୍ଷ କରି ପାରିବି ? ତେଣୁ ପାଖୁଡ଼ା ଖୋଲିବାର ପୁନରାବୃତ୍ତି ହେଉଚି ସତ, ମାତ୍ର ତାହା ସହିତ ଚିତ୍ତକଳିର ପରିପୂର୍ଣ୍ଣ ବିକାଶଟି କ୍ରମେ ପାଖହୋଇ ଆସୁଚି । ମୁଁ ଏହିପରି ଭାବରେ ବଢ଼ୁଚି ।

 

୨୩.୩.୧୯୫୦

 

ହଠାତ୍ ବସି କଅଣ ଲେଖିବି, ମୁଁ ସେଇଆ ଭାବୁଚି । ମୋର ଜୀବନ ଉପରେ ଆଜିଦିନଟି କେବଳ ଏକ ନଦୀସ୍ରୋତ ପରି ବହିଯାଇଚି ଆପଣା ଭବୋଦ୍‌ବେଗଗୁଡ଼ିକର ଢିପଢ଼ାଲୁମାନଙ୍କରେ ମୁଁ ଏପର୍ଯ୍ୟନ୍ତ ତାହାର କିଙ୍କିଣୀନୃତ୍ୟ ଶୁଣିବାକୁ ପାଉଚି । ଆଜି ଅନେକଦିନ ପରେ ଗୋଟାଏ ସାର୍ଥକ ଦିନ ବଞ୍ଚିବାର ସୁଯୋଗ ପାଇଲି । ଯେଉଁଦିନର ପ୍ରତ୍ୟେକଟି ମୁହୂର୍ତ୍ତର ମଧୁମୟ ହୋଇଉଠେ, ମୁହୂର୍ତ୍ତ ମୁହୂର୍ତ୍ତର ଘଟଣା ମଧ୍ୟଦେଇ ତାହାକୁ ଚିହ୍ନିରଖିବା ଆଉ ସମ୍ଭବ ହୁଏନାହିଁ । ଆଜି ସମଗ୍ର ଦିନଟି ମନର ନୟନଉପରେ ଗୋଟିଏ focus ହୋଇପଡ଼ୁଚି ! ଚତୁର୍ଦ୍ଦିଗର ବିବିଧ ଆଲୋକକୁ ଆପଣାଉପରେ ଯଥାର୍ଥଭାବେ ପ୍ରତିଫଳିତ କରି ମୁଁ ଧନ୍ୟ ହୋଇଚି-। ଆଲୋକସ୍ପର୍ଶର ଏହି ଆନନ୍ଦରେ ଚକ୍ଷୁର ଦୃଷ୍ଟି ମଧ୍ୟ ଧୌତ ହୋଇ ଯାଇଚି ।

 

ଜୀବନର ସମସ୍ତ ସମସ୍ୟା ବର୍ତ୍ତମାନ ଫୁଲଫୁଟା ଗଛର କଣ୍ଟାପରି ସଫଳ ହୋଇ ଗଲାପରି ଲାଗୁଚି, କାଲିର ବୋଝକୁ ଆଜିର ଭୂଷଣ କରି ଅନ୍ତର ଭିତରଟା ଯେପରି ଉଲ୍ଲସିତ ହୋଇ ଉଠୁଚି । ସେଥିଲାଗି ଦିନଶେଷରେ ଜୀବନର ଦେବତାକୁ ମୁଁ ପ୍ରଣତି ଜଣାଉଚି । ସମସ୍ତ ଜୀବନକୁ ସେ ଏହିପରି ଆନନ୍ଦ ଓ ସନ୍ତୋଷରେ ଭରାଇ ରଖୁ, ଏପରି କହିବାର ଦମ୍ଭ ମୁଁ କଦାପି କରି ବସିବିନାହିଁ । ମୋର କେବଳ ଏତିକି ମାଗୁଣି ଯେ ସମସ୍ତ ଦୁଃଖ, ଦୁରାଶା ଓ ଦହନ ଭିତରେ ସେ ମୋତେ ଏହି ସନ୍ତୋଷଟିକୁ ଚିହ୍ନିପାରିବାର ଶକ୍ତି ଦେଉଥାଉ । ଜୀବନରେ ଦୁଃଖହୀନ ଅଳସ, ଶାନ୍ତି ମୁଁ ଆଦୌ ଚାହେନାହିଁ । ମୋର ଦୁଃଖ ହେଉଚି ମୋର ସମସ୍ତ ଶାନ୍ତି ଓ ସମସ୍ତ ପରିଚୟ ଲାଭର ଆବାହନ-ସଂଗୀତ । ତେଣୁ ସେହି ଦୁଃଖ ହିଁ ମୋ’ ଜୀବନରେ ସଫଳ ହେଉ ।

 

୨୪.୩.୧୯୫୦

 

ଆପଣାର ଶୃଙ୍ଖଳାଦ୍ୱାରା ବାହାରକୁ ଯେତିକି ବନ୍ଧାହୋଇ ପାରିବ, ଭିତରର ଦୁଆର ସେତିକି ଖୋଲିବ । ଭିତରର ସେହି ଅସାଧାରଣ ବାସନାଟି ଉଦ୍ରେକ କରିବାକୁ ହେଲେ ବାହାରର ସକଳ ଅସ୍ୱାଭାବିକତାକୁ ଅତିକ୍ରମ କରିବାକୁ ପଡ଼ିବ । ବାହାରେ ଆପଣା ଶୃଙ୍ଖଳାର ଉଦ୍ୟାନ-ବେଢ଼ା ତିଆରି କରି ପାରିଲେ ଭିତରର ଫୁଲଗଛଟି ସ୍ୱାଭାବିକ ଭାବରେ ବିକଶିତ ହୋଇପାରିବ । ବାହାରର ଆରାମଲାଗି ଯିଏ ସତତ ଅବନତ ଓ ଲାଳସ ହୋଇ ରହିଥାଏ, ଆପଣା ଭିତରର ଯଥାର୍ଥ ଉନ୍ମୋଚନକୁ ସେ ବାରିତ କରି ରଖିଥାଏ, ଆପଣା ହୃଦୟକୁ ସେ ନାନା ଅକାରଣ ଶୋଚନାରେ ସେତିକି ବାନ୍ଧିପକାଏ । ଇତିହାସ ତିଆରି କରିଥିବା ମହାତ୍ମାମାନେ ନିଜ ନିଜର ଜୀବନ ମଧ୍ୟଦେଇ ଆମକୁ ଏହି ଦୃଷ୍ଟାନ୍ତ ଦେଖାଇ ଯାଇଚନ୍ତି । ବାହାର ନାଳୀ ଯେତିକି ଫିଟିବ, ଏତେ ଭିତରର ଧାରାଟା ସେତିକି କ୍ଷୀଣ ହୋଇଯିବ ।

 

ରାତି ପ୍ରାୟ ଏଗାରଟା ହୋଇଯିବଣି । ଅନେକଦିନ ହେଲା ପ୍ରାୟ ସାଢ଼େ ନଅଟା ବେଳକୁ ଶୋଇ ପଡ଼ିବାର ଅଭ୍ୟାସ କରିନେଇଚି । ସକାଳର କୁଆଁ ତାରା ଦିଗ୍‌ବଳୟରେ ଠିକ୍ ଦେଖାଦେଲା ମାତ୍ରକେ ତାହାକୁ ଚାହିଁଦେଇ ମୋର ନିଦ ଭାଙ୍ଗୁଚି । କୌଣସି କାରଣରୁ ଆଜି ଟିକିଏ ବ୍ୟତିକ୍ରମ ଘଟିଲା । ବିଛଣା ଧରିବାରେ ଆଉ ଅଧିକ ଡେରି କରିବିନାହିଁ । ମୋ’ ନିଦ୍ରାର ଅଧିଷ୍ଠାତା ଦେବତା ମୋତେ କାଲିପାଇଁ ଫୁଲଟିଏ କରି ଫୁଟାଇବାର ଆୟୋଜନ ଆରମ୍ଭ କରିବ । ନିଜର ସମସ୍ତ ଡାଳ ପତ୍ରକୁ ସଙ୍କୁଚିତ କରିଆଣି ମୁଁ ନିଜ ଭିତରେ ତାହାରିଲାଗି ଅପେକ୍ଷା କରି ରହିବି ।

 

୨୫.୩.୧୯୫୦

 

ଆଜି ମଧ୍ୟ ରାତି ଏଗାରଟାରୁ ବଳିଗଲାଣି । ପ୍ରାୟ ଦିନ ଚାରିଟାବେଳୁ ବାହାରେ ବାହାରେ ଥାଇ ମୁଁ ବର୍ତ୍ତମାନ ଘରକୁ ଫେରୁଚି । ତେଣୁ ଆପଣାର ବାସଘରଟା ହଠାତ୍ ଗୋଟାଏ ସରାଇଖାନା ପରି ଲାଗୁଚି । ଏ ଘରେ ମୁଁ ଯେପରି କେବଳ ଗୋଟାଏ ରାତିର ଆଶ୍ରୟପ୍ରାର୍ଥୀ ପଥିକ ମାତ୍ର ! ଦିନଯାକର କାମନା ଓ ଭାବନାମଧ୍ୟରେ କେତେ କଥା ଓ କେତେ ଲୋକ ମୋର ଦୃଶ୍ୟମାନ ହୋଇଉଠନ୍ତି, ସେସବୁର ଧଳାକଳା ଓ ଭଲମନ୍ଦ ବାରୁବାରୁ ରାତିର ଏହି ଆଶ୍ରୟଟିର କଥା ମୋର ମନେ ହିଁ ପଡ଼େନାହିଁ । ସନ୍ଧ୍ୟାର ଅନ୍ଧକାରରେ ଦୃଶ୍ୟମାନ ଜଗତ କ୍ରମେ ଏକାକାର ହୋଇଯାଏ । ସେତିକିବେଳେ ଆପଣା ଘରର ଆଲୁଅଟି ମଧ୍ୟରେ ଯେପରି ସମଗ୍ର ବିଶ୍ୱ ପ୍ରତିଭାତ ହୋଇଉଠେ, ଗୋଟିଏ ଥାନରେ ବସି ନୀରବ ନୟନପାତରେ ମୁଁ ଯେପରି ସଭିଙ୍କୁ ଦେଖିବାକୁ ପାଏ, ମୋର ସବୁ ହଜାଧନର ସାନ୍ନିଧ୍ୟ ହୁଏ ଏହି ଆପଣାର ଘରଟି ଭିତରେ । ଜାଣେନା, ପ୍ରତ୍ୟେକଦିନ ଏହି ସମ୍ପୂର୍ଣ୍ଣ ପରିଚୟଟି ମୋତେ କେଉଁ ଦେବତାର ଅନୁଗ୍ରହ ପ୍ରାପ୍ତ କରାଇ ଦେଇଯାଏ । ବାହାରର ତାଡ଼ନାରେ କ୍ଷିପ୍ତ ବା କ୍ଷୁବ୍‌ଧ ମୋର ମନ ହଠାତ୍ ଏଇଠାକୁ ଆସି ହିଁ ଅଗାଧ ଜଳର ଆଶ୍ରୟ ପାଏ; ବୁଡ଼ି ରହିବାର ପ୍ରଶସ୍ତ କୋଳ ପାଏ ।

 

ଉପରେ ଯାହାସବୁ ଲେଖିଗଲି, ତାହାର ଅର୍ଥ ଯେ ପ୍ରକୃତରେ କେତେ ଦୂର ବ୍ୟାପୀ, ତାହା ମୁଁ ହଠାତ୍ ଖିଆଲ କରି ପାରୁନାହିଁ । ହୁଏତ ଆଉଦିନେ ଆଜିଦିନଟିର ଲିପିକୁ ମୁଁ ଯେତେବେଳେ ପଢ଼ିବସିଚି, ସେତେବେଳେ ଯାଇ ଏହି ଶାନ୍ତ ସମାହିତ ଓ ଗୃହମୁଖ ମନଟିକୁ ଯଥାର୍ଥରୂପେ ଚିହ୍ନିବାକୁ ସମର୍ଥ ହେବି । ମାତ୍ର ଆଜି ମୁଁ କେବଳ ଏହି ଶାନ୍ତିଟିକୁ ହିଁ ଉପଭୋଗ କରିବି, ଅଶାନ୍ତଭାବେ ତାହାର ଶିରାପ୍ରଶିରା ନିରୀଖି ମୁଁ ମୁହୂର୍ତ୍ତଟିକୁ ନଷ୍ଟ କରି ଦେବିନାହିଁ ।

 

୨୬.୩.୧୯୫୦

 

ଏକା ଏକା ଆଜି ଭାରି ଭଲ ଲାଗୁଚି । ଆତ୍ମଦୀପୋ ଭବଆପେ ଆପଣାକୁ ଦୀପଟିଏ କରି ଜଳାଇଦିଅ,—କଠୋର ବୈରାଗ୍ୟପନ୍ଥାର ଦ୍ୟୋତକ ବୋଲି କହି ନିନ୍ଦା କରାଯାଉଥିବା ଗୌତମ ବୁଦ୍ଧଙ୍କର ଏହି ଉକ୍ତିଟିର ଏକ ସରସ ଅର୍ଥ ଆଜି ପାଇଥିଲାପରି ଲାଗୁଚି । ଆପେ ଆପଣାକୁ ଗୋଟିଏ ଦୀପର ଶିଖାପରି ଜଳାଇଦେଇ ପାରିଲେ ହିଁ ଆପଣା ଭିତରେ ଦେବତାଯୋଗ୍ୟ ଶ୍ରଦ୍ଧା ସମ୍ଭବ ହୋଇପାରିବ । ଯାହାର ଅନ୍ତରଘରେ ଏହି ଦୀପଟି ଜଳିପାରିବ, କେବଳ ତାହାର ଅନ୍ଧାରୁଆ ଅର୍ଗଳିଗୁଡ଼ାକ ହିଁ ଫିଟିଯାଇ ପାରିବ, ତାହାରି ଜୀବନରେ ହିଁ ଇପ୍‌ସିତ ଦେବତାର ଅବତାର ସଂଘଟିତ ହେବ ।

 

ଆତ୍ମୋପଲବ୍‌ଧିର ସାଧନାପଥରେ ମଣିଷ ପ୍ରକୃତରେ ଏକାକୀ । ଏହି ମନ୍ଦିରରେ ମଣିଷଭିଡ଼ର କୌଣସି ଆବଶ୍ୟକତା ନାହିଁ । କେବଳ ଏକାକୀ ଓ ଏକାନ୍ତ ହୋଇ ଆପଣାର ବାସନାଗ୍ନି ଦ୍ୱାରା ଆପଣାକୁ ଯଥାର୍ଥ ରୀତିରେ ଦଗ୍‌ଧ କରି ପାରିଲେ ଆପଣାର ସ୍ୱାଭାବିକ ମାର୍ଗଟି ଦୃଶ୍ୟ ହୋଇଯିବ । ସଂସାର କେବଳ ପ୍ରେରଣା ଦେବ, ସାହସ ଦେବ, ଆଖିରୁ ଲୁହ ପୋଛିଦେବା ଲାଗି ହାତରେ ବଳ ଭରିଦେବ, କିନ୍ତୁ ବାଟଟି ଚାଲିବାକୁ ହେବ କେବଳ ଆପଣାକୁ । ଜୀବନପଥରେ ସମସ୍ତ କଣ୍ଟା କେବଳ ଆପଣାକୁ ହିଁ ଅତିକ୍ରମ କରିବାକୁ ହେବ । ଆଜି ରାତିର ମାନସବେଳାରେ ଏହି ଲବ୍‌ଧ ସତ୍ୟଟି ଖୋଳାହୋଇ ରହିଥାଉ ।

 

ବେଳେବେଳେ କାହାର ବାସନାରେ ବ୍ୟାକୁଳ ଓ ବ୍ୟସ୍ତ ହୋଇ ଭିତରେ କିଏ ଉଚ୍ଛନ୍ନ ହୋଇ ଉଠୁଚି । ମୁଁ ତାହାର ମତିଗତି କିଛି ବୁଝି ପାରୁନାହିଁ । କେବଳ ସେହି ମୁହୂର୍ତ୍ତଟି ଲାଗି ଚିତ୍ତ ଅନେକ ଦୂରକୁ ଓ ଅନେକ ଗଭୀରକୁ ଚାଲିଯାଉଚି । ମନେହେଉଚି, ମୁଁ ଯେପରି ଏ ପୃଥିବୀରେ ନୁହେଁ, ଏ ଜନମର ବି ନୁହେଁ ।

 

୨୭.୩.୧୯୫୦

 

ଶରୀର ବା ମନ କୋଉଠି ଗୋଟାଏ କି କେଁ ପଶିଯାଇଚି କେଜାଣି, ମୁଁ ଆଉ କୌଣସି ପ୍ରକାରେ ଆପଣାର ପଘାକୁ ସମ୍ଭାଳି ଧରିପାରୁନାହିଁ । ସମସ୍ତ ଅନୁଶାସନକୁ ଏଡ଼ି ମୋର ଭାବନା ଯେପରି କେଉଁ ଦୂରନ୍ତ ନିରର୍ଥକତା ଭିତରେ ବୁଲିବୁଲି ଧଇଁସଇଁ ହୋଇପଡ଼ୁଚି । ଅଦୂର ଭବିଷ୍ୟତର ଏକ ଭାରହୀନ ପ୍ରସନ୍ନତାରେ ଆପଣାକୁ ପରିପୂର୍ଣ୍ଣ କରିଦେବା ଆଗରୁ ସମସ୍ତ ମନ ହଠାତ୍ ଏପରି କାହିଁକି ଯେ ବାଷ୍ପାକୁଳ ହୋଇଉଠେ, ମୁଁ ମୋଟେ ବୁଝି ପାରେନାହିଁ । ମନଟାକୁ ମୁଁ ତା’ର ଆପଣା ଶାସନରେ ଛାଡ଼ିଦେଇଚି, ଆପଣା ପ୍ରଭୁକୁ ସ୍ୱୀକାର କରି ସେ ଆପଣାର ମର୍ଯ୍ୟାଦା ବଳେ ବୁଝିବ ।

 

ମୋଟେ ଭଲ ଲାଗୁନାହିଁ । କିନ୍ତୁ ଠିକ୍ କେଉଁ କଥାଟା ଯେ ମୋତେ ଭଲ ଲାଗୁନାହିଁ, ଅହରହ ମନନ ଓ ଅନ୍ତପ୍ରବେଶ ଦ୍ୱାରା ମୋତେ ସେହି କଥାଟି ଜାଣିବାକୁ ହେବ । କାହାକୁ ହରାଇ ଯେ ମୁଁ ଏହି ଅପରିତୃପ୍ତି ଭିତରେ ବାରବାର ଦହିହୋଇ ମରୁଚି, ମୋତେ ସେହି କଥାଟି ଖୋଜି ବାହାର କରିବାକୁ ପଡ଼ିବ । ଜୀବନରେ ଯାହା ସବୁଠାରୁ ଶ୍ରେୟ ତାହାକୁ ହିଁ ଲାଭ କରିବା ଲାଗି ମୋର ଚିତ୍ତପଥରେ ଜ୍ଞାତଅଜ୍ଞାତରେ କେତେକେତେ Experiment ଚାଲିଚି । ମୁଁ ଜାଣେନା, ଅସଲ ଯାତ୍ରାର ଶୁଭ ମୁହୂର୍ତ୍ତଟିକୁ ନିକଟତର କରାଇଦେବାକୁ ଦିନ ଦିନକର ଏହି ଅସଫଳ ରୋଦନ ସମ୍ବଳ ଯାତ୍ରାଗୁଡ଼ିକର ମହତ୍ତ୍ୱ ପ୍ରକୃତରେ କେତେ । ତଥାପି ମୋର ମନ ଠିକ୍ ବୁଝିଚି ଅନେକ ଅନୁଭବୀ ରୀତିଚିହ୍ନାଳି ପରି ସେ ମୋତେ ବୋଧ ଦେଉଚି ଯେ ଏହାହିଁ ମୋର ସ୍ୱାଭାବିକ ପଥ । ସ୍ୱାଭାବିକ ପଥ ହିଁ ମୋର ସଳଖ ପଥ ।

 

୨୮.୩.୧୯୫୦

 

ମହିମାଧର୍ମ ସମ୍ବନ୍ଧରେ ମୋର ନିବନ୍ଧଲେଖ ବେଶ୍ ଆଗେଇଚି । କିନ୍ତୁ ମନଟା ଆଗେଇ ପାରୁନାହିଁ, ବାରବାର ପଛକୁ ଫେରିଫେରି ଅନାଉଚି । ଏହି କେତେଦିନ ହେଲା ବିକ୍ଷିପ୍ତ ମନକୁ ଏକତ୍ର କରି ବାନ୍ଧି ମୁଁ କେବଳ ଲେଖିବାରେ ହିଁ ଲାଗିଚି । ନୀରବ ଘରଟି ଭିତରେ ଏହି ଏକାନ୍ତ ଶ୍ରମସାଧନାରେ ବେଳେବେଳେ ବଡ଼ ଅବସନ୍ନ ଲାଗୁଚି । ନିବନ୍ଧ ଲେଖିବା ସହିତ ଦଉଡ଼ୁ ଦଉଡ଼ୁ ଯେପରି ମୁଁ ଧରଣୀର କେତେକେତେ ସମ୍ପଦକୁ ମୁଁ ଅଗ୍ରାହ୍ୟ କରି ଚାଲିଯାଉଚି । କେତେ ହସ, କେତେ କାନ୍ଦ, କେତେ ଦୁଃଖଲାଗି, କେତେ ସମଭାବ ଓ ସୌହାର୍ଦ୍ୟ—ଆଜିକାଲି ଏସବୁକୁ ମୁଁ ଯେପରି ଆଉ ଚିହ୍ନି ପାରୁନାହିଁ । କର୍ତ୍ତବ୍ୟସଚେତ ମନଟା ସଂଯମର ବାହାଦୁରୀ କରି ଜୀବନଗାଡ଼ିର ସବୁ ଝରକାକୁ ବନ୍ଦ କରିଦେଇ କେବଳ ଆପଣାର ଇଞ୍ଜିନ୍ ସହିତ ମୋତେ ଦଉଡ଼ାଇ ନେଇଚି । ମୁଁ ଯେପରି ରାସ୍ତାବିଷୟରେ କିଛି କୋଉଠି ଜାଣି ପାରୁନାହିଁ କେଉଁଠି ଦଣ୍ଡେ ଅଟକିଯାଇ ଦି’ଦଣ୍ଡର ଦୃଷ୍ଟିବିନିମୟ କରିବାର ଅବସର ହିଁ ନାହିଁ । ଜ୍ଞାନ ମଣିଷକୁ ବଡ଼ Cold କରିଦିଏ ବୋଲି ଏବେ ମୁଁ ପ୍ରତି ମୁହୂର୍ତ୍ତରେ ବୁଝିପାରୁଚି । ଆପଣାର ଏହି ଶୀତଳତା ଉପରେ ବେଳେବେଳେ ବଡ଼ ବିରକ୍ତି ଆସୁଚି । ସୂର୍ଯ୍ୟର କିରଣ ପରି ଆପଣା ଦିଗରେ ଅଗ୍ରସର ହେଉଥିଲେ ମଧ୍ୟ ମୁଁ ଦଶଦିଗକୁ ବି ଉଦ୍‌ଭାସିତ କରିବି, ପବନରେ କମ୍ପିବି, ଜଳସହିତ ଲମ୍ଫ ଦେବି, ଫୁଲପତରରେ ଭେଦିଯିବି, ଶିଶୁର ମୁଖମଣ୍ଡଳରେ ଖେଦିଯାଇ ମୁଁ ଆପଣାକୁ ପୂର୍ଣ୍ଣ କରିବି । ମୋର ଜୀବନ ସତେଅବା ସେହି ବ୍ୟାପ୍ତି ର ପରମତୀର୍ଥ—ଦର୍ଶନଲାଗି ଉଦ୍ଦିଷ୍ଟ ହୋଇ ଆସିଚି ।

 

୨୯.୩.୧୯୫୦

 

ଶୁଭକାଙକ୍ଷୀମାନଙ୍କର ଆଶାରବାଣୀ ଶୁଣି ମନ କୁଣ୍ଢେମୋଟ ହୋଇଯାଏ ସତ; ମାତ୍ର ସଙ୍ଗେସଙ୍ଗେ ମୁଁ ଆପେ ଆପଣାକୁ ପଚାରେ, ସତେ କଣ ମୁଁ ସେମାନଙ୍କର ଆଶାନୁରୂପ ହୋଇପାରିଚି ? ସେମାନେ ମୋ’ ଭିତରର ସତେ କେଡ଼େ ଟିକିଏ ପରିଚୟ ପାଇଚନ୍ତି । କେଉଁ ଶୁଭ ବେଳାରେ ମୋ’ ଭିତରେ ହୁଏତ କଣାଏ ନିଆଁ ଦେଖି ସେମାନେ ଆଶାରେ ଉଲ୍ଲସିତ ହୋଇ ଉଠିଚନ୍ତି, କିନ୍ତୁ ସେହି ଅଗ୍ନିକଣା ତଳେ ଅଙ୍ଗାରର କେତେ ବଡ଼ ଗୋଟାଏ ସ୍ତୁପ ଯେ ଏପର୍ଯ୍ୟନ୍ତ ଦଗ୍‌ଧ ହୋଇ ପାରିନାହିଁ, ସେକଥା ସେମାନେ କଣ ଜାଣନ୍ତି ? ମୋତେ କନ୍ଦାଇ, ଆଘାତ ଦେଇ, ମୋର ଅନ୍ତରଦେବତା ତା’ର ଆପଣାର ମନୋମତ ପ୍ରକୃତରେ କଅଣ ଯେ ଗଢ଼ିଚାଲିଚ, ସେକଥା ମୁଁ ନିଜେ ବି ଜାଣି ନାହିଁ । ତଥାପି ମୁଁ ଏତିକି ଜାଣିଚି ଯେ, ତାହାରି ଚକରେ ଚଢ଼ିବାର ଶକ୍ତି ଅର୍ଜନ କରି ନ ପାରିଲେ କୌଣସି ଦେବତା ମୋତେ ତା’ର ପାତ୍ର ଗଢ଼ିବାଲାଗି କଦାପି ଗ୍ରହଣ କରିବନାହିଁ-। ଯିଏ ଯେଉଁଠି ମୋର ଶୁଭାକାଙକ୍ଷୀ ମୋର ଶୁଭ ମନାସୁଚନ୍ତି, ତାଙ୍କୁ ସଭିଙ୍କୁ ମୋର ପ୍ରା ନା, ମୋ’ଭିତରେ ସେମାନେ ଏହି ଶକ୍ତି ଭରିଦିଅନ୍ତୁ, ମୋ’ ଲାଗି ଆହୁରି ଆଘାତ କାମନା କରି ସେମାନେ ମୋତେ ଶକ୍ତିମାନ୍ ହେବାରେ ସାହାଯ୍ୟ କରନ୍ତୁ ।

 

କାଲି ରାତିରେ ମୁଁ ଶୋଇଥିଲା ବେଳେ ଭଗବାନ ମୋର ପାଖେପାଖେ ରହିଥିଲେ, ସେଥିଲାଗି କାଲି ସେଇ ମୋର ଇଜ୍ଜତ ରଖିଲେ । କାଲିକାର ପ୍ରାର୍ଥନା ସଫଳ ହେଲା । ତାଙ୍କର ସେହି ଆଶୀଷପାତ୍ରକୁ ମୋହରି ଜୀବନ ଉପରକୁ ମୁହାଁଇ ଦେଇ ଆଜି ମୁଁ ତାଙ୍କୁ ପ୍ରଣତି ଜଣାଉଚି ।

 

୩୦.୩.୧୯୫୦

 

ଲେଖାଟା ସରିବା ଯେତିକି ପାଖେଇ ଆସୁଚି, ମନଟା ବି ସେତିକି ଅଧୈର୍ଯ୍ୟ ହୋଇ ଉଠୁଚି । ଆପଣା ଚିନ୍ତାର ଚତୁର୍ଦ୍ଦିଗରେ ଜାଲବୁଣା ଜ୍ଞାନର ମଣ୍ଡଳ ପକାଇ ମୁଁ ବି ଯେପରି ତାହାରି ଭିତରେ ଲୁଚିଛପି ଯାଉଚି । ମୋର ଆଖିଆଗରେ କେତେପ୍ରକାର ପ୍ରଦୀପ୍ୟମାନ ସମ୍ଭାବନା ଆଭାସ ଦେଇ ଚାଲିଯାଉଚି । ଉପଲବ୍‌ଧିର ଚରମ ଦିଗନ୍ତଯାଏ ଉଡ଼ିଯିବାକୁ କେତେପ୍ରକାର ଆକୁଳତା ଡେଣା ସଜାଡ଼ୁଚି । ତଥାପି ମୁଁ ସବୁରି ଦୁଆରକୁ ବନ୍ଦ କରି ରଖିଚି । ଜଣେ ସମୀକ୍ଷକଙ୍କ ଲେଖାରେ ପଢ଼ିଚି : Genius is the capacity to undergo pain ! ଆପଣାକୁ ଏକ ସୁନିର୍ଦ୍ଦିଷ୍ଟ ଜ୍ଞାନସୀମାର ଶୃଙ୍ଖଳା ଭିତରେ ରଖିପାରିବାର କ୍ଷମତା ହେଉଚି ପ୍ରତିଭାର ମାନଦଣ୍ଡ-! ମୋ’ଭିତରେ ସେହି ସଂଜ୍ଞାର ପ୍ରତିଭା ଖୁବ୍‌ବେଶୀ ନାହିଁ । ମୁଁ ହୁଏତ ସବୁ ଦୁଆର ବନ୍ଦ କରି କେବଳ ଗୋଟାଏ ଦୁଆରବାଟେ ସବୁ ଦେବାର ଓ ନେବାର ଉପାୟକୌଶଳ ଆଦୌ ଶିଖିପାରିନାହିଁ । କୋଉଟା ଠିକ୍ ଓ କୋଉଟା ନୁହେଁ, ସେକଥା ବିଚାରି ବସିବାରେ କିଛି ଲାଭ ନାହିଁ-। ମାତ୍ର ପ୍ରାଣତଳୁ କେବଳ ଏତିକି ସତକଥା ଗର୍ଜନ କରି ଉଠୁଚି ଯେ, ମୁଁ କେବଳ ଉଛୁଳି ପଡ଼ିବାକୁ ଚାହେ । ଆଖି ଯେତେବେଳେ କ୍ଷେତ୍ରରେ ମୁଗ୍‌ଧ ସମ୍ପର୍କରେ ବାନ୍ଧିହୋଇ ଯାଉଚି, ସେତେସେତେ କ୍ଷେତ୍ରରେ ଆପଣାକୁ ଅଜାଡ଼ିଦେଇ ଆସିବାକୁ ଭିତରର କେଉଁ ବ୍ରତତୀ ବଧୂ ଆକୁଳ ହୋଇଉଠୁଚି । ଭିତରେ ମୁଁ କେବଳ ନଦୀର କଳକଳ ଶବ୍ଦ ହିଁ ଶୁଣିପାରୁଚି । ମୁଁ କେବଳ ବହିଯିବି; ଯେଉଁଠି ଆପଣାର ଭାବଗ୍ରାହିତା ଦ୍ୱାରା ମୁଁ କୌଣସି କ୍ଷେତ୍ରକୁ ଢାଲୁ କରିଦେଇ ପାରିବି, ମୁଁ ସେଇଠି ଆପଣାର ସବୁ ଅଜାଡ଼ିଦେଇ ତାହାକୁ ପୂର୍ଣ୍ଣ କରିଦେବି । ଏହାହିଁ ହେଉଚି ମୋର ସବୁଠାରୁ ବଡ଼ ଧର୍ମ ।

 

୩୧.୩.୧୯୫୦

 

ଲେଖାଟାର ଭିତରେ ପଶି ମୁଣ୍ଡ ଏପରି ଗୋଳମାଳ ହୋଇଯାଇଚି ଯେ ହଠାତ୍ ବସି ଏହି ଖାତାରେ କଅଣ ଲେଖିବି, ସେଇକଥା ଭାବି ମୋର କେତେ ସମୟ ଚାଲିଯାଉଚି । ଜ୍ଞାନର ଶୃଙ୍ଖଳା ମାନିବାଲାଗି ମୁଁ ସର୍ବଦା ପ୍ରସ୍ତୁତ ଅଛି; କିନ୍ତୁ ତା’ର ଗୋଟାଏ ସର୍ତ୍ତ ହେଉଚି ଯେ, ସେହି ଜ୍ଞାନ ମୋର ଚିତ୍ତକୁ ଅଧିକରୁ ଅଧିକ ମୁକ୍ତ କରି ଦେଉଥିବ । ଏହିପରି ଲେଖୁଲେଖୁ ଓ ବାରତେରଟା ବହି ଘାଣ୍ଟି ତଥ୍ୟ ସଂଗ୍ରହ କରୁ କରୁ ହଠାତ୍ ଆଭାସ ଲାଗିଲାପରି ପ୍ରାଣମନ କାହାର ଆଲୋକରେ ଅତ୍ୟନ୍ତ ହାଲୁକା ହୋଇଯାଇଚି, ଲେଖାର strain ଭିତରେ ହଠାତ୍ ମୁଁ କ୍ଷଣକଲାଗି ଅଜସ୍ର ଶକ୍ତି ଅନୁଭବ କରୁଚି, ଏହାଠାରୁ ଆହୁରି ଶହେଗୁଣ strain କୁ ଆଦରି ନେବାକୁ ମୁଁ ତିଆରି ଥିଲାପରି ଲାଗୁଚି । କିନ୍ତୁ ଏହି କ୍ଷଣିକ ଆଭାସ କଣ ଯଥେଷ୍ଟ ? ପ୍ରାଣର ସବୁ ଦୁଆର ବନ୍ଦ କରି ମାତ୍ର ଏହି କ୍ଷଣିକ ପ୍ରୀତିସ୍ପର୍ଶ ସକାଶେ କଣ ମୁଁ ଜ୍ଞାନ ଗଅଁ ଠେଇବାର ଏହି ନିକୁଟିଆ ସାଧନା କରୁଥିବି ?

 

ପୁଣି ଗୋଟାଏ ମାସ ସରିଯାଉଚି । ଛାତିତଳେ ଠିଆ ହୋଇଥିବା କାନ୍ଥ ଉପରେ କିଏ ଯେପରି ହଠାତ୍ ପୁଣି ଗୋଟାଏ କଣ୍ଟା ବାଡ଼େଇ ଦେଉଚି । ସେହି କଣ୍ଟାରେ ଝୁଲାଇ ରଖିବାକୁ ମୁଁ ହାତପାଖରେ କୌଣସି ସମ୍ପଦ ସଂଗ୍ରହ କରି ରଖିପାରିଚି କି ନାହିଁ ସେକଥା ଜାଣେନା । ତଥାପି ପ୍ରାଣ ପୂରିଉଠୁଚି । ସମୟର ଗତିଶବ୍ଦକୁ ମୁଁ ଯେ ଠିକ୍‌ଠିକ୍ ବାରିପାରୁଚି, ତାହାହିଁ ଯଥେଷ୍ଟ ଆଶାର କଥା । ସମୟ ଅନୁସାରେ ଯେ ମୁଁ ସରଳ ଓ ସଚେତ ରହିଚି, ଏହାହିଁ ମୋର ପ୍ରଣାମ । ଯୋଗଶାସ୍ତ୍ରରେ ରହିଚି ଯେ ଯୋଗୀକୁ ପ୍ରତ୍ୟେକ ନିଶ୍ୱାସ ଓ ପ୍ରଶ୍ୱାସକୁ ସଚେତ ଭାବରେ ବାରିରଖିବାକୁ ହୁଏ । ମୋର ଜୀବନ ଯୋଗରେ ମୁଁ ସଚେତ ରହିବାର ଏହି ପଦ୍ଧତିଟିକୁ ଅବଲମ୍ବନ କରିଚି ।

 

୨.୪.୧୯୫୦

 

କାଲି ରାତିରେ ଫେରୁଫେରୁ ଅନେକ ଡେରି ହୋଇ ଯାଇଥିଲା । ଆଖି ସେତେବେଳକୁ ନିଦରେ ଢଳୁଢଳୁ ହେଉଥାଏ । ମନଟାକୁ ବାନ୍ଧି ବାଡ଼େଇ ଖାତାପାଖରେ ଆଣି ବସାଇବାକୁ ଆଉ ଇଚ୍ଛା ହେଲାନାହିଁ । ମଝିରେ ଦିନଟାଏ ଫାଙ୍କ ରହିଗଲା ବୋଲି ଟିକିଏ ଅବଶୋଷ ଅବଶ୍ୟ ଲାଗିଲା-। ଏପ୍ରିଲ୍‌ ପହିଲାଦିନ କାମରୁ ଫାଙ୍କି ଦେଇ ମୁଁ କାହାକୁ ବୋକା କଲି ନା ଆପେ ବୋକା ହେଲି ଠିକ୍ ବୁଝିପାରୁନାହିଁ ।

 

ଅନ୍ତର ବୀଣାର ତାରଗୁଡ଼ାକ ଭାରି କଷିହୋଇ ରହିଚି, ମନେ ହେଉଚି ଯେପରି ହଠାତ୍ ଅସତର୍କିତ ଭାବରେ କେତେବେଳେ ସବୁ ତାରଗୁଡ଼ାକ ଏକାବେଳେକେ ଛିଣ୍ଡିଯାଇ ସିଏ ଶେଷଥର ଲାଗି ଗୋଟାଏ ବିଷମତାନ ବଜାଇଦେବ । ତାର ଢିଲା ଥିଲେ ବୀଣା ବାଜେନାହିଁ, ଅତିରିକ୍ତ କଷିହୋଇ ରହିଲେ ମଧ୍ୟ ସେହିପରି ବାଜେନାହିଁ । ଢିଲା ହେବାର ଓ କଷିହୋଇ ରହିବାର ଏହି ଦୁଇରୀତି strain ମୋର କେବେ ଯେ ଦୂରହେବ,ତାହା ସେହି ଜୀବନବିଧାତାଙ୍କୁ ଜଣା । କିଛି ଆଉ ଭଲ ଲାଗୁନାହିଁ । ବୈରାଗ୍ୟ ଆସିଚି ସତ, କିନ୍ତୁ ଏହି ମନ ପ୍ରକୃତରେ କେଉଁଥିରୁ ବିରକ୍ତ ହୋଇ କେଉଁଆଡ଼କୁ ଢଳିଚି, ମୁଁ ସେତିକି ଜାଣିବାକୁ ସମର୍ଥ ହୋଇ ପାରିନାହିଁ । ଆଜି ପୂର୍ଣ୍ଣିମା,—ଜହ୍ନର ଆଲୁଅ ପଡ଼ିଆଯାକ ଧବଳ କରି ରଖିଚି । ମନ ହେଉଚି, ଜହ୍ନଆଲୁଅ ତଳେ ରାତିସାରା ବସି ‘ମୁଁ କଣ ଚାହେଁ’ ବୋଲି ଆପଣାକୁ ପଚାରି ପଚାରି ହୃଦୟକୁ ଉଶ୍ୱାସ କରି ଦିଅନ୍ତି କି !

 

୩.୪.୧୯୫୦

 

‘Be silent all flesh, before the Lord, for He is waked up out of his holy habitation’ ! (Zech, ii, 13)—ବାଇବେଲ୍‌ର ଏହି ଉକ୍ତି ମୁଁ ଆଜି ଉତ୍‌କ୍ଷିପ୍ତ ମନକୁ ସତର୍କ କରିରଖୁଚି । ଅନ୍ତରର ଦିବ୍ୟଭୂମି ଉପରେ ମନର ବିକାର-ବିଳାସ ଲାଗି ଅନେକ ପ୍ରଶ୍ରୟ ଦେଇ, ସେଥିଲାଗି ଦୁଆର ଖୋଲି ବସି ମଧ୍ୟ ମୁଁ ଆରାଧ୍ୟ ଦେବତାର ଦେଖା ପାଇନାହିଁ । ଅନ୍ତର ଗୋଟାକଯାକ କେବଳ ଅନ୍ଧକାର ବ୍ୟାପି ଯାଇଚି । ନିରୀହ ବାଳକଟି ପରି ଖାଲି ଉପରର ତାରାକମଣ୍ଡଳକୁ ଚାହିଁ ଚାହିଁ ପଡ଼ିରହିବା ଛଡ଼ା ମୁଁ ଅନ୍ୟ କୌଣସି ରାସ୍ତା ହିଁ ପାଉନାହିଁ ।

 

ଆଜି କିନ୍ତୁ ମୋର ସମସ୍ତ ଚିତ୍ତବିକୃତିର ସେପାଖରେ କାହାର ଉଦୟ-କାକଳି ମୋତେ ବଡ଼ ଚଞ୍ଚଳ କରି ପକାଉଚି । ଯେପରି ସେପାଖରୁ କିଏ ନିଜେ ଆସୁଚି ଏପାଖର ଧୂଳିକୁ ସ୍ମରଣୀୟ କରି ରଖିଯିବାକୁ । ନ, ତା’ର ସମୟ ବଡ଼ ନିକଟ ହୋଇଗଲାଣି, ଆଉ ମୁଁ ତଳକୁ ମୁହଁ ପୋତି ପଡ଼ିରହିବି ନାହିଁ । ଏତେଦିନଯାଏ କେବଳ ଦୂର ଆକାଶର ଚଢ଼େଇ ହୋଇ ସେ ମୋତେ ଇସାରା ଦେଇ ଯାଉଥିଲା । ଆଜି ତା’ର ଡେଣାର ଆଘାତ ଯେପରି ମୋ’ ମନର ଶିରାରେ ଶିରାରେ ରକ୍ତ ଖେଳାଇଦେଇ ଯାଇଚି । ଚିତ୍ତ, ଆଜି ତୋର ସକଳ ଆୟୋଜନକୁ ପ୍ରସ୍ତୁତ କରି ରଖିବାକୁ ହେବ । ଦୃତ ଦିନର ସକଳ ଅସଫଳ ସକାଳ ଓ ସନ୍ଧ୍ୟାକୁ ଭୁଲିଯାଇ ତୋତେ ପୁଣି ଅଭିସାରର ଶୁଭ୍ର ବେଶରେ ବାହାରିଯିବାକୁ ହେବ । ଯିଏ ଆସୁଚି, ସିଏ ତୋତେ ସେହି ନିଷ୍କଳ ଶୁଭ୍ରବେଶରେ ହିଁ ଦେଖିବାକୁ ଚାହେଁ ।

 

୪.୪.୧୯୫୦

 

ଖାଲି ମୁଣ୍ଡରେ ଆଜି କଣ ଲେଖିବି ? ହୁଏତ ସୁନ୍ଦର କରି ସଜାଇ କିଛି ଲେଖିବାକୁ ଗଲେ ଯାହା ଲେଖିବି କେବଳ ମିଛକଥା ହିଁ ଲେଖିବି । ମହିମାଧର୍ମ ସମ୍ବନ୍ଧରେ ଲେଖୁଥିବା ଲେଖାଟିର ଚାପ, ମନର ଏ ଅକାରଣ ଓଜନ, ତା’ପଛକୁ ଅସହ୍ୟ ଗରମ,—ସବୁ ମିଶି ମୋର ମୁଣ୍ଡ ଭିତରଟାକୁ କିଏ ଯେପରି ବାଷ୍ପସଙ୍କୁଳ କରି ରଖିଚି । ସମସ୍ତ ଦିନଟା ମୂଲିଆପରି ବସି ଖଟିଚି ଏହି ଲେଖାଟା ପାଖରେ, ନାନାପ୍ରକାରେ ନିଜକୁ ସକଳ କ୍ଷେତ୍ରରୁ ଅପସାରିତ କରିନେଇ ଖାଲି କାଗଜଗୁଡ଼ାକୁ ହିଁ ପୂର୍ଣ୍ଣ କରିବାର ମେହେନତ ମୁଁ ଦିନସାରା କରିଚି । ମୋ’ ବାଟ କଣ ଇଏ ନୁହେଁ-? ବାରବାର କୋଦାଳ ହାଣିଲାପରି ଏହି ପ୍ରଶ୍ନଟା ମନର ଟାଙ୍ଗରାଭୂଇଁରେ ଆଘାତ କରି ଯାଉଚି-। କିନ୍ତୁ ସେହି ଟାଣ ଓ ଥୋବରା ମାଟି କ’ଣ ଶୁଣୁଚି ? ଏ କେତେଦିନ ହେଲା ଆଉ କିଛି ବାଧୁନାହିଁ-। ମନଭିତରର କେଉଁ ସ୍ୱେଚ୍ଛାଚାରୀ ଦୈତ୍ୟଟା ଖାଲି ନାନା କର୍ତ୍ତବ୍ୟର ଭୟ ଦେଖାଇ ମୋତେ ଅଡ଼େଇ ନେଇଚାଲିଚି, ଆଉ ନିର୍ଲ୍ଲଜ ପରି ସବୁ ସହିଯାଉଚି ।

 

ଦି’ପହରର ଉତ୍ତପ୍ତ ପଡ଼ିଆଟା ଆଡ଼କୁ ଅନାଇ ମୁଁ ହଠାତ୍ ଯେପରି ଆପଣାର ଅନ୍ତରଟାକୁ ହିଁ କାହାର ଦର୍ପଣ ଉପରେ ଦେଖି ପକାଇଲି ! ଅତି ଶୁକ୍ଳ, ଅତି ନୀରସ ଓ ଅତି ନିର୍ଯ୍ୟାତିତ ହୋଇ ଚିତ୍ତର ସକଳ ସ୍ୱପ୍ନ ଓ ସାଧନା କ୍ରମେ ଝାଉଁଳି ଯାଉଚି । କୌଣସି ପ୍ରକାର ଅନିଶ୍ଚିତତା ଭିତରକୁ ପାଦ ପକାଇବାକୁ ଗଲେ ହିସାବୀ ଅନ୍ତସ୍କରଣିଟା ପଛରୁ ବାଳ ଟାଣି ଧରୁଚି । ଏହି ବ୍ୟସ୍ତତାର କଣ ଅନ୍ତ ନାହିଁ ?

 

୫.୪.୧୯୫୦

 

ଲେଖାଟା ଯେତିକି ଯେତିକି ସରିଆସୁଚି, ମନଟା ବି ସେତିକି ସେତିକି ଉଶ୍ୱାସ ଲାଗୁଚି-। ହୁଏତ ଆଉ ଚାରିଟା ଦିନରେ ମୁଁ ଅନ୍ତରଟାକୁ ଏହି ଜ୍ଞାନଭାଗରୁ ମୁକ୍ତ କରିନେଇ ପାରିବି-। ମୁଁ ସେତେବେଳେ ପୁଣି ତାରା ସହିତ କଥା କହି ପାରିବି, ସୂର୍ଯ୍ୟ ସହିତ ହସି ପାରିବି, ଶିଶୁର ଭାଷାରେ ତା ସହିତ ଆଳାପ ଜମାଇ ପାରିବି । ଏହି ଆକାଶଟା ପରି ମୋର ଅନ୍ତରଟା ମଧ୍ୟ ଖାଲି ଶୂନ୍ୟରେ ପୂରିରହିଚି, ଯେପରି ଗୋଟିଏ ହେଲେ ତାରା ମଧ୍ୟ ସାହସ କରି ସେହି ଶୂନ୍ୟ ଉପରେ ଜଳି ଉଠିବାର ସାହସ କରି ପାରୁନାହାନ୍ତି । ଚିତ୍ତ ବର୍ତ୍ତମାନ ବେଶ୍ ପ୍ରଶସ୍ତ ରହିଚି, ଯୋଗୀର ମନପରି କେଉଁ ଜଳଧିର ନୀଳ ସମତଳ ଉପରେ ସେ ପ୍ରସନ୍ନ ସ୍ପର୍ଶ ପାଇ ବୁଲୁଚି । ତଥାପି ମଝିରେ ମଝିରେ ସେହି ପରିବ୍ୟାପ୍ତିର ନିର୍ମମ ନିର୍ଜନତାରେ କିଏ ଯେପରି ଭିତରୁ ହାହାକାର କରିଉଠୁଚି । ସାରା ପୃଥିବୀରୁ ମନକୁ କାଢ଼ିଆଣି ମୁଁ ଏହି ଗୁହାଭିତରେ ପଶିଲି କଣ ଏଇଥିଲାଗି ?

 

ଦିନଯାକ ଏହି ମୁଣ୍ଡଟାକୁ ତା’ର ଚରମଦଣ୍ଡ ପର୍ଯ୍ୟନ୍ତ ଖଟାଇ ଖଟାଇ ରାତିଟାଯାକ ବେଶ୍ ହାଲୁକା ହାଲୁକା ଭାବରେ କଟିଯାଉଚି । ତା’ ନହୋଇ ପାରୁଥିଲେ ହୁଏତ ଆରଦିନ ସକାଳେ ଲେଖାଉପରେ ମୁହଁ ମାଡ଼ି ପଡ଼ି ରହିବାକୁ ଆଉ ବଳ ପାଉନଥାନ୍ତା । ରାତିର ଭରଣାଶକ୍ତିକୁ ମୁଁ ଏହି କେତେଦିନ ହେଲା ଭଲକରି ଅନୁଭବ କରି ରଖିଲି । ଆଗେ ଯେଉଁ ରାତିର ଏକାକୀ ସଙ୍ଗଟା ମୋ’ ପଛରେ କେବଳ ଭୂତ ପରି ଗୋଡ଼ାଇଥିଲା, ଆଜି ତାହାରି ପାଖରୁ ହିଁ ମୁଁ ଜନନୀର ସ୍ନେହସ୍ପର୍ଶ ଲାଭ କରିବାର ସୌଭାଗ୍ୟ ପାଇଲି ।

 

୬.୪.୧୯୫୦

 

ପ୍ରାଣ ମନ ବଡ଼ ହାଲୁକା ଲାଗୁଚି । ମୁଁ ଆଜି ସତେ ଯେପରି ସମସ୍ତ ପୃଥିବୀର ଭାରକୁ ସହିବାଲାଗି ପ୍ରସ୍ତୁତ ଅଛି । ଆଜି ସମସ୍ତ ଜଗତ ମୋର ନୟନ ଉପରେ କେବଳ ଆଲୋକରୂପେ ପ୍ରତିଭାତ ହେଉଚି, ବେଳେବେଳେ ଚମତଳର ସମସ୍ତ Atom ଯେପରି ଜ୍ୟୋତିଃରୁପ ଧାରଣ କରି କାହାର ଜ୍ୟୋତିଃସମୁଦ୍ରରେ ଯାଇ ମିଳିଯାଉଚନ୍ତି । ଜାଣେନା ନୟନର ଏହି ଆନ୍ତରିକ ଦୃଷ୍ଟି ମୋତେ କେତେଦିନ ଏହିପରି ଉତ୍ତୋଳିତ କରି ରଖିବ । ତଥାପି ମାତ୍ର କ୍ଷଣକଲାଗି ଆସି ସ୍ପର୍ଶ-ଦେଇଗଲେ ମଧ୍ୟ ଏହା ମୋତେ ଯେପରି ଯୁଗଯୁଗର ସିଦ୍ଧି ସମ୍ପ୍ରଦାନ କରିଦେଇ ଯାଉଚି । ଅନ୍ତରର ସମସ୍ତ ଭାରକୁ ନୁଆଁଇଦେଲେ ଏହା ମୋ ଭିତରେ ଆହୁରି ଅଧିକ ଭାରକୁ ସ୍ୱେଚ୍ଛାପ୍ରବୃତ୍ତ ଭାବରେ ବହନ କରିବାର ଶକ୍ତିସଚ୍ଛଳତା ଭରିଦେଇ ଯାଉଚି । ଜୀବନର ଏହି ଦୈବ କ୍ଷଣର ସଂଘଟଣ-ସୁତ୍ରଧରକୁ ମୁଁ ପ୍ରଣାମ ଜଣାଉଚି ।

 

ଦୁଇଶତ ପୃଷ୍ଠାରୁ ଅଧିକ ଦୀର୍ଘ ଏହି ଲେଖାଟା ସମ୍ଭବତଃ କାଲି ସରିଯିବ । ଆପଣା ମନକୁ ଆପଣା ଖୁସୀର ନିର୍ଦ୍ଦେଶରେ ଦଉଡ଼ାଇ ଦେଇ ଆନନ୍ଦ ପାଇବାଲାଗି କେତେ କେତେ ମସୁଧା କାର୍ଯ୍ୟବ୍ୟସ୍ତ ମସ୍ତିଷ୍କର ସେପାଖରେ ଆଜିଠୁଁ ସଜ ହୋଇ ରହିଲାଣି । ଲେଖାଟି ସରିଲେ ମୁଁ ଯେଉଁ କର୍ମଶେଷର ପରିତ୍ରାଣ ପାଇବି ବୋଲି ଆଗରୁ କେତେଥର ଉଲ୍ଲସିତ ହୋଇ ଉଠିଥିଲି, କର୍ମଶେଷର ପ୍ରାକ୍‌କାଳରେ ସେହି ଭାବନା ମୋତେ କାହିଁକି ଆଉ ଉତ୍ସାହିତ କରି ପାରୁନାହିଁ ।

 

୭.୪.୧୯୫୦

 

ଜୀବନର ସମସ୍ତ ଖୁସୀକୁ ମୁଁ ଯଦି ସେହି ଆନନ୍ଦ-ନିକେତନର ଚରଣତଳେ ସମର୍ପଣ କରିଦେଇ ପାରନ୍ତି, ତା’ହେଲେ ମୁଁ ହୁଏତ ଏହି ଖୁସୀଭିତରେ ସତତ ବଞ୍ଚିପାରିବାର ବିଦ୍ୟାଟିକୁ ଶିଖିନେଇ ପାରନ୍ତି । ଆଜିର ଖୁସୀରେ ଏହି ଆକାଙ୍‌କ୍ଷାଟି ମୋର ମନକୁ ବ୍ରତୀ ପରି କରି ରଖିଚି । ମୋର ଏଡ଼େ ଏଡ଼େ ବଡ଼ ଅଭିଳାଷ ପୁଣି କୁଆଡ଼େ ବାଷ୍ପ ହୋଇଯାଏ, ମୋ’ର ସମସ୍ତ ଶପଥର ଦୀପ୍ତି କେଉଁ ମେଘ ଉଢ଼ୁଆଳରେ ଲୁଚିଯାଏ, ମୁଁ କିଛି କରି ପାରେନାହିଁ, କିଛି ହୋଇ ପାରେନାହିଁ ।

 

ମହିମାଧର୍ମ ବିଷୟରେ ଗତ କେତେ ସପ୍ତାହ ଧରି ଲେଖୁଥିବା ନିବନ୍ଧଟା ଆଜି ଖରାବେଳେ ଶେଷ ହେଲା । ଏଥିରେ ମୁଁ କଣ ଲେଖିଚି ଓ କି ଧରଣର ଲେଖିଚି, ତାହାର ବିଚାରକ ମୁଁ ନିଜେ ହେବାକୁ ପ୍ରସ୍ତୁତ ନୁହେଁ । ତଥାପି ଏତିକି ଭାବି ଉଶ୍ୱାସ ଲାଗୁଚି ଯେ ସ୍ୱତଃ ପ୍ରବୃତ୍ତ ହୋଇ ଗ୍ରହଣ କରିଥିବା ଗୋଟିଏ ଦାୟିତ୍ୱକୁ ମୁଁ ସୁଚାରୁରୂପେ ସମ୍ପନ୍ନ କରିପାରିଚି । ଲେଖିବାବେଳର ଭାରାକ୍ରାନ୍ତ ଅଶ୍ୱସ୍ତି ଆଜି ଏକ ନୀରବ ଓ ନିର୍ମଳ ଆନନ୍ଦର ରୂପରେ ମୋର ସମସ୍ତ ଚିତ୍ତକୁ ପ୍ରତିଭାତ କରି ରଖିଚି । ମୋ’ ଅନ୍ତରର ସବୁ ପୁରଗୁଡ଼ିକୁ ଆଜି ମୁଁ ଯେପରି ଆଖିରେ ଦେଖିପାରୁଚି ।

 

ଲେଖାଟି ସାରି ବୁଲି ବାହାରିଥିଲେ । ରାତି ଏଗାରଟା ବେଳେ ଘରକୁ ଫେରୁଚି । ତେଣୁ ଦିନଲିପିଟାକୁ ଚଞ୍ଚଳ ଶେଷ କରିଦେଇ ଶୋଇ ପଡ଼ିବାଲାଗି ମନଟା ବି ଚଞ୍ଚଳ ହେଲାଣି । ଏତେବଡ଼ ଗୋଟାଏ କାମ ମୁଁ ସାରିପାରିଚି ବୋଲି ଆଜି ଜୀବନବିଧାତା ପାଖରେ ମୁଁ ଦିନଶେଷର ନମସ୍କାର ଜଣାଉଚି ।

 

୮.୪.୧୯୫୦

 

ମୁଣ୍ଡ ଉପରେ ଏଡ଼େବଡ଼ କାମର ବୋଝ ରହିଥିଲା ବୋଲି ସର୍ବଦା ତାହାରି ପ୍ରତି ଅନୁଗତ ରହି ମୋତେ ଆପଣା ମନର ଦୁଷ୍ଟାମି ଦ୍ୱାରା ସନ୍ତାପିତ ହେବାଲାଗି କୌଣସି ଛୁଟି ହିଁ ମିଳୁନଥିଲା । ଆଜି ଖରାବେଳଯାକ କୌଣସି ବିଶେଷ କାମ ନଥିଲା, ଏତେଦିନର ନିୟନ୍ତ୍ରିତ ଶାସନପରେ ମନ ପୁଣି ନିୟମର ବଶ ହୋଇ ରହିବାକୁ ରାଜୀ ହେଉନଥିଲା । କେଉଁ ଦାନବର ଜିହ୍ୱାପରି ଉତ୍ତପ୍ତ ପବନ ବହି ସମସ୍ତ ପ୍ରହରଟାକୁ ବଡ଼ ଚଞ୍ଚଳ ଓ ବିରକ୍ତି କରି ରଖିଥିଲା । ଆଜି ମୁଁ କେତେବେଳେ ଅନିଚ୍ଛାସତ୍ତ୍ୱେ ପଢ଼ିଚି, ଅନିଚ୍ଛାସତ୍ତ୍ୱେ ଗୀତ ଗାଇଚି ଓ ଅନିଚ୍ଛାସତ୍ତ୍ୱେ ଶୋଇଚି,—ମୁଁ ନିଜେ ମଧ୍ୟ ତାହାର କୌଣସି ଗତି ବୁଝି ପାରିନାହିଁ । ଦିନେଦିନେ ଏମିତି ହୁଏ,—ଜୀବନର ବୈଚିତ୍ର୍ୟମୟ ପଥରେ ଏସବୁ ଗୋଟିଏ ଗୋଟିଏ ଖାଲପରି ରହି ମୋର ଛାୟା ଲୋକମୟ ପଥଟିକୁ ଅଧିକ ସ୍ପଷ୍ଟକରି ସୂଚାଇ ଦେଇଯାଏ ।

 

ମୁଁ ଜାଣେନା, କାହାର ବାସନା ମୋତେ ଅନ୍ୟସକଳ ବାସନାରୁ ବୈରାଗୀ କରି ରଖିବାର ଉପକ୍ରମ କରୁଚି, କାହାର ଆକର୍ଷଣ ମୋର ମନରୁ ଅପର ସକଳ ଆକର୍ଷଣର ବନ୍ଧନରଜ୍ଜୁ ଛିଡ଼ାଇ ଦେଉଚି । କିଏ ଯେ କେଉଁ ଭାବରେ ମୋ’ରି ଭିତରେ ପରିପୂର୍ଣ୍ଣ ହେବାର ତ ସଂକଳ୍ପ କରି ଆସିଚି, ସେକଥା ମୁଁ କିଛି ବୁଝି ପାରୁନାହିଁ । କିନ୍ତୁ ଏହି ଅକାରଣ ଅସ୍ଥିରତା ଓ ଅକାରଣ ବିରକ୍ତି ଭିତରେ ପଡ଼ିରହିବାକୁ କାହିଁକି ଯେ ଏପରି ଭଲ ଲାଗୁଚି, ତା’ର ସମୀକ୍ଷା କରିବାର ଉପାୟ ମୋତେ କିଏ ବତାଇଦେଇ ଯିବ ? ଆଜି ରାତିର ସ୍ୱପ୍ନଂ ଦେବତାଙ୍କ ସକାଶେ ମୁଁ ଏହି ପ୍ରଶ୍ନର ପ୍ରାର୍ଥନାଟି ସଜାଡ଼ିରଖୁଚି ।

 

୯.୪.୧୯୫୦

 

ଦିନଟାର ଅନେକ ସମୟ ବାହାରେ ବାହାରେ କଟିଚି; ଭିତରେ କୁହୁଳୁଥିବା ମନଟା ବେଳେବେଳେ ହୁ’କରି ଜଳିଉଠି ପୁଣି ନିଭିଯାଇଚି । ମୋତେ ସତର୍କ କରିଦେଇ ଯାଇଚି ଯେ ନିଆଁ ଜଳିବାକୁ ଆଉ ଡେରି ନାହିଁ; ତୋ’ ଜୀବନରେ ଅଗ୍ନିସଂଯୋଗ କରି ସେ ତୋର ସୁନାଟିକକ ପରଖିବାକୁ ଆସୁଚି । ଏଥର ତୁ ଆଉ ତାଙ୍କୁ ଏଡ଼ିଦେଇ ପାରିବୁନାହିଁ । ନିଜର ପରୀକ୍ଷା ଦେବାକୁ ହେବ ବୋଲି ତୁ ହୁଏତ ଆପେ ଅନେକଥର ସଙ୍କୋଚ କରି ଲୁଚି ବୁଲୁଥିଲୁ । ଏଥର ସେଇ ନିଜେ ଆସୁଚି ତା’ର ପ୍ରାପ୍ୟ ପରୀକ୍ଷାଟା ଆଦାୟ କରି ନେବବୋଲି ।

 

ଆଜି ଦୂରକୁ, ଅନେକ ଦୂରକୁ ଛୁଟି ଚାଲିଯିବାକୁ ଇଚ୍ଛା ହେଉଚି । କେଉଁ କଳ୍ପନାରାଇଜର ଅଳକାପୁରୀକୁ ନୁହେଁ, ଏହି ଜୀବନ୍ତ ପୃଥିବୀର ବୃହତ୍ତର ସଦନକୁ ! ଏଠି ଯାବତୀୟ ପରିଚୟରେ କ୍ରମେ କଳଙ୍କି ଲାଗି ଆସିଲାଣି । ଏତେଦିନଯାଏ ମୁଁ ଏଠିକାର ପ୍ରାଣକୁ ଫୁଲଦାନିରେ ସଜାଇରଖି ମୁଗ୍‌ଧ ହୋଇ ପାରୁଥିଲି । ଏବେ ଫୁଲଦାନିର ପଚାପାଣି ଫୁଲକୁ ମଧ୍ୟ ପଚାଇବାକୁ ଆରମ୍ଭ କଲାଣି । ତେଣୁ ଆଉ ପାରି ହେଉନାହିଁ । ଏହି ଅଳସ ବିଭବ ମଧ୍ୟରେ ଭୁଲିକରି ରହିବାର ସଂଯମ ସାଧନା କରୁକରୁ ମୁଁ ଅଣନିଃଶ୍ୱାସୀ ହୋଇ ପଡ଼ିଲିଣି । ନା—ନା; ଆଉ ଏଠି ନୁହେଁ, ଏଥର ଅନ୍ୟ କେଉଁଠି ବାସ ଯୋଗାଡ଼ କରିବାକୁ ହେବ । ଆଜି ହୁଏତ ଅନ୍ୟ କାହାର ଭଙ୍ଗା ବାସକୁ ଯୋଡ଼ିବାଲାଗି ଆପଣାର ବଳିଦାନ କରିବାକୁ ହେବ । ଜାଣେନା, ଏଠିକାର ମାୟା ମୋତେ କେବେ ଯାଇ ମୁକ୍ତି ଦେଇପାରିବ ।

 

ମୋ’ର ଆଖିରେ ନିଦ ନାହିଁ । ମୋର ସହସ୍ର ପ୍ରାଣ ଆଖି ମେଲି ଆଜି କାହାଲାଗି ଉଜାଗର ରହିବାକୁ ଚାହୁଚି ।

 

୧୦.୪.୧୯୫୦

 

ଆଜି ଆଠଟା ନବାଜଣୁ ହଠାତ୍ ଯେପରି ସାତଦିନରୁ ବାକୀ ରହିଥିବା ନିଦ ଆଖି ଉପରକୁ ମାଡ଼ିଆସିଲା । ଆଉ କୌଣସି ମତେ ସମ୍ଭାଳି ନପାରି ମଶାରି ଟାଙ୍ଗି ଶୋଇ ପଡ଼ିଥିଲି । ବର୍ତ୍ତମାନ ଖାଇବା ଘଣ୍ଟାର ଶବ୍ଦ ଶୁଣି ଉଠି ଦୈନିକଲିପି ଲେଖିବସିଚି । ଦିନମାନର କାମ ଫଳରେ ବୋଧହୁଏ ମନ ଭାରି କ୍ଳାନ୍ତ ହୋଇ ପଡ଼ିଚି, ଶାନ୍ତ ପରିତୁଷ୍ଟ ମନଭିତରେ କିଏ ଯେପରି ରାତିର ଶଯ୍ୟା ପ୍ରସ୍ତୁତ କରିଦେଇ ସାରିଲାଣି, ସେଥିଲାଗି ନିଦ୍ରାଶକ୍ତ ମନଟା ଆଉ କିଛି ନମାନି କେବଳ ଶଯ୍ୟାଭିମୁଖ ହୋଇ ଧାଇଁଚି । ଆଉ ବେଶୀ ଡେରି କରିବିନାହିଁ । ଆଜି ସଞ୍ଜବେଳୁ ଚତୁର୍ଦ୍ଦିଗ ଉତ୍ତପ୍ତ ଓ ନିସ୍ତବ୍‌ଧ ହୋଇ ରହିଥିଲା । ବର୍ତ୍ତମାନ ହଠାତ୍ ଯେପରି ଦଶଦିଗର ପାତ୍ର ଏକାବେଳକେ ଚହଲି ଉଠିଚି, ମୋ’ ଘର ଭିତରେ ଚଞ୍ଚଳ ପବନର ତରଙ୍ଗ ବାଜି ମୋର ନିଦ୍ରାଳୁତାକୁ ସତେ ଯେପରି ଆହୁରି ଉତ୍ସାହିତ କରି ପକାଉଚି ।

 

ଆପଣା ବିଷୟରେ କୌଣସି ପ୍ରକାରର ତତ୍ତ୍ୱକଥା ଲେଖିବାକୁ ମନ ଯାଉନାହିଁ । ସେ ଆଜି କେବଳ ଶିଶୁଟିପରି ଯେପରି କେଉଁ ଜନନୀ ପାଖରେ କିଞ୍ଚିତ୍ କ୍ରୋଡ଼ଦାନ ଲାଗି ଅଳି କରୁଚି । ଅବିକ୍ଷିପ୍ତ ଚିତ୍ତରେ ସେହି କ୍ରୋଡ଼ର ପରମ ଆସ୍ୱାଦ ମଧ୍ୟରେ ମୁଁ ଆପଣାକୁ ନିମଗ୍ନ କରି ରଖିବି । ଜୀବନକୁ ଜାଣିବା ଲାଗି, ଜୀବନେଶ୍ୱରକୁ ଜାଣିବା ଲାଗି ଇଏ ମଧ୍ୟ ଆହୁରି ଗୋଟିଏ ଚମତ୍କାର ବାଟ । ଏହି ବାଟର ବିଦ୍ୟାର୍ଥୀ ସାଜି ମୁଁ ଆଜି ଅଗ୍ରସର ହୋଇଯିବି ।

 

୧୧.୪.୧୯୫୦

 

ଏବର୍ଷ ନିଦାଘର ପ୍ରଥମ ଝଡ଼ ଆଜି ଆରମ୍ଭ ହେଲା । ଧରଣୀର ତପ୍ତ ଦେହତଳେ ଯେ କେତେ ପ୍ରଚଣ୍ଡ ସୃଷ୍ଟିର ଅପାର ଶକ୍ତି ପ୍ରଚ୍ଛନ୍ନ ହୋଇ ରହିଚି, ଆଜି ପ୍ରଥମକରି ପ୍ରାଣରେ ତା’ର ପ୍ରଥମ ଧକ୍‌କା ବାଜିଲା । ବରଷେ ହେଲା ମୁଁ ଏହି ଦୃଶ୍ୟ ଦେଖିନଥିଲି । ଏହି ଝଡ଼ ଯେପରି ବିନ୍ଦୁ ବିନ୍ଦୁ ବାଷ୍ପକୁ ଏକାଠି କରି ଅନେକ ଦିନରୁ କୁହୁଳୁଥିଲା । ସେଥିଲାଗି ଆଜି ସକଳ ପ୍ରାଣଶୈଥିଲ୍ୟକୁ ଭାଙ୍ଗିଦେଇ, ଦିଗନ୍ତକୁ ଧୂଳିରେ ଆଚ୍ଛାଦିତ କରିଦେଇ ସେ ଆପଣା ବେଗରେ ମାଡ଼ିଆସି ପାରିଲା । ମୋ’ ଘର ପଛରେ ଥିବା ଇଉକାଲିପଟାସ୍‌ର ଲମ୍ବା କାଣ୍ଡଟା ପରି ପ୍ରାଣର ମେରୁଟା ଦୋହଲିବାକୁ ଲାଗିଲା । ମୁଁ ଅନେକ ଦିନରୁ ସାଇତି ରଖିଥିବା ନାନା ଅନାବଶ୍ୟକ ପଦାର୍ଥ ଏକା ଉଡ଼ାକେ କୁଆଡ଼େ ଉଡି ପଳାଇଲା । ମନଟା ବଡ଼ ଶାନ୍ତି ଓ ଉଶ୍ୱାସ ହୋଇଗଲା। ଏଣିକି ଆଉ ଭୟ ନାହିଁ । ଯେତେବେଳେ ନାନାପ୍ରକାର ଅକାରଣ ତପ୍ତତାରେ ପ୍ରାଣ ତପ୍ତ ହୋଇ ପଡ଼ିବ, ସେତିକିବେଳେ ଦିଗନ୍ତ କମ୍ପାଇ ଏହି ଝଡ଼, ପ୍ରାଣକୁ ଉଶ୍ୱାସ କରିଦେବାକୁ ଆସିବ ।

 

କାଲି ସକାଳେ ହଠାତ୍ ମନେହେଲା, ମୁଁ ସାରା ସଂସାରର ଦୁଆରେ ଯାଇ କ୍ଷମା ମାଗିଆସିବି, ଠିକ୍ ଯେମିତି କୋଡ଼ଛଡ଼ା ପୁଅ ପୁଣି ଆପଣାର ଜନନୀ ପାଖକୁ ଦଉଡ଼ିଯାଏ । ଯାହାକୁ ଯେତେ ସନ୍ତାପିତ କରିଚି, ତାହାରି ପଦତଳେ ସେତିକି ଲୁହ ଢାଳି ସବୁ ଅଭିଶାପକୁ କଟାଇଦେଇ ଆସିବି, ସବୁ ବାଧା ଓ ବ୍ୟବଧାନକୁ ମିଳାଇ ଦେଇ ଆସିବି ।

 

୧୨.୪.୧୯୫୦

 

କାରଣଟା ମୁଁ ଠିକ୍ ଅନୁମାନ କରି ଠଉରାଇ ପାରୁନାହିଁ, ତଥାପି ବେଶ୍ ବୁଝିପାରୁଚି ଯେ ସାହିତ୍ୟ ସୃଷ୍ଟି ଲାଗି ମୋର ମନ ପୁଣି ଚଞ୍ଚଳ ହୋଇଉଠିଚି । ହଠାତ୍ ଲାଗୁଚି, ଏପର୍ଯ୍ୟନ୍ତ ମୁଁ ଯେପରି କିଛିହେଲେ ଲେଖିନାହିଁ, ମୋର ପ୍ରକାଶ ହିଁ ହୋଇନାହିଁ, ସନ୍ଥ ରଜ୍ଜବାଙ୍କର ଭାଷାରେ ମୋର ଜନ୍ମ ହିଁ ହୋଇନାହିଁ । ଅବଶ୍ୟ ମୁଁ ଏକଥା ମଧ୍ୟ ଜାଣେ ଯେ ପ୍ରାଣର formative ପଟାଉପରେ ମୋର ଲେଖା ଅନବରତ ଚାଲିଚି । କେତେକଣ ଲେଖାହେଉଚି, ପୁଣି ପୋଛି ଦିଆହେଉଚି; ମୋ’ ଅନ୍ତର୍ମନର ନିତ୍ୟ-ଶିଶୁଟି ଠିକ୍ ଆପଣାର ଦ୍ୱିତୀୟ ଜଣେ ସୃଷ୍ଟି କରିବ ବୋଲି ଆପଣାର ଖିଆଲରେ କେତେ ଲେଖୁଚି, କେତେ ପୋଛିଦେଉଚି । ନିଜର ସମସ୍ତ ଦୁଆର ଖୋଲିଦେଇ ପ୍ରାଣର ସକଳ ସମ୍ପଦକୁ ମୁଁ କେବଳ ବିଶ୍ୱନିର୍ଦ୍ଦିଷ୍ଟ କରି ବୁହାଇ ଦେବାର ଚେଷ୍ଟା କରୁଚି, ଏହାହିଁ ମୋର ଅସଲ ସାଧନା । ଆପଣାକୁ ସମ୍ପୂର୍ଣ୍ଣ କରି ଦାନ କରିପାରିଲେ ବିଶ୍ୱଜୀବନ ସହିତ ସମ୍ମିଳିତ ହେବା ସମ୍ଭବ ହୋଇପାରିବ, ଏହି ବିଶ୍ୱାସକୁ ମୁଁ ମନ୍ତ୍ର ବୋଲି ଗ୍ରହଣ କରିଚି । ସେଇ ବାଟରେ ଯାଇ ମୁଁ କେତେ ଖସୁଚି, ଆତ୍ମଦାନର ଯୋଗ୍ୟ ରୀତିଟିକୁ ପାସୋରିଦେଇ କେତେଥର ମୁଁ କ୍ଳାନ୍ତ ଓ ନିଃଶେଷିତପ୍ରାୟ ହୋଇ ବାହୁଡ଼ି ଆସିଚି, ତଥାପି ସେହି ବାଟର ଆକର୍ଷଣ ମୋତେ ଏପର୍ଯ୍ୟନ୍ତ ସକଳ କରି ରଖିଚି । ଏହି ମୂଳ ନୀତିଟି ମଧ୍ୟରେ ମୋର ସବୁ,—ମୋର ଲେଖା, ମୋର ନାମ ଓ ମୋର ଯଶ । ମୋର ପରମ ସାର୍ଥକତା ପୂଜାରେ, ଆପଣାକୁ ଉନ୍ମୁକ୍ତ କରିଦେଇ ଆକାଶ ସହିତ ସଖ୍ୟ କରିବାରେ । ହୁଏତ ତାହାରି ଭିତରେ ମୃଣ୍ମୟ ବା ତୈଜସନାନା ପାତ୍ରରେ ଜୀବନର ଏହି ଦାନସମ୍ପଦ ହୁଏତ କେବେକେବେ ସଞ୍ଜିତ ହୋଇ ମୋର ସାହିତ୍ୟ, ସମାଜସେବା ବା ରାଜନୀତିରେ ରୂପାୟିତ ହୋଇ ଉଠିବ । କିନ୍ତୁ କେବଳ ଲେଖିବାର ସୁଆଦ ପାଇବାଲାଗି ଲେଖିବାର ପର୍ଯ୍ୟାୟଟିକୁ ମୁଁ ସମ୍ଭବତଃ ମୋର କୌଣସି ବିଗତ ଜନ୍ମରେ କଟାଇ ଦେଇଚି ।

 

୧୩.୪.୧୯୫୦

 

ସୂର୍ଯ୍ୟ ଉଠିବାବେଳେ ଆଜି ମୁଁ କଙ୍କାଳିତଳା ମେଳା ଦେଖିବାକୁ ବାହାରି ଯାଇଥିଲି । ଗଲାବର୍ଷ ମେଳା ଦେଖିସାରି ସମୟରେ ତାହାପ୍ରତି ଯେତେବେଶୀ ଆକର୍ଷଣ ଥିଲା, ଅବଶ୍ୟ ଏବର୍ଷ ମୁଁ ସେତେବେଶୀ ଆକର୍ଷଣ ଅନୁଭବ କରି ପାରିଲିନାହିଁ । ସେଥିଲାଗି ଏବର୍ଷର ଖରାଟା ବେଶୀ ବାଧିଲା ।

 

ଆଜି ସନ୍ଧ୍ୟାବେଳେ ମନ୍ଦିରରେ ଉପାସନା ଥିଲା । ଆଚାର୍ଯ୍ୟ କ୍ଷିତିମୋହନ ସେନଙ୍କର ‘ବର୍ଷଶେଷ’ର ଉପଦେଶ ଶୁଣିଆସିଲି । ଯେଉଁ ଗଣକର ପାଞ୍ଜିରେ ଆଜି ବର୍ଷଶେଷ ହେଉଥାଉ ପଛକେ, ମୁଁ ଯେପରି କେଉଁଠି କିଛି ଶେଷ ହେଉଥିବାର ଲେଶମାତ୍ର ଅନୁଭବ କରି ପାରୁନାହିଁ । ମୋର ମନେହେଉଚି, ଯେପରି ମୋଟେ ସିନ୍ଦୂରା ଫାଟୁଚି, ମୁଁ କେତେ ଆଶାର ବ୍ୟଗ୍ର ବେଦନା ଧରି ଅନାଇ ରହିଚି । ମୋର ଦିଗନ୍ତ ଆହୁରି ଉନ୍ମୋଚିତ ହେବ, ତେବେଯାଇ ତାହାର ପୂର୍ଣ୍ଣ ଉଦ୍‌ଭାସକୁ ମୁଁ ଅନ୍ତରଭରି ଦେଖିପାରିବି ।

 

ଶରୀର ବଡ଼ କ୍ଳାନ୍ତ—ଯେପରି ଆଉ ପଦେସୁଦ୍ଧା ଲେଖିବାକୁ ହାତର ଇଚ୍ଛା ନାହିଁ । କାହାକୁ ମୁଁ କିପରି ବାଧ୍ୟ କରି ଲେଖି ବସାଇବି ? ବାଧ୍ୟ କରିବାର ଏକମାତ୍ର ବିଧାତା ଅପସରିଗଲେ କାହାର ସାଧ୍ୟ ଅଛି ଗୋଟାଏ ବି ଅନ୍ଧାର ଲେଖିବାକୁ ?

 

୧୪.୪.୧୯୫୦

 

ନବବର୍ଷର ଦିନଲିପି ଲେଖିବା ପୂର୍ବରୁ ଆଜି ମୁଁ ପୁରୁଣା କେତୋଟି ଦିନର ଲିପି ପଢ଼ୁଥିଲି । ଦୁଇତିନିଟା ଜାଗାରୁ ଧାଡ଼ିଏ ବା ଦୁଇଧାଡ଼ୀ ପଢ଼ୁପଢ଼ୁ ପ୍ରାଣଟା ଯେପରି କାହାର ତ୍ରାସଦାୟକ ସ୍ପର୍ଶ ପାଇ କମ୍ପିଉଠିଲା । ମୋର ସାରା ଜୀବନଟା କି ଜଞ୍ଜାଳଜଟିଳ ସଂଗ୍ରାମ ଓ କସରତରେ ଭରପୂର ହୋଇ ରହିଚି ! କେତେ ଦୀନତା, ମ୍ରିୟମାଣ କେତେ ମୁହୂର୍ତ୍ତର ଦୁରୂହ ପ୍ରଚେଷ୍ଟାରେ ମୋର ହୃଦୟ-ଅଗ୍ନିକୁଣ୍ଡ ସତେଅବା କେଉଁ ରସର ପ୍ରତିମା ଗଢ଼ିଗଢ଼ି ଚାଲିଚି । ମୋ’ ମାଟିତଳ ଚେରର ଏହି ବୀଭତ୍ସ ଆଲୋଡ଼ନ ଦେଖି ହଠାତ୍ ଭୟ ଲାଗିଲା ।

 

ଆଜି ମୋର ହୃଦୟରେ ନବବର୍ଷର ଦେବତା କେବଳ ଶାନ୍ତ ରୂପରେ ଆବିର୍ଭୂତ ହୋଇଚନ୍ତି । ତାହାର ଏହି ଶାନ୍ତ ରୂପଟିକୁ ଆପଣା ଭିତରେ ଧରିରଖି ମୁଁ ମଗ୍ନ ହୋଇ ରହିବାକୁ ଚାହେଁ । ମୋର ଆଖି ଆଜି ସବୁଠାରେ କେବଳ ଆଲୋକ ଓ ଦୀପ୍ତିର ପ୍ରତ୍ୟକ୍ଷ କରିଚି । ସନ୍ତାନ ପ୍ରସବର ଆନନ୍ଦ ଲାଭ କରିସାରିବା ପରେ ମୁଁ ଅନ୍ତର—ଜନନୀର ଯନ୍ତ୍ରଣାବହୁଳ ଗର୍ଭବିକାଶର ଇତିହାସଦ୍ୱାରା ଆପଣାକୁ ଚହଲାଇ ଦେବାକୁ ଚାହେନାହିଁ । ତେଣୁ ଗତ ଦିନଗୁଡ଼ିକର ଯନ୍ତ୍ରଣାଜଟିଳ କାହାଣୀକୁ ମୁଁ ଅନ୍ତତଃ ଆଜିକ ଲାଗି ଭୁଲିଯିବି । ଶିରାପ୍ରଶିରା ସମସ୍ତ ଗଠନ ଶରରକୁ ବାଦ ଦେଇ, ମୁଁ କେବଳ ଫୁଲର ଶାନ୍ତ ରୂପଟିକୁ ବହନ କରିବି । ଆଜି ଆଉସବୁ ସେହିପରି ରହିଥାଉ । ନବବର୍ଷ ଆଗନ୍ତୁକକୁ ମୁଁ ଫୁଲଟି ଅର୍ପଣ କରିଦେବି । ପୋଡ଼ିବା ଓ ଜଳିବା ହେଉଚି ମୋ’ର ଅଂଶ କିନ୍ତୁ ଦେବତାଲାଗି କେବକ ଧୁପର ନୈବେଦ୍ୟ । ପ୍ରସ୍ତୁତିକାଳର ସମସ୍ତ ଆଘାତ ମୋ’ ଅନ୍ତରର ଢାଙ୍କୁଣି ତଳେ ବନ୍ଦ ରହିଥାଉ । ଆପଣାକୁ ଶୁଦ୍ଧ କରି କେବଳ ଏକ ନିର୍ମଳ ନମସ୍କାରର ଶ୍ରଦ୍ଧାବଦନାରେ ମୁଁ ଆଜି ଜୀବନର ରସିକ task master ଆଗରେ ନତ ହୋଇଯିବି । ମୋ ନୟନତଳର ଅଶ୍ରୁ ଆଜି ଯେପରି କାହାର ସ୍ମିତ ଅଧରପରି କମ୍ପିଉଠୁଚି । ଆଜି ସିଏ ମଧ୍ୟ ଏହି ଆନନ୍ଦ-ସମର୍ପଣରେ ଯୋଗ ଦେଇ ଧନ୍ୟ ହୋଇଚି । ମୋର ନବବର୍ଷ କେବଳ ଆନନ୍ଦରେ ହିଁ ଭରିଉଠୁ ! ସବୁ ସାର ସୁଗନ୍ଧର ମାଲମସଲାକୁ ମୁଁ ଯେପରି ଜୀବନଦେବତାର ବିଚିତ୍ର ଚରଣତୀର୍ଥରେ ଧୂପରୂପେ ସଜାଇଦେଇ ଧନ୍ୟ ହୁଏ ! ଯିଏ ଯେପରିଭାବରେ ମୋର ଦୁଆରକୁ ଆସୁନା କାହିଁକି ଏଠାକୁ ଆସି ସିଏ କେବଳ ଆନନ୍ଦ ହିଁ ଲାଭ କରିଯାଉ ! ଏହି ଆନନ୍ଦ ହେଉଚି ବିଶ୍ୱବିନାୟକର ସର୍ବଶ୍ରେଷ୍ଠ ପରିଚୟ, ଏହି ଆନନ୍ଦ ମୋର ମଧ୍ୟ ସର୍ବଶ୍ରେଷ୍ଠ ପରିଚୟ । ତେଣୁ ଆନନ୍ଦର ଏହି ସମପଣ ଡାଲାଟି ସଜାଡ଼ି ପାରିଲେ ମୁଁ ବିଶ୍ୱବିଧାତା ସହିତ ସମ୍ମିଳିତ ହୋଇ ପାରିବି, ସେଠି ଆପଣାର ନିହିତ ଓ ଅସଲ ପରିଚୟଟିକୁ ଦେଇପାରିବି । ଅଭିନବ ରୂପରେ ଆପଣାର ସ୍ପର୍ଶ ଦେଇଥିବା ହେ ମୋ’ ନିତ୍ୟଜୀବନର ପୁରାତନ ଦେବତା ଆଜିକା ଉତ୍ସବର ବିଶେଷ ଆୟୋଜନ ଓ ଅନୁଷ୍ଠାନ ଭିତରେ ତୁମର ପୁରାତନ ପରିଚିତ ରୂପଟିକୁ ମୁଁ ବେଶ ଚିହ୍ନି ନେଇ ପାରୁଚି । ମୁଁ ତୁମ ଆସନ ତଳର ପୁରାତନ ଜଣେ ବାଳକ, ସେହି ବାଳକର ସୁଲଭ ଆନନ୍ଦରେ ତୁମେ ମୋତେ ତୁମର ଆସନ ପର୍ଯ୍ୟନ୍ତ ସମସ୍ତ ପଥ ଅତିକ୍ରମ କରାଇନିଅ । ଏହାଛଡ଼ା ପ୍ରିୟତର ପ୍ରାର୍ଥନା ମୁଁ ଆଉ କଣ କରିପାରିବି ? ମୋର ଅଭିମାନ ଓ ମୋର ଅହଙ୍କାରକୁ ବଡ଼ କରି ମୋ’ ଅନ୍ତର ଭିତରର ଆନନ୍ଦଟିକୁ ମୁଁ ଯେପରି ଆଚ୍ଛନ୍ନ କରି ନପକାଏ । ମୋହରି ଜୀବନ ଭିତରେ ପଡ଼ିଥିବା ତୁମର ପରିଚିତ ପଥଟିକୁ ତୁମେ ଆଜି ଏତିକି ଆଶୀର୍ବାଦ ଦେଇଯାଅ ।

 

୧୫.୪.୧୯୫୦

 

ଆଜି ସନ୍ଧ୍ୟାବେଳେ ଚାରିଆଡ଼େ ଥକାମରା ହୋଇ ରହିଥିଲା । ବାହାରୁ କୌଣସି ପ୍ରକାର ଉତ୍ସାହ ନପାଇ ଆପଣା ଘରକୁ ଫେରିଆସି ହଠାତ୍ ମୁଁ ଚଞ୍ଜଳ ପବନର ସ୍ପର୍ଶାଘାତ ପାଇଲି-। ଅଦୂରରେ ଥିବା ଖୋଲା ପଡ଼ିଆଟିକୁ ଶଦ୍ଦୋଲ୍ଲସିତ କରି ପିଟିପିଟି ପବନ ବହୁଚି । ମୋ’ଘରର ଝରକା ଉପରେ ଅହରହ କେଡ଼େ ଜୋରରେ ଧକ୍‌କା ବଜାଇଦେଇ ଯାଉଚି ।

 

ଆଜି ହଠାତ୍ ମନେହେଲା, କାହାପାଖକୁ ଯାଇ ପିଲାଟିପରି ବସି ଖାଲି ତାହାରି ମୁହଁରୁ କଥା ଶୁଣି ଶୁଣି ମୁଁ ଆପଣାକୁ ଉଶ୍ୱାସ କରିଦିଅନ୍ତି ! ମାତ୍ର ସେପରି କୌଣସି ସୁଯୋଗ ନପାଇ ଗୁଡ଼ାଏ ପୁରୁଣା ଓଡ଼ିଆ ପତ୍ରିକା ଧରି ଘରକୁ ଫେରିଆସିଲି ।

 

କାଲିର ଶାନ୍ତ ଅବସ୍ଥା ଆଜି ମଧ୍ୟ ପୁରୁଣା ହୋଇ ଯାଇନାହିଁ । ଏପର୍ଯ୍ୟନ୍ତ ସେ ମୋର ସମସ୍ତ ଚିତ୍ତବୃତ୍ତିକୁ ମଗ୍ନ କରି ରଖିଚି । ତା’ର ରୂପ ଅତି ବିଚିତ୍ର, ମନର ଗଭୀର ସ୍ତରରେ ତା’ର ଅତି ସ୍ପଷ୍ଟ ଓ ମଧୁର;—ଆଜି ଭଲକରି ସେହି ଅଭିଜ୍ଞତାଟି ମିଳିଲା । ଆଗରୁ ଯେତେଦିନ ନାନାପ୍ରକାର ଉପଲକ୍ଷ୍ୟରେ ମୁଁ ମନଟାକୁ ନାନା ଅକାରଣ ଚିନ୍ତାରେ ଉତ୍ପୀଡ଼ିତ ଓ ବିକଳ କରି ରଖିଥିଲି, ମୋର ସେସବୁ ଦିନ ଆଜି ସାର୍ଥକ ହୋଇଚି । ଆପଣାର ଭିତରକୁ ଅନାଇ ମୁଁ ପ୍ରତ୍ୟେକ ସ୍ମୃତିର ଶିଶୁରୂପଟିକୁ ଦେଖିପାରୁଚି । ମୋତେ ଏହି ପରିପୂର୍ଣ୍ଣତାର ଅନୁଭୂତିଟି ଦେବେ ବୋଲି ଯେପରି ସେମାନେ ମୋର ମାନସଭୂମିରେ ନାନା ଅସ୍ଥିରତା ଓ ଆକୁଳତାର ସୃଷ୍ଟି କରିବାକୁ ଆସିଥିଲେ ।

 

୧୬.୪.୧୯୫୦

 

ଆଜି ଷୋଳତାରିଖରେ କେବଳ ବନ୍ଧୁ କଥା ହିଁ ମୋ ହୃଦୟକୁ ଅଧିକାର କରି ରହିଚି । ଦିନାରମ୍ଭର ପ୍ରାର୍ଥନାରେ ଯାହାର ପ୍ରଥମ ଆବିର୍ଭାବ ହୋଇଥିଲା, ଦିନଶେଷରେ ପ୍ରାର୍ଥନାରେ ତାହାକୁ ହିଁ ଅନ୍ତର-ନୀଡ଼ର ସାରସଞ୍ଚୟ କରି ରଖି ମୁଁ ଶୋଇବାକୁ ଯିବି ।

 

ଚିତ୍ତ ଆଜି ମଧ୍ୟ ସେହିପରି ଶାନ୍ତ ରହିଚି । ତପ୍ତ ମଧ୍ୟାହ୍ନର ପ୍ରାନ୍ତର ପରି ନିୟତ ତାପକୁ ଅନ୍ତରରେ ଧରି ସେ ପ୍ରସନ୍ନ ଓ ପ୍ରଶାନ୍ତ ହୋଇ ଜନ୍ମଗ୍ରହଣ କରିଚି । ଚଞ୍ଚଳ ଓ ତପ୍ତ ମନର ଆତ୍ମଉତ୍ପୀଡ଼ନ ଦ୍ୱାରା ହାତର ଆଶ୍ରୟ ତଳେ ଆଜି ବିଶ୍ରାମ କରି ମୁଁ କାଲି ପ୍ରଭାତରେ ପୁଣି ନବଜନ୍ମ ଲାଭ କରିବି ।

 

୧୭.୪.୧୯୫୦

 

ରାତି ଅନେକ ହୋଇଗଲାଣି । ସଞ୍ଜବେଳୁ ଘରୁ ବାହାରିଥିଲି, ବୁଲି ବୁଲି ଏତେ ରାତିରେ ଫେରୁଚି । ସାଧାରଣତଃ ସବୁଦିନେ ଏତେବେଳକୁ ମୁଁ ଶୋଇପଡ଼ିଥାଏ । ହଠାତ୍ କଅଣ ଲେଖି ମୁଁ ଆଜିର କୋଟା ସମ୍ପୂର୍ଣ୍ଣ କରିବି କିଛି ଭାବି ପାରୁନାହିଁ । ଏହି ଡାଏରୀଖାତା ହେଉଚି ମୋର ନିତ୍ୟଦିବସର କର୍ମଶେଷର ସୂଚକ । ଏଇଥିରେ ଦିନମାନର ସାର କାହାଣୀଟି ଲେଖି ମୁଁ ଶୋଇବାକୁ ଯାଏ । ଏହା ହେଉଚି ମୋର ପୋତରେ ଆଶ୍ରୟ ଗ୍ରହଣ କରିବାର signal ପରି, ସେତକ କରି ନପାରିଲେ ମନ ଯେପରି ସନ୍ତୋଷର ସହିତ ଶୋଇବାକୁ ଯାଇପାରେ ନାହିଁ ।

 

କାଳନାଗର ନିଶ୍ୱାସ ପରି ଦିନଯାକ ଖର ପବନ ବହୁଥିଲା । ବର୍ତ୍ତମାନ ମଧ୍ୟ ଏଠାରେ ବସି ଲେଖୁ ଲେଖୁ କପାଳରୁ ଝାଳ ନିଗିଡ଼ି ପଡ଼ୁଚି । ତଥାପି ମନ ବିଚଳିତ ହୋଇନାହିଁ, ଏପର୍ଯ୍ୟନ୍ତ କାହାର କରୁଣାରସ ମୋର ମନକୁ ଏକ ଶାନ୍ତ ସମୃଦ୍ଧିରେ ଆର୍ଦ୍ର କରି ରଖିଚି । ସେହି ଶାନ୍ତିର ଆଶ୍ରୟ ଭିତରେ ରହି ମୁଁ ବାହାରର ଏହି ରୌଦ୍ରତାପକୁ ଭୁଲିଯାଇଚି । ଏହାହିଁ ମୋର ଚିରାଚରଣ ହୋଇ ରହିଥାଉ ।

 

ଛୁଟୀରେ ଶାନ୍ତିନିକେତନ ଛାଡ଼ିବାର ବେଳ ଆସି ହୋଇଗଲା । ମୋର ଉଡ଼ାମନଟା ହଠାତ୍ ଓଡ଼ିଶାର କେଉଁ ଅରଣ୍ୟଛାୟା ତଳେ ପବନ ସହିତ ଖେଳି ବୁଲିଲାଣି । ମୋର କଳ୍ପିତ ସକଳ ଯୋଜନା ଛୁଟୀରେ ସଫଳ ହୋଇ ପାରିବ କି ନାହିଁ, ମୁଁ ସେକଥା କହିପାରୁନାହିଁ ।

 

୧୮.୪.୧୯୫୦

 

ଯିଏ ମୋତେ ଏପରି ଅସ୍ଥିର କରୁଚି, ସେଇ ମୋତେ ବାଟକଢ଼ାଇ ନେଇଯାଉ ନାହିଁ କାହିଁକି ? ବାହାରେ ଶାନ୍ତ ରଖି ଭିତରେ ଯିଏ ମୋତେ କେଉଁ ସମ୍ଭାବ୍ୟର ବ୍ୟଗ୍ର କଳ୍ପନାରେ ତତ୍ପର କରି ରଖିଚ, ମୋର ସକଳ କର୍ମର ଅଧିନାୟକ ହୋଇ ସେଇ ତା’ ଆପଣାର ଉଦ୍ଦେଶ୍ୟ ପୂର୍ଣ୍ଣ କରୁନାହିଁ କାହିଁକି ? ମନର ଏହି ଜଳନ୍ତା କଥାଗୁଡ଼ାକୁ ମୁଁ କାହାଆଗରେ କହି ସନ୍ତୁଷ୍ଟ ହୋଇପାରିବି-? କେଉଁ ସମାଜ ଲାଗି ଗଳ୍ପ ଆଉ କବିତା ଲେଖିଲେ ମନ ମାଟିର ମହାଦ୍ରୂମରେ କଦମ୍ବର ପୁଷ୍ପକେଶର ବିକଶିତ ହୋଇପାରିବ ? କିଏ ମୋ’ କଥା କାହିଁକି ଶୁଣିବ ? ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ କେବଳ ସେଇ ଜଣକୁ ଡାକୁଚି, ମୋର ଅନ୍ତର ଭିତରେ ଯିଏ ଏତେ ବାସନାର ସଂଚାଳନ କରୁଚି; ସେଇ ମୋତେ ଜୀବନର ସକଳ କ୍ଷେତ୍ରରେ କେବଳ ତାହାରି ଆଡ଼କୁ ଚାଳିତ କରିନେଉ-!

 

‘ଯେନରେ ତୋର ହୃଦୟ ଜାନେ, ହୃଦୟେ ତୋର ଅଚ୍ଛେନ୍ନ ରାଜା’,—ସଞ୍ଜବେଳେ ମନର ସକଳ ଦହନକୁ ଏକାଠି କରି ଗୋଟିଏ ସଞ୍ଜଦୀପ ରୂପେ ଜଳାଇ ଦେଉଦେଉ ଶିଶୁବିଭାଗର ପିଲାଏ ଗାଉଥିବା ଏଇ ଧାଡ଼ିକ ଆସି ମୋର ପ୍ରାଣରେ ବାଜିଲା । ମୁଁ ଭଲକରି ଜାଣେ ଯେ ସେଇ ରାଜା ହୃଦୟ ମଧ୍ୟରେ ଅବସ୍ଥିତ ରହି ନାନାବିଧ ଓ ନାନାରୂପ ସ୍ୱପ୍ନରେ ମୋର ଦିନରାତ୍ରିକୁ ସକଳ ଓ ସକମ୍ପ କରି ରଖିଚନ୍ତି । କିନ୍ତୁ ଖାଲି ଜାଣିଲେ ଯଦି ତାକୁ ହୃଦୟ ଭିତରେ ପରିପୂର୍ଣ୍ଣ କରି ପାଇ ହେଉଥାନ୍ତା ! ଆଜି ଜାଣିବା-ଅତିରିକ୍ତ ସେହି ଅନୁଭବଟି ଲାଗି ପ୍ରାର୍ଥନା କରି ମୁଁ ଆପଣାର ରାତ୍ରିଟିକୁ ସ୍ତବ୍‌ଧ କରି ରଖିବି ।

 

୧୯.୪.୧୯୫୦

 

ବାଗୋଁ ନା ଜା ରେ ନା ଜା ତେରୀ କାୟାମେଁ ଗୁଲଜାର-କବୀରଙ୍କର ଏହିଧାଡ଼ିକ ମନେମନେ ପ୍ରାୟ ହଜାରଥର ଗାଇସାରିବା ପରେ ମୁଁ ଏଥର ବୁଝୁଚି ଘଟସାଧନା ଓ କାୟାସାଧନାର ପରାମର୍ଶ ଦେବା ମୂଳରେ ସନ୍ଥସାଧକ-ମାନଙ୍କର ପ୍ରକୃତରେ କି ବିଚାର ରହିଥିଲା-! ସବୁ ରକମର ବାହ୍ୟ ଅବଲମ୍ୱନରେ ଅସନ୍ତୁଷ୍ଟ ହୋଇ ଜିଜ୍ଞାସୁ ମଣିଷ ଶେଷରେ ଆପଣାର ହୃଦିକନ୍ଦରକୁ ହିଁ ଲେଉଟି ଆସେ, ସେଇଠି ସେ ସବୁ ପାଏ, ତାହାର ଘଟ ହିଁ ତା’ର ସକଳ ତୀର୍ଥର ଆବଶ୍ୟକତାକୁ ପୂରଣ କରେ । ଏହି ଅନ୍ତର୍ମୁଖିତ୍ୱ ହେଉଚି ସବୁ ସାଧନାର ପରିପକ୍ୱ ଅବସ୍ଥା-। ପ୍ରଥମେ ଜ୍ଞାନ, ତର୍କ, ବିଚାର, ଦର୍ଶନ, ପୂଜା, ଆରାଧନା ଅବଲମ୍ବନ ଓ ଆଉ ସବୁ । କିନ୍ତୁ ଅନୁସନ୍ଧାନର ଏହି ତାମସିକ ସ୍ତରକୁ ପାର ହୋଇଗଲେ ମଣିଷକୁ ଆଉ କୌଣସିଠାକୁ ଦଉଡ଼ି ଅସ୍ଥିର ହେବାକୁ ପଡ଼େ ନାହିଁ । ମୃଗ ଆପଣାର ନାଭିରେ ହିଁ କସ୍ତୁରୀର ସନ୍ଧାନ ପାଏ-

 

କାଲି ସକାଳୁ ପୁଣି ଉଡ଼ାମନର ଆନନ୍ଦଯାତ୍ରା ଆରମ୍ଭ ହେବ ଜାଣେନା ପୁଣି କେତେ ଦିନର ବ୍ୟତିକ୍ରମ ପରେ ମୁଁ ପୁଣି ଏହି ଖାତାରେ ନିଜର କର୍ତ୍ତବ୍ୟ କରିବାଲାଗି ସମୟ ପାଇବି । ରାତିରେ ହୁଏତ ସମୟ ମିଳିବନାହିଁ, ସେଥିଲାଗି ଉଦୁଉଦିଆ ଦି’ପହରେ ତରତର ହୋଇ ମୁଁ ଆଜିର ଅବଗୋହନଟି ଶେଷ କରିଦେଉଚି । ମୋର ସକଳ ବ୍ୟତିକ୍ରମ କେବଳ ଶୁଭ ହିଁ ସଞ୍ଚାର କରୁ ।

 

Raise me up, my Loud ! ନିଜର ଯାବତୀୟ ସାହସିକ ସାଧନାର ପଥପ୍ରାନ୍ତରେ ପହଞ୍ଚି ମୁଁ ଆଜି ଯେପରି କେବଳ ତାହାରି ଆବଶ୍ୟକତା ହିଁ ଅନୁଭବ କରୁଚି । ପଥଚଲା ବିଦ୍ୟାରୁ ମୁଁ ଅଳ୍ପବହୁତ ଜାଣିଚି ବୋଲି ମୁଁ ଆଜିଯାଏ ବିଶ୍ୱାସ କରି ଆସିଥିଲି, ତେଣୁ ଆପେ ଆପଣାର ଅଭିଭାବକ ହେବାରେ ମଧ୍ୟ ମୋର ଆସ୍ଥା ରହିଥିଲା । କିନ୍ତୁ ଆଜି ଯେଉଁ ତୋରଣଟି ମୁଁ ପାର ହୋଇ ଆସିଥିଲା ପରି ମନେହେଉଚି, ତାର ପରବର୍ତ୍ତୀ ଯାତ୍ରାପଥରେ କୌଣସି ଆଚାର ବା ଅନୁଶାସନ ମୋତେ ଆଦୌ ଜଣାନାହିଁ । ମୋର ବୁଦ୍ଧି ଗତ ମନର ସକଳ ଲୂତାତନ୍ତୁ ଯେପରି କେଉଁ ବିରାଟ ସୂର୍ଯ୍ୟର କିରଣ ଆଭାସରେ ମିଳାଇଯାଇ ଆଉ ଆପଣାର ଅସ୍ତିତ୍ୱ ହିଁ ଅନୁଭବ କରି ପାରୁନାହିଁ । ଏଥର ମୁଁ ତାହାରି ପଥର ଯାତ୍ରୀ, ଉର୍ଦ୍ଧଗାମୀ ମାର୍ଗରେ ସେଇ କେବଳ ମୋତେ ପାହାଚକୁ ପାହାଚ ଉଠାଇ ନେଇଯିବ ।

 

ତିନିମାସ ତଳେ ଦୂରଦୂରାନ୍ତକୁ ଉଡ଼ି ପଳାଇବା ଲାଗି ମନଟା ଏହିପରି ଚଞ୍ଚଳ ହୋଇ ଉଠିଥିଲା । ଆଜି ଠିକ ତିନିମାସ ପରେ ମଧ୍ୟ ମନ ପୁଣି ପୁଡ଼ାପତର ବାନ୍ଧି ବାହାରିବାକୁ ସଜ ହୋଇ ବସିଲାଣି । କାହାପାଖରେ ଲଗାଇ ଦେଇଥିବା କେତେ ପ୍ରକାର ସମ୍ପଦକୁ ଆଜି ଏହି ବିଦାୟର କରୁଣ ମଧୁର ରାଗିଣୀରେ ଅଭିବ୍ୟଞ୍ଜିତ କରିଦେବାକୁ ହେବ । ଏହି ଆଶ୍ରମ ଭିତରେ ନାନା କାର୍ଯ୍ୟରେ କେତେ ଅନୁରକ୍ତି ଓ ବିରକ୍ତିର କେତେ ମିଶ୍ର ପ୍ରବାହରେ ମୁଁ ବହିଯାଇଥିଲି, ଆଜି ଯିବାପୂର୍ବରୁ ହଠାତ୍ ସେହି ସମସ୍ତ ଚାଞ୍ଚଲ୍ୟର ଉପଶମକୁ ମୁଁ ବେଶ ଅନୁଭବ କରି ପାରୁଚି । କେବଳ ଶୁଦ୍ଧ ଆଶ୍ରମର ପ୍ରାଣଟି ସତେ ଯେପରି, କେଉଁ ଜନନୀର ଆଶୀର୍ବାଦ ପରି ମୋତେ ତା’ର ପରିପୂର୍ଣ୍ଣ ସ୍ପର୍ଶରେ ଶୁଦ୍ଧ କରି ଦେଇଯାଉଚି ।

 

୩୦.୪.୧୯୫୦

 

ବଡ଼ ଅସଚେତ ଭାବରେ ମୋର ଏଇ କେତେଟା ଦିନ ସୁଅ ପରି ବିତିଗଲା ମୁଁ କିଛି ଜାଣିପାରିଲି ନାହିଁ । ସ୍ରୋତ ମୁହଁର କେଉଁ ଥୁଣ୍ଟା ଗଛପରି ମୁଁ ବିନା ବିବାଦରେ ନାନା ଘଟଣାର ମାଡ଼ ସହିଆସିଲି, ମାତ୍ର ସେହି ମାଡ଼ର କୌଣସି ପ୍ରତିକ୍ରିୟା ମୋ ଉପରେ ହେଲାନାହିଁ । ଏହି ଦୁଇ ସପ୍ତାହ ମଧ୍ୟରେ ମୁଁ କୌଣସି ସୃଷ୍ଟି କରି ପାରିନାହିଁ । ଯିଏ ସଚେତନ ହୋଇ ଜୀବନର ଆଘାତକୁ ଅନୁଭବ କରେ, କେବଳ ସେଇ ସୃଷ୍ଟି କରିପାରେ, ଆପଣା ଜିଜ୍ଞାସାର ପରଖ ଘରେ ଯିଏ ଦୁଃଖକୁ କଷି ଦେଖିପାରେ କେବଳ ସେଇ ନବ ନବ ପ୍ରକାଶରେ ନବଜନ୍ମ ଲାଭକରେ । ମୋର ବିଗତ କେତେଟା ଦିନର ସକାଳ ବ୍ୟର୍ଥ ହୋଇଯାଇଚି, ନୂତନ ପ୍ରମାଣ ଧରି ମୁଁ ପ୍ରତ୍ୟେକ ଦିନର ଜୀବନ ଭିତରେ ଅବତୀର୍ଣ୍ଣ ହୋଇ ପାରିନାହିଁ । କିନ୍ତୁ ତାହା କାହାର ଦୋଷନୁହେଁ, ମୋର ସ୍ୱାଭାବିକ ପଥରେ ଗୋଟାଏ କଣମୋଡ଼ ପରି ଇଏ କେବଳ ଆଉ ଗୋଟାଏ ନୂତନ ଦିଗକୁ ବାଟ କଢ଼ାଇଦେଲା ।

 

ଗାଆଁକୁ ଆସିବା ଆଠଦିନ ହୋଇଗଲା । ଏହାଭିତରେ ମୁଁ ଯଥେଷ୍ଟ ସମୟ ପାଇଚି, ଇଚ୍ଛା କରିଥିଲେ ଓ ମନକୁ ବସାଇ ପାରିଥିଲେ ଏହି ଖାତାରେ ମୁଁ ନିଶ୍ଚୟ ମୋର କର୍ତ୍ତବ୍ୟ କରି ପାରିଥାନ୍ତି । ତଥାପି କରି ପାରିଲିନାହିଁ । ମନର ଏହି ନିକିମାପଣିଆଟା ମୋତେ ବେଳେବେଳେ ଭାରି ଅବଶ କରିଦେଇଚି । ହଠାତ୍ ମନେ ହୋଇଚି ଯେପରି ମୁଁ ଆପଣାକୁ କେବଳ ବୃଥା ନିଃଶେଷିତ କରିଦେଉଚି, ଯେପରି ଦୀନ ହୀନ ଶୂନ୍ୟ ହୃଦୟର ଶୂନ୍ୟପାତ୍ର ଧରି ବୁଲିବାର ଦୁର୍ଦ୍ଦିନ ମୋ ଲାଗି ବଡ଼ ଆସନ୍ନ ହୋଇ ଆସିଲାଣି ।

 

୪.୫.୧୯୫୦

 

ପର୍ଯ୍ୟଟନ ମୁଖରେ ଆସି ଆଜି କଟକରେ ପହଞ୍ଚଚି । କାଲି ସକାଳ ତାଳଚେର ଗାଡ଼ିରେ ପଶ୍ଚିମ ଓଡ଼ିଶାର ଜଙ୍ଗଲ ସହିତ ପରିଚିତ ହେବାକୁ ଯିବି । ଆସନ୍ତା କେତେଦିନ ସକାଶେ ଦିନଲିପି ଲେଖିବାରେ ମୁଁ ସମ୍ଭବତଃ ଭାରି ଅନିୟମିତ ହୋଇପଡ଼ିବି, ଆପଣାକୁ ଚିହ୍ନିରଖିବାର କୁଣ୍ଡଳୀ ଭିତରେ ହୁଏତ ବାରବାର ଫାଙ୍କ ରହିଯିବ । ଭାବୀ ଆନନ୍ଦରେ କଳ୍ପନାପ୍ରଫୁଲ୍ଲ ହୋଇ ରହିଥିବା ମନଟା ସେହି ତ୍ରୁଟିଲାଗି ଯେପରି ଆଜିଠାରୁ ଅନୁମତି ମାଗିନେଉଚି ।

 

ଦୁଇଦିନଯାକ କଟକ ସହରର ଖରାରେ ବୁଲିବୁଲି ବଡ଼ କ୍ଳାନ୍ତ ଲାଗୁଚି, ଆସନ୍ତା କାଲି କେଉଁ ଅରଣ୍ୟର ଶୀତଳଛାୟାରେ ଆଶ୍ରୟ ନେବାଲାଗି ମନ ସଜବାଜ ହୋଇ ବସିଲାଣି । ମୁଁ ଯୁଆଡ଼େ ଭ୍ରମଣ କରି ବାହାରିଚି, ସେଠିକାର ମଣିଷ ସେଠିକାର ପ୍ରକୃତି ପରି ସଳଖ ଓ ସହଜ । ଆମ ଏଆଡ଼ର ବିଷ ସେହି ଅଞ୍ଚଳକୁ ଏପର୍ଯ୍ୟନ୍ତ ଖୁବ୍‌ବେଶୀ ସ୍ପର୍ଶ କରି ପାରିନାହିଁ । ତେଣୁ ମନ କହୁଚି, ଏଇ କେତେଟା ଦିନ ସେଇଆଡ଼େ କଟାଇଦେଇ ଓ ସେଠିକା ମଣିଷର ସଂସ୍ପର୍ଶ ପାଇ ମୁଁ ନୂତନ ଆଶାରେ ପୁଣି ଆୟୁଷସମ୍ପନ୍ନ ହୋଇ ଫେରିଆସିବି, ଉଶ୍ୱସିତ ମନରେ ନୂଆ କଳ୍ପନାଲାଗି ମୁଁ କ୍ଷେତ୍ର ପ୍ରସ୍ତୁତ କରିପାରିବି ।

 

ଆଜି ଅନ୍ତର ଭିତରେ ରହି ମୋତେ ଯିଏ ଶାନ୍ତ ଓ ସମାହିତ କରି ରଖିଚି, କାଲି ପଥର ସାଥୀ ହୋଇ ସେଇ ବାଟ କଢ଼ାଇନେବ । ମୋର ଆନନ୍ଦ ମଧ୍ୟରେ ତାହାରି ଇଚ୍ଛା ହିଁ ପୂର୍ଣ୍ଣ ହେଉ । ଯାତ୍ରା ମୁହଁରେ ଏତିକି ହେଉଚି ମୋର ସବୁଠାରୁ ବଡ଼ ପ୍ରାର୍ଥନା । ଶୁଭମସ୍ତୁ !

 

୫.୫.୧୯୫୦

 

ଭ୍ରମଣର ପ୍ରଥମଦିନ ହଠାତ୍ ବ୍ୟତିକ୍ରମ ଘଟିଲା । ତାଳଚେର ଠାରୁ ବଣାଇକୁ ମଟର ପାଇ ନ ପାରିବାରୁ ଅଗତ୍ୟା ପାଲଲହଡ଼ା ଗଡ଼ଜାତର ଏହି ଖମାର ଗାଆଁରେ ଆଶ୍ରୟ ନେବାକୁ ହେଲା । ରେଳଗାଡ଼ିରୁ ଓହ୍ଲାଇ ମଟର ନଦେଖି ତାଳଚେର ଷ୍ଟେସନରେ ମୋତେ ବଡ଼ ନିରାଶ ଲାଗିଥିଲା, ମାତ୍ର ମୁଁ ବର୍ତ୍ତମାନ ଭାବୁଚି, ସତେଅବା ମୋତେ ଆହୁରି ଅଧିକ ଆନନ୍ଦ ଦେବାଲାଗି ଭଗବାନ ଆଜି ଏହି ବ୍ୟତିକ୍ରମଟି ଘଟାଇଲେ । ମଟରରେ ବସିଥିଲେ ମୁଁ ଆଖି ପିଛୁଳାକେ ଅତି ଅଜ୍ଞାତ ଓ ଅଶ୍ରୁତ ଭାବରେ ଯେଉଁ ଜାଗାଟିକୁ ଅତିକ୍ରମ କରି ଯାଇଥାନ୍ତି, ସେଠାରେ ଆଜି ଗୋଟିଏ ରାତିର ଶରଣାର୍ଥୀ ହୋଇ ମୁଁ କେତେ ମଣିଷଙ୍କର ସ୍ନେହ ଓ ସାନ୍ନିଧ୍ୟର ଅଧିକାରୀ ହୋଇପାରିଲି । ଖମାର, ସାଧାରଣତଃ ଅନ୍ୟ ଅନେକ ଗାଆଁଠାରୁ ଟିକିଏ ଭିନ୍ନ ଧରଣର । ଏଠାରେ ଡାକ୍ତରଖାନା ଅଛି, ଥାନା ଅଛି, ମାଇନର ସ୍କୁଲ ଅଛି । ଅନତି ଦୂରରେ କିରାସିନୀ ଡିବି ଜାଳି ପିଲାଏ ସଶବ୍ଦେ ପାଠ ପଢ଼ୁଚନ୍ତି । ଏହି ପିଲାଙ୍କ ବିଷୟରେ ମୋର ଯେତିକି ପ୍ରାଥମିକ ଧାରଣା ହୋଇଚି, ସେଥିରେ ସେମାନେ ମୋତେ ଭାରି ଭଲ ଲାଗିଚନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ହେଉଚନ୍ତି ସୁଶ୍ରୀ ଓ ସ୍ୱାସ୍ଥ୍ୟବାନ; ଶରୀରର ଗଠନ ବେଶ ସ୍ୱାଭାବିକ । ଆପଣାକୁ ବିଜ୍ଞାପିତ କରାଇବାଲାଗି ଏମାନେ ଖୁବବେଶୀ ଧୂମଧାମ ନକରୁଥିଲେ ମଧ୍ୟ ଏଠାରେ ସବୁ ପିଲାଙ୍କ ମଧ୍ୟରେ ଏପରି ଏକ ସରଳ ପ୍ରସନ୍ନଭାବ ରହିଚି ଯାହା କଟକ କିମ୍ବା କଟକର ଆଖପାଖ କୌଣସି ଜାଗାର ପିଲାମାନଙ୍କ ଠାରେ ସାଧାରଣତଃ ଦେଖିବାକୁ ମିଳେନାହିଁ ।

 

ତାରାମୟୀ ରାତ୍ରିର ନିରବ ଗାୟତ୍ରୀ ଆସି କାନରେ ବାଜୁଥିଲା ପରି ମନେହେଉଚି । କେବଳ ଉତ୍ତରପୂର୍ବ କୋଣରେ ମାଲ୍ୟଗିରି ପାହାଡ଼ ଶିଖରରେ ଜମା ହୋଇଥିବା ମେଘପୁଞ୍ଜ ମୁହୁର୍ମୁହୁ ବିଜୁଳି ଝଲକରେ ଚିତ୍ତକୁ ଚଞ୍ଚଳ କରି ଦେଉଚନ୍ତି । ମନର କଳ୍ପନା ଭିତରେ ମାଲ୍ୟଗିରି ଓ ପାଲଲହଡ଼ା ବେଶ ଅନେକ ଦିନରୁ ଗୋଟିଏ myth ପରି ହୋଇ ରହିଥିଲା । କବିତାରେ ମୁଁ ମାଲ୍ୟଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ପଢ଼ିଥିଲି । ତାଳଚେରରୁ ଏବେ ଖରାଦିନିଆ ମଟର ଚାଲିବା ପରେ ପାଲଲହଡ଼ା ବାହାରର ସଂସାର ସହିତ ସଂଯୁକ୍ତ ହୋଇ ପାରିଚି । ଆଗେ ପଚିଶିକୋଶ ରାସ୍ତା ଚାଲି ଚାଲି ଗଲେ ଯାଇ ଗଡ଼କୁ ଆସିବା ସମ୍ଭବ ହେଉଥିଲା । ଗଡ଼ଜାତ ତଥା ଦେଶର ରାଜନୀତିକ ଆନ୍ଦୋଳନରେ ପାଲଲହଡ଼ାର ନାମ ମୁଁ କେବେହେଲେ ଶୁଣିନଥିଲି । ଏହିସବୁ କାରଣରୁ ସନ୍ଧିତ୍ସୁ ମନଟା ଆଜି ଭାରି ଖୁସୀ ହୋଇ ପଡ଼ିଚି, ହଠାତ୍ ଓଡ଼ିଶାର ଅନ୍ତର୍ଭୁମିରେ ପ୍ରବେଶକରି ସେ ଯେପରି ଗୋଟାଏ ଆଫ୍ରିକା ଆବିଷ୍କାର କରିଚି । ଏହି ସ୍ଥାନର ଆତିଥ୍ୟ, ଏଠିକାର ପିଲାଏ ଓ ଏଠିକାର ଶ୍ୟାମଳ ଦିଗନ୍ତ ସମସ୍ତେ ମିଶି ମୋର ଏଠି ଗୋଟାଏ ଦିନ ସକାଶେ ଅଟକିଯିବାକୁ ସାର୍ଥକ କରିଚନ୍ତି । ମୁଁ ସମସ୍ତଙ୍କୁ ପ୍ରଣତି ଜଣାଉଚି ।

 

ହଁ, ସେଦିନ ବଡ଼ିସକାଳୁ କଟକରେ ଥିବା ତାଙ୍କ କୋଠାରେ ଶ୍ରୀଯୁକ୍ତ ବିଜୟାନନ୍ଦ ପଟ୍ଟନାୟକ, ଏମ୍.ଏଲ୍‌.ଏ ଙ୍କ ସହିତ ସାକ୍ଷାତ କରିଥିଲି । ଘଡ଼ିକର କଥାବାର୍ତ୍ତାରେ ମୋ ମନରେ କେବଳ ଏତିକି କଥା ବାରବାର ଆଘାତ କରି ଯାଉଥିଲା ଯେ ତାଙ୍କର କେବଳ ପଇସା ଅଛି । ଅବଶ୍ୟ ଏହା ମୋର ପ୍ରଥମ ସାକ୍ଷାତର ପ୍ରତିକ୍ରିୟା । ହୁଏତ ଏହା ଅଭ୍ରାନ୍ତ ହୋଇନପାରେ ।

 

୭.୫.୧୯୫୦

 

କାଲି ସକାଳ ସାଢ଼େ ଆଠଟାରେ ଖମାରରୁ ବାହାରି ପାଲଲହଡ଼ା ଗଡ଼ଦେଇ ମୁଁ ପ୍ରାୟ ଖରାବେଳକୁ ଜାଙ୍ଗଡ଼ାରେ ଆସି ପହଞ୍ଚିଲି । ସମୁଦାୟ ବାଟ ହେଉଚି ୪୫ମାଇଲ । ଜାଙ୍ଗଡ଼ାରୁ ବଣାଇଗଡ଼ ଛଅ ମାଇଲ । ଏଠାରେ ଖଣ୍ଡିଏ ମାଇନର ସ୍କୁଲ ଓ ଡାକବଙ୍ଗଳା ରହିଚି । ମୁଁ ସ୍କୁଲର ଛାତ୍ରବାସରେ ଭରତ ବାବୁଙ୍କୁ ଅପେକ୍ଷା କରି ରହିଚି ।

 

ଖମାର ଓ ଜାଙ୍ଗଡ଼ାରେ ଛାତ୍ରାବାସ-ଜୀବନ ମଧ୍ୟରେ ରହିଥିବା ପାର୍ଥକ୍ୟରୁ ସ୍ପଷ୍ଟ ପ୍ରମାଣିତ ହେଉଚି ଯେ ଛାତ୍ରଜୀବନର ସୁଚାରୁ ସଂଗଠନ ଲାଗି ଶିକ୍ଷକର ସ୍ନେହ ଓ ସହାନୁଭୂତି ଖୁବ ଦରକାର । ସେଠି ମୁଁ ଗୋଟାଏ ଓଳିରେ ପିଲାମାନଙ୍କ ସହିତ ଏତେ ଆପଣାର ହୋଇ ମିଶି ପାରିଥିଲି, ପଦେ ପଦେ କଥାରେ ସେମାନେ ମୋତେ ଏତେ ଆପଣାର କରି ନେଇଥିଲେ । ମାତ୍ର ଏଠାରେ ଖୁବ ଚେଷ୍ଟାକରି ମଧ୍ୟ ତାହା ହୋଇ ପାରିଲାନାହିଁ । ଆପଣା ଶିକ୍ଷକଙ୍କ ପାଖରେ ମଧ୍ୟ ପିଲାମାନେ ଯଥେଷ୍ଟ free ନୁହନ୍ତି । ପିଲାଙ୍କର ସ୍ୱାସ୍ଥ୍ୟ, ଖାଇବା ପିଇବା ଓ ଖେଳିବା ପ୍ରଭୃତି ଜୀବନକ୍ରମ ଉପରେ ଯତ୍ନପୂର୍ଣ୍ଣ ଦୃଷ୍ଟି ଦିଆଯାଉଥିଲା ପରି ଆଦୌ ଲାଗୁନାହିଁ । ଗୋଟାଏ କଥା ସବୁଠାରୁ ଅଧିକ ଭାବରେ ଆଖିରେ ପଡ଼ିଯାଉଚି । ଆଦିବାସୀ ପିଲାଙ୍କ ସକାଶେ ଏଠାରେ ଅଲଗା ରୋଷେଇଘର ଓ ରହିବା ଘର ରହିଚି । ହୁଏତ ଅଣଆଦିବାସୀ ଘରର ଅଭିଭାବକମାନଙ୍କର ମନପରିବର୍ତ୍ତନ ହୋଇନାହିଁ ବୋଲି ବାଧ୍ୟହୋଇ ଏହିପରି କରିବାକୁ ପଡ଼ୁଚି । ତଥାପି ଇଚ୍ଛା ଥିଲେ ଶିକ୍ଷକମାନେ ନିଜନିଜର ଦୃଷ୍ଟାନ୍ତ ଓ ଅଭ୍ୟାସଦ୍ୱାରା ପିଲାଙ୍କ ମନରୁ ଏହି ଅସୁନ୍ଦର ବ୍ୟବଧାନଟିକୁ ଘୁଞ୍ଚାଇବାକୁ ଅନେକ ଚେଷ୍ଟା କରି ପାରୁଥାନ୍ତେ ।

 

କାଲି ଏଠାରେ ଆସି ପହଞ୍ଚିବା ଠାରୁ ଏପର୍ଯ୍ୟନ୍ତ କାହିଁକି ଭାରି ନିକିମା ହୋଇ ପଡ଼ିଲା ପରି ଲାଗୁଚି । ତାହାର କାରଣ ହେଉଚି, ଛାତ୍ରାବାସ ଓ ନଈ ବନ୍ଧରେ ଟିକିଏ ଏପାଖ ସେପାଖ ହେବା ବ୍ୟତୀତ ମୁଁ ବିଶେଷ କିଛି କାମ କରିନାହିଁ । ମନୋମତ କାମ ମିଳିଗଲେ ମନ ମୁକ୍ତିପାଏ, ସ୍ୱଇଚ୍ଛାରେ ଆପଣା କାମର ବୋଝକୁ ବହନ କରି ସେ ହାଲୁକା ହୋଇଯାଏ । ଏଠାରେ ସେହିପରି ଏକ ସୁଯୋଗର ଅଭାବ ରହିଚି । ତଥାପି ମୁଁ ବିରକ୍ତି ହେବିନାହିଁ, ଶାନ୍ତ ମନରେ ସେହି ବିଧାତାର ଖେଳବେଳକୁ ଅପେକ୍ଷାକରି ରହିବି । ତାହାରି ବେଳଆସିଲେ ନାଡ଼ୀର ରକ୍ତ ସଙ୍ଗେ ସଙ୍ଗେ ପୁଣି ମୋ’ ମନ ମଧ୍ୟ ଚଞ୍ଚଳ ହୋଇ ଉଠିବ, ମନରୁ ସବୁ ଅବଶତା ଅପସରିଯିବ । ବର୍ତ୍ତମାନ ମୁଁ ସେହି ବେଳଲାଗି ସଜାଗ ହୋଇ ରହିବି ।

 

ଲେଖୁ ଲେଖୁ ବାରବାର ହାଇ ଆସୁଚି । କେବଳ ଅପେକ୍ଷା କରି ବସି ମନଟା କାଲିଠାରୁ କ୍ଳାନ୍ତ ହୋଇ ପଡ଼ିଲାଣି । ଆସନ୍ନ ଦ୍ୱିପହରର ଉତ୍ତାପ ଏହି କ୍ଳାନ୍ତିକୁ ଆହୁରି ବଢ଼ାଇ ଦେଉଚି।

 

୮.୫.୧୯୫୦

 

କାଲି ରାତିରେ ଜାଙ୍ଗଡ଼ାରୁ ବିଦାହୋଇ ଆସି ଆମେ ବାଟରେ ଗୋଟାଏ ଗାଆଁରେ ରହିଲୁ, ଆଜି ଭୋରରୁ ଉଠି ବଣେଇଗଡ଼ରେ ଆସି ପହଞ୍ଚିଥିଲୁ । ଗଡ଼ର ଚାରିପାଖ ବେଶ୍ ଖୋଲା, ପାହାଡ଼ ଗୁଡ଼ାକ ଏଠୁ ବହୁଦୂରରେ । ଗରମଟା ବି ଅପେକ୍ଷାକୃତ କମ ଜଣାଯାଉଚି । ସବୁଠାରୁ ଅଧିକ ଉପଭୋଗ୍ୟ ହେଉଚି ବ୍ରାହ୍ମଣୀ ନଈ । ତାର ନିର୍ମଳ ଓ ଗଭୀର ଜଳରେ ପ୍ରାୟ ଦେଢ଼ଘଣ୍ଟାଯାଏ ବୁଡ଼ି ବୁଡ଼ି ଆଜି ମୁଁ ଭାରି ଆରାମ ପାଇଚି । ରୁଚିକର ଭୋଜନଠାରୁ ରୁଚିକର ସ୍ନାନ ଅନେକ ସମୟରେ ଜୀବନର ଅନେକ ବାସନାକୁ ଅଧିକ ମେଣ୍ଟାଇ ଦେଲାପରି ଲାଗେ ।

 

ଶାନ୍ତିନିକେତନରେ ଥିଲାବେଳେ ମୁଁ ବାହାର ପୃଥିବୀ ବିଷୟରେ ଆଦୌ ବିଚାର କରି ପାରେନାହିଁ । ମନଟା ସେଠାରେ ସ୍ୱତଃ ଆପଣାମୁଖୀ ହୋଇଯାଏ । ଆପଣାର ଦୁଃଖ, ଆପଣାର ବାସନା ଓ ଆପଣାର ଲଭ୍ୟାଲଭ୍ୟ ସେଠାରେ ଅତି ମୁଖ୍ୟଭାବରେ ମୋର ସମସ୍ତ ଭାବନାକୁ କୁଣ୍ଡଳୀକୃତ କରି ରଖିଥାଏ । ମାତ୍ର ଭ୍ରମଣ କରୁଥିବାବେଳେ ମୁଁ ଆପଣା ଆଡ଼କୁ ଅନାଇବାଲାଗି ଆଦୌ ବେଶୀ ସମୟ ପାଏନାହିଁ । ରାସ୍ତାରେ ଧାଇଁଥିବା ଗାଡ଼ୀର ଯାତ୍ରୀପରି ମନ ସ୍ୱାଭାବିକ ଭାବରେ ଖାଲି ଚାଲିଯାଉଥାଏ । ଚତୁର୍ଦ୍ଦିଗର ଜୈବ ଓ ଅଜୈବ ନାନା ବୈଚିତ୍ର୍ୟ ମଧ୍ୟରେ ମୋର କଳ୍ପନା ଅତିପ୍ରସାରିତ ହୋଇଯାଏ । ଦୁଇଟିଯାକ ଦୃଷ୍ଟି ହୁଏତ ଏକା ଧର୍ମର ସବୁ ମୋ’ରି ଆପଣା ବିକାଶ ଓ ଭଙ୍ଗାଭଢ଼ା ଲାଗି । ଆପଣାକୁ ବିସ୍ତାରିତ କରିବାଲାଗି ସେ କେତେବେଳେ ସବୁରି ଘଟରେ ପ୍ରବେଶ କରି ସ୍ପୀତ ହୋଇଉଠେ, ପୁଣି କେତେବେଳେ ଆପଣାର ହାତୁଡ଼ିରେ ଆପଣାର ସୀମାବଦ୍ଧ କଞ୍ଚାମନଟିକୁ ବାଡ଼େଇ ବାଡ଼େଇ ଟାଣ କରିବାରେ ସେ ବେଶୀ ଆନନ୍ଦ ପାଏ । ମୁଁ ଏହି ଉଭୟ ଜୀବନର ସ୍ତୁତିଗାନ କରୁଚି ।

 

୯.୫.୧୯୫୦

 

ରାତି ତିନିଘଡ଼ି ଥିଲା, ଆମେ ବଣେଇଗଡ଼ ଛାଡ଼ିଲୁ । ଶାଳଜଙ୍ଗଲ ଭିତରେ ଅନେକ ପଥ ଅତିକ୍ରମ କରି ଆମେ କୁଳିପୋଷ ଓ ସେଠାରୁ ପୁଣି ନୂଆଡ଼ିହ ବୋଲି ଗୋଟିଏ ଗାଆଁରେ ଆସି ପହଞ୍ଚିଲୁ । ବାଆଁ ପାଖରେ ଖଣ୍ଡାଧାର ପର୍ବତ ଓ ପ୍ରପାତକୁ ରଖି ଆମକୁ ଆଜି ଶାଳବନର ଦୀର୍ଘ ରାସ୍ତା ଚାଲିବାକୁ ହୋଇଚି । ଜୀବନର ଭବିଷ୍ୟତ ସମର୍ପଣଲାଗି ଖଣ୍ଡେ କ୍ଷେତ୍ର ଖୋଜିବାକୁ ଆସି ସୁଦୂର ବଣେଇ ମାହାଲର ଏହି ଶାଳଜଙ୍ଗଲ ସହିତ ମୋର ପରିଚୟ ଘଟିଲା । କିଏ ଜାଣେ, ଏହି ଦିନକର ପରିଚୟ ହୁଏତ ମୋତେ ସାରାଜୀବନ ଲାଗି ଏହି ସ୍ଥାନର ବିସ୍ତୃତ ଜୀବନକ୍ଷେତ୍ର ଆଡ଼କୁ ଟାଣିଆଣିବ । ଏ ସ୍ଥାନର ଭଲମନ୍ଦ ବିଚାର କରିବା ଆଗରୁ ମୁଁ ଏହାରି ଉଦ୍ଦେଶ୍ୟରେ ନମସ୍କାର ଜଣାଇ ଯାଉଚି । ଭୂଗୋଳ ଓ ଇତିହାସରେ ଯେତେ ଅଜ୍ଞାତ ଓ ଅଗଣ୍ୟ ହେଲେ ମଧ୍ୟ ମୋ’ଲାଗି ଏହି ସ୍ଥାନର ଧୂଳି ତୀର୍ଥଧୂଳି ପରି ପବିତ୍ର । ଏହାରି ସ୍ପର୍ଶରେ ମୋର ବାସନା ଧନ୍ୟ ହୋଇଯାଉ ।

 

ସକାଳେ କୁଳିପୋଷର ସରକାରୀ ବଗିଚାରେ ଆମେ ଲିଚୁ ଓ ଗୋଲାପଜାମୁ ଖାଇଲୁ । ବର୍ତ୍ତମାନ ଆଉ ଟିକିଏ ଗଲେ ଜଣେ ଆଦିବାସୀଙ୍କ ଘରେ ଭୋଜନ ସମାପନ କରିବାକୁ ପଡ଼ିବ । ଆଦିବାସୀଙ୍କ ଭିତରେ ମଧ୍ୟ ବ୍ରାହ୍ମଣ ଓ ପୁରୋହିତ ଅଛନ୍ତି, ଏମାନେ ମଧ୍ୟ ବ୍ରତ ହୁଅନ୍ତି ଓ ପଇତା ପକାନ୍ତି ।

 

୧୧.୫.୧୯୫୦

 

ମଝିରେ ଦିନେ ଲେଖିବା ବାଦ୍ ପଡ଼ିଗଲା, କିନ୍ତୁ ମନଭିତରୁ କାଲିଦିନଟି କଦାପି ବାଦ୍ ପଡ଼ିନାହିଁ । ବଣେଇଗଡ଼ରୁ କାଲି ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ଥିଲା, ମାତ୍ର ଅଧବାଟରେ ପାନପୋଷଠାରେ ଦିନଟିଏ ଅଟକିଗଲି । ଏଠାରେ ମଧ୍ୟ ସେଇ ବ୍ରାହ୍ମଣୀ ନଈ ଦୁଇଆଡ଼ୁ ଦୁଇଟି ଉପନଦୀ ବହିଆସି ଏଇଠି ଏକାଠି ବ୍ରାହ୍ମଣୀ ନଈର ଉତ୍ପତ୍ତି କରାଇଚନ୍ତି । ସେହି ସଙ୍ଗମ ପାଖରେ ବେଦବ୍ୟାସଙ୍କ ସମ୍ବନ୍ଧରେ କେତେକ ସ୍ମୃତି ଜଡ଼ିତ ରହିଚି ।

 

କାଲି ବଣେଇରେ ମଟର ଚଢ଼ି ବ୍ରାହ୍ମଣୀ ନଈ କୂଳରେ ପହଞ୍ଚିଲା ବେଳକୁ ପ୍ରଚଣ୍ଡ ଝଡ଼ ଆସିଲା । ଶାନ୍ତିନିକେତନର ବୈଶାଖୀ ଝଡ଼ ପରି ଭୁଭାଗର ସମତଳଠାରୁ ମାନବର ବକ୍ଷତଳ ପର୍ଯ୍ୟନ୍ତ ଏହି ଝଡ଼ର ପ୍ରତାପ ବ୍ୟାପ୍ତ ହୋଇ ରହିଥିଲା । ନଦୀର ବାଲିଶଯ୍ୟାକୁ ଆଲୋଡ଼ିତ କରି ନଦୀମଧ୍ୟର ପଥରସ୍ତୂପକୁ ତରଙ୍ଗାଘାତରେ ଚଞ୍ଚଳ କରି ଦେଉଥିଲା ଏହି ଝଡ଼ର ଉଚ୍ଛନ୍ନ ପବନ । ଝଡ଼ପରେ ପ୍ରବଳ ବୃଷ୍ଟି ହେଲା ଓ କୁଆପଥର ପଡ଼ିବା ଆରମ୍ଭ ହୋଇଗଲା । କେତେକ୍ଷଣ ଲାଗି ବାହାରର ଅନ୍ୟସକଳ ସ୍ଥିତିକୁ ଭୁଲି ସେହି ଝଡ଼ର ଅନନ୍ତ ଜଟାମଧ୍ୟରେ ମୁଁ କେବଳ ଏକ କେଶଗୁଚ୍ଛ ପରି ଆଳୁଲାୟିତ ହୋଇ ବୁଲୁଥିଲି ।

 

ଆମ ମଟରରେ କେତେଜଣ ପୋଲିସ୍ ସିପାହୀ ଯାଉଥିଲେ । ସେମାନଙ୍କର ଅଶ୍ଳୀଳ କଥାବାର୍ତ୍ତାରୁ ସେମାନଙ୍କୁ ଯାତ୍ରୀଦଳରୁ ଅଲଗା କରି ଚିହ୍ନିନେବାକୁ ଆଦୌ ବେଶୀ ଡେରି ଲାଗୁନଥିଲା । ଦୁଇଶତାବ୍ଦୀ ହେଲା ଏ ଦେଶର ପୋଲିସ୍ ପଛରେ ରହିଥିବା ଅଖ୍ୟାତ ପରମ୍ପରାକୁ ଯେପରି ଏମାନେ କୌଣସିମତେ ଭୁଲିବାକୁ ହିଁ ପ୍ରସ୍ତୁତ ନୁହନ୍ତି । ଜଣେ ପୋଲିସ୍ ଅଫିସର ଡ୍ରାଇଭର୍‌ଙ୍କ ପାଖରେ ବସିଥିଲେ । ନଈର କଣ୍ଡିଆ ଉପରକୁ ଆମ ମଟରଟି ଉଠିଆସିବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇ ଚାଲିଚାଲି ଯିବାକୁ କୁହାଗଲା । ସମସ୍ତେ ଚାଲିଚାଲି ଗଲେ, କିନ୍ତୁ ପୋଲିସ୍ ବାବୁଜଣକ ସେହିପରି ମଟରରେ ବସିଥାନ୍ତି । ମଟର ଡ୍ରାଇଭର ଅବଶ୍ୟ ତାଙ୍କୁ ବିଶେଷକରି ଓହ୍ଲାଇବାକୁ କହିନାହାନ୍ତି, ଏବଂ ସେଇ ଜଣେ ଓହ୍ଲେଇଲେ ନାହିଁ ବୋଲି ମଟର କଣ୍ଡିଆ ଉପରକୁ ଉଠିବାରେ କୌଣସି ବିଶେଷ ଅସୁବିଧା ମଧ୍ୟ ହୋଇନାହିଁ । କିନ୍ତୁ ଦେଶରେ ଶାନ୍ତି ଓ ଶୃଙ୍ଖଳା ରଖୁଥିବା ଜଣେ ସେବକ ହିସାବରେ ସିଏ ଏଠି କି ଦୃଷ୍ଟାନ୍ତ ଦେଖାଇଲେ ! ଲୋକଶିକ୍ଷଣ କାର୍ଯ୍ୟରେ ଏହିପରି ଦୃଷ୍ଟାନ୍ତମାନ ଯେ କେଡ଼େ ତ୍ୱରିତ ଫଳ ଦିଅନ୍ତା, ସେକଥା ସମସ୍ତେ କହିବେ । ଆପଣା positionର ଅଭିମାନ ଦେଖାଇବାକୁ ଯାଇ ସେ ଯେ ଆପଣା positionର ଅପମାନ ହିଁ କଲେ ସିଏ ସେକଥା କେବେ ବୁଝିବେ ? ମୁଁ ଜାଣେନା, ସେମାନଙ୍କର ସରକାରୀ ଶିକ୍ଷା କ୍ରମରେ ସେମାନଙ୍କୁ ଏସବୁ ଛୋଟିଆ ଛୋଟିଆ କଥାର ମହତ୍ୱ ବୁଝାଇ ଦିଆଯାଏ କି ନାହିଁ ।

 

ଆଜି ମଧ୍ୟ ବ୍ରାହ୍ମଣୀ ନଇରେ ବୁଡ଼ା ଗାଧୁଆ ହେଲା ।

 

୧୩.୫.୧୯୫୦

 

ଦିନଦୁଇଟା ଭିତରେ ମୋର କେତେ ଜାଗାବଦଳ ହୋଇଗଲା ! ପଅରଦିନ ରାତିରେ ମୁଁ ରେଳଗାଡ଼ୀରେ ବସି ପାନପୋଷଠାରୁ ବାହାରିଥିଲି । କାଲି ଦିନଟାଯାକ ସମ୍ବଲପୁର ବୁଲିବୁଲି କଟିଯାଇଚି । ସମ୍ବଲପୁର ଏଇ ମୋର ପ୍ରଥମ ଦେଖା । ୟାଡେସାଡ଼େ ବୁଲିବାରେ କାଲି ଏତେ ବ୍ୟସ୍ତ ରହିଲି ଯେ ଏହି ଖାତାରେ କିଛି ଲେଖିବାର ସ୍ଥିର ଅବସର ହିଁ ପାଇଲିନାହିଁ । ଆଜି ବଡ଼ିସକାଳୁ ମଟରରେ ବସି ସୋନପୁର ପହଞ୍ଚିଲି । ସେଠାରେ ଖିଆପିଆ ସାରି ସଙ୍ଗେସଙ୍ଗେ ମଟରରେ ଦଶମାଇଲ ଓ ଚାଲିଚାଲି ତିନିମାଇଲ ଆସି ଗଡ଼ିଆ ବୋଲି ଗୋଟିଏ ଛୋଟିଆ ଗାଆଁରେ ପହଞ୍ଚିବି । ହଠାତ୍ ଏତେ ପରିବର୍ତ୍ତନର ସମ୍ମୁଖୀନ ହୋଇ ମଧ୍ୟ ଚିତ୍ତ ଯେ ପ୍ରତ୍ୟେକ ତୀର୍ଥରେ ଆପଣାର ଗ୍ରହଣପାତ୍ରଟିକୁ ସନ୍ତର୍ପଣରେ ପ୍ରସାରିତ କରିଦେଇ ପାରୁଚି, ସେତିକି ହେଉଚି ଅତି ଗୌରବର କଥା । ଏପର୍ଯ୍ୟନ୍ତ ମୁଁ କୌଣସିଠାରେ କୌଣସି କ୍ଳାନ୍ତି ଅନୁଭବ କରିନାହିଁ । ଖରାଦିନ, ଗାଡ଼ୀମଟର ଓ ବାଟଚଲା ସତ୍ତ୍ୱେ ମୋର ମନ ଗୋଟାଏ ମୁହୂର୍ତ୍ତଲାଗି ମଧ୍ୟ ନୀରସ ହୋଇ ଯାଇନାହିଁ ।

 

ଏହିପରି ଏକ ଅଦମ୍ୟ ଯୌବନ ମୋର ଚିରସନ୍ତକ ହୋଇ ରହିଥାଉ । ଯୌବନର ଉଗ୍ରତାକୁ ଯିଏ ଭଲ ପାଉଚି ପାଉ ପଛକେ ମୁଁ ଯୌବନର ଏହି ସତତ ଗ୍ରହଣଶୀଳତା ଲାଗି ସବୁଦିନ ପ୍ରାର୍ଥନା କରି ଆସିବି । ମଣିଷ, ପ୍ରକୃତି, ବାକ୍ୟ, ଦୃଶ୍ୟ ଓ ଶ୍ରାବ୍ୟ ଯେଉଁଠି ଯେତେ ପ୍ରକାର ସାନ୍ନିଧ୍ୟ ଆସୁ ପଛକେ, ହେ ପ୍ରଭୁ, ଏହି ଚିତ୍ତ ଯେପରି ସବଳ ଯୌବନର ଗ୍ରହଣପାତ୍ର ଧରି ସେଥିଲାଗି ପ୍ରସ୍ତୁତ ହୋଇ ରହିଥାଏ ।

 

The man of detachement is really the man of the highest attachments :—ମୋର ଭଗବାନ ମୋତେ ଏହିପରି ଏକ ବୈରାଗୀ ବେଶରେ ସଜାଇଦେଉ ।

 

ଅହରହ ଏହି ଭ୍ରାମ୍ୟମାଣ ଜୀବନ କାଟିବାର ମଧ୍ୟଦେଇ ମୁଁ କେତେ ନୂଆ ଲୋକଙ୍କର ପରିଚୟରେ ଆସୁଚି, ଅତି ଅପ୍ରତ୍ୟାଶିତ ଭାବରେ କେତେ ସ୍ନେହ ଓ ଆଦର ପାଉଚି, ଯେପରି ସବୁରିଠାରେ କିଏ ମୋତେ ଯୁଗକଲାଗି ବାନ୍ଧିଦେଇ ଯାଉଚି । ମୁହୂର୍ତ୍ତକର ସ୍ନେହ ସାରାଜୀବନର ଏକ ସ୍ନେହମୟ ସମ୍ପର୍କ ସୃଷ୍ଟି କରିଦେଇ ଯାଉଚି । ଜୀବନର ସୁଖସ୍ମୃତି ହିସାବରେ ଏସବୁ ପରିଚୟ ଚିରଦିନ ସକାଶେ ମନର ଗନ୍ତାଘରେ ସାଇତାହୋଇ ରହିଥିବ । ମଣିଷକୁ ମୁଁ ପ୍ରଥମେ ଯେପରି ଭାବରେ ଚିହ୍ନିଥିଲି, ମଣିଷ ତା’ଠାରୁ ଆହୁରି ବଡ଼, ଆହୁରି ଉଦାର ଓ ଆହୁରି ମହାନ୍ । ହୁଏତ ମୋର ମାପକଦଣ୍ଡରେ ଯଥେଷ୍ଟ ଯୋଗ୍ୟତା ନଥିଲା ବୋଲି ମଣିଷକୁ ମୁଁ ସମୁଚିତ୍ ମାନରେ କଳି ପାରିନଥିଲି । ଏହି ମଣିଷର ପୃଥିବୀ ଭିତରେ ହୁଏତ ଆହୁରି ଅନେକ ମୃଦାଦୁଆର ରତ୍ନପୁରର ପରିଚୟ ପ୍ରଚ୍ଛନ୍ନ ହୋଇ ରହିଚି । ସେସବୁ ସହିତ ଆତ୍ମୀୟତା ଅର୍ଜନ କରିବାଲାଗି ମୋତେ ଆପଣାକୁ ଆହୁରି ପ୍ରଶସ୍ତ କରିବାକୁ ହେବ, ଆପଣାର ଦୁଆରକୁ ଆହୁରି ଅବାରିତ କରି ରଖିବାକୁ ହେବ ।

 

୧୪.୫.୧୯୫୦

 

ଆଜି ସକାଳ ଓଳିଟା ଅନ୍ଧକବି ଭୀମଭୋଇଙ୍କର ସମାଧିସ୍ଥାନରେ କଟିଚି । ଖଲିଆପାଲି ଏଠାକୁ ପ୍ରାୟ ତିନିମାଇଲ ବାଟ ହେବ । ଆଜି ରାତି ନପାହୁଣୁ ବଳଦଗାଡ଼ୀରେ ସେଠାକୁ ଯାଇ ମୁଁ ପ୍ରାୟ ଏଗାରଟା ବେଳେ ପୁଣି ଗଡ଼ିଆ ଫେରି ଆସିଲି । ଭୀମଭୋଇ ଓ ତାଙ୍କ ସ୍ତ୍ରୀଙ୍କର ସମାଧି ଉପରେ ପଚାଶ ହାତର ଗୋଟିଏ ମନ୍ଦିର ତିଆରି ହୋଇଚି । ତାଙ୍କର ପୁଅଝିଅ ଓ ପଦ୍ୟ ନକଲକାରୀ ହରି ପଣ୍ଡା ଏବଂ ବାସୁଦେବ ପଣ୍ଡାଙ୍କର ମଧ୍ୟ ସ୍ୱତନ୍ତ୍ର ସମାଧି ମନ୍ଦିରମାନ ରହିଚି । ମନ୍ଦିରବେଢ଼ା ଭିତରେ ତାଙ୍କର ଶିଷ୍ୟ କେତେଜଣ ରହୁଚନ୍ତି । ଜୋରନ୍ଦାରେ ଅନୁସରିତ ମହିମାଧର୍ମଠାରୁ ମୁଁ ଏଠାରେ କେତେକ ବ୍ୟତିକ୍ରମ ଲକ୍ଷ୍ୟ କଲି । ସେସବୁ ଜାଣିବାକୁ ହେଲେ ଠିକ୍‌ଠିକ୍ ଇତିହାସ ଖୋଜି ବାହାର କରିବାକୁ ହେବ ।

 

ଖଲିଆପାଲି ଜାଗାଟି ମୋତେ ଭାରି ଭଲ ଲାଗିଲା । ମୋର ହଠାତ୍ ମନେହେଲା, ଯେପରି ଶହକରୁ ଅଧିକ ବରଷ ଅତିକ୍ରମ କରି ଏବେମଧ୍ୟ ସେଇ ମହାତ୍ମାଙ୍କର ଏକଦା-ବିଚରଣର ସ୍ଥାନଟିକୁ ଆବୋରି ରହିଚି । କୁଶୀନଗରର ତୋଟାରେ ମୁଁ ଠିକ୍ ଏହିପରି ସ୍ପର୍ଶ ଅନୁଭବ କରିଥିଲି । ଏହାହିଁ ହେଉଚି ଅସଲ ତୀର୍ଥର ସନ୍ତକ ।

 

ସଞ୍ଜବୁଡ଼ିବା ଆଗରୁ ଏହି ଗାଆଁଟି ଛାଡ଼ି ମୋତେ ମେଣ୍ଢା ଯିବାକୁ ପଡ଼ିବ । ଏଠାକୁ ମେଣ୍ଢା ପ୍ରାୟ ପାଞ୍ଚମାଇଲ ଦୂର ଏହି ବାଟଚଲା ସକାଶେ ମୋର ମନ ଉତ୍ସାହୀ ପିଲାଟିପରି ପ୍ରସ୍ତୁତ ହୋଇ ରହିଚି । ତୀର୍ଥରୁ ତୀର୍ଥ ସିଏ ଖାଲି ଆପଣାର ଶୂନ୍ୟ ପାତ୍ରଗୁଡ଼ାକୁ ଭରିଭରି ଯାଉଚି ।

 

୧୫.୫.୧୯୫୦

 

ସଞ୍ଜ ବୁଡ଼ିବା ପୂର୍ବରୁ କାଲି ମେଣ୍ଢା ଗାଆଁରେ ଆସି ପହଞ୍ଚିବାକୁ ହେଲା ମନଇଚ୍ଛା ଗାଧୋଇ ଦିନମାନର ଉତ୍ତାପରେ ସିଝିହୋଇ ରହିଥିବା ଦେହକୁ ପ୍ରଥମେ ପ୍ରକୃତିସ୍ଥ କରିନେଲି । ଆଜି ସକାଳେ ମଧ୍ୟ ବୁଡ଼ାପାଣିରେ ଗାଧୁଆ ହୋଇଥିଲା । ପାଣିସହିତ ମୋ’ ଧାତୁର ସମ୍ଭବତଃ ଗୋଟାଏ ମେଳ ରହିଚି । ପ୍ରକୃତିର ନିହିତ ଶକ୍ତିର ପ୍ରତୀକ ଏହି ଜଳପରି ସମସ୍ତ ବିଶ୍ୱଖାଲରେ ବ୍ୟାପି ରହିବାକୁ ମୋତେ ସବୁଠାରୁ ଭଲଲାଗେ । ଆଲୋକର ଧ୍ୟାନ ପରି ଜଳର ଧ୍ୟାନ ମଧ୍ୟ ମୋର ମନକୁ ସତେଜ ଓ ସଂଯୁକ୍ତ କରି ରଖିଥାଏ ।

 

ଉତ୍ତର ପାଖରେ ପର୍ବତର ପାଚେରୀ ଠିଆହୋଇ ରହିଚି । ମୁଁ ଠିକ୍ ସୋନପୁର ପାଖରୁ ଏହି ପର୍ବତଟାକୁ ଦେଖିଦେଖି ଆସିଥିଲି । ବର୍ତ୍ତମାନ ଅତି ନିକଟରେ ପାଇଲି । ସେଇ ଗଛ, ବଣ ଓ ବୁଦା ଓ ସେହି ପଥରର ଅଯତ୍ନକୃତ ସ୍ତୂଂପ—ତଥାପି ପ୍ରତ୍ୟେକ ପର୍ବତ ଏପରି ବିଚିତ୍ର ଲାଗେ କାହିଁକି ? ଇଚ୍ଛାହୁଏ ମୁଁ ରାସ୍ତାରେ ଯେତେ ପାହାଡ଼କୁ ଅତିକ୍ରମ କରିଯାଉଚି ପ୍ରତ୍ୟେକଟିର ଶିଖର ଦେଶକୁ ଉଠିଯାଇ ଚତୁର୍ଦ୍ଦିଗର ବ୍ୟାପ୍ତିକୁ ମୁଁ ଗୋଟାଏ ପରିପୂର୍ଣ୍ଣ ନିଶ୍ୱାସରେ ସ୍ୱୀକାର କରିନିଅନ୍ତି । ଏହିପରି ଏକ ସ୍ୱୀକାରଲାଗି ମଣିଷ ଜନ୍ମର କେତେକେତେ ସାଧନା ବିତିଗଲାଣି ତଥାପି ନାନା ବ୍ୟକ୍ତିର ବିଶେଷ ସାଧନା ଓ ଆକାଙକ୍ଷା ମଧ୍ୟରେ ସେଇକଥା ଦୋହରା ହୋଇ ଚାଲିଚି । ତାହା କେବେ ପରିପୂର୍ଣ୍ଣ ହେବ କିଏ ଜାଣେ ?

 

୧୬.୫.୧୯୫୦

 

ମେ’ ଷୋଳତାରିଖର ପ୍ରଥମ ସୂର୍ଯ୍ୟକୁ ପ୍ରଣାମ କରି ମୁଁ ମେଣ୍ଢା ଗାଆଁରୁ ବାହାରିଥିଲି । ବର୍ତ୍ତମାନ ବଲାଙ୍ଗିର—ସୋନପୁର ରାସ୍ତାର ଗୋଟିଏ ଛୋଟ ଗାଆଁରେ ମଟରପାଇଁ ଅପେକ୍ଷା କରି ବସିଚି, ଆଉ କେତେ ଘଣ୍ଟାରେ ସୋନପୁର ପହଞ୍ଚିଯିବି ।

 

ମେଣ୍ଢାରୁ ବାହାରିବା ସମୟରେ ସମସ୍ତ ଗାଆଁଟିର ନିଦ ପୂରାପୂରି ଭାଙ୍ଗି ନଥିଲା, କିନ୍ତୁ ସକାଳର କୁଆତାରାକୁ ଦେଖିବା ବେଳଠାରୁ ଆଜି ଦିନଟିର ଜନ୍ମୋତ୍ସବ—ଭାବନାରେ ମୋର ମନପ୍ରାଣ ପୂତ ହୋଇ ଯାଇଥିଲା । ଆଜି ସକାଳୁ ମେଘ ଘୋଡ଼ାଇ ରହିଚି, ଏହି ଗରମ ପାହାଡ଼ୀ ଅଞ୍ଚଳରେ ମଧ୍ୟ ନଅଟାଯାଏ ଶୀତଳ ପବନ ବହୁଚି । କେଉଁ ରଜସ୍ୱାଳା ଜନନୀର ଗଭୀର ଦୃଷ୍ଟି ପରି ସମସ୍ତ ଆକାଶ ଆଜି ଏକ ପରମ ଜନ୍ମ ଉଦ୍ଦେଶ୍ୟରେ ପ୍ରାର୍ଥନାରତ ହୋଇ ଅପେକ୍ଷା କରିଥିଲା ପରି ମନେହେଉଚି । ଆଠ ବରଷର ପୁରୁଣା ପରିଚିତ ଦିନଟି ଆଜି ତଥାପି ନୂତନ ଲାଗୁଚି । ପ୍ରାଣର ବଢ଼ିବା ଶେଷ ହୋଇନି, ସେଥିଲାଗି ପ୍ରତ୍ୟେକ ସ୍ମୃତିର ପରଣ ମୋର ବର୍ତ୍ତମାନ ଚେତନାରେ ନୂତନ ବ୍ୟଞ୍ଜନାରେ ପ୍ରଭାସିତ ହୋଇଉଠୁଚି । ସକଳପ୍ରକାର ପ୍ରବୀଣତା ଓ ପ୍ରାଚୀନତା ସତ୍ତ୍ୱେ ନେତ୍ର ତଳର ନିତ୍ୟଶିଶୁଟି ତା’ର ନୂଆ କ୍ରନ୍ଦନରେ ମୋତେ ପୁଣି ସରଳ କରି ଦେଉଚି । କେବଳ ଜଣେ କେହି ମୋତେ ଏହି ଶିଶୁଟିକୁ ଚିହ୍ନି ରଖିବାର ଶକ୍ତି ଦେଇନାହିଁ । ମୋ’ କ୍ଷୁଦ୍ରଜୀବନର ବିରାଟ ରାସ୍ତାରେ ମୋତେ ସମସ୍ତେ ସମୃଦ୍ଧ କରିଚନ୍ତି, ସମସ୍ତଙ୍କର ଆଦରସ୍ପର୍ଶ ପବନ ହୋଇ ଗୋଟି ଗୋଟି କରି ମୋର ପାଖୁଡ଼ା ଖୋଲି ଚାଲିଚି । ଗୋଟିଏ ଦିନକୁ କେନ୍ଦ୍ର କରି ସମସ୍ତ ବର୍ଷର ମଣ୍ଡଳଟି ମୋର ଚିତ୍ତବିକାଶକୁ ଚିର- ଉଦ୍‌ଭାସିତ କରି ରଖିଚି । ଆଜିର ଏହି ପବିତ୍ର ଦିନର ଚିତ୍ତପୀଠରେ ମୁଁ ସଭିଙ୍କୁ ପ୍ରଣାମ କରି ଯାଉଚି । ମୋ’ ରାସ୍ତାର ଶେଷ ନାହିଁ, ଏହି ଶୁଦ୍ଧ ପ୍ରଣାମଟିର ବି ଶେଷ ନାହିଁ ।

 

୧୭.୫.୧୯୫୦

 

ରେଳମଟରରେ ଟିକେଟ କାଟିଲାବେଳେ ଆମ ଦେଶର ସଂସ୍କୃତି ଆପେ ଧରାପଡ଼ିଯାଏ । ଆମେ ସମସ୍ତେ କେବଳ ଆପଣାକୁ ହିଁ କେନ୍ଦ୍ରକରି ରହିଚୁ, ତେଣୁ ବାହାରେ ଯେତେ ପ୍ରକାର ସୌଖିନ୍ ଆବରଣରେ ନିଜକୁ ଆବୃତ ରଖିବାର ଚେଷ୍ଟା ଚାଲିଥିଲେ ମଧ୍ୟ, ପ୍ରତିଯୋଗିତାର ଟିକିଏ କ୍ଷେତ୍ର ପାଇଲେ ଆମ ସମସ୍ତଙ୍କ ଭିତରେ ରହିଥିବା ସ୍ୱାର୍ଥାନ୍ୱେଷୀ ଅମଣିଷଟା ହିଁ ବଡ଼ ନିର୍ଲଜ୍ଜ ଭାବରେ ପଦାକୁ ବାହାରିପଡ଼େ । ଏହିସବୁ ଛୋଟ ଛୋଟ କ୍ଷେତ୍ରର ନିକୃଷ୍ଟ ପ୍ରତିଯୋଗିତା ଏଦେଶର ଅଧିବାସୀକୁ ଦିନକୁଦିନ ଛୋଟ କରିଦେଉଚି, ମଣିଷକୁ ମଣିଷଠାରୁ ବିଚ୍ଛିନ୍ନ କରି ରଖୁଚି । ଜନଗଣର ଦୃଷ୍ଟି ଓ ଚିନ୍ତାଧାରାକୁ ଉନ୍ନତ କରିବାଲାଗି ଦମ୍ଭ ରଖିଥିବା ସରକାର ବା ସରକାରୀ ଦଳର ନଜର ପ୍ରଥମେ ଜନସମାବେଶର ଏହି ଛୋଟ ଛୋଟ କ୍ଷେତ୍ରରେ ପଡ଼ିବା ଉଚିତ । ଏହିସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନମାନ ହେବା ଊଚିତ, ଯାହାଦ୍ୱାରା ସାଧାରଣ ମଣିଷ ଆପଣାର ମାନବିକ ସମ୍ମାନ ବିଷୟରେ ଯଥେଷ୍ଟ ସଚେତ ରହିପାରିବ ଓ ସମାଜ ତଥା ପୃଥିବୀସହିତ ସହଜଭାବେ ମିଳିତ ହେବାର ଉଦ୍‌ବୋଧନ ପାଇପାରିବ । ଲଣ୍ଡନ ଓ ଓଡ଼ିଶାର ରେଲ ମଟର—ଯାତ୍ରୀଙ୍କ ମଧ୍ୟରେ ଥିବା ପ୍ରଭେଦଗୁଡ଼ିକୁ ଲକ୍ଷ୍ୟ କଲେ ଏହି କ୍ଷେତ୍ର ଛୋଟ ଛୋଟ ପରିବର୍ତ୍ତନ କରିବାର ଫଳମାନ ଅତି ସହଜରେ ଉପଲବ୍‌ଧି କରାଯାଇ ପାରିବ ।

 

୧୮.୫.୧୯୫୦

 

ସମ୍ବଲପୁର ସହରରେ କୌଣସି ଏକ କୋଠାଉପରୁ ନଈ ସେପାରିର ପର୍ବତ ଚୂଡ଼ାରେ ସୁର୍ଯ୍ୟାସ୍ତ ଦେଖି ମୁଁ ଅଭିଭୂତ ହୋଇ ପଡ଼ିଲି । ପନ୍ଦର ଦିନରୁ ବେଶୀ ହୋଇଗଲା, ଖାଲି ଗାଡ଼ୀମଟର ଚଢ଼ି ମୁଁ ଏପରି ଧାଁଧପଡ଼ କରିଚି ଯେ ଧ୍ୟାନ ଡେରି ସକାଳ ଓ ସଞ୍ଜର ଏହି ଆଗମନ ଓ ବିଦାୟ—ଉତ୍ସବକୁ ମୁଁ ଭଲକରି ଦେଖିବାଲାଗି କୌଣସି ଅବସର ପାଇନାହିଁ । ବିଷୟୀ ମନ ନାନା ସ୍ଥାନ ଓ ମଣିଷଙ୍କର ପରିଚୟ ଲାଭ କରିବାରେ ବେଶ ସନ୍ତୁଷ୍ଟ ହୋଇ ରହିଚି । କିନ୍ତୁ ମନଃସୀମାରୁ ଅନେକ ବିସ୍ତୃତତର କ୍ଷେତ୍ରରେ କେଉଁ ରାଜ୍ୟରେ ଯେ ଜୀବର ବିଶ୍ୱ -ଆଖିଟିକୁ ଖୋଲି ଦେବାଲାଗି ଏଠି ପ୍ରତ୍ୟହ ସକାଳସଞ୍ଜ ହେଉଚି, ନିତ୍ୟନିୟତ ଭାବରେ ଭଗବତ୍ ପ୍ରକାଶର ପଟବଦଳା ଚାଲିଚି, ମୁଁ ସେ କଥାଟି ହୁଏତ ପାସୋରି ଯାଇଥିଲି । Macbeth ର Knocking at the door ପରି କିଏ ଯେପରି ଆଜି ସେହି ଅସ୍ତାଚଳ ଉପରେ ଲାଲ ଗୋଲକର ଆଖି ଦେଖାଇ ମୋ’ ଆଖି ଉପରେ ଆପଣାର ଆଘାତ ବଜାଇ ଦେଇଗଲା, ମୋତେ ସଚେତ କରିଦେଇ ଗଲା !

 

ଏତେଦିନ ପରେ ଆଜିଦିନଟା ଗୋଟାଏ ଜାଗାରେ ସ୍ଥିର ହୋଇ କଟିଲା । କାଲି ସକାଳୁ ମଟର ଧରି ବରଗଡ଼ ଯିବାର କଥା । ଏଥର ସବୁ ଭ୍ରମଣ ଶେଷ କରି ମୁଁ ଯେଉଁଦିନ ଗାଆଁକୁ ଫେରିଯିବି, ଜାଣେ, ସେଦିନ ଆଜିକା ବାଟର କେତେ ପାହାଡ଼ କେତେ ନଈ ଓ କେତେ ଅରଣ୍ୟକୁ ମୁଁ ଝୁରିମରିବି କେତେକେତେ ମଣିଷଙ୍କର ଆତିଥ୍ୟ ସୁମରି ମୁଁ ଗୌରବ ଅନୁଭବ କରିବି ।

 

୧୯.୫.୧୯୫୦

 

ସକାଳୁ ସମ୍ବଲପୁର ଛାଡ଼ିଥିଲି, ସନ୍ଧ୍ୟାପର୍ଯ୍ୟନ୍ତ ଆଜି ବରଗଡ଼ରେ କଟାଇବାକୁ ହେବ । ବରଗଡ଼ ବି କମ୍ ଗରମ ଜାଗା ନୁହେଁ । ଆସିବାପରେ ହାଟଗଡ଼ ଟିକିଏ ବୁଲି ଆସିଲିଣି । ହାଟରେ ବିକାକିଣା ହେଉଥିବା ଜିନିଷ, ଲୋକଙ୍କର ପରିଧାନ—ପରିପାଟୀ ଓ ପରିଚ୍ଛଦ ଦେଖି ବେଶ୍ ଜଣାପଡ଼ୁଚି ଯେ ଏହି ଅଞ୍ଚଳର କଳାମୟ ପ୍ରାଣ ଏ ପର୍ଯ୍ୟନ୍ତ ବଞ୍ଚି ରହିଚି । କିନ୍ତୁ କଳାକୁ ବହନ କରିଥିବା ମଣିଷ ସେହି କଳାକୁ ଚିହ୍ନିବାର ଶକ୍ତି ହରାଇ ବସିଥିଲା ବେଳେ ଏହିସବୁ ଭେକ ଓ ପରିପାଟୀକୁ କଳା ବୋଲି କହିବା କେତେଦୂର ସଙ୍କେତ ହେବ, ତାହା ଅବଶ୍ୟ ଭାବିବାର ବିଷୟ । ଥରେ ବାଲେଶ୍ୱର କଲେଜରେ ଗୋଟିଏ ସାଂସ୍କୃତିକ ଉତ୍ସବରେ କଲିକତାର ଜଣେ ପଢ଼ୁଆ ପଣ୍ଡିତ ସମ୍ବଲପୁରୀ ଜନକଳାର ପ୍ରଶଂସା କରୁଥିଲେ, ମୁଁ ଶୁଣିଚି । କିନ୍ତୁ କେବଳ ବାହ୍ୟ ଅବଲମ୍ବନ ଗୁଡ଼ାକୁ ଛାଡ଼ି ଦେଲେ ଏ ଯୁଗର ଦରିଦ୍ର ମଣିଷ ଭିତରେ କଳାପ୍ରାଣତା ଯେ କେଉଁଠି ରହିଚି ତାହା ମୁଁ ଖୋଜି ପାଏନାହିଁ । ପର୍ବତ – ଗହ୍ୱରର କେଉଁ ରତ୍ନପୁରରେ ହୁଏତ ସମ୍ଭାରର ବଜାର ଖୋଲିଚି, କିନ୍ତୁ ଗୁମ୍ଫା ଦୁଆରେ ଦରିଦ୍ର କାସିମ୍ ନିଃସ୍ୱ ହୋଇ ବସିରହିଚି । ବଡ଼ଲୋକର ସୌଖିନ୍ ମିଜାଜକୁ ସମ୍ବଲପୁରୀ ଜୀବନର ପରିପାଟୀ ଟିକିଏ ଆନନ୍ଦ ଦେଇପାରିଲା ବୋଲି ମୁଁ ସେତିକିରେ ବୋଧ ହୋଇ ଯିବିନାହିଁ, ଓଡ଼ିଆ ପୁରପଲ୍ଲୀର କଳାପ୍ରାଣତା ବିଷୟରେ ମୁଁ ସେତିକିରେ ଅଲଣା ଅଭିମାନ କରିବିନାହିଁ । ଏହି କ୍ଷଣିକ ଉପଭୋଗ ଓ-କ୍ଷଣିକ ବିସ୍ମରଣଠାରୁ କଳାକୁ ମୁଁ ଅଧିକ ଗଭୀର ସ୍ତରର ବୋଲି ଜାଣେ । କଳା ହେଉଚି ଆମ ସମସ୍ତ ଜୀବନର ପ୍ରତିଫଳନ ।

 

୨୦.୫.୧୯୫୦

 

ବରଗଡ଼ରୁ ସାତମାଇଲ ଶଗଡ଼ରେ ବସି ରାତିଏ ରାତିଏ ମୁଁ କାଲି ଏଇ ଅନ୍ତପାଲି ଗାଆଁରେ ପହଞ୍ଚିଚି । ଆଜି ସକାଳେ ସୂର୍ଯ୍ୟକିରଣ ପଡ଼ିବାପରେ ଗାଆଁଟିକୁ ଦେଖିବାର ସୁଯୋଗ ମିଳିଲା । ଏଠାରେ ତିନିଦିନ ରହିବାର ବରାଦ ରହିଚି । ଏହି ଦୀର୍ଘ ଅବସରରେ ମୁଁ ଏଠିକା ଜୀବନଟିକୁ ଗଭୀର ଭାବରେ ଦେଖିବାର ଯୋଗ୍ୟ ହୋଇପାରିବି ବୋଲି ଆଶା କରୁଚି ।

 

ରାସ୍ତାଘାଟରେ ଜୀବନ କବିର କେତେ କାବ୍ୟସହିତ ପରିଚିତ ଘଟୁଚି । କୋଉଠି ଖରାବେଳର ତୋଫାନରେ ଉଡ଼ିଆସୁଥିବା ପାଚିଲା ପତରର ଘୂର୍ଣ୍ଣିକୁ ଦେଖି ଅଜ୍ଞାନ ଶିଶୁର ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇ ଉଠୁଚି, କୋଉଠି ପଦେ କଥାରେ କାହାର ଆଖି ସଜଳ ହୋଇ ଉଠୁଚି । କେଉଁ ପିପାସୁ କଣ୍ଠର ଗ୍ରହଣ-ଅଞ୍ଜଳି ଉପରେ କେଉଁଠି କେଉଁ ସମଦରଦୀର ଜଳପାତ୍ର ରୂପୀ ସୌଜନ୍ୟ ଅଣେଇ ହୋଇଆସୁଚି । ଏହି ଛୋଟିଆ ଛୋଟିଆ ଘଟଣାଟିମାନ ବେଳେବେଳେ ମୋତେ ଯେପରି କେଉଁ ପରମ କାବ୍ୟର ଉଦ୍‌ଭାସ ପରି ମନେହେଉଚି । ଆପଣା ମନର ସବଳ ପ୍ରକାଶ-ସମ୍ଭାବନା ଗୁଡ଼ିକ ମୁହର୍ତ୍ତକେ ସୃଷ୍ଟିର ସ୍ତରେ ସ୍ତରେ ପ୍ରତିମୂର୍ତ୍ତି ହୋଇ ଉଠୁଚି । କାଗଜ କଲମ ଧରି ମୁଁ ଏହାଠାରୁ ବଳି ବଡ଼ କାବ୍ୟ କଣ ଲେଖି ପାରିବି ? କାଗଜ କଲମର ଉପଲକ୍ଷ୍ୟ ଦେଇ ମୋତେ ଯେଉଁ କାଳତ୍ମକ ସ୍ୱର୍ଗୀୟ ସାନ୍ନିଧ୍ୟ ମିଳିଥାନ୍ତା, ଏହି କେତେଦିନର ବିଶ୍ୱଦର୍ଶନ ମଧ୍ୟରେ ସେହି ସାନ୍ନିଧ୍ୟ ମୋର ଅନ୍ତର ବେଳାରେ ସତେ ଅବା ନିଶ୍ଚିତ ପଦଚିହ୍ନମାନ ଆଙ୍କି ଆଙ୍କି ଚାଲିଯାଉଚି । ଜାଣେନା ଆପଣାର Drawing Room ଭିତରେ ପଢ଼ୁଆ ମନକୁ ବାନ୍ଧିରଖି ସାହିତ୍ୟ ଲେଖିବାର ରଚନା ବିଳାସ କରିଥିଲେ ମୁଁ କପଟ ସ୍ତାବକମଜଲିସ୍‌ରୁ ବାହାବାହା ପାଇବାଲାଗି କେଉଁ କପଟ ପ୍ରକାଶର ଅବତାରଣା କରିଥାନ୍ତି !

 

୨୧.୫.୧୯୫୦

 

Ideas are immortal !—ମନର ବାଲିଶେଯ ଉପରେ କେତେକେତେ ଭାବନା ଆପଣାର ପଦଚିହ୍ନ ଅଙ୍କନ କରି ଚାଲିଯାଉଚି, ସବୁରି ସ୍ମରଣଚିତ୍ରକୁ ମୁଁ ହୁଏତ ଅବଧାରଣ କରି ରଖି ପାରୁନାହିଁ, ହୁଏତ ସବୁଗୁଡ଼ିକୁ ମୁଁ ପରିପୂର୍ଣ୍ଣଭାବେ ପ୍ରକାଶ କରି ପାରୁନାହିଁ । ସେହି ଏକ ଭାବନା ହୁଏତ କେତେକେତେ ମନରେ ଏହିପରି ଆଘାତ କରି ଯାଉଥିବ, ହୁଏତ କେତେକେତେ ବେଳାକୁ ଏହିପରି ଉଚ୍ଛନ୍ନ କରୁଥିବ । ଆଦିକାଳରୁ ଏହି ସୃଷ୍ଟିର ପ୍ରକାଶସାଧନା ଚାଲିଚି । ନାନା ଲେଖନୀର ସ୍ତୁତି ମଧ୍ୟରେ ନାନା ତୁଳିକାର ନର୍ତ୍ତନରେ ସୃଷ୍ଟିର ଗୋଟାଏ ଗୋଟାଏ ମୁହୂର୍ତ୍ତ ହଠାତ୍ ଜନ୍ମଲାଭ କରୁଚି, ପୁଣି ତାହା ବିସ୍ତୃତ ହୋଇ ଯାଉଚି, ହୁଏତ ଆଉ କେଉଁ ଭବିଷ୍ୟତ ଲେଖନୀ ବା ତୁଳିକାଲାଗି ତାହା ଅପେକ୍ଷା କରି ରହୁଚି ।

 

ମୁଁ କେତେକେତେ କଥା ଭାବୁଚି, କେତେ କଳ୍ପନା ଓ ଜଳ୍ପନାରେ ନୀରବ ଅବସରଗୁଡ଼ିକୁ ପୂର୍ଣ୍ଣ କରି ଏହି ମନର ନିତ୍ୟ ଖେଳ ଚାଲିଚି । ବେଳେବେଳେ ମୁଁ କେତେକଣ ଦେଖିଯାଉଚି । ମୋର ଭାବନା ମୋତେ ଯେତେ ଜିଜ୍ଞାସାରେ ଦୀପ୍ତିମାନ କରିଥିଲା, ହୁଏତ ମୋର ଲେଖା ଜଗତକୁ ସେତେ ଦୀପ୍ତିମାନ କରି ପାରୁନାହିଁ । କିନ୍ତୁ ମୁଁ ସେଥିଲାଗି କ୍ଷୁବ୍‌ଧ ହୋଇ ପଡ଼ିବି କାହିଁକି ? ସଭିଙ୍କ ପାତ୍ରରେ ପରିବେଷଣ ଯୋଗ୍ୟ ହେବାଭଳି ପ୍ରକାଶ ଶକ୍ତି ମୁଁ ହୁଏତ ଏପର୍ଯ୍ୟନ୍ତ ହାସଲ କରି ପାରିନାହିଁ । ଏହି ହାସଲ କରିବା ହେଉଚି ମୋର ସାଧନା ସାପେକ୍ଷ କିନ୍ତୁ Idea ମରିବନାହିଁ, ମୋରିପରି ଲକ୍ଷମନର ପ୍ରକାଶ ସାଧନା ମଧ୍ୟରେ ତାହା ଆପଣାକୁ ଅବତୀର୍ଣ୍ଣ କରାଉଥିବ । ଆଜି ଝଲକାଏ ପବନ ପରି ଯାହା ମନର ଗୁହାକୁ ଚକିତକରି ଚାଲିଯାଉଚି, କାଲି ତାହା ବିଶ୍ୱମନର ଶୂନ୍ୟକୁ ନିଶ୍ଚୟ ପୂର୍ଣ୍ଣ କରିଦେବ ।

 

୨୨.୫.୧୯୫୦

 

ଦାରୁଣ ଖରାତାପରେ ସନ୍ତପ୍ତ ହୋଇ ଦି’ପହରଟା କଟିଯାଉଚି ଏହି ଛୋଟିଆ ଅନ୍ତପାଲି ଗାଆଁଟିରେ । ସକାଳେ ମେଘୁଆ ପାଗରେ ମନ ଯେଉଁପରି ପ୍ରଫୁଲ୍ଲ ହୋଇ ଉଠିଥିଲା, ବର୍ତ୍ତମାନ ଗ୍ରୀଷ୍ମରେ ସେ ସେହିପରି ସ୍ୱେଦସନ୍ତପ୍ତ ହୋଇ ପଡ଼ିରହିଚି ।

 

କାଲି ଏଠାରୁ ତିନିମାଇଲ ଦୂରରେ ଥିବା ଖରମୁଡ଼ା ବୋଲି ଗୋଟିଏ ଗାଆଁରେ ଦିନମାନ କଟାଇଲି, ସମ୍ବଲପୁର ଗାଆଁର ନିଖୁଣ ଜୀବନକୁ ନୀରିଖି ଦେଖିବାଲାଗି ସୁଯୋଗ ପାଇଲି । ମଣିଷର ମନକୁ ଜାଣିଲେ ତାର ଭାଷାକୁ ବୁଝିଲେ ସଂସାରରେ ସବୁକ୍ଷେତ୍ରରେ ପରିଚିତ ମିତ୍ର ହୋଇପାରିବା ଲାଗି ଆଉ କଣ ଅଭାବ ରହନ୍ତା ? ପ୍ରତ୍ୟେକ ଅଞ୍ଚଳର ବିଶିଷ୍ଟ ମନ ଅନୁସାରେ ତା’ର ଭାଷା ତିଆରି ହୋଇଚି । ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ମଧ୍ୟରେ ଶବ୍ଦଗତ ସାମଞ୍ଜସ୍ୟ ଅନେକ ରହିଚି । ମାତ୍ର ପ୍ରତ୍ୟେକ ଭାଷାର ଶବ୍ଦବିନ୍ୟାସ, ବ୍ୟବହାରଭଙ୍ଗୀ ଓ ଉଚ୍ଚାରଣକଳା ପ୍ରତ୍ୟେକକୁ ଏକ ବିଶିଷ୍ଟ ମନୋଭଙ୍ଗୀର ପ୍ରତୀକ କରି ରଖିଚି । ଯେକୌଣସି ନୂଆ ଭାଷା ଶିଖିବା ଆଗରୁ ପ୍ରଥମେ ଏହି ବୈଶିଷ୍ଟ୍ୟଟିକୁ ବୁଝିବାକୁ ପଡ଼ିବ । ତା’ନହେଲେ ସେହି ଭାଷାଟିକୁ ଜାଣିବାରେ ଏକ ବିଶେଷ ଅନ୍ତରାୟ ନିଶ୍ଚୟ ରହିଯିବ ।

 

ଆଜି ପାହାନ୍ତାରୁ ପୁଣି ଜାଗା ବଦଳ ହେବ । ମଟରଗାଡ଼ୀ ଚାଲିବା ସଙ୍ଗେସଙ୍ଗେ ମନ ପୁଣି ଆପଣାର ବିଚିତ୍ର ପଥରେ ଛୁଟିଚାଲିବ । ମୋର ମନକୁ ମୁଁ ପୂରା ପଘା ଛାଡ଼ିଦେଇଚି । ଦଉଡ଼ି ଦଉଡ଼ି ତଥାପି ଏପର୍ଯ୍ୟନ୍ତ ଯଦି ତା’ର ଉତ୍ସାହ ବଳବତ୍ତର ରହିଚି, ତେବେ ତାକୁ ମୁଁ ଟାଣିଓଟାରି ବାଧ୍ୟ କରି ରଖିବି କାହିଁକି ? ଆଉ କେତେଦିନ ପରେ ଏହି ଉପକରଣ-ସଂଗ୍ରହର ନିଶା ବଳେ ଥମିଯିବ, ନୀଡ଼ନିର୍ମାଣର ଏକାନ୍ତ ସାଧନା ଆରମ୍ଭ ହେବ । ହୁଏତ ସେତେବେଳେ ମୁଁ ଆପଣାର ଆଉଗୋଟିଏ ପାଖକୁ ଭଲକରି ଦେଖିପାରିବି । ଏହାହିଁ ତ ଆନନ୍ଦ ! ନିଜର ବିଚିତ୍ର ଗତିକୁ ନିଜେ କଳିପାରିଲେ ତ ମଣିଷ ସୃଷ୍ଟିକର୍ତ୍ତାଙ୍କର ସମକକ୍ଷ ହୋଇପାରିବ । ଈଶ୍ୱରତତ୍ତ୍ୱ ବଖାଣୁଥିବା କେତେକ ପଣ୍ଡିତଙ୍କର ମତରେ ସୃଷ୍ଟିର କାର୍ଯ୍ୟ ସମାପ୍ତ କରି କୁଆଡ଼େ ବିଧାତା ନିଜେ ଆପଣା କୃତିର ବିଚିତ୍ର ଲୀଳାକୁ ଦେଖନ୍ତି ଓ ଦେଖି ଆନନ୍ଦ ପାଆନ୍ତି । ସହସ୍ର ମନର ଉଲ୍ଲସିତ ରଚନାରେ ନିତିନିତି ତାଙ୍କରି ସୃଷ୍ଟିର ବିଚିତ୍ର ମାର୍ଗ ପ୍ରତିଭାତ ହୋଇଉଠୁଚି । ସୃଷ୍ଟିକର୍ତ୍ତାର ପାର୍ଶ୍ୱ ଆସନରେ ବସି ଯେଉଁ ମୁଗ୍‌ଧ ପୁତ୍ର ଏହି ଦୃଷ୍ଟିକୁ ଉପଲବ୍‌ଧି କରିପାରୁଚି, ତାଠାରୁ ବଳି ଭାଗ୍ୟବାନ ଆଉ କିଏ ହୋଇପାରେ ? ଏହି ଭାଗ୍ୟବାନର ଦଳରେ ରହିବାଲାଗି ମୁଁ ବି ଅଭିଳାସ କରିଚି ।

 

କାଲି ଦିନକରେ ମୁଁ ଅନେକ ବାଟ ଅତିକ୍ରମ କରି ଚାଲିଯିବି; ବିଗତ ଦିନମାନଙ୍କର ସଞ୍ଚିତ ସମ୍ଭାରକୁ ପଛରେ ପକାଇଦେଇ ନୁହେଁ, ସବୁଟିଦ୍ୱାରା ଆପଣାକୁ ଅଧିକ ସମୃଦ୍ଧିମନ୍ତ କରି । ମଣିଷର କର୍ମଫଳ କଦାପି ବ୍ୟର୍ଥ ଯାଏନାହିଁ । ସେହିପରି ଇନ୍ଦ୍ରିୟଗ୍ରାହ୍ୟତାରୁ ଅନ୍ତର ହୋଇଗଲେ ମଧ୍ୟ ବିଶ୍ୱସହିତ ତାହାର ସାନ୍ନିଧ୍ୟ କଦାପି ବିସ୍ମୃତି ରହି ଯାଏନାହିଁ । ସବୁ ମୁହୂର୍ତ୍ତରୁ ପ୍ରାପ୍ତ ସମ୍ପଦକୁ ଗୋଟିଏ ଗୋଟାଳିରେ ବଳି ତାର ଜୀବନ ଦିନୁଁ ଦିନ ସମୃଦ୍ଧ ହେବାରେ ଲାଗିଥାଏ ।

 

୨୪.୫.୧୯୫୦

 

କାଲି ଦିନଟା ବାଦ ପଡ଼ିଯିବ ବୋଲି ମୁଁ ଆଗରୁ ଆଶଙ୍କା ମଧ୍ୟ କରିଥିଲି । ଅଜଣା ଅଦେଖା ଗୋଟାଏ ଜାଗାରେ ମୁଁ ଏକାଦିନକେ ମନକୁ ଭାରି ଜମାଇ ନେଇପାରିଲି । ଦିନକର ବଲାଙ୍ଗିର ବେଶ୍ ଲାଗିଲା । ବିଶେଷତଃ କିଶୋର ଅବସ୍ଥାରେ ଯେଉଁମାନଙ୍କର ସ୍ନେହ ଓ ଯତ୍ନ ମୋତେ ସୁଖୀ କରି ରଖିଥିଲା, ସେହିଭଳି ଜଣକ ସହିତ ସାକ୍ଷାତ ହୋଇ ଭାରି ଭଲ ଲାଗିଲା । ତାହା ଆଜିକୁ ଷୋଳବରଷ ତଳର କଥା । ସେହି ଦିନଗୁଡ଼ିକର ଅନେକ ଦୁଷ୍ଟାମି ଆଜି ପ୍ରାୟ ପାସୋର ଗଲାଣି । ତଥାପି ସେହି କିଶୋର ପର୍ଯ୍ୟାୟଟି ସମଗ୍ର ଭାବରେ ଏକ ସରସ ସ୍ମରଣର ପ୍ରତୀକ ରୂପେ ରହି ମୋତେ ଏପର୍ଯ୍ୟନ୍ତ ଉତ୍ସାହ ଦେଉଚି । ଭାବିବାକୁ ଭାରି ଭଲ ଲାଗୁଚି, ଯେ ମୁଁ ଦିନେ ପିଲାଟିଏ ହୋଇଥିଲି, ବିଗତ ଓ ଅତିକ୍ରାନ୍ତ ଅତୀତର ସେହି ଦିନଗୁଡ଼ିକ ଭିତରେ ମୁଁ ଆଜି ପୁଣି ଜୀଇ ଉଠିଥିଲାପରି ଲାଗୁଚି । ଏହି ଚମ ହୁଏତ ଦିନେ ଧୋକଡ଼ା ହୋଇଯିବ, ହୁଏତ ମନଟା ମଧ୍ୟ ଅତୀତର ସବୁକଥା ମନେରଖିବାର ଶକ୍ତି ହରାଇ ବସିବ, ତଥାପି ମୁଁ ଯେପରି ଚିରକିଶୋର ସେହି ବିଧାତାର ଆପଣାଘରେ, ତା’ର ଆଶ୍ରୟପ୍ରାପ୍ତ ସନ୍ତାନ ହୋଇ ରହିଥାଏ । ସମ୍ଭବତଃ ସେହି କାରଣରୁ ସଂସାରରେ ଲକ୍ଷ ଜୀବନର କ୍ରମ ଦୋହରା ହେଉଥିବାବେଳେ ବିଧାତା ମୋତେ ପୁଣି ସଂସାରକୁ ପଠାଇଚି, ସମ୍ଭବତଃ ଏଥିପାଇଁ ବାର୍ଦ୍ଧକ୍ୟ, ମୃତ୍ୟୁ ଓ ସ୍ଥବିରତା ସତ୍ତ୍ୱେ ଏଠି ଚିର ଜନମର ଲୀଳା ଲାଗିଚି ।

 

ଆଜି ପ୍ରାୟ ଦଶଟାବେଳେ ଟିଟିଲାଗଡ଼ରେ ପହଞ୍ଚିଲି । ଭ୍ରମଣକ୍ରମର ଶେଷ ପାହାଚରେ ପହଞ୍ଚି ଆଜି କାହାକୁ ବଣଜଙ୍ଗଲର ଦେଖିଥିବା ବାଟରେ ହରାଇ ଆସିଥବା ପରି ଲାଗୁଚି । ବିଗତ କେତୋଟି ଦିନର ସ୍ମୃତି ହୁଏତ ଆହୁରି ଅନେକଦିନ ଲାଗି ଏଇ ମନକୁ ଝୁରାଇବ, ଅନ୍ତର ଖୋଲି ରଖିଥିବା ଏଇ କେତୋଟି ଦିନଲାଗି ମୁଁ ବାରବାର ବଡ଼ ବେଦନା ଅନୁଭବ କରିବି । କର୍ମ-ମୁଖରତାର ନୀରବ ଅବସରମାନଙ୍କରେ କେଉଁ ଶିଶୁର ସହସ୍ର ଚକ୍ଷୁଦେଇ ମୁଁ କେଉଁ ଦୃଶ୍ୟମୟୀ ଜନନୀ ଆଡ଼କୁ ଅନାଇ ରହିବାରେ ହୁଏତ ଭାରି ଆନନ୍ଦ ଲାଭ କରିବି ।

 

ଛୁଟି ମାସକରୁ ଅଧିକ ଅଛି । ପ୍ରତ୍ୟେକ ବର୍ଷ ଏହି ଦୁଇମାସ ଛୁଟିରେ ମୁଁ ଆପଣାର ପାତ୍ରଟିକୁ ପୂର୍ଣ୍ଣରୂପେ ଗ୍ରହଣଯୋଗ୍ୟ କରି ରଖିବାରେ ଲାଗିପଡ଼େ । ଆଲୋକ ଓ ପବନର ମୁହଁରେ ଆପଣାକୁ ପ୍ରସାରିତ କରିଦେଇ ମୁଁ ଚିତ୍ତବିକାଶର ସମସ୍ତ ବଦ୍ଧତାକୁ ଦୂର କରିଦିଏ । ଏଥର ଛୁଟୀରେ ମଧ୍ୟ ମୁଁ ତାହାହିଁ କରିବି । ଆପଣାର ସମସ୍ତ ପକ୍ଷକୁ ବିରାଟ ଜୀବନର ସ୍ରୋତଉପରେ ଖୋଲିଦେଇ ମୋ’ ପ୍ରାଣର ଜୀବନବିଳାସୀ ପକ୍ଷୀ ଶୁଦ୍ଧ ଓ ସ୍ନାତ ହେବାର ସନ୍ତରଣ ଆରମ୍ଭ କରିଦେବ ମୋର ସେହି ବାସନା ହିଁ ପୂର୍ଣ୍ଣହେଉ । ଅନ୍ତରର ଦେବତା ପାଖରେ ଆଜି ସେହି ପ୍ରାର୍ଥନା-ଜଣାଇ ମୁଁ ନୀଡ଼କୁ ବାହୁଡ଼ିଯିବି । ପଥିକ ହୋଇ ଯିଏ ମୋ’ ସହିତ ବାଟ ଚାଲୁଥିଲା, ଏଥର ସେଇ ଜନନୀ ହୋଇ ମୋତେ ନୀଡ଼ରଚନାର ବିଦ୍ୟା ଶିଖାଇ ଦେଇଯିବ ।

Unknown

 

୨୫.୫.୧୯୫୦

 

ଦି’ପହରେ ନିଘୋଡ଼ ନିଦ ଶୋଇବାପରେ ମୁଁ ବେଶ ବୁଝିପାରୁଚି, ଏଥର କେତେଦିନ ଲାଗି ମନ କେବଳ ଆପଣାର ନୀରବ କେନ୍ଦ୍ରଟିରେ ରହି ବିଗତ ଦିନଗୁଡ଼ିକର ପୂରଣ କରିନେବାକୁ ଚାହେଁ । ଆଜି ମୋଟେ ଭଲ ଲାଗୁନାହିଁ । ବଲାଙ୍ଗିର ଯାଏ ସବୁ ସରସ ଓ ପୁଲକିତ ଲାଗୁଥିଲା, ମାତ୍ର ଟିଟିଲାଗଡ଼ରେ ଆସି ପହଞ୍ଚିବା ମାତ୍ରକେ ମନଟା ଯେପରି ଏକାବେଳେକେ ଓଲଟି ପଡ଼ିଲା । ଯେପରି ଏହି ମନଟା ଆଉ ମୁହୂର୍ତ୍ତେ ମଧ୍ୟ ବିଚରଣ କରି ବୁଲିବାକୁ ରାଜୀ ନୁହେଁ ଠିକ ସେହିପରି ଲାଗିଲା ।

 

ଅଳସ ହାତକୁ ବାଧ୍ୟକରି ବସାଇ ଭାବି ଲେଖିବାକୁ ମୁଁ କୌଣସି ବିଷୟ ପାଉନାହିଁ । ସକାଳୁ ଏତେବେଳଯାଏ ମୁଁ ବୋଧହୁଏ ପାଦେହେଲେ ଆଗକୁ ବଞ୍ଚି ପାରିନାହିଁ । ଧର୍ମଘଟ ବେଳର କାରଖାନା ପରି ଚିତ୍ତର ଶତ ଦ୍ୱାର ବନ୍ଦହୋଇ ପଡ଼ିଚି । ସଂସାର ଲାଗିଥିବା ସକଳ ସଂଯୋଗସୂତ୍ର କେଉଁ ବାଲିରାସ୍ତାରେ ବିଲୀନ ହୋଇ ପଡ଼ିଚି । ନା, ମୁଁ କେବଳ ପଳାଇଯିବାକୁ ହିଁ ଚାହେଁ ।

 

ଜାଣେନା, ଏହି ଖାତାରେ ଲେଖିଲା ବେଳେ ରୋଜରୋଜ ନିଜକୁ ଧରି ଏହିପରି ବାନ୍ଧି ବସାଇବାକୁ ପଡ଼ୁଥିଲେ ମୁଁ କିପରି ସମୟ କଟାଉଥାନ୍ତି ! ପ୍ରତ୍ୟେକ ଦିନର ଅପୂର୍ଣ୍ଣ କ୍ଷତଗୁଡ଼ାକର ଜ୍ୱାଳା ମୋତେ କେବଳ ଅଜ୍ଞାତ ବନର ହରିଣପରି ଅକାରଣ ଦଉଡ଼ାଇ ସନ୍ତପ୍ତ କରି ରଖିଥାନ୍ତା । ଆଜିର ଏହି ବିଶୁଷ୍କ ଦିନଟିକୁ ପ୍ରଣାମ କରିବା ସଙ୍ଗେସଙ୍ଗେ ବିଧାତାର ଉଦ୍ଦେଶ୍ୟରେ ମୁଁ ସେହି ଅଭିଯୋଗ ଜଣାଇ ଯାଉଚି । ବେଳ ଜାଣି ସେ ମୋତେ ପୁଣି ଉଜ୍ଜୀବିତ କରିଦେଉ !

 

୨୬.୫.୧୯୫୦

 

ସେଇ ଗୋଟାଏ କଥା—ମୋଟେ ଭଲ ଲାଗୁନାହିଁ । କେବଳ ଏହି ପଦଟା ଛଡ଼ା ମୋର ଆଉ କିଛିହେଲେ ଲେଖିବାକୁ ନାହିଁ ! ଆପଣାକୁ ପ୍ରକୃତିସ୍ଥ କରି ଏହି ଭଲ ନ ଲାଗିବାର କାରଣଟିକୁ ଖୋଜିବସିଲା ବେଳକୁ ଆହୁରି ଅଧିକ ବିରକ୍ତ ଲାଗୁଚି । କେବଳ ଗୋଟାଏ ଅଶାନ୍ତିର ଧୂମ୍ରବିସ୍ତାର ଭିତରୁ ଉଠି ମୋର ଚତୁର୍ଦ୍ଦିଗକୁ ଆଚ୍ଛନ୍ନ କରି ରଖିଚି । ଏହି ଅଶାନ୍ତିଟା ସକାଶେ ବି ମନର ଅଧମ ପାଖଟା ମଧ୍ୟ ବେଶ ପ୍ରାଦୁର୍ଭାବ ଜଣାଇବାକୁ ବସିଲାଣି । ସିଏ ମଧ୍ୟେମଧ୍ୟେ ଆପଣାର ପ୍ରତିପତି ଜାରି ରଖିବାର ସଫଳ ହୋଇଥିଲେ ମଧ୍ୟ ମୋର ଅନ୍ତର ତାକୁ କୌଣସି ପ୍ରକାରେ ସ୍ୱୀକାର କରି ନେଇନାହିଁ । ଛୋଟ ଏହି ଅଶାନ୍ତିଟି ସତ୍ତ୍ୱେ କେଉଁ ପରମର ଶାନ୍ତ ସାନ୍ନିଧ୍ୟଲାଗି ତା’ର ଅଶାନ୍ତ ସାଧନା ଚାଲିଚି । ସକଳ ପାପର ମଳିନ ବସନ ପିନ୍ଧି ମଧ୍ୟ କେଉଁ ଉତ୍ପୀଡ଼ିତା ବାଳିକାର ସତେଜ ମୁଖମଣ୍ଡଳ ପରି ଆକାଶକୁ ଅନାଇ ସିଏ ପୁଣି ଉଦ୍‌ଭାସିତ ହୋଇଉଠିଚି । ଏହି ଯୋଗସୂତ୍ରଟିକୁ ଚିହ୍ନି ରଖିଥିଲା ଯାଏ ଜୀବନର ଦୁର୍ବଳ ମୁହୂର୍ତ୍ତଗୁଡ଼ାକ ମୋତେ କଦାପି ବିବଶ କରିଦେବ ନାହିଁ ।

 

ମୋ’ ଜୀବନର ଦିନଗୁଡ଼ିକ ମୁଁ ପରିପୂର୍ଣ୍ଣ ଭାବରେ ବଞ୍ଚି ପାରୁନାହିଁ । ଏହି ଖାତାରୁ ହିଁ ତା’ର ପ୍ରମାଣ ମିଳୁଚି । ଯେଉଁ ଦିନ ମୁଁ ବଞ୍ଚିବାର କୌଣସି ରସ ପାଇନଥାଏ, ସେଦିନ ଏହି ଖାତାରେ ଲେଖିବା ବେଳେ ମୋତେ ଅନେକ ସମୟ ଭାବିବାକୁ ପଡ଼େ । କିନ୍ତୁ ମୋର ସଫଳ ଦିନଗୁଡ଼ିକର ପରିପୂର୍ଣ୍ଣ ପ୍ରାଣ ଆପେ ଆପଣାର ଭାଷା ଯୋଗାଡ଼ କରି ଆପଣାକୁ ଏଠି ଅଜାଡ଼ିଦେଇ ନଗଲା ପର୍ଯ୍ୟନ୍ତ ସତେ ଯେପରି ଥୟ ଧରି ପାରେନାହିଁ । ବଞ୍ଚିବା ଆଉ ରୁଟିନ୍‌ର ଅନୁସରଣ କରିବା ମଧ୍ୟରେ ବଡ଼ ପ୍ରଭେଦଟା ଏଇଠି । ଜାଣେନା, କେତେ ଦିନଯାଏ ଏହି ରୁଟିନ୍‌ର ଅଶୁଭ ଯାତ୍ରାରେ ମୋତେ ଛୋଟା ଭିକାରୀ ପରି ଧାଇଁବାକୁ ପଡ଼ିବ, କେବେ ମୋର ଅନ୍ତର ତୀର୍ଥଯାତ୍ରୀର ଯୋଗ୍ୟତା ନେଇ ଜୀବନତୀର୍ଥରେ ଅବତରଣ କରିପାରିବ !

 

୨୭.୫.୧୯୫୦

 

ବୁଲି ବୁଲି ମାସଟାଯାକ କଟିଗଲା, ହଠାତ୍ ଆଜି ଘରକୁ ଫେରିବାବେଳକୁ ମୋତେ ଏପରି ଅବସନ୍ନ ଲାଗୁଚି କାହିଁକି ? ସମାପ୍ତ ପ୍ରାୟ ଦୀର୍ଘ ଭ୍ରମଣରୁ ପ୍ରାପ୍ତ ସମ୍ପଦଗୁଡ଼ିକୁ ଅବଧାରଣ କରି ରଖିବାକୁ ମୋର ଶକ୍ତି ରହିଚି ତ ? ତେବେ ହଠାତ୍ ଦୁଇଦିନ ହେଲା ମୋର ସକଳ ଚିତ୍ତବୃତ୍ତି ଏକ କଦର୍ଯ୍ୟ ଓଲଟାମୋଡ଼ରେ ଏପରି ବୁଲିଗଲା କିପରି ? ବେଳେବେଳେ ନିଜ ଭିତରେ ଅବସ୍ଥିତ ରହି ମଧ୍ୟ ତଥାପି ମୁଁ ହଠାତ୍ ନିଜକୁ ଚିହ୍ନି ପାରେନାହିଁ । ବର୍ତ୍ତମାନ ସେହିପରି ଏକ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଚି ।

 

ସଂସାରର ରହିଥିବା ଶତ ଅନ୍ୟାୟ ବିରୁଦ୍ଧରେ ଅନ୍ତର ଗର୍ଜନକରି ଉଠୁଚି, ଭିତରେ ରହିଥିବା ବଳିଷ୍ଠ ଶିଶୁଟି ବୟସ୍କ ମଣିଷର ବିକୃତି ଆଚାରରେ ତୀବ୍ର ପ୍ରତିବାଦ କରିବାକୁ ଧାଉଁଚି । ଖାଲି ଟଙ୍କା ପଇସାର ହାଟ ବଜାରରେ ନୁହେଁ, ଧର୍ମ, ସାହିତ୍ୟ ତଥା ସଂସ୍କୃତିକୁ ପ୍ରଧାନତଃ ଏକ ବେଶ୍ୟାବିଳାସରେ ପରିଣତ କରି ଯଶଃ ଦାଣ୍ଡରେ ଆଜି ଭାରି ବଜାର ଲାଗିଯାଇଚି । ଜାତି, ଦେଶ ଓ କଳାର ଢୋଲ ପିଟାହୋଇ ମଣିଷ ରାକ୍ଷସଟାକୁ ବେଶ ଜୀଆଇ ରଖାଯାଇଚି । କିଏ ଏହାର ଜବାବ ଦେବ ? କେଉଁ ଅଖ୍ୟାତପୁରୀର କାରାଗୃହରେ ପରିତ୍ରାତା ଶକୁନିର ଆବିର୍ଭାବ ହେବ ?

 

କ୍ରମେ ମୁଁ ଏହି ସଂସାରର ଅଧିକରୁ ଅଧିକ କଥା ସହି ପାରୁନାହିଁ । କେବଳ ଆପଣା ଅନ୍ତରର ଛୋଟ ନୀଡ଼ଟି ବ୍ୟତୀତ ଆଉସବୁଠିଁ ମୋତେ ଯେପରି ଅପରିଚିତ ପ୍ରବାସ ପରି ଲାଗୁଚି ।

 

୨୮.୫.୧୯୫୦

 

ଅନେକବେଳୁଁ ଅସ୍ଥିର ହେଉଥିଲି ଆଜିର ଲେଖାଟି ଲେଖିବି ବୋଲି । ଆଜିର ଭାବନାଟି ଅନେକବେଳୁଁ ହୃଦୟର ପାତ୍ରଭିତରେ ଦାନା ବାନ୍ଧିବାର ସାଧନା କରୁଥିଲା ।

 

କେତେ ପତ୍ରପତ୍ରିକା ଓଲଟାଇ ଦେଖୁଚି; ଦେଶ ବିଦେଶର ଲେଖକ ଓ ସାହିତ୍ୟିକଙ୍କ ଉପରେ ମୋର କେତେଥର ନଜର ପଡ଼ୁଚି । କିଏ ଅଧ୍ୟାପକ, କିଏ ଓକିଲ, କିଏ ମାଜିଷ୍ଟ୍ରେଟ୍, କିଏ ବ୍ୟବସାୟୀ । ସାହିତ୍ୟ ପ୍ରଧାନତଃ ଉପଭୋଗର ଏକ ଅବଲମ୍ବନ, କେବଳ ଅବସର–ବିନୋଦନର ସାମଗ୍ରୀ, କେବଳ ପୋଷାକୀ ଜୀବନର ଗଣିକା ! ଇଂଲଣ୍ଡ ଓ ଆମେରିକାଠାରୁ ଆରମ୍ଭ କରି ବଙ୍ଗଦେଶ ପର୍ଯ୍ୟନ୍ତ ଆଜି ସାହିତ୍ୟମଣ୍ଡପରେ ସବୁଠି ସୁନାଛାଉଣି ହେଉଚି । ଏହାଭିତରେ ମୋର ସ୍ଥାନ କେଉଁଠି ? ସଭ୍ୟତାର ଭିତରେ ଓ ବାହାରେ ଏଇ ଖାଲି ବଣିକ–personର ବ୍ୟଭିଚାର ଚାଲିଚି । ସମସ୍ତ ବଣିକ ହେବାର ଦୁଆରଟାକୁ ଆଗ ପକ୍‌କା କରି ତା’ପରେ ଯାଇ ସାହିତ୍ୟ ଓ ସଂସ୍କୃତିରେ ନାଆଁ କମାଇବାକୁ ବାହାରୁଚନ୍ତି । ମୋ’ର ସ୍ଥାନ ଏଠି କେଉଁଠି ? ଆଗ କଣ ହୋଇ ମୁଁ ସାହିତ୍ୟିକ ହେବାର ଶୂନ୍ୟକୋଷଟିର କ୍ଷତିପୂରଣ କରିବି ?

 

ପିଲାଟି ଦିନରୁ ଏହି ଜୀବନ ମୋତେ ନାନାପ୍ରକାରେ ଭଲ ଲାଗିଚି, ସଂସାରର ସହସ୍ର ଅସମ୍ପୂର୍ଣ୍ଣତା ଓ ଆବର୍ଜନା ମଧ୍ୟରେ ତଥାପି ଜୀବନକୁ ଏହି ଭଲଲାଗିବା ପ୍ରବୃତ୍ତିଟା ହିଁ ମୋତେ ଜୀଆଇ ରଖିଚି । ମୋର ଅସଲ ଦୁଆରଗୁଡ଼ିକୁ ଖୋଲିକରି ରଖିଚି । କେବଳ ସେଇ ମୋତେ ମନର ମନ୍ତ୍ରକୁ ସାହିତ୍ୟର ଭାଷା ଦିଆଇ ଶିଖାଇଚି । ଏହି ଭଲ ଲାଗିବାର ବାଟରେ ଥିବା ଯାବତୀୟ ବାଧା ବିରୁଦ୍ଧରେ ମୋର ମୁଗ୍‌ଧ ମନ ସ୍ୱତଃ କଥାକହି ଉଠିଚି । ଏହାହିଁ ମୋର ସାହିତ୍ୟ, ଏହାହିଁ ମୋର ସର୍ବଶ୍ରେଷ୍ଠ ସାଧନା, ମୋ’ ଖାଇବା ପିଇବା ପରି ସାହିତ୍ୟ ହେଉଚି ମୋର ମନୋମନ୍ଦିରରେ ନିବେଦନ-ପୂଜା ! ଏଥିପାଇଁ ମୁଁ ଟଙ୍କାପଇସାର କୌଣସି security ଚାହେନାହିଁ । ଆପଣାକୁ ପୂରଣ କରିବାର ପତ୍ରେ ପତ୍ରେ ଯାଇ ମୁଁ ପ୍ରକାଶର ଗୋଟିଏ ଫୁଲରେ ପରିପୂର୍ଣ୍ଣ ହୋଇଉଠିବି !

 

୨୯.୫.୧୯୫୦

 

ଆପଣାର ଆକାଂଙ୍‌କ୍ଷା ପରି ବଡ଼ ହେବାକୁ ହେଲେ ମଣିଷକୁ ଆହୁରି ଅନେକଦୂର ସାଧନା କରିବାକୁ ହେବ । ସମସ୍ତେ ଖାଇବେ, ପିନ୍ଧିବେ, ରହିବେ, ଭଲ ପାଇବେ ଓ ସ୍ୱପ୍ନ ଦେଖିବାର ସ୍ୱାଧୀନତା ପାଇବେ,—ଏହିପରି ଏକ ଅନୁକୂଳ ଭୂମିଉପରେ ହିଁ ପୁରୁଷାର୍ଥର ପ୍ରଥମ ପ୍ରତିଷ୍ଠା ହୋଇପାରିବ । ଇତିହାସର ଚିନ୍ତାଶୀଳ ବ୍ୟକ୍ତିମାନେ ମଣିଷକୁ ଆଜିଯାଏ ଏହି ଭୂମିନିର୍ମାଣର ଉପାୟସନ୍ଧାନ ଦେଇଯାଇଚନ୍ତି, ମଣିଷକୁ କେବଳ ସମୁନ୍ନତ କରିଦେବାଲାଗି ହିଁ ସେମାନଙ୍କର କାଳାତୀପାତ ବାଣୀ ସୁନିର୍ଦ୍ଦିଷ୍ଟ ହୋଇ ରହିଚି । ମଣିଷର ସମସ୍ତ ସୃଷ୍ଟି ଏହି ସାଧନାର ଉପଚାରମାତ୍ର । କଳା, ସାହିତ୍ୟ ଓ ସଂସାର ନାନା କ୍ଷେତ୍ରରେ ଓ ନାନା ପ୍ରତିରୂପରେ ମଣିଷ କେବଳ ଏହି ମନ୍ଦିରରେ ହିଁ ଆପଣାର ପୂଜା ବାଢ଼ିଚି । ସାହିତ୍ୟର ପ୍ରକୃତ ମୂଳଉତ୍ସ ଆଜିଯାଏ ନିର୍ଣ୍ଣିତ ହୋଇନାହିଁ । ହୁଏତ କେଉଁ ପରମ ବନ୍ଧୁର ଆଲୋକ-ଆହ୍ୱାନର ଜବାବ ଦେବାକୁ ଯାଇ ଯେ ପ୍ରଥମ ମଣିଷ କବିର ଅନ୍ତର ଖୋଲିଯାଇଚି, ଆଜି ସେହି ଖବର କିଏ ଦେଇପାରିବ ?

 

ସାହିତ୍ୟ ଅନେକ ପଥ ଅତିକ୍ରମି ଆସିଲାଣି, ଏହାର ମାର୍ଗ ଅତି ବିଚିତ୍ର । ସ୍ୱପ୍ନାଚାରୀ ସହର ମଣିଷ ସାହିତ୍ୟର ସମ୍ଭାରଟିକୁ ସଜାଇବା ଉଦ୍ଦେଶ୍ୟରେ କେତେପ୍ରକାର ବିଭୂଷଣର ଆୟୋଜନ କରିଚି, ସେ କେତେପ୍ରକାର ମୁଖ୍ୟାକୃତିରେ ପ୍ରସାଦ ଲାଭ କରିଚି । କିନ୍ତୁ ତଥାପି ସାହିତ୍ୟର ସେହି ପ୍ରଥମ appeal ଟିକୁ ପୋଡ଼ି ଖାଇଲେ ଆଦୌ ଚଳିବନାହିଁ । ମଣିଷକୁ ଆଗେଇନେବା ହେଉଚି ସାହିତ୍ୟର ଉଦ୍ଦେଶ୍ୟ । ଏହି ଆଗେଇନେବା କୌଣସି ରାଜନୀତିକ, ଅର୍ଥନୈତିକ ବା ସାଂସାରିକ କୁଟିଳଚକ୍ରକୁ ଆଗେଇନେବା ନୁହେଁ । ସକଳପ୍ରକାର ପାର୍ଥିବ କ୍ଷେତ୍ରର ଅତିରିକ୍ତ ସେହି ପରମେଶ୍ୱରଙ୍କର ବିରାଟତମ କ୍ଷେତ୍ରରେ ପୁରୁଷକୁ ପ୍ରବିଷ୍ଟ କରାଇଦେବା ହେଉଚି ସାହିତ୍ୟର ସର୍ବମୂଳଧର୍ମ । ରାସ୍ତାର ପ୍ରଥମ ମାଇଲ ଖୁମ୍ବଗୁଡ଼ିକ ପରି ଅର୍ଥନୀତି ଓ ରାଜନୀତି ପ୍ରଭୃତି ଭିନ୍ନ ଭିନ୍ନ କ୍ଷେତ୍ରର ପରିପୂର୍ଣ୍ଣତା ଏହି ସାଧନାପଥରେ ଅତ୍ୟନ୍ତ ଆବଶ୍ୟକ । କିନ୍ତୁ ଅସଲ ସାଧ୍ୟ ଏହିସବୁ ସାଧନ ଅପେକ୍ଷା ଅନେକ ପ୍ରଶସ୍ତ ଓ ଅନେକ ମହାନ ।

 

ଆଜିର ଏହି ମେସିନ୍ ଯୁଗରେ ଆମ ସାହିତ୍ୟଚର୍ଚ୍ଚା ମଧ୍ୟ ସମସ୍ରଗୁଣ ବଢ଼ିଯାଇଚି । ଜାତି, ଦେଶ ଓ ଧର୍ମକୁ କେନ୍ଦ୍ରକରି କାଗଜ ଉପରେ ପ୍ରଳାପୀ ମଣିଷର କେତେ ସ୍ୱେଚ୍ଛାଚାର ଲେଖାହୋଇ ପାରିବାର ଆଶଙ୍କା ଆମ ସୁଲଭ କଳିଯୁଗରେ ଅନେକ ପରିମାଣରେ ବଢ଼ିଚି । ସାହିତ୍ୟର ଅସଲ ମର୍ମଟିକୁ ଗଣ୍ଠିରେ ବାନ୍ଧିରଖି ମଣିଷକୁ କେବଳ ମାଦକିତ କରି ରଖିବାଭଳି ଜାତୀୟ, ଦେଶୀୟ ଓ ବିଭୂଷଣମୟ ସାହିତ୍ୟର ଭୁରିଭୁରି ରଚନା ହେଉଚି । ଯଥାର୍ଥ ନିରୀକ୍ଷଣ କରି ଦେଖିଲେ ଆଜି ସାହିତ୍ୟକ୍ଷେତ୍ରକୁ କାର୍ଯ୍ୟତଃ ଟଙ୍କାପଇସା ଦ୍ୱାରା ନିୟନ୍ତ୍ରିତ ଏକ କ୍ଷେତ୍ରପରି ଲାଗିବ । Upton Sinclair ଙ୍କ Mammonart ଗ୍ରନ୍ଥର ଅବତାରଣ ଯେପରି ଏ ଯୁଗରେ ଆପଣାକୁ ଅକ୍ଷରେ ଅକ୍ଷରେ ଚରିତାର୍ଥ କରିଦେଉଚି ।

 

ଏହିପରି ଏକଯୁଗରେ ମୁଁ ସାହିତ୍ୟ ଲେଖିବି ବୋଲି ବାହାରିଚି, କାହିଁକି ? ସାହିତ୍ୟକ୍ଷେତ୍ରରେ ହେଉଥିବା ଅପଚୟ କ୍ଷତିପୂରଣ କରିବାଲାଗି ମୁଁ ଟଙ୍କାପଇସାର କି security ରଖିଚି ? ମୋର କିଛି ଦରକାର ନାହିଁ । ମୋର ସାହିତ୍ୟ ହେଉଚି ମୋ’ ଜୀବନର ବିବିଧ ସାଧନାର ମିଳନକ୍ଷେତ୍ର । ମୋର ଭାଷାର ପ୍ରକାଶଦ୍ୱାରା ମୁଁ ଆପେ ପ୍ରକାଶିତ ହେବି ଏବଂ ସଙ୍ଗେସଙ୍ଗେ ଅନ୍ୟସମସ୍ତଙ୍କୁ ପ୍ରକାଶିତ କରିବାରେ ମଧ୍ୟ ସହଯୋଗ କରିବି ।

 

୩୦.୫.୧୯୫୦

 

ଆସକ୍ତି ଓ ବିରକ୍ତିର ଲୀଳାୟିତ ମନ ମୋର ବେଳେବେଳେ ମୁଁ ତାହାର ମହିମାକୁ କଳନା ହିଁ କରିପାରୁନାହିଁ । ପ୍ରକୃତରେ କେତେ ବିରାଟ ତା’ର ବିଚରଣଭୂମି ! ଗୋଟାଏ ଜୀବନ ଓ ଗୋଟାଏ ଅନ୍ତରର ବାସନା ମଧ୍ୟଦେଇ କେଡ଼େ ପରାକ୍ରମରେ ସେ ସକଳ କାଳର ସବଳ ବିଶ୍ୱକୁ ଧରିପାରୁଚି ! ବାରବାର ନିରସ୍ତ ହୋଇ ସେ ବାରବାର ପୁଣି ଏହି ଦୁଃସାହସିକ କ୍ରୀଡ଼ାରେ ମାତିଯାଉଚି । ତଥାପି ତା’ର ଶକ୍ତି ସରୁନାହିଁ, ଧୂସର ସନ୍ଧ୍ୟାର ପ୍ରଶସ୍ତପିଠି ପାହାଡ଼ ପରି ତା’ର ଅବ୍ୟବହୃତ ଓ ଅନିୟୋଜିତ energy ଗୁଡ଼ାକ ସ୍ୱପ୍ନରୂପ ହୋଇ ଚିରକାଳ ବିଦ୍ୟମାନ ରହିଚି ।

 

ମଣିଷର ଏହି ବାସନାକାମନାକୁ ଧର୍ମସାହିତ୍ୟରେ କେତେ epic ଓ ଗପ ଭିତରଦେଇ ବର୍ଣ୍ଣନା କରିବାର ପ୍ରୟାସ କରାହୋଇଚି । ମଣିଷ ଭିତରେ ରହିଥିବା ସକଳ ସୁପ୍ତ କାମନାର ନାୟକରୂପେ ଆପେ ଭଗବାନ ମଣିଷକୁ ନିୟତ ଦୁଃସାହସ ପ୍ରବୃତ୍ତ କରି ରଖିଚନ୍ତି । ସେଇ ଭଗବାନ ହିଁ ସବୁଠାରୁ ବଡ଼ ସୃଷ୍ଟି ଓ ବଡ଼ ସଂହାର କରିଚନ୍ତି । ସବୁଠାରୁ ବଡ଼ ଧ୍ୱଂସ ଓ ବଡ଼ ସଂରକ୍ଷଣ ତାଙ୍କରି । ଇନ୍ଦ୍ରିୟର ଅଜସ୍ର ପ୍ରବୃତ୍ତିକୁ କୃତାର୍ଥ କରିବାକୁ ଯାଇ ସେଇ ଭଗବାନ ମହାପ୍ରେମିକ ସାଜିଚନ୍ତି : କଳ୍ପନା ପ୍ରବଣ ମଣିଷ କେଡ଼େ ସହଜରେ ଆପଣାର ମନକୁ ଏକ ପରମ ଚିତ୍ରଣରେ ପର୍ଯ୍ୟବେସିତ କରିପାରିଚି । ବିରାଟ ମନର ଗୁରୁଭାର ମୋତେ ଆଜି ପ୍ରଧାନତଃ ଏହି ସତ୍ୟଟି ସୁଚାଇଦେଇ ଯାଉଚି ।

 

ମନଇଚ୍ଛା ଗୋଟାଏ ପରିବେଶରେ ଅନ୍ତରକୂପର ସମସ୍ତ ଢାଙ୍କୁଣି ଖୋଲିଯାଏ । ବାହାର ସହିତ ସେତେବେଳେ ବଡ଼ ଅବାଧରେ ଆଦାନପ୍ରଦାନ ଚାଲେ, ଦିଆନିଆର ନିତ୍ୟଭିକାରୀ କେବଳ ସେତିକିବେଳେ ହିଁ ସନ୍ତୁଷ୍ଟ ହୋଇ ରହେ । ନାନା ଅଜ୍ଞାତ କାରଣରୁ ଯଦି ମନର ଏହି ସଂଯୋଜନ ପଥଟି କେତେବେଳେ ବନ୍ଦ ହୋଇଯାଏ, ଖାଲି ସେତିକିବେଳେ ହିଁ ଆବଦ୍ଧ କୂପଜଳ ଗୁଡ଼ାକ ନାନା ଅପ୍ରିୟ ଉପାୟରେ ମୋର ସମସ୍ତ ପ୍ରବୃତ୍ତିକୁ ଆନ୍ଦୋଳିତ କରିପକାଏ, ଅନ୍ଧାର ଗର୍ତ୍ତର ପଚାପାଣି ଗୁଡ଼ାକ ଭିତର କାନ୍ଥ ଉପରେ କେବଳ ପିଟିହେବାରେ ଲାଗେ । ମନେହୁଏ, ସତେଅବା କେତେ ଯତ୍ନର ଓ କେତେ ସ୍ୱପ୍ନର ପ୍ରାଣପିଣ୍ଡିଟି ଏଇଥର ଧସିପଡ଼ିବ । ଇଏ ହେଉଚି ଆତ୍ମହତ୍ୟାର ସବୁଠାରୁ ବଳି ନିର୍ଦ୍ଦୟ ଆଘାତ ।

 

ଏଥର ବୁଲାବୁଲି ସରିଲା, ବର୍ତ୍ତମାନ ନୀରବରେ ବସି ଏହି ଆଶ୍ରୟ ବଦଳାଲାଗି ମୁଁ ନିଜକୁ ପ୍ରସ୍ତୁତ କରୁଚି । ଜାଣେନା, ଆସନ୍ତା ମାସଟି କେଉଁ ବିଶେଷ ବାତାୟନପଥ ଦେଇ ମୋର ସ୍ମୃତିପଟରେ ସ୍ପର୍ଶଜନିତ ଶିହରଣ ରଚନା କରିବାକୁ ଆସିବ ! ତଥାପି ମନ କହୁଚି, ମୋର କୌଣସି ଭୟନାହିଁ । ଯିଏ ଆସୁଚି, ଅଜଣା ହେଲେ ମଧ୍ୟ ସିଏ ତୋର ମଙ୍ଗଳଲାଗି ଆସୁଚି । କେତେ ଅଜଣାର ଅପ୍ରତ୍ୟାଶିତ ଆଶୀର୍ବାଦରେ ମୁଁ ଏହି ଜୀବନକୁ ଜାଣିବାର ବର ପାଇ ଆସିଚି । ତେଣୁ ଏଥରକ ମଧ୍ୟ ମୁଁ ଭୟ କରିବି କାହିଁକି ?

 

ଘରକୁ ଫେରିବାର ବାଟରେ ମନ କାଲି ହୁଏତ ଘର ରଚନା କରିବାର କଳ୍ପନାରେ ସମସ୍ତ ପଥ ଅତିକ୍ରମ କରି ଚାଲିଯିବ । ଦୁଇଦିନ ପର୍ଯ୍ୟନ୍ତ ହୁଏତ କିଛି ଲେଖିବାର ସୁଯୋଗ ମିଳିବନାହିଁ । ଦୀର୍ଘ ମାସଟାଯାକ ମୁଁ ଯାହାଯାହା ଦେଖିଚି, ଯାହାର ପରିଚୟ ମୋତେ ନାନା ଅଜଣା ପଥକୁ ଆପଣାର କରି ଶିଖାଇଚି, ମନେମନେ ତାହାରି ସିଂହାବଲୋକନ କରୁକରୁ ହୁଏତ କେତେ ନଇନାଳ ଡେଇଁ ମନ ପୁଣି ଆପଣା ଘରକୁ ବାହୁଡ଼ିଯିବ ।

 

୩୧.୫.୧୯୫୦

 

ବାଟମଝିରେ ବିଜୟନଗରମ୍ ମୁଷାଫିରଖାନାରେ ବସି ମୁଁ ଆଜିର ଅଧଫାଳକୁ ଶେଷ କରିଦେବି । ଏହି ରୁଟିନ୍‌ଟି ଦିନୁଁ ଦିନ ମୋତେ ବେଶ୍ ଲାଗୁଚି । ଯେଉଁଦିନ ମନେମନେ ଉପରକୁ ଉଡ଼ିଯିବାଲାଗି ସୌଖିନ ପରିବେଶ ନମିଳେ, ଯେଉଁଦିନ ମନମୁତାବକ ଆରାମ ଜୁଟେନାହିଁ, ସେଦିନ ଅଭିମାନୀ ମନଟା ହୁଏତ ଆପଣା ଉପରେ ରାଗ କରି ନିଜର ଦେବତ୍ୱ ଭୁଲି ଯାଉଥାନ୍ତା । ଏହି ଖାତା ମୋତେ ସେହି ଆପଦରୁ ବଞ୍ଚାଏ । ନିଜ ହାତରେ ବାଛିନେଇଥିବା ମୋର ଆପଣାର ଶିରସ୍ତ୍ରାଣ ଏ, ଏହାର ସ୍ପର୍ଶ ବାଜି ମୋର ସମସ୍ତ ଭାବନା ଉତ୍ତୋଳିତ ହୋଇଯାଏ । ସେତେବେଳେ ମୋର ମନ ଉପବାସୀ ପେଟ ବା ଅଗାଧୁଆ ଦେହର ଅଜଟ ମେଣ୍ଟାଇବା ଲାଗି ଆଉ ଅପେକ୍ଷା ନକରି ଆପଣା ଚେତନାର ଉର୍ଦ୍ଧମାର୍ଗରେ ଯଥାର୍ଥ କ୍ଷେତ୍ରକୁ ଉଠିଯାଏ ।

 

Economic Determinism (ଅର୍ଥନୈତିକ ନିୟନ୍ତ୍ରଣବାଦ) ସମ୍ବନ୍ଧରେ କାର୍ଲ୍ ମାର୍କସ ଯାହା ଚିନ୍ତା କରିଥାନ୍ତୁ ନା କାହିଁକି, ଆଧୁନିକ କଳା, ସାହିତ୍ୟ ଓ ସଂସ୍କୃତି ଆମକୁ ସେହି ନିୟମଟାକୁ ଜଳଜଳ କରି ଦେଖାଇ ଦେଇଥାଏ । ଆଜି ଯେତେରକମର ମୁଖା ପିନ୍ଧି ଟଙ୍କାପଇସାର ସ୍ୱେଚ୍ଛାଚାର ଚାଲିଚି, ପରୋକ୍ଷଭାବେ ଏଯୁଗର ସାହିତ୍ୟ ଓ ସଂସ୍କୃତି ମଧ୍ୟ ଏବେ ସେହିପରି ଏକ ମୁଖାହେବାକୁ ବସିଲାଣି । ପାଶ୍ଚାତ୍ୟ ସଭ୍ୟତାର ନକଲନବାସି କରି ଆମେ ଏଦେଶରେ ବି ବଡ଼ ନିପୁଣଭାବରେ ଏହି ରୋଗଟିକୁ ଆପଣାର କରି ସାରିଲୁଣି । ଦେଶରେ ସାହିତ୍ୟମୁଖା ପିନ୍ଧିଥିବା ବେପାରୀମାନଙ୍କ ଲାଗି ସଂସ୍କୃତିର ମିଥ୍ୟାମୋହରେ ଏବେ ଯେପରି ଟଙ୍କା ଖରଚ ହେଉଚି, ତାହାକୁ ଦେଖି ବେଳେବେଳେ ବଡ଼ ଆଶଙ୍କା ହୁଏ ଯେ ଏଦେଶର ପ୍ରାଣସଂସ୍କୃତିଟିକୁ ଆଉ ଧ୍ୱଂସମୁଖରୁ ରକ୍ଷା କରାଯାଇ ପାରିବନାହିଁ । କେଉଁ ସନ୍ନ୍ୟାସୀର ଜନ୍ମକ୍ଷଣ ଏହି ଅଧୋଗତିକୁ ରୋଧି ଆମକୁ ବଞ୍ଚାଇ ପାରିବ ?

 

୧.୬.୧୯୫୦

 

ପ୍ରାୟ ମାସକ ପରେ କଟକ ସହରକୁ ଫେରି ଆସିଲି । ତଥାପି ଗାଆଁକୁ ଯିବାପୂର୍ବରୁ ପୁରୀରେ ତିନିଦିନ ରହିବାକୁ ପଡ଼ିବ । ବୁଲାମନର ସମସ୍ତ ଅପରିତୃପ୍ତି ବଦଳରେ ସାଗରତଳର ପରିପୂର୍ଣ୍ଣ ହୃଦୟ ନେଇ ମୁଁ ଗାଆଁକୁ ଫେରିଯିବି ।

 

ଦୁଃଖ ଆଉ ସୁଖର ଦୋଳିରେ ଇତସ୍ତତଃ ହେବା ତ ସବୁବେଳେ ଲାଗିଥିବ ତେବେ ଅସଲ ପଥର ଯାତ୍ରା ଆରମ୍ଭ କରିବାକୁ ମୁଁ କେତେଦିନଯାଏ ଗଡ଼ାଇ ରଖିଥିବି ? ସବୁବେଳେ ମନଭିତରେ ଗୋଟାଏ ଖେଦ ରହିଗଲାପରି ଲାଗୁଚି ଯେ ମୁଁ ଜୀବନର ଅସଲ ନିର୍ଦ୍ଦେଶଗୁଡ଼ିକୁ ମାନିବା ଓ କାର୍ଯ୍ୟକାରୀ କରିବାକୁ ମୁଖ୍ୟତଃ ଗଡ଼ାଇ ଗଡ଼ାଇ ଯାଉଚି । ପୂର୍ଣ୍ଣରୂପେ ପ୍ରକାଶିତ ହେବାକୁ ଭିତରୁ କିଏ ଆକୁଳ କ୍ରନ୍ଦନ କରୁଚି ତଥାପି ଦୁଆରମୁହଁର ପ୍ରହରୀ ଯେପରି ପ୍ରସ୍ତୁତ ହୋଇନାହିଁ । ବାତୁଳ ମନର ଶିଶୁ କହୁଚି ସକଳ ପ୍ରକାର ଆଭରଣର ଲୋଭ ଏଡ଼ି କେବଳ ଲଙ୍ଗଳା ଶିଶୁଟିପରି ବାହାରି ଆସିବାକୁ । ସ୍ୱର୍ଗକୁ ଗଲାବେଳେ ସମସ୍ତେ ବସନହୀନ ହୋଇ ଯାଆନ୍ତି ବୋଲି Swendenberg କଳ୍ପନା କରିଚନ୍ତି । ମୋର ସ୍ୱର୍ଗ ମୋ’ଜୀବନକୁ ପରିପୂର୍ଣ୍ଣରୂପେ ପ୍ରକାଶ କରିବାର process ରେ, ଏଥିଲାଗି ବିବସନ ହୋଇ ପାରିବାର ଶକ୍ତି ମୁଁ କେବେ ପାଇବି ?

 

ବେଶ୍ ଲାଗୁଚି, କଟକ ଷ୍ଟେସନରେ ବସି ପଶ୍ଚିମ ଓଡ଼ିଶାର ମଣିଷ, ଗାଆଁ ଓ ରାସ୍ତାଘାଟର କଳ୍ପନା କରିବାକୁ । ଆହୁରି ଅନେକ ଦିନ ଯାଏ ମୋ’ଭିତରେ ସେସବୁ ଜୀଇରହିଥିବ-

 

୨.୬.୧୯୫୦

 

କାଲି ରାତିରେ ପୁରୀରେ ପହଞ୍ଚିଲି । ରାତି ପ୍ରାୟ ଏଗାରଟା ପର୍ଯ୍ୟନ୍ତ ସମୁଦ୍ରକୂଳରେ ବସି ରହିଥିଲି । ତରଙ୍ଗ-ସଙ୍ଗୀତର ରସାୟନରେ ଯେପରି ଅନେକ ଦିନର ଅନେକ କ୍ଷତ ପୂର୍ଣ୍ଣ ହୋଇ ଯାଉଥିଲା । ଶୁକ୍ଳ ପ୍ରତିପଦାର ଜହ୍ନ ପ୍ରାୟ ମୁଣ୍ଡ....

 

୧୦.୬.୧୯୫୦

 

ଲେଖୁ ଲେଖୁ ସେଦିନ କୋଉଠି ଯେ ଚିନ୍ତାର ଖିଅ ଛିଣ୍ଡିଗଲା ଆଜି ଆଉ ମନେ ପଡ଼ୁନାହିଁ । ତେଣୁ ପୁଣି ଭାବିଚିନ୍ତି ବାକ୍ୟ ପୂରଣ କରିବାର ଶ୍ରମଚେଷ୍ଟା କରିବାକୁ ଆଉ ଇଚ୍ଛା ହେଉନାହିଁ । ସେ ଯେମିତି ରହିଚି ସେମିତି ଥାଉ ।

 

ପୁରୀ ଛାଡ଼ି ଗାଆଁକୁ ଆସିବା ପାଞ୍ଚଦିନ ହୋଇଗଲା । ବେଶ୍ ବନ୍ଧୁମେଳରେ ହସିଖେଳି କଟିଗଲା ଏହି ଅବସର ସମୟ ଗୁଡ଼ିକ । ଏହାଭିତରେ ମୁଁ ବେଶୀକିଛି ଭାବିନାହିଁ । ଗତ ମାସର ଭ୍ରମଣରତ ସାଥୀମନର ବିଚରଣ ଶବ୍ଦ ମୋତେ ବାରବାର ପଛମୁହାଁ କରି ରଖିଚି । ପ୍ରତ୍ୟେକ ଅରଣ୍ୟପଥ ଓ ପ୍ରତ୍ୟେକ ଜନପଦର ପଦଶବ୍ଦ ଯେପରି ସିଧା ମୋର ପ୍ରାଣରେ ବାଜୁଚି । ଏହି କଥା ହିଁ ହୋଇଥାନ୍ତା । They flash upon the inward eye ! ଖାଲି ଅରଣ୍ୟ, ପର୍ବତ ବା ନଦୀନାଳ ହୋଇଥିଲେ ହୁଏତ ଆହୁରି କେତେ ଅରଣ୍ୟ ପର୍ବତ ଓ ନଦୀନାଳ ଦେଇ ମୁଁ ସେଗୁଡ଼ିକୁ ଛାଡ଼ି ଆସିଥିବାର ବେଦନାକୁ ଭରଣା କରି ନେଇଥାନ୍ତି । କିନ୍ତୁ ମାସକର ଭ୍ରମଣ ଭିତରେ ମୁଁ ଯେତେଯେତେ ମଣିଷଙ୍କର ସ୍ନେହ ଓ ସରାଗ ପାଇଚି, ସେମାନଙ୍କର ସ୍ମୃତି ଗୋଟିଏ ଗୋଟିଏ ଅନନ୍ୟ ସାଧାରଣ ମୂର୍ତ୍ତି ଧରି ମୋର ପ୍ରତ୍ୟେକଟି ଦିନକୁ ଯେପରି ଅନନ୍ୟ କରି ରଖିଚି ।

 

ବର୍ତ୍ତମାନ ଗାଆଁରେ ପ୍ରାୟ ମାସେ ରହିବି । ଏଥିଲାଗି ମୁଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଠିକ୍ କରିନାହିଁ । କୌଣସି ବଡ଼ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମନ ଆଦୌ ପ୍ରସ୍ତୁତ ନୁହେଁ । ମାସେକାଳେ ବୁଲିବୁଲି ମସ୍ତିଷ୍କ ଯେତିକି ଖରା ଖାଇଚି ବର୍ତ୍ତମାନ ଗୋଟାଏ ଥାନରେ ଖାଲି ନୀରବ ହୋଇ ରହି ମୁଁ ସେତିକି ଶାନ୍ତ ହୋଇଯିବି ।

 

ବେଳେବେଳେ ରାଜନୀତି ମଧ୍ୟ ମୋତେ ଅନେକଦୂର ଟାଣି ନେଉଚି । କେଉଁ ତରଙ୍ଗର ସଶବ୍ଦ ଚୂଡ଼ା ଯେପରି ମୋତେ ଆହ୍ୱାନ କରୁଚି । ମୁଁ ସେ ତରଙ୍ଗକୁ ଭୟ କରେନା । ମୋ’ମନର ନିକିତିରେ ରାଜନୀତି, ସାହିତ୍ୟ ବା ଶିକ୍ଷକତାରେ କୌଣସି ପ୍ରଭେଦ ନାହିଁ । ଧର୍ମ ହେଉଚି ଏହି ପ୍ରତ୍ୟେକଟି ସାଧନାର ମୂଳମନ୍ତ୍ର, ତେଣୁ ଅସଲ ମନ୍ତ୍ରଟିକୁ ଧରିଥିବାଯାଏ କୌଣସି କ୍ଷେତ୍ରଭେଦ ମୋତେ ବିଚଳିତ କରି ପାରିବନାହିଁ । ରାଜନୀତିଠୁଁ ବଳି ଆଉ ଅଧିକ ଦୂଷିତ କ୍ଷେତ୍ର କିଛି ନାହିଁ ବୋଲି ଗୋଟାଏ ଲଜ୍ଜାବତୀ ମନୋବୃତ୍ତି ଯେଉଁମାନଙ୍କର ରହିଚି, ଏଯୁଗର ରାଜନୀତିଖୋର ମାନଙ୍କ ପରି ସେମାନଙ୍କୁ ମଧ୍ୟ ମୁଁ ଘୃଣା କରେ । ଏଯୁଗର ସବୁଠାରୁ ବଡ଼ ମଣିଷ ଓ ବଡ଼ ବୈରାଗ୍ୟର ଚରମ ଅନୁରକ୍ତିଟିକୁ ପ୍ରମାଣିତ କରିଯାଇଚି । ଗାନ୍ଧୀ ଯୁଗର ଯୁବକ ମୁଁ, ମୁଁ ରାଜନୀତିକୁ ଡରିବିନାହିଁ । ଅନେକ ହୁଏତ ଏହି ବାଟରେ ବଦନାମ କରିଚନ୍ତି, ହୁଏତ ସେହି କାରଣରୁ ରାଜନୀତିକୁ ଖରାପ ବୋଲି କହିବାର ଖୋଇ ଏବେ ଭାରି ବଢ଼ିଯାଇଚି । କିନ୍ତୁ ମୋର ସାଧନାକ୍ରମରେ ମୁଁ ଏହି ବାଧାକୁ କଦାପି ମାନିବିନାହିଁ ।

 

୧୮.୬.୧୯୫୦

 

ଗତ ମାସରେ ବୁଲିବାର ବ୍ୟସ୍ତ ଥିଲାବେଳେ ମୁଁ ଦିନଲିପି ଲେଖିବାଲାଗି ସମୟ କରି ପାରୁଥିଲି । ବର୍ତ୍ତମାନ ପ୍ରାୟ ବାରଦିନ ହେଲା ଗାଆଁରେ ବସିଚି, ଧାଡ଼ିଏ ସୁଦ୍ଧା ପଢ଼ିନାହିଁ, ତଥାପି ଏହି ଖାତାରେ ମୋର କର୍ତ୍ତବ୍ୟ କରି ପାରିନାହିଁ । ଯେତେବେଳେ ଜୀବନର ଚକ ଚାଲେ, ସେତେବେଳେ ତା’ର ଗତିଜନିତ ଭାଷାଟି ବଡ଼ ସ୍ୱାଭାବିକ ଭାବରେ ପ୍ରକାଶିତ ହୋଇପଡ଼େ । ଏହି କେତେଦିନ ହୁଏତ ମୁଁ ମୋଟେ ଚାଲିନାହିଁ ମୋଟେ ବଞ୍ଚିନାହିଁ । ସେଥିଲାଗି ଏଠି ଆପଣାକୁ ଲିପିବଦ୍ଧ କରି ରଖିବାର ଦାୟିତ୍ୱଟିକୁ ମୁଁ ନାନା ଛଳନାରେ ଭାରି ସହଜରେ ଏଡ଼ିଦେଇ ଚାଲିଯାଇଚି-। ଝରଣାର ସ୍ୱଭାବ ହେଉଚି ନାନା ଧାରାରେ ବହିଯିବା, ସେଥିଲାଗି କୌଣସି ଉତ୍ତେଜନା ବା ଉପଦେଶର ଦରକାର ପଡ଼େନାହିଁ । ଚିତ୍ତଝରଣାର ଗତିପଥକୁ ରୁଦ୍ଧ କରି ରଖି ମୁଁ ହୁଏତ ଜଳାଶୟର ନିଶ୍ଚଳ ଗୌରବରେ ମଜି ରହିଥିଲି । କେବଳ ଅଚଳ ପରି ରହି କେଉଁ ସ୍ୱପ୍ନାବେଶ ଭିତରେ ବୁଡ଼ି ଯାଇଥିଲି ।

 

ବେଳେବେଳେ ଆପଣା-ତିଆରି ସବୁ ରୁଟିନ୍ ବିରୁଦ୍ଧରେ ମଧ୍ୟ ମୋର ଏକ ସାଂଘାତିକ ଉଦାସୀନତା ଜନ୍ମେ । କେବଳ ହସିହସି ଓ ବକିବକି ହୃଦୟର ସଞ୍ଚିତ ଶକ୍ତିଗୁଡ଼ାକୁ କେବଳ ନିରାଲମ୍ବଭାବେ ବୁହାଇ ଦେବାର ଏକ ସ୍ୱେଚ୍ଛାଚାରୀ ମନୋଭାବ ଅତି ପ୍ରବଳ ହୋଇଉଠେ । ବିନା ଆପତ୍ତିରେ ମୁଁ ଆପଣାକୁ ସେହି ପ୍ରବାହ ଭିତରେ ପକାଇଦିଏ । ଏହିପରି ଅକାରଣ ହୋଇ କେତେଦିନ ଗଲାପରେ ପୁଣି ମୋହ ଭାଙ୍ଗେ, କର୍ମହୀନତାର କ୍ଳାନ୍ତିରେ ପ୍ରାଣ ଅସ୍ଥିର ହୋଇଉଠେ, ଚିତ୍ତ ପୁଣି ଆପଣା ସ୍ୱାଭାବିକ ନୀଡ଼କୁ ଫେରିଆସେ ।

 

୨୬.୭.୧୯୫୦

 

ମାସକରୁ ଅଧିକ ହେବ ମୁଁ ଆପଣାକୁ କଳିବାର ଅଭ୍ୟାସ ଛାଡ଼ିଦେଇଚି । ତେଣୁ ଅନେକ ଦିନ ପରେ ଆଜି ତା’ର ପୁନରାଚରଣ କରିବାକୁ ମୋଟେ ଆରାଉନାହିଁ । ନାନା ଉତ୍ସାହ ଓ ଉଦ୍‌ବେଗ ମଧ୍ୟରେ ଗାଆଁରେ ଛୁଟୀର ଶେଷ ଅଂଶଟା କଟିଗଲା, ମୁଁ କିଛିହେଲେ ଅବଧାରଣ କରି ରଖି ପାରିଲିନାହିଁ । ଆଜି ପୁଣି କର୍ତ୍ତବ୍ୟର ଏହି ଦ୍ୱାରଦେଶକୁ ଆସି ମୁଁ ବେଶ୍ ଅନୁଭବ କରୁଚି ଯେ ଅବଧାରଣ କରିବାର ମନଟା ମଧ୍ୟ ଅନେକ ପରିମାଣରେ ମରିଯାଇଚି । କାହାକୁ ଅଭିଶାପ ଦେବି ଏହି ଅବହେଳା ପାଇଁ ? କେହି କଣ ମୋତେ ବାଉଳା କରି ପଥ ହୁଡ଼ାଇ ନେଇଚି ? ମୋହରି ପଥକୁ କେବଳ ମୁଇଁ ହୁଡ଼ିଚି । ନୂତନତର ଦୃଢ଼ତାର ସହିତ ପୁଣି ପଥକୁ ଫେରିଆସିବା ଲାଗି ହୁଏତ ଏହା ଆବଶ୍ୟକ ଥିଲା ।

 

ଏହି କେତେଦିନ ହେଲା ଦୁଇନାବରେ ଗୋଡ଼ ଦେଲାପରି ବଡ଼ ଅଶ୍ୱସ୍ତିରେ ସମୟ କଟୁଚି । ମୋର ଜୀବନ ପଥରେ ହୁଏତ ଗୋଟାଏ ବଡ଼ turn ସଂଘଟିତ ହେବାକୁ ଯାଉଚି ଏବଂ ସେଇଥିଲାଗି ମନ କ୍ରମେ ତା’ର ଆପଣା ରୀତିରେ ପ୍ରସ୍ତୁତ ହେବାରେ ଲାଗିଚି । ମୋ’ ଜୀବନର ବୈଚିତ୍ର୍ୟ ହେଉଚି ମୋର ସବୁଠାରୁ ବଡ଼ ବାହାଦୂରୀ । ମଣିଷ ମାତ୍ରକେ ହୁଏତ ଏହି ବୈଚିତ୍ର୍ୟରେ ହିଁ ସବୁଠାରୁ ଅଧିକ ଗର୍ବ ଅବୁଭବ କରିଥାଏ । ଭଲ ଛାଡ଼ି ମନ୍ଦକୁ ଗ୍ରହଣ କରିବି କି ମନ୍ଦ ଛାଡ଼ି ଭଲକୁ ଗ୍ରହଣ କରିବି, ସେ ବିଷୟ ଯିଏ ବିଚାର କରିବ କରୁଥାଉ । ମୋର ରସିକ ଭଗବାନ ମୋତେ ନବନବ ପଥରେ ନୂତନତର ଭାବେ ରସାୟିତ କରି ଚାଲିଚନ୍ତି, ମୁଁ କେବଳ ଏତିକି ଜାଣେ-। ତାଙ୍କରି ଯୋଜନା ପାଖରେ ଆତ୍ମସମର୍ପଣ କରି ପାରିବାକୁ ମୁଁ ପରମ ଗୌରବ ବୋଲି ମନେକରେ । କେବଳ ତାଙ୍କରି ଇଚ୍ଛା ହିଁ ପୂର୍ଣ୍ଣ ହେଉ !

 

୨୭.୭.୧୯୫୦

 

ମନ ଭିତରେ କେଉଁ ବିଧାତାର ଯେ କେତେ କଳ୍ପନା ଚାଳିଚି, ଆଜି ମୁଁ ତାହା କଳନା ହିଁ କରିପାରୁନାହିଁ । ବାହାରେ ସବୁ ଶାନ୍ତ, ବାହାର ଜଗତ ଲାଗି ମୋର ପ୍ରସନ୍ନତା କେବେହେଲେ ଊଣା ହୋଇନାହିଁ । ତଥାପି ଭିତରେ ମନପ୍ରାଣର ସମସ୍ତ ତନ୍ତୁକୁ ଚିରି ପକାଇଲା ପରି କେଉଁ ତୁମୁଳ ଆନ୍ଦୋଳନ ଲାଗିରହିଚି, ତାହାର ଅନ୍ତ କେଉଁଦିନ କିପରି ଭାବରେ ହେବ ? ହଠାତ୍ ମୁଁ ସେକଥା କହି ପାରୁନାହିଁ ।

 

ଜଗତ ପାଖରେ ନିଜର ଜବାବଦେହୀ ଦେବାକୁ ନାନା ଆୟୋଜନ ଓ ଆଭରଣରେ ଆପଣାକୁ ମଣ୍ଡାଇ ରଖିବାକୁ ଏତେ ଭଲ ଲାଗୁଚି, ଅଥଚ ଆପଣାପାଖରେ ଜବାବଦେହୀ ଦେବାଲାଗି ମୁଁ କିପରି ଭାବରେ ପ୍ରସ୍ତୁତ ହେଉଚି ? ଅନ୍ତର ଗୁହାରେ ବସି ନୀରବ ପ୍ରଭୁ ସବୁ ଦେଖୁଚି, ସବୁ ଜାଣୁଚି, ସବୁ ବ୍ୟତିକ୍ରମର ଆଘାତକୁ ସହ୍ୟ କରୁଚି । ମୋର ଅତି ଆପଣାର ସେହି ପରମ ଦେବତାଲାଖି ଆପଣାକୁ ତିଆରି କରିବାପାଇଁ ମୁଁ କିପରି ତିଆରି ହେଉଚି ? ଅଳସ ମୁହୂର୍ତ୍ତରେ ହଠାତ୍ ଯେତେବେଳେ ‘କଣ କରିବି’ ବୋଲି ଏକ ଅକାରଣ ଉଦ୍‌ବିଗ୍ନତାରେ ମୁଁ ସମୟ କଟାଇ ଦେଉଚି, ସେତେବେଳେ କଣ ଏକଥା ମୋର ମନେ ପଡ଼ୁନାହିଁ ?

 

ପାଞ୍ଚଦିନ ହେଲା ଆଶ୍ରମକୁ ଫେରି ଆସିଲିଣି, ତଥାପି ଏଠିକାର ସ୍ୱକୀୟ ଜୀବନଟି ସହିତ ମୁଁ ଏପର୍ଯ୍ୟନ୍ତ ମିଶିପାରିନାହିଁ । ଗୋଟାଏ ପ୍ରକାର ମିଷ୍ଟ ଉଦାସ ଭାବ ମନଗଗନକୁ ସର୍ବଦା ଆଚ୍ଛାଦିତ କରି ରଖିଚି, ଅନେକ ଦିନ ପରେ ଅନ୍ତରକୁ ବୁଝୁଥିବା ପ୍ରିୟଲୋକ ସହିତ ଭେଟହେଲେ ଏହିପରି ଏକ ଅଭିମାନୀ ଉଦାସୀନିତା ଆପଣାର ରାଜତ୍ୱ ଜମାଇବସେ ।

 

୪.୮.୧୯୫୦

 

ଅନେକ ଦିନ ହେଲା ମୁଁ ଯେପରି କାହାର ବିରହରେ ମରୁଚି । କାହାର ବିଚ୍ଛିନ୍ନତାରେ ଦୂଷିତ ହୋଇ ପଡ଼ିଥିବା ମନର ଅଳସ ଅତ୍ୟାଚାର ମୋ ସମସ୍ତ ସମୟକୁ ବଡ଼ ଉଚ୍ଛନ୍ନ କରି ରଖିଚି-। ଜାଣେନା, ଚଳମାନ ଜୀବନର ବାଦଲଉଡ଼ା ଭିତରେ ମୁଁ ବେଳେବେଳେ ଯେଉଁ ବିସ୍ତୃତିର ଆଭାସ ପାଉଥିଲି , ବୋଧହୁଏ ଏଣିକି ତାକୁ ମଧ୍ୟ ଅନୁଭବ କରିବାର ଚିତ୍ତକୁ ମୁଁ ହରାଇ ବସାଇଲିଣି । ଏହି ବିସ୍ମରଣ ଯେ କାହାଲାଗି, ସେକଥା ମୁଁ ଠିକ କହିପାରୁନାହିଁ । ହୁଏତ କେଉଁ ନୂତନ ପଥରେ ମୁଁ ତାକୁ ଚିହ୍ନିବି ବୋଲି ମୋର ଅବଚେତନ ମନ ଆଉ ଚିହ୍ନାପଥ ଗୁଡ଼ାକୁ ଆଦରି ରହି ପାରୁନାହିଁ । ଭିତରେ ପଟବଦଳାର ପ୍ରଥମ ପର୍ଯ୍ୟାୟ ଚାଲିଚି, ହୁଏତ ସେଇଥିଲାଗି ଏହି ପରିବର୍ତ୍ତନର ଆଘାତଟା ମୋତେ ଏତେ ଲାଗୁଚି, ହଠାତ୍ ସବୁ ଚିହ୍ନାକୂଳକୁ ଛାଡ଼ିଦେଇ ମନର ଶିଶୁଟା ଟିକିଏ ତ୍ରସ୍ତ ହୋଇପଡ଼ିଚି । ତଥାପି ସମସ୍ତ ଧ୍ୟାନର ରସପାୟୀ ପ୍ରିୟ ଶିଶୁଟି ମୋର, ତାହାକୁ ହିଁ ମୁଁ ମୋର ଭଗବାନ ପରି ଭଲପାଏ । ତାର ବିଚିତ୍ର ପଥ ଓ ବିଚିତ୍ର ପିପାସା ମୋତେ ବିଶ୍ୱଶିଶୁର ନିର୍ଭରଯୋଗ୍ୟ ପରିଚୟ ଦେଇଯାଏ । ତା’ର ଭୁଲ, ତା’ର ବିସ୍ମରଣ, ତା’ର ସମ୍ମୋହନ ମୋତେ ସବୁ ଭଲ ଲାଗେ ।

 

୫.୮.୧୯୫୦

 

ମନେମନେ ମୁଁ ବଡ଼ ଉଚ୍ଛନ୍ନ ହୋଇ ପଡ଼ିଚି । ଦେଶର ଅବସ୍ଥା ଦିନକୁଦିନ ଅଧିକ ଖରାପ ହେଉଚି ବୋଲି ନିତି ଖବର କାଗଜରେ ବାହାରୁଚି । ଦିନେ ଯେଉଁସବୁ କଥା ବା ଯେଉଁସବୁ ସମସ୍ୟା ନେଇ ମୁଁ ହୁଏତ ଭାରି ସହଜରେ ଉତ୍ତେଜିତ ହୋଇ ପଡ଼ୁଥିଲି, ଆଜି ସେଇସବୁ ଶୁଣି ଓ ଜାଣି ମଧ୍ୟ ସତେଅବା ନିର୍ଲିପ୍ତ ସନ୍ନ୍ୟାସୀପରି ମୁଁ ସେସବୁକୁ ଏଡ଼ାଇଦେଇ ଚାଲିଚି । ସମସ୍ୟାଗୁଡ଼ିକୁ ନେଇ କଥା ଗରମ କରିବା ଅପେକ୍ଷା ମୁଁ ଯେପରି ଆହୁରି ଅଧିକ କିଛି ଚାହେଁ । ଯୌବନର ଏହି କେତେ ବର୍ଷ ଭିତରେ ମୁଁ ଏଦେଶର ମଣିଷଲାଗି ଶୁଭଶାସନ ଗଢ଼ିବାର ତାମସା ବେଶ ଦେଖିଲି, ଜୀବନର ଯଥାର୍ଥ ମୂଲ୍ୟଗୁଡ଼ିକ ବିଷୟରେ ଏହାଦ୍ୱାରା ମୋର ବେଶ ଅଭିଜ୍ଞତା ହୋଇଗଲା । ନା,–ମୁଁ ଏପରି କିଛି ଚାହେ, ଯାହାଦ୍ୱାରା ଉକ୍ତ ସମସ୍ୟାଗୁଡ଼ିକର ସମାଧାନ ହେବ ଓ ଅଧିକନ୍ତୁ ମୋ’ ମନର ପିପାସା ମଧ୍ୟ ମେଣ୍ଟିବ । ସେଦିନ ଦିବ୍ୟଦର୍ଶନ ବାସ୍ତବର ଭୂମିଉପରେ ଅବତରଣ କରିବ । ଅତି ଶିଶୁ ଏହି ଦୁଃସାହସୀ ମନଟା ମୋର, ତା’ର କ୍ଷୁଧା ଅନେକ ବେଶୀ । ଜାଣେନା, ତାକୁ ମୁଁ ଉଚିତ କ୍ଷେତ୍ରରେ ଉଚିତ ଖାଦ୍ୟ ଯୋଗାଇ ପାରିବି, ନା ସିଏ ଅପରିତୃପ୍ତ ଚିତ୍ତାବେଗରେ କେବଳ ଆପଣାକୁ ହିଁ consume କରି ଚାଲିଯିବ । ଆଜି ମୋ’ ପାଖରେ ଏହାର କୌଣସି ଉତ୍ତର ନାହିଁ-। ତଥାପି ସେହି ବିରାଟ ପିପାସାଟିକୁ ମୁଁ ଅନ୍ତରଭରି ସାଇତି ରଖିଥିବି ।

 

୬.୮.୧୯୫୦

 

ଟେବୁଲ ଉପରେ ଖାତାଟିକୁ ପକାଇ ରଖି ବେଶ କେତେସମୟ ହେଲା ଭାବୁଥିଲି ଆଜିର କୋଟାକୁ ମୁଁ ପ୍ରକୃତରେ କଣ ଲେଖି ପୂରଣ କରିଚି । ଏବେ ମନରେ କୌଣସି ନିଶ୍ଚିତ ଭାବନା ଜୁଟୁନାହିଁ, ଅଥଚ ନାନା ଭାବନାର ଧକ୍‌କାଧକ୍‌କିରେ ମନଟା ବିଲ୍‌କୁଲ ଉଚ୍ଛନ୍ନ ହୋଇ ପଡ଼ିଚି । ଏକାବେଳକେ ଅନେକ ଆଡ଼କୁ ଉଡ଼ିଯିବାକୁ ଧାଇଁଲେ ମନର ଅବସ୍ଥା ଯେ କିପରି ବିକଳ ହୋଇପଡ଼େ, ତାହା ମୁଁ ବେଶ ଅନୁଭବ କରୁଚି ।

 

ଏଇଟା ସ୍ଥିରନିଶ୍ଚିତ କଥା ଯେ ଯାହା ପାଇଚି, ମୁଁ ତା’ଠାରୁ ଅନେକ ଅଧିକ ଚାହେଁ । ସେହି ନପାଇବାର ଅତୃପ୍ତିଟା ହିଁ ମୋର ସକଳ ଚିତ୍ତବୃତ୍ତିକୁ ବଡ଼ ଅବିନ୍ୟସ୍ତ କରି ପକାଇଚି । ଆଖିଆଗର ସୌନ୍ଦର୍ଯ୍ୟ ଓ ଆଖିଆଗର ମଣିଷକୁ ମୁଁ ଉଚିତ ଆଖିରେ ଗ୍ରହଣ କରି ପାରୁନାହିଁ । ମୂଲ୍ୟଗ୍ରାହୀ ଭିତର ମନଟା ସେଥିଲାଗି ଉପବାସୀ ରହି ହାହାକାର କରୁଚି । ବାହାରେ ଯେତେ ଚଞ୍ଚଳ ଓ ସଚଳ ରହିଥିଲେ ମଧ୍ୟ ଭିତରେ ଅନବରତ ଗୋଟାଏ ଅବସାଦ ମୋର ମଜ୍ଜାକୁ କାମୁଡ଼ି ଧରିଚି । ମୁଁ ମନ ଖୋଲି ହସି ପାରୁନାହିଁ, ହୃଦୟର ସକଳ ସ୍ତରକୁ ତିନ୍ତାଇ କାନ୍ଦି ମଧ୍ୟ ପାରୁନାହିଁ । ମୋର ସକଳ ଅପରିତୃପ୍ତ କ୍ଷେତ୍ରର ଅତୀତ ଅଭିଜ୍ଞତାଗୁଡ଼ାକ ଏକତ୍ର ଷଡ଼ଯନ୍ତ୍ର କରି ମୋତେ ହୁଏତ ଗୋଟାଏ ବୁଢ଼ା cynic କରିଦେବାକୁ ବସିଚନ୍ତି । ମୁଁ ଜାଣେନା, ଏହାଦ୍ୱାରା କେଉଁ ଅଭିମାନୀ ଦେବତାର କି ଅରମାନ ମେଣ୍ଟିବ ।

 

ଆଜି ସନ୍ଧ୍ୟାକାଶରେ ଦେଖିଆସିଥିବା ମୌନ ଅସ୍ତରାଗର ଧ୍ୟାନ ମୋତେ ସତେଅବା ଅନେକ ଭୁଲା ବାଟରୁ ଫେରାଇ ଆଣିଲା !

 

୭.୮.୧୯୫୦

 

ରବୀନ୍ଦ୍ର-ଆଶ୍ରମରେ ରବୀନ୍ଦ୍ର-ଶ୍ରାଦ୍ଧୋତ୍ସବ ବେଶ ସମାରୋହରେ ପାଳିତ ହେଲା । ମନ୍ଦିର, ବୃକ୍ଷରୋପଣ, ଗୀତ ଓ ନୃତ୍ୟର ଅନୁଷ୍ଠାନରେ ଏଠିକା ମଣିଷର ସମସ୍ତ ସମୟ ଆଜି ଭରପୂର ହୋଇ ରହିଥିଲା । ମୁଁ ସବୁ ଦେଖିଲି ମାତ୍ର ରବୀନ୍ଦ୍ର-ଆଶ୍ରମର ଯୋଗ୍ୟ ହୋଇ ତିଆରି ହେବାର ସଂକଳ୍ପ କେଉଁଠି ହେଲେ ଦେଖିଲିନାହିଁ । ମନ୍ଦିର ଉପାସନାର ଆଚାର୍ଯ୍ୟ ଧର୍ମକୁ ବଡ଼ ବୋଲି ଦେଖାଇବାକୁ ଯାଇ ରାଜନୀତିର ବେଶ୍ ବଦନାମ କଲେ, କିନ୍ତୁ ସେହି ଉତ୍‌କୃଷ୍ଟ ଧର୍ମର ଧ୍ୱଜା ବହନ କରିବାର ସଂକଳ୍ପବାଣୀ ତାଙ୍କଠାରୁ ଶୁଣିବାକୁ ମିଳିଲାନାହିଁ । ଗୋଟାଏ ବଡ଼ ପ୍ରତିଭାର ଐତିହ୍ୟକୁ ସୂଚିତ କରାଇ ଦେଉଥିବା ଉଚ୍ଚ ସୋପାନରେ ବସି ସଂସାରକୁ ନ୍ୟୁନ କରି ଦେଖାଇବା ବଡ଼ ସହଜ, ଅଳସ ମନର ସମୟ କ୍ଷେପଣ ସକାଶେ ସେଥିରେ ବେଶ ସମୟ ମିଳେ । କିନ୍ତୁ ମଣିଷ ନିଜେ ଯାହାକୁ ଆଦର୍ଶ ବୋଲି ଗ୍ରହଣ କରିଚି, ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେଥିଲାଗି ଆପେ ପ୍ରତିନିଧି ହୋଇ ବାହାରିବା ଆଦୌ ସହଜ ନୁହେଁ । ଆଜି ଶାନ୍ତିନିକେତନରେ ସେହି ଅଭାବଟାହିଁ ସବୁଠାରୁ ବେଶୀ । ଏଠି ସମସ୍ତ କଥା ଓ ‘culure’ ର ଓଢ଼ଣାତଳେ ଜୀବନଟାକୁ ସୁରୁଖୁରୁରେ ବଞ୍ଚାଇ ନେବାକୁ ଚାହାନ୍ତି । ମୁଁ ତ କହିବି ରାଜନୀତିର ଯେଉଁ ଦୋଷଟା ସକାଶେ ମନ୍ଦିରରେ ସେଇଟାକୁ ଖରାପ ବୋଲି କୁହାଗଲା, ଠିକ ସେହି ଦୋଷଟା ଏଠିକାର ଧର୍ମଚର୍ଯ୍ୟାକୁ ମଧ୍ୟ ଗ୍ରାସ କଲାଣି । ଧର୍ମକୁ ଏକ ପଣ୍ୟପରି ବ୍ୟବହାର କରି ଏଠିକାର କପଟୀ ମଣିଷ ବେଶୀ ସମୟ କଟାଇ ଶିଖିଲାଣି । ପୁଣି କେଉଁ ପ୍ରତିଭାର ଶକ୍ତ ଆଘାତଲାଗି ଯେପରି ଏଠିକାର ଅସ୍ଥିହୀନ ଦର୍ଶନ ଅପେକ୍ଷା କରି ରହିଚି !

 

୮.୮.୧୯୫୦

 

ଗୋଟିଏ ଶବ୍ଦରେ କହିବାକୁ ଗଲେ ବେଦର ପ୍ରକୃତି ହେଉଚି Brevity,—ଶବ୍ଦଜାଲ ଛନ୍ଦି ଆପଣାର ରାଜ୍ୟରଚନା କରିବାର ଲୂତାବୃତ୍ତି ଧ୍ୟାନ ଓ ତପଃଦ୍ୱାରା କ୍ରମଶଃ ପରିପକ୍ୱ ହୋଇଆସିଲେ ଅନ୍ତସ୍କରଣର ପ୍ରଗଳ୍‌ଭତା ଆପେ ଚାଲିଯାଏ । ସ୍ୱୟଂ ବ୍ରହ୍ମା ଗୋଟିଏ ନିଶ୍ୱାସରେ ଗୋଟିଏ କଳ୍ପକୁ ଧରିରଖିଲା ପରି ଗୋଟିଏ ଶବ୍ଦ ବା ଗୋଟିଏ ବାକ୍ୟରେ କବି ଆପଣାର ସର୍ବଶ୍ରେଷ୍ଠ ଭାବନାକୁ ଧରିରଖିବାର କଳା ହାସଲ କରିଥାଏ । କବିର ମୌଳିକ ସଂଜ୍ଞାକୁ ସେ ସେତିକିବେଳେ ସାର୍ଥକ କରେ । ଯୋଗଶାସ୍ତ୍ରରେ କଥିତ ହୋଇଥିବା ରୂପସାମାନ୍ୟ ଓ ଗନ୍ଧ-ସାମାନ୍ୟ ପରି କେବଳ ତପଃସିଦ୍ଧ ଦ୍ରଷ୍ଟାର ହିଁ ଏହି ପ୍ରକାଶ ସାମାନ୍ୟର ଅଧିକାର ଆସେ । ସେତେବେଳେ କେବଳ ସାଗର ସଙ୍ଗମର ଏକ ମନ୍ତ୍ର ହିଁ ଧ୍ୱନିତ ହୋଇଉଠେ । ସେହି ଏକକ ମନ୍ତ୍ରଭିତରେ କବି ଆପଣାର ସମଗ୍ର ବିଶ୍ୱକୁ ପ୍ରତିଷ୍ଠିତ କରି ରଖିଦିଏ ।

 

ଭକ୍ତ ବି ଗୋଟାଏ ମୁଣ୍ଡିଆରେ ସମସ୍ତ ପାତକକୁ ଖଣ୍ଡନ କରି ପାରିବାର ଦମ୍ଭ ରଖିପାରେ କେବଳ ସେତିକିବେଳେ, ଯେତେବେଳେ ତା’ର ସମସ୍ତ ମନୋବୃତ୍ତି ବିକାର ବିମୁକ୍ତ ହୋଇ ଚରମ Brevityରେ ପ୍ରାଚୁର୍ଯ୍ୟରେ ଆପେ ନିବେଦିତ ହୋଇଯାଏ ।

 

ପ୍ରଗଳ୍‌ଭ ହେବାଲାଗି ମୋର ମନ ସବୁବେଳେ ଶଙ୍କିତ ହୋଇଉଠୁଚି । ହୃଦୟର ଅଶ୍ରୁକୁ କଥାର ପ୍ଳାବନରେ ବୁହାଇ ଦେବାପାଇଁ ମୁଁ ଯେତେବେଳେ କୌଣସି ପ୍ରେରଣା ପାଉଚି, ସବୁ ଯେପରି ପୁଣି କେଉଁ ଅନ୍ତର ବଧୂର ସଙ୍କୋଚ-ସଙ୍କେତ ଦ୍ୱାରା ପରିଶାନ୍ତ ହୋଇଯାଉଚି । ନଜାଣି ବାଲ୍ମିକୀ ଦିନେ କ୍ରୌଞ୍ଚମିଥୁନର ବେଦନାକୁ ସ୍ୱୀକୃତି ଜଣାଇ ପ୍ରଗଳ୍‌ଭ ହୋଇ ଉଠିଥିଲେ । ତାଙ୍କର ସେହି ପ୍ରଗଳ୍‌ଭତାରେ ଛନ୍ଦ ଥିଲା, କାରଣ ସକଳ ବିଶ୍ୱର କାରୁଣ୍ୟ ସେଦିନ ତାଙ୍କୁ ଉଦ୍‌ବୋଧିତ କରି ପାରିଥିଲା । ମୋର ଛନ୍ଦ ହଜିଯାଇଚି । ତେଣୁ Brevity କଥା ତ ଦୂରେ ଥାଉ, ପ୍ରଗଳ୍‌ଭ ହେବାର ଏକ ସୂରୁଚି ଶୌର୍ଯ୍ୟ ମଧ୍ୟ ମୋ’ ଠାରେ ସମ୍ଭବ ହେଉନାହିଁ ।

 

୯.୮.୧୯୫୦

 

ଅଗଷ୍ଟ ମାସର ନଅତାରିଖ, –ବିପ୍ଳବର ଦିବସ । ଆଠବର୍ଷ ତଳେ ଆପଣାର ଶପଥସେଚିତ ଆଦର୍ଶଲାଗି ମୋତେ ଭିକାରୀ ହେବାର ପ୍ରେରଣା ଦେଇଥିଲା ଏହି ଅଗଷ୍ଟ ନଅର ଉପଲକ୍ଷ୍ୟ । କେଉଁ ସଂସ୍କୃତିଲାଳସା ଓ କଳାଦୃଷ୍ଟି ସମାଚ୍ଛନ୍ନ ସଭ୍ୟ ମନ ହୁଏତ ରାଜନୀତିରେ ଏହି ଉପଲକ୍ଷ୍ୟଟିକୁ ଏକ ସାମାନ୍ୟ creed ବା half-truth ବୋଲି କହି ଉଡ଼ାଇଦେବ । ଯୁଗର ଇତିହାସରେ ରାଜନୀତିକୁ ନେଇ କଣ ଅସଦାଚରଣ କରିଚି, ଏଠି ମୁଁ ତାହାର ହିସାବ ଦେବାକୁ ଯାଉନାହିଁ । କିନ୍ତୁ ମୋ ଜୀବନ—ଦିଗ୍‌ବଳୟର ଅତୀତ ଉପରେ ଆଜି ଦିନଟିର ସ୍ମୃତିଟି ସେହି ପ୍ରାଚୀନ ମହତ୍ତ୍ୱରେ ତଥାପି ଜଳିଉଠୁଚି । ମୋ’ ଜୀବନରେ ପ୍ରଥମଥର ପାଇଁ ସେଦିନ ମୁଁ ଆପଣାଠାରୁ ବଡ଼ ଏକ ଆଦର୍ଶ ପାଖରେ ଆପଣାକୁ ସମର୍ପଣ କରି ଦେଇଥିଲି । ଏହି ସମର୍ପଣ ଜନିତ ଆନନ୍ଦ ମଧ୍ୟରେ ସେହି କିଶୋରଜୀବନର ମୁକ୍ତି ସେଦିନ ମୋତେ ଅତିବ୍ୟାପ୍ତ କରି ଦେଇଥିଲା । ମୋ’ ଜୀବନର ଧର୍ମ, ଜୀବନର ସଙ୍ଗୀତ ଓ ଜୀବନର ସୃଷ୍ଟି ପ୍ରବଣତା ସବୁ ଯେପରି ଆପଣାଲାଗି ଏକ ମୁକ୍ତ ଦ୍ୱାର ପାଇଥିଲି ଏହି ସମର୍ପଣରେ । ସେହି ଦିନଟିକୁ ମୁଁ ପ୍ରଣାମ କରୁଚି ।

 

There is always a coward and hero in everyone of us ! ମନ ଭିତରର ବୀର ଚାହେ ନବନବ ବିପଦ ଓ ଅନିଶ୍ଚିତତା ମଧ୍ୟଦେଇ ନବଜନ୍ମ ଲାଭ କରିବାକୁ, ମାତ୍ର ଭୀରୁ ମୂଳତଃ seurity ଚାହେ, ତଥାକଥିତ ଶାନ୍ତି ଓ ତାପହୀନ କୁହେଳି–ସମାଚ୍ଛନ୍ନ ଏକପ୍ରକାର ବଦ୍ଧ ସ୍ଥିରତା ସେ ଚାହେ । ଆମ ପ୍ରତ୍ୟେକଙ୍କର ଜୀବନଭିତରେ ପ୍ରାୟ ଅନବରତ ଏହି ଦୁଇଟା ମଧ୍ୟରେ ସଂଘର୍ଷ ଚାଲିଥାଏ । ଦୁଇଟା ଭିତରୁ ଯିଏ ଯେତେବେଳେ ଜିତେ, ସେହି ଅନୁସାରେ ମଣିଷ ଜୀଏ ବା ମରେ ।

 

୧୭.୮.୧୯୫୦

 

ଜୀବନାକାଶର ଚନ୍ଦ୍ରୋଦୟ ପୂର୍ବରୁ କିପରି ଅଶ୍ୱସ୍ତି ଓ କିପରି ବିଚଳିତତା ଯେ ଅନୁଭବ କରିବାକୁ ପଡ଼ୁଚି, ସେଥିରେ ଆପଣା ଦେବତାର ବିଚିତ୍ର ପଥ ଉଦ୍ଦେଶ୍ୟରେ ମନ ଭିତରେ କେବଳ ଏକ ଅପୂର୍ବ ବିସ୍ମୟ ଉଦ୍‌ଘାଟିତ ହୋଇ ଉଠୁଚି । ଅନ୍ଧାରର କୃଷ୍ଣକାଳିମା ନୀରବତା ମଧ୍ୟରେ ଯେ ଏପରି ଏକ ଶକ୍ତିଶାଳୀ ଦ୍ରାବକତା ରହିଚି । ସେକଥା ମୁଁ ଆଗରୁ କେବେ ଜାଣିନଥିଲି । ଆଖି ଆଗରେ ସବୁ ଅନ୍ଧାର, ସବୁ ଅନିଶ୍ଚିତ; ତଥାପି ଚିତ୍ତରାଜ୍ୟରେ ଯେପରି ସକଳପ୍ରକାର କଠିନତା ଓ ସକଳପ୍ରକାର ଜଡ଼ତା ଦ୍ରବି ଦ୍ରବି ଚାଲିଚି । ଅତି ଦୂରରେ ଥାଇ ମଧ୍ୟ ମୁଁ ସେହି ଉତ୍ସବ-ଉପକ୍ରମର ଆଭାସ ପାଇପାରୁଚି । ମୋତେ ଆହୁରି ଚୁପ ରହିବାକୁ ହେବ । ଅନ୍ଧାରର ସେହି ବିରାଟ ମୂର୍ତ୍ତିକୁ ଦେଖି କେବଳ ଈଷତ୍ ହସର ସମର୍ଥନ ଦ୍ୱାରା ଚିତ୍ତର ଅଭିନନ୍ଦନ ଜଣାଇବାକୁ ହେବ । Darknight of the soul ର ଏକ ଉଦାର ପଟ୍ଟଭୂମିକା ମୋ’ ମନଭିତରେ ଯେପରି ଦିନମାନ ଲାଗିରହିଚି । ସେହି ଭୟାବହ ପର୍ବର କୌଣସି ବିଦାରଣ ନାହିଁ, ଚିତ୍ତର କୌଣସି ଅସ୍ଥିରତା ନାହିଁ । ମୁଁ ତଥାପି ପଳେପଳେ ଯେପରି ସେହି presence ର ସୌମ୍ୟତାକୁ ଆଘ୍ରାଣ କରି ପାରୁଚି । ଆପଣା ଅନ୍ତରର ଦେବତାକୁ ମୁଁ ଜାବୁଡ଼ି ଧରିଥିବି । ସେଇ ମୋର ଆଲୁଅ, ଅନ୍ଧାର; ସମାଧାନ ଓ ସଂଶୟକୁ ମଧୁମୟ ଓ ଜୀବନସବେଗ କରି ରଖିଥିବ । ତାହାରି ଇଚ୍ଛା ହିଁ ପୂର୍ଣ୍ଣ ହେଉ-

 

୧୮.୮.୧୯୫୦

 

ସପ୍ତାହକରେ ଏହି gap ଭିତରେ ଅନେକ ସ୍ମରଣୀୟ ଅବସର ଅନ୍ତରରେ ଆଘାତଦେଇ ଯାଇଚି । ଅଗଷ୍ଟ ମାସର ପନ୍ଦର ତାରିଖ ବର୍ତ୍ତମାନ ଦୁଇଟି ପ୍ରେରଣାମୟ ଉତ୍ସବ ଲାଗି ଉଦ୍ଦିଷ୍ଟ ହୋଇଚି । ଏହା ପ୍ରଥମତଃ ଏ ଦେଶର ସ୍ୱାଧୀନତା—ସ୍ମାରକ, ଦ୍ୱିତୀୟତଃ ଋଷି ଶ୍ରୀ ଅରବିନ୍ଦଙ୍କର ଜନ୍ମଦିନ । କାଲି ପଢ଼ିଚି ଯେ ଆପଣା ସାଧକ ଜୀବନର ଆଶୀର୍ବାଦ—ସଙ୍କେତ ରୂପେ ଶ୍ରୀ ଅରବିନ୍ଦ ଦୁଇଟିଯାକ ଉତ୍ସବର ଏହି ଅପୂର୍ବ coincidence କୁ ଗ୍ରହଣ କରିଚନ୍ତି । ଅଗଷ୍ଟ ପନ୍ଦର ହେଉଚି ଆମ ଜାତୀୟ ଯାତ୍ରାପଥର ପ୍ରଥମ ବିଜୟଶିଳା । ଅନେକେ ହୁଏତ ଏହି ପ୍ରଥମ ଶିଳାଟି ପାଖରେ ଅଟକିଯାଇ ଆତ୍ମପରିଦୁଷ୍ଟ ରହିବାକୁ ବେଶ ଭଲ ପାଉଚନ୍ତି । ଭାରତୀୟ ବିଦ୍ୟା, ସଂସ୍କୃତ ଓ ସଭ୍ୟତାର କେବଳ ଏକ ଐତିହାସିକ ଆଡ଼ମ୍ବରତଳେ ଆଶ୍ରୟ ନେଇ ସେମାନେ ଏହି ମରା ଦେଶରେ ବେଶ୍ ପ୍ରମୋଦ ସ୍ୱପ୍ନମାନ ଦେଖୁଚନ୍ତି । କିନ୍ତୁ ଅଧାମରା ହୋଇ ମଧ୍ୟ ଯିଏ ଆପଣାର ଆଦର୍ଶ ଭାରତ ତୀର୍ଥର Realization ଲାଗି ସ୍ୱପ୍ନ ଦେଖୁଚି । ସିଏ ଖୁବ ଭଲକରି ଜାଣେ ଯେ ତାକୁ ଆହୁରି ଅନେକ ପଥ ଚାଲିବାକୁ ହେବ, ଦେଶୀୟ ସକଳ ଅବଲମ୍ବନରୁ ଉତ୍‌କ୍ରାନ୍ତ ହୋଇ ତାହାକୁ ସୂର୍ଯ୍ୟସନ୍ତାନର ସ୍ତରକୁ ଉନ୍ନୀତ ହେବାକୁ ପଡ଼ିବ । ସେହି ନବତର ଜନ୍ମଲାଗି ହୁଏତ ଆହୁରି ଅନେକ କ୍ଷତି, ଅନେକ ଯନ୍ତ୍ରଣା ଏଦେଶର ସେନାର ଭାଗ୍ୟରେ ଲେଖାହୋଇ ରହିଚି, ତଥାପି ତା’ର ନିଷ୍ଠାପର ସ୍ୱପ୍ନ ଓ ବଳବନ୍ତ କର୍ମପ୍ରେରଣା ହିଁ ତାର ସକଳ ପଥକୁ ମଙ୍ଗଳମୟ କରିଦେବ । ଭାରତ ମଧ୍ୟ ସେହି ବିଶ୍ୱମନର ଇଚ୍ଛା ପୂରଣ କରିବ ।

 

୧୯.୮.୧୯୫୦

 

ଅତି ଜୋର ଜବରଦସ୍ତି କରି ଏହି ଶିକ୍ଷାତୀର୍ଥର ପୁରୁଣା ସ୍ମୃତିରୁ ପ୍ରେରଣା ନେଇ ଏଠି ଜୀବନ ବଞ୍ଚିବାକୁ ପଡ଼ୁଚି, କିନ୍ତୁ ବେଳେବେଳେ ସମସ୍ତ ମନଟା ଶୂନ୍ୟରୁ ପତିତ ଶିଶୁଶାବକ ପରି ହାହାକାର କରି ଉଠୁଚି । ଏ ସ୍ଥାନ ମରିବାକୁ ଆମ୍ଭେ କଲାଣି । କବିପ୍ରତିଭାର Silk robe ତଳେ ଏହାର ଭୀରୁ ପ୍ରାଣଟା କ୍ରମେ କମ୍ପିବାକୁ ଲାଗିଲାଣି । ଏଠି ମନର ମୁକ୍ତି କ୍ରମେ କଷ୍ଟକର ହୋଇପଡ଼ୁଚି, ଏଠାକାର ମଣିଷ ମଣିଷକୁ, ମଣିଷ ବୋଲି ଗ୍ରହଣ କରିବାର ବିଦ୍ୟାକୁ ଭୁଲିଯାଉଚି । ଏହାହିଁ ଶାନ୍ତିନିକେତନ ଲାଗି ଚରମ ମୃତ୍ୟୁ । ଜୀବନର ନିହିତ ସୌନ୍ଦର୍ଯ୍ୟକୁ ଚିହ୍ନି ପରସ୍ପର ସହିତ ମିଳିତ ହେବାର Experiment ଲାଗି ଦିନେ ଏହି ଅନୁଷ୍ଠାନ ଜନ୍ମଲାଭ କରିଥିଲା । ଆଜି କଳା ସଙ୍ଗୀତ ଓ ପଣ୍ଡିତଗିରିର ବାହାରୀ ଆଡ଼ମ୍ବର ତଳେ ଏହି Experiment ର ମନୋଦୃଷ୍ଟି କୁଆଡ଼େ ଲୁଚି ଗଲାଣି । ଅସଲ ସଂସ୍କୃତିର ବାଟ ହେଉଚି ଖଣ୍ଡାଧାରର ବାଟ । ଖାଲି ସୁନ୍ଦର ଶୈଳୀରେ ସାହିତ୍ୟ ଲେଖିଲେ ବା ସୁନ୍ଦର ଭଙ୍ଗୀରେ ସଜହୋଇ ବସିଲେ ସଂସ୍କୃତିର ଉପଲବ୍‌ଧି ହୁଏନାହିଁ । ସଂସ୍କୃତି ନାନା କ୍ଷେତ୍ର ଦେଇ ଆପଣାର ସମସ୍ତ ଜୀବନକୁ ବିଶ୍ୱର ଜୀବନ ସହିତ ମିଳିତ କରେ । ଏହି ଆତ୍ମାର ମିଳନ ହେଉଚି ସଂସ୍କୃତିର ପରମ ସାର୍ଥକତା । ଶାନ୍ତିନିକେତନର ଶୋଭନବିଳାସୀ ମଣିଷ ମିଳନକୁ ଭୟ କରି ବସିଲାଣି, ନାନା ଭୟର ବଶବର୍ତ୍ତୀ ହୋଇ ସେ ଆପଣା ସୀମାକୁ ସୁଚାଇ ଦେବାଲାଗି ନାନାବିଧ ପ୍ରାଚୀର ଠିଆ କରିଦେଲାଣି । ଏଠାରେ ଆତ୍ମା ମୁକ୍ତ ହୋଇ ପାରିବ ନାହିଁ ।

 

୨୦.୮.୧୯୫୦

 

ଆପଣାର ସମସ୍ତ ଅସ୍ଥିରତାକୁ ଏକପିଣ୍ଡ କରି ମୋର ମନ ସତେ ଅବା Breaking pointରେ ଆସି କେଉଁ ଅଦ୍ଭୁତ ମୁହୂର୍ତ୍ତ ଲାଗି ଅପେକ୍ଷା କରି ବସିଚି । ଅତି ବ୍ୟର୍ଥ ଓ ଅତି କର୍ମହୀନ ଭାବରେ ଉଦ୍‌ବିଗ୍ନ ତାର ଏହି ଅନିଶ୍ଚିତ କାଳଟା ବେଶ୍ କଟିଯାଉଚି । ବଞ୍ଚିବାର ଆସ୍ୱାଦ ମୋଟେ ମିଳୁନାହିଁ ।

 

ସମସ୍ତ Security ର ଆବେଷ୍ଟନୀ ଭାଙ୍ଗି ଏଣେ ପୁଣି ଗଭୀର ବିତୃଷ୍ଣା କୁହୁଳି ଉଠୁଚି, ଏଠିକା ସଂସାରର ମୁଖାପିନ୍ଧା ସଂସ୍କୃତିବିଳାସ ଉପରେ । ଏହି ବିତୃଷ୍ଣା ମୋତେ ହୁଏତ cynic କରି ପକାଉଚି, ଏଠିକା ସ୍ଖଳନର ମର୍ମାଘାତ ମୋତେ ସକଳ ଆଦର୍ଶ ବିଷୟରେ ବେଳେବେଳେ ସନ୍ଦିହାନ ବି କରିପକାଉଚି । ଯୁଗର ଚାଲ ଓ ଚାହିଦା ଅନୁସାରେ କଥା କହି ଖୁସାମତି କରି ଶିଖିବାର ଅବସରବାଦକୁ ଆଉ କେତେଦିନ ବିଶ୍ୱକବିଙ୍କର ମୃତ ସ୍କୃତିର ଦ୍ୱାହି ଦେଇ ମାର୍ଜନୀୟ କରି ରଖିବା ସମ୍ଭବ ହେବ ? ମୋତେ ଏଠାରୁ ଚାଲିଯିବାକୁ ହେବ । ଯେଉଁଠି ନାନା କର୍ତ୍ତବ୍ୟ ଓ ଦାୟିତ୍ୱର ଆହ୍ୱାନ ମୋ’ଲାଗି ଏକ ବିରାଟ ଜୀବନ୍ତ ତାର ଗୌରବକୁ ସଜାଇ ରଖିଚି, ସେଠି ଯେପରି ମୋ’ ନାମରେ କୌଣସି ଦେବତା ଏକ ମହତ୍ ଉତ୍ସର୍ଗର ପତାକା ପୋତି ସାରିଲାଣି । ଏଠି ପାଞ୍ଚବର୍ଷ ହେଲା ରହି ବଡ଼ଲୋକୀ Refinement ର ବେଶ୍ ପରିଚୟ ପାଇଲି । ଏଥର କେବଳ ଏଠିକାର ଆତ୍ମାରେ ନିହିତ ରହିଥିବା ଶୁଦ୍ଧ ବାଣୀଟିକୁ ନେଇ ମୋତେ ଆପଣାର ନିର୍ବାଚିତ ପଥରେ ଚାଲିଯିବାକୁ ହେବ । ମୋ’ଲାଗି ସେହି disllusioned ଯାତ୍ରାର ମୁହୂର୍ତ୍ତ ଯେପରି ଅତି ନିକଟ ହୋଇ ଆସିଲାଣି !

 

୨୧.୮.୧୯୫୦

 

‘It seems to me that science purifiesthe religious inpulse of the dross of anthropomorphism,—ଏଯୁଗର ବିଖ୍ୟାତ ଦ୍ରଷ୍ଟା ଆଇନ୍‌ଷ୍ଟାଇନ୍‌ଙ୍କର ଏହି ଉକ୍ତିଟିକୁ ଅସ୍ୱୀକାର କରି ସମାଲୋଚନା କହିଚନ୍ତି ଯେ petsonal Godର କୌଣସି ଆବଶ୍ୟକତା ନଥିଲେ ପୃଥିବୀରେ ମହାତ୍ମାମାନଙ୍କର (prophets) ଆବିର୍ଭାବ ହେଉନଥାନ୍ତା । ବିଜ୍ଞାନକୁ ଯଦି କେବଳ ଭୂତ ବା ଜଡ଼ବିଜ୍ଞାନ ଅର୍ଥରେ ଗ୍ରହଣ କରାଯାଏ ତେବେ ସମାଲୋଚନର କଥାକୁ ମାନିବାକୁ ହିଁ ପଡ଼ିବ । କିନ୍ତୁ ପ୍ରାଚ୍ୟବିଦ୍ୟାର ବିଜ୍ଞାନ ଶବ୍ଦ ଦ୍ୱାରା ବା ଲାଟିନ୍ ଭାଷାର ମୂଳ ଶବ୍ଦ scientia ଦ୍ୱାରା ଏହି ଶବ୍ଦଟିକୁ ବୁଝିବାକୁ ଚେଷ୍ଟାକଲେ ଆଇନ୍‌ଷ୍ଟାଇନ୍‌ଙ୍କର କଥାକୁ ନିଶ୍ଚୟ ସହଜରେ ବୁଝିହେବ । ଜ୍ଞାନ ନଥିଲେ ମଣିଷମନର ସକଳ ଆବେଗ ଓ ଅନୁରକ୍ତି କେବଳ ଭ୍ରମରେ ହିଁ ସୀମାବଦ୍ଧ ହୋଇରହେ । ମହାତ୍ମାମାନେ ବାରବାର ସଂସାରରେ ଜନ୍ମଗ୍ରହଣ କରି personal God ବା ପ୍ରତୀକ-ଭଗବାନ ପଛରେ ନିହିତଥିବା ବିଶୁଦ୍ଧ ସତ୍ତାଟିକୁ ଚିହ୍ନିନେବାର ଆହ୍ୱାନ ଦେଇଚନ୍ତି । ବିଜ୍ଞାନ ହିଁ ଅନେକ ପରିମାଣରେ ଧର୍ମକୁ ଅନ୍ଧବିଶ୍ୱାସର ଅପମାର୍ଗରୁ ଉଦ୍ଧାର କରି ରଖିଚି, ଏକଥା ମାନିବାକୁ ହେବ । ଏଠି ଆମକୁ ବିଜ୍ଞାନ ଶବ୍ଦଟିକୁ ଅତି ବ୍ୟାପକ ଅର୍ଥରେ ଗ୍ରହଣ କରିବାକୁ ହେବ । ଏହିପରି ଏକ ବ୍ୟାପକ ଅର୍ଥରେ Spencer ବିଜ୍ଞାନକୁ ହିଁ ଯାବତୀୟ ଶିକ୍ଷାର ମୂଳ ଅଙ୍ଗ ହିସାବରେ ଗ୍ରହଣ କରିଥିଲେ । ଆପଣା ମନର ମୁଗ୍‌ଧ ଚିତ୍ରଣଦ୍ୱାରା ଭକ୍ତ ବାରବାର ଆପଣାର ଧର୍ମକଳନାକୁ ଅବରୁଦ୍ଧ ଓ ସୀମିତ କରି ରଖିବାକୁ ଚଲାଭ କରେ । ତଦ୍ଦ୍ୱାରା ତାହାର ଧର୍ମଜୀବନ ମଧ୍ୟ ସଂକୀର୍ଣ୍ଣ ହୋଇ ପଡ଼ିବାର ଭାରି ଭୟ ରହିଥାଏ । ଜ୍ଞାନ ହିଁ ପୌତ୍ତଳିକ ପ୍ରବୃତ୍ତିକୁ mystic ପ୍ରବୃତ୍ତିରେ ପରିଣତ କରେ, ଅଲୀକ ଠୁଳ କଳ୍ପନାକୁ ଏକ ସର୍ବାଙ୍ଗ ପ୍ରସାରୀ ଅନୁଭବସ୍ତରକୁ ଉତ୍ତୋଳିତ କରିନିଏ ।

 

୨୨.୮.୧୯୫୦

 

ଆଜି ମୁଁ ଜଣକପାଖରେ ଗୋଟାଏ ଉଗ୍ର ମତ ପ୍ରକାଶ କରି କହିପକାଇଲି—ଯେ କେବଳ ଜ୍ଞାନମାର୍ଗର researchକୁ ନେଇପଡ଼ି ରହିବାର ଅର୍ଥ ଆପଣାକୁ ଅପଦାର୍ଥ ବା ଅକର୍ମଣ୍ୟ କରିଦେବା । ଆମ ପୃଥିବୀରେ ଗବେଷଣାଲବ୍‌ଧ ଜ୍ଞାନଲାଗି ଯେ କୌଣସି ଆବଶ୍ୟକତା ନାହିଁ ବା ସନ୍ଧାନରତ ଗବେଷକମାନଙ୍କର ସମାଜଲାଗି କୌଣସି ମହତ୍ୱପୂର୍ଣ୍ଣ ଅବଦାନ ନାହିଁ, ସେକଥା କହିବା ମୋର ଆଦୌ ଉଦ୍ଦେଶ୍ୟ ନଥିଲା । ଜ୍ଞାନ ଜ୍ଞାନପିପାସୁର ଅନ୍ତରକୁ ପ୍ରସ୍ଫୁଟିତ କରେ, ଆପଣା ବିରାଟ ପାତ୍ରର ପରିଚୟ ଦେଇ ଜ୍ଞାନ ଅପୂର୍ଣ୍ଣ ଜୀବନର ନାନା ପିପାସାକୁ ଶାନ୍ତ କରେ । ତେଣୁ ଜ୍ଞାନର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଏବଂ ସନ୍ଧାନର ଅଗ୍ରଗତି ସଙ୍ଗେ ସଙ୍ଗେ ଆମ ଅନ୍ତର ମଧ୍ୟ ଅଧିକରୁ ଅଧିକ ଖୋଲିଯିବା ଅତି ସ୍ୱାଭାବିକ । ମାତ୍ର ସେକଥା ଅନେକ ସ୍ଥଳରେ ଦେଖାଯାଏ ନାହିଁ । ପ୍ରଶସ୍ତ ପାଣ୍ଡିତ୍ୟର ଗୌରବ ଅର୍ଜନ କରିଥିବା ପଣ୍ଡିତମାନେ ବ୍ୟବହାରିକ ଜୀବନରେ ବଡ଼ ଅପ୍ରଶସ୍ତତାର ପରିଚୟ ଦିଅନ୍ତି । ଏଠାରେ ମୁଁ କହିବି ଯେ ସେମାନଙ୍କର ଦୀର୍ଘ ଶ୍ରମ ସତ୍ତ୍ୱେ ସେମାନଙ୍କର ଜୀବନରେ ଜ୍ଞାନ ତଥାପି ସାର୍ଥକ ହୋଇ ପାରିନାହିଁ, ସେମାନଙ୍କର ଜୀବନ ଫୁଟିଉଠି ପାରିନାହିଁ, ଦାନାଖୋଜି ବୁଲୁଥିବା ମୟୂରପରି ସେମାନେ ଆପଣାର ଲବ୍‌ଧ ଜ୍ଞାନକୁ ଏପର୍ଯ୍ୟନ୍ତ ଚିହ୍ନି ପାରିନାହାନ୍ତି । କେବଳ ମାଟି, କେବଳ ପାଣି ବା କେବଳ ପବନରେ ଗଛ ବଢ଼ିପାରେ ନାହିଁ, ଫୁଲ ଫୁଟିପାରେ ନାହିଁ, ଜୀବନର ସମାନୁପାତ ବିକାଶ ଲାଗି ଯଥାନୁପାତରେ ପ୍ରତ୍ୟେକଟିର ଆବଶ୍ୟକତା ରହିଚି । ଠିକ୍ ସେହିପରି ମାନବଚିତ୍ତର ବିକାଶଲାଗି ଯଥାନୁପାତରେ ଜ୍ଞାନ, କର୍ମ ଓ ଭକ୍ତିର ପ୍ରୟୋଜନ ରହିଚି । ଯେଉଁଠାରେ ଅନ୍ୟ ଦୁଇଟି ଉତ୍ସମୁଖକୁ ବନ୍ଦ କରିଦେଇ କେବଳ ଜ୍ଞାନସନ୍ଧାନର ପରିଶ୍ରମରେ ମଣିଷର ସକଳ ଶକ୍ତି ନିୟୋଜିତ ହୁଏ, ସେତେବେଳେ ବିକାଶର ଅଭିଳାଷ ରଖିଥିବା ମାନସ କମଳଟି ଆପେ ମଉଳିଯାଏ, ବ୍ୟକ୍ତିତ୍ୱର ପରିପୂର୍ଣ୍ଣ ବିକାଶ ହୋଇ ପାରେନାହିଁ, ବିଶ୍ୱପ୍ରାଣର ବିରାଟ କ୍ଷେତ୍ରରେ ପ୍ରଧାନତଃ ଆଲୋକ ଓ ଆନନ୍ଦର ବାର୍ତ୍ତାବହ ହୋଇ ଜୀବନଧାରଣ ଶକ୍ତି ସେ ହରାଇବସେ । ତାହାର ଜୀବନ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଯାଏ । ଧର୍ମସାଧକମାନେ ବାର ବାର ନିରାଟ ଜ୍ଞାନମାର୍ଗର ଭୟାବହତା ଓ ଅସାର୍ଥକତା, ବିଷୟରେ ଆମକୁ ସାବଧାନ କରି ଦେଇଚନ୍ତି, ସଂକୀର୍ଣ୍ଣ ଜ୍ଞାନସୀମାର ଆୟତନ ବିଦାରଣ କରି ବାର ବାର ନୂତନ ଧର୍ମର ଆବିର୍ଭାବ ହୋଇଚି । ଜ୍ଞାନ’ ଭକ୍ତି ଓ କର୍ମ ପରସ୍ପରର ବହିର୍ଭୂତ ନୁହନ୍ତି, ପ୍ରତ୍ୟେକଟିର ପଥରେ ଅନ୍ୟଦୁଇଟିର ଏକ ନିର୍ଦ୍ଦିଷ୍ଟ ପରିପୂରକ ସ୍ଥାନ ରହିଚି । କିନ୍ତୁ ଆମ ନିଜର ମୁଗ୍‌ଧ ଧାରଣଦ୍ୱାରା ବା କୌଣସି ତତ୍କାଳିତ ଉଦ୍ଦେଶ୍ୟ ସିଦ୍ଧିର ବଶବର୍ତ୍ତୀ ହୋଇ ଆମେ ଅନେକ ସମୟରେ ସମୂହ ଉଦୟ ଭୂମିକୁ ଆଚ୍ଛନ୍ନ କରିପକାଉ, ତଦ୍ଦ୍ୱାରା ଲବ୍‌ଧ ବିଦ୍ୟାର ଆଲୋକରେ କେବଳ ଦଗ୍‌ଧହେବା ହିଁ ସାର ହୁଏ ।

 

ଇଉରୋପର ସନ୍ଥ କେନେଡ଼ିକଟ୍ ଧର୍ମଜୀବନର ennui ଭାଙ୍ଗିବାକୁ କାୟିକ ଶ୍ରମ ବା କର୍ମର ପରାମର୍ଶ ଦେଇଚନ୍ତି । ସ୍ୱାମୀ ବିବେକାନନ୍ଦ ଜ୍ଞାନ, ଭକ୍ତି ଓ କର୍ମର ସମରସାନ୍ୱିତ ଜୀବନର ପ୍ରଶଂସା କରିଚନ୍ତି । ଏହି ଦୃଷ୍ଟିରୁ ଦେଖିଲେ ନିରୋଳା ଜ୍ଞାନ ମଣିଷକୁ ପ୍ରକୃତରେ ଅକର୍ମଣ୍ୟ କରିଦିଏ ବୋଲି କହିବା ଆଦୌ ଭୁଲ ହେବନାହିଁ । ସମ୍ମୁଖରେ ବିରାଟ କର୍ମଭୂମି ଓ ଶ୍ରଦ୍ଧାନିବେଦନର ବିରାଟ ବିଶ୍ୱ ପଡ଼ିରହିଚି । ଯିଏ ତାହାକୁ ଅସ୍ୱୀକାର କରି କେବଳ ଆପଣା ଜ୍ଞାନର ଗଣ୍ଡିଭିତରେ ସନ୍ତୁଷ୍ଟ ହୋଇ ରହିପାରୁଚି, ତାହାର ଜୀବନ ବୃଥା ଯାଉଚି ବୋଲି କହିବାକୁ ପଡ଼ିବ ।

 

୨୩.୮.୧୯୫୦

 

ପ୍ରାଣତରୀର ଅଳସ ପାଲରେ ପୁଣି ନିର୍ମଳ ପବନର ସ୍ପର୍ଶ ଲାଗିଚି । ମୋ’ ଚାରିପାଖରେ ଥିବା ଆବଦ୍ଧ ଜଳରେ ସ୍ରୋତର ସବେଗତା ପୁଣି ଜାଗିଉଠିଚି । ଉଚିତ ଅନୁଚିତ ଓ ଭୁଲ ଠିକ କେତେ ରକମର ହିସାବ ବିଚାର କରି କାଲି ମୁଁ ମଣିଷଠାରୁ ଦୂରରେ ରହିବାର କେତେ କଳ୍ପନା କରୁଥିଲି, ଗୋଟାଏ ପ୍ରକାର cold ନିର୍ଲିପ୍ତତାର ବଶବର୍ତ୍ତୀ ହୋଇ ହୁଏତ ଆପଣା ସମ୍ପର୍କର ଅତିଶଯ୍ୟରେ ମଣିଷକୁ disturb ନ କରିବାକୁ ମୁଁ ଭଲ ପଥ ବୋଲି ବିଚାରୁଥିଲି, ଆଜି ସବୁ ପୁଣି ବଦଳି ଯାଉଚି । କେତେ ସ୍ଥାନରେ ଜମି ରହିଥିବା କେତେ ଅଭିମାନର ପାଷାଣ ଆଜି ଚିତ୍ତର ତରଳ ତତ୍ପରତା ଆଗରେ ପରାସ୍ତ ହୋଇଯାଇଚି । ଆଜି ମୁଁ ଅବାଧରେ ସଭିଙ୍କ ପାଖକୁ ଯାଇଚି, ସ୍ନେହ ଓ ଆଦର ସମ୍ଭାଷଣର ମଧ୍ୟଦେଇ ବିଭିନ୍ନ ମଣିଷଙ୍କ ସହିତ ସଂଯୁକ୍ତ ରହିଥିବା ନାନାବିଧ ତିକ୍ତ ସ୍ମୃତି ମନରୁ କୁଆଡ଼େ ପାସୋର ଯାଇଚି । ଆପଣାର ପ୍ରାଣଭିତରେ ସଭିଙ୍କୁ ସମାନ ଭାବରେ ଗ୍ରହଣ କରିବାର ଏହି ମହତୀ ଶକ୍ତି ଏତେଦିନଯାଏ କେଉଁଠି ଥିଲା କେଜାଣି ? କେତେପ୍ରକାରର ଅଳସ ବିଚାରରେ ଆପଣାକୁ ଦଗ୍‌ଧ କରି ରଖି ମୁଁ ନିଜେ କେତେ ଦୁଆରର ପ୍ରବେଶାଧିକାରରୁ ବଞ୍ଚିତ ହୋଇ ରହିଥିଲି । ଆଜି ସମୟ ଜାଣି ଜୀବନ-ଦେବତା ସମସ୍ତ ଚିନ୍ତାର ବାଷ୍ପଜାଲକୁ ଅପସରାଇ ନେଇଚି । ତେଣୁ ଆଜି ତାହାରି ପାଖରେ ହିଁ ମୁଁ ଆଜିର ସକଳ ଲବ୍‌ଧ ସମ୍ପଦକୁ ଅର୍ପଣ କରିଦେଉଚି ।

 

ମଣିଷକୁ cynic କରିଦେବା ସକାଶେ ପାରିପାର୍ଶ୍ୱିକ ଅବସ୍ଥାରେ ନାନା provocations ରହିଚି । କିନ୍ତୁ ତଥାପି ମୁଁ ମଣିଷକୁ ଭଲ ପାଇବି, ମଣିଷ ସହିତ ଅବାଧରେ ଯୁକ୍ତ ହୋଇ ପାରିବି । କୌଣସିପ୍ରକାର ଅସମ୍ମାନର ସ୍ୱାର୍ଥପ୍ରଣୋଦିତ ଭାବନା ଏହି ସଂଯୋଗର ସାମ୍ରାଜ୍ୟରେ ପଙ୍ଗୁ କରି ରଖି ପାରିବନାହିଁ ।

 

୨୪.୮.୧୯୫୦

 

କଣ ଲେଖି ଆଜିଦିନଟିର କୋଟା ପୂର୍ଣ୍ଣ କରିବି, ସନ୍ଧ୍ୟାବେଳୁ ରହିରହି ମୁଁ ସେଇକଥା ଭାବୁଚି । ଦିନବେଳାଟା ବେଶ୍ ଭୁଲିକରି ଥାଏ । ରାତିକୁ ଯେତେବେଳେ ଏହି ଖାତାର ତାଗିଦା ଆସି ପହଞ୍ଚେ ମୁଁ ସେତିକିବେଳେ ଯାଇ ଆପେ ଆପଣାକୁ ପଚାରିବାକୁ ଓ ଆପଣାର ମୂଲ୍ୟ ନିରୂପଣ କରିବାକୁ ବେଳପାଏ । ନାନା ଲଜ୍ଜାକର ସ୍ୱାର୍ଥଶୋଚନା ମଧ୍ୟରେ ବଞ୍ଚିବାର ବିରାଟ ମୁହୂର୍ତ୍ତଗୁଡ଼ିକୁ ହଜାଇ ଦେଇଥିଲେ ମୁଁ ଆପେ ଆପେ ଚୋର ହୋଇଯାଏ । ତା’ପରେ ପୁଣି କାଲିକା ଲାଗି ଉତ୍ସାହ ଭରିନିଏ, କାଲିର ସାର୍ଥକତା ବିଷୟରେ ଆଜିରାତିର ଦେବତାଠାରୁ ମୁଁ ପୁଣି ସତର୍କବାଣୀ ଶୁଣିଯାଏ । କେଉଁ ଅଗମ୍ୟ ଆଦର୍ଶର ଲିପିକାରୂପେ ଯେ ଏହି ଖାତା ମୋତେ ବଞ୍ଚାଇ ରଖିଚି, ସେକଥା କେବଳ ମୁଇଁ ଜାଣେ ।

 

ଆଜି ସକାଳୁ ଆଉଗୋଟାଏ କାମ ହାତକୁ ନେଇଚି । ଲେଖାଟାକୁ ଯେ କୌଣସି ମତେ ତିନିଚାରି ଦିନରେ ଶେଷ କରିବାକୁ ହେବ । ଏହି କେତେ ସପ୍ତାହର ବିଚଳିତ ମନର ଦୁଷ୍ଟାମି ମୋର ସକଳ କର୍ମ-ଯୋଜନାକୁ ଟିକିଏ ଶିଥିଳ କରି ଦେଇଚି । ମନକୁ ସ୍ଥିର କରିବାର ଏକ ଉପକାରୀ ଅସ୍ତ୍ର ମୋ’ ଅରଟକୁ ଏଥର ଘରୁ ଆଣିନାହିଁ । ତେଣୁ ଅଳସ ସମୟର ଅନୁଶୋଚନା ଗୁଡ଼ାକ ସତେଅବା ଅତି ଦୁର୍ଦ୍ଦମ ଭାବରେ ମୋତେ ଅଧିକାର କରି ବସିଚି । ଏହି ସମୟଟି ମଧ୍ୟ ସମୟ ଜାଣି କଟିଯିବ, ସେ କଥା ମୁଁ ଭଲକରି ଜାଣେ । ଯାତ୍ରା ଏହି କ୍ଷଣିକ କୁହୁଡ଼ିକୁ ବେଖାତିର ବିଦ୍ୟାକୁ ମୁଁ ବେଶ ଶିଖିନେଇ ସାରିଲିଣି ।

 

୨୫.୮.୧୯୫୦

 

ଆଜି ସମସ୍ତ ଦିନଟି କେବଳ କାମରେ କଟିଯାଇଚି, ଅବଶ୍ୟ କାଲି ଆରମ୍ଭ କରିଥିବା ଲେଖାଟାକୁ ଯଦି କାମ ବୋଲି ଧରାଯାଏ । ମୁଁ ବେଳେବେଳେ ଏହିସବୁ କାମରେ ବେଶ ନିମଗ୍ନ ହୋଇପାରେ, ଜ୍ଞାନୀ ଦେବତାର ପ୍ରିୟ ଶିଷ୍ୟପରି ସେହି ସମୟରେ ମନଟା ସେଇ ଶୁଖିଲା ପୋଥିଘଣ୍ଟା ଓ ପୋଥିଲେଖା ଭିତରୁ ଅଜ୍ଞାତରେ ସତେ ଅବା ବ୍ରହ୍ମଆସ୍ୱାଦନର ଆନନ୍ଦ ପାଏ ! ତଥ୍ୟ ଓ ସିଦ୍ଧାନ୍ତର ଗଭୀରରେ ବୁଡ଼ି ମୁଁ ସତେ ଯେପରି ଆପଣାର ଠାବଠିକଣା ପାଏ ନାହିଁ, ବଡ଼ ସ୍ୱାଭାବିକ ଭାବରେ ଅନ୍ତର ଭିତରେ ମୁଁ କାହାରି ବିସ୍ତାରିତ ସ୍ପର୍ଶକୁ ଅନୁଭବ କରୁଥାଏ ।

 

କିନ୍ତୁ ପୁଣି ବେଳେବେଳେ ଏହିସବୁ ଅଧ୍ୟୟନ ଓ ଗବେଷଣାରେ ମୁଁ ଗୋଟାଏ ପ୍ରକାର କ୍ଳାନ୍ତି ବି ଅନୁଭବ କରେ । କାମରେ ମଗ୍ନ ରହି ମୁଁ ସୂର୍ଯ୍ୟର ଉଦୟାସ୍ତ, ଆକାଶର ବିଚିତ୍ର ଚିତ୍ରଣ ଓ ମଣିଷର ଚିତ୍ରିତ ଚରିତ୍ରର କୌଣସି ଆସ୍ୱାଦନ ପାଇ ପାରେନାହିଁ ବୋଲି ଭାରି ଅବସାଦ ଆସେ । ମନେହୁଏ, ଯେପରି ଖାଲି ବାଉଳା ହୋଇ ପ୍ରାଣଭଣ୍ଡାରର କେବଳ ଗୋଟିଏ ଜଳବର୍ତୁ ଖୋଲି ମୁଁ ଜୀବନର ସମଗ୍ର ରସକୁ ପ୍ରବାହିତ କରିବାର ଏକ ଅନିଷ୍ଟକର ସ୍ପର୍ଦ୍ଧା ହିଁ କରୁଥିଲି ! ମନର ଆହୁରି ଅନେକ ଦୁଆର ସେତେବେଳକୁ ବନ୍ଦ ହୋଇ ଯାବ ପଡ଼ି ଯାଇଥାଏ, ଆହୁରି ଅନେକ ପାଖୁଡ଼ା ମୋ’ଲାଗି ଅପେକ୍ଷା କରି ଆପେ ଆପେ ମଉଳି ଯାଇଥାଏ,—ଏହିସବୁ କାରଣରୁ ଅପରିପୂର୍ଣ୍ଣ ରହିଯିବାର ଏକ ମର୍ମନ୍ତୁଦ କ୍ଷୋଭ ମୋର ପ୍ରାଣକୁ ଗ୍ରାସ କରି ରଖେ । କାଲି ପଢ଼ିଚି, ସୁଦୂର ଦକ୍ଷିଣ ଆମେରିକାର ସେହି ଏକାକୀ ଦ୍ୱୀପରେ ପ୍ରାଣୀବିଜ୍ଞାନର ନବତଥ୍ୟ ସଂଗ୍ରହ କରିବା ଲାଗି ଆପଣାକୁ ଅକ୍ଳାନ୍ତଭାବେ ନିୟୋଜିତ କରି ଚାର୍ଲ୍‌ସ୍ ଉର୍‌ଉଇନ୍ ଏହିପରି ଏକ କ୍ଳାନ୍ତି ଆପଣାର ଶେଷ ଜୀବନରେ ଅନୁଭବ କରିଥିଲେ । ମୋର ଯେପରି ସେହି ଦଶା ନହେଉ । କର୍ମର ମାଲିକ ମୋତେ ଯେଉଁ ବନ୍ଧନରେ ବାନ୍ଧୁ ପଛକେ, ମୋର ଦୃଷ୍ଟି ଯେପରି ପ୍ରଶସ୍ତତର ଜୀବନର ମୁକ୍ତ ସମୁଦ୍ରର ଅଭିମୁଖରେ ସର୍ବଦା ଅବ୍ୟାହତ ହୋଇ ରହିଥାଉ, ଦୈନନ୍ଦିନ କ୍ଷୁଦ୍ରାତିକ୍ଷୁଦ୍ର କାର୍ଯ୍ୟରେ ମଧ୍ୟ ମୁଁ ଯେପରି ବିଶ୍ୱଜୀବନର ସକଳାୟତନକୁ ଆପଣାର ଅନୁଭବଦ୍ୱାରା ଗ୍ରହଣ କରି ନେଇପାରେ !

 

୨୬.୮.୧୯୫୦

 

ମୋର ହୃଦୟରେ ବିରାଟର ପିପାସା, ଆଖିରେ ବିରାଟର ସ୍ୱପ୍ନ, ମନଭିତରେ ବିରାଟର ଅତୃପ୍ତି । ଲେଖିଯିବାକୁ ବେଶ ଲାଗେ, ଘଡ଼ିକ ଲାଗି ବେଶ ସାନ୍ତ୍ୱନା ମିଳେ । କିନ୍ତୁ ଥିରହୋଇ ବସି ଆପଣାର ଗଭୀରରେ ଆପଣାକୁ ଓଜନ କଲାବେଳେ ହଠାତ୍ ଆଶଙ୍କା ହୁଏ, ଏସବୁ କେବଳ sham ନୁହେଁତ ? ବେଶ୍‌ତ ଉଡ଼ୁଚି, ସ୍ୱପ୍ନ ଦେଖୁଚି, କେତେକେତେ ଶିଖର ଆରୋହଣ କରୁଚି, –କିନ୍ତୁ ମୁଁ ତଥାପି ଏହି ଅନ୍ତରଟାକୁ ପ୍ରସ୍ତୁତ କରି ପାରୁନାହିଁ କାହିଁକି ? ଜୀବନଗର୍ଭରେ କେତେ ଦରପୋଡ଼ା ଅଙ୍ଗାର, ପ୍ରାଣର ଆବେଗ ଭଣ୍ଡାରରେ କେତେ ବିକୃତି,—ଏବଂ ତଥାପି କଣ ମୋର ସ୍ୱପ୍ନ ଭାସିବା ପ୍ରକୃତରେ ସବୁ ସତ ? ହଠାତ୍ କହିବାକୁ ସାହସ ହୁଏନାହିଁ ଯେ ସହସ୍ର କ୍ଷୁନ୍ନତା ସତ୍ତ୍ୱେ ବିରାଟର ପିପାସା ହିଁ ମୋର ଅସଲ ପିପାସା !

 

ସେହି ପିପାସା କ୍ଷଣେକ୍ଷଣେ ଆସେ, ତଥାପି ସେହି କ୍ଷଣକର ଅବସ୍ଥାନ ମଧ୍ୟରେ ସିଏ ମୋ’ ଭିତରେ ତାହାରି ସ୍ୱପ୍ନକୁ ବହନ କରି ଅମର ହେବାର ଏକ ବିରାଟ ଶକ୍ତି ଓ ବିରାଟ ବ୍ୟାକୁଳତା ଜଗାଇ ଦେଇଯାଏ, ସେହି କ୍ଷଣକର ଉଚ୍ଛ୍ୱାସ ମୋର ସକଳ ଗର୍ତ୍ତକୁ ଭରାଇ ଦିଏ । ତାହାକୁ ହିଁ ଅନ୍ତରସମ୍ବଳ କରି ମୁଁ ବଡ଼ ହୁଏ, ବିଶ୍ୱକର୍ମର ଛତ୍ରେ ଛତ୍ରେ ବିଚରଣ କରିବାର ଆକାଙ୍‌କ୍ଷା ରଖି ବାହାରେ । ଅନେକ ମୁହୂର୍ତ୍ତର sham ଭିତରେ ସେହି ଗୋଟାଏ ମୁହୂର୍ତ୍ତ ମୁଁ ଯେପରି ମୋ’ ନିଜର ପୂର୍ଣ୍ଣ ଝଲକଟିକୁ ପ୍ରତ୍ୟେକ୍ଷ କରିପାରେ ।

 

୨୭.୮.୧୯୫୦

 

ସଂସାରର ଜଟିଳ ପଥ ଯେତେବେଳେ ମନକୁ ବାଉଳା କରି ପକାଉଚି, ସେତେବେଳେ ମୁଁ ବଡ଼ ଅହଂକେନ୍ଦ୍ରୀ ହୋଇପଡ଼ୁଚି । ମୁଁ ସେତେବେଳେ ଭାବୁଚି ସଂସାରଯାକର ପ୍ରତିକୂଳ ପରିସ୍ଥିତିକୁ ଯେପରି କିଏ କେବଳ ମୋ’ରି ସକାଶେ ହିଁ ସୃଷ୍ଟିକରି ରଖିଚି । ଦୁଃଖକୁ ଦୁଃଖ ବୋଲି ସ୍ୱୀକାର କଲେ ତାହା ଯେପରି ମୁଣ୍ଡଉପରେ ପର୍ବତ ପରି ଲଦିହୋଇ ରହେ, କେଉଁ ଉତ୍ତୁଙ୍ଗ ତରଙ୍ଗର ଆଘାତ ପରି ପ୍ରାଣର ସ୍ୱାଭାବିକତାକୁ ଛିନ୍‌ଛତ୍ର କରିଦେବାକୁ ବସେ । ଜାଣେନା, ମୁଁ ଏହିପରି କେତେଦିନ ଆପଣାର ବିପଦଗୁଡ଼ାକୁ ଡରିଡ଼ରି ନିଜକୁ ଶୋଚନୀୟ କରି ରଖିଥିବି ! ଆପଣା ଅନ୍ତରର ବ୍ୟାକୁଳତାକୁ ମୁଁ କୌଣସି ଉଚ୍ଚତର ମାର୍ଗରେ ପ୍ରଯୁକ୍ତ କରି ପାରୁନାହିଁ ବୋଲି ହୁଏତ ତାହା ଫେରିଆସି ସ୍ୱାର୍ଥର ତାଡ଼ନାରୂପେ କେବଳ ମୋତେ ନିଜକୁ ହିଁ ଉତ୍ପୀଡ଼ିତ କରୁଚି । ଜୀବନକୁ ପ୍ରଶସ୍ତ ଓ ମୁକ୍ତ କରି ରଖିବାକୁ ଅନୁରୂପ କର୍ମ ଲୋଡ଼ା,—ଯେଉଁ କର୍ମ ଆପଣାକୁ ଜଗତର ବିରାଟ ପ୍ରାଣ ସହିତ ଯୁକ୍ତ କରିପାରିବ, ସୌନ୍ଦର୍ଯ୍ୟର ବିରାଟ ଭୁବନରେ ଯାହା ମୋର ସମସ୍ତ ଦୃଷ୍ଟିକୁ ପରିବ୍ୟାପ୍ତ ଓ ପୁଲକିତ କରିରଖିବ, ଉପଲବ୍‌ଧିର ନବନବ ସ୍ତରଲାଗି ଯାହା ଜୀବନକୁ ସୁଯୋଗ୍ୟ ରୂପେ ତିଆରି କରିଦେଇ ପାରିବ । ଜାଣେନା, ସେହି କର୍ମାବତରଣର ମହାକ୍ଷୁଧାକୁ ହୃଦୟରେ ଧରି ମୋର ଅନ୍ତରାତ୍ମା କେବେ ଅବତୀର୍ଣ୍ଣ ହେବ ! ହୁଏତ ସେଇଦିନ ଯାଇ ସକଳ ଦହନର ଅନ୍ତହେବ ।

 

ଆଶ୍ରମ ଛାଡ଼ି ହଠାତ୍ କଲିକତାରେ ଆସି ପହଞ୍ଚିଚି । ମୁଁ ବେଶ୍ ଉଡ଼ୁଚି, ଏଇ କେତେଦିନ ହେଲା । କିନ୍ତୁ ଆପଣାର ସଂକୀର୍ଣ୍ଣ ସୀମାଭିତରର ଆବର୍ତ୍ତ ଭିତରେ ନ ବୁଲି କ୍ରମଶଃ ବୃହତ୍ତର ସୀମାରେ ଉଡ଼ିବାର ଅଭିଳାଷଟି ଚରିତାର୍ଥ ହୋଇ ପାରୁଥାନ୍ତା କି !

 

୨୮.୮.୧୯୫୦

 

ସମସ୍ତ ସ୍ଥଳକୁ ଡିଆଇଁ ପରମ ସ୍ଥଳରେ ଆପଣାର ମନୋନିବେଶ କରିପାରିଲେ ଭିତରଟା ପ୍ରକୃତରେ କେଡ଼େ ପ୍ରଶସ୍ତ ନଲାଗେ । ସକଳ ସଂଶୟ ଓ ସଙ୍କଟ ମଧ୍ୟରେ ସତେ ଯେପରି ସାହସୀ ଜୀବନର ସଳଖ ରାସ୍ତା ପଡ଼ିଯାଏ ! କାହାର ଅଭୟ ସ୍ପର୍ଶ ବାଜି ଆପଣାର ଚେତନା ଉଜ୍ଜୀବିତ ହେଇଉଠେ, ସମସ୍ତ ବିଶ୍ୱର ଆବେଗ ତଥା ଆକାଂକ୍ଷାକୁ ଆପଣା ଭିତରେ ଭରି ରଖିପାରିବାର ଶକ୍ତି ପାଇଲାପରି ମନେହୁଏ । ମାତ୍ର ଯେତେବେଳେ ସେହି ପରମପଦରୁ ମନ ଅସଂଯୁକ୍ତ ହୋଇପଡ଼େ, ସେତିକିବେଳେ ମନର ଯାବତୀୟ ଆଶଙ୍କା ଓ ବିପଦ ମାଡ଼ିଆସେ । ସତେ ଯେପରି ଏକ ଶତ୍ରୁ ଶିବିରରେ ଆସି ପଡ଼ିଗଲାପରି ଉତ୍ପୀଡ଼ନର ନିୟତ ଆଶଙ୍କାରେ ମନ ଆଉ କୌଣସି କଥା ଭାବିବାର ଅବସର ହିଁ ପାଏନାହିଁ, କେବଳ ତିଳପରି ବିଫଳତା ଓ ଦୁଃଖ ଗୁଡ଼ାକୁ ତାଳ କରି ସେ ନିଜ ଜାଲରେ ନିଜେ ଛନ୍ଦି ହୋଇଯାଏ, ଆପଣା ବୋଝଟାକୁ ହିଁ ଆପଣା ଉପରେ ଲଦି ପଡ଼ି ରହିଥାଏ । ପରମ ସ୍ଥଳରେ ଅବସ୍ଥିତ ଓ ପ୍ରକୃତି ବିଷୟର ନିରାଟ ବାସ୍ତବ ବାଦୀମାନେ ହୁଏତ ନାନା ସନ୍ଦେହର ଅବତାରଣା କରିବେ, କିନ୍ତୁ ପ୍ରାଣର ନିତି-ଅନୁଭୂତ ଅମୂଲ୍ୟ ସମ୍ପଦଗୁଡ଼ିକୁ ପରୀକ୍ଷାଦ୍ୱାରା Confirmed କରି ଜାଣିବାଲାଗି ମୋର କୌଣସି ଅଭିଳାଷ ନାହିଁ, metaphysics ସେହି ନିର୍ଲିପ୍ତ ରାସ୍ତା ମୋର ନୁହେଁ ।

 

ମଟରର ଘୁ’ ଘୁ’ ଠାରୁ ଆହୁରି ଅଧିକ disturb କରିପାରେ ମନଭିତରେ ଜମି ରହିଥିବା ମେଘର ଗର୍ଜନ । କଲିକତାର ଧୂମ୍‌ଧାମ୍ ଭିତରେ ବି ମନର ତପସ୍ୱୀ ତା’ର ତପସ୍ୟାରେ ରତ ରହିଚି, ଅନ୍ତର ଭିତରେ ରହିଥିବା ସେହି ନିଭୃତ ଆଶ୍ରମର ଏକାନ୍ତତା ଏହି ମହାନଗରୀର ଚିତ୍କାରଦ୍ୱାରା ଆଦୌ ଗ୍ରସ୍ତ ହୋଇ ପଡ଼ିନାହିଁ ।

 

୨୯.୮.୧୯୫୦

 

ହାବଡ଼ା ଷ୍ଟେସନରେ ଗାଡ଼ୀରେ ବସି ମୁଁ ଆଜିର ଲେଖା ଶେଷ କରିଦେଉଚି । ଗତ କେତେଗୁଡ଼ାଏ ଦିନ ଲେଖିବାରେ ଭାରି ଅବହେଳା କରିଚି ବୋଲି ବର୍ତ୍ତମାନ ପୁଣି ଅବହେଳା କରିବାକୁ ବଡ଼ ସଙ୍କୋଚ ବୋଧ ହେଉଚି । ସଂସାରରେ ସବୁଠାରୁ ଆପଣାର ମୋର ଏହି ଖାତାଟି-। ଆପଣା ଭିତରେ ରହିଥିବା ଅମୂର୍ତ୍ତ ଭଗବାନ ସତେଯେପରି ଏହି ଖାତାର ଦୈନନ୍ଦିନ କେତେଟା ଧାଡ଼ି ଭିତରଦେଇ ନିତି ଅବତୀର୍ଣ୍ଣ ହୋଇ ଆସନ୍ତି । ମୁଁ ଚିତ୍ର କରି ପାରେନାହିଁ, ଗୀତ ଗାଇପାରେନାହିଁ, ବଜାଇ ବି ପାରେନାହିଁ । ଆପଣାର କାବ୍ୟକୃତି ଭିତରେ ଜନ୍ମଲାଭ କରିବାର ଯୋଗ୍ୟତା ମଧ୍ୟ ମୁଁ ହାସଲ କରି ପାରିନାହିଁ । ବଡ଼ଲୋକ ଘରେ ଜନ୍ମ ହୋଇନାହିଁ, ଯାହାଦ୍ୱାରା ଜୀବନର ବିଭିନ୍ନ କ୍ଷେତ୍ରରେ ଆପଣାକୁ ନେଇ Experiment କରିବାଲାଗି ମୋର ପାର୍ଥିବ ସାମର୍ଥ୍ୟ ରହିଥାନ୍ତା । ଆମର ଏହି ପୃଥ୍ୱୀ ନ୍ୟାୟ ଉପରେ ପ୍ରତିଷ୍ଠିତ ହୋଇପାରିବା ପୂର୍ବରୁ ଏହି ପ୍ରୟୋଜନୀ ଦୁନିଆରେ ପ୍ରତିଭାର ଯଥୋଚିତ ଆଦର କଦାପି ସମ୍ଭବ ହୋଇ ପାରିବନାହିଁ-। ଏହିସବୁ ଦୃଷ୍ଟିରୁ ଦେଖିଲେ ଏହି ଖାତା ହେଉଚି ମୋର ଏକମାତ୍ର ସୃଷ୍ଟି । ଏଇଠି ମୁଁ ନବନବ ଜନ୍ମ ଲାଭ କରେ, ଦିନମାନର ସହସ୍ର ବିଫଳତା ସତ୍ତ୍ୱେ ଏହି ଖାତାରେ କେତେଟା ଧାଡ଼ି ଲେଖି ସାରିବା ପରେ ଦିନଟା ସତେ ଅବା ସଫଳ ହୋଇ ଗଲାପରି ମନେହୁଏ । ଦୃଷ୍ଟିପଥର ଅନେକ ଅସ୍ପଷ୍ଟତା ପରିଷ୍କାର ହୋଇ ଗଲାପରି ଲାଗେ । ଆପଣାର ଏକାନ୍ତ ପଥରେ ଯାତ୍ରା କରି ପାରିବାର ଯଥେଷ୍ଟ ଶକ୍ତି ଓ ସାହସ ନେଇ ପୁଣି ମୁଁ ଜୀବନଭୂମିରେ ଅବତୀର୍ଣ୍ଣ ହୁଏ । ଜାଣେନା, ରୋଜ କେତେ ଧାଡ଼ି ଲେଖି କ୍ରମେ ମୁଁ ଯେଉଁ ଲେଖାର ସ୍ତୁପ ଜମାକରି ରଖିବି, ଭବିଷ୍ୟତରେ ମୁଁ ତାହାର କି ବ୍ୟବହାର କରିପାରିବି । ସେକଥା ମୁଁ ମୋଟେ ଭାବିନାହିଁ । ଏହି ଲେଖିବା ସଙ୍ଗେସଙ୍ଗେ ମୁଁ ବଞ୍ଚୁଚି, ପାଦେପାଦେ ହୋଇ ଆଗକୁ ଯାଉଚି, ପଳପଳ କରି ଆପଣାର ଗଭୀରତଳର ପରିଚୟ ପାଉଚି-। ମୋ’ ଲେଖିବାର ବଡ଼ ସାର୍ଥକତା ଏଇଠି । କେଉଁ ଶୁଭ ମୁହୂର୍ତ୍ତରେ ମୋର ଦେବତା ମୋତେ ଏହିବାଟ ଦେଖାଇଚି କେଜାଣି ।

 

୩୦.୮.୧୯୫୦

 

ଅସ୍ଥିର ମନ ନେଇ କଟକରୁ ଛୁଟିଆସିଚି । ସାରାଦିନଟା ୟାଡ଼େସାଡ଼େ ୟା’ ତା ପାଖରେ କେବଳ ପ୍ରୟୋଜନ—ସମ୍ବନ୍ଧିତ ଭାବରେ କଟିଚି । ମୁହୂର୍ତ୍ତେ ହେଲେ ତର ହୋଇନାହିଁ ଉପରକୁ ଅନାଇ ଗୋଟାଏ ଶ୍ୱସ୍ତିର ନିଶ୍ୱାସ ମାରିବାକୁ ।

 

ସକାଳେ ଜଣେ ଗାଉଁଲି ପଣ୍ଡିତଙ୍କଠାରୁ କପାଳବିଦ୍ୟା ଓ Physiognomy ବିଷୟରେ ଖଣ୍ଡେ ବଙ୍ଗଳାବହିର ଭାରି ତାରିଫ୍ ଶୁଣିଲି । ଏହିସବୁ ବିଦ୍ୟାକୁ ଅନେକେ ପୁଣି ବିଜ୍ଞାନ ବୋଲି କହନ୍ତି । ଭବିଷ୍ୟତରେ ମଣିଷର ଯାହାଯାହା ହେବ, ଅଙ୍ଗପ୍ରତ୍ୟେଙ୍ଗର ଆକୃତିଦ୍ୱାରା କୁଆଡ଼େ ସେସବୁ ଆଗରୁ ନିରୋପିତ ହୋଇ ରହିଥାଏ । ମଣିଷ ପଳପଳ କରି ପ୍ରତ୍ୟେକ ମୁହୂର୍ତ୍ତରେ ବଢ଼ୁଚି, ପ୍ରତି ନିମିଷରେ ସେ ଆପଣାର ଭାଗ୍ୟଟିକୁ ପରିଷ୍କାର କରି ଚାଲିଚି;—ଆପଣା ଅନୁଭୂତିରୁ ଲବ୍‌ଧ ଏହି ସତ୍ୟଟିକୁ ମୁଁ ଧର୍ମପରି ବିଶ୍ୱାସ କରେ । ସମ୍ଭବତଃ Physiognomy ମଣିଷର ଏହି ଆତ୍ମଶକ୍ତି ଓ ଆତ୍ମବୃଦ୍ଧିକୁ ସ୍ୱୀକାର କରେନାହିଁ । ମୁଁ ଶୁଣିଚି, କୁଆଡ଼େ ଜ୍ୟୋତିଷଶାସ୍ତ୍ରର ମତ ହେଉଚି ଯେ ମଣିଷର ଇଚ୍ଛାଶକ୍ତି ଅନୁସାରେ ତା’ର ହସ୍ତରେଖାମାନ ବଦଳି ବଦଳି ଯାଉଥାଏ । ଏହି କଥାଟିକୁ ଠିକ ବୋଲି ଗ୍ରହଣକଲେ ହାତର ରେଖାଉପରେ କୌଣସି ମୂଲ୍ୟ ଦେବାର ଅବକାଶ ଯେ କେଉଁଠି ରହିଲା, ମୁଁ ସେକଥା ବୁଝି ପାରେନାହିଁ । ମୋର ଆତ୍ମଶକ୍ତି ହେଉଚି ମୋର କର୍ଣ୍ଣଧାର । ଅନ୍ତରମନର ଅଭିଳାଷ ଜାଣି ସେହି ଆତ୍ମଶକ୍ତି ମୋତେ ନିତିନିତି ଆଗେଇନେବ । ତେଣିକି ହାତର ରେଖାଗୁଡ଼ାକ ଯାହା କହିଲେ ବି ସେଥିରେ ମୋର କିଛି ଯାଏ ଆସେ ନାହିଁ ।

 

୩୧.୮.୧୯୫୦

 

ଗାଆଁରେ ପହଞ୍ଚିବା ବେଳଠାରୁ ବର୍ଷା ଆରମ୍ଭ ହୋଇଚି । ଅସରାକୁ ଅସରା ଏହି ବରଷାର ଶବ୍ଦରେ ରାତିର ଅନ୍ଧକାର ମଧ୍ୟ ଥୟ ଧରି ପାରୁନାହିଁ । ଗାଆଁରୁ ଯିବା ଦେଢ଼ମାସ ହୋଇନାହିଁ, ତଥାପି ମୁଁ ଯେପରି ଭାରି ପ୍ରଲୁବ୍‌ଧ ହୋଇ ପଡ଼ିଥିଲି ଏଠାକୁ ଆସିବାଲାଗି । ଗତବର୍ଷ ଏହି ଗାଆଁ ଅନେକ ସହିଚି । ମେଲେରିଆ ରୋଗରେ ଏଠି ଅନେକ ଆୟୁଷ କମିଯାଇଚି, ଖାଇବା ଅଭାବରେ ଅନେକଙ୍କର ହାଡ଼ ମିଳେଇ ଯାଇଚି, ପଇସା ଅଭାବରେ ଅନେକଙ୍କର ପାଠ ବନ୍ଦ ହୋଇଚି । ତଥାପି ଗୋଟାଏ ସ୍ୱାଧୀନ ଦେଶର ଗଣ୍ଡି ପୂରାଇବାକୁ ଏହି ଗାଆଁଟା ପଡ଼ିରହିଚି ।

 

ଗାଆଁରେ ବସି ମୁଁ ରାଜନୀତି କରିବା କଥା ଭାବିନାହିଁ, କମୁନିଷ୍ଟ ବା ସାମ୍ୟବାଦୀ ନକ୍‌ସାରେ ଗାଆଁଟିକୁ ଗଢ଼ିବାର ଉଡ଼ା ସ୍ୱପ୍ନରେ ମୁଁ ଆଦୌ ଭାସି ଯାଇନାହିଁ । ଏଠିକା ମଣିଷର ପାଖେପାଖେ ରହି ତା’ର ଦୁଃଖସୁଖରେ ଭାଗୀ ହେବାକୁ ସହସ୍ର ଯାତନା ସତ୍ତ୍ୱେ ଜୀବନ ନିର୍ମାଣର କଥା କହି ସେମାନଙ୍କୁ ସମ୍ମାନିତ ରୂପେ ବଞ୍ଚାଇ ରଖିବାଲାଗି ମୋର ଭାରି ଇଚ୍ଛା ହୋଇଚି । ଯେଉଁଦୃଷ୍ଟିରୁ ଦେଖିଲେ ମଧ୍ୟ ଏକଥା ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ ପଶ୍ଚିମ ଜଗତ ଅନେକ ପରିମାଣରେ ଜୀବନର ପ୍ରାଥମିକ ସମସ୍ୟାଗୁଡ଼ିକର ସମାଧାନ କରିପାରିଚି । ପ୍ରାଚ୍ୟ ସଭ୍ୟତାର ମୁଖା ଲଗାଇଥିବା ନେତାମାନେ ଭାରତୀୟ ଧର୍ମ ଓ ଭାରତୀୟ ସଂସ୍କୃତି ବିଷୟରେ ନାନା ବାଚାଳତା କରି ଏପର୍ଯ୍ୟନ୍ତ ବି କ୍ଳାନ୍ତ ହୋଇନାହାନ୍ତି । ଅସ୍ତ୍ରଶସ୍ତ୍ରର ସାଜସଜ୍ଜା ଭିତର ଦେଇ ଗତ ଯୁଦ୍ଧ ପୂର୍ବରୁ ଜର୍ମାନୀ ଦେଶରେ ଯେଉଁ ଉଗ୍ର ଅଭିମାନର aggressive phychology ବୃଦ୍ଧି ପାଇଥିଲା, ପ୍ରକାରାନ୍ତରେ ଭାରତୀୟ ଶିକ୍ଷିତର ମନରେ କ୍ରମେ ସେହିପରି ଏକ complacent ଅହଂ ଭାବ ଆଜି ବଢ଼ିବାରେ ଲାଗିଚି । ସେଥିଲାଗି ଆଜି ପ୍ରୟୋଜନ ଅପ୍ରୟୋଜନରେ ସମସ୍ତେ ଜାତୀୟ ସଂସ୍କୃତି ଓ ଜାତୀୟ ଆଦର୍ଶର ଘଣ୍ଟ ବାଡ଼ଉଚନ୍ତି । ମୁଁ ଜାଣେନା କେତେ ଶୀଘ୍ର ଏକ ହଠାତ୍ ପତନ ଆସି ଏମାନଙ୍କର ଆଖିକୁ ଖୋଲିଦେଇ ପାରିବ । ଦିନେ ଏହି ଦେଶରେ ହିଁ ଗାନ୍ଧୀ ରହିଥିଲା, ସେ ଏହି ଦେଶର ହାତରେ ମଲା, ଆମେ ଯେପରି ତଥାପି ସେହି ଉଲ୍‌କା-ହୃଦୟଦ୍ୱାରା ଏତେ ଟିକିଏ ଉପକୃତ ହୋଇ ପାରିଲୁନାହିଁ । ଆଜି ଯେତେହଜାର ଟଙ୍କାର ସଲାମତି ପାଇ ଶୁଷ୍କ ସଭ୍ୟତାଡ଼ମ୍ବର ଭିତରେ ଯିଏ ନିଶ୍ୱାସ ମାରୁଥାଉ ପଛକେ ମୋ’ରି ଗାଆଁ ପରି ଲକ୍ଷଲକ୍ଷ ଗାଆଁକୁ ସବୁଥିରେ ଉପବାସୀ କରି ରଖିଥିବା ପର୍ଯ୍ୟନ୍ତ ଏହି ଦେଶ ପାଦେହେଲେ ଆଗକୁ ଯାଇ ପାରିବନାହିଁ-। ଅତୀତ ଯୁଗର ନଷ୍ଟ ବ୍ରାହ୍ମଣ ପରି ଭାରତର ଆଧୁନିକ ପୁରୋହିତମାନେ ନିଜକୁ ଅକର୍ମଣ୍ୟ କରିବା ସଙ୍ଗେସଙ୍ଗେ ସମସ୍ତ ଦେଶଟାକୁ ଉଚ୍ଛନ୍ନ କରିଦେବେ । ଦେଶର ଓ ଯୁଗର ହିତଦୃଷ୍ଟିରୁ ଯେପରି ତା’ପୂର୍ବରୁ ଏକ ଦାରୁଣ ବିପ୍ଳବର ଆଘାତଦ୍ୱାରା ଏହି ନିମ୍ନଗତି ଦଶାର ପଥ ରୁଦ୍ଧ କରାଯାଇପାରେ !

 

କେବଳ ରାଜନୀତିକୁ ମଣିଷ ଯଦି ତା’ଜୀବନର ଏକମାତ୍ର ଅନୂଧାବନରୂପେ ଗ୍ରହଣ କରେ, ତେବେ ରାଜନୀତି Boa Constrictor ପରି ମଣିଷକୁ ବାନ୍ଧେ, କ୍ଳାନ୍ତ ମଣିଷ କ୍ଳାନ୍ତ Maobeth ପରି ପରିପୂର୍ଣ୍ଣ ପତନ ପର୍ଯ୍ୟନ୍ତ ଦୁର୍ଦ୍ଧର୍ଷ ହୋଇ ବାହାରି ପଡ଼େ । ଆମର ସମାଜକୁ ଏହି ବ୍ୟାଧିରୁ ରକ୍ଷା କରିବା ଲାଗି ମହାପୁରୁଷମାନେ ଚିରଦିନ ରାଜନୀତି ଓ ଧର୍ମକୁ ଏକ ସମ୍ମିଳିତ ରୂପ ଦେବାର ପ୍ରୟାସ ଯୁଗେ ଯୁଗେ କରିଚନ୍ତି । ଗାନ୍ଧୀବିଚାରରେ ଏହି କାରଣରୁ ହିଁ କ୍ଳାନ୍ତିଲାଗି କୌଣସି ସ୍ଥାନ ନାହିଁ ।

 

୧.୯.୧୯୫୦

 

ଆଜି କୋପେନହେଗେନ୍‌ରେ ବିଶ୍ୱବିଦ୍ୟାଳୟର ବର୍ଷ ଆରମ୍ଭ ହୋଇଥିବ, ଆଉ ମୁଁ ଏଣେ ଗାଆଁର ହାଇସ୍କୁଲରେ ମାଷ୍ଟରି କରି ଦିନଟି କଟାଇ ଦେଉଚି । କିଶୋର ବିଦ୍ୟାର୍ଥୀ ବନ୍ଧୁମାନଙ୍କ ସହିତ ଘଡ଼ିଏ ସମ୍ପର୍କରେ ଆସି ସତେ ଯେପରି ମୁଁ ନିଜେ ବି କିଶୋର ହୋଇଯାଉଚି । ସେହି ବୟସରେ ଥିଲାବେଳେ ମୁଁ ଯେ କିପରି ସ୍ୱପ୍ନ ଦେଖୁଥିଲି, ଆପଣାଗଢ଼ା କେତେ ଆଦର୍ଶ structure ର କକ୍ଷେକକ୍ଷେ କିପରି କ୍ଷେପି ବୁଲୁଥିଲି, ମୋର ଏବେ ବି ସେସବୁ ମନେଅଛି । ସେହିସବୁ ସ୍ୱପ୍ନର ପରିପକ୍‌କ୍ୱ ପ୍ରକାଶ ହେଉଚି ମୋର ବର୍ତ୍ତମାନ ମନଟା ।

 

ଏକାଳର କିଶୋର ବି ହୁଏତ ସ୍ୱପ୍ନ ଦେଖିବାର ସ୍ୱାଭାବିକ ଅଭ୍ୟାସ ଛାଡ଼ିଦେଲାଣି । ଆର୍ଥିକ ଅବସ୍ଥା ଓ ଯୁଗର ରାଜନୀତି ତାକୁ ଦିନକୁଦିନ ପ୍ରାୟ unproductive ଗୋଟାଏ ଶୁଖିଲାକାଠରେ ପରିଣତ କରିଦେଉଚି । ମୁଁ କିନ୍ତୁ ଆଜିଯାଏ ସ୍ୱପ୍ନ ଦେଖିବାକୁ ଲଜ୍ଜାବୋଧ କରିନାହିଁ, ମୋର ସବୁ କ୍ଷେତ୍ରରେ ପ୍ରଧାନତଃ ଆପଣାର ସ୍ୱପ୍ନଚାରୀ ମନର ପରିଚୟ ଦେଇଆସିଚି । ଏ ଦିଗରେ ଅପରପକ୍ଷର ନିଷ୍କ୍ରିୟତାକୁ ଭାଙ୍ଗି ଦେବାରେ ମଧ୍ୟ ମୁଁ କମ୍ ଉତ୍ସାହ ଦେଖାଇ ନାହିଁ । ସେଇଥିଲାଗି ଏଠି କିଶୋର ବନ୍ଧୁମାନଙ୍କର ଗହଣରେ ଆସି ମୁଁ ଭାରି ଆନନ୍ଦ ଅନୁଭବ କରୁଚି । I have found the ones like me !

 

ଗାଆଁର ରହଣିକୁ ଏପରି ନୀରବ ଅଥଚ ପରିପୂର୍ଣ୍ଣ ଭାବରେ ଆଗରୁ କେବେ ଉପଭୋଗ କରିନଥିଲି । ମୋର ଗାଆଁ ଛାଡ଼ିବା ଯେତିକି ପାଖେଇ ଆସୁଚି ସେହି ବ୍ୟବଧାନକୁ ଯୋଡ଼ା ଲଗାଇବା ପାଇଁ ଆଗରୁ ମୋର ମନେମନେ ଯେପରି ଏକ ମଧୁର ଅଭିବ୍ୟଞ୍ଜନା ଜନ୍ମଗ୍ରହଣ କରୁଚି ।

 

୨.୯.୧୯୫୦

 

ଗାଆଁ ଛାଡ଼ି ଯିବାକୁ ଜରୁରୀ ତଲବ ଆସିଲାଣି ତଥାପି କାହିଁକି ଏତେ ଶୀଘ୍ର ଏଠା ଛାଡ଼ି ଯିବାକୁ ଇଚ୍ଛା ହେଉନାହିଁ । ଜାଣେନା କାହାର ମୋହ ମୋତେ ଏହି ମାଟିରେ ପକାଇ ରଖିଚି । ମୋହରେ ପଡ଼ିଥିଲାବେଳେ ମନର ଭୁଲ ଠିକ୍‌କୁ ମୁଁ ବିଚାର କରି ପାରୁନାହିଁ । ମୋର ଏହି Excitement ହୁଏତ କାଳକ୍ରମେ ଭେସରା ହୋଇଯିବ ।

 

ପାଞ୍ଚବର୍ଷ ପରେ ଏଥର ଶାନ୍ତିନିକେତନର ଆଶ୍ରମ ଛାଡ଼ି ମୋତେ ଯିବାକୁ ହେବ । ସେହି ସ୍ଥାନର ଯେତେ ଅଭାବ ଓ ତ୍ରୁଟି ମୋତେ ବାରବାର ବିରକ୍ତ କରିଥାଉ ପଛକେ ଛାଡ଼ିଗଲା ବେଳକୁ ମୁଁ ଯେପରି ସେଠାରେ ଜୀବନର ଅନେକ କିଛି ଛାଡ଼ିଦେଇ ଯିବି । ଅନେକ ଅଶ୍ରୁ ଓ ଅନେକ ଆନନ୍ଦରେ ମୁଁ ସେହି ତୀର୍ଥର ଆକାଶକୁ କେତେ ଆନ୍ଦୋଳିତ କରିଚି, ବେଳେବେଳେ ସତେ ଅବା ମ୍ରିୟମାନ ହୋଇ ପଡ଼ିଲା ପରି ଶିଶୁଟି ପରି ନିଜର କାତର ଆବେଦନରେ ମୁଁ ସେହି ଜନନୀର ପ୍ରତ୍ୟେକ ଘାସପତ୍ରଟିକୁ ବି କମ୍ପାଇଦେବାକୁ ଇଚ୍ଛା କରିଚି । ପୁଣି କେତେଥର କେତେ ମଣିଷଙ୍କର ସଂସ୍ପର୍ଶରେ ଆସି ମୁଁ ହଠାତ୍ ଯେପରି ସମଗ୍ର ବିଶ୍ୱକୁ ସ୍ପର୍ଶ କରିବାର ଆନନ୍ଦ ଅନୁଭବ କରିଚି । ସର୍ବୋପରି ସମସ୍ତ ଦିନ ଓ ସମସ୍ତ ରାତ୍ରିର ଅଧିଷ୍ଠାତା ବିଧାତାରୂପେ ସେହି ବିଶ୍ୱକବିଙ୍କର ସ୍ମୃତି ମୋତେ ଉଦ୍‌ଭାସିତ କରି ରଖିଚି । ସେହି ସ୍ମୃତି ହିଁ ମୋତେ ଦୂରରୁ ପ୍ରେରଣା ଦେଉଥିବ, ତା’ ଆପଣାର ସନ୍ତାନରୂପେ ସେହି ସ୍ଥାନଟି ହିଁ ମୋତେ ଚିରଜୀବନ ଲାଗି ଚିହ୍ନି ରଖିଥିବ, ବିଦାୟବେଳରେ ମୋର କେବଳ ଏତିକି ପ୍ରାର୍ଥନା । ଆଶ୍ରମର ଅଧିବାସୀ ହିସାବରେ କିଏ କେତେଦୂର ନିଜର କର୍ତ୍ତବ୍ୟ କରିଚି, ମୁଁ ତାହାର ହିସାବ ରଖିନାହିଁ । ମୋହରି ଜୀବନ ମଧ୍ୟରେ ସେହି ପବିତ୍ର ତୀର୍ଥର ମହତ୍ୱଟି ଯେପରି କଣାଏ ପ୍ରତିଫଳିତ ହୋଇପାରିବ, ଆଶ୍ରମଦେବତା ପାଖରେ ଖାଲି ଏତିକି ମୋର ମାଗୁଣି !

 

୩.୯.୧୯୫୦

 

ଅନ୍ୟମନସ୍କ ମନକୁ ସମାହିତ କରି ମୁଁ ହଠାତ୍ ବସିଚି ଆଜିକାର ଦିନଟିକୁ ପୂର୍ଣ୍ଣ କରିବାଲାଗି । ଗତ ଅନେକ ଦିନରୁ ମନରେ ଯେଉଁ ଚାଞ୍ଚଲ୍ୟ ଉପସ୍ଥିତ ହୋଇଚି, ତାହା ଯେ ଏତେ ଚଞ୍ଚଳ ଥମିବ ନାହିଁ ମୁଁ ସେ କଥା ଭଲକରି ଜାଣେ । ମନର ଏହି ମଧ୍ୟବର୍ତ୍ତୀ ଅବସ୍ଥା ବେଳେବେଳେ ମୋତେ ବଡ଼ ବିଚଳିତ କରି ପକାଉଚି । କ୍ଷଣେ ଶାନ୍ତି ପାଇବାକୁ ହୁଏତ ନାନା କର୍ତ୍ତବ୍ୟର ଛନ୍ଦ—ଆୟୋଜନ କରିବାରେ ମୁଁ ବେଶ ବ୍ୟସ୍ତ ରହିପାରୁଚି ଓ ସଂସାରର ଆଖିରେ ଆପଣାକୁ ବେଶ୍ କାର୍ଯ୍ୟବ୍ୟସ୍ତ ବୋଲି ଦେଖାଇ ପାରୁଚି । ଇଏ ବି ଗୋଟାଏ ପ୍ରକାରର ଚିତ୍ତଚାଞ୍ଚଲ୍ୟ, ହୁଡ଼ିଯିବାଲାଗି ଗୋଟାଏ ଭଦ୍ର ସଫେଇ । ମୁଁ ଏ ପର୍ଯ୍ୟନ୍ତ ମୋର ଆପଣା କ୍ଷେତ୍ରରେ ଅବତରି ପାରିଲିନାହିଁ, ମୋର ଆଦର୍ଶକୁ ଆପଣାର ଆଖିଭିତରେ ନିବନ୍ଧ କରି ରଖି ପାରିଲିନାହିଁ । ମାତ୍ର ଏଥିଲାଗି ମୁଁ କାହାଉପରେ ରାଗ କରିବାକୁ ଯିବି ? କେବଳ ଏକ ଘାତକାରୀ ବିତୃଷ୍ଣର ବଶବର୍ତ୍ତୀ ହୋଇ ମୁଁ ଆପଣାର ପିପାସୁ ଅନ୍ତରକୁ କଦାପି ମାରିଦେଇ ପାରିବି ନାହିଁ । ମୋର ସବୁ ବିକ୍ଷେପ ଓ ବିଚ୍ଛିନ୍ନତା ସତ୍ତ୍ୱେ ସେହି ପିପାସାର ଆତୁରତା ହିଁ ଶେଷରେ ମୋତେ ବାଟ ଦେଖାଇନେବ,—ଏହି ବିଶ୍ୱାସରେ ହିଁ ମୁଁ ବଞ୍ଚିବାର ଅର୍ଥକୁ ଅନୁଭବ କରିପାରିଚି । ତେଣୁ କେତେକେତେ ନକଲି ନିକିତିରେ ଓଜନଦାର ବୋଲି ପ୍ରମାଣିତ ହେବାର ଆଡ଼ମ୍ବର କରୁଥିଲେ ମଧ୍ୟ ମୋର ଅନ୍ତର ଖାଲି ସେହି ପିପାସାକୁ ହିଁ ଆପଣାର ସର୍ବଶ୍ରେଷ୍ଠ ସାମଗ୍ରୀରୂପେ ଗ୍ରହଣ କରିନେଇଚି ।

 

ଗାଆଁ, ଛାଡ଼ିବା ପାଖେଇ ଆସିଲା । ପୁଣି ଜାଗାବଦଳ ଲାଗି ନିଜକୁ ପ୍ରସ୍ତୁତ କରିନେବାକୁ ପଡ଼ିବ, ଯେପରିକି ବାତାବରଣରେ ଯେତେ ପରିବର୍ତ୍ତନ ଘଟିଲେ ମଧ୍ୟ ମୁଁ ସବୁଠାରେ ମୋର ଉଦ୍‌ବୁଦ୍ଧ ଦୃଷ୍ଟିକୁ ବର୍ତ୍ତମାନ କରି ରଖିପାରିବି ।

 

୧୦.୯.୧୯୫୦

 

ସାତ ଦିନଯାଏ ବାରଦ୍ୱାର ବୁଲି, ମୁଁ କାଲି ପୁଣି ଶାନ୍ତିନିକେତନକୁ ଫେରିଆସିଲି । ମନେହେଲା, ଯେପରି ସେହି ପଥର ଧୂଳି ହେଉଚି ମୋର ସବୁଠାରୁ ଅଧିକ ଆପଣାର ! ଏହି ଭ୍ରମଣବେଳେ ମୁଁ ବେଶ ତ ଥିଲି, ପ୍ରତିଦିନ ନୂଆ ପବନ ଓ ନୂଆ ମଣିଷର ସଂସ୍ପର୍ଶରେ ଆସି ମୋର ମନ ସତେଅବା ଏକ ଅଭିଳାଷୀ ନୂଆ ଲତାଟିପରି ଆପଣା ପଥରେ ବେଶ ପଲ୍ଲବି ଚାଲିଥିଲା । କେଉଁଠାରେ ଟିକିଏ ହେଲେ ବିରତି ନ ଥିଲା, ଆପଣାର ଖୁତି ବିଖୁତି ଓ ଲାଭ ଲୋକସାନ ବିଷୟରେ ଭାବିବାଲାଗି ଅବସର ହିଁ ନ ଥିଲା । ଏହି ଭ୍ରମଣ ମୋତେ ସବୁଦିନ ନୂତନ କରିଦିଏ, ମୋ’ ନବଜନ୍ମର process କୁ ବଡ଼ ସ୍ୱାଭାବିକ ଓ ସାବଲୀଳା କରିଦିଏ । ମୁଁ ସହଜ ରୀତିରେ ବଢ଼ିଚାଲେ ।

 

ସାହିତ୍ୟରେ ଭ୍ରମଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଚି । ମୁଁ ତ ଭାବୁଚି ଭ୍ରମଣ-ସାହିତ୍ୟ ହିଁ ଶ୍ରେଷ୍ଠ ସାହିତ୍ୟ । ଜୀବନର ପରିବ୍ୟାପ୍ତ କ୍ଷେତ୍ରରେ ବୁଲୁ ବୁଲୁ ଜିଜ୍ଞାସୁର ଗଭୀର ମନ ଯେଉଁସବୁ ଭାବନାକୁ ସମ୍ପଦ କରି ରଖିଥାଏ, ତାହାକୁ ବିତରଣ କରିଦେବାର ଗୋଟାଏ ଉପାୟ ହେଉଚି ଭ୍ରମଣସାହିତ୍ୟ ଲେଖିବା । ଉପନ୍ୟାସ ବା କବିତା ଲେଖିବାର ଶୃଙ୍ଖଳିତ ଖିଆଲଠାରୁ ଏହି ଭ୍ରମଣସାହିତ୍ୟ ଯେପରି ସବୁଠାରୁ ଅଧିକ ସ୍ପଷ୍ଟଭାବରେ ମଣିଷକୁ ପ୍ରକାଶିତ କରିପାରେ !

 

ଏହି ଆଶ୍ରମଟି ଛାଡ଼ି ମୋତେ ଆଉ ଗୋଟିଏ ଆଶ୍ରମକୁ ଯିବାକୁ ହେବ । ବହିରେ ଓ ବକ୍ତୃତାରେ ଦୁଇ ଆଶ୍ରମର ଚଳଣି ବିଷୟରେ ଅନେକ ଦ୍ୱନ୍ଦ ରହିଚି ବୋଲି ମୁଁ ଜାଣିବାକୁ ପାଇଚି । ଦେଖିବି, ଦୁଇ ତୀର୍ଥର ଜଳକୁ ମିଶାଇ ମୁଁ ଆପଣାର ଆଚମନ—ଅର୍ଘ୍ୟ ତିଆରି କରି ପାରିବ କି ନାହିଁ । ମନର ତୀର୍ଥଯାତ୍ରୀ ତା’ର ବ୍ରତଯାତ୍ରାରେ ଅବଶ୍ୟ ସଫଳ ହେବ !

 

୧୧.୯.୧୯୫୦

 

ଶାନ୍ତିନିକେତନର ଦିନଗୁଡ଼ିକ କ୍ରମେ ଶେଷ ହୋଇଆସୁଚି । ଦୂରକୁ ଚାଲିଗଲେ ଏହି ସ୍ଥାନଟିର ପ୍ରାଣନକ୍ଷତ୍ରର ଆଲୋକକୁ ମୁଁ ଅଧିକ ସମଗ୍ର କରି ଦେଖିବାର ଅବସର ପାଇବି । ତରତର ହୋଇ ଏହି ଅନୁଷ୍ଠାନର Experiment ଉପରେ ଗୋଟାଏ ଏକତରଫା ଫତୁଆ ଜାହିର କରିଦେବାକୁ ମୁଁ କଦାପି ରାଜି ହେବିନାହିଁ । ଏଠାରେ ମୋର ପାଞ୍ଚବରଷର ଅବସ୍ଥାନ ମଧ୍ୟରେ ଏହି ସ୍ଥାନର ପ୍ରାଣଟିକୁ ମୁଁ ଯେପରି ଭାବରେ ଚିହ୍ନିଚି, ସେଥିରୁ ଏପରି କୌଣସି ସହଜ ଫତୁଆ କଦାପି ଦିଆଯାଇ ନପାରେ । ମୁଁ ଏତିକି କହିବି, ଏହି ଚିହ୍ନାର ପ୍ରତ୍ୟେକ ଅନ୍ତରୋଦ୍‌ଘାଟନ ମୋତେ ଧନ୍ୟ କରିଚି । ଏଠି ମୁଁ ପଦେପଦେ ବଢ଼ିଚି, ଅଧିକରୁ ଅଧିକ ଗଭୀର ସ୍ତରରେ ମୁଁ ଆପଣାକୁ ବ୍ୟାପ୍ତ କରିପାରିଚି । କ୍ରୂର ଲଘୁମନର ଅତ୍ୟାଚାରରେ ହୁଏତ ଏହି ବିରାଟ ଅନୁଷ୍ଠାନ ଦିନେ ଆପଣାର ଆତ୍ମାଟିକୁ ହରାଇ ବସିବ । କିନ୍ତୁ ମୋର ସେଥିରେ କିଛି ଯାଏ ଆସେ ନାହିଁ । ଏହି ଆତ୍ମାର ଯେତିକି ଆସ୍ୱାଦ ମୁଁ ପାଇଚି, ଏହାକୁ ମୁଁ ଯେତିକି ଆପଣାର କରି ହଜମ କରିଚି, ସେତିକି ମୁଁ ଜୀବନରେ ବୃହତ୍ତର କ୍ଷେତ୍ରକୁ ବହନ କରିନେବି । ଜୀବନର ଯାବତୀୟ ପଦକ୍ଷେପ ବେଳେ ଜଳୁଥିବା ଆତ୍ମପ୍ରତ୍ୟୟର ଆଲୋକ ମଧ୍ୟରେ ଏହି ସ୍ଥାନରୁ ମୁଁ ଲାଭ କରିଥିବା ଅଭିଜ୍ଞତା ମଧ୍ୟ ମିଶ୍ରରେଖା ହୋଇ ଜଳୁଥିବ । କବିର ଶାନ୍ତିନିକେତନ ଭାବରୂପ ହୋଇ ମୋର ସକଳ ଭାବନାର ଦିଗନିର୍ଣ୍ଣୟ କରିବ, ମୋର ସକଳ କାର୍ଯ୍ୟକଳାପରେ ତାହାର ସୁନିଶ୍ଚିତ ଛାପ ପଡ଼ିବ ହିଁ ପଡ଼ିବ । ଏହିପରି ଭାବରେ ଏହି ଆଶ୍ରମ ମୋ’ରି ଭିତରେ ଅମର ହୋଇ ରହିବ ।

 

୧୬.୯.୧୯୫୦

 

ସେବାଗ୍ରାମରେ ଇଏ ମୋର ପ୍ରଥମ ସକାଳ । ଏପର୍ଯ୍ୟନ୍ତ ରାତି ଯାଇନାହିଁ । ସୂର୍ଯ୍ୟାଲୋକ ପଡ଼ିବା ସଙ୍ଗେସଙ୍ଗେ ମୁଁ ମହାନୁଷ୍ଠାନଟିର ସମଗ୍ର ରୂପଟି ଦେଖିବାକୁ ପାଇବି । କାଲି ରାତିରେ ୱାର୍ଦ୍ଧାଠାରୁ ସେହି ଏକାକୀ ପଥଟି ଅତିକ୍ରମ କରି ଆସୁଥିବାବେଳେ ସତେଯେପରି କେଉଁ ଜନନୀ ମୋତେ ତା’ର ପରିଚିତ କୋଳକୁ ଡାକି ନେଉଥିଲା । ଶାନ୍ତିନିକେତନରେ ମୁଁ ସେହି ଜନନୀର ଆଉ ଏକ ରୂପ ଦେଖିଥିଲି । ମୋର ଖୁବ୍ ମନେଅଛି, ଜୀବନର କିଶୋର-ବୟସରେ ଏହି ଆଶ୍ରମଟି ସହିତ ସମ୍ପୃକ୍ତ ହୋଇ ରହିଥିବା ମହାଜୀବନର ପ୍ରେରଣା ବଞ୍ଚିବାର ମହତ୍ତର କ୍ଷେତ୍ରକୁ ମୋର ସମ୍ମୁଖରେ ଉଦ୍‌ଘାଟିତ କରି ଦେଇଥିଲା । ଆଲୋକର ଆଭାସ ଦେଇ ମୋର ମନକୁ ପ୍ରଥମେ ସେଇ ଧାବିତ କରି ନେଇଥିଲା ।

 

ତା’ପରେ ଅନେକ ବର୍ଷ କଟିଗଲାଣି । ମନର ବୋଝ ବଢ଼ାଇ ମୁଁ ଏହା ଭିତରେ ଅନେକ ପଢ଼ିଚି, ଅନେକ ଜାଣିଚି, ନାନାବିଧ ପ୍ରଲୁବ୍‌ଧ ଆବରଣଦ୍ୱାରା ମୁଁ ଚିତ୍ତୋଦ୍‌ବୋଧନର ସହଜ ପଥକୁ ବାରିତ କରି ରଖିଚି । ପରିଣାମରେ ଆପଣା ଜୀବନର ସର୍ବପରମ instinct ଟି ନାନା ଯୁକ୍ତି ଓ ସଂଶୟର ଶାସ୍ତିଶାସନରେ ଶକ୍ତିହୀନ ବି ହୋଇପଡ଼ିଚି । ଏହି ତୀର୍ଥରେ ପୁଣ୍ୟ ରସଦ୍ୱାରା ଅଭିଷିକ୍ତ ହୋଇ ମୁଁ ସେଦିନର ଚଞ୍ଚଳ ଶିଶୁଟିକୁ ପୁଣି ଫେରାଇ ଆଣିବି, ପୁଣି ମୁଁ ବିବସନ ହୋଇ ଚିତ୍ତ-ପ୍ରକାଶରେ ଆଲୋକସମୁଦ୍ରକୁ ଡେଇଁପଡ଼ିବି । ସମସ୍ତେ ଆଜି ବୁଢ଼ା ହେବାକୁ ଭାରି ପସନ୍ଦ କରୁଚନ୍ତି, security ର ସହଜ ପଥଲାଗି ସଜ ହେଉଚନ୍ତି । ମୋର ରାସ୍ତା ଓଲଟା । କାରଣ ଏଇ ହେଉଚି ମୋର ନିଜ ରାସ୍ତା, ନିଜଭିତରୁ ହିଁ ଏହାର ନିୟନ୍ତ୍ରଣ ହେବ ।

 

୧୭.୯.୧୯୫୦

 

When you are in the right you can afford to keep your temper ; when you are in the wrong, you can not afford to lose it,—ମହାତ୍ମା ଗାନ୍ଧୀଙ୍କର କୁଟୀରରେ, ତାଙ୍କ ବିଶ୍ରାମାସନର ସମୀପରେ ଏହି ନୀତିବାକ୍ୟଟି ଝୁଲା ହୋଇଚି । ଏତେ ଅଳପକରେ ରାଗିଯାଇ ଆପଣାର ଭାରସାମ୍ୟ ହରାଇ ବସିବା ମୋର ଅଭ୍ୟାସ ହୋଇଗଲାଣି ଯେ ହୁଏତ ଉପଦେଶ ଛଳରେ ମୋତେ କେହି ଏତିକି କହିଥିଲେ ମୁଁ ତାକୁ କେବଳ ସୈଦ୍ଧାନ୍ତିକ ଅବାସ୍ତବ କଥା ବୋଲି କହି ଉଡ଼ାଇ ଦେଇଥାନ୍ତି । କିନ୍ତୁ ଗାନ୍ଧିଜୀଙ୍କର ଜୀବନଭୂମି ଉପରେ ଏହି ଉକ୍ତିଟିର କଳ୍ପନା କରିବା ସଙ୍ଗେସଙ୍ଗେ ମୁଁ ସତେଅବା ସିଧା ଏକ ସତ୍ୟଦର୍ଶନର ସମ୍ମୁଖରେ ଆସି ହାବୁଡ଼ି ଗଲି । ପ୍ରାଚୀନ ସତ୍ୟଗୁଡ଼ିକ ପରିତ୍ୟକ୍ତ ହୋଇ ଯେତେବେଳେ ଆପଣାର ନିହିତ ମୂଲ୍ୟ ବା ମହତ୍ତ୍ୱକୁ ହରାଇ ବସନ୍ତି, ସେତେବେଳେ ସେଗୁଡ଼ିକରେ ପୁଣି ନୂତନ ପ୍ରାଣ ଓ ନୂତନ ପ୍ରେରଣା ଦେବାଲାଗି ଏହି ଜଗତରେ ମହାତ୍ମାମାନଙ୍କର ଆବିର୍ଭାବ ହୁଏ ।

 

ମୁଁ ଏପର୍ଯ୍ୟନ୍ତ ଏହି ତୀର୍ଥର ଅନ୍ତେବାସୀ ହୋଇ ପାରିନାହିଁ । ସେଥିଲାଗି ହୁଏତ ଆହୁରି କିଛି ନ ଲାଗିବ । ପ୍ରଥମେ ଏଠିକାର ପ୍ରାଣ, ଏଠିକାର ପ୍ରକୃତି ଓ ଏଠିକାର ମଣିଷ ସହିତ ଘନିଷ୍ଟ ପରିଚୟ ଲାଭ କରିବାକୁ ହେବ । ପ୍ରଥମେ ମୁଁ ଆପଣା ଗ୍ରହଣଶୀଳ ମନର ଦୁଆରକୁ ସବୁରିଲାଗି ଉନ୍ମୁକ୍ତ କରି ରଖିବି, କେବଳ ସେହିପରି କରି ହିଁ ମୁଁ ସକଳ କ୍ଷେତ୍ରର ଶ୍ରେଷ୍ଠ ସାମଗ୍ରୀଗୁଡ଼ିକୁ ଆପଣା ଭିତରେ ଭରାଇ ନେଇ ପାରିବି ଓ ସକଳ କ୍ଷେତ୍ରର ଆଲୋକକୁ ଆପଣା ଭିତର ଦେଇ ପ୍ରତିଫଳିତ କରିପାରିବି ।

 

୧୮.୯.୧୯୫୦

 

Darkness has many things to give to you, when you can sit before it in silence :—ବାହ୍ୟ ଗ୍ରହଣର ସକଳଦ୍ୱାର ବନ୍ଦ ହୋଇଗଲେ ଯାଇ ନୀରବ ଅନ୍ଧକାର ଭିତରେ ଅନ୍ତରର ଦୁଆର ଖୋଲେ । ଦିନମାନର ଯାବତୀୟ ଅନୁଶୋଚନା ମିଳାଇଯାଇ ସନ୍ଧ୍ୟାନ୍ଧକାରର ଗାୟତ୍ରୀରୂପେ ଧ୍ୱନିତ ହୋଇଉଠେ । ସେତେବେଳେ ଉପରେ ଥିବା ଆକାଶର ନକ୍ଷତ୍ର ମଣ୍ଡଳ ପରି ଭିତରେ ମଧ୍ୟ ଅନ୍ତରାକାଶର ଭାବଗୁଡ଼ିକ ପରମ ସତ୍ୟରୂପେ ପ୍ରସ୍ଫୁଟିତ ହୋଇଉଠେ ।

 

ଏହି ଆଶ୍ରମଟିକୁ ଯଥାର୍ଥରୂପେ ଜାଣିବାକୁ ହେଲେ ଏଠିକା ଜୀବନ ସହିତ ଘନିଷ୍ଟଭାବେ ସମ୍ମିଳିତ ହୋଇଯିବାକୁ ପଡ଼ିବ । ଅଭିଳଷିତ ରତ୍ନର ଆଶାରେ ଏଠି ମୋତେ ସମଗ୍ର କାର୍ଯ୍ୟକଳାପର ସମୂହରେ ମଜ୍ଜିଯିବାକୁ ହେବ । ଦୁଧ ମାପିବା ଯନ୍ତ୍ର ଦୁଧର ମର୍ଯ୍ୟାଦା ଜାଣି ପାରେ ନାହିଁ ।

 

ଏଠି ନାନା ସାମୂହିକ କାର୍ଯ୍ୟଭିତରେ ମୋର ପ୍ରାୟ ସମସ୍ତ ସମୟ କଟିଯାଉଚି । ଅବସନ୍ନ ଚିତ୍ତରେ ଆପଣା ମନର ଗ୍ଳାନି ଓ ଗୌଣତାଗୁଡ଼ାକ ବସି ଭାବିବାଲାଗି ଟିକିଏ ହେଲେ ଅବସର ଏଠି ମିଳୁନାହିଁ । ମନର ଅନେକ sophistications ଆପେଆପେ ମିଳାଇ ଯାଉଚି ଏହି କର୍ମସମର୍ପିତ ମୁହୂର୍ତ୍ତ ଗୁଡ଼ିକରେ । ସେଠି ଶାନ୍ତିନିକେତନରେ ନିଜର କଥା ଭାବିଭାବି, ନିଜର ଚିନ୍ତାଶିରାଗୁଡ଼ାକୁ ଉଖାରି ଉଖାରି ମନେମନେ ଖାଲି ଛଟପଟ ହେବାରେ ହିଁ ହୁଏତ ଗୋଟାଏ sadistic ସୁଖ ମିଳୁଥିଲା । ସମୂହ ସହିତ ମିଶି କୌଣସି ନିଃସ୍ୱାର୍ଥପର କାର୍ଯ୍ୟରେ ଆପଣାକୁ ବିଲୀନ କରିଦେବାରେ ଅବକାଶ ସେଠାରେ ଅତି କମ୍ ଥିଲା । ସେଥିଲାଗି ଜୀବନବାଟରେ ଏତେ ଟିକିଏ କଥା ତାଳପରି ହୋଇ ସମୟର ଶାନ୍ତ ଗତିରେ ବଡ଼ ବାଧା ଦେଉଥିଲା । morbid ହେବାର softness ସେଠି ଭରି ବାଟ ଭୁଲାଉଥିଲା । ଏହି ଦୃଷ୍ଟିରୁ ସେବାଗ୍ରାମକୁ ଆସି ମୋର ଗୋଟାଏ ବଡ଼ ଲାଭ ହେଲା ।

 

୨୦.୯.୧୯୫୦

 

ଆଗରୁ ଅନଭ୍ୟସ୍ତ ଥିବାରୁ ଏଠିକା କାର୍ଯ୍ୟକ୍ରମରେ ସମ୍ମିଳିତ ହେବା ସଙ୍ଗେସଙ୍ଗେ ମୁଁ ଆପଣାର ଲେଖାପଢ଼ାଲାଗି ସମୟ କରି ପାରିନାହିଁ । କ୍ରମେ ସବୁ ଠିକ ହୋଇଯିବ । ନିୟମିତ ଦିବସର ସମୟ ମଧ୍ୟରୁ କେତେଟା ଘଣ୍ଟା ବଳେ ପଢ଼ାଲେଖା ପାଇଁ ନିର୍ଦ୍ଦିଷ୍ଟ ହୋଇ ରହିପାରିବ । ତେଣୁ ମୁଁ ଏଇଠୁ ହତାଶ ହୋଇ ପଡ଼ିବିନାହିଁ । ସମୟ ଜାଣି ସବୁ ହୋଇଯିବ ।

 

କ୍ରମେ ଏଠିକା ମଣିଷର ସମ୍ପର୍କରେ ଆସୁଚି । ଏହି ସ୍ଥାନର ଭଲମନ୍ଦ ବିଷୟରେ ମନଭିତରେ ନାନାପ୍ରକାରର ପ୍ରତିକ୍ରିୟା ଆସୁଚି । ସେହି ପ୍ରତିକ୍ରିୟାଗୁଡ଼ିକୁ ମୁଁ ହଜମ କରିବି । ବର୍ତ୍ତମାନର ଯାବତୀୟ ଅଭିଜ୍ଞତାକୁ ମୋତେ ଭବିଷ୍ୟତ କର୍ମଭୂମିର ପରୀକ୍ଷାବେଳେ କାମରେ ଲଗାଇବାକୁ ହେବ । ଯେ କୌଣସି କ୍ଷେତ୍ରରେ ହେଉ ପଛକେ, ନିସ୍ପୃହ ଭାବରେ ପଦେ ସମାଲୋଚନା ବା ପଦେ ମୁଗ୍‌ଧ ପ୍ରଶଂସା କରିପକାଇବା ମୋର ଖୋଇ ନୁହେଁ । ଭଲ ସବୁଠାରେ ରହିଚି, ଉଚିତ ଆଖିରେ ନିରୀଖି ଦେଖିପାରିଲେ ସବୁଥିରୁ ବି ଶିଖିବାର ନିଶ୍ଚୟ ଅଛି । ମୁଁ ସେହି ବାଟଟିକୁ ଗ୍ରହଣ କରିବି । ଜୀବନକୁ ଜାଣିବା ଓ ଭଲ ପାଇବାଲାଗି ଯୋଉଠି ଯେତେ ପ୍ରକାରର ବ୍ୟବଧାନ ରହିଥାଉ ପଛକେ, ସକଳ କାର୍ଯ୍ୟକଳାପ ଓ ସବୁ ମଣିଷର ଅନ୍ତର୍ପ୍ରବେଶ କରିବାକୁ ହିଁ ମୁଁ ଆପଣାର ବ୍ରତ କରିନେବି । ସବୁରି ଗୁହାରେ ନିହିତ ରହିଥିବା ଚିହ୍ନା ରତ୍ନଲାଗି ମୋର ଏହି ଧୈର୍ଯ୍ୟଯାତ୍ରା ।

 

ଶାନ୍ତିନିକେତନ ପରି ସେବାଗ୍ରାମରେ ଆକାଶ ମଧ୍ୟ ଅତି ପ୍ରଶସ୍ତ । ଟିକିଏ ଦୂରକୁ ଚାଲିଗଲେ ସରଳ ଦିଗ୍‌ବଳୟର ମନୋରମ ନୀଳରେଖାଟି ଏଠି ମଧ୍ୟ ନୟନ ମନକୁ ବାନ୍ଧିରଖେ । ମୁଁ ଆହୁରି ଘନିଷ୍ଠ ଭାବରେ ଏଠି ପ୍ରକୃତି ସହିତ ପରିଚିତ ହେବି, ପ୍ରତ୍ୟେକ ସନ୍ଧ୍ୟା ଓ ପ୍ରତ୍ୟେକ ସକାଳଟିକୁ ଚିହ୍ନିନେବାର ଚିତ୍ତଶ୍ରଦ୍ଧା ମୁଁ ରଖିଥିବି । ସତତ ଯୁକ୍ତ ରହିବାଲାଗି ଏହାହିଁ ସହଜ ବାଟ ।

 

୨୧.୯.୧୯୫୦

 

ଆଜି ଭୋରରୁ ଉଠି ଆପଣାର ଅଜ୍ଞାନଜନିତ ଅପୂର୍ଣ୍ଣତାଗୁଡ଼ାକ ହଠାତ୍ ମନେ ପଡ଼ିଯାଉଚି । ଏ ଜୀବନରେ ମୁଁ ପୂର୍ଣ୍ଣତାର ଆସ୍ୱାଦନ ପାଇବି କି ନାହିଁ ଜାଣେନା । କିନ୍ତୁ ଏତିକି ଜାଣେ ଯେ ପରିପୂର୍ଣ୍ଣ ପ୍ରଚେଷ୍ଟା ଜାରୀ ରହିଥିବା ପର୍ଯ୍ୟନ୍ତ ମନୁଷ୍ୟ ମର୍ତ୍ତ୍ୟରେ ମଧ୍ୟ ଅମର ଜୀବନ ଲାଭ କରିପାରେ । ଆଦର୍ଶ ବ୍ୟବସ୍ଥାର ସ୍ଥାପନା ନାମରେ ଜଗତରେ ଯେତେପ୍ରକାର ଉଦ୍ୟମ ହୋଇଚି, ସବୁ କେବଳ ଅନେକାଂଶରେ ଏହି ସଚେଷ୍ଟତାକୁ ହିଁ ଅଧିକ ତତ୍ପର କରାଇଦେବା ଲାଗି । ସେହି ପୂର୍ଣ୍ଣତାର ମାର୍ଗରେ ସବୁ ମଣିଷ ଅହରହ ଯାତ୍ରା କରିବେ, ବିଶ୍ୱେଶ୍ୱରଙ୍କର ବିରାଟତା ମଧ୍ୟରେ ସମସ୍ତେ ଆପଣାର ଜୀବନଟିକୁ ପ୍ରସାରିଦେଇ ପାରିବେ, ପୃଥିବୀରେ ଈଶ୍ୱରଙ୍କର ସାମ୍ରାଜ୍ୟ ପ୍ରତିଷ୍ଠା କହିଲେ ଖ୍ରୀଷ୍ଟିଆନ୍ ସନ୍ଥମାନେ ବୋଧହୁଏ ଏହାହିଁ କହନ୍ତି ।

 

ତେବେ ଆଜି ସକାଳୁ ମୁଁ ଏହି ମନୋଗ୍ଳନିରେ ପୋଡ଼ି ମରୁଚି କାହିଁକି ? ଆଉ ଟିକିଏ ଗଲେ ଦିନମାନର କାର୍ଯ୍ୟରେ ମନ ତତ୍ପର ହୋଇ ଉଠିବ, ପୂର୍ବ ସୀମାରେ କିରଣର ଆଗମନୀ ବାଜିବ. ମୁଁ ସଂସାରରେ ସଭିଙ୍କ ହସ ଓ ଆନନ୍ଦରେ ପରିପ୍ଳୁତ ହୋଇ ଉଠିବି । ତେବେ ମନଭିତରେ ହଠାତ୍ ଏହି ଅବସାଦ କାହିଁକି ? ସିଏ ମୋର ପାଖେପାଖେ ରହିଚି । ବନ୍ଧୁ ସେ,—ନାନା ଉପାୟରେ ସେ ମୋ’ କ୍ଷତର ପରିପୂରଣ କରି ଚାଲିଚି । ଆଲୁଅ ଅନ୍ଧାର, ହସ କାନ୍ଦ, ଚିହ୍ନିବା ଓ ବିସୋରିବାର ନାନା ଅପୂର୍ବ ଲୀଳା ମଧ୍ୟରେ ସେ ମୋତେ ତା’ର ଉପସ୍ଥିତ ଜଣାଇଦେଇ ଯାଉଚି । ମୁଁ ତାକୁ ଜାଣିଚି ତ ? ସବୁଠାରୁ ବଡ଼ ଆଘାତ ଆସି ବାଜିଲାବେଳେ ସେହି ଶୁଭଙ୍କରକୁ ମୁଁ ସବୁଠାରୁ ବଡ଼ ସତ୍ୟ ବୋଲି ଗ୍ରହଣ କରିଚି ତ ? ଆଜି ସକାଳର ପ୍ରାର୍ଥନା ମୋତେ ଏହି ଗ୍ରହଣ କରିବାର ବଳ ଦେଇଯାଉ ।

 

୨୨.୯.୧୯୫୦

 

ସେବାଗ୍ରାମରେ ପ୍ରାୟ ସପ୍ତାହେ କଟିଗଲାଣି । ଏଠିକାର କାର୍ଯ୍ୟକଳାପ ଓ ନିର୍ବାହରୀତି ବିଷୟରେ ମୋ ମନଭିତରେ ନାନାପ୍ରକାର କ୍ରିୟା ପ୍ରତିକ୍ରିୟା ହୋଇଯାଇଚି । ଏସବୁ ହୁଏତ କେବଳ ପ୍ରଥମ ସଂସ୍ପର୍ଶରେ ପ୍ରତିକ୍ରିୟା, ଦିନୁଦିନ ପରିଶୋଧିତ ଓ ପରିବର୍ତ୍ତିତ ହୋଇ ସେଗୁଡ଼ିକ କ୍ରମେ ଦାନା ବାନ୍ଧିବ । ଏଠାରେ ଆସି ପହଞ୍ଚିବା ଦିନଠାରୁ ହିଁ ମୋର ସେହି କାମ ଆରମ୍ଭ ହୋଇ ଯାଇଚି । ଲୋକନିର୍ମାଣ—କାର୍ଯ୍ୟରେ ଆପଣାକୁ ଉଦ୍ଦିଷ୍ଟ କରି ଦେଇଥିବା ଜଣେ ବ୍ରତତୀ ହିସାବରେ ମୁଁ ଏଠାରେ ସବୁ ତଉଲି ଦେଖୁଚି, ସବୁ ଉତ୍ସର ସନ୍ଧାନ ଖୋଜୁଚି, ଗୋଡ଼ିପଥର ସବୁ ଓଲଟାଇ ଦେଖୁଚି ।

 

ମୁଁ ଦେଶକୁ ଠକୁଚି, ଓ ଦେଶ ମୋ’ ଠାରୁ ଦାବୀ କରୁଥିବା ଦାୟିତ୍ୱକୁ ବହନ କରିବାଲାଗି ମୁଁ ଏପର୍ଯ୍ୟନ୍ତ ଯୋଗ୍ୟ ହୋଇ ପାରିନାହିଁ,—ଜଣେ ଶୁଭାକାଙ୍‌କ୍ଷା ଗୁରୁଙ୍କଠାରୁ ଆଜି ଏହିପରି ଏକ ଚେତାବନୀ ଚିଠି ପାଇଲି । ତାଙ୍କ ପାଖରେ ମୋର ଉଦ୍ଦେଶ୍ୟଗୁଡ଼ାକୁ ସାଧୁଦ୍ଦେଶ୍ୟ ବୋଲି ପ୍ରମାଣ କରି ଦେଖାଇବାଲାଗି ମୁଁ କୌଣସି ଚେଷ୍ଟା କରିବିନାହିଁ । ଯିଏ ଯାହା ହେବାର ଥିବ ସିଏ ତାହା ହେବ । ସଂସାର ମୋ’ ଠାରୁ କଣ ଆଶା କରିଥିଲା, କ’ଣ ପାଇଲା ବା ନପାଇଲା, କେବଳ ସେହି କଥାଗୁଡ଼ାକର ସଫେଇ ଦେବାରେ ମୁଁ ସମୟ ନଷ୍ଟ କରିବନାହିଁ । ମୋର ଯୋଗ୍ୟତା ଓ ମୋର ଦୁର୍ବଳତାକୁ ମୁଁ ଭଲକରି ଜାଣେ । କିନ୍ତୁ ମୋର ଜ୍ୱଳତୀ ଆକାଙ୍‌କ୍ଷାକୁ ମୁଁ ସବୁଠାରୁ ଭଲକରି ଜାଣେ । ତପସ୍ୱୀ ମନର ସେହି ଦୁର୍ବାରିତ ଅଭିଳାଷକୁ ଓ ତା’ର ଏକାନ୍ତ ନୀରବ ପଥକୁ ନିରପେକ୍ଷ ଭାବରେ ଅନ୍ୟଜଣେ ଚିହ୍ନିପାରିବ କିପରି ? ମୁଁ କାହାର ପ୍ରୟୋଜନରେ ଲାଗିଲି ନାହିଁ ବୋଲି ବା କାହାରି ଇଚ୍ଛାମତ ନିଜର ବାସନାକୁ ସଙ୍କୁଚିତ କରି ପାରିଲି ନାହିଁ ବୋଲି ମୁଁ ଆଉ କଦାପି କ୍ଷୁନ୍ନ ହେବିନାହିଁ ।

 

୨୩.୯.୧୯୫୦

 

ଏହି ଆଶ୍ରମକୁ ଆପଣାର କରି ନେବାଲାଗି ମୋତେ ବେଶୀ ଦିନ ଲାଗିଲାନାହିଁ । ଏହା ମୋର ସୌଭାଗ୍ୟର କଥା । ନୂତନ ମଧ୍ୟରେ ମନପ୍ରାଣ ସମେତ ବୁଡ଼ିଯାଇ ପାରିଲେ ନୂତନକୁ ଜାଣିବା ଓ ଗ୍ରହଣ କରିବା ଆଉ କଷ୍ଟକର ହୁଏନାହିଁ । ଏହାହିଁ ଶ୍ରଦ୍ଧା ଓ ପ୍ରେମର approach ! Perfect comprehension କୁ ଗୁରୁଦେବ ଯଥାର୍ଥରେ ପ୍ରେମ ବୋଲି କହିଚନ୍ତି । ନାନା ସ୍ଥାନରେ ତୀର୍ଥକାକ ହୋଇ ମୁଁ ହୁଏତ ସମୟ ନଷ୍ଟ କରୁଚି ବୋଲି କେଉଁ ପ୍ରୟୋଜନୀ ବନ୍ଧୁ ଅପବାଦ ଦେଇ ପାରନ୍ତି, କିନ୍ତୁ କେବଳ ମୁଇଁ ଜାଣେ ଏହି ନବନବ ତୀର୍ଥର ଅନୁଭୂତି ମୋତେ କିପରି ଉପରକୁ ପରିଚାଳିତ କରି ନେଉଚି, ସତେଯେପରି ମୋ ଶରୀରର ପ୍ରତ୍ୟେକ ଲୋମକୂପ ମଧ୍ୟ କ୍ରମେ ରୋମାଞ୍ଚିତ ହୋଇ ଉଠୁଚି ଏହି ଅପୂର୍ବ ସମ୍ପଦର ଉପଲବ୍‌ଧି ଦ୍ୱାରା ।

 

ଜାଣେନା, କି ଭାଷାରେ ନିଜର ମନକଥା କହିପାରିଲେ ପରିଚିତ ମଣ୍ଡଳରେ ମୁଁ ଆପଣାର ଯଥାର୍ଥ ପରିଚୟ ଦେଇପାରିବି ! ବାରଜଣଙ୍କୁ ଭଲ ଲାଗିବାଭଳି ଗଢ଼ା କଥା କହି ମୁଁ ଅନେକଥର କ୍ଳାନ୍ତ ହୋଇ ପଡ଼ିଚି, ବଡ଼ବଡ଼ କଥାରେ ପ୍ରଗଳ୍‌ଭ ହୋଇ ମୁଁ ଅନେକ ସମୟରେ ଅନେକଙ୍କୁ ସ୍ତମ୍ଭିତ କରିଦେବାକୁ ଇଚ୍ଛା କରିଚି, କିନ୍ତୁ ତଥାପି ଯେପରି ଅସଲ ଦେଖା ହୋଇପାରିନାହିଁ, ଅସଲ ବହିରୁ ଯେପରି ଗୋଟିଏ ପୃଷ୍ଠା ମଧ୍ୟ ଖୋଲା ହୋଇନାହିଁ । ନିଜର ନିଷ୍ଫଳ ବିଜ୍ଞାପନରେ ଖାଲି ଆପେ ଲଜ୍ଜିତ ହେବା ହିଁ ସାର ହୋଇଚି । ଭିତରେ କେତେ ଅଭିଳାଷ ଓ ଅନ୍ତରଡ଼ାଳରେ କେତେକେତେ ଆଖି ଯେପରି କାହାର ଦର୍ଶନ-ଲାଳସାରେ ବସି ରହିଚି, ଧ୍ୟାନୀ ମନର ନୀରବ ଛାୟା ତଳେ କେଉଁ ସୃହୃତ୍ ଯେପରି ତା’ର ଚିହ୍ନା ଅତିଥିଲାଗି ଅପେକ୍ଷା କରି ବସିଚି-

 

୨୪.୯.୧୯୫୦

 

କାଲି ରାତିଟା ବିନୋବାଜୀଙ୍କ ଆଶ୍ରମ (ପଓନାର୍)ରେ କଟାଇଥିଲି । ସେହି ଆଶ୍ରମର ବିଭିନ୍ନ କାର୍ଯ୍ୟକଳାପ ଭିତରେ ସ୍ୱାବଲମ୍ବନର ଅତିରିକ୍ତ Extreme ଦିଗଟା ଅତି ସ୍ପଷ୍ଟହୋଇ ଉଠୁଚି । ସ୍ୱାବଲମ୍ବନର ଅର୍ଥ କୌଣସି ପ୍ରକାର ଶୋଷଣରେ ଭାଗ ନନେବା । କିନ୍ତୁ ସମାଜ ସହିତ ସବୁପ୍ରକାର ସମ୍ବନ୍ଧ ଛିନ୍ନ କରି ଆପେ ଆପଣାଲାଗି ଆବଶ୍ୟକ ପ୍ରତ୍ୟେକ ପଦାର୍ଥ ଉତ୍ପନ୍ନ କରିବାର ଅଧ୍ୟବସାୟଟା ହୁଏତ ପ୍ରକୃତ ସ୍ୱାବଲମ୍ବନ ନୁହେଁ । ଏହି ମନୋଦୃଷ୍ଟିକୁ ଏକପ୍ରକାର ଅପସାରଣ ବୋଲି କୁହାଯାଇପାରେ । ଏପରି ସ୍ୱାବଲମ୍ବନ ଉପରେ ସମାଜ ତିଷ୍ଠି ପାରିବନାହିଁ, ହୁଏତ ଅତିରିକ୍ତ ଆଦର୍ଶର ଗୋଟିଏ ଗୋଟିଏ model ହିସାବରେ କେତୋଟି ଆଶ୍ରମରେ କେତେଜଣ ଅତିପ୍ରତିଭ ମହାପୁରୁଷ ଏହି ସ୍ୱାବଲମ୍ବନର ଅନୁଶୀଳନ କରିପାରନ୍ତି । ଏହିପରି ଏକ ସ୍ୱାବଲମ୍ବନର ଏକ ମନୋବୈଜ୍ଞାନିକ ପରିଣାମ ମଧ୍ୟ ହୋଇପାରେ । ସମସ୍ତ ଜଗତ ଓ ମଣିଷ ସମାଜ ଆପଣାର ମିଳନ ସୂତ୍ରକୁ ଭୁଲି କେବଳ ନିଜର ଦୈନନ୍ଦିନ କାର୍ଯ୍ୟ ଓ ଧର୍ମଚର୍ଯ୍ୟା ଉପରେ ସକଳ ଧ୍ୟାନକୁ ନ୍ୟସ୍ତ କରି ରଖିବାର ଆଶଙ୍କା ଏଥିରେ ରହିଚି । ଏହାଦ୍ୱାରା ଅନେକ ସମୟରେ ଲୋକନିର୍ମାଣ ଅପେକ୍ଷା ଲୋକବର୍ଜନ ହିଁ ଅଧିକ ପରିମାଣରେ ହୋଇଥାଏ ।

 

ଏହିସବୁ କାରଣରୁ ପଓନାର ଆଶ୍ରମଠାରୁ ଅଧିକ ଭଲ ଲାଗିଲା ଆଶ୍ରମ ଚାରିପାଖର ପ୍ରାକୃତିକ ଦୃଶ୍ୟ । ଶୁକ୍ଳା ଦ୍ୱାଦଶୀ ରଜନୀର ଧବଳ ଆକାଶତଳେ ଧାମ୍‌ନଦୀର ପଥୁରି ଶଯ୍ୟା ଉପରେ କାଲି ମୁଁ ଅନେକ ସମୟ କଟାଇ ଦେଇଚି ।

 

ଆଧୁନିକ ଭାରତର ସଚ୍ଚା ସନ୍ୟାସୀମାନଙ୍କ ମଧ୍ୟରେ ବିନୋବାଜୀ ଅନ୍ୟତମ । ଆପଣାର ସାଧ୍ୟ ଓ ସାଧନ ତାଙ୍କୁ ନିରନ୍ତର ନିମଗ୍ନ କରି ରଖିଚି, ତାଙ୍କର ଆଧ୍ୟାତ୍ମିକ ଭାବନା ତାଙ୍କର ସମଗ୍ର ଜୀବନକୁ ଭେଦାଇ ରଖିଚି, ସେ ଯଥାର୍ଥ ଦୃଷ୍ଟିଲାଭ କରିଚନ୍ତି । ଅନେକେ ତାଙ୍କୁ ଜଣେ ବଡ଼ ଦାର୍ଶନିକ ବୋଲି କହନ୍ତି । କିନ୍ତୁ ମୋ’ ମତରେ ସେ ପ୍ରଥମେ ଦ୍ରଷ୍ଟା ଏବଂ ତା’ପରେ ଦାର୍ଶନିକ ।

 

୨୫.୯.୧୯୫୦

 

ସବୁ ମଣିଷ ଭିତରେ ଏପରି ଏକ ଗ୍ରହଣଶୀଳ ସ୍ଥାନ ରହିଚି, ଯେଉଁଠି ଆଘାତ କରି ପାରିଲେ ମଣିଷର ସକଳ ଶ୍ରେଷ୍ଠ ଆବେଗ ଓ ଅନୁରକ୍ତିମାନ ଆପେ ଆପେ ବାହାରି ଚାଲିଆସେ । ମଣିଷ ଭିତରେ ନିହିତ ରହିଥିବା ଆତ୍ମା ପରି ହୃଦୟର କେଉଁ ନିରୋଳା କୋଣରେ ମଣିଷର ଏହି ମହତୀ ବୃତ୍ତିଟି ଲୁଚିରହିଚି କେଜାଣି ? ମଣିଷ ଆପଣାକୁ ସ୍ୱଭାବତଃ ସଂସାର ଭିତରେ ଅଜାଡ଼ି ଦେବାକୁ ଚାହେ । ପ୍ରତ୍ୟେକ ମଣିଷ ଏପରି ଏକ ଆଧାର ବା ଆଶ୍ରୟ ଖୋଜୁଥାଏ, ଯେଉଁଠାରେ କି ସେ ଆପଣାର ସମସ୍ତ ଅନ୍ତର୍ବୃତ୍ତି, ସମସ୍ତ ବୁଦ୍ଧି, ବଳ ଓ କ୍ରିୟାକୁ ଅର୍ପଣ କରିଦେଇ ପାରିବ । କିନ୍ତୁ ସବୁ ସମୟରେ ସେ ଉଚିତ ପାତ୍ର ପାଏନାହିଁ, ଉଚିତ ଇଙ୍ଗିତର ଭାଷାକୁ ସେ ଠିକ୍ ଠିକ୍ ବୁଝିପାରେ ନାହିଁ । ତେଣୁ ହୁଏତ ଏକ ଅତି ସଂକୀର୍ଣ୍ଣ ସୀମାଭିତରେ, ଏକ ନିକୃଷ୍ଟ ସ୍ତରରେ ମଣିଷ ଆପଣାକୁ ଦେଇଦିଏ । କେଉଁଠି ଜଣେ ବ୍ୟକ୍ତି ବା ଏକ dictated sentiment ଲାଗି ସବୁ ଦେଇଦେବାକୁ ମଧ୍ୟ ସେ ତିଳେହେଲେ କୁଣ୍ଠିତ ହୁଏନାହିଁ । ହିଟଲରର ଜର୍ମାନୀ ଓ ମୁସୋଲିନୀର ଇତାଲୀରେ ମଣିଷର ଅନୁରକ୍ତିକୁ ଏହିପରି ନିମ୍ନମୁଖ କରିଦେବାର କୁକୀର୍ତ୍ତି କରାଯାଇଚି । ଏବେ ଭାରତବର୍ଷରେ ମଧ୍ୟ ଦେଶ ଓ ଜାତିର ନାମ ନେଇ ମଣିଷକୁ ଚହଲାଇ ଦେବାର ପ୍ରବୃତ୍ତି ମଧ୍ୟ ଦେଖାଗଲାଣି । କିନ୍ତୁ ମଣିଷ କୌଣସି ଦେଶ ବା ଜାତିଲାଗି ନୁହେଁ, ସେ ଅମୃତର ପୁତ୍ର; ସେହି ଅମୃତର ଉଦ୍‌ବୋଧନ ଦ୍ୱାରା ହିଁ ମଣିଷର ସକଳ ପ୍ରବୃତ୍ତିକୁ ନିର୍ଦ୍ଦିଷ୍ଟ କରାଯାଇ ପାରିବ । ମଣିଷ କୋଉଦିନ ଆପଣାକୁ ଏହି ଦୃଷ୍ଟିରେ ଦେଖି ଶିଖିବ ? କୋଉଦିନ ସେ ଆପଣାର ଯୋଗ୍ୟ ଭୂମିକୁ ଫେରିଆସିବ ?

 

୨୬.୯.୧୯୫୦

 

ସକାଳୁ ହଠାତ୍ ନାନା ମିଶ୍ରିତ ରଙ୍ଗରେ ଅନ୍ତରାକାଶଟା ଉକୁଟି ଉଠୁଚି । ରାତ୍ରିର ନୀରବ ନିରବଚ୍ଛିନ୍ନତା ଭାଙ୍ଗି ସେଠାରେ ଯେପରି କାହାର ପଦଚାରଣା ଆରମ୍ଭ ହେଲାଣି, ଆଉ ଅଳ୍ପକ୍ଷଣ ପରେ ସୂର୍ଯ୍ୟୋଦୟ ହେବ । ମୋର ସମସ୍ତ ବିରହର ପୁଞ୍ଜୀଭୂତ ବେଦନା ଗୋଟିଏ ଏକକ ଆଲୋକପିଣ୍ଡ ହୋଇ ଫୁଟିଉଠିବ ।

 

ମୋହ ମୋତେ ପାଗଳ ନକରୁ । ସବୁରି ଦୁଆରେ କରାଘାତ କରି ସ୍ନେହସମ୍ଭାଷଣ ଜଣାଇ ଆସିଲେ ମଧ୍ୟ ମୁଁ ଯେପରି ସଂସାରର କୌଣସି ଥଳରେ ମୁଗ୍‌ଧ ଓ କ୍ଷୁବ୍‌ଧ ହୋଇ ନ ପଡ଼େ । ପ୍ରେମର ପରିପୂର୍ଣ୍ଣତା ନିଜର ବିକଶିତ ସମର୍ପଣରେ । ଠିକ୍ ଫୁଲଟି ପରି ଆପଣାର ସକଳ ଦଳଗୁଡ଼ିକୁ ଫୁଟାଇ ଆପଣାର ଗନ୍ଧକୁ ବ୍ୟାପ୍ତ କରିଦେବାରେ ହିଁ ପ୍ରେମର ସାର୍ଥକତା । ମୁଁ ଠିକ୍ ସେହିପରି ବିକଶିତ ହୋଇ ଉଠିବି, ଅକୃପଣ ଭାବରେ ସବୁଠାରେ ଆପଣାକୁ ସମର୍ପଣ କରିଦେଇ ପାରିବି, ଅଥଚ କୌଣସି ବିଶେଷ ଆଧାରର ମୋହ ମତେ ବାନ୍ଧିରଖି ମୋର ଆବେଗ ସ୍ରୋତରେ ଆବର୍ତ୍ତ ରଚନା କରିବ ନାହିଁ;—ଏହାହିଁ ମୋର ଆଜିକାର ପ୍ରାର୍ଥନା ।

 

ଏହି ସପ୍ତାହରେ ମୁଁ ଜାଣିଶୁଣି କାମର ମାତ୍ରାକୁ ବଢ଼ାଇ ଦେଇଚି । ତଥାପି ସବୁ କାମଭିତରେ ମଧ୍ୟ ମନକୁ ଠିକ୍ ସେହିପରି ନିତ୍ୟଜିଜ୍ଞାସୁ କରି ରଖିବାକୁ ହେବ । ତା’ର କୌଣସି ଗ୍ରହଣଦ୍ୱାର ଯେପରି କୌଣସି ପ୍ରକାରେ ବନ୍ଦହୋଇ ନଯାଏ ! କାମ କରିବାର ନିଶାରେ କାମ କରିବା ମଧ୍ୟ ଗୋଟାଏ ମୋହ, ଠିକ୍ ଜ୍ଞାନ ଅର୍ଜିବାର ନିଶାରେ ଜ୍ଞାନ ଅର୍ଜିବା ପରି । ଜୀବନସହିତ ଯଥାର୍ଥ ପରିଚୟ ରହିଥିଲେ କର୍ମ ଓ ଜ୍ଞାନକୁ କେହି ପରସ୍ପରଠାରୁ ଛିନ୍ନ କରି ପାରିବ ନାହିଁ ।

 

୨୭.୯.୧୯୫୦

 

ଲେଖାର ଅଭ୍ୟାସ ବିଲକୁଲ୍‌ ଚାଲିଗଲା ପରି ଲାଗୁଚି । ଯେତେ କଲେ ମଧ୍ୟ ମୁଁ ଏଥିଲାଗି ଭିତରୁ କୌଣସି ଆହ୍ୱାନ ପାଉନାହିଁ । ମୋର ମନ ହୁଏତ ଭିତରେ ଭିତରେ ତା’ର ଆପଣା ଆୟୋଜନ କରୁଚି, ସମୟ ଜାଣି ଦିନେ ଆପେ ବିକଶି ଉଠିବାକୁ । କଟକ ଜେଲର ସେହି ପ୍ରେରଣାମୟ ଦିନଗୁଡ଼ିକ ଭାରି ମନେପଡ଼ୁଚି । ସେତେବେଳେ ପ୍ରତିଦିନ ମୁଁ ପ୍ରାୟ ସାତଆଠୋଟି କବିତା ଲେଖି ପାରୁଥିଲି । କର୍ମରତ ମୁହୂର୍ତ୍ତଗୁଡ଼ିକରେ ମଧ୍ୟ ମତ ତା’ର ଆପଣା ସୃଜନର ପୀଠି ତିଆରି କରିବାରେ ସତତ ରତ ରହିଥିଲା । ସେହି ଏକାଗ୍ରତା ଓ ସେହି ଶକ୍ତି ମୁଁ ହୁଏତ ହରାଇ ବସିଲିଣି । ହୁଏତ ବାହାର ଜଗତର ନାନା ଅନାବଶ୍ୟକ ସୋରଶବ୍ଦ ମୋ’ ଶ୍ରବଣର ସୂକ୍ଷ୍ମଗ୍ରହିତାକୁ ନଷ୍ଟ କରି ଦେଲାଣି, ଏହି ପୃଥିବୀର ନାନା ନୈରାଶ୍ୟଜନକ ବିପର୍ଯ୍ୟୟ ମୋର ଗ୍ରହଣଶୀଳତାକୁ ହୁଏତ ଦନ୍ଥର କରିଦେଲାଣି ବା ମନୋବିଜ୍ଞାନ ତଥା ରାଜନୀତି ଶାସ୍ତ୍ରର ତିଆରି ତଥ୍ୟମାନଙ୍କର ପଙ୍କରେ ପଶି ମୁଁ ହୁଏତ ଆପଣାର ନିତ୍ୟୋତ୍ସାହୀ ଶିଶୁ ମନଟିକୁ ହଜାଇ ଦେଲିଣି । ପୁଣି ମୁଁ ସବୁ ଫେରିପାଇବି । ସବୁଦିନପାଇଁ ଆପଣାକୁ ଶିଶୁସୁଲଭ କରି ରଖିବାର ଶକ୍ତି ମୁଁ ପୁଣି ହାସଲ କରିବି । ଯଥାର୍ଥ ସୃଷ୍ଟି କରି ପାରିବାଲାଗି ଯେଉଁ ଅବଧାରଣ—ସମର୍ଥତା ଦରକାର, ମୋର ପ୍ରାର୍ଥନା ମୋତେ ତାହା ନିଶ୍ଚୟ ଆଣିଦେବ । ଆଜି ଏହି ବିରକ୍ତିକର ଅସ୍ଥିରତାଟା ମୋତେ ଯେପରି ମାଡ଼ି ବସି ରହିଥିଲାପରି ମନେହେଉଚି, ଏହା ଅତି କ୍ଷଣସ୍ଥାୟୀ ।

 

ଇଉରୋପୀୟ ସନ୍ଥଙ୍କ ଭାଷାରେ କହିବାକୁ ଗଲେ, I am now going back ! ଯେତିକି ହୁଡ଼ିଥିଲି, ବର୍ତ୍ତମାନ ସେତିକି ଫେରିଗଲେ ଯାଇ ମୁଁ ଅସଲ ରାସ୍ତାଉପରେ ପହଞ୍ଚିପାରିବି । ପୂର୍ବର ସେହି ପଲ୍ଲବିତ ମାନସ ଶକ୍ତିକୁ ଫେରି ପାଇବାକୁ ହୁଏତ ଆଦୌ ବେଶୀଦିନ ଲାଗିବ ନାହିଁ ।

 

Unknown

୨୮.୯.୧୯୫୦

 

ଭିତରେ ଅନେକ ମଇଳା ବଦ୍ଧ ହୋଇ ବସିଥିଲା । କର୍ମଯୋଗର ଆଲୋକରେ ସେଗୁଡ଼ାକ ଯେପରି ବର୍ତ୍ତମାନ ପରିଶୁଦ୍ଧ ହେବାକୁ ଆରମ୍ଭ କଲାଣି । ବଡ଼ ଅଜ୍ଞାନ ଭାବରେ ମୋର ସମସ୍ତ ଗୁହା କାଞ୍ଚନପାତ୍ର ଦ୍ୱାରା – ଆବୃତ ହୋଇ ରହିଥିଲା, କେଉଁ ସୂର୍ଯ୍ୟ ସତେଅବା ମହାନ ଶପଥରୂପେ ଆସି ଏହିସବୁ ଗୁହାର ସକଳ ଅବଗୁଣ୍ଠନକୁ ଖୋଲି ଦେଲାଣି । ମୁଁ ବାଟକୁ ଆସିବି, ମୋ’ ଦେବତାର ଏହି ନୂତନ ସମାବର୍ତ୍ତନର ଜୟ ହେଉ ।

 

ସେବାଗ୍ରାମ ଓ ଶାନ୍ତିନିକେତନ,—ଦୈହିକ, ମାନସିକ ଏବଂ ଆଧ୍ୟାତ୍ମିକ ବିକାଶର ଏକ ସାମୂହିକ ଯୋଜନା ନେଇ ଦୁଇଟିଯାକ ଅନୁଷ୍ଠାନ ଜନ୍ମଲାଭ କରିଥିଲେ । ବର୍ତ୍ତମାନର ସ୍ଥିତି ଓ ଦୃଷ୍ଟିରେ ଦୁଇ ଅନୁଷ୍ଠାନ ମଧ୍ୟରେ ଗୋଟାଏ ବଡ଼ ଅନ୍ତର ଆଖିରେ ପଡ଼ିଯାଏ । ସେବାଗ୍ରାମ ମଣିଷକୁ ମୂଳରୁ ତିଆରି କରିବାର ଅଭିଳାଷ ରଖିଚି, ଅନ୍ମମୟ ପ୍ରଥମ ସିଡ଼ିରୁ ସିଏ ଆନନ୍ଦମୟ ଶେଷ ସିଡ଼ିକୁ ଉଠିବାକୁ ଚାହେ ଜୀବନର ସାନବଡ଼ ସକଳ କାର୍ଯ୍ୟକଳାପକୁ ପୂଜା ଓ ଅନ୍ତନୈବେଦ୍ୟରେ ପରିଣତ କରି, ବ୍ୟବସ୍ଥିତ ଜୀବନରେ ଏକ ଆଧାର ଭୂତ କ୍ରାନ୍ତି ଆଣି ତାହାକୁ ପୁଣି ଏକ ନୂତନ ସ୍ଥିତିରେ ଗଢ଼ିବାଲାଗି ଏଠାରେ ନିରନ୍ତର ଉଦ୍ୟମ ଚାଲିଚି । ଆଜିକୁ ପଚାଶବର୍ଷ ତଳେ ଶାନ୍ତିନିକେତନ ହୁଏତ ଏକ ସମାନ ପ୍ରେରଣା ନେଇ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହା ପ୍ରଥମତର କୋଷଗୁଡ଼ିକର ଆବଶ୍ୟକତାକୁ ଉପେକ୍ଷା କରି କେବଳ ତଥାକଥିତ ଆନନ୍ଦମୟ ସ୍ତରରେ ଭାସି ରହିବାର ଆସ୍ପର୍ଦ୍ଧା କରୁଚି । ମାଟିଉପରେ କୁଟୀର ତିଆରି କରି ସେବାଗ୍ରାମ ତାରାଲୋକରେ ପହଞ୍ଚିବାର ଅଭିଳାଷ ରଖିଚି, ଆାକାଶରେ ସୌଧ ଗଢ଼ିବାର କଳ୍ପନାରେ ଶାନ୍ତିନିକେତନ ଭୂଇଁଛଡ଼ା ହୋଇ ଉପରକୁ ଉଠିଯାଇଚି ।

 

୨୯.୯.୧୯୫୦

 

ଆଜି ଶାନ୍ତିନିକେତନରେ ସାହିତ୍ୟ ଓ ସଂସ୍କୃତିର ଧୂମ୍ ଲାଗିଚି । ଅନ୍ତରଭିତରୁ କ୍ରମେ ସକଳ ମାନବିକ ପ୍ରକୃତି ମରି ଯାଉଥିଲେ ମଧ୍ୟ ବାହାର ସାଜରେ ପାଦଠାରୁ ସୁନ୍ଥାଯାଏ ନାନା ମଣ୍ଡଣିରେ ମଣ୍ଡିହୋଇ ଶାନ୍ତିନିକେତନର ମଣିଷ ନିକିମା ହୋଇ ବସିବାକୁ ଭଲପାଉଚି । କବିଗୁରୁଙ୍କ ଯେଉଁ ଯୁଗନିର୍ମାଣର ସ୍ୱପ୍ନ ଥିଲା, ପୂର୍ଣ୍ଣ ମାନବୀୟ ଏକ ସଂସ୍କୃତି ଉପରେ ଭିର୍ତ୍ତି କରି ଏକ ମିଳିତ ପରିବାର ଗଢ଼ିବାଲାଗି ଯେଉଁ ଯୋଜନା ଥିଲା, ଅଜ୍ଞତା ତଥା ଅଳ୍ପଜ୍ଞତା ବଶତଃ ତାହା କ୍ରମେ ପରିତ୍ୟକ୍ତ ହେବାକୁ ବସିଲାଣି । ଆଜିର ଏହି ପଇସାଯୁଗରେ ଆପଣାର ମୌଳିକତାଟିକକ ହରାଇ ସାଧାରଣ ଓ ବୈଶିଷ୍ଟହୀନ ହୋଇଯିବାକୁ ଶାନ୍ତିନିକେତନକୁ ହୁଏତ ଆଦୌ ବେଶୀ ଡେରି ଲାଗିବନାହିଁ । ଶିକ୍ଷକକୁ ତଳକୁ ଦବାଇ, ମଣିଷକୁ ମାରି ସେଠାରେ ମଧ୍ୟ ଚତୁର ବ୍ୟବସାୟୀ ଓ କଣ୍ଟ୍ରାକ୍ଟର କ୍ରମଶଃ ସାମାନ୍ୟ ବଢ଼ାଇବାକୁ ଆରମ୍ଭ କଲାଣି । ଏହାର ଅନ୍ତିମ ପରିଣାମ ସହଜରେ ଅନୁମାନ କରାଯାଇପାରେ ।

 

ଶାନ୍ତିନିକେତନ ଯେଉଁ ମୂଳକୁ ଭୁଲିଚି, ଯେଉଁ ମନୁଷ୍ୟ - ଭୂମିକୁ ଅସ୍ୱୀକାର କରିଚି, ସେହି ମୂଳକୁ ପ୍ରଥମ ଆଧାର କରି ସେବାଗ୍ରାମ ଆପଣା ଶିକ୍ଷାସାଧନାର ପ୍ରୟୋଗ କରୁଚି । ଆଜି ସ୍ୱାର୍ଥପର ମଣିଷର ଆସକ୍ତି ସମାଜକୁ ଶତଧା ବିଭକ୍ତ କରିରଖିଚି, ଆପଣାର ଅଧିକୃତ ସଭ୍ୟ ସଭାରେ ସେ ତଳୁଆ ମଣିଷକୁ ସକଳ ସମ୍ମାନରୁ ବଞ୍ଚିତ କରି ରଖିବାକୁ ଚେଷ୍ଟା କରୁଚି । ସେହିଠାରେ ହିଁ ସେବାଗ୍ରାମ ଆପଣାର ପ୍ରତିବାଦ ଜଣାଉଚି । ଉପରର ମଧୁବାତରେ ସନ୍ତରଣ କରିବାର ଅଧିକାର ପ୍ରାପ୍ତ କରିବା ପୂର୍ବରୁ ଆମକୁ ପ୍ରଥମେ ଜୀବନର ତଥାକଥିତ ନିମ୍ନତମ ସ୍ତରକୁ ମଧ୍ୟ ଆଧ୍ୟାତ୍ମିକ ସହଯୋଗ - ରସରେ ଯଥାର୍ଥ ଜୀବନଲାଗି ଯୋଗ୍ୟ କରିବାକୁ ପଡ଼ିବ । ଖାଲି ମନ ବା ଖାଲି କଥାରେ ନୁହେଁ, ଜୀବନର ସକଳ କ୍ଷେତ୍ରରେ ଆମକୁ ନୂଆ ନିର୍ମାଣର ମଞ୍ଜି ବୁଣିବାକୁ ହେବ । ଏହାହିଁ ସେବାଗ୍ରାମର ସର୍ବମୂଳ କଥା !

 

୩୦.୯.୧୯୫୦

 

ଯେ କୌଣସି ଲେଖା ଲେଖିବାର ପ୍ରବୃତ୍ତି ହରାଇ ପକାଇଥିଲା ପରି ଲାଗୁଚି । ହୁଏତ ଦିନେ ହୃଦୟରେ ଯେଉଁ ପ୍ରକାଶାଭିଳାଷୀ ଭଣ୍ଡାରର ଦ୍ୱାର ଉନ୍ମୋଚିତ ହୋଇଥିଲା, ତାହା ପୁଣି ବନ୍ଦ ହୋଇଯାଇଚି । ପଦେ କଥା ଲେଖିବାକୁ ଗଲାବେଳକୁ ଯେପରି ଏକାବେଳେକେ ପଚାଶ ପଦ ମନେ ପଡ଼ି ମୋର ମୁହଁକୁ ବନ୍ଦ କରି ଦେଉଚି । ଏହାଭିତରେ ମୁଁ ଅନେକ ବେଶୀ କଥା ଜାଣିଚି ସତ, କିନ୍ତୁ ହଜମ କରି ପାରିନାହିଁ । ତେଣୁ ଅନ୍ୟସ୍ଥାନରୁ ଶୁଣିଥିବା ବା ପଢ଼ିଥିବା ଚମତ୍କାରିତା ଗୁଡ଼ାକୁ ଅନୁକରଣ କରିବାର ଲାଳସାରେ ପଡ଼ିଯାଇ ମୁଁ ଆପଣା ସ୍ୱାଭାବିକ ଉତ୍ସଟିର ମୁହଁରେ ନାନା ଆବରଣ ଦେଇ ରଖିଚି । ମୋ’ର ନିର୍ବାକ୍ ହୋଇ ବସିବାର ଏହାହିଁ କଣ ଗୋଟାଏ ବଡ଼ କାରଣ ନୁହେଁ କି ?

 

ହୃଦୟ ହେଉଚି ସକଳ ସୃଷ୍ଟିର ଜନନୀ, ଆବେଗର ସରଳ ସାଧନଦେଇ ସୃଷ୍ଟି କରିବାରେ ତା’ର ସାର୍ଥକତା । ହୃଦୟ ଯେତେବେଶୀ receptive ଓ responsive ହୋଇପାରିବ, ମଣିଷର ସୃଜନଶକ୍ତି ସେତେ ସହଜରେ ଆପଣାର କର୍ତ୍ତବ୍ୟ ପୂରଣ କରିପାରିବ । ଶିଶୁ ହେଉଚି ଏହି ହୃଦୟାବେଗର ସର୍ବଶ୍ରେଷ୍ଠ ପ୍ରତୀକ । ତେଣୁ ଆପଣାର ଶିଶୁମନଟିକୁ ହରାଇ ବସିଲେ ପ୍ରକାଶର ସକଳ ସାଧନ ପ୍ରଧାନତଃ ନିଷ୍କର୍ମ ହୋଇ ପଡ଼ିରହିବ । ମୋର କଣ ସେଇଆ ହୋଇଚି କି ? ମୁଁ ପଳେପଳେ ଅନୁଭବ କରୁଚି ଯେ ଅନ୍ତରମାଟିରେ ତେଣେ ଅସଂଖ୍ୟ ଭାବନାର ବୀଜ ବୁଣା ହୋଇଚି ନାନା ସଜନର ଶ୍ୟାମଳ ସ୍ୱପ୍ନରେ ମୁଁ ନିୟତ ମଗ୍ନ ହୋଇ ବିଚରଣ କରୁଚି; ତଥାପି ଯେପରି ବାଟ ପାଉନାହିଁ, ସ୍ଥିର ହୋଇ ମୁଁ ଠିକଣା ଦୁଆରେ ଆଘାତ କରି ପାରୁନାହିଁ । ଆପଣା ଘରର ଚାବି ହରାଇ ଦେଇଥିଲା ପରି ମନେ ହେଉଚି । ଜାଣେନା, ଚିତ୍ତଶିଥିଳତାର ଏହି ବୋଝକୁ ମୋତେ ଆଉ କେତେଦିନ ମୁଣ୍ଡାଇବାକୁ ପଡ଼ିବ ।

 

୧.୧୦.୧୯୫୦

 

ଆଜି ରବିବାର । ଆଶ୍ରମର ଦିନଚର୍ଯ୍ୟାରୁ ଛୁଟୀ ପାଇ ଦିନଟିର ଅଧିକ ସମୟ ମୁଁ ବୁଲିବାରେ କଟାଇ ଦେଇଚି । ସେବାଗ୍ରାମରୁ ଟିକିଏ ଦୂରକୁ ଯାଇ ସେବାଗ୍ରାମକୁ ତନଖି ଦେଖିବାର ସୁଯୋଗ ପାଇଚି । କିନ୍ତୁ ତଥାପି ଏହି ଦେଖିବା କେବଳ ପ୍ରଥମ ମନର କଚ୍ଚା ପ୍ରତିକ୍ରିୟା ବ୍ୟତୀତ ବେଶୀ କିଛି ନୁହେଁ । ସହଜ ମନରେ ମୁଁ ଏଠିକାର ପ୍ରାଣଟିର ଅନ୍ତର୍ତଳକୁ ଭେଦ କରି ଦେଖିବି, ନାନା କର୍ମର ପ୍ରଯତ୍ନ ଓ ପ୍ରୟୋଗ ମଧ୍ୟରେ ମୁଁ ଏହି ଅନୁଷ୍ଠାନଟି ସହିତ ଆପଣାକୁ ସମପ୍ରାଣ କରିଦେବି, ତେବେଯାଇ ଏଠିକାର ସାରକୁ ଗ୍ରହଣ କରିପାରିବି ଓ ଆପଣାର ଅସାରଗୁଡ଼ାକର ନିଷ୍କାଶନ କରିପାରିବି । ଖାଲି ସମାଲୋଚନା କରିବା ବା ଦୋଷ ଦୁହିଁବା ଲାଗି ମୁଁ ଏତେଟିକିଏ ଧ୍ୟାନ ଦେବିନାହିଁ, ପରିପୂର୍ଣ୍ଣ ଭାବରେ ଜାଣିବା ହିଁ ହେଉଚି ମୋର ସମସ୍ତ ନିରୀକ୍ଷଣର ସର୍ବପ୍ରଧାନ ଉଦ୍ଦେଶ୍ୟ ।

 

ଶାନ୍ତିନିକେତନ ତଥାପି ମନରେ ଭାସୁଚି । ତାହାର ସକଳ ଦୋଷଦୁଷ୍ଟତା ସତ୍ତ୍ୱେ ମୋର ତଥାପି ବିଶ୍ୱାସ ରହିଚି ଯେ, ଯେ କୌଣସି ଶିକ୍ଷାବ୍ରତୀ ସକାଶେ କବିପ୍ରସୂତ ସେହି ଅନୁଷ୍ଠାନଟି ଯଥେଷ୍ଟ ପ୍ରେରଣା ନିଶ୍ଚୟ ଯୋଗାଇପାରିବ । ଶାନ୍ତିନିକେତନର ସରସ ମନ ଓ ସେବାଗ୍ରାମର ସ୍ଥିର ସୁକଠୋର କର୍ମବ୍ରତରେ କଣ ଏକ ସୁଖ – ସମନ୍ୱୟ ସମ୍ଭବ ହୋଇ ପାରିବନାହିଁ ? ବିଚାରଭିତରେ ସହଜ ଗ୍ରହଣ ଓ ସହଜ ବିବେଚନର କ୍ଷମତା ନରହିଲେ ଯେ କୌଣସି ଆଦର୍ଶ ଏକ fanaticism ରେ ପରିଣତ ହେବାକୁ ଆଦୌ ବେଶୀ ଡେରି ଲାଗେନାହିଁ । ଏପରିହେଲେ ମନର ସମସ୍ତ ପ୍ରେରଣା କେବଳ ବିକୃତ sentiment ରେ ପରିଣତ ହୁଏ । ହୁଏତ ସେବାଗ୍ରାମକୁ ମଧ୍ୟ ଦିନେ ଏହି ଅତିରିକ୍ତ ଶୁଦ୍ଧିବାଦର ଅଭିଶାପ ଆସି ଗ୍ରାସ କରିବ । ଉଚିତ ଦୃଷ୍ଟି ଓ ସଫାମନ ନେଇ ଆସିଥିବା ଶିକ୍ଷକ ଏଠି ଅଧିକରୁ ଅଧିକ ସଂଖ୍ୟାରେ ରହିଲେ ସେବାଗ୍ରାମ ଏକ ବଳିଷ୍ଠ ଦେଶ ଓ ସମାଜର ନିର୍ମାଣରେ ନିଶ୍ଚୟ ଅନେକ ସହଯୋଗ କରିପାରିବ ।

 

୨.୧୦.୧୯୫୦

 

ବାପୁଜୀଙ୍କ କୁଟୀରରୁ ଫେରୁଚି ତାଙ୍କରି ଜନ୍ମଦିନ ଉପଲକ୍ଷରେ ଅନୁଷ୍ଠିତ ହୋଇଥିବା ସାମୂହିକ ପ୍ରାର୍ଥନାରେ ଯୋଗ ଦେଇ । ଆଜି ଜନ୍ମତିଥିରେ ମଧ୍ୟ ଯେପରି ଖାଲି ତାଙ୍କର ଅଭାବଟା ହିଁ ମୋର ବେଶୀ ମନେପଡ଼ୁଚି । ଏହି ଅଭାବଟା ଯେ କେବଳ ଦେଶର ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ଘଟିଚି ତାହା ନୁହେଁ, ଆପଣାର ମନୋଧ୍ୟାନରୁ ବି ସତେଯେପରି ତାହାର ବଳିଷ୍ଠ ଆବେଦନଟି ଅପସରି ଯାଉଚି । ଦେଶ ଓ ଦଶ ତାକୁ ଦେବତା କରି ଦୂରକୁ କରି ଠେଲି ଦେଇଚନ୍ତି, ମୁଁ କଣ ତାହାହିଁ କରୁଚି କି ? ମୁଁ ତାକୁ ଯେତିକି ଏକ ବାହ୍ୟ ଅବଲମ୍ବନ ପରି ବ୍ୟବହାର କରିଚି, ପ୍ରୟୋଜନ ଓ ବିନା ପ୍ରୟୋଜନରେ ମୁଁ ଯେତିକି ତାର ନାମ ନେଇଚି, ସିଏ କଣ ମୋ’ ଅନ୍ତରମଧ୍ୟରୁ ସେତିକି ଅନ୍ତର ହୋଇଯାଇଚି କି ? ଆଜି ଆପଣା ମନର ଅଙ୍ଗନରେ ଏକାକୀ ବସି ମୁଁ କେବଳ ଏଇକଥାଟି ଭାବିବି, କେବଳ ଏତିକି କରି ମୁଁ ଆଜିର ସ୍ମରଣଟିକୁ ସାର୍ଥକ କରିବି । ଆଜି ଦିନଟିର ଉପଲକ୍ଷରେ ଖବରକାଗଜରେ କେତେ ନେତାଙ୍କର କେତେ ଉପଦେଶ ବାହାରିବ, କିନ୍ତୁ ସେଥିଲାଗି ବିରକ୍ତ ହୋଇପଡ଼ି ମୁଁ ଆପଣା ମନର ନିବେଦନଟିକକୁ କଳୁଷିତ କରିଦେବି କାହିଁକି ?

 

ଅନ୍ଧଭାବରେ ଖାଲି ଅନୁକରଣ କଲେ ଗାନ୍ଧୀ ବଞ୍ଚି ରହିବନାହିଁ । ତା’ର ଜୀବନ୍ତ ବାଣୀଗୁଡ଼ିକ ମୁଗ୍‌ଧ ଭକ୍ତର ହୃଦୟରେ ପଡ଼ି ଖାଲି dictated sentiments ପରି କାର୍ଯ୍ୟ କରିବ । ନିର୍ମଳ ମନରେ ଆମେ ଗାନ୍ଧୀର କଳ୍ପନାକୁ ହଜମ କରିବା, ସେହି କଳ୍ପନାରୁ ପ୍ରସୂତ ହୋଇଥିବା ସାରସତ୍ୟ ଉପରେ ଆପଣାର ବିବେକ ଖଟାଇ ଆପଣାପାଇଁ ଓ ଅପରପାଇଁ ବାଟ ତିଆରି କରିବା । ଆଉ କେତେଦିନ ଗଲେ ହୁଏତ ମଲା ଗାନ୍ଧୀପ୍ରତି ସମ୍ମାନ ଦେଖାହୋଇ ସରକାରଙ୍କ ତରଫରୁ ତାଙ୍କର ଜନ୍ମତିଥିରେ ତୋପସଲାମୀ ଦିଆଯିବ । କିନ୍ତୁ ଲୋକମନକୁ ଭଳେଇ ରଖିବାର ସକଳ ପ୍ରକାର ସଲାମୀରୁ ଯେପରି ମୋର ମନ ସର୍ବଦା ମୁକ୍ତ ହୋଇ ରହୁ ! ମୁଁ ଯେପରି କଦାପି ଅନ୍ଧ ବୀରପୂଜାର ମୋହ ଭିତରେ ନପଡ଼େ ! ଓଁ, ଶାନ୍ତି, ଶାନ୍ତି, ଶାନ୍ତି ।

 

୩.୧୦.୧୯୫୦

 

ଦିଲ୍ଲୀ ରାଜଭବନର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଆମ ଜିଲ୍ଲା କଂଗ୍ରେସ କର୍ମାଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ଗାନ୍ଧିଜୟନ୍ତୀ ପାଳନ କରିବାର ଫରମାନ ଦେଇଚନ୍ତି ଖବରକାଗଜ ଜରିଆାରେ । ମଲା ଗାନ୍ଧୀଙ୍କୁ ମନେ ପକାଇବାକୁ ସେମାନେ ବରଷକେ ଥରେ ନିବେଦନ କରିଚନ୍ତି ।

 

ଏଠି ମହାତ୍ମା ଗାନ୍ଧୀଙ୍କ କୁଟୀରରେ ଅହୋରାତ୍ର ସୁତ୍ରଯଜ୍ଞ ଚାଲିଚି । ଦିନଯାକ ଦର୍ଶକଙ୍କର ଗହଳି ଲାଗିଚି । ବିଶୁଦ୍ଧ ଚରଖା – ଭକ୍ତମାନେ ଏହି ସାତଦିନ ମଧ୍ୟରେ ହୁଏତ ଅଧିକରୁ ଅଧିକ ସୂତା କାଟିବେ ବୋଲି ସଂକଳ୍ପ କରି ବସିଚନ୍ତି । କିନ୍ତୁ ଗାନ୍ଧୀର ଜନ୍ମଦିନ କଣ ଏତିକିରେ ସରିଯିବ ?

 

କାଲି ଗାନ୍ଧୀଙ୍କ କୁଟୀରରେ ବସି ମୁଁ ଏହିକଥା ଭାବୁଥିଲି । ଯେତେ ଉଦାର ଓ ନରମ ହେବାକୁ ଚେଷ୍ଟା କଲେ ମଧ୍ୟ ମୁଁ ଆପଣାକୁ ଏହିସବୁ ଚିନ୍ତା କରିବାରୁ ରୋକି ପାରିଲିନାହିଁ । ସାଧାରଣ ଦିନମାନଙ୍କରେ ଗାନ୍ଧିଜୀଙ୍କର ଏହି କୁଟୀରଟି ସତେ କେଡ଼େ ସୁନ୍ଦର ଦିଶେ ! ସେଇଠି ଘଡ଼ିଏ ବସିଗଲେ ମଣିଷମନର ସମସ୍ତ ଗ୍ଳାନି ଓ ଗରୁତାକୁ ପାଣି କରି ଲୁହ ଗଡ଼ାଇ ଆଣେ ଏହି କୁଟୀର । କାଲି ଭକ୍ତ ଭିଡ଼ରେ ଓ ଭକ୍ତିମାଡ଼ରେ ସତେ ଯେପରି ସମସ୍ତ କୁଟୀରଟିରେ ପ୍ରଧାନତଃ ଏକ ଅଶୋଭନ ଆନ୍ଦୋଳନ ହିଁ ଘୋଟି କରି ରହିଥିଲା ।

 

ଗାନ୍ଧୀର ଦୃଷ୍ଟି ସୂତାକଟାଠାରୁ ବ୍ରହ୍ମଦର୍ଶନ ପର୍ଯ୍ୟନ୍ତ ବ୍ୟାପ୍ତ ରହିଥିଲା । ସେହି ବ୍ୟାପ୍ତ ଦୃଷ୍ଟିରେ ସେ ରାଜନୀତି, ସମାଜନୀତି ଓ ମଣିଷନୀତି ସବୁ ଦେଖୁଥିଲା । ଆମେ ସେହି ଦୃଷ୍ଟିକୁ ଭୁଲିଯାଇଚୁ, ଜୀବନବ୍ୟାପୀ ସେହି Climate କୁ ଆମେ ଅପସରାଇ ଦେଇଚୁ । ସେଥିଲାଗି ତାହାର କ୍ଷତିପୂରଣ ସ୍ୱରୂପ ହୁଏତ ଆମଭିତରୁ କିଏ ଖାଲି ସୂତା କଟାରେ ମାତିଚି ତ କିଏ ସିଝାଖିଆର Experiment କରିବାରେ ଲାଗିଚି । କିଏ ପୁଣି ଶାସନର ସୁନାଦଣ୍ଡ ଧରିଚି ବୋଲି ଗାନ୍ଧୀର ଗୋଟାକୁ ଗୋଟା ମଲା ମର୍ମର ଦେହ ଉଦ୍‌ଘାଟନ କରି ଚାଲିଚି ।

 

୪.୧୦.୧୯୫୦

 

ଗାନ୍ଧୀକୁଟୀରରେ ଅହୋରାତ୍ର ସୁତ୍ରଯଜ୍ଞ ଚାଲିଚି, ସକାଳ ଓ ସନ୍ଧ୍ୟାରେ ସମବେତ ପ୍ରାର୍ଥନାଲାଗି ସେଠି ଆଜିକାଲି ଭାରି ଭିଡ଼ ଲାଗୁଚି । ତଥାପି ମୋ’ମନ କହୁଚି ଆପଣାର ନିଭୃତ ଘରେ ବସି ମୁଁ ତାହାରି ଚିନ୍ତା କରି ତାହାରି କଥା କଲେ ତାକୁ ଆପଣାର ହୃଦୟଭିତରେ ଧରିରଖିବା ଯେପରି ଆହୁରି ସହଜ ହୋଇଯିବ । ଆଜିଯାଏ ମୁଁ ଅନେକ ଯାତ୍ରା ଓ ଅନେକ ଭିଡ଼ରେ ମିଶିଚି, କିନ୍ତୁ ଜୀବନର କେତୋଟିମାତ୍ର ଏକାନ୍ତ ମୁହୂର୍ତ୍ତରେ ହିଁ ମୁଁ ସ୍ଥାୟୀ କରି ଧରି ରଖିଲାଭଳି ସମ୍ପଦଗୁଡ଼ିକୁ ଲାଭ କରିପାରିଚି ।

 

ମୋର attachmentରେ ଯଦି କେଉଁଠି ମୋହର ଗନ୍ଧଥାଏ, ଉପରକୁ ତାହାର ଆୟୋଜନଗୁଡ଼ାକ ଯେତେ ଯୁକ୍ତିସମର୍ଥିତ ଓ ଉଦାର ହେଲେ ମଧ୍ୟ ମୋର ମନ ଯେପରି ସେହି ମୋହରୁ ଆପଣାକୁ ମୁକ୍ତ କରି ରଖିପାରେ । ଏହି ପ୍ରାର୍ଥନାଟି ହିଁ ଆଜି ସକାଳୁ ମୋର ପ୍ରାଣରେ ଭରିହୋଇ ରହିଚି । ଅନେକ ପଥ ଓ ଅପଥରେ ଉଡ଼ିଉଡ଼ି ଜ୍ଞାନର ଡେଣାଦୁଇଟା ଅବଶ ହୋଇଯିବାପରି ଲାଗୁଚି । ମୁଁ ଯାହାକୁ ମୁକ୍ତ ଆକାଶ ମନେକରି ପୂର୍ଣ୍ଣମନରେ ଉଡ଼ିଯାଉଥିଲି, ସେଇଠିକାର ମେଘ ଯେପରି ମୋର ସକଳ ଦୃଷ୍ଟିକୁ ଆଚ୍ଛନ୍ନ କରି ରଖିଚି । ଆଜି ସକାଳଟି ପରି ମୋର ପ୍ରାଣଭିତରୁ ମଧ୍ୟ ସକଳ ମୋହର ତମସା ଦୂରୀଭୂତ ହୋଇଯାଉ । ତେବେଯାଇ ବଞ୍ଚିବାର ଅସଲ ଆନନ୍ଦ ଓ ଉଡ଼ିବାର ଅସଲ ଅଧିକାର ମୋର ସ୍ୱାଭାବିକ ସମ୍ପଦ ହୋଇ ରହିପାରିବ ।

 

ଆପଣାର ଆନନ୍ଦରସରେ ଅପରର ପାତ୍ର ପୂର୍ଣ୍ଣ କରିବାକୁ ଯାଇ ବେଳେବେଳେ ମୁଁ କ’ଣ ତାହାରି ପାତ୍ରରେ ଆବଦ୍ଧ ହୋଇ ରହିଯାଉଚି କି ? ଆଉ କେଉଁ ଭୂମିରେ ପ୍ରାଣ ଓ ପ୍ରେରଣାର ସଞ୍ଚାର କରିବାକୁ ଯାଇ ବେଳେବେଳେ କେଉଁ ମରୁଉପରେ ମୋର ଆପଣାର ଧାରାଟି ଶୁଖି ଯାଉଚି କି ?

 

୫.୧୦.୧୯୫୦

 

କାଲିର ଭାବନା ଆଉ ଆଜିକୁ ମନେନାହିଁ । ତେଣୁ ଆଜି ପ୍ରତ୍ୟୁଷରେ ଲେଖିବି ବୋଲି ମୁଁ କାଲି ଯାହା ଭାବି ରଖିଥିଲି, ସେହି ଭାବନାଟି ମୁଁ ଆଜି ଏଠାରେ ଲେଖି ପାରୁନାହିଁ ।

 

ସେବାଗ୍ରାମର ଶିକ୍ଷାପଦ୍ଧତି ସମ୍ବନ୍ଧରେ ମନରେ କେତେ ପ୍ରତିକ୍ରିୟାର ଉଦୟ ହେଉଚି । ତଥାପି ମୁଁ ଆହୁରି ନିରୀକ୍ଷଣ କରିବି, ଆହୁରି ମର୍ମପ୍ରବେଶ କରିବି । କାରଣ କେବଳ ସମାଲୋଚନା କରିବାର ଦୃଷ୍ଟିନେଇ ମୁଁ ଏଠାକୁ କଦାପି ଆସିନାହିଁ । ଅଧ୍ୟାପନାର ଶପଥ ନେଇଥିବା ପ୍ରାର୍ଥୀ ହିସାବରେ ହିଁ ମୁଁ ଏହି ତୀର୍ଥରେ ଆପଣାଲାଗି ଟିକିଏ ସ୍ଥାନ ସଂଗ୍ରହ କରିନେଇ ପାରିଚି ।

 

ଆପଣାର ହୁଗୁଳା ଆବେଗଗୁଡ଼ାକୁ ବାନ୍ଧି ମଣେଇ ପାରିବାର ଶକ୍ତି କ୍ରମେ ମୋ’ ମନରେ ଆସୁଥିଲାପରି ଲାଗୁଚି । ମୋର ସକଳ ବାହ୍ୟ ଯୋଗ୍ୟତା ଓ ଜ୍ଞାନଗରିମା ସତ୍ତ୍ୱେ ମୁଁ ପ୍ରକୃତରେ ଯେ କେଉଁ ଧାତୁର ମଣିଷ ଥିଲି, ସେକଥା ଆଜି ଭଲକରି ବୁଝିପାରୁଚି । ହୁଏତ ଶାନ୍ତିନିକେତନରେ ଏକଥା ଜାଣିବାର ସୁଯୋଗ ପାଇନଥାନ୍ତି । ବାହାର ପ୍ରଶଂସାରେ ସେଠି ମୋର ବିବେଚନା ଶକ୍ତି ଅନେକ ସମୟରେ ମୋହଗ୍ରସ୍ତ ହୋଇ ପଡ଼ୁଥିଲା, ଆପଣା ବିଷୟରେ ଗୋଟାଏ ପ୍ରକାରର complacency ମୋତେ ବେଶ୍ ନିଶ୍ଚିନ୍ତ କରି ରଖିଥିଲା । ସେବାଗ୍ରାମର ଦୈନନ୍ଦିନ କର୍ମପ୍ରବାହ ଭିତରେ, ସମୂହ ସହିତ ସଂଯୁକ୍ତ ହେବାର ନାନା କାର୍ଯ୍ୟୋପଲକ୍ଷରେ ଏଠି ମୁଁ ନିଜର ଅସଲ ସାରଟିକକ ତଉଲି ଦେଖିବାକୁ ଅନେକ ବଳ ପାଇଲିଣି । ମୋ’ଲାଗି ଏହିପରି ଏକ କ୍ଷେତ୍ର ଭାରି ଦରକାର ଥିଲା ।

 

କିନ୍ତୁ ଆପଣାର ଦୀନତାଗୁଡ଼ାକ ଧରା ପଡ଼ିଗଲା ବୋଲି ମନରେ ଏତେ ଟିକିଏ ଖେଦ ନାହିଁ । ମିଥ୍ୟାନିର୍ଭରର ଜମାଟଗୁଡ଼ାକ ଭୁଷୁଡ଼ି ପଡ଼ିବା ସଙ୍ଗେ ସଙ୍ଗେ କେଉଁ ଅମୃତମୟର ଆଶୀର୍ବାଦ ମୋତେ ପୁଣି ଆଗକୁ ମଡ଼ାଇ ଚାଲିଚି । ମୋର ମନନ ମତେ କେବେହେଲେ ପିତୃହରା କରି ଦେଇନାହିଁ ।

 

୬.୧୦.୧୯୫୦

 

ଶାନ୍ତିନିକେତନରେ ବାହ୍ୟ ଜୀବନର ସୌଖୀନ ରୂପଟା ଦେଖି ଆସିଥିଲି । କିନ୍ତୁ ଆଶ୍ରମଗୁରୁ ଏହାକୁ କଦାପି ସୌଖୀନ କରିବାକୁ ଚାହିନଥିଲେ । ମଣିଷର ଭିତରେ ଓ ବାହାରେ ଯେଉଁ ଅମୃତମୟ ଓ ଆନନ୍ଦମୟ ପୁରୁଷ ନିୟତ ବିଦ୍ୟମାନ ରହିଚନ୍ତି, ସବୁଠାରେ ତାହାଙ୍କର ପ୍ରତ୍ୟେକ୍ଷ କରିବା ଓ ସେହି ବିରାଟ ଅନୁଭବ ଦ୍ୱାରା ଅନୁପ୍ରେରିତ ହୋଇ ସମଗ୍ର ସମାଜ ସହିତ ଶୁଦ୍ଧ ଆନନ୍ଦର ସମ୍ବନ୍ଧରେ ବାନ୍ଧି ହୋଇଯିବା,—ଏହାହିଁ ଦିନେ ଶାନ୍ତିନିକେତନର ଧେୟଥିଲା । ଆଜି ଆପଣାର ଆଧ୍ୟାତ୍ମିକ ଭୂମିଟିକୁ ହରାଇବସି ଶାନ୍ତିନିକେତନ କେବଳ ସାଜସଜ୍ଜା ଓ ବାହ୍ୟ ଆୟୋଜନ ପଛରେ ଧାଇଁଚି । ହୁଏତ ପ୍ରଧାନତଃ ଏହି କାରଣରୁ ହିଁ ଅଚିରେ ତା’ର ମୃତ୍ୟୁ ଘଟିବ ।

 

କର୍ମଯୋଗକୁ ଜୀବନର ମହାବ୍ରତ କରି ସେବାଗ୍ରାମରେ ଦିଆଯାଉଥିବା ତାଲୀମର ସଷ୍ଟି-। ଏଠି କର୍ମକୁ କେବଳ ପ୍ରୟୋଜନର ଦୃଷ୍ଟିରୁ ଦେଖିବା କଦାପି ଉଚିତ ନୁହେଁ । ନିୟତ ଆଚରିତ କର୍ମଦ୍ୱାରା ମଣିଷର ମୋହାବରଣମାନ ଦୂର ହୋଇଯାଏ, କର୍ମ ଦ୍ୱାରାହିଁ ମଣିଷ ସବୁଠାରୁ ଅଧିକ ବଳିଷ୍ଠ ଭାବରେ ସଭିଙ୍କ ସହିତ ସଂଯୁକ୍ତ ହୋଇପାରେ, ସବୁଠିଁ ଏକପ୍ରାଣତା ଅନୁଭବ କରେ । ବିଶେଷତଃ ନାନାପ୍ରକାର ଆଳସ୍ୟକୁ ସୁଖୀ ଜୀବନର ମାନଦଣ୍ଡ ବୋଲି ଗ୍ରହଣ କରାଯାଇଥିବାର ଏହି ଯୁଗରେ ମଣିଷ ମନର ପରିପୂର୍ଣ୍ଣ ଅଥଚ ସ୍ୱାଭାବିକ ଉନ୍ନୟନ ଲାଗି ଏହି ଶିକ୍ଷା ମହୌଷଧ ପରି କାମ ଦିଏ । ହୁଏତ ସାମୟିକ ନାନା ଏକାଲମ୍ବନତା ହେତୁ ସେବାଗ୍ରାମର ଦୃଷ୍ଟି କର୍ମର ଏହି ବିଶାଳତର ଭୂମିରୁ ବିଚ୍ଛିନ୍ନ ହୋଇଯାଉଚି । କର୍ମପାଇଁ କର୍ମ କରିବାର ଏକ ଅଭ୍ୟାସଗତ instinct ଏହାର ଶିକ୍ଷାପଦ୍ଧତିକୁ ହୁଏତ ଶୁଷ୍କ ଓ ବିକଳ କରି ପକାଉଚି । ହୁଏତ ସ୍ୱାବଲମ୍ବନର extreme କୁ ଚାଲିଯାଇ ଏଠିକାର ଶିକ୍ଷାର୍ଥୀ ଆପଣାକୁ ସଭିଙ୍କଠାରୁ ଛିନ୍ନ କରି ରଖୁଚି, ଜଗତ ସହିତ ତା’ର ଆନନ୍ଦମୟ ସମ୍ପର୍କ ରହି ପାରୁନାହିଁ, ସେ ଆପଣାକୁ ଜଗତ ଭିତରେ ଜଣେ ସହଯୋଗୀରୂପେ ବିଚାର କରି ପାରୁନାହିଁ ।

 

କେଉଁ ଅନୁଷ୍ଠାନ କଅଣ ହୋଇଥାନ୍ତା ଏବଂ କାର୍ଯ୍ୟକର୍ତ୍ତାଙ୍କର ଅପରିଣାମ ଦର୍ଶିତା ହେତୁ କିଏ କଣ ହୋଇଚି, ଏତିକି ତନଖି ଚୁପ୍ ହୋଇ ବସିବାଲାଗି ମୁଁ ଏହି ସମାଲୋଚନା କରୁନାହିଁ । କାରଣ ମୋର ସବୁବେଳେ ଏହି ଦୃଢ଼ ପ୍ରତ୍ୟୟ ହେଉଚି ଯେ ସେବାଗ୍ରାମର କର୍ମବ୍ରତ ଓ ଶାନ୍ତିନିକେତନର ଆନନ୍ଦବ୍ରତ ମଧ୍ୟରେ ଏକ ଚମତ୍କାର ସମନ୍ୱୟ ଅବଶ୍ୟ ହୋଇପାରିବ ଏବଂ ତାହାହିଁ ଏଯୁଗର ମାଟି ଉପରେ ଏକ ଆଦର୍ଶ ଶିକ୍ଷାୟତନ ହିସାବରେ ଆପଣାର ସାର୍ଥକତାକୁ ବଜାୟ ରଖିପାରିବ ।

 

କର୍ମକୁ ଭକ୍ତିଦ୍ୱାରା ରସାଣିତ କରିବାର ରାସ୍ତାକୁ ଗୀତାରେ ରାଜଯୋଗ ବୋଲି ବ୍ୟାଖ୍ୟା କରାଯାଇଚି । ଭଗବାନଙ୍କ ଲାଗି ଉଦ୍ଦିଷ୍ଟ ହୋଇଥିବା ଭକ୍ତିହିଁ ପୁଣି ଅନ୍ୟ ରୂପରେ ତାଙ୍କର ସୃଷ୍ଟି ପ୍ରତି ପରମ ଶ୍ରଦ୍ଧା ଓ ଅନ୍ତରସମ୍ପର୍କର ଆବେଦନ ନେଇ ଜଗତରେ ଅବତୀର୍ଣ୍ଣ ହୁଏ । ଅର୍ଥାତ୍ ଯିଏ ପରମାତ୍ମାକୁ ଯଥାର୍ଥ ଭକ୍ତି କରିପାରେ, ପରମାତ୍ମାଙ୍କର ନିଖିଳ ସୃଷ୍ଟି ସହିତ ଶ୍ରଦ୍ଧା ଓ ଆନନ୍ଦ ଦ୍ୱାରା ସେ ଏକାତ୍ମ ହୋଇଯାଏ । ସବୁ ମଣିଷ ସହିତ ଓ ସମସ୍ତ ପ୍ରକୃତି ସହିତ ସେ ସ୍ୱଭାବତଃ ବାନ୍ଧି ହୋଇଯାଏ ଏବଂ ଏହି ସ୍ୱେଚ୍ଛାକୃତ ବନ୍ଧନ ତାକୁ ଚରମ ମୁକ୍ତି ଦିଏ । ତାହାର ସକଳ କର୍ମ ଏହି ଉଚ୍ଚତମ ସମ୍ବନ୍ଧଦ୍ୱାରା ଜୀବନବନ୍ତ ହୋଇଉଠେ । ସେତେବେଳେ କର୍ମ ବିଷୟରେ କର୍ମଯୋଗୀର ସମସ୍ତ ପ୍ରକାରର ସଚେତନତା ସୃଷ୍ଟି ସହିତ ସଂଯୁକ୍ତ ହେବାର ଆନନ୍ଦରେ ମିଳାଇଯାଏ ।

 

ସେବାଗ୍ରାମ ଓ ଶାନ୍ତିନିକେତନର ସମନ୍ୱିତ ରସଟି ପଛରେ ଏହିପରି ଏକ ଆଧ୍ୟାତ୍ମିକ ଆବଶ୍ୟକତା ରହିଚି, ହୁଏତ ଏହି ସମନ୍ୱୟ ହିଁ ଭବିଷ୍ୟତରେ ଉଭୟ ଅନୁଷ୍ଠାନକୁ ଏକମୁଖୀ extreme ହୋଇଯିବାର ପ୍ରମାଦରୁ ବଞ୍ଚାଇ ପାରିବ । ଏହି ସମନ୍ୱୟ ସକାଶେ କେବେ ଆଗାମୀ ନେତାର ଆବିର୍ଭାବ ହେବ ?

 

୭.୧୦.୧୯୫୦

 

କାମ ଭିତରଦେଇ ହୃଦୟର କାମୁକତାରେ ଯେ ଏପରି ସ୍ୱାଭାବିକ ଶୌଚ ସମ୍ଭବ ହୋଇପାରେ, ଆଗରୁ ଏହି ସତ୍ୟଟିକୁ ମୁଁ ଏପରିଭାବେ ଅନୁଭବ କରିନଥିଲି । ଆପଣା ସକଳ କର୍ମକୁ କେବଳ ଭଗବାନଙ୍କ ପାଖରେ ସମର୍ପଣ କରିଦେଇ ସତତ କୌଣସି ନା କୌଣସି ସର୍ବକଲ୍ୟାଣକର କର୍ମରେ ବ୍ୟାପୃତ ରହିପାରିଲେ ଚିତ୍ତ ଆଉ ଆପଣା ଗ୍ଳାନିଗୁଡ଼ାକର ହତାଶ ବିଚାର କରି ନିଜେ କ୍ଷୁନ୍ନ ହେବାକୁ କୌଣସି ସମୟ ହିଁ ପାଇବ ନାହିଁ । ସେବାଗ୍ରାମର ନୟୀତାଲୀମକୁ ମୁଁ ଏହି ଦୃଷ୍ଟିରୁ ବିଚାର କରିବି । ଦିନଚର୍ଯ୍ୟାର ବିଭିନ୍ନ ସମୟକ୍ରମ ମଧ୍ୟରେ ଯୋଗ୍ୟ ଶିକ୍ଷକର ନିର୍ଦ୍ଦେଶ ପାଇଲେ ଏହି ଶିକ୍ଷାନୁଷ୍ଠାନରୁ ଯେ ଆଦର୍ଶ ବିଦ୍ୟାର୍ଥୀ ଜୀବନ ଗଢ଼ି ଉଠି ପାରିବ, ସେକଥା ସହଜେ ଅସ୍ୱୀକାର କରିହେବ ନାହିଁ । ଅବଶ୍ୟ କାମକୁ କେବଳ କାମ ବୋଲି ମନେକରି ଶିକ୍ଷାରେ ମାନସିକ ଓ ଶାରୀରିକ ଦୁଇଟା ଅସଂଲଗ୍ନ ବିଭାଗ ସୃଷ୍ଟିକରି ବସିଲେ ଏଠି ଶିକ୍ଷାପଦ୍ଧତିର ଧେୟଟି ହିଁ ନଷ୍ଟ ହୋଇଯିବ । ତାଲୀମ ଓ ମଜବୁରୀ ଭିତରେ ଫରକ ଏଇଠାରେ । ତାଲୀମର କଳ୍ପନା ଅନୁସାରେ କର୍ମକୁ ଏକ ପୂଜାର ସାଧନ ଓ ଆତ୍ମନିର୍ମାଣର ସୋପାନଭଳି ଗ୍ରହଣ କରାଯାଇ ପାରିବ ।

 

ପରମାର୍ଥ ଦୃଷ୍ଟିର ଉପଲବ୍‌ଧି ଲାଗି ଯଜ୍ଞ, ତପ ଓ ଦାନକୁ ଗୀତା ତିନୋଟି ପ୍ରଧାନ ସାଧନ ବୋଲି ମାନିଚି । ବିଭିନ୍ନ ଭାଷ୍ୟରୁ ଉକ୍ତ ତିନୋଟି ଶବ୍ଦର ପ୍ରଶସ୍ତ ସଂଜ୍ଞା ସଂଗ୍ରହ କରିବାର ଧୈର୍ଯ୍ୟ ମୋର ନାହିଁ । ତଥାପି ଆପଣା କଳନାରେ ମୁଁ ଯେତିକି କଳିପାରିଚି, ମୁଁ ସେତିକିକୁ ମୋ ଜୀବନର ରୁଟିନ୍ କରି ରଖିବି । ଯେପରି ସତତ ଆତ୍ମସଂଗ୍ରହର କର୍ମୋତ୍ସାହ ଭିତରେ ଅନ୍ୟକୌଣସି ଲଘୁତର ଚିନ୍ତାଲାଗି ଜୀବନରେ ଆଉ କୌଣସି ଫାଙ୍କ ନଥିବ । ଆପଣାର କାମ ଭିତରଦେଇ ମୁଁ ପ୍ରତ୍ୟେକଟି ମୁହୂର୍ତ୍ତର ବିଭାଜନ କରିବି ଓ ପ୍ରତ୍ୟେକ ମୁହୂର୍ତ୍ତରେ ମୋର ଆରାଧ୍ୟକୁ ଚିହ୍ନିରଖିବି ।

 

୮.୧୦.୧୯୫୦

 

ବେଳେବେଳେ ଦୂର୍ବଳ ମୁହୂର୍ତ୍ତରେ ମନର ସମସ୍ତ ବିଶ୍ୱାସ ହଜି ଯାଉଚି, ଜୀବନର ସମସ୍ତ ପଥର ଖସିଯାଉଚି; ସତେଯେପରି କେଉଁ ଉଚ୍ଛନ୍ନ ସାଗରର ତରଙ୍ଗାଘାତ ତଳେ ଅବଲୁପ୍ତପ୍ରାୟ ଲୋଟିରହିବା ବ୍ୟତୀତ ମୁଁ ଆଉ କୌଣସି ଭରସା ପାଉନାହିଁ । ସବୁ କ୍ଷେତ୍ରରେ ଯେପରି ମୋର ପରାଭବ ହିଁ ଘଟୁଚି । ଜୀବନର ବ୍ୟର୍ଥତାକୁ ନେଇ ଦୀର୍ଘଶ୍ୱାସ ପକାଇବା ହିଁ ସାର ହେଉଚି ।

 

ହୁଏତ ପୁଣି ହଠାତ୍ କେତେବେଳେ ଯେ ମନର ଦ୍ୱାର ଖୋଲିଯାଉଚି, ସେକଥା ମୁଁ ନିଜେ ବି ଜାଣିପାରୁନାହିଁ । ମନେହେଉଚି, ସତେ ଯେପରି ଏହି ବିଶ୍ୱସହିତ ମୁଁ ଅନେକ ଦିନର ପରିଚୟରେ ଗୁନ୍ଥାହୋଇ ରହିଚି । ଏହି ସଂସାରଟା ସେତେବଳେ କେବଳ ଆପଣା ଜନନୀର ସଜ୍ଜିତ ଆସନ ପରି ଲାଗୁଚି । ସକଳ କ୍ଷେତ୍ରରେ ଅଟଳ ବିଶ୍ୱାସ ଓ ଅବିଚଳିତ ଶ୍ରଦ୍ଧା ସହିତ ବ୍ୟାପୃତ ରହିବାର ଏତେ ଶକ୍ତି ସେତେବେଳେ କେଉଁଠୁ ଆସୁଚି କେଜାଣି ? ସବୁଠାରୁ ଅଧିକ ଅନିଶ୍ଚିତ ପଥଟି ସବୁଠାରୁ ଅଧିକ ସହଜ ଲାଗିଲାବେଳର ଏହି ଶୁଭ ମୁହୂର୍ତ୍ତରେ ମୁଁ ସତେଅବା ଆପଣାର ସବୁଠାରୁ ଅଧିକ ମହାନ ପରିଚୟ ପାଇଯାଉଚି । ଏହି ପରିଚୟର ଗୌରବହିଁ ମୋତେ ଦୁର୍ବଳ ମୁହୂର୍ତ୍ତ ଗୁଡ଼ିକର କ୍ରନ୍ଦନକୁ ଅସ୍ୱୀକାର କରିବାର ଦମ୍ଭ ଦେଇଯାଉଚି ।

 

ଗାନ୍ଧୀସପ୍ତାହ ଆଜିଠାରୁ ସରିଲା, ତେଣୁ ବିଶେଷ ପ୍ରାର୍ଥନା ଓ ବିଶେଷ ସୂତ୍ରଯଜ୍ଞ ଆଜିଠାରୁ ସରିଲା । ବୈଶିଷ୍ଟ୍ୟହୀନ ଅତି ସାଧାରଣ ଦିନ ଗୁଡ଼ିକରେ ମଧ୍ୟ ମୁଁ ଯେପରି ଏହି ପୁଣ୍ୟମୟ ସପ୍ତାହଟିର appeal ଟିକୁ ଭୁଲି ନ ଯାଏ । ପଥରର ମନ୍ଦିର ଭିତରେ ମଣିଷର ଆଧ୍ୟାତ୍ମିକ ଚର୍ଯ୍ୟାକୁ ବନ୍ଦକରି ରଖିଲାପରି ମୋର ଜୀବନାଚରଣ ଯେପରି କୌଣସି ଆୟତନ ବା ଅନୁଷ୍ଠାନରେ ଆବଦ୍ଧ ହୋଇ ରହିନଯାଏ ।

 

୯.୧୦.୧୯୫୦

 

ରାତିର ଶୀତଳ କୋଳରେ ରହି ମନର ସମସ୍ତ ତାପ ଅପସରି ଯାଇଚି । ମୁଁ ପୁଣି ଶାନ୍ତ ହୋଇ ନୂଆ ଦିନଟି ସକାଶେ ସମର୍ପିତ ହେବାକୁ ବାହାରିଚି । ସତେଅବା କେଉଁ ପିତାର ଆଶୀର୍ବାଦ ମୋତେ କେତେବେଳେ ପିପାସା ଓ ଆକାଙକ୍ଷାରେ ମଜାଇ ରଖିଚି । ଜାଣେନା, ତା’ ରାଜ୍ୟରେ ତାହାରି ପୁତ୍ର ହିସାବରେ ମୁଁ କେତେଦୂର ଆପଣାର ଯୋଗ୍ୟ ପ୍ରମାଣ ଦେଇ ପାରିବି ! ତଥାପି ଏହି ପରିଚୟପତ୍ରଟି ବହନ କଲାବେଳେ ମନଭିତରେ ମୁଁ ଏକ ସ୍ୱର୍ଗୀୟ ପ୍ରସନ୍ନତା ଅନୁଭବ କରୁଚି ।

 

ସବୁ ସେଇ ବୁଝିବ, ସେଇ ତା’ର ଇଚ୍ଛା ଜାଣି ମୋତେ ଘାଟରୁ ଘାଟ ଉତୁରାଇ ନେବ; ମୁଁ ଆଉ ମୋର କର୍ମଫଳ ବିଷୟରେ ବୃଥା ହିସାବ କରି ବସିବି ନାହିଁ । ବେଶ୍ ଜାଣିପାରୁଚି ଯେ ମନର ଏଇ ବ୍ୟବସାୟୀ ଚାତୁରୀ, ଲାଭକ୍ଷତି ଗଣି ପହୁଣ୍ଡ ପକାଇବାର ଏହି ବୁଢ଼ା ତର୍କ ପ୍ରବଣତା ଯେତିକି ବଢ଼ୁଚି ଅନ୍ତରର ଶ୍ରଦ୍ଧା ସେତିକି କମିଯାଉଚି, ଭକ୍ତିର ସହିତ ନିଃସ୍ୱାର୍ଥ କର୍ମତତ୍ପରତାର ଭୂମି ଉପରକୁ ଅବତରଣ କରିବାର ଉତ୍ସାହ ସେତିକି ମରିଯାଉଚି, ଏହି ସଂସାର ଓ ତାର ମଣିଷ ସହିତ ମୋର ସଂଯୋଗ ସେତିକି କଟିଯାଉଚି । ମନେପଡ଼ୁଚି ଯୌବନରେ ପ୍ରାକ୍‌କାଳରେ ତାହାରି ପାଖରେ ସମର୍ପିତ ମନଟି କେଡ଼େ ଜୀବନ୍ତ ଓ କେଡ଼େ ରସଚଞ୍ଚଳ ହୋଇ ରହିଥିଲା । ଫୁଲଟି ପରି ଭୁବନଭରା ପବନର ସ୍ପର୍ଶରେ ଦୋହଲିବାର ବିଦ୍ୟା ସେତେବେଳ ମୋତେ ବେଶ୍ ଜଣାଥିଲା, କୌଣସି ଏକ ଆଦର୍ଶକୁ ନିଜର କରିନେଇ ଆପଣାର ଦିନ ରାତିକୁ ତାହାରି ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କରିଦେବାଲାଗି ଯେପରି ଏକ ସ୍ୱାଭାବିକ ପ୍ରେରଣା ମନର କୋଷରେ ଭରି ରହିଥିଲା । ତାପରେ ମୁଁ ଅନେକ ବହି ପଢ଼ିଲିଣି, ସେହି ପର୍ଯ୍ୟାୟରେ ବଡ଼ ସହଜରେ ଅନୁଭବ କରିଥିବା ମନର ସୁଲଭ ପ୍ରବୃତ୍ତିଗୁଡ଼ିକୁ ଏବେ ମୁଁ ପ୍ରମାଣ ଦେଇ ବୁଝିଲିଣି । କିନ୍ତୁ ଏହି ଜାଣିବା ଓ ଏହି ବୁଝିବା ମୋତେ ଯେପରି ତା’ର ସଂସ୍ପର୍ଶର ଲୀଳାୟିତ କ୍ଷେତ୍ରରୁ ଅଧିକରୁ ଅଧିକ ଦୂରକୁ ଟାଣିନେଇ ଯାଉଚି । ଏହି ଅଧୋଗତିକୁ ରୋକିବାକୁ ହେଲେ ଆହୁରି ଭକ୍ତି ଲୋଡ଼ା, ଆହୁରି ନିର୍ମଳତା ଲୋଡ଼ା ।

 

୧୦.୧୦.୧୯୫୦

 

ଆତ୍ମଦୀପ ହୁଅ, ଆତ୍ମଶରଣ ହୁଅ, ଧର୍ମଶରଣ ହୁଅ,—ବିଦାୟମୁଖୀ ଭଗବାନ ବୁଦ୍ଧଙ୍କର ଏହି ଅନ୍ତିମ ବାକ୍ୟ କେତୋଟି ପୁଣି ମୋର ଅନ୍ତରକୁ ଦୀପ୍ତ କରିଦେଇଚି । ଏହି ପୁରୁଣା ସତ୍ୟଟିକୁ ମୁଁ ଆଗରୁ ଅନେକବାର ଶୁଣିଚି । ଏହାର ଅର୍ଥ ଓ କଦର୍ଥ କରି ହୁଏତ ଅନେକବାର ମୁଁ ଗବେଷଣାର ପତ୍ର ପୂର୍ଣ୍ଣ କରି ଦେଇଚି । କିନ୍ତୁ ସେହି ତିନୋଟି ବାକ୍ୟ ଆଜି ପୁଣି ମୋତେ ନୂତନ ଜାଗରଣ ଆଣି ଦେଇଚି । ହୁଏତ ଜୀବନରେ ଖାସ୍ ତାହାରି ଅଭାବ ରହିଥିଲା, ସେଇଥିଲାଗି ଯେତେ ପୁରାତନ ହେଲେ ମଧ୍ୟ ତାହା ନୂତନ ମଳୟର ଜୀବନସ୍ପର୍ଶରେ ମୋତେ ପୁଣି ପୂର୍ଣ୍ଣ କରିଦେଇ ପାରିଲା !

 

ଆତ୍ମସମାଲୋଚନା ହେଉଚି, ଅଭିବୃଦ୍ଧି ଓ ବିକାଶର ପ୍ରଥମ କଥା । ସେବାଗ୍ରାମରେ ଯେଉଁ ନୂତନ ଶିକ୍ଷାର ପ୍ରୟୋଗ ଚାଲିଚି, ଅନୁଭୂତ ନାନା କ୍ରିୟାପ୍ରତିକ୍ରିୟା ଦ୍ୱାରା ଘଷାମଜା ହୋଇ ତାହା ଦିନେ ନା ଦିନେ ଆପଣାର ପୂର୍ଣ୍ଣ ଓ ବିକଶିତ ରୂପ ଧାରଣ କରିବ । ଦିନେ ନା ଦିନେ ଆପଣାର ସମସ୍ତ ଦୋଷ ଓ ଅଭାବକୁ ମେଣ୍ଟାଇ ତାହା ସମାଜକୁ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାସରଣୀ ଯୋଗାଇ ଦେଇ ପାରିବାର ଆସ୍ପର୍ଦ୍ଧା ରଖିପାରିବ । କିନ୍ତୁ ଯଦି ଆମେ ଏତିକିବେଳୁ କର୍ତ୍ତାମାନଙ୍କର କେତୋଟି ବନ୍ଧା ନିୟମର ଗ୍ରନ୍ଥି ମଧ୍ୟରେ ଏହି ପ୍ରୟୋଗଟିକୁ ବାନ୍ଧିରଖୁ, ନାନାପ୍ରକାର ନିରୀକ୍ଷଣ ଓ ସବୀକ୍ଷଣ ଦ୍ୱାରା ଆଗକୁ ଯିବାଲାଗି ଯଦି ଆମେ ଅନିଚ୍ଛା ପ୍ରକାଶ କରୁ, ତେବେ ଯେଡ଼େବଡ଼ ମହାତ୍ମାର ତପସ୍ୟାଲବ୍‌ଧ ସମ୍ପଦ ହୋଇଥିଲେ ମଧ୍ୟ ଏହି ଶିକ୍ଷା କ୍ରମେ ସ୍ଥାଣୁ ହୋଇପଡ଼ିବ, କେବଳ କେତେଜଣଙ୍କର ଆଦର୍ଶବାଦୀଙ୍କର କୋଥଳିମୁଣି ହୋଇ ରହିବା ଛଡ଼ା ଏହାର ଯାବତୀୟ ମହତ୍ତ୍ୱ ଲୁପ୍ତ ହୋଇଯିବ ।

 

୧୧.୧୦.୧୯୫୦

 

ରାଗ, ଦ୍ୱେଷ ଓ ମୋହରେ ଯାହାର ମନ ପୂରି ରହିଥାଏ, ସିଏ ଆପଣାକୁ ଦୁଃଖ ଦିଏ, ଅପରକୁ ଦୁଃଖ ଦିଏ, ଆପଣା ତଥା ଅପରକୁ ଦୁଃଖ ଦିଏ । କିନ୍ତୁ ଯାହାର ମନ ରାଗ, ଦ୍ୱେଷ ଓ ମୋହରୁ ମୁକ୍ତ ଥାଏ, ସିଏ ଆପଣାକୁ ଦୁଃଖ ଦିଏ ନାହିଁ, ଅପରକୁ ଦୁଃଖ ଦିଏ ନାହିଁ, ଆପଣା ତଥା ଅପରକୁ ଦୁଃଖ ଦିଏ ନାହିଁ । ତୃତୀୟ ଆର୍ଯ୍ୟ ସତ୍ୟଟିର ବିଶ୍ଳେଷଣରେ ଗୌତମ ବୁଦ୍ଧଙ୍କର ଏହି ଉକ୍ତିକୁ ମୁଁ ଆଜିର ସାରସତ୍ୟ ରୂପେ ସାଇତି ରଖିବି ।

 

ମନକୁ ଠିକ୍ ଭାବରେ ମିଞ୍ଜାଇ ରଖିପାରିଲେ ଅତି ସାଧାରଣ କଥାଗୁଡ଼ିକ ମଧ୍ୟ ଅନ୍ତରର ଦୂଆର ଖୋଲିଦେଇ ଯାଇପାରେ । ମହାପୁରୁଷମାନେ ମୂଳତଃ କୌଣସି ନୂଆ କଥା କହିନାହାନ୍ତି । ପୁରୁଣା କଥାକୁ ନୂଆ ଭଙ୍ଗୀରେ କହିବାର କୌଶଳ ମଧ୍ୟ ସେମାନଙ୍କୁ ଜଣାନଥାଏ, କେବଳ କେତୋଟି ଅତିପରିଚିତ କଥା ବଖାଣି ସେମାନେ ଯୁଗନ୍ଧରରୂପେ ସମଗ୍ର ସମାଜର ମନୋଧ୍ୟାନକୁ ଏପରି ସୁନିର୍ଦ୍ଦିଷ୍ଟ କରି ପାରନ୍ତି କିପରି ?

 

ଯୁଗଜନିତ ନାନାପ୍ରକାର ବ୍ୟସ୍ତ ଭାବନାରେ ସମାଜର ଚକ୍ଷୁ ଆପଣାର ସମୁଚିତ ଦୃଷ୍ଟିକୁ ହରାଇ ବସିଥାଏ, ସକଳ ପ୍ରକାର ସତ୍ୟପରିଚୟ ଲାଗି ମଣିଷର ହୃଦୟ ଥୋବରା ପରି ହୋଇ ରହିଥାଏ । ଏତିକିବେଳେ ମହାତ୍ମାର ଆବିର୍ଭାବ ହୁଏ । ଆପଣାର ଆଚରିତ ଜୀବନରେ ସେ ବିସ୍ମୃତ ସତ୍ୟ ଗୁଡ଼ିକୁ ପୁଣି ଏକ ସଦ୍ୟ କମଳ ପରି ଫୁଟାଇ ଦିଏ । ଲୋକଙ୍କ ଲାଗି ସିଏ ଆଦର୍ଶ ହୋଇ ରହେ, ସେହି ଆଦର୍ଶର ପ୍ରତ୍ୟକ୍ଷ ଦୃଷ୍ଟାନ୍ତରେ ଯୁଗର ଦୁଆର ଖୋଲିଯାଏ, ସତ୍ୟକୁ ପୁନର୍ବାର ତା’ର ଅନୁପ୍ରେରିତ ମୂଲ୍ୟରେ ଦେଖିବାଲାଗି ସତେଅବା ସମାଜର ଦୃଷ୍ଟି ଫେରିଆସେ । ସେତେବେଳେ ଅପରିଚିତ ପୁରୁଣା ସତ୍ୟଗୁଡ଼ିକ ମହାତ୍ମାର ମୁଖରେ ପୁଣି ସହଜ ଓ ଜୀବନ୍ତ ହୋଇଉଠେ, ନୂତନ ଆକାଂକ୍ଷାରେ ଯୁଗ ପୁଣି ଆପଣାର ଉଚିତ ପଥକୁ ଫେରିଆସେ ।

 

୧୨.୧୦.୧୯୫୦

 

ଆପଣାର ପଡ଼ୋଶୀ ବା ଆପଣାର ମିତ୍ରକୁ କିପରି ଚିହ୍ନିବ, ଏହି ପ୍ରଶ୍ନର ଉତ୍ତରରେ ଯୀଶୁ ଯେଉଁ ଗପଟି କହିଥିଲେ, ବାଇବେଲରେ ତାହା Parable of the good Samaritan ନାମରେ ପରିଚିତ । ଚୋରତସ୍କରଙ୍କ ଦ୍ୱାରା ବିପର୍ଯ୍ୟସ୍ତ ହୋଇ ଯେଉଁ ବାଟୋଇଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରାସ୍ତାରେ ପଡ଼ିଥିଲା, ତାକୁ କେବଳ ଅସ୍ପୃଶ୍ୟ Samaritan ହିଁ ଯଥାଶକ୍ତି ସାହାଯ୍ୟ କରିପାରିଲା, କିନ୍ତୁ ପାଦ୍ରୀ ଓ ମନ୍ଦିରର କର୍ମଚାରୀ ଏହି ଜୀବନ୍ତ ସହାୟତା କ୍ଷେତ୍ରକୁ ଆଖି ଆଡ଼େଇ ଚାଲିଗଲେ । Samaritan ହିଁ ଆମର ଏକମାତ୍ର ପଡ଼ୋଶୀ, ଆମକୁ ବାଇବେଲରେ ତାହାହିଁ ସୂଚିତ କରି ଦିଆଯାଇଛି । ଧର୍ମର ତଥ୍ୟକୁ ବଖାଣିବାବାଲା ଏହି ପ୍ରତୀକ ବାକ୍ୟଟିର କି ଗୂଢ଼ ଅର୍ଥ ଜାଣିଥିବେ କେଜାଣି, ଏହି କାହାଣୀଟି ଭିତରେ ମୋତେ ଗୋଟିଏ କଥା ଜଳଜଳ ଦେଖାଯାଉଚି । ଭୂଗୋଳ ଓ ଇତିହାସକୁ ପ୍ରୟୋଜନରେ ଲଗାଇ ଏବେ ଦମ୍ଭୀ ନେତାମାନେ ଜାତି ଓ ଜାତୀୟତାରେ ମିଥ୍ୟାବେଗମାନେ ସୃଷ୍ଟି କରିବାକୁ ନାନା ଚେଷ୍ଟା କରୁଚନ୍ତି । ଏ ଦେଶର ବଡ଼ଲୋକ ଓ ଏ ଦେଶର ପଶୁ-ମଣିଷକୁ ଏ ଦେଶର ସାଧାରଣ ଲୋକ ସହିତ ଜାତିତ୍ୱର କୃତ୍ରିମ ଆତ୍ମୀୟତାରେ ଗଅଁଠାଇ ଦିଆଯାଉଚି । ଆତ୍ମୀୟତାର ନୈତିକ ଭୂମି ହେଉଚି ସର୍ବଶ୍ରେଷ୍ଠ ଭୂମି । ଯିଏ ସେହି ନୀତିଗତ ବା ଆଧ୍ୟାତ୍ମିକ ଭୂମିକୁ ଭୁଲିଯାଇ ପାଖରେ ଥିବା ଲକ୍ଷ ଲକ୍ଷ ମଣିଷଙ୍କୁ ପଶୁପରି ଅଡ଼ାଇବାର ଦମ୍ଭ କରୁଚି, ଯିଏ ବଡ଼ବଡ଼ ଯନ୍ତ୍ର ଚଳାଇ ଏହି ଦେଶର କାନ ଅତଡ଼ା ପକାଇବାକୁ ଯାଉଚି, ସେ ମୋର ପଡ଼ୋଶୀ ନୁହେଁ । ହୁଏତ ସୁଦୂର ଆଫ୍ରିକା ବା ନିଉଗିନିର ବନାନିରେ ଯେଉଁ ପରିତ୍ୟକ୍ତ ମଣିଷ ପୃଥିବୀରେ ସକଳ ଆଦରରୁ ବଞ୍ଚିତ ହୋଇ ତଥାପି କେଉଁ ବାଟବଣା ବାଟୋଇକୁ ପାଣି ମନ୍ଦାଏ ଦେଉଚି, ସୁଦୂର ସାଇବିରିଆରେ ଯେଉଁ ଚାଷୀ ସମଗ୍ର ସଂସାରଲାଗି ଏକ ସୁଖୀ ସମାଜର ମୂଳଦୁଆ ପକାଉଚି, ସେଇ ମୋର ପଡ଼ୋଶୀ ହେବାକୁ ବେଶୀ ଅଧିକାରୀ । କିନ୍ତୁ ଦାମ୍ଭିକମାନଙ୍କର କପଟ—ଆୟୋଜନର କ୍ଷେତ୍ରରେ ମୁଁ କାହାରି ସହିତ ଏକା ପାହାଚରେ ଠିଆହୋଇ ପାରିବି ନାହିଁ ।

 

୧୩.୧୦.୧୯୫୦

 

ସେବାଗ୍ରାମରେ ମୋର ଶେଷ ସକାଳେ ହୃଦୟାକାଶ ହଠାତ୍ ଯେପରି ଏକ ଅସ୍ତରାଗରେ ଉକୁଟି ଉଠୁଚି । ଏହି ପୁଣ୍ୟମୟ ସ୍ଥାନର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସହିତ ମୁଁ ଆପଣାକୁ କ୍ରମେ ପରିଚିତ କରାଇ ଆଣୁଥିଲି । ମାତ୍ର ଘଟଣାକ୍ରମର ଉଚ୍ଛନ୍ନତରଣୀ ପୁଣି ପରିବର୍ତ୍ତନର ପାଲ ମେଲିଦେଲାଣି, ଆଗାମୀ କେତୋଟି ଦିନ ମୋତେ ପୁଣି ଅନେକ ଅଶ୍ୱସ୍ତି ଓ ଅସ୍ଥିରତାରେ କଟାଇବାକୁ ହେବ । ଈଶ୍ୱରଙ୍କ ପାଖରେ କେବଳ ଏତିକି ପ୍ରାର୍ଥନା, ସେ ମୋତେ ଯେତେ ଯୁଆଡ଼େ ଯେତେପ୍ରକାର ଆବେଗରେ ବାଇଆ କରି ବୁଲାନ୍ତୁ ପଛକେ ବୋଇତକାକ ପରି ମୋର ଧ୍ୟାନକୁ ଏକୋଦିଷ୍ଟ କରି ରଖିଥାନ୍ତୁ, ମୋର ଦୃଷ୍ଟିପଥକୁ ସେ ତାଙ୍କରି ଆଡ଼କୁ ମୁକ୍ତ କରି ରଖିଥାନ୍ତୁ ।

 

ଏଠି ମୁଁ ନାନା ସାମୂହିକ କର୍ମ ବନ୍ଧନରେ ବାନ୍ଧିହୋଇ କ୍ରମେ ଏଠିକାର ଅନ୍ତର୍ନିହିତ ମୁକ୍ତି ଭିତରକୁ ପ୍ରସାରିତ ହୋଇ ଯାଉଥିଲି । ତେଣୁ ହଠାତ୍ ପୁଣି ଏହି ଦଉଡ଼ି ଛିଣ୍ଡା ଯାତ୍ରାର ତାଗିଦା ପାଇ ମନଟା ଅନିଚ୍ଛାସତ୍ତ୍ୱେ ଯେପରି କେଉଁ ବନ୍ଧନରେ ବାନ୍ଧିହୋଇ ଗଲାପରି ମନେହେଉଚି । ଏହି ସ୍ଥାନରେ ମୁକ୍ତି ଆସ୍ୱାଦନ କରିବା ମୋପାଇଁ ସରିଯାଉଚି ବୋଲି ଭାବି ମୁଁ ମନେମନେ ଗୋଟାଏ ପ୍ରକାର ବେଦନା ଅନୁଭବ କରୁଚି ।

 

ଏଇଠି ମହାତ୍ମା ଗାନ୍ଧୀଙ୍କର ନିବାସକୁଟୀର ଥିଲା, ଶାନ୍ତିନିକେତନରେ ଛତିଆନାତଳ ପରି ମୋର ସମସ୍ତ ଅନ୍ତର୍ବୃତ୍ତିକୁ ଅଭିଭୂତ କରି ରଖିଥିବାଲାଗି ଏହି କୁଟୀରଟିର ମଧ୍ୟ ଏକ ଶକ୍ତିଶାଳୀ ସାମର୍ଥ୍ୟ ରହିଥିଲା । ବୁନିଆଦୀ ତାଲୀମ ବିଷୟରେ କିଛି ନିରୀକ୍ଷଣ କରି କିଛି ଅଭିଜ୍ଞତା ଲାଭ କରିବାକୁ ମୁଁ ଏଠାକୁ ଆସିଥିଲି । ଏହି କେତୋଟି ସପ୍ତାହ ମଧ୍ୟରେ ମୋ ମନରେ ହୁଏତ ତତ୍‌ସମ୍ବନ୍ଧୀ ଭଲ ମନ୍ଦ ନାନା ପ୍ରତିକ୍ରିୟା ହୋଇଚି । କିନ୍ତୁ ସେବାଗ୍ରାମ ଛାଡ଼ିଯିବା ଯେତେ ନିକଟ ହୋଇଆସୁଚି, ଏହିସବୁ ପ୍ରତିକ୍ରିୟାର ଉତ୍ତାପଗୁଡ଼ାକ ସେତିକି ଶାନ୍ତ ହୋଇଗଲାପରି ମନେହେଉଚି-। ମୁଁ ଏହି ସ୍ଥାନର ପୂଣ୍ୟଧୂଳିରେ ବିଚରଣ କରିଚି, ଏଠି କାହାର ଆଶୀଷମୟ ନିଶ୍ୱାସ ମୋର ଅଙ୍ଗଉପରେ ଆସି ବାଜିଚି, କର୍ମବ୍ରତ ସେହି ମହାତ୍ମାର ସତତ ପ୍ରୟୋଗମୟ ଜୀବନ ମୋର ଗୋଟିଏ ତେଜୋମୟ ବିନ୍ଦୁ ହୋଇ ରହିପାରିଚି । ଏହିସବୁ ସାନ୍ନିଧ୍ୟ ମୋତେ ଏହି ସ୍ଥାନଟି ସହିତ ସତେଅବା ଏକ ଆଧ୍ୟାତ୍ମିକ ପୁତ୍ରତ୍ୱର ସୁତ୍ରରେ ବାନ୍ଧି ରଖିଚି । ଏଇଠୁ ଆଶୀର୍ବାଦ ନେଇ ମୋର କର୍ମପନ୍ଥାର ପ୍ରଥମ ସୋପାନଟି ପଡ଼ିବ ବୋଲି ଯେପରି କିଏ ଆଗରୁ ମନସ୍ଥ କରି ରଖିଥିଲା-!

 

୧୪.୧୦.୧୯୫୦

 

‘ପ୍ରଭୁ ମେରେ ଅବଗୁଣ ଚିତ ନ ଧରୋ’—ଦୁର୍ଗନ୍ଧ ନାଳର ପାଣି ବିରାଟ ନଦୀର ପାଣି ସହିତ ମିଶି ନଦୀ ହୋଇଗଲା ପରି ଈଶ୍ୱରଙ୍କର ଅନୁଭୂତି ଲାଭ କରିବା ପରେ ଅନ୍ତର ଗହ୍ୱରର ସକଳ ଆବଦ୍ଧତା ମଧ୍ୟ ସେହିପରି ଦିବ୍ୟ ହୋଇଯାଏ । ସନ୍ଥ ସୁରଦାସଙ୍କର ଭଜନଟି ମୋର ସଂଶୟୀ ମନର କଥାଗୁଡ଼ିକୁ ସ୍ପଷ୍ଟ ପ୍ରକାଶ କରିଦେଉଚି ।

 

ମଣିଷ ହିଁ ମତେ ଶୁଦ୍ଧ କରିଚି, ଜଣାଅଜଣାରେ ତାହାରି ସମ୍ପର୍କ ମୋତେ ଦିନୁଁ ଦିନ ବଳିଷ୍ଠ କରିଚି । ଦାର୍ଶନିକ Spinoza ଙ୍କର ସେଇ ସ୍ମରଣୀୟ ଉକ୍ତି,—‘Man is a god to man’ - ଟି ମୋ’ ଜୀବନରେ ବାରବାର ନବୀନତର ଭାବେ ଏକ ସତ୍ୟରେ ପରିଣତ ହେବାରେ ଲାଗିଚି । ଆପଣାର ସୌମ୍ୟ ଓ ବ୍ୟାପ୍ତ କୋଳକୁ ଅନ୍ତର ଭିତରକୁ ପ୍ରସାରିଦେଇ ପ୍ରକୃତି ମଣିଷକୁ ସବୁଠାରୁ ଅଧିକ ପରିମାଣରେ ବିଶ୍ୱପିତାଙ୍କର ନିକଟବର୍ତ୍ତୀ ହେବାରେ ସାହାଯ୍ୟ କରେ, ଏକା କବି Wordsworth କହିଚନ୍ତି । ଆପଣାର ମତାନ୍ତର ପେଶ କରି ମୁଁ ତାଙ୍କ ସହିତ ବିବାଦ କରିବାକୁ ଯିବିନାହିଁ । ମୁଁ ଖାଲି ଏତିକି କହିବି, ଜୀବନ୍ତ ମଣିଷ ଓ ତା’ର ଅନ୍ତର୍ନିହିତ ସ୍ୱପ୍ନସାଧନା ମତେ ଚିରକାଳ ଉଦ୍‌ବୁଦ୍ଧ କରିଚି, ବାରବାର ସ୍ଖଳନ ପରେ ସିଏ ମତେ ବାରବାର ଏକ ବୃହତ୍ତର ପିତୃତ୍ୱର ଅଧିକାର ବୋଧରେ ସଚେତ ଓ ଜାଗ୍ରତ କରି ଦେଇଯାଇଚି ।

 

ଶିଶୁମନ ହେଉଚି ଈଶ୍ୱରଙ୍କର ଅନୁବର୍ତ୍ତୀ ମନ । ମୁଁ ସେଇ ଶିଶୁମନ ନେଇ ମଣିଷ ପାଖକୁ ଯାଇଚି, ଆପଣା ଅନ୍ତରର ସମସ୍ତ ପ୍ରୀତି ଓ ସହାନୁଭବ ନେଇ ମୁଁ ସଭିଙ୍କ ପାଖକୁ ଯାଇଚି । ସେଥିଲାଗି ମୁଁ ସମସ୍ତଙ୍କଠାରୁ ଏକ ଅପୂର୍ବ ପରିଚିତର ଉଦ୍‌ବୋଧନ ପାଇଚି, ମୋର ଆପଣାର ଦୁଆରଟିକୁ ଖୋଲି ରଖିବାରେ ସେମାନେ ସମସ୍ତେ ମତେ ସାହଯ୍ୟ କରିଚନ୍ତି—ଏହିପରି ଭାବରେ ମୋ ମନର ମଇଳାସ୍ତର ଗୁଡ଼ାକ ମଧ୍ୟ କ୍ରମେ ଧୋଇ ହୋଇ ଯାଉଚି । ସେବାଗ୍ରାମରେ ଦିନେ ଅଧିକା ରହଣି ସମୟରେ ଏହି ସଂସ୍କୃତିଟି ପାଖରେ ମୋର ମନ ଠିକ ପିଲାଟି ପରି ଆନତ ହୋଇ ଆସୁଚି ।

 

୧୭.୧୦.୧୯୫୦

 

ସେବାଗ୍ରାମର ସବୁ କଥା ମତେ ସ୍ୱପ୍ନ ପରି ଆବିଷ୍ଟ କରି ରଖିଚି । ସେଠି ଗୋଟାଏ ମାସ ରହିବା ପରେ ଆପଣା ବିଷୟରେ ଏହି ଗୋଟିଏ କଥା ମୁଁ ପ୍ରାଣର ଏକ ପ୍ରକୃତ କ୍ଷେତ୍ର ପାଇଥିଲି । ଯେତେ ବଙ୍କା ବାଟରେ ଯେତେଦିନ ଯାଏ ଯେତେ ଯୁଆଡ଼େ ବୁଲୁଥିଲେ ମଧ୍ୟ ଶେଷରେ ମୁଁ ସେହି ସେବାଗ୍ରାମର ପ୍ରେରିତ ପଥଟିକୁ ଯେ ଫେରିଆସିବି, କିଏ ଯେପରି ବାରବାର ଏହି କଥାଟି ମନକୁମନ ଜପ କରିବାରେ ଲାଗିଚି ।

 

ଅଳପ ଦେଖା ଓ ଅଳପ ଚିହ୍ନାର ମୋହରେ ପଡ଼ି ମୁଁ ଏପରି କହୁନାହିଁ । ସେବା ଗ୍ରାମର କର୍ମକ୍ଷେତ୍ର ସହିତ ଆଗରୁ ମୋର ଅଳ୍ପ ବହୁତ ପରିଚୟ ଥିଲା, ସେବାଗ୍ରାମର ମହାତ୍ମା ହିଁ ମୋର ସେହି କିଶୋର ବୟସରେ ମୋର ସର୍ବଶ୍ରେଷ୍ଠ ଅନୁରକ୍ତିର ଆସନ ଅଧିକାର କରିଥିଲେ । ତଥାପି ଆପଣାକୁ ଏକନିଷ୍ଠ କରି ଅର୍ପଣ କରିଦେବା ଆଗରୁ ମୋର ଜିଜ୍ଞାସୁ ମନ ନାନା ପଥର ଅନୁଭୂତି ଲାଳସାରେ ନାନାପ୍ରକାରେ ବୁଲିବାକୁ ଲାଗିଲା । ଏବେ ମଧ୍ୟ ତାର ବୁଲିବା ଶେଷ ହୋଇନାହିଁ । କିନ୍ତୁ ତାର ଦୃଷ୍ଟି କ୍ରମେ ଆପଣା ନୀଡ଼କୁ ଫେରିଆସୁଚି, ଆପଣାର ସ୍ୱାଭାବିକ ପଥ ଅତିକ୍ରମ କରି ସେ ଶେଷକୁ ବଳେ ଆପଣାର ନିର୍ଦ୍ଦିଷ୍ଟ ପଥକୁ ବି ଫେରିଆସିବ । ଯିଏ ମୋତେ ମନଭିତରେ ବୁଲିବାର ବାସନା ଦେଇଥିଲା, ସେଇ ନିଜେ ମୋ’ରି ଭିତର ଦେଇ ତା’ର ଇଚ୍ଛା ପୂର୍ଣ୍ଣ କରିବ ।

 

ସେବାଗ୍ରାମକୁ କଲିକତା ଓ କଲିକତାରୁ କଟକରେ ଆସି ପହଞ୍ଚିଚି । ତଥାପି ସେଠିକାର ଜୀବନ ସ୍ପର୍ଶଟି ମତେ ଆଜିଯାଏ ଛାଡ଼ି ଯାଇନାହିଁ । ଦିନମାନର ସକଳ କାର୍ଯ୍ୟକ୍ରମରେ ମୁଁ ଯେପରି ସଭିଙ୍କ ସାଙ୍ଗରେ ମନେମନେ ସାମିଲ ହୋଇ ରହିଚି ।

 

୧୮.୧୦.୧୯୫୦

 

ଇନ୍ଦୋରର ଏକ ସାଧାରଣ ସଭାରେ ସରକାରଙ୍କର ସହକାରୀ ପ୍ରଧାନମନ୍ତ୍ରୀ ଗୋଟିଏ ଭାଷଣ ଦେଇଚନ୍ତି । ଖୁବ୍‌ଜଣେ ଭଲଲୋକଙ୍କ ପରି ସେ ଲୋକଙ୍କୁ କହିଚନ୍ତି ଯେ ଯଦି ତାଙ୍କୁ କେହି ବୁଝାଇଦେଇ ପାରନ୍ତି ଯେ ବର୍ତ୍ତମାନର ପୁଞ୍ଜିମାଲିକ ଶିଳ୍ପିପତିମାନଙ୍କୁ ବାଦଦେଇ ଏହି ଦେଶକୁ ଚଳାଇ ହେବ, ତାହେଲେ ସେ ସୋସିଆଲିଷ୍ଟ ବା କମ୍ୟୁନିଷ୍ଟମାନଙ୍କ ଠାରୁ ବି ଆହୁରି ସେହି ଦିଗରେ ଆହୁରି ଆଗକୁ ମାଡ଼ିଯିବାକୁ ମଧ୍ୟ ତିଆରି ଅଛନ୍ତି !

 

ମାନ୍ୟବର ସହକାରୀ ଶାସକଙ୍କୁ ମୋର କେବଳ ଏତିକି କଥା ଚେତାଇ ଦେବାକୁ ଇଚ୍ଛା ହେଉଚି ଯେ, ଶିଳ୍ପପତିମାନଙ୍କୁ ଅନୁସରଣ କରିବାର ନୀତି ଧରି ଯଦି ଏହି ଦେଶର ସଂଖ୍ୟାଗରିଷ୍ଠ ଚାଷୀ ଓ ମୂଲିଆଙ୍କର ସର୍ବନାଶ କରିବାକୁ ପଡ଼େ; ସେ କଣ ତଥାପି ଦେଶ ଓ ଜାତିର ଦ୍ୱାହିଦେଇ ଶିଳ୍ପପତିମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିବାଲାଗି ତିଆରି ଅଛନ୍ତି ? ଏଇ ଦୁଇ ବରଷ ହେଲା ଦେଶର ସବୁଠାରୁ ଅଧିକ କ୍ଷତି କରିଚନ୍ତି ସେଇମାନେ, ଆପଣା ପୁଞ୍ଜିର ସୁଯୋଗ ଖଟାଇ ସେମାନେ ଏହି ଦେଶର ନୈତିକ ଓ ରାଜନୀତିକ ଅଧୋଗତିକୁ କାଏମ କରି ରଖିଚନ୍ତି, ନାନାପ୍ରକାର ଅମାନବିକ ଓ ଅସୁନ୍ଦର ସାମାଜିକ ସମ୍ବନ୍ଧର ସୃଷ୍ଟି କରି ସେମାନେ ଏହି ଭୂଇଁର ଜନମନକୁ ଆହୁରି ତପ୍ତ ଓ ଆହୁରି ନିର୍ମମ ହେବାର provocations ଦେଉଚନ୍ତି ।

 

ଶିଳ୍ପପତିମାନଙ୍କୁ ବାଦଦେଇ ଚଳିହେବ ନାହିଁ ବୋଲି ସରକାର ସେମାନଙ୍କୁ ତୋଷେଇ ରଖିବାକୁ ବାଧ୍ୟ ହେଉଚନ୍ତି; କିନ୍ତୁ ଏ ଦେଶର ଜନତାକୁ ଓ ଜନତା ଭିତରେ ରହିଥିବା ମଣିଷ ହେବାର ଭୋକକୁ ବାଦ ଦେଇ ଆରାମରେ ଭାଷଣ ଦେଇ ନ ପାରିବାର ସମୟ ଆସିବାକୁ ହୁଏତ ସମୟ ବାକୀ ରହିଚି । ସେହି ସମୟ ଆସିବାଲାଗି ଆମକୁ ହିଁ ଉଚିତ ବାତାବରଣ ତିଆରି କରିବାକୁ ହେବ’ ନହେଲେ ଭାରତରେ ନାନାପ୍ରକାର ଆବଶ୍ୟକ ଓ ଅନାବଶ୍ୟକ କାରଖାନା ଓ ସରଞ୍ଜାମ କୁଢ଼ ଭର୍ତ୍ତିହୋଇ ଗଲେ ମଧ୍ୟ ଜନମନ ଓ ତାହାର ଅଭିଳାଷ ଗୁଡ଼ିକ ଚିରକାଳ ଲାଗି ଅପମାନିତ ଓ ଉପବାସୀ ହୋଇ ରହିଯିବ । ଏଯୁଗର ଦେଶୀ ଶାସକମାନଙ୍କୁ ସେ ବିଷୟରେ ସାବଧାନ ରହିବାକୁ ପଡ଼ିବ । ସୋମନାଥ ମନ୍ଦିର ଓ ଅହମଦାବାଦ ମିଲ୍‌କୁ ନେଇ ଯିଏ ସୁନାଭାରତର ସ୍ୱପ୍ନ ଦେଖିବାକୁ ଆରମ୍ଭ କଲାଣି, ଦେଶର ଜନଗଣଙ୍କ ସମ୍ବନ୍ଧରେ ସିଏ ଆଉ କେତେ ସମ୍ମାନର ସହିତ ଚିନ୍ତା କରିପାରନ୍ତା ?

 

୧୯.୧୦.୧୯୫୦

 

କଂଗ୍ରେସଦଳରୁ ମନୋନୀତ ହୋଇ ସରକାର ଚଳାଉଥିବା ମନ୍ତ୍ରୀମାନଙ୍କୁ ମହାତ୍ମା ଗାନ୍ଧୀଙ୍କର political usurpers ବୋଲି କହିଲେ ଖୁବ୍‌ବେଶୀ ଭୁଲ ହେବନାହିଁ । ଗାନ୍ଧୀଛାପ ମାରି ବିଡ଼ି ବେପାରୀ ଆପଣାର ବିଡ଼ିକୁ ଲୋକପ୍ରିୟ କଲାପରି ଏ ମନ୍ତ୍ରୀମାନେ ମଧ୍ୟ ଆପଣାର ଯାବତୀୟ କଥା ପଛରେ ମୃତ ଗାନ୍ଧୀ ନାମର ପଘାକୁ ଆଣି ବାନ୍ଧି ଦେଉଚନ୍ତି । କଟକର ଗୋଟାଏ ସଭାରେ ଆମ ଓଡ଼ିଶାର ବଡ଼ ନେତା ଶ୍ରୀଯୁକ୍ତ—ଏବେ ସେହିପରି ଗୋଟାଏ କଥା କହିଚନ୍ତି । ଦେଶରେ key industries ର ବଡ଼ ବଡ଼ କାରଖାନା ମାନ ବସାଇବାର ଅଭିମାନକୁ ସମର୍ଥନ କରିବାକୁ ଯାଇ ସେ କହିଚନ୍ତି ଯେ, ‘‘ଏସବୁ ମୌଳିକ ଶିଳ୍ପପ୍ରତିଷ୍ଠା ମୂଳକ ନୀତି ସହିତ ଗାନ୍ଧୀଜୀଙ୍କ ନୀତିର କୌଣସି ବିରୋଧ ନାହିଁ । ଗାନ୍ଧୀ ଓ କଂଗ୍ରେସ କେବଳ ସାଧାରଣ ବ୍ୟବହାର୍ଯ୍ୟ ପଦାର୍ଥଗୁଡ଼ିକ ଉପରେ ହିଁ ବେଶୀ ନଜର ଦେଉଥିଲେ । (ସମାଜ, ୧୩.୧୦.୫୦) key industriesର କ୍ଷେତ୍ରରେ ଗାନ୍ଧୀଜୀଙ୍କର ସ୍ୱଦେଶୀ ନୀତି ଯେ ପ୍ରଯୁଜ୍ୟ ନୁହେଁ, ଶ୍ରୀଯୁକ୍ତ—ଏହିପରି ଏକ ଭୁଲ ଧାରଣା ଦେବାକୁ ଚେଷ୍ଟା କରିଚନ୍ତି । ଭଗବାନ ଜାଣନ୍ତି, ସେ କି ବହି ପଢ଼ିବା କି କଥା ଭାବି ଏପରି ଏକ ନିର୍ଣ୍ଣୟରେ ଆସି ପହଞ୍ଚିଚନ୍ତି । ଗାନ୍ଧୀଜୀଙ୍କର ନାଆଁ ନନେଇ ଖାଲି ନିଜ ସରକାରଙ୍କର ନୀତିଟିକୁ ବୟାନ କରି ଦେଇଥିଲେ ତ କୌଣସି କ୍ଷତି ହୋଇ ନଥାନ୍ତା ! ତଥାପି ଏହି ମନ୍ତ୍ରୀମାନେ ବାରବାର ଏପରି ଅର୍ଦ୍ଧ ସତ୍ୟ ଗୁଡ଼ାକର କୁହୁଡ଼ି ରଚନା କରିବାକୁ ଏତେ ଭଲ ପାଉଚନ୍ତି କାହିଁକି ?

 

ଗୋରୀ ବ୍ୟବସାୟୀଙ୍କ ଶୋଷଣ ପରି କଳା ବ୍ୟବସାୟୀଙ୍କ ଶୋଷଣ ମଧ୍ୟ ସ୍ୱଦେଶୀ ନୁହେଁ, ଏକଥା ମହାତ୍ମାଗାନ୍ଧୀ ସାଫ୍ ସାଫ୍ ଘୋଷଣା କରିଚନ୍ତି । ପ୍ରତ୍ୟେକ ଲୋକକୁ ଉଚିତ ସ୍ଥାନ ଓ ସମ୍ମାନ ଦେଉଥିବା ସମାଜର ସମ୍ମିଳିତ ଚେଷ୍ଟାରେ ସଭିଙ୍କର କଲ୍ୟାଣଲାଗି ଜୀବନ ଭରଣର ଯେଉଁ ଉତ୍ପାଦନ ସମ୍ବନ୍ଧୀ ସାଧନମାନ ଗ୍ରହଣ କରାଯିବ, ତାହାହିଁ ସ୍ୱଦେଶୀ । ସ୍ୱଦେଶୀର ଭାବନା ମଧ୍ୟ ଏକ Ethical ଭୂମିଉପରେ ପ୍ରତିଷ୍ଠିତ ରହିଚି । ମରିବା ସଙ୍ଗେ ସଙ୍ଗେ ସଭିଏଁ ନିଶା ଖାଇ ସେହି ଭୂମିଟିକୁ ଭୁଲି ଯାଉଚନ୍ତି । ଅନ୍ତତଃ କେନ୍ଦ୍ରୀକରଣ ଓ ବିକେନ୍ଦ୍ରୀକରଣ ସମ୍ବନ୍ଧରେ ଗାନ୍ଧୀମତକୁ ବୁଝିଥିଲେ ସାଧାରଣଙ୍କୁ ଏପରି ଏକ ଭୁଲକଥା କହିବାର ଦୁଶ୍ଚେଷ୍ଟା କେହି କରି ନଥାନ୍ତେ ।

 

୨୨.୧୦.୧୯୫୦

 

ପୁଣି ବାରବୁଲା ହୋଇ ମୁଁ ଆପଣା ଧ୍ୟାନଖୁଣ୍ଟାରୁ ହୁଗୁଳା ହୋଇଯାଉଚି । ସେବାଗ୍ରାମର ଶ୍ରଦ୍ଧାନିୟନ୍ତ୍ରିତ ଦିନଚର୍ଯ୍ୟା ପରେ ଏହି ଶୃଙ୍ଖଳାହୀନତା ମତେ ଯେପରି କେଉଁ ଶଇତାନର ଅତ୍ୟାଚାର ପରି ମନେ ହେଉଚି । କେଉଁ ଅନ୍ତରଙ୍ଗ ପ୍ରାଣବିଧାତାର ଶୃଙ୍ଖଳା ଓ ଶାସନକୁ ସ୍ୱୀକାର କରିନେଇ ମୁକ୍ତଭାବେ ବିଚରଣ କରିବାର ସ୍ୱାଧୀନତା ପାଇବାଲାଗି ଭିତରଟା ଭାରି ଉଚ୍ଛନ୍ନ ହୋଇ ପଡ଼ିଲାଣି । ତେଣୁ ଅବସ୍ଥା ହାତରେ କେବଳ ଏକ ପୁତ୍ତଳି ପରି ଖାଲି ଏପାଖ ସେପାଖ ଧାଇଁବାକୁ ଆଉ ଭଲ ଲାଗୁନାହିଁ । ମୁଁ ସେହି ସୁବ୍ୟବସ୍ଥିତ ଶାନ୍ତି ଚାହେ, ଯାହା ମୋତେ ଥିର ମନ ଓ ସୁମଗ୍ନ ଧ୍ୟାନ ସହିତ ଆପଣାକୁ ଦେଖି ପାରିବାର ସୁଯୋଗ ଦେଇ ପାରିବ ।

 

ଆଗରୁ ମୁଁ କେବେ ଟଙ୍କା ହଜାଇ ନଥିଲି, ତେଣୁ ହଠାତ୍ ସେହିପରି ଏକ ଘଟଣା ପରେ ନିଜ ଅସାବଧାନତା ଲାଗି ମୁଁ ବଡ଼ ଲଜ୍ଜା ଅନୁଭବ କରୁଚି । ସଂସାରରେ ଆପଣାକୁ ହଜାଇ ଦେବା ବିସ୍ମୃତ ଭାବରେ ବିକ୍ଷିପ୍ତ କରିଦେବା ବଡ଼ ସହଜ । ସବୁ ମଣିଷର ଜୀବନରେ ଏହି କଥା ପ୍ରାୟ ସବୁଦିନେ ଲାଗି ରହିଥାଏ । କିନ୍ତୁ ଏହି ସଂସାରରେ, ସମାଜରେ ବା ଅପର ମଣିଷର ଅନ୍ତର ଭିତରେ ଆପଣାର କରି କିଛି ସ୍ଥାୟୀ ଓ ସୁନ୍ଦର ଭାବରେ ସୃଷ୍ଟି କରିବା ପ୍ରକୃତରେ କେଡ଼େ କଷ୍ଟକର-! ହୁଏତ କେବଳ ଏଇଥିଲାଗି ମଧ୍ୟ ଗୋଟାଏ ଗୋଟାଏ ଜୀବନର ସକଳ ସାଧନା ସମର୍ପିତ ହୋଇପାରିବ !

 

ଆଜି ବାଟ ପାଖରେ ବସି ଜୀବନ ବାଟର ନଥି ପୂର୍ଣ୍ଣ କରୁଚି । ଅତି ଅକାରଣରେ ଓ ବିସ୍ମୃତ ଭାବରେ ଗାଆଁରେ ଦୁଇଟା ଦିନ କଟିଗଲା, ଜୀବନର କୌଣସି କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟର ଜ୍ଞାନ ଆଉ ଦେହରେ ରହି ପାରିଲା ନାହିଁ । କିନ୍ତୁ ହଠାତ୍ ପଥ ପ୍ରାନ୍ତରେ ବସିଥିବାବେଳେ ଆଜି ବଡ଼ ଖାଲି ଖାଲି ଲାଗୁଚି ।

 

୨୬.୧୦.୧୯୫୦

 

ବେଶ ଦୁଇ ସପ୍ତାହର ଧାଁ ଧପଡ଼ ପରେ ମୁଁ ଶାନ୍ତିନିକେତନରେ ଏହି କେତୋଟି ଦିନ କଟାଇ ଦେଉଚି । ବର୍ତ୍ତମାନ ଦଶହରା ଛୁଟୀ, ତେଣୁ ଏଠି ବାତାବରଣ ଅପେକ୍ଷାକୃତ ଶାନ୍ତ ରହିଚି, ଆଶ୍ରମର ଆତ୍ମାକୁ ଆପଣାର କରି ଚିହ୍ନିବା ସେଥିଲାଗି ଅପେକ୍ଷାକୃତ ଅଧିକ ସହଜ ହୋଇ ଯାଉଚି-। ଏହି ତୀର୍ଥରେ ମୁଁ ପାଞ୍ଚବରଷ କାଳ ଆପଣାକୁ ମାଜିଚି ଓ ମାଠିଚି, ପ୍ରଧାନତଃ ସେହି ସ୍ମୃତି ହିଁ ମୋତେ ଏହି ସ୍ଥାନଟି ସହିତ ଗୋଟାଏ ମହାନ ପୁତ୍ରତ୍ୱରେ ବାନ୍ଧି ରଖିଚି । ସଭ୍ୟତା ଓ ସଂସ୍କୃତିର ଶୋଭା ବଜାର ତଳେ ଏଠି କୋଉଠି ମଣିଷକୁ ମାରି ଦେବାର ଚଲଖି ଚାଲିଚି, ଏକ ବଡ଼ ଆୟତନରେ ଉଦ୍ଦେଶ୍ୟହୀନ ଜନ୍ତୁ ପରି ନାଚି ନାଚି କୋଉଠି ଆପଣାର ସମସ୍ତ ଶକ୍ତିକୁ ନିଃଶେଷିତ କରି ଦେବାର ଅଳସ ସ୍ୱପ୍ନ ଦେଖାଯାଉଚି, ସେଗୁଡ଼ାକ ମନେ ପକାଇ ମୁଁ ଆଶ୍ରମ ଦେବତା ସହିତ ଚିତ୍ତର communication ରେ ବିକୃତିମାନ ସୃଷ୍ଟି କରିବି କାହିଁକି ? ଏଠିକାର ବିକୃତି ହେଉଚି, ଅପୂର୍ଣ୍ଣ ଅଥଚ ଅଭିମାନୀ ମଣିଷର ମୁଗ୍‌ଧ ମନର ବିକୃତି । ସେହି ମୁଗ୍‌ଧ ମନ ହୁଏତ ଏଠିକାର ବାତାବରଣଟିକୁ ଦିନେ ଗ୍ରାସ କରି ପକାଇବ । କିନ୍ତୁ କବି ଓ ତପସ୍ୱୀ ଅନ୍ତରରେ ପ୍ରଥମେ ଜନ୍ମଲାଭ କରିଥିବା ଏହି ଆଶ୍ରମ ଜୀବନର ପ୍ରାଣ ଅଙ୍କୁରକୁ ମାରି ପାରିବ କିଏ ? ଯୁଗେ ଯୁଗେ ନାନା ପ୍ରକାର ପ୍ରୟୋଗ ଓ ପ୍ରେରଣାର ରୂପନେଇ ଏହା ମଣିଷକୁ ଉଦ୍‌ବୁଦ୍ଧ କରିବାଲାଗି ମହଜ୍ଜୁଦ ରହିଥିବ ।

 

ମୋ’ ଜୀବନର ଯାବତୀୟ କ୍ଷେତ୍ରକୁ ମୁଁ କେବଳ ସେହି ପ୍ରାଣମୂଳ ପ୍ରେରଣାଟିକୁ ବହନ କରି ନେଇଯିବି । ଆପଣାର ସମର୍ପଣ ଯଜ୍ଞରେ ଶାନ୍ତିନିକେତନ ମତେ ଯଥେଷ୍ଟ ଶୁଦ୍ଧଭାବରେ ସମର୍ପିତ ଶ୍ରଦ୍ଧା ଓ ଶକ୍ତି ଦେଇ ପାରିବ । ଆଜି ସେଇ କଥା ବାରବାର ମନେ ପଡ଼ୁଚି । ସମ ବିଷମ, ଚଞ୍ଚଳ ଓ ଶାନ୍ତ କେତେକେତେ ସ୍ମୃତିର ମାନସ କଣାମାନ ଆଜି ତୀର୍ଥ ଧୂଳିରେ ପରିଣତ ହୋଇଗଲାପରି ଲାଗୁଚି ।

 

୨୭.୧୦.୧୯୫୦

 

ଏପର୍ଯ୍ୟନ୍ତ ମୁଁ ଚିତ୍ତ ସ୍ଥିର କରି ବସିପାରିଲି ନାହିଁ, ଭାବନାର ମେଘ ଗୁଡ଼ାକ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଉପତ୍ୟକାରେ ଆପଣାକୁ ଅଜାଡ଼ି ଦେଇ ଆଶ୍ୱସ୍ତ ହୋଇ ପାରିଲନାହିଁ । ଚାରିମାସ ହେଲା ଏହି ଉଡ଼ି ବୁଲିବାର ଅନିଶ୍ଚିତତା ମତେ ଯେପରି କ୍ରମେ ବଡ଼ କ୍ଳାନ୍ତ କରି ପକାଇଲାଣି, vacuum ଭିତରେ ଭାସିବାର ନିଃସାରତା କ୍ରମେ ମୋର ସମସ୍ତ ସ୍ପୃହାକୁ ଯେପରି ମାରିଦେଇ ସାରିଲାଣି । ଜାଣେନା, କେବେ ଯାଇ ଏହାର ଅନ୍ତହେବ ! ଆପଣାର ଅନ୍ତରାତ୍ମାକୁ ମୁଁ ବାରବାର ପ୍ରଣାମ ଜଣାଉଚି, କାରଣ ଏହିସବୁ ଅସ୍ଥିରତା ସତ୍ତ୍ୱେ ସିଏ ତଥାପି ଚିରସ୍ଥିର ବିଶ୍ୱ-ଆତ୍ମା ପାଖରେ ଆପଣାକୁ ନତ କରି ରଖି ପାରିଚି । ଯେଡ଼େ ଆର୍ତ୍ତ ମୁହୂର୍ତ୍ତରେ ହେଉ ପଛକେ, ସିଏ ମୁହୂର୍ମୁହୂ ତାଙ୍କୁଇ ଡାକି ପାରିଚି । ନହେଲେ ରଥଚକର ଧୂଳି ପରି ମୁଁ କୋଉଦିନୁଁ କୁଆଡ଼େ ନିକ୍ଷିପ୍ତ ହୋଇ ସାରନ୍ତିଣି ।

 

ସେବାଗ୍ରାମର ଦିନଚର୍ଯ୍ୟା ମୋତେ କ୍ରମେ ତାହାରି ପାହାଚର ସମୀପବର୍ତ୍ତୀ କରି ଆଣୁଥିଲା, ସମୟ ଜାଣି ମନର ପୂଜାରୀ ସେଠି ଆପଣାକୁ ପ୍ରସ୍ତୁତ କରି ରଖି ପାରୁଥିଲା ।

 

ଏଠି ଶେଷ ଶରତରେ ଆଜି ମେଘର ଆଡ଼ମ୍ବର ଜମିଚି । ଝୁପୁ ଝୁପୁ ବର୍ଷାରେ ବିସ୍ମୃତ କିଏ ଜଣେ ଯେପରି ଆପଣାକୁ ଚିହ୍ନଟ କରି ଜଣାଇଦେବାରେ ଭାରି ତତ୍ପର ହୋଇପଡ଼ୁଚି । କିନ୍ତୁ ତଥାପି କଣ ମୋର ଜାଗରଣର ଘଣ୍ଟା ବାଜି ପାରୁଚି ? ଆଶା ଦୁରାଶାର କୁହେଳିର ନାନା ବିସ୍ତୃତି ଭିତରେ କେବଳ ମୋ’ ଦୃଷ୍ଟିପଥଟା ହିଁ ବେଶ ଫୁଲକରି ରହିଚି, କିନ୍ତୁ ସେହି ଜମାଟକୁ ଭେଦ କରି ମୁଁ ଆକାଶରେ ପଡ଼ିଥିବା ସେହି ଅନନ୍ତ ପଥର ଉଦ୍ଦୀପନା ପାଇବି ଆଉ କେତେବେଳେ ? ସତେଅବା କାହାର ଅଭିଶାପରେ ମଥା ଭିତରଟା ନାନା ଉଦ୍‌ବିଗତାରେ ରୁନ୍ଧିହୋଇ ରହିଚି, ସବୁ ଭସାଇ ଦେବାର ସ୍ରୋତ ପାଖକୁ ଆସି ସବୁ ଖସାଇ ଦେବାର ସୁଯୋଗ ଆଉ ଆସିବ କେତେବେଳେ ?

 

୨୮.୧୧.୧୯୫୦

 

ଚାରିମାସ ଏଣେତେଣେ ହୋଇ ବୁଲିବାପରେ ଆଜି ମୁଁ ସମୁଦ୍ରବକ୍ଷରେ ନୀଡ଼ ବାନ୍ଧିଚି । ଦିନ ଏଗାରଟା ବେଳେ ଆମ ଜାହାଜ ବମ୍ବେ ବନ୍ଦର ଛାଡ଼ିଥିଲା । ତାପରେ ପ୍ରାୟ ଅଢ଼େଇ ଘଣ୍ଟା ସମୟ ବିତିଗଲାଣି । ଚତୁର୍ଦ୍ଦିଗରେ କେବଳ ନୀଳିମାର ବିସ୍ମୟ, ଉତ୍ତୁଙ୍ଗ ତରଙ୍ଗର ମର୍ମରିତ ଭାଷାଦ୍ୱାରା ସେ ଯେପରି କେବଳ ଆପଣାର ହଠାତ୍ ପରିଚୟଟି ଦେଇଯାଉଚି ।

 

ଆଠ ବରଷ ତଳେ ପୁରୀଠାରେ ପ୍ରଥମଥର ପାଇଁ ସମୁଦ୍ର ଦେଖି ମୁଁ ଆନନ୍ଦରେ ନାଚି ଉଠିଥିଲି । ତାପରେ ଯେତେଥର ସାଗର ସାକ୍ଷାତ ଘଟିଚି ସତେଅବା କାହାର ଉଦ୍ଦେଶ୍ୟରେ ମୋର ହୃଦୟ କେତେ ଶ୍ରଦ୍ଧା ଓ ବିସ୍ମୟରେ ପୂର୍ଣ୍ଣ ହୋଇ ଉଠିଚି । କିନ୍ତୁ ଆଜିର ସାକ୍ଷାତ ବଡ଼ ବିଚିତ୍ର । ବମ୍ବେ ସହର ଅନେକ ଦୂରରେ ବିଲୀନ ହୋଇ ରହିଲାଣି । ଖାଲି ସରଳ ଆକଶର ଦିଗ୍‌ବଳୟ ବ୍ୟତୀତ ମୋର ଦୃଷ୍ଟିକୁ ବାରଣ କରି ରଖିବାକୁ ବର୍ତ୍ତମାନ ଚତୁର୍ଦ୍ଦିଗରେ ଆଉ କିଛି ନାହିଁ । ସାଗର-ସନ୍ତରଣୀ ପକ୍ଷୀ ପରି ମୋର ମନ ଅନେକ ଦୂରକୁ ଉଡ଼ିଯାଇ ପାରୁଚି ।

 

ବିସ୍ତୃତିର ଏହି ମହାତୀର୍ଥରେ ଆପଣାର ସତ୍ୟ-ମନଟିକୁ ମୁଁ ପୁଣି ଫେରିପାଇବି । ଚାରିମାସ ବାରଦୁଆାର ବୁଲିବୁଲି ଅପରଠାରୁ ପଦେ ଜବାବ ପାଇବାକୁ ବଡ଼ ନିକୃଷ୍ଟ ଭାବରେ ଚାହିଁ ରହିରହି ମୁଁ ଯେପରି ଭିତରର ଅନେକ ଆସ୍ଥା ଓ ସମ୍ମାନକୁ ହଜାଇ ଦେଇଚି । ନାନାସ୍ଥାନରୁ ନାନା କିସମର ଆଘାତ ପାଇଚି । ଅବସାଦ, ଘୃଣା ଓ ବିଦ୍ୱେଷରେ ଅନେକ ସମୟରେ ମୋର ସମସ୍ତ ପ୍ରାଣ କାନ୍ଦି ଉଠିଚି । ମନେ ହୋଇଚି, ପଇସାରେ ଗରିବ ହେଲେ ହୁଏତ ମନରେ ବି ଗରିବ ହେବାକୁ ଯେପରି ଆଦୌ ବେଶୀ ସମୟ ଲାଗେନାହିଁ; ପଇସା ଦେଇ ଦୟା ଦେଖାଇଲା-ବେଳେ ଦାତା ଯେପରି ଗ୍ରହୀତାର ମନକୁ ମଧ୍ୟ ଅତି ସହଜରେ ଗ୍ରାସ କରିପକାଏ । ଅନିର୍ଦ୍ଦିଷ୍ଟ ଭାବରେ ମୁଁ କେତେ ବୁଲିଚି, କେତେପ୍ରକାର ବୋଧ ଓ ଆଶ୍ୱାସର କ୍ଷୀଣସ୍ରୋତରେ ଭାସିଯାଇ ମୁଁ କାଦୁଅ ମାଟିରେ ଗୋଳିହୋଇ ଆପଣାକୁ ବଡ଼ କୁତ୍ସିତ କରି ପକାଇଚି । ଆଜିଠାରୁ ସବୁ ଶାନ୍ତି, ସବୁ ପ୍ରଶମିତ ହୋଇଯିବ । ଶତଶତ ଆତ୍ମୀୟସ୍ୱଜନଙ୍କର ବିଦାୟକାଳୀନ ଖେଦ ଓ ଆନନ୍ଦ ନେଇ ଆମ ଜାହାଜ ‘ଜଳ-ଆଜାଦ’ ସ୍ୱାଧୀନ ଏକକ ପରି ଜଳଧିବକ୍ଷରେ ତାର ସମାହିତ ଯାତ୍ରା ଆରମ୍ଭ କଲାପରି ଅତୀତ ମନର ସମସ୍ତ ଖେଦ ଓ କ୍ଷତକୁ ଏକାକାର କରି ମୁଁ ମଧ୍ୟ ଏହି ବିରାଟ ବିସ୍ତୃତିରେ ଏକକ ହୋଇ ଠିଆହେବି, ଆପଣାର ଧ୍ୟାନବିନ୍ଦୁକୁ ଚତୁର୍ଦ୍ଦିଗର ବ୍ୟାପ୍ତିର ମିଳାଇଦେଇ ପରିପୂର୍ଣ୍ଣ ହୋଇଯିବି । ମୋର ସବୁ ଆଶଙ୍କା ଓ ଅପଭାବନା ଆଜି ଏହି ଜଳଧିଜଳରେ ମିଳାଇଯାଉ ।

 

ସମୁଦ୍ର ପାରିହୋଇ ଆଉ ଗୋଟାଏ ଦେଶକୁ ଗଲାବେଳେ ଆପଣାକୁ ମୋ ନିଜ ଦେଶର ପ୍ରତିନିଧି ହୋଇ ଗଲାପରି ଲାଗୁଚି । ଆଗେ ଆମ ପୂର୍ବପୁରୁଷମାନେ କୁଆଡ଼େ ବିଦେଶକୁ ବାଣିଜ୍ୟ କରି ଯାଇଥିଲେ, ବିଦେଶରେ ରାଜ୍ୟ ବସାଇଥିଲେ, ଦେଉଳ ତୋଳିଥିଲେ, ଧର୍ମପ୍ରଚାର କରିଥିଲେ । ମୋ ଦେଶର ମହାକବି ହୁଏତ ଜାତୀୟ ସଂସ୍କୃତିର ପ୍ରତିନିଧି ହୋଇ ବିଦେଶରେ ବୁଲି ଆସିଥିଲେ, ମୋର ସେପରି କୌଣସି missionary zeal ନାହିଁ । ପିଲାଟିଦିନରୁ ମଣିଷକୁ ନାନା ଭାବରେ ଓ ନାନାସ୍ତରରେ ଦେଖିଦେଖି ଆସିଲିଣି । ଜଣେ ଜଣେ ମହାତ୍ମା ବି ଅତିମାନବଙ୍କୁ ଦେଖି ବା ତାଙ୍କର ଚିନ୍ତାଧାରା ସହିତ ପରିଚିତ ହୋଇ ମୁଁ ହୁଏତ ମଣିଷ ବିଷୟରେ କେତେକେତେ ସ୍ୱର୍ଗକଳ୍ପନାରେ ଭାସିଯାଇଚି । କିନ୍ତୁ ନିରନ୍ତର ବିଚରଣ କରୁଥିବା ଜୀବନକ୍ଷେତ୍ରରେ ମଣିଷକୁ ବୁଡ଼ାଇ ରଖିଥିବା ନାନାବିଧ ମଇଳା ମୋ’ ମନର ସକଳ ଆକାଙ୍‌କ୍ଷାକୁ କେତେଥର ବଡ଼ ବିତୃଷ୍ଣ କରି ପକାଇଚି । ଏହି ମଇଳାଗୁଡ଼ାକୁ ଦୂର କରିବା-ଲାଗି ହିଁ ଆଜି ପ୍ରତ୍ୟେକ ଯୁବକକୁ ବାଟ ବାହାର କରିବାକୁ ପଡ଼ିବ । ନାନା ଦେଶର ମଣିଷକୁ ନିରୀଖି ଦେଖିବା ପଛରେ ମୋର ଏହିପରି ଗୋଟିଏ ଅଭିଳାଷ ରହିଚି ।

 

୨୯.୧୧.୧୯୫୦

 

ଦିନକ ଭିତରେ ଆମେ ୩୫୫ ମାଇଲ୍ ଆସିଲୁଣି । ଏପର୍ଯ୍ୟନ୍ତ ଖାଲି ନୀଳଜଳର ସରଳ ଦିଗ୍‌ବଳୟ ଛଡ଼ା ଆଉ କିଛି ଦୃଷ୍ଟିଗୋଚର ହୋଇନାହିଁ ଖାଲି ସକାଳେ ଥରେ ଅନେକ ଦୂରରେ କୌଣସି ଏକ ଜାହାଜ ଦେଖିବା ମାତ୍ରକେ ମନଭିତରେ ସ୍ଥଳର ମାୟା ଘାରିଦେଇଥିଲା।

 

ରାଜ୍ୟରକ୍ଷା ପାଇଁ ଅନେକ ଟଙ୍କା ଖରଚ ହୋଇ ଆମ ଦେଶର ଫଉଜ ଗଢ଼ାହେଉଚି, ଆନ୍ତର୍ଜାତିକ ସଙ୍କଟର ଆସନ୍ନ ଜାଲରୁ ରକ୍ଷା ପାଇବାଲାଗି ଦେଶର ମନକୁ ନାନାପ୍ରକାରେ ଉତେଜିତ କରି ରଖିବାର ଚେଷ୍ଟା କରାଯାଉଚି । କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟଦିଗରେ ଏ ଦେଶରେ କୋଉଠି କଣ ହେଉଚି ? ବସ୍ତୁତଃ ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଚି । ମୋ’ ଦେଶ ଏବଂ ଯେ କୌଣସି ଦେଶର ପ୍ରଥମ defence line ଡାକ୍ତର ଆଉ ଶିକ୍ଷକହିଁ ଯେକୌଣସି ଦେଶକୁ ଯଥାର୍ଥତା ବଞ୍ଚାଇ ରଖିପାରିବେ । ଯେତେଭଳି ପ୍ରଲୋଭନ ଦେଖାହୋଇ ମଣିଷ ଭିତରର ପଶୁକୁ organize କରି ରଖିବାର ଦୁଃସାହସ କରୁଥିଲେହେଁ ଏହି ଦେଶ କଦାପି ସୁରକ୍ଷୀତ ହୋଇ ପାରିବନାହିଁ । ଜାହାଜରେ ଜଣେ ସହଯାତ୍ରୀ ଡାକ୍ତର ବନ୍ଧୁଙ୍କ ସହିତ ଆଳାପ କରୁ କରୁ ମୋର ଏଇ କଥା ମନେ ପଡ଼ିଯାଉଥିଲା ।

 

ମଣିଷ-ଜୀବନକୁ ସମ୍ମାନାସ୍ପଦ କରିବାଲାଗି ଜଗତରେ ନାନାପ୍ରକାର ଉଦ୍ୟମ ହୋଇଚି-। ଶୁଭ ଓ ଅଶୁଭ ଉଭୟ ରାସ୍ତାରେ ଅସମ୍ମାନିତ ମଣିଷ ଆପଣାର ହୃତାତ୍ମାକୁ ଫେରିପାଇବାର ଉଦ୍‌ଯୋଗ କରିଚି, ଏ ଦେଶରେ ବାରବାର ମହାତ୍ମା ଆବିର୍ଭାବ ହୋଇଚି ବିସ୍ତୃତ ମଣିଷର ଆଖି ଖୋଲି ଦେବାଲାଗି ଦୁର୍ବଳର ଚିତ୍ତରେ ବଳ ଭରି ଦେବାଲାଗି ଏ ଦେଶ ବାରବାର ପଥ ଭୁଲିଯାଇଚି-। ଏକ ଅତି ସଙ୍କଟର ସମୟ କ୍ରମେ ଏ ଦେଶର ସକଳ ଜୀବନକୁ ଗ୍ରାସ କରିବାଲାଗି ମାଡ଼ିଆସୁଚି-। ଅବହେଳାର ପୂଜା ପାଉଥିବା ଏହି ଦେଶର କୀଟଦଷ୍ଟ ଧର୍ମପୋଥି ପରି କାଳର ବିଷକୀଟ ଜୀବନ୍ତ ମଣିଷକୁ ମଧ୍ୟ ଗିଳିବାକୁ ବାହାରିଲାଣି । ଏହି ସମୂହ ଗ୍ରାସର ପ୍ରତିରୋଧ କରି ସମୂହ ନିର୍ମାଣର ଅଭିଯାନ ଏ ଦେଶରେ ଆଉ କେବେ ଆରମ୍ଭ ହେବ ?

 

୩୦.୧୧.୧୯୫୦

 

ଆପଣାର ଗ୍ରାସକୁ ଅପସରାଇ ନେବାବେଳେ ଶଇତାନ ମନଟା ସୁବିଧା ପାଇଲେ ମୋତେ ତଥାପି ବିକ୍ଷୁବଧ କରି ନରଖି ଛାଡ଼ୁନାହିଁ । ବେଶ୍ ଲାଗୁଚି, ନାନା ପ୍ରଲୋଭନ ଓ ନାନା ଆକର୍ଷଣର ରଙ୍ଗଆଲୁଅ ଦେଖାଇ ସେହି ଦୂରାଗ୍ରହ ଯେତିକି ମୋ ଭିତରକୁ ଯାଇଥିଲା, ବର୍ତ୍ତମାନ ଅତି ସଚେତ ଭାବରେ ମୁଁ ତାକୁ ସେତିକି ବାହାରକୁ ବାହାର କରିଦେଇ ଚାଲିଚି । କ୍ରମେ ମୁଁ ଆପଣା ପଥକୁ ଫେରିଯାଉଚି ।

 

ଆଜି କାହାରି କଥା ମନେପଡ଼ି ମନକୁ ଉଚ୍ଛନ୍ନ କରି ଦେଉନାହିଁ, କାରଣ ଆଜି ମୋ ମନ ସବୁରି ଭିତରେ ପୂର୍ଣ୍ଣ ହୋଇ ରହିଚି । ଆଖିଆଗରେ ଅନନ୍ତ ତରଙ୍ଗଲୀଳା ସହିତ ମୁଁ ଯେପରି ସଂସାରର ପରିଚିତ ତଥା ଅପରିଚିତ ସକଳ ଆସ୍ପଦ ସହିତ ଅଭିନ୍ନ ଭାବରେ ବାନ୍ଧିହୋଇ ରହିପାରିଚି । ବିଚ୍ଛିନ୍ନ ହେବାର କୌଣସି ଭୟ ମୋତେ ଆକୁଳ କରି ଦେଉନାହିଁ ।

 

ଆକାଶରେ ଅଳ୍ପ ଅଳ୍ପ ମେଘ ଘୋଡ଼ାଇ ରହିଚି । ସେଥିଲାଗି ମୁଁ ଆଜି ସକାଳେ ସୂର୍ଯ୍ୟୋଦୟକୁ ସ୍ପଷ୍ଟ କରି ଦେଖି ପାରିଲିନାହିଁ । କାଲିଠାରୁ ସମୁଦ୍ର ଅପେକ୍ଷାକୃତ ଅଧିକ ଶାନ୍ତି ଓ ଅଧିକ ମନୋରମ ।

 

ଏଇ ସମୁଦ୍ର ହେଉଚି ଏକାଧାରରେ ସ୍ଥିତି ଓ ଗତିରେ ସନ୍ତକ । ଉପରେ ତରଙ୍ଗପରେ ତରଙ୍ଗର ଲୀଳା, ସତେଅବା ପାଣି ଭିତରେ କେଉଁ ପବନଦେବତାର ପକ୍ଷ ଚଞ୍ଚଳ ହୋଇଉଠିଚି । ଅଥଚ ଟିକିଏ ନିରିକ୍ଷଣ କଲେ ଏହି ଚଞ୍ଚଳତା ତଳେ କି ପ୍ରଶାନ୍ତି, କି ପ୍ରସୁପ୍ତି ଓ କି ବ୍ୟାପ୍ତି ଏକଧାରରେ କାନ୍ତ ଆଉ କୋଳାହୋଳ ତତ୍ପର । ସମୁଦ୍ର ମୋତେ ବାରବାର ଆକୃଷ୍ଟ କରି ରଖୁଚି, ମୋତେ ବାରବାର ଉଡ଼ାଇନେଇ ଚାଲିଯାଉଚି । ଦୁଇଦିନ ହେଲା କେବଳ ତାହାକୁ ହିଁ ଦେଖିଦେଖି, ତାହାରି କଥା ଭାବିଭାବି ମୁଁ ତଥାପି କ୍ଳାନ୍ତି ଅନୁଭବ କରିନାହିଁ ।

 

୧.୧୨.୧୯୫୦

 

ବରଷ ଶେଷ ହେବାକୁ ଆଉ ବେଶୀ ଡେରି ନାହିଁ, ଶେଷମାସର ପହିଲାରେ ହଠାତ୍ ଏଇ କଥାଟା ମନ ଭିତରେ ଛୁଇଁ ଛୁଇଁ ଯାଉଚି । ପୁଣି ଆଗମନୀର ଦିୱାଲୀ ଜଳାଇ ପୁରାତନ ବର୍ଷଟିକୁ ବିଦାୟ ଦେବାକୁ ହେବ, ନୂଆ ଆଶାର ନୂତନ ପବନରେ ଜୀବନତରୀର ପୁରୁଣା ପାଲଗୁଡ଼ାକୁ ପୁଣି ଶକ୍ତିଶାଳୀ କରିନେବାକୁ ହେବ, ବିଶ୍ୱବିଧାତାର ଏହି ଜଗତରେ ବଢ଼ୁଥିବା ଗୋଟାଏ ଚିରଶିଶୁ ପକ୍ଷରେ ଅଧିକ ଉଚ୍ଚ ଅଭିଳାଷ ଆଉ କଅଣ ହୋଇପାରେ ?

 

ଖାଲି ଖ୍ରୀଷ୍ଟିଆନ୍ ଧର୍ମରେ ନୁହେଁ, ସଂସାରର ପ୍ରାୟ ପ୍ରତ୍ୟେକ ପ୍ରଧାନ ଧର୍ମରେ personal God କୁ ଅନ୍ଧପରି ଧରି ମଣିଷ ବାରବାର ଭୁଲ କରିଚି । ସେହି ଆଦିମୂଳ ଈଶପୁରୁଷର ଦ୍ୱାହି ଦେଇ ମଣିଷ ଜେହାଦ ଘୋଷଣା କରିଚି । ତା’ର ଅପଭରସାର ଉଢ଼ୁଆଳରେ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ମଣିଷ ମଣିଷର ସତ୍ୟାନାଶ କରିଚି । କୀଟ ପରି କୌଣସି ଏକ ନାମ ପଛରେ ଲାଗିରହି ଭାରତ ମଧ୍ୟ ବାରବାର ଧର୍ମ ଜୀବନର ପ୍ରଶସ୍ତ ପଥକୁ ଭୁଲିଚି, କେତେ ଧର୍ମପୋଥିରେ ନିଆଁଲଗାଇ ଦିଆ ହୋଇଚି, କେତେ ମନ୍ଦିର ଭାଙ୍ଗିଚି । ତଥାପି ସଂସାରରେ ମଣିଷର ଚେତା ପଶିନାହିଁ । ଆପଣାର ବ୍ୟକ୍ତିଗତ ଧର୍ମପୁରୁଷ କଳ୍ପନାକୁ ତଥାପି ସେ ସଂସାର ଊପରେ ଲଦିବାର ଦମ୍ଭ କରିଚି । ତଥାପି ଏପର୍ଯ୍ୟନ୍ତ ମଧ୍ୟ ଏହି ପୃଥିବୀରେ ଅନେକ ଯୁବକ ଅଛନ୍ତି, ଯେଉଁମାନେ ବ୍ୟକ୍ତି ଯୀଶୁଙ୍କଠାରେ ଚରମ ଓ ଏକମାତ୍ର ଈଶ୍ୱରତ୍ୱର ଆରୋପ କରି ଅନ୍ୟ ଧର୍ମ ଓ ଅନ୍ୟ ବିଶ୍ୱାସବଲମ୍ବୀମାନଙ୍କ ଉପରେ ଆପଣାର ଧର୍ମଭାର ଲଦିଦେଇ ସଂସାରକୁ ଉଦ୍ଧାର କରିବାର ନିକୃଷ୍ଟ କର୍ମ କରୁଛନ୍ତି, ଠିକ୍ ପରମାଣୁ ବୋମା ମାରି ଜାପାନକୁ ଗଣତନ୍ତ୍ର ଶିଖାଇଲା ପରି । ଯେଉଁ ବ୍ୟକ୍ତି ଅପରର ଧର୍ମଜୀବନକୁ ଯଥୋଚିତ ସମ୍ମାନ ଓ ସ୍ୱାତନ୍ତ୍ର୍ୟ ସହିତ ଗ୍ରହଣ କରି ଶିଖିନାହିଁ, ସିଏ ଆପଣା ଧର୍ମର ମର୍ମକୁ ମଧ୍ୟ ବୁଝି ପାରିନାହିଁ । ସେଥିଲାଗି ମହତ୍ତର ଧର୍ମବାଣୀକୁ ପଛକୁ ରଖି ଇତିହାସର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଚରଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଆସକ୍ତ ଭାବରେ ଧର୍ମର ସର୍ବସ୍ୱ କରି ଧରିବାକୁ ସେ ନିର୍ବୋଧତା ବୋଲି ବୁଝି ପାରୁନାହିଁ । ସେ ଦେଶର Spinoza, ସେ ଦେଶର Mathew Arnold କଣ ସେମାନଙ୍କର ଆଖି ଖୋଲି ଦେଇନାହାନ୍ତି ?

 

୨.୧୨.୧୯୫୦

 

ଆସନ୍ତା ଯୁଦ୍ଧଲାଗି ପ୍ରସ୍ତୁତ ହୋଇ ରହିବାକୁ ଆମେରିକା ଏବେ Conscription ର ଡାକରା ଦେଲାଣି । ଗଣତନ୍ତ୍ର ଓ ବିଶ୍ୱଶାନ୍ତି ଲାଗି ଯୁଦ୍ଧ କରିବାକୁ ସେ ଦେଶରେ କେତେ ସୁନାଡ଼ଲାର ଯେ ଖର୍ଚ୍ଚ ହେଉଚି, ତା’ର ହିସାବ କରି ହେବ ନାହିଁ । ହୁଏତ ଆମର ଅତିପ୍ରିୟ ଏହି ପୃଥିବୀକୁ ଅତି ଅଳ୍ପଦିନରେ ଏକ ମାରାତ୍ମକ ସଙ୍କଟ ମାଡ଼ିଆସିବ; କବିର କାବ୍ୟ, ଶିଶୁର ହସ, ଜନନୀର ସ୍ନେହ ସବୁ ବାରୁଦର ଧୂଆଁରେ ବିସ୍ମୃତ ହୋଇଯିବ, ପୁଣି କେଉଁ ଦୁଷ୍ଟ ଗ୍ରହର ଅଭିଶାପରୁ ଜଗତରୁ ମଣିଷ ବିଦା ହୋଇଯିବ ।

 

ଆଜି ଟଲଷ୍ଟୟଙ୍କର The Devil ଉପନ୍ୟାସଟି ପଢ଼ି ଶେଷ କଲି । ଯେପରି ଭୟାବହ ଭାବରେ ସେ ଉପନ୍ୟାସଟିକୁ ଶେଷ କରିଚନ୍ତି, ମୁଁ ପ୍ରକୃତରେ ସେପରି ଏକ ଶେଷଲାଗି ପ୍ରସ୍ତୁତ ନଥିଲି । ପାଶ୍ଚାତ୍ୟ ସମାଜର ଗ୍ରସ୍ତ ମନକୁ ଯଥେଷ୍ଟ ପରିମାଣରେ ସତର୍କ କରିଦେବା ଲାଗି ସେ ହୁଏତ ଏପରି ନିର୍ମମ ଭାବରେ ଜଣେ ଉଦୀୟମାନ ଯୁବକର ଏକ ଅତି ଶୋଚନୀୟ ଜୀବନ ଚିତ୍ରଣ କରିଚନ୍ତି । ପଢ଼ି ମନେହେଉଚି, ମଣିଷ ଭିତରେ ଦେବତା ଓ ଶଇତାନର ସତତ ବଳ କଷାକଷି ଚାଲିଚି, ଏବଂ ଅନେକ ମୁହୂର୍ତ୍ତର ବିବେକୋଚିତ ଜୀବନାଚରଣ ସତ୍ତ୍ୱେ ଏବଂ ଆପଣାକୁ ସହସ୍ର ପ୍ରକାରେ ସତର୍କ କରି ରଖିବାର ଚେଷ୍ଟା କରୁଥିବା ସତ୍ତ୍ୱେ ତଥାପି ମୁହୂର୍ତ୍ତକର ଶଇତାନଟା ହିଁ ଶେଷରେ ମଣିଷଟାକୁ ଗିଳିପକାଉଚି, ଶେଷରେ ସେଇ ଜିତୁଚି । Theology ଦୃଷ୍ଟିରୁ ଇଶ୍ୱର ଓ ଶଇତାନର ଆନୁପାତିକ ମୂଲ୍ୟ ନିରୂପଣ କରିବା ଏଠାରେ ମୋର ଇଚ୍ଛା ନୁହେଁ । ସତତ ଉପରକୁ ଦୃଷ୍ଟି ରଖି ଧାଇଁଥିବା ଏହି ମନ ଭିତରୁ ଅଟଳ ନିର୍ଭର ସହିତ କିଏ ଯେପରି କହି ଉଠୁଚି, ଶଇତାନ କଦାପି ଜିତିବ ନାହିଁ, ସକଳ ଦୁର୍ବଳ ମୁହୂର୍ତ୍ତକୁ ଧନ୍ୟ କରି ଶେଷରେ ମଣିଷର ହିଁ ବିଜୟ ଘୋଷିତ ହେବ ।

 

୩.୧୨.୧୯୫୦

 

‘ମୁଁ ଯେଉଁ ପଥ ଦେଖାଉଚି, ତାହାହିଁ ଏକମାତ୍ର ପଥ । ତେଣୁ ଯିଏ ମୋର ପଥରେ ନଆସିବ, ସେ ଧର୍ମର ପଥରେ ମଧ୍ୟ କଦାପି ଆସି ପାରିବନାହିଁ ।’—ନିଜେ ଯୀଶୁଖ୍ରୀଷ୍ଟଙ୍କ ତୁଣ୍ଡରୁ ବାହାରିଥିବା କଥାଗୁଡ଼ିକ ଭିତରେ ବାଇବେଲରେ ଏହି କଥା ଲେଖା ହୋଇଚି । ତେଣୁ ଯେଉଁମାନେ ଖ୍ରୀଷ୍ଟପ୍ରବର୍ତ୍ତିତ ଧର୍ମ ଅର୍ଥାତ୍ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିନାହାନ୍ତି, ସେମାନେ ସମସ୍ତେ ପାପୀ, ପାପ ପଥରୁ ତ୍ରାହି ହେବାକୁ ହେଲେ ସେମାନଙ୍କୁ ପ୍ରଥମେ ଖ୍ରୀଷ୍ଟିଆନ୍ ଧର୍ମରେ ଦୀକ୍ଷିତ କରିବାକୁ ପଡ଼ିବ । ଜାହାଜର ଜଣେ ଖ୍ରୀଷ୍ଟିଆନ୍ ବନ୍ଧୁଙ୍କଠାରୁ ଏହିପରି ଏକ ଯୁକ୍ତି ଶୁଣି ଆଜି ଭାରି କଉତୁକ ଲାଗିଲା । ମଥା ଥିବା ଓ ଜାଣିବାଶୁଣିବା ଲୋକମାନଙ୍କ ଦୃଷ୍ଟିକୁ ମଧ୍ୟ ଗୋଟାଏ ଅନ୍ଧ ଧର୍ମାଧିକାରଲାଳସା କିପରି କଳୁଷିତ କରିପକାଏ, ଏହେ ହେଉଚି ତାହାରି ଏକ ପରିଷ୍କାର ଦୃଷ୍ଟାନ୍ତ-

 

ଏହି ଧର୍ମାଧିକାର—ଲାଳସା ଆମ ପୃଥିବୀରେ ଓ ଆମର ଇତିହାସରେ ଅନେକ ଅପକୀର୍ତ୍ତି ଭିଆଇଚି । ଇସଲାମ ଧର୍ମରେ ଜେହାଦ, ହିନ୍ଦୁଧର୍ମର ଯବନନିଧନ ସବୁ ହେଉଚି ଏହାରି ପରିଣାମ । ଗୋଟାଏ ଖ୍ରୀଷ୍ଟିଆନ୍ ଧର୍ମରେ ମଧ୍ୟ ଶହେଟା ବାଟ, ସେଇ ଗୋଟାଏ ଧର୍ମର ବିଭିନ୍ନ ପଥାବଲମ୍ବୀ ମଧ୍ୟ ପରସ୍ପରର ମୁହଁ ଚାହିଁବାକୁ ଅକଲ୍ୟାଣକର ମନେ କରନ୍ତି । ସ୍ପେନରେ ଧର୍ମର ରକ୍ଷା କରିବାଲାଗି Inqunisition ର ଯେଉଁ ରାକ୍ଷସତାଣ୍ଡବ ଚାଲିଥିଲା, Somerset Maugham ଙ୍କ ଗୋଟାଏ ଉପନ୍ୟାସରେ ମୁଁ ଆଜି ତାହାରି ବର୍ଣ୍ଣନା ପଢ଼ୁଥିଲି । ମୋର ଧର୍ମ ଏକମାତ୍ର ଧର୍ମ, ମୋର ବାଟ ଏକମାତ୍ର ବାଟ, ଏହିପରି ଗୋଟାଏ ଲାଳସା ଭାବନାକୁ ମୁଣ୍ଡ ଭିତରେ ପୂରାଇ ମଣିଷ ଆପଣା ଧର୍ମଟାକୁ ବଡ଼ ଶସ୍ତା କରି ପକାଇଚି, ନିଜର ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପଦଟିକୁ ସିଏ ବଡ଼ ଲଜ୍ଜାକର ଭାବରେ ଦାଣ୍ଡରେ ବିକାଇ ବୁଲିଚି ।

 

ତଥାପି କେଉଁ ପଥଟା ଯେ ପ୍ରକୃତ ପଥ, ସେକଥା କହିପାରିବା ଏବେ ମଧ୍ୟ ଦୁଷ୍କର ହୋଇ ରହିଚି । କାଳ ସବୁ ଖାଇଚି, ସବୁ ଧର୍ମରେ ପଟ ବଦଳାଇ ଦେଇଚି; ସେ ନୂତନକୁ ପୁରାତନ କରିଚି, ତା’ର ଡାକରେ ପଡ଼ି ସବୁଠାରୁ ଅଧିକ ପ୍ରଗତିଶୀଳ ବୋଲାଉଥିବା ମତବାଦ ପ୍ରତିକ୍ରିୟାଶୀଳ ହେବାକୁ ଆଦୌ ଡେରି ଲାଗିନାହିଁ । ତେଣୁ ଧର୍ମର ଇତିହାସକୁ ଯଥାର୍ଥ ନିରପେକ୍ଷ ଭାବରେ ତଉଲି ଦେଖିଲେ କୌଣସି ଗୋଟିଏ ପଥକୁ ଆମେ ସବୁଦିନଲାଗି ପ୍ରଶସ୍ତତମ ପଥ ବୋଲି ଆଦୌ କହିପାରିବା ନାହିଁ । ଆପଣା ବିବେକର ପଥ ହେଉଚି ଏକମାତ୍ର ଉଚିତ ପଥ, ଏହିପରି ଗୋଟିଏ ନିଷ୍ପତ୍ତିରେ ଆସି ପହଞ୍ଚିବା ହୁଏତ ସବୁଠାରୁ ଅଧିକ ଯୁକ୍ତିଯୁକ୍ତ ହେବ ।

 

ଏତେଦିନ ଯାଏ ମଣିଷ ଧର୍ମର ଅମ୍ଳରସରେ ଜୁଆହୋଇ ଥିଲେ ମଧ୍ୟ ଧର୍ମ ଏପର୍ଯ୍ୟନ୍ତ ମଣିଷର ମର୍ମ ଭିତରେ ପ୍ରବେଶ କରି ପାରିନାହିଁ । ହୁଏତ ସଂସାରଛତୁ ଫୁଟିଲାପରି ସହସ୍ର ଧର୍ମର ବକ୍ରପଥମାନ ସୃଷ୍ଟି ହୋଇଚି ବୋଲି ମଣିଷକୁ ଏହି ଦଶା ଭୋଗିବାକୁ ପଡ଼ିଚି । ଆମର ଧର୍ମଶାସ୍ତ୍ର ଓ ଧର୍ମ ପୁରୁଷମାନେ ଯେଡ଼େ ମହତ୍ୱମୟ ହୋଇଥିଲେ ମଧ୍ୟ ଆମ ସମଗ୍ର ଜୀବନଟିରେ ଯେ ଏଣେ ପୋକ ଲାଗିଗଲାଣି, ନିହାତି ନିର୍ଲଜ୍ଜ ନ ହେଲେ ଯେକୌଣସି ଲୋକ ଏକଥା ଅବଶ୍ୟ ସ୍ୱୀକାର କରିବ । ପ୍ରଥମେ ଆମେ ନିଜଭିତରେ ରହିଥିବା ମଇଳାଗୁଡ଼ାକୁ ଦୂର କରିବା, ଆପଣାର ଧର୍ମବ୍ୟୁହରେ ଆମରି ପଡ଼ୋଶୀ ବୋଲାଉଥିବା ମଣିଷସମାଜରୁ ଯାବତୀୟ ଅସଙ୍ଗତି ଓ ଅସୁନ୍ଦରତାକୁ ଦୂର କରିବାଲାଗି ଆମେ ପ୍ରଥମେ ଚେଷ୍ଟା କରିବା ଏବଂ ସକଳ ଅବସ୍ଥାରେ ପୃଥିବୀର ଅନ୍ୟାନ୍ୟ ଧର୍ମ ଓ ଅନ୍ୟାନ୍ୟ ପ୍ରଚେଷ୍ଟା ଗୁଡ଼ିକ ଯଥେଷ୍ଟ ସମ୍ମାନ ଦେଉଥିବା ଓ ସମୁଚିତ ମନେ କଲେ ସେହିସବୁ ପ୍ରଚେଷ୍ଟାରୁ ଶିକ୍ଷାଲାଭ କରୁଥିବା ସଂସାରରେ ଆଜି ଅନେକ ଦୈନ୍ୟ, ଅଜସ୍ର ଦୁଃଖ, ଆଜି ସବୁକ୍ଷେତ୍ରରେ ଅଶେଷ ଅଭିଯୋଗ । ଯେ କୌଣସି ଧର୍ମପ୍ରାଣ ବ୍ୟକ୍ତିର ସମସ୍ତ ଜୀବନର ଶକ୍ତି ଓ ସାଧନାକୁ ଦାବୀ କରିବାଲାଗି ଆଜି ଅନେକ ସମସ୍ୟା ରହିଚି । ସେଗୁଡ଼ିକ ପ୍ରତି ଦୃଷ୍ଟି ନଦେଇ ସଂସାରଯାକର ସବୁ ମଣିଷଙ୍କୁ ଆପଣା ଧର୍ମର ପଇତା ପିନ୍ଧାଇ ବୁଲିବା ଯେ କୌଣସି ପ୍ରକାର aggression ଠାରୁ କୌଣସି ଗୁଣରେ କଦାପି ଊଣା ହେବନାହିଁ ।

 

୪.୧୨.୧୯୫୦

 

କୋରିଆର ଯୁଦ୍ଧକ୍ଷେତ୍ରରେ ପରମାଣୁ ବୋମାର ପ୍ରୟୋଗ କରାଯିବ କି ନାହିଁ, ସେହି କଥାର ମସୁଧା କରିବାଲାଗି କାଲି ସକାଳେ ଟ୍ରୁମାନ ଓ ଅଟଲି କଥାବାର୍ତ୍ତା କରିବେ । ନିୟମତଃ ସଂଯୁକ୍ତ ରାଷ୍ଟ୍ରସଂଘ କୁଆଡ଼େ କୋରିଆରେ ଆକ୍ରମଣକାରୀ ପକ୍ଷର ବିରୁଦ୍ଧରେ ଲଢ଼ୁଚି । ତେଣୁ ସେଠି କି ପ୍ରକାର ବୋମା ଓ କି ପ୍ରକାର ବାରୁଦ ବ୍ୟବହାର କରାଯିବ ତାହା କେବଳ ରାଷ୍ଟ୍ରସଂଘ ହିଁ ବିଚାର କରିବା ଉଚିତ । ତଥାପି ଇଂଲଣ୍ଡ ଓ ଆମେରିକା ବିଶେଷ ଆଗ୍ରହର ସହିତ ଏଥିରେ ଅଗ୍ରଣୀ ହୋଇଚନ୍ତି । ଅବଶ୍ୟ ଦୁଇ ବଡ଼ମୁଣ୍ଡ ଯାହା ଠିକ କରିବେ, ଅଧିକ ଭୋଟ ଦ୍ୱାରା ନ୍ୟାୟତଃ ତାହାକୁ ହିଁ ରାଷ୍ଟ୍ରସଂଘର ବୈଠକରେ ସ୍ୱୀକାର କରାଇନେବାକୁ ସେମାନଙ୍କୁ ବେଶୀ ଡେରି ଲାଗିବନାହିଁ ।

 

ପୃଥିବୀର ଭବିଷ୍ୟତ ବଡ଼ ବିପଦପୂର୍ଣ୍ଣ ହୋଇଆସୁଚି ବୋଲି ଅନେକେ ପ୍ରମାଦ ଗଣୁଚନ୍ତି-। ଏ ଶତାବ୍ଦୀରେ ମଣିଷ ରାଜନୀତି ପାଖରେ ମୁଣ୍ଡ ବିକିଦେଇଚି, ରାଜନୀତିକ ନେତାକୁ ସେ ଯୁଗର କର୍ଣ୍ଣଧାର ବୋଲି ମାନିଚି; ଭୟରେ ହେଉ ବା ନିଶାରେ ହେଉ, ସେ ତାକୁ ହିଁ ନେଇ ନାନା ଉପଲକ୍ଷରେ ଗୌରବ ଅନୁଭବ କରିଚି । ଏ ଯୁଗର ସାହିତ୍ୟ ସଂସ୍କୃତି ଓ ଜୀବନର ଅନ୍ୟାନ୍ୟ ସକଳ ପ୍ରକାର ସୂକ୍ଷ୍ମ ପ୍ରବୃତ୍ତିଗୁଡ଼ିକର କ୍ଷେତ୍ରରେ ମଣିଷ ଅତି ନିର୍ଲଜ୍ଜ ଭାବରେ ସେହି ରାଜନୀତିକ ଗୋବର ପିତୁଳାକୁ ଶ୍ରେଷ୍ଠ ଆସନରେ ସଜାଇ ବସାଇଚି । ତେବେ ପରିଶେଷରେ ସେହି ରାଜନୀତିକ ମସୁଧାରେ ଆମେ ସର୍ବନାଶର ଗର୍ଭ ମୁଖକୁ ଯାଉଚୁ ବୋଲି ଆଶ୍ଚର୍ଯ୍ୟ ବି ହେବା କାହିଁକି ?

 

ଆମର ଜାହାଜ କାଲିଠାରୁ ଲୋହିତ ସାଗରରେ ଚାଲିଚି । ମୁଁ ଆଗରୁ ସାଗରର ଏଡ଼େ ପ୍ରଶାନ୍ତ ରୂପ କେବେ ଦେଖିନଥିଲି । ସମସ୍ତ ଜଳ ସମତଳ ସେପରି ନୀଳରଙ୍ଗର କାଚଖଣ୍ଡେ ପରି ପଡ଼ିରହିଚି ।

 

୫.୧୨.୧୯୫୦

 

Somerset Maugham ଙ୍କର Rozor’s Edge ପଢ଼ି ମୁଁ ଯେତିକି ଖୁସୀ ହୋଇଥିଲି, ତାଙ୍କର The Summing up ମୋତେ ସେତିକି ହତାଶ କରିଥିଲା । ଏଥର ତାଙ୍କର ଆଉ ଗୋଟିଏ ଉପନ୍ୟାସ Catalinna ପଢ଼ି ବେଶ୍ ଭଲ ଲାଗିଲା । କେବଳ ଲେଖକ ହିସାବରେ ବିଚାର କଲେ ତାଙ୍କର ଏହି ଗ୍ରନ୍ଥଟି ଆଧୁନିକ ସାହିତ୍ୟରେ ନିଶ୍ଚୟ ଏକ ପ୍ରଂଶସାର୍ହ ସ୍ଥାନ ଅଧିକାର କରିବ ।

 

ଆପଣା ଧର୍ମରେ ଅନ୍ଧ ହୋଇ ଅନ୍ୟାନ୍ୟ ପଥକୁ ନୃଶଂସ ଭାବରେ ନଷ୍ଟ କରିଦେବାର ରୀତି ଯେ କିପରି ଭୟାବହ, ସ୍ପେନ ଦେଶର Inquistion କୁ ଉପଲକ୍ଷ୍ୟ କରି Maugham ଆଧୁନିକ ଜଗତକୁ ତାହାହିଁ ସୁଚାଇ ଦେଇଚନ୍ତି । ଖ୍ରୀଷ୍ଟିଆନ୍ ଧର୍ମ ମାର୍ଗର ଜଣେ ରକ୍ଷଣଶୀଳ Defender ଠାରୁ ଏପରି ଏକ ଉପନ୍ୟାସ ଆଶା କରାଯାଇ ନଥାନ୍ତା, ଯିଏ କି କେବଳ ଯୀଶୁଖ୍ରୀଷ୍ଟଙ୍କ ଛଡ଼ା ଧର୍ମଜୀବନ ଓ ମୋକ୍ଷର କଳ୍ପନା କରିବାକୁ ମଧ୍ୟ ଜଘନ୍ୟ ପାପ ବୋଲି ବିଶ୍ୱାସ କରାନ୍ତି । ଶ୍ରୀ Maugham ପାଖ ଓ ପାଶ୍ଚାତ୍ୟ ଉଭୟର ଧର୍ମତତ୍ତ୍ୱମାନ ଅଧ୍ୟୟନ କରିଚନ୍ତି, ତେଣୁ ଧର୍ମଜୀବନର ମାନଦଣ୍ଡ ବିଷୟରେ ତାଙ୍କର ଧାରଣା ଟିକିଏ ଅନ୍ୟପ୍ରକାର ହୋଇପାରିବ । ଧର୍ମକ୍ଷେତ୍ରରେ କେବଳ ମାଲିକ ହୋଇ ଯିଏ ଭେକ ଧରି ବସି ଶାସନ କରୁଚି, ତା ଅପେକ୍ଷା ନୀରବ ଅଥଚ ସାଧୁଜୀବନ ଯାପନ କରୁଥିବା ଜଣେ ସାଧାରଣ ଗୃହସ୍ଥ ଯେ ଜଗତକର୍ତ୍ତାଙ୍କର ଅନୁଗ୍ରହ ଲାଭ କରିବାକୁ ଅଧିକ ଅଧିକାରୀ, ମାର୍ଟିନ୍ ହାତରେ କାଟାଲିନାର ଅଙ୍ଗବିକୃତିକୁ ଭଲ କରି ଲେଖକ ଏହାହିଁ ସୁଚିତ କରି ଦେଇଚନ୍ତି । ଆମେ କ୍ରମେ ଜଗତର ସବୁ ଧର୍ମରେ ରହିଥିବା ନୀତିସାଗରକୁ ଜାଣିବା, ସବୁ ମାର୍ଗକୁ ବୁଝିବା ଓ ଧର୍ମକୁ ଜୀବନର ଚିରାଚରିତ ଆଚରଣ କ୍ଷେତ୍ରକୁ ଆଣି ସବୁ ଧର୍ମର ମିଳନ କରାଇବା, ହୁଏତ ଏହିପରି ଏକ ବିଶ୍ୱଧର୍ମ ପୃଥିବୀର ଆଗାମୀ ଧର୍ମ ହେବ,—କାଟାଲିନା ଉପନ୍ୟାସରୁ ଆମେ ଏପରି ଆଶାବାଦୀ ସୂଚନା ମଧ୍ୟ ପାଇଥାଉ ।

 

୬.୧୨.୧୯୫୦

 

କୃଷ୍ଣା ରାତ୍ରିର ସାଗର ବକ୍ଷରୁ ହୁ ହୁ ହୋଇ ପବନ ଛୁଟି ଆସୁଚି, ତରଙ୍ଗର ଆଘାତରେ ଯେପରି କେଉଁ ଚିକ୍ଷୁବ୍‌ଧ ଅନ୍ତରର ଅଭିଯୋଗ ବଡ଼ ତୀବ୍ରଭାବରେ ବାଜି ଉଠୁଚି, ଏକ ଅପୂର୍ବ ରସରେ ଲାଳାୟୀତ ଏହି ସମୁଦ୍ର ପଥରେ ଆମର କମ୍ପିତ ତରଣୀ ବାଟ କାଟି ଚାଲି ଯାଉଚି ।

 

ଆଜି ଉପରଓଳି ମୁଁ କାହିଁକି ହଠାତ ବଡ଼ ବିଷଣ୍ଣ ହୋଇପଡ଼ିଲି, ଗୋଟାଏ ଗଭୀର ଅବସାଦ ସତେଅବା କାମୁଡ଼ି ଧରିଲା ପରି ମୋତେ ଆୟତ୍ତ କରି ରଖିଥିଲା । ମନେ ହେଲା ଆଗାମୀ ତିନିଟା ବର୍ଷ ଅପରର ଅନୁଗ୍ରହରେ ରହି ମୁଁ ଯେପରି ମୋ ଭିତରର ସ୍ୱାଧୀନ ଶିଶୁଟିକୁ ମାରି ଦେବାକୁ ଯାଉଚି । ଯେପରି ଏଣିକି ମୋ’ ଦ୍ୱାରା କୌଣସି ଯଥାର୍ଥ ସୃଷ୍ଟି ସମ୍ଭବ ହୋଇ ପାରିବ ନାହିଁ, ମୋ’ ଟାଣୁଆ ମନର କଥାଗୁଡ଼ାକ ଯେପରି ପୋଷା ମାନିଯିବା କୁକୁର ପରି ଏକାବେଳେକେ ଚୁପ ହୋଇଯିବ । ଅଳସ ମନରେ ହଠାତ୍ ବସି ମୁଁ କେଡ଼େ ଅମଙ୍ଗଳ କଥା ଭାବିଗଲି, ଅନେକେ ସମୟ ଯାଏ ସେଇଗୁଡ଼ାକ ହିଁ ମତେ ବଡ଼ କ୍ଳାନ୍ତ କରି ରଖିଥିଲା ।

 

ମଣିଷ ଭିତରର ଦୁଇଟି ପ୍ରକ୍ରିୟା,—Illuminating ଓ Darkening—ତାହାର ଭାଗ୍ୟ ନିର୍ଣ୍ଣୟ କରେ । Goethe ଙ୍କ ଏହିପରି ପଦେ କଥା ସତେଅବା ଆଜିକାର ବିକଳ ମନକୁ ସବୁ ଜବାବ ଦେଇ ଯାଉଚି । ଦିନ ଦିନ ଓ କ୍ଷଣ କ୍ଷଣର ଯାବତୀୟ situation ରେ ସତ୍ୱର ତତ୍ପର ହୋଇ ରହିବାକୁ, କ୍ଷେତ୍ର ଅନୁଯାୟୀ ଆପଣାର ସର୍ବଶ୍ରେଷ୍ଠ ସମ୍ପଦଟି ସହିତ ସେଠାରେ ଅବତରଣ କରି ଆସିବାକୁ ମନର ଦେବତା ଅନୁରୂପ ନିର୍ଦ୍ଦେଶ ଦେଇ ଯାଉଥିବ । ନାନା କ୍ଷେତ୍ରରେ ଆପଣାକୁ ସୁଯୋଗ୍ୟରୂପେ ଲଗାଇଦେଇ ଅନ୍ତରର କୁସୁମ ଫୁଟି ଫୁଟି ଯାଉଥିବ, ସକଳ କ୍ଷେତ୍ରରେ ଆପଣାର ରଙ୍ଗଟିକୁ ଉକୁଟାଇ ଦେଇ ଧନ୍ୟ ହେଉଥିବ,—ମଣିଷର ଜୀବନରେ ଏହି ଆଲୋକିତ ପର୍ବଟି ସତେ ଲାଗିରହିଥିବା ଦରକାର । କେବଳ ଏହାରିଦ୍ୱାରା ହିଁ ସିଏ ପ୍ରତ୍ୟେକ କ୍ଷେତ୍ରରେ ବଢ଼ୁଥିବ, ସବୁଠି ନୂନନ ଉଦ୍ୟମର ଉତ୍ସାହ ପାଉଥିବ । କିନ୍ତୁ ସମୟ ଜାଣି ଭିତରୁ କାର୍ଯ୍ୟକ୍ଷେତ୍ରର ନିର୍ଦ୍ଦେଶ ନପାଇଲେ ମଣିଷର ଜୀବନ ବଡ଼ ବିକଳ ହୋଇ ପଡ଼ିବ, କର୍ମହୀନତାର ଅବସାଦରେ ସେ ଆପଣାର ଯୋଗ୍ୟତା ଓ ଦକ୍ଷତା ସମ୍ବନ୍ଧରେ ମଧ୍ୟ ସକଳ ବିଶ୍ୱାସ ହରାଇ ବସିବ । ମଣିଷ ମରିଯିବ-

 

ମୁଁ ବି ଏହି କର୍ମହୀନତାର ଅବସାଦରେ ପଢ଼ିବାକୁ ଆରମ୍ଭ କରିନାହିଁ ତ ? Situation ସହିତ ମୁକାବିଲା କରିବାଭଳି ସୁଯୋଗ୍ୟ କର୍ମରେ ବ୍ୟାପୃତ ହୋଇ ନପାରିଲେ ସମୟ ତଥା ଜୀବନ ବଡ଼ ଦୁର୍ବହ ହୋଇପଡ଼ିବ, ଘଡ଼ିକ ସମୟ ଦିନପରି ଲମ୍ବାହୋଇ ଜୀବନର ସକଳ ପ୍ରସନ୍ନତାକୁ ଛାଇକରି ଘୋଡ଼ାଇ ରଖିବ । ଆଜି ମୋର ବାରବାର ସେହି ଆଶଙ୍କା ହେଉଚି, ଆପଣା ମହତ୍ତ୍ୱାକାଂକ୍ଷାର ପୁଚ୍ଛକୁ ବଢ଼ାଇ ବଢ଼ାଇ ମୁଁ ତାହାରି ଛାଇରେ ମରିଯିବି ନାହିଁ ତ ?

 

ମୁଁ ଭଲ କରି ଜାଣେ ଯେ ମୁଁ ଏତେଶୀଘ୍ର ବୁଢ଼ା ହୋଇ ଯିବିନାହିଁ । One must be young to do great thing’,—କବି Goethe ଙ୍କର ଏହି କଥାଟିକୁ ପହୁଣ୍ଡେ ଆଗେଇଦେଇ ମୁଁ କହିବି one must remain young to do great things ! ନିଜର ଜୀବନରେ ଆପେ ବାଛି ବାଛି ମୁଁ ଯେତେ ନୂଆ କ୍ଷେତ୍ରରେ ଯାଇ ପହଞ୍ଚିଚି, ନୂତନ ସାଧନା ଓ ନୂତନ ସଫଳତାର ପୁଲକରେ ମୋର ଶିଶୁମନ ଯେତିକି ନାଚିଉଠିଚି, ସବୁ ଅନିଶ୍ଚିତତା ଓ ସଂଶୟ ଭିତରକୁ ସେ ଠିକ ଉଲଗ୍ନ ହେଲାପରି ଶୁଦ୍ଧ ହୋଇ ଡେଇଁପଡ଼ିଚି । ବର୍ତ୍ତମାନ ମଧ୍ୟ ଏକ ନୂତନ କ୍ଷେତ୍ରକୁ ଯାଉଥିବାବେଳେ ନିଶ୍ଚୟ ତାହା ହିଁ ହେବ, ଅପରିଚିତ ଭୂମି ଉପରେ ପରିଚିତ ରେଖା ଟାଣି ମୁଁ ଆପଣା କାହାଣୀର ଶିଳ୍ପଟିକୁ ଆଙ୍କିବାରେ ପୁଣି ଲାଗିପଡ଼ିବି ।

 

ମୋର ପ୍ରାର୍ଥନା ଆହୁରି ନିର୍ମଳ ହେଉ, ତା’ହେଲେ ଯାଇ ମୁଁ ନୂଆପଥର ସବୁ ଠିକଣା ପାଇପାରିବି, ତା’ହେଲେ ଯାଇ ମୁଁ ଶେଷପର୍ଯ୍ୟନ୍ତ ବଳିଷ୍ଠ ରହିପାରିବି । ନିତି ଦିନାରମ୍ଭ ଓ ଦିନଶେଷରେ ମୌନ ଆତ୍ମବିଲୋକନରେ ମୁଁ ଆପଣାର ଅଧିକରୁ ଅଧିକ ଗଭୀରକୁ ପ୍ରବେଶ କରିବାର ଶୁଦ୍ଧ ମନଟି ହାସଲ କରିବି, ନିତ୍ୟ ନୂତନତର ଭାବରେ ନିଜର ବିକ୍ଷିପ୍ତ ଚିନ୍ତାଗୁଡ଼ିକୁ ସାଉଁଟି ଆଶିବାର ସ୍ଥିରତା ଲାଭ କରିବି ।

 

୭.୧୨.୧୯୫୦

 

ଆଜି ସକାଳୁ ଆମେ ସୁଏଜ କେନାଲ ଭିତରେ ପ୍ରବେଶ କରିଚୁ । ଏପାଖରେ ଦକ୍ଷିଣ-ପଶ୍ଚିମ ଏସିଆର ଦିଗନ୍ତବିସ୍ତୃତ ମରୁପ୍ରାନ୍ତର, ସେପାଖରେ ମିଶରଦେଶର ମରୁଦ୍ୟାନ;—ଉଭୟେ ମିଶି ଆମର ଆଜିକାଲି ଯାତ୍ରାକୁ ଅତ୍ୟନ୍ତ ମନୋହର କରି ରଖିଚନ୍ତି । ତାଳ ଖଜୁରିର ଶ୍ୟାମଳ ବନ ଭିତରେ ଅନେକ ଦିନପରେ କେଉଁ ସଙ୍ଗୀକୁ ଦେଖିଥିଲା ପରି ଆଜି ମନଟା ଭାରି ଉତ୍‌ଫୁଲ୍ଲ ହୋଇ ଉଠିଚି ।

 

ସମସ୍ତେ କହୁଚନ୍ତି, ଇଉରୋପୀୟମାନେ ମିଶରଦେଶର ସ୍ଥାନୀୟ ଅଧିବାସୀଙ୍କୁ କୁଆଡ଼େ ଭାରି ଭୟ କରନ୍ତି । ସଭ୍ୟ ହୋଇ ସେମାନେ ଦିନେ ଏହି ମାଟିକୁ ରାଜା ହୋଇ ଆସିଥିଲେ । ସେଇଦିନଠାରୁ ମିଶର ଦେଶକୁ ସେମାନେ ସବୁପ୍ରକାରେ ଆପଣା ପ୍ରୟୋଜନରେ ଲଗାଇଚନ୍ତି । ମିଶରର ବନ୍ଦରକୁ ଆପଣା ଅକ୍ତିଆରରେ ରଖିଚନ୍ତି, ଏ ଦେଶରେ ବଡ଼ବଡ଼ କାରଖାନାର ମାଲିକ ହୋଇଚନ୍ତି, ଦରକାରବେଳେ ଏହି ଦେଶକୁ ସେମାନେ ଯୁଦ୍ଧରେ ମଧ୍ୟ ପୂରାଇଚନ୍ତି । ଦଶବର୍ଷ ତଳେ ସେହି ଇଉରୋପୀୟ ଜାତିମାନଙ୍କ ଭିତରେ ଲାଳସାର ସଂଘର୍ଷ ହେଲାବେଳେ ମିଶରଦେଶର ମରୁଭୂମି ମଧ୍ୟ କମାଣ ଶବ୍ଦରେ କମ୍ପି ଉଠିଥିଲା । ଆଜି ମୁଁ ବାଟରେ ଦରିଦ୍ର ମିଶରଦେଶର ମଳିନ ରୂପର କିଞ୍ଚିତ୍ ପରିଚୟ ପାଇଚି । ଚକଚକ ମଟରଗାଡ଼ିରେ ଚାଲିଯାଉଥିବା ଶ୍ୱେତକର୍ମ ବାବୁମାନଙ୍କୁ ସେମାନଙ୍କ ସହିତ ତୁଳନା କରି ଦେଖିଚି । ଗତ କେତେଶହ ବର୍ଷ ହେଲା ଧର୍ମପ୍ରଚାର କରି ମଣିଷକୁ ନ୍ୟୂନ ହୋଇ ଭଗବାନଙ୍କୁ ପାଇବାର ରାସ୍ତା ଦେଖାଇବାକୁ କହୁଥିଲେ ମଧ୍ୟ ବିଦେଶାଗତ ପାଦ୍ରୀମାନେ ଏଦେଶର ବିଦେଶୀ ଶାସକମାନଙ୍କୁ ନ୍ୟୂନ କରି ପାରିନାହାନ୍ତି ।

 

ସବୁ ଅପମାନିତ ମଣିଷର ନିଦ ଭାଙ୍ଗିଲାଣି, ଆପଣା ଅସମ୍ମାନର ସନ୍ତକସ୍ୱରୂପ ଗୋରା-ଅନୁଗ୍ରହର କୁର୍ତ୍ତା ପିନ୍ଧି ସଲାମ ବଜାଇବାକୁ ଆଉ ତାକୁ ଭଲ ଲାଗୁନାହିଁ । ତେଣୁ ମିଶରର ଅଧିକାର ଓ ଇଉରୋପର ଉପନିବେଶୀଙ୍କ ମଧ୍ୟରେ ସମ୍ପର୍କଟା ଯେ ମୋଟେ ଶାନ୍ତିପୂର୍ଣ୍ଣ ହେବନାହିଁ, ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ?

 

୮.୧୨.୧୯୫୦

 

ବଙ୍ଗଳା ଭାଷାର ଜଣେ ନାମଜାଦା ଲେଖକଙ୍କର ଗୋଟାଏ ବହି ପଢ଼ୁଚି । ତାଙ୍କର ଏହି ବହିଟା ଫିଲ୍ମ ହୋଇ ସାରିଲାଣି । ହୁଏତ ଶୁଦ୍ଧ ସାହିତ୍ୟ ଦୃଷ୍ଟିରୁ ଦେଖିଲେ ବହିଟି ଭାରି ଭଲ ଲାଗୁଚି, ଅର୍ଥାତ୍ କୌଣସି ନିର୍ଦ୍ଦିଷ୍ଟ ହିତ ବା ଅହିତ ପ୍ରତି ଦୃଷ୍ଟି ନରଖି ପଢ଼ିଲେ ଅବସର ସମୟରେ ବହିଟି ଯଥେଷ୍ଟ ବିନୋଦନ ଯୋଗାଇ ଦେଇପାରିବ । ଆଧୁନିକ ପାଶ୍ଚାତ୍ୟ କବିମାନେ ହିଁ ଏହି ଶୁଦ୍ଧ ବିନୋଦନ ଦେଉଥିବା ସାହିତ୍ୟକୁ ସର୍ବଶ୍ରେଷ୍ଠ ସାହିତ୍ୟ ବୋଲି ଏବେ ଘୋଷଣା କଲେଣି । ଏହି ଫତୁଆକୁ ଅକ୍ଷରେ ଅକ୍ଷରେ ପାଳନ କଲେ ପୃଥିବୀର ରାମାୟଣ, ମହାଭାରତ, ଇଲିଆଡ଼ ଏବଂ ଓଡ଼ିଶୀକୁ ଆମେ କୋଉଠି ନେଇ ଲୁଚାଇବା କେଜାଣି ?

 

ବହିଟିର ଚଳଚିତ୍ର କରାଗଲେ ଲେଖକ ବେଶ୍ ଲାଭ କରିବେ, ଭାରି ଭଲ କଥା । କିନ୍ତୁ ପାରିସ୍ ବଜାରର best-seller ପରି ଥରେ ପଢ଼ିସାରିଲେ ଖତଗଦା ବା ମଇଳା ଝୁଡ଼ି ଯେ ଏହାର ଏକମାତ୍ର ସ୍ଥାନ, ଏପରି ଏକ କଠୋର କଥା କହିବାକୁ ମୁଁ ମୋଟେ ସଙ୍କୋଚ କରିବି ନାହିଁ । ଆଜି ବଙ୍ଗ ଦେଶର ଜୀବନରେ ଚତୁର୍ଦ୍ଦିଗରୁ ଦୁର୍ଦ୍ଦିନ ଗର୍ଜନକରି ଆସୁଚି, ଦୂଷିତ ରାଜନୀତି ଓ ଦୁର୍ଭିକ୍ଷର କବଳରେ ପଡ଼ି ସେଇ ଶ୍ୟାମଳ ସୁନ୍ଦର ଭୂଇଁରୁ ସବୁ ଶିରୀ ଚାଲିଯିବାକୁ ବସିଲାଣି । ଆଲୋଚ୍ୟ ଉପନ୍ୟାସଟି ବଙ୍ଗ ଭାଷାରେ ଲେଖାଯାଇଚି, ଅଥଚ ବଙ୍ଗୀୟ ସମାଜର କେତେ ଅଳ୍ପକଥା ସେଥିରେ ପ୍ରକାଶ ପାଇଚି ? ଶବ୍ଦ ଯୋଜନା ଓ ମଧୁର situation ମାନ ସୃଷ୍ଟିକରି ଟେକ୍‌ନିକ୍‌ଟାକୁ ଟାଣୁଆ କରିବାରେ ଲେଖକ ଭାରି ମଥା ଖରଚ କରିଚନ୍ତି । ପାଶ୍ଚତ୍ୟ ଉପନ୍ୟାସରୁ ଅଳ୍ପବହୁତ ଉଧାର କରି ଅଣାଯାଇଥିବା ମନୋବୈଜ୍ଞାନିକ ପ୍ରହେଳିକାମାନ ସୃଷ୍ଟିକରି ବହିଟିର ପୃଷ୍ଠାଗୁଡ଼ିକୁ ଲେଖକ ବେଶ୍ ମନୋରମ କରି ରଖିଚନ୍ତି । ବହିଟି ପଢ଼ି ମନେହେଲା, ବଙ୍ଗଭାଷା କ୍ରମେ ବଙ୍ଗସମାଜର ସାଧାରଣ ସ୍ତରରୁ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଚି । ଏଥିରେ ଶରତ ଚାଟର୍ଜୀଙ୍କ ଭାଷାପରି ଜୀବନ ନାହିଁ ବା ବଙ୍କିମଙ୍କ ଭାଷାପରି ଶକ୍ତି ମଧ୍ୟ ନାହିଁ ।

 

୯.୧୨.୧୯୫୦

 

ଆମର ଜାହାଜ ବର୍ତ୍ତମାନ ଭୂ-ମଧ୍ୟସାଗରରେ ଚାଲିଚି । କାଲି ସକାଳୁ ପୋର୍ଟସୟଦ ଛାଡ଼ିବାପରେ ବାଟରେ ଆମେ ଗୋଟିଏ ହେଲେ ଅନ୍ୟ ଜାହାଜ ଭେଟିନାହୁଁ । ଚତୁର୍ଦ୍ଦିଗରେ ଏହି ଜଳବିସ୍ତାର ମଝିରେ ଆପଣାକୁ ମନଖୋଲା କରି ମେଲିଦେବାର ଖୁବ୍‌ସୁଯୋଗ ମୁଁ ପାଇଚି । କେତେପ୍ରକାର ସମ୍ମାନ ଓ କଟକଣାକୁ ସତର୍କ ରହି ଆପଣା ସତ୍ୟମନଟି ପରିଚୟ ପାଇବା ହୁଏତ ଏହାପୂର୍ବରୁ ସମ୍ଭବ ହୋଇନଥିଲା । କେତେଦିନରୁ ଜମିଥିବା କେତେପ୍ରକାର ମଇଳା ଯେ ମନଭିତରେ ବଦ୍ଧ ବସି ରହିଥିଲା, ମୁଁ ବର୍ତ୍ତମାନ ସେଇକଥା ବୁଝିପାରୁଚି ।

 

ଏଠି ସମୟ ବେଶ୍ କଟିଯାଉଚି । ରଜା ପୁଅପରି ଦିନକୁ ପାଞ୍ଚଥର ପାଟି ଅଇଁଠା ହେଉଚି । ରାତି ନଅଟା ପରେ ନାଚ, ଗୀତ, ତାମସା ଓ ଜୁଆଖେଳର ବନ୍ଦୋବସ୍ତ ଏହି ଜାହାଜରେ ରହିଚି । ତା’ ସଙ୍ଗେ ସଙ୍ଗେ ରବିବାରର ପ୍ରାର୍ଥନା ମଧ୍ୟ ଚାଲିଚି । ଜୀବନରେ ଏତେ ଗୁଡ଼ାଏ ଅଭିଜ୍ଞତା ମୁଁ ଗୋଟାଏ ମାତ୍ର ସମୁଦ୍ର ଯାତ୍ରାରେ ପାଇବି ବୋଲି ଆଗରୁ ଭାବିନଥିଲି । ଟିକିଏ ଦୂରରେ ରହି ମୋତେ ସବୁ ଜାଣିବାକୁ ହେବ, ସବୁ ବୁଝିବାକୁ ହେବ ।

 

ମାତ୍ର ତା’ ସହିତ ଆପଣାକୁ ମଧ୍ୟ ଜାଣିବାର ନିୟତ ଚେଷ୍ଟା ଲାଗି ନରହିଥିଲା ଯାଏ ଜଗତକୁ ଜାଣିବା ଏକ museum interest ଭଳି ପ୍ରାଣହୀନ ହୋଇ ପଡ଼ି ରହିଥିବ । ଜୀବନକୁ ଆପଣାର କାମରେ ଲାଗିଲା ଭଳି କେବଳ ଏକ raw material ଭାବରେ ଗ୍ରହଣ କରିବା ମୋର ଧର୍ମ ନୁହେଁ । ଆଧୁନିକ ପ୍ରତିଷ୍ଠା ଲବ୍‌ଧ ଔପନ୍ୟାସିକଙ୍କର ସେଇ କୌଶଳ ଶିଖିବା ମୋର ଦରକାର ନାହିଁ ।

 

୧୦.୧୨.୧୯୫୦

 

କାଲି ରାତିଟାରୁ ସମୁଦ୍ର ନିଶା ଖାଇଥିଲା ପରି ଖାଲି ଏପାଖ ସେପାଖ ଦୋହଲୁଚି । ବେଳେବେଳେ ମନେହେଉଚି ଯେପରି ସେ ଆମ ସମସ୍ତଙ୍କୁ ନେଇ ହଠାତ୍ ଉପରକୁ ଉଠିଯାଉଚି, ପୁଣି ପରମୁହୂର୍ତ୍ତରେ ଯେପରି ସମୁଦ୍ର ତଳକୁ ଖସିପଡ଼ୁଚି । ଆଜି ଦିନଭିତରେ ଆମଭିତରୁ ଅନେକ ଅସୁସ୍ଥ ହୋଇ ପଡ଼ିଲେଣି, ଅନେକ ବାନ୍ତି କଲେଣି । ଯାତ୍ରାପଥରେ ବେମାରି ପଡ଼ିବା ବଡ଼ ଦୁଃଖର କଥା; ଯାତ୍ରାର ସକଳ ଆନନ୍ଦ ଲୁଟିନେବାକୁ ଏହି ବେମାରି କାହିଁକି ଆସେ କେଜାଣି, ଯେଉଁମାନେ ଅସୁସ୍ଥ ହୋଇ ପଡ଼ିଚନ୍ତି, ସେମାନଙ୍କ ଲାଗି ମନ ଭାରି କଷ୍ଟ ହେଉଚି । ଏହି କେତୋଟିଦିନ ମଧ୍ୟରେ ଆମେ ସମସ୍ତେ ମିଶି ଏଠାରେ ଘରଟିଏ ଗଢ଼ି ସାରିଥିଲୁ । ଆପଣା ଆପଣାର ଖେଳ ଓ ଖିଆଲ ଭିତରେ ଆମେ ଏହି ଜାହାଜର ସବୁ ସମୟକୁ ସରସ କରି ରଖିଥିଲୁ । ତା’ ନହୋଇଥିଲେ ବାଇଶି ଦିନ କାଳ ସମୁଦ୍ରରେ ରହିବା ଦୁଃସହ ହୋଇ ପଡ଼ୁଥାନ୍ତା । କିନ୍ତୁ ଏହାରି ଭିତରେ ଯଦି ଅସୁସ୍ଥତା ଆସି ପହଞ୍ଚେ, ତେବେ ଯାତ୍ରାର କଷ୍ଟ ଦୁଇଗୁଣ ବଢ଼ିଯିବ ।

 

One must live long to do great things,—Goethଙ୍କର ଏହି ବହୁମୂଲ୍ୟ କଥାଟି ଆଗରୁ ମୁଁ ଅନେକଥର ଭାବିଥିଲା ପରି ମନେ ହେଉଚି । ଆପଣା ବିଷୟରେ ଯେକୌଣସି କଥା ଭାବିଲାବେଳେ ଏହି ସତ୍ୟଟିକୁ ଯେପରି ମୁଁ ଅନ୍ତରେ ଅନ୍ତରେ ଅନୁଭବ କରିଚି ! ବିଶ୍ୱବିଭୁଙ୍କର କୌଣସି କାର୍ଯ୍ୟଭାରକୁ ସ୍ୱଇଚ୍ଛାରେ ଗ୍ରହଣ କରିବାର ପର ମୁହୂର୍ତ୍ତରେ ମନେ ମନେ ଏକ ଦୀର୍ଘ ଜୀବନଲାଗି ମଧ୍ୟ ମୁଁ ଯେପରି ତାଙ୍କରି ଆଶୀର୍ବାଦ ଭିକ୍ଷା କରିଚି, ତାହାରି ଉପରେ ସତେଅବା ଅଟଳ ବିଶ୍ୱାସ ରଖି ମୁଁ ସେହିପରି ଅନୁଭବ କରିବାକୁ ମଧ୍ୟ ଆରମ୍ଭ କରିଚି ! ଜାଣେନା, ମୋର କାମନା ପରି ମୁଁ ବଡ଼ ହୋଇ ପାରିବି କି ନାହିଁ, ମୋର ବାସନାକୁ ଆସ୍ୱାଦନ କରିବାଲାଗି ମୁଁ ଯଥେଷ୍ଟ ଦିନ ବଞ୍ଚି ପାରିବି କି ନାହିଁ । ତଥାପି ଯିଏ ମୋତେ ଏହି ବାସନାଗୁଡ଼ିକର ପୋଷଣକରି ଶିଖାଇଚି, ଯିଏ ମୋତେ ସ୍ୱପ୍ନ ଦେଖି ଶିଖାଇଚି, ସେଇ ନିଶ୍ଚୟ ମୋତେ ଦୀର୍ଘଜୀବନର ନିର୍ଭର ମଧ୍ୟ ଦେବ, ସେଇ ମୋତେ ଯଥୋଚିତ ଦିନଲାଗି ନିଶ୍ଚୟ ଅମର କରିରଖିବ । ନିଜକୁ ମୁଁ ତାହାରି ହେପାଜତରେ ଛାଡ଼ିଦେଇଚି ।

 

୧୧.୧୨.୧୯୫୦

 

ଜୁଲାଇ ମାସଠାରୁ ମୁଁ କେବଳ ଆପଣାର ପ୍ରୟୋଜନ ପୂରଣରେ ଏପରି ବିବ୍ରତ ହୋଇ ପଡ଼ିଥିଲି ଯେ, ସଂସାରର କୌଣସି ସରସତା ମୋର ଆଖିରେ ହିଁ ପଡ଼ୁନଥିଲା । ସତେ ଯେପରି ଦୁନିଆଟା କେବଳ ମୋର ମତଲବଗୁଡ଼ାକୁ ହିଁ ସିଦ୍ଧ କରିବାକୁ ତିଷ୍ଠି ରହିଚି, ଏହିପରି ଏକ ମନୋଭାବ ନେଇ ମୁଁ ସବୁବେଳେ ଅସ୍ଥିର ହୋଇ ରହିଥିଲି । କେବଳ ଆପଣା ଚିନ୍ତାରେ ବୁଡ଼ିରହି ମୁଁ କେଉଁଠି କେତେପ୍ରକାର ଅଭିଯୋଗ କରିଚି, ପ୍ରତିକୂଳ ପରିସ୍ଥିତିରେ କେଡ଼େ ନିର୍ମମ ଭାବରେ ଆପଣାକୁ ଓ ଅପରକୁ ନିନ୍ଦି ବସିଚି, ନାନା ଅପଭାବନାରେ କିପରି ମୋର ସମସ୍ତ ସମୟକୁ ଉଦ୍‌ବିଗ୍ନ କରି ରଖିଚି, ସବୁ ଆଜି ଗୋଟି ଗୋଟି ହୋଇ ମନେ ପଡ଼ିଯାଉଚି । ଭଲ ହେଲା, ନୂଆଜୀବନ ଆରମ୍ଭ କରିବା ପୂର୍ବରୁ ଶାନ୍ତଭାବରେ ଆପଣାକୁ ନିରୀକ୍ଷଣ କରିବା ଲାଗି ମୋତେ ପଥଯାତ୍ରାର ଏହି ଦୀର୍ଘ ଅବସରଟି ମିଳିଲା । ମୁଁ ପୁନର୍ବାର ଆପଣା ପାଖକୁ ଫେରିଆସୁଚି, ଆପଣା ଉପରେ ବିଶ୍ୱାସ କ୍ରମେ ବଢ଼ୁଚି, ସବୁବେଳେ ଶଙ୍କିତ ହୋଇ ରହିବାର ସେହି ବିଚଳିତ ମନ କ୍ରମେ ଆରୋଗ୍ୟଲାଭ କରୁଚି । ଡେନମାର୍କକୁ କେନ୍ଦ୍ରକରି ମୁଁ କେତେ ସ୍ୱପ୍ନ ଦେଖିଚି, ଆପଣା ବିଷୟରେ ଓ ଆପଣାର ଦେଶ ବିଷୟରେ କେତେ କଳ୍ପନା କରିଚି ଏବେ ସେହିଗୁଡ଼ିକୁ ସ୍ମରଣ କରି ମୋତେ ଡେନମାର୍କରେ ପ୍ରବେଶ କରିବାକୁ ହେବ । ପାଶ୍ଚାତ୍ୟ ସଭ୍ୟତାର ନର୍ଦ୍ଦମାଠାରୁ ନହବତଖାନା ପର୍ଯ୍ୟନ୍ତ ଗଳିଗଳି ବୁଲି ଦେଖିବାକୁ ମୁଁ ସେଠାକୁ ଯାଉନାହିଁ, ସେଠିକାର ବହିରଙ୍ଗ Glossରେ ଆପଣାକୁ ପରିପକ୍ୱ କରି ଆସିବାକୁ ମଧ୍ୟ ଯାଉନାହିଁ ।

 

ମୋର ସକଳ ଭବିଷ୍ୟତ-ଭାବନାକୁ ମୁଁ ସର୍ବୋପରି ଭଗବାନଙ୍କ ଉପରେ ନ୍ୟସ୍ତ କରିଦେବି । ସମ୍ପୂର୍ଣ୍ଣ ଜୀବନ ବଞ୍ଚିବାଲାଗି ଏହାହିଁ ପ୍ରକୃଷ୍ଟ ବାଟ ।

 

୧୨.୧୨.୧୯୫୦

 

ସାଗର ବକ୍ଷରେ ଆମ ଜାହାଜ ଚାଲିଯାଉଚି । ଉତ୍ତାଳ ତରଙ୍ଗରେ ପଡ଼ି ଉଠି ବେଳେବେଳେ ଟିକିଏ ଅବଶ ଓ ଅଶ୍ୱସ୍ତ ମନେହେଉଚି । ପୁଣି ସେହି ସମୁଦ୍ରର ଅବିରାମ ନୃତ୍ୟଲୀଳା ଦେଖି ମୁଁ ଯେପରି ସବୁ କଷ୍ଟ ଭୁଲିଯାଉଚି ।

 

ପାଣି ଉପରେ ଭାସିବା ଆଜିକୁ ପନ୍ଦରଦିନ ହୋଇଗଲା । ଏହି ପନ୍ଦରଦିନ ମଧ୍ୟରେ ତେଣେ ସଂସାରରେ କେତେ କ’ଣ ଘଟଣା ଘଟିଗଲାଣି । ଯୁଦ୍ଧର ଲଗ୍ନ ଓ ବାର ଠିକ୍ କରିବାକୁ ତେଣେ ନେତାମାନେ ଦଉଡ଼ ଧାପଡ଼ କଲେଣି, ପୃଥିବୀ ଉପରକୁ ବିପଦ ମାଡ଼ି ଆସୁଚି ବୋଲି ସମସ୍ତେ ଆତଙ୍କିତ ହୋଇ ଉଠିଲେଣି । ଏଠାରେ ସେ ସବୁର ଆଘାତ ଆସି ପହଞ୍ଚି ପାରୁନାହିଁ । ଯେପରି ଏପର୍ଯ୍ୟନ୍ତ ଗୋଟାଏ ଦିନ ହିଁ ଚାଲିଚି । ଜଳ ଉପରେ ଭାସୁଥିବା ପର୍ଯ୍ୟନ୍ତ ସମସ୍ତ ସମୟ କେବଳ ଗୋଟିଏ ଦିନପରି ମନେହେବ ।

 

ପରଠାରୁ ଯାହା ଅନୁଗ୍ରହ ପାଇଲିଣି, ସେଥିଲାଗି ପରମେଶ୍ୱରଙ୍କ ପାଖରେ ଅନ୍ତରର କୃତଜ୍ଞତା ଜଣାଇବା ଛାଡ଼ି ପରଠାରୁ ଆହୁରି ନ ପାଇବାର ଆଶଙ୍କାରେ ମୁଁ ମନଟାକୁ ସର୍ବଦା ବିରସ କରି ରଖିବାକୁ ଏତେ ଭଲ ପାଉଚି କିପରି ? ମୁଁ ଯେତେବେଳେ ଯାହା ପାଉଚି, ମୋତେ ପ୍ରଥମେ ତାହାରି ଯୋଗ୍ୟ ହେବାକୁ ହେବ । ଯିଏ ମୋର କଲ୍ୟାଣ କାମନା କରୁଚି, ପ୍ରଥମେ ତାହାର ପ୍ରତ୍ୟାଶା ଅନୁସାରେ ଯୋଗ୍ୟତା ହାସଲ କରିବାକୁ ପଡ଼ିବ । ଆଜିର ଏହି ଅନିଶ୍ଚିତତାର ଭାବନା ସବୁ ମୋର ମନରୁ ଦୂର ହୋଇଯାଉ ।

 

ସମୁଦ୍ର ଉପରେ ଆଜି ଇନ୍ଦ୍ରଧନୁର ପୂର୍ଣ୍ଣ ଶୋଭା ଦେଖିବାକୁ ପାଇଥିଲି । ଉତ୍ତର ଦିଗରେ ପ୍ରାୟ ଅଧେ ଆକାଶକୁ ଆବୋରି ତାହା ଏପାଖରୁ ସେପାଖ ଯାଏ ସ୍ପଷ୍ଟ ହୋଇ ପ୍ରତିଫଳିତ ହୋଇଥିଲା । ଆଗରୁ ଏପରି ଏକ ନିଖୁଣ ଛବି ମୁଁ କେବେ ଦେଖି ନଥିଲି ।

 

ପାଣି ଉପରେ ଆହୁରି ଛଅ ଦିନ କଟାଇବାକୁ ହେବ । ଜୀବନରେ ଏହି ସାଗର ବକ୍ଷର ଅଭିଜ୍ଞତା ଗୁଡ଼ାକ ମୁଁ କଦାପି ଭୁଲିପାରିବି ନାହିଁ । ଜାହାଜ ଅବସ୍ଥାନର ଏଇ କେତେଟା ଦିନରେ ମଣିଷକୁ କେତେ ନିକଟ ପରିଚୟରେ ପାଇବାର ସୁଯୋଗ ମିଳିଲା !

 

୧୪.୧୨.୧୯୫୦

 

କାଲି ରାତିରେ ଖାଇସାରିବା ପରେ ଜଣେ ବନ୍ଧୁଙ୍କୁ ଚେସ୍ ଖେଳ ଶିଖାଇ ବସିଲି । ତା’ପରେ ନାନା ଗପସପରେ ରାତି ପ୍ରାୟ ଦଶଟାରୁ ବେଶୀ ହୋଇଗଲା । ସେତେବେଳକୁ ଆଖି ନିଦରେ ଢୁଳୁଢୁଳୁ ହେଉଥାଏ । ନିଜକୁ ବାଧ୍ୟ କରି ଲେଖି ବସାଇବାକୁ ଆଉ ମନ ବଳିଲା ନାହିଁ । ତେଣୁ ଚୁପ୍ ହୋଇ କାଲି ଦିନଟା ଅଧା ରଖି ମୁଁ ଶୋଇପଡ଼ିଲି । ଆପଣାର ଆଳସ୍ୟକୁ ଶାସନ କରି ଆଉ ପନ୍ଦର ମିନିଟ୍ ଚେଇଁ ରହି ଲେଖାର ରୁଟିନ୍‌ଟା ତୁଲାଇ ଦେଇଥିଲେ ହୁଏତ ଦୈନିକ ଲିପିର ଖିଅଟି ଛିଡ଼ିଯାଇ ନଥାନ୍ତା । ତଥାପି କାଲି ଏଡ଼େ ତରତରରେ ଛୁଟି ପାଇବାକୁ ମନ ଏତେ ବ୍ୟଗ୍ର ହୋଇପଡ଼ିଲା କାହିଁକି କେଜାଣି ?

 

ଭୂମଧ୍ୟସାଗରର ପଥ ଅତିକ୍ରମ କରି ଆମେ ସଞ୍ଜବେଳୁ ଜିବ୍ରାଲୁର । ପ୍ରଣାଳୀ ଭିତରେ ପ୍ରବେଶ କରିଥିଲୁ । ବନ୍ଦରରେ ପ୍ରାୟ ଚାରିଘଣ୍ଟା ଅଟକି ରହିବା ପରେ ଜାହାଜ ପୁଣି ଚାଲିବାକୁ ଆରମ୍ଭ କଲାଣି । ରାତି ପାହିଲା ବେଳକୁ ଆମେ ଆଟଲାଣ୍ଟିକ ମହାସାଗରରେ ପ୍ରବେଶ କରିଥିବୁ ।

 

ଆଜି ହଠାତ୍ ସମସ୍ତଙ୍କ କଥା ମନେ ପଡ଼ିଯାଉଚି । ଜୀବନରେ ସବୁଠୁଁ ବେଶୀ ଯେଉଁମାନଙ୍କର ସ୍ନେହଶ୍ରଦ୍ଧା ପାଇଚି, ଯେତେ ଜାଗାରେ ମୁଁ ପିଲାଟିପରି ଅଳିଅଜଟ କରିଚି, ସେ ସମସ୍ତେ ଆସି ଆଜି ମୋର ମନଭିତରେ ନାଚି ଉଠୁଛନ୍ତି କାହିଁକି ? ହଠାତ୍ ଯେପରି ଆପଣାର କେତେକେତେ ପ୍ରିୟଜନଙ୍କୁ ହରାଇ ଆସିଥିବାର ଦୁଃଖରେ ମୁଁ ବଡ଼ ବ୍ୟାକୁଳ ହୋଇପଡ଼ିଚି ।

 

୧୫.୧୨.୧୯୫୦

 

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆଜି ସକାଳେ ସଂସାରରୁ ବିଦାୟ ନେଇଚନ୍ତି । ଭାରତବର୍ଷର ଲାଗି ଯେ ଘୋର ଦୁର୍ଦ୍ଦିନ ମାଡ଼ିଆସୁଚି, ଏହା ହେଉଚି, ତା’ର ସୂଚନା । ଏହି ଦେଶରେ ମତବାଦର ଅଭାବ ନାହିଁ, ଯୋଜନା ବା କଳ୍ପନାର ଅଭାବ ନାହିଁ । ଅଭାବ ହେଉଚି କର୍ମୀର, ଯିଏ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପନ୍ଥା ଗ୍ରହଣ କରି ବାସ୍ତବ କ୍ଷେତ୍ରରେ ତାହାର ପ୍ରୟୋଗ କରିପାରିବ, ସମସ୍ତ ଦେଶର ଶକ୍ତିକୁ ଯିଏ ସେହି ପ୍ରୟୋଗରେ ଲଗାଇପାରିବ । ସିଏ କର୍ମୀ ଓ ନେତା ଉଭୟ ହେବ । ଆମ ଦେଶର ଇତିହାସରେ ସର୍ଦ୍ଦାର ପଟେଲ ଦୃଢ଼ତାର ପ୍ରତୀକ ହୋଇ ରହିବେ । ସିଏ ଯାହା ଭଲ ବୋଲି ମାନୁଥିଲେ, ତାହାକୁ ଅତି ଦୃଢ଼ଭାବରେ କାର୍ଯ୍ୟକାରୀ କରାଉଥିଲେ । କର୍ମରେ ଦୃଢ଼ ରହି ସେ ବିରୋଧୀମାନଙ୍କର ଅକାରଣ ବଚସାକୁ ସହଜରେ ଜୟ କରି ପାରୁଥିଲେ ।

 

୧୬.୧୨.୧୯୫୦

 

ଜଳବକ୍ଷର ଯାତ୍ରାପଥରେ ଆଜି ଦିନଟିର ସ୍ମୃତି ଅତି ମନୋରମ ହୋଇପଡ଼ିଚି । ମୁଁ ବାରବାର ସେହି ସ୍ମୃତି ପାଖକୁ ଫେରିଆସିଚି, କିଏ ମତେ ବାରବାର ଆପଣା ଅନ୍ତରକୁ ତଲାସି ଦେଖିବାର ଆହ୍ୱାନ ଦେଇଯାଇଚି । କେତେ ଏଣେ ତେଣେ ବୁଲିଲିଣି, ଯୌବନର ଏହି ଆଗ୍ରହୀ ବୟସରେ ମୁଁ ଜୀବନର ସୂର୍ଯ୍ୟାଲୋକ ଦ୍ୱାରା ଆପଣାକୁ ବେଶ୍ ଆପ୍ୟାୟିତ କରି ସାରିଲିଣି । ଏଥର ମୋର ତରଳ ମନର ଅନୁରକ୍ତି ଓ ଆସକ୍ତିରେ ଦାନା ବାନ୍ଧିବା ଦରକାର, ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମୋ’ ଆଦର୍ଶର ନୀଡ଼ ରଚନା ହେବା ଦରକାର । ଏହି ଜଳ ଯାତ୍ରାରେ ଯେପରି ସେହି ଦ୍ୱିତୀୟ ପର୍ବଟିର ମୂଳଦୁଆ ପଡ଼ିଲା ।

 

ବିସ୍କେ ଉପସାଗରର ପ୍ରଚଣ୍ଡ ଜଳରାଶି ଉପରେ ଆମ ଜାହାଜ ଟଳମଟଳ ହେଉଚି । ତରଙ୍ଗର ମତ୍ତ ଆଘାତରେ ଜାହାଜଟାଯାକ କମ୍ପି ଉଠୁଚି । ଆଉ ଦୁଇଟା ଦିନରେ ଏଠିକା ସଂସାରକୁ ଭାଙ୍ଗି ସମସ୍ତେ ଆପଣା ଆପଣା ରାସ୍ତାରେ ଚାଲିଯିବେ ।

 

କାଲିଠାରୁ ଲେଖିବାର ସବୁ ପ୍ରବୃତ୍ତିକୁ ମୋ’ଠାରୁ କିଏ କାଢ଼ି ନେଇଗଲା ପରି ଲାଗୁଚି । ଖାଲି କର୍ତ୍ତବ୍ୟରକ୍ଷା ଲାଗି ହାତ କଲମ ଧରିବାକୁ ବାଧ୍ୟ ହେଉଚି ।

 

୧୭.୧୨.୧୯୫୦

 

ସାଗରଯାତ୍ରା ସରିଆସିବା ସଙ୍ଗେ ସଙ୍ଗେ ମୁଣ୍ଡରୁ ସବୁ ଚିନ୍ତା ସରିଆସିବା ପରି ହଠାତ୍ ଏପରି ଅଳସ ଲାଗୁଚି କାହିଁକି ? ଏହି ଚାରିପାଞ୍ଚ ଦିନହେଲା ଲେଖିବାକୁ ମୋଟେ ମନ ହେଉନାହିଁ-। ସମ୍ମୁଖର ଅସୀମ ସାଗର ପରି ମନ ଭିତଟା ଖାଲି ନିଶ୍ଚଳ ଅଥଚ ନିଗୂଢ଼ ହୋଇ ପଡ଼ିରହିଚି । ତାହାରି ଭିତରେ କେତେକେତେ ରତ୍ନ ରହିଚି, କେତେ ସମ୍ପଦର ଗୁହ୍ୱା କେଉଁ ଅନାଗତର କୁହୁକ କାଠି ଲାଗି ମୁଁ ଅପେକ୍ଷା କରିଚି, କିନ୍ତୁ ଯେପରି ସେ କାଠି ହଜାଇ ଆସିଚି । ଯେପରି ସେହି ସାଗରରେ ବୁଡ଼ିବାର ବିଦ୍ୟାକୁ ମୁଁ ପାସୋରି ପକାଇଚି । ମଝିରେ ମଝିରେ ଏପରି ନିରାବେଗ ହୋଇଯିବାକୁ କାହିଁକି ଯେ ଭଲ ଲାଗେ, ମୁଁ ବୁଝି ପାରେନାହିଁ ।

 

ପାଣି ଉପରେ କୋଡ଼ିଏ ଦିନ କଟିଗଲା । ହୁଏତ ମୁଁ ଏହି ଦୀର୍ଘ ସମୟଟିର ସଦ୍‌ବ୍ୟବହାର କରିଚି । ପଢ଼ିଚି, ଲେଖିଚି, ଅନ୍ୟମାନଙ୍କ ଲାଗି ଆପଣାର ଦ୍ୱାରକୁ ଖୋଲି ରଖିଚି । ତଥାପି ଯେପରି ମୁଁ କ୍ଷୁବ୍‌ଧ ହୋଇ ରହିଚି କେଉଁ ସୁଯୋଗ ହରାଇ ପକାଉଚି ବୋଲି । ମୋର ଶକ୍ତି ମୋତେ ବାରବାର ଧକ୍‌କା ଦେଉଚି । ମୋତେ ମୋର ନିର୍ବାଚିତ କ୍ଷେତ୍ରରେ ଯଥାଶୀଘ୍ର ନିମିତ୍ତ ରୂପେ ପ୍ରେରିତ ହେବାକୁ ହେବ । ସେହି କ୍ଷେତ୍ରଟି ଯେତେ ସ୍ଥାନୀୟ ଓ ଅଖ୍ୟାତ ହେଉ ପଛକେ, ସେଇଠୁ ଯେପରି ମୋ’ କର୍ମ ପଥର ପ୍ରଥମ ଖୁଣ୍ଟ ପୋତାହେବ । ସେହି କ୍ଷେତ୍ରର ଚେରକୁ ହଲାଇ ମୁଁ ଯେପରି ଜଗତର ସକଳ କର୍ମ କ୍ଷେତ୍ରକୁ ହଲାଇ ଦେଇପାରିବି । ସେଇଠୁ ସତ୍ୟର ନିଭୃତ ସାଧନା କରି ମୁଁ ସତେ ଅବା ଜଗତର ସତ୍ୟସେନା ସହିତ ସଂଯୁକ୍ତ ହୋଇ ପାରିବି । ଜୀବନର ଦିନଗୁଡ଼ିକ ଅତି ସୀମାବଦ୍ଧ, ଅଥଚ ଜୀବନର ବାସନା ହେଉଚି ଅନେକ; ଯଥାଶୀଘ୍ର ମତେ ଆପଣା କ୍ଷେତ୍ର ଉପରେ ସମର୍ପିତ ଓ ସଂପ୍ରକାଶିତ କରିବାର ବାସନାକୁ ପୂର୍ଣ୍ଣ କରିବାକୁ ହେବ।

 

ଅବସ୍ଥା ଚକ୍ରର ଅନୁଗ୍ରହରେ ମୁଁ ବିଦେଶର ଭୂଇଁ ମାଡ଼ିବାର ସୌଭାଗ୍ୟ ଲାଭ କରିଚି । ଜାଣେନା, ମୋ’ଠାରୁ କଅଣ ଆଶା କରି କେଉଁ ଗୁରୁଜନ ମୋତେ ଅନୁଗୃହୀତ କରିଚନ୍ତି । ମୁଁ କିନ୍ତୁ ଏହି ଅନୁଗ୍ରହକୁ ଭଗବାନଙ୍କର ଅନୁଗ୍ରହ ରୂପେ ଗ୍ରହଣ କରିବି । ମୋର ବାସନା ଓ ନିଷ୍ଠା ଯେପରି ବାଟ ଆରମ୍ଭରେ ଆଜି ସେହି ଜୀବନ ବିଧାତାଙ୍କର ସ୍ୱୀକୃତି ତାହାକୁ ଫୁଟାଇ ଦେଇଚି ।

Image